କେଜରୀୱାଲଙ୍କ ନ୍ୟାୟିକ ହାଜତ ମିଆଦ ଏପ୍ରିଲ ୨୩ ଯାଏଁ ବଢିଲା


ପ୍ରସାଦ ରାଓ
ନୂଆଦିଲ୍ଲୀ/ ଏପ୍ରିଲ ୧୫
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲଙ୍କ ୧୫ ଦିନିଆ ନ୍ୟାୟିକ ହାଜତ ମିଆଦ ଆଜି ସରିବା ପରେ ଇଡି ପକ୍ଷରୁ ତାଙ୍କୁ ତିହାର ଜେଲରୁ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଦିଲ୍ଲୀ ରାଉଜ୍ ଏଭିନ୍ୟୁ କୋର୍ଟରେ ପେସ୍ କରାଯାଇଥିଲା । ବର୍ତ୍ତମାନ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ତଦନ୍ତ ଏକ ଗୁରୁତ୍ୱପୂର୍ଣ୍ଣ ମୋଡରେ ଥିବାରୁ ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କୁ ଅଧିକ ୧୪ ଦିନ ନ୍ୟାୟିକ ହାଜତରେ ରଖା ଯିବାକୁ ଇଡିର ଓକିଲ କୋର୍ଟରେ ଆବେଦନ କରିଥିଲେ । ରାଉଜ୍ ଏଭିନ୍ୟୁ କୋର୍ଟର ସ୍ୱତନ୍ତ୍ର ବିଚାରପତି କାବେରୀ ବାୱେଜା ସିବିଆଇ ଓ ଇଡି ପକ୍ଷରୁ ଦାଖଲ ତଦନ୍ତ ରିପୋର୍ଟକୁ ଅନୁଧ୍ୟାନ କରିବା ପରେ ମୁଖ୍ୟମନ୍ତ୍ରୀଙ୍କ ହାଜତ ମିଆଦ ଏପ୍ରିଲ ୨୩ ତାରିଖ ପର୍ଯ୍ୟନ୍ତ ବଢାଇଛନ୍ତି । ଏହି ମାମଲାରେ ସଂପୃକ୍ତ ଥିବା ଅଭିଯୋଗରେ ତିହାର ଜେଲରେ ଥିବା ତେଲେଂଗାନା ପୂର୍ବତନ ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ କନ୍ୟା ତଥା ଭାରତ ରାଷ୍ଟ୍ର ସମିତି (ବିଆରଏସ୍) ନେତ୍ରୀ କେ.କବିତାଙ୍କ ସମେତ ଅନ୍ୟ କିଛି ସହ-ଅଭିଯୁକ୍ତଙ୍କ ନ୍ୟାୟିକ ହାଜତ ମିଆଦ ଏପ୍ରିଲ ୨୩ ପର୍ଯ୍ୟନ୍ତ ଥିବାରୁ କୋର୍ଟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କ ନ୍ୟାୟିକ ହାଜତ ମିଆଦ ମଧ୍ୟ ଏପ୍ରିଲ ୨୩ ତାରିଖ ଯାଏଁ ବଢାଇଛନ୍ତି । କେଜରୀୱାଲ ଦିଲ୍ଲୀ ଅବକାରୀ ଦୁର୍ନୀତି ସଂପର୍କିତ ଏକ ପିଏମଏଲଏ ମାମଲାରେ ମାର୍ଚ୍ଚ ୨୧ ତାରିଖରେ ଇଡି (ପ୍ରବର୍ତ୍ତନ ନିର୍ଦେଶାଳୟ ) ଦ୍ୱାରା ଗିରଫ ହୋଇ ୩୧ ତାରିଖ ପର୍ଯ୍ୟନ୍ତ ଇଡି ରିମାଣ୍ଡରେ ଥିଲେ । ଏପ୍ରିଲ ୧ ତାରିଖ ଦିନ ରାଉଜ୍ ଏଭିନ୍ୟୁ କୋର୍ଟ ସ୍ୱତନ୍ତ୍ର ବିଚାରପତି କାବେରୀ ବାୱେଜା ତାଙ୍କୁ ୧୫ ଦିନ ପାଇଁ ନ୍ୟାୟିକ ହାଜତକୁ ପଠାଇ ଥିଲେ, ଯାହାକି ଆଜି ସରିଥିଲା । ଅବକାରୀ ଦୁର୍ନୀତି ମାମଲାରେ ଇଡି ତାଙ୍କୁ ଗିରଫ କରି ଜେଲରେ ଅଟକ ରଖିବା ଅନ୍ୟାୟ, ମାନବାଧୀକାରର ଉଲଂଘନ ଏବଂ ଏହା ସଂପୂର୍ଣ୍ଣ ଭାବେରେ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ମୁଖ୍ୟମନ୍ତ୍ରୀ କେଜରୀୱାଲ ସୁପ୍ରିମ କୋର୍ଟରେ ଏକ ପିଟିସନ ଦାଖଲ କରିବା ସହ ତାଙ୍କ ଗିରଫଦାରୀକୁ ରଦ୍ଦ କରାଯିବାକୁ ଆବେଦନ କରିଥିଲେ । ସୁପ୍ରିମ କୋର୍ଟ ବିଚାରପତି ଜଷ୍ଟିସ ସଂଜୀବ ଖାନ୍ନା ଓ ଜଷ୍ଟିସ ଦୀପଂକର ଦତ୍ତଙ୍କୁ ନେଇ ଗଠିତ ଦୁଇ ଜଣିଆ ବେଂଚ୍ ଆଜି ଏହି ଆବେଦନର ଶୁଣାଣୀ କରି ରାୟ ଦେଇ ପାରନ୍ତି ବୋଲି ଆମ୍ ଆଦମୀ ପାର୍ଟି (ଆପ୍) ଆଶା କରୁଥିଲା । ତେବେ, ସୁପ୍ରିମ କୋର୍ଟ ବେଂଚ୍ କେଜରୀୱାଲଙ୍କ ଆବେଦନ ଉପରେ ଆସନତା ୨୪ ତାରିଖ ସୁଦ୍ଧା ଉତ୍ତର ରଖିବାକୁ ଇଡିକୁ ନିର୍ଦେଶ ଦେବା ସହ ଏପ୍ରିଲ ୨୯ ତାରିଖରୁ ଆରମ୍ଭ ହେଉଥିବା ସପ୍ତାହରେ ଶୁଣାଣୀ କରିବେ ବୋଲି କହିଛନ୍ତି । କେଜରୀୱାଲ ତାଙ୍କ ଗିରଫଦାରୀ ବିରୋଧରେ ସୁପ୍ରିମ କୋର୍ଟକୁ ଯିବା ପୂର୍ବରୁ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ । ତେବେ, ଦିଲ୍ଲୀ ହାଇକୋର୍ଟ ଇଡି ତାଙ୍କ ବିରୋଧରେ ଅଦାଲତରେ ଯଥେଷ୍ଟ ପ୍ରମାଣ ଉପସ୍ଥାପନ କରିଥିବା ଦର୍ଶାଇ ଗିରଫଦାରୀ ବୈଧ ବୋଲି ଏପ୍ରିଲ ୯ ତାରିଖ ଦିନ ରାୟ ଦେଇଥିଲେ । ଏହି ରାୟକୁ କେଜରୀୱାଲ ସୁପ୍ରିମ କୋର୍ଟରେ ଚ୍ୟାଲେଂଜ କରିଛନ୍ତି । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ସରକାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ଅବକାରୀ ମନ୍ତ୍ରୀ ମନୀଷ ସିସୋଦିଆ ଗତ ବର୍ଷ ଫେବୃୟାରୀ ମାସରୁ ଗିରଫ ହୋଇ ତିହାର ଜେଲରେ ଅଛନ୍ତି । ଆଜି ସେ ଜାମିନ ପାଇଁ ରାଉଜ୍ ଏଭିନ୍ୟୁ କୋର୍ଟରେ ଆବେଦନ କରିଥିବା ବେଳେ ଅଦାଲତ ଆସନ୍ତା ୨୦ ତାରିଖ ଏହି ଆବେଦନର ଶୁଣାଣୀ କରିବାକୁ ଧାର୍ଯ୍ୟ କରିଛନ୍ତି । ସିସୋଦିଆ ଦିଲ୍ଲୀ ସରକାରଙ୍କ ନୂତନ ଅବକାରୀ ନୀତି (ରଦ୍ଦ ହୋଇସାରିଛି) ପ୍ରଣୟନରେ ମୁଖ୍ୟ କାର୍ପଟଦାର ଥିଲେ ବୋଲି ସିବିଆଇ ପକ୍ଷରୁ ଆଜି କୋର୍ଟରେ ଯୁକ୍ତି ଉପସ୍ଥାପନ କରାଯାଇଥିଲା । ଦିଲ୍ଲୀ ସରକାର ୨୦୨୧-୨୨ ପାଇଁ ଯେଉଁ ନୂତନ ଅବକାରୀ ନୀତି ପ୍ରଣୟନ କରିଥିଲେ ତାହାର କାର୍ଯ୍ୟକାରିତା ସମୟରେ ଶତାଧିକ କୋଟି ଟଙ୍କାର ଲାଂଚ କାରବାର ହୋଇଥିବା ଏବଂ ‘ଆପ୍’ ସରକାର ଓ ଦଳ ଏହାର ଫାଇଦା ପାଇଥିବା ସିବିଆଇ ଓ ଇଡି ଅଭିଯୋଗ କରିଛନ୍ତି । ଏହି ମାମଲାକୁ ନେଇ ହୋଇଥିବା ପିଏମଏଲଏ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରୀୱାଲ, ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସିସୋଦିଆ, ‘ଆପ୍’ ରାଜ୍ୟସଭା ସାଂସଦ ସଂଜୟ ସିଂହ, ବିଆରଏସ୍ ନେତ୍ରୀ କେ.କବିତା ପ୍ରମୁଖ ଗିରଫ ହୋଇଛନ୍ତି । କବିତାଙ୍କୁ ଇଡି ହାଇଦ୍ରାବାଦର ବଂଜାରା ହିଲ୍ସରେ ଥିବା ତାଙ୍କ ବାସଭବନରୁ ଗିରଫ କରି ଦଲ୍ଲୀ ଆଣି ଥିଲେ । ‘ଆପ୍’ ସାଂସଦ ସଂଜୟ ସିଂହ ନିକଟରେ ସୁପ୍ରିମ କୋର୍ଟରୁ ଜାମିନରେ ବାହାରି ଥିବା ବେଳେ ଅନ୍ୟ ତିନି ରାଜନେତା ଏବେ ତିହାର ଜେଲରେ ଅଛନ୍ତି । ତିହାର ଜେଲରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କୁ ଜଣେ ଆତଙ୍କବାଦୀ ସଦୃଶ ବ୍ୟବହାର କରାଯାଉଛି ବୋଲି ପଂଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍ କେଜରୀୱାଲଙ୍କୁ ଜେଲରେ ଭେଟି ଫେରିବା ପରେ ଗଣମାଧ୍ୟମରେ ବୟାନ ଦେଇଛନ୍ତି । ପଂଜାବ ମୁଖ୍ୟମନ୍ତ୍ରୀ କହିଛନ୍ତି, ତିହାର ଜେଲରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଜଣେ ‘ଦୁର୍ଦ୍ଦନ୍ତ ଆତଙ୍କବାଦୀ’ ଭଳି ବ୍ୟବହାର କରାଯାଉଛି । ତାଙ୍କୁ ସର୍ବନିମ୍ନ ମୌଳିକ ସୁବିଧା ମିଳୁନି । ବିଜେପି ‘ଆପ୍’କୁ ସଂପୂର୍ଣ୍ଣ ଧ୍ୱଂସ କରିବା ପାଇଁ ଯେଉଁ ଷଡଯନ୍ତ୍ର କରିଛି ଆସନ୍ତା ନିର୍ବାଚନରେ ତାହାର ଉଚିତ ଜବାବ ମିଳିବ । ଜୁନ ୪ ତାରିଖରେ ଯେଉଁ ନିର୍ବାଚନ ଫଳାଫଳ ଆସିବ ସେଥିରେ ଆମ୍ ଆଦମୀ ପାର୍ଟି (ଆପ୍) ବିଜେପିର ସବୁଠାରୁ ବଡ ପ୍ରତିଦ୍ୱନ୍ଦ୍ୱୀ ଭାବେ ଉଭା ହେବ ବୋଲି ସେ ଚେତାବନୀ ଦେଇଛନ୍ତି । ପଂଜାବ ମୁଖ୍ୟମନ୍ତ୍ରୀ ତିହାର ଜେଲକୁ ଯାଇ ‘ଆପ୍’ ଜାତୀୟ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କୁ ଭେଟିବା ସହ ୩୦ ମିନିଟ ଆଲୋଚନା କରିଥିଲେ । ସାକ୍ଷାତକାର ସମୟରେ ଦୁହିଁଙ୍କ ମଝିରେ ଏକ ମୋଟା କାଚ ପରଦା ରହିଥିଲା । ଫୋନ୍ ମାଧ୍ୟମରେ ସେମାନଙ୍କ ଆଲୋଚନା ହୋଇଥିଲା । ‘ମୁଁ ଏହା ଦେଖି ଅତ୍ୟନ୍ତ ଭାବପ୍ରବଣ ହୋଇଗଲି । ଜଣେ ଦୁର୍ଦ୍ଦାନ୍ତ ଆତଙ୍କବାଦୀଙ୍କ ଭଳି ଜେଲରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସହ ବ୍ୟବହାର କରାଯାଉଛି । ଦିଲ୍ଲୀରେ ମୋହଲ୍ଲା କ୍ଲିନିକ ଖୋଲି ଲୋକଙ୍କୁ ମାଗଣାରେ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା କଣ ତାଙ୍କ ଅପରାଧ ଥିଲା (?)’ ବୋଲି ପଂଜାବ ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରିଛନ୍ତି । ମୁଖ୍ୟମନ୍ତ୍ରୀ କେଜରୀୱାଲ ଜେଲରେ ଥାଇ ଦିଲ୍ଲୀବାସୀଙ୍କ ଅଭାବ, ଅସୁବିଧା ବୁଝୁଥିବା ପ୍ରଶଂସନୀୟ । ଆସନ୍ତା ସପ୍ତାହରେ ସେ (ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରୀୱାଲ) ତାଙ୍କ ସରକାରର ଦୁଇ ଜଣ ମନ୍ତ୍ରୀଙ୍କୁ ଜେଲକୁ ଡକାଇ ବିଭିନ୍ନ ପ୍ରଶାସନିକ ବିଷୟକୁ ନେଇ ଆଲୋଚନା କରିବାକୁ ଯୋଜନା କରିଛନ୍ତି ବୋଲି ପଂଜାବ ମୁଖ୍ୟମନ୍ତ୍ରୀ କହିଛନ୍ତି । କେଜରୀୱାଲ ଦୁର୍ନୀତି ଅଭିଯୋଗରେ ଗିରଫ ହୋଇ ଜେଲରେ ଥିବାରୁ ମୁଖ୍ୟମନ୍ତ୍ରୀ ପଦରୁ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ହେଉଥିବା ଦାବି ଉପରେ ପ୍ରଶ୍ନ ହେବାରୁ ପଂଜାବ ମୁଖ୍ୟମନ୍ତ୍ରୀ ମାନ୍ କହିଛନ୍ତି, ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କେବଳ ଦୁର୍ନୀତି ଅଭିଯୋଗ ହୋଇଛି, ଅଦାଲତରେ ତାହା ସାବ୍ୟସ୍ତ ହୋଇ ନାହିଁ । ଏଠାରେ ସୂୂଚନାଯୋଗ୍ୟ ଯେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଥିବାରୁ ମୁଖ୍ୟମନ୍ତ୍ରୀ ପଦରୁ ତୁରନ୍ତୁ ଇସ୍ତଫା ଦିଅନ୍ତୁ ବୋଲି କେନ୍ଦ୍ରରେ ଶାସନରେ ଥିବା ବିଜେପି ଓ ତାହାର ନେତାମାନେ ଦାବି କରୁଥିବା ବେଳେ ଜେଲରେ ରହି ସେ ସରକାର ଚଳାଇବେ ବୋଲି ମୁଖ୍ୟମନ୍ତ୍ରୀ କେଜରୀୱାଲ ଅଡି ରହିଛନ୍ତି । ଇତିମଧ୍ୟରେ, ଜେଲରୁ ସେ ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ସୌରଭ ଭରଦ୍ୱଜ ଓ ପିଡବ୍ଲୁଡି ମନ୍ତ୍ରୀ ଆତିଶୀ ମାର୍ଲିନଙ୍କୁ ଦୁଇଟି ନିର୍ଦେଶମନାମା ପଠାଇ ଦିଲ୍ଲୀବାସୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ନିର୍ଦେଶ ଦେଇଛନ୍ତି । ଦେଶରେ ଲୋକସଭା ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କ ଗିରଫକୁ ନେଇ ଶାସକ ବିଜେପି ଓ ବିରୋଧୀ ମେଂଟ ମୁହାଁମୁହିଁ ହୋଇଥିବାରୁ ଜନମତକୁ ଏହା କେତେଦୂର ପ୍ରଭାବିତ କରିବ – ତାହା ଉପରେ ସମସ୍ତଙ୍କ ନଜର ରହିଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS