ଦୁର୍ଘଟଣା ପରେ ଦୁର୍ଘଟଣା !


ପ୍ରସାଦ ରାଓ
ଭୁବନେଶ୍ୱର/ ଏପ୍ରିଲ ୧୬
ସୋମବାର ରାତିରେ ଯାଜପୁର ଜିଲ୍ଲା ରସୁଲପୁର ବ୍ଲକର ବାରବାଟୀ ନିକଟରେ ପୁରୀରୁ ପଶ୍ଚିମ ବଂଗର ହଳଦିଆକୁ ଯାଉଥିବା ‘କାଳିଆନନା’ ଭଲଭୋ ଯାତ୍ରୀବାହୀ ବସ୍ କୁଆଖିଆ ପୋଲ ଉପରୁ ୩୦ ଫୁଟ ତଳକୁ ଖସି ପଡିବାରୁ ୫ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟୁନ ୪୦ ଜଣ ଆହତ ହୋଇଥିଲେ । ଆଜି ଅନୁଗୁଳ ଜିଲ୍ଲାର ଝାରପଦା ଛକ ନିକଟରେ ଆଉ ଏକ ବସ୍ ଦୁର୍ଘଟଣା ଘଟି ଡ୍ରାଇଭରର ମତ୍ୟୁ ଘଟିଥିବା ଓ ଅନ୍ୟୁନ ୨୦ ଜଣ ଯାତ୍ରୀ ଆହତ ହୋଇଥିବା ଖବର ମିଳିଛି । ଛତିଶଗଡ଼ର କୋରବାରୁ ପୁରୀ ଆସୁଥିବା ଯାତ୍ରୀବାହୀ ବସ୍ ଟି ୫୫ ନମ୍ବର ଜାତୀୟ ରାଜପଥ ଅନୁଗୁଳ ଜିଲ୍ଲା ଝାରପଦା ଛକରେ ଅନ୍ୟ ଏକ ଗାଡିକୁ ଧକ୍କା ଦେବାରୁ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା ଓ ଯାତ୍ରୀମାନେ ଆହତ ହୋଇଥିବା ଜଣାପଡିଛି । ସ୍ଥାନୀୟ ଅଂଚଳବାସୀ ଦୁର୍ଘଟଣା ସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିବା ଅପରାହ୍ନ ସୁଦ୍ଧା ସୂଚନା ମିଳିଛି । ଆଜି ଏହି ଦୁର୍ଘଟଣା ଘଟିଥିବା ବେଳେ ଗତକାଲି ରାତି ପ୍ରାୟ ୯ଟା ସମୟରେ ଯାଜପୁର ଜିଲ୍ଲା ବାରବାଟୀ ନିକଟରେ ପୁରୀରୁ ପଶ୍ଚିମ ବଂଗର ହଳଦିଆ ଅଭିମୁଖେ ଯାଉଥିବା ଓଡି-୦୨ ବିଜେ ୮୫୯୯ ନମ୍ବର ‘କାଳିଆନନା’ ବସ୍ ୧୬ ନମ୍ବର ଜାତୀୟ ରାଜପଥରେ କୁଆଖିଆ ପୋଲ ଉପରୁ ୩୦ ଫୁଟ୍ ତଳକୁ ଖସି ପଡିଥିଲା । ସେଥିରେ ୫୦ରୁ ଅଧିକ ଯାତ୍ରୀ ଥିଲେ । ବସ୍ ପୋଲ ତଳକୁ ଓଲଟି ପଡି ଚେପା ହୋଇଯିବାରୁ ମୃତାହତଙ୍କୁ ଉଦ୍ଧାର କରିବା କଷ୍ଟକର ହୋଇପଡିଥିଲା । କୁଆଖିଆ ଓ ଧର୍ମଶାଳାରୁ ପୁଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ପହଂଚି ଅଂଚଳବାସୀଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ କରିଥିଲେ । ମୃତ ଓ ଆହତ ବସଯାତ୍ରୀଙ୍କୁ ପ୍ରଥମେ ୧୬ଟି ଆମ୍ବୁଲାନ୍ସରେ ଧର୍ମଶାଳା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଜଣେ ମହିଳାଙ୍କ ସମେତ ପାଂଚ ଜଣ ଯାତ୍ରୀଙ୍କୁ ମୃତ ଅବସ୍ଥାରେ ଡାକ୍ତରଖାନାକୁ ଅଣା ଯାଇଥିବା ଗତକାଲି ରାତିରେ ଯାଜପୁର ସିଡିଏମଓ ଦେବାଶିଷ ମହାରଣା ଗଣମାଧ୍ୟମକୁ ସୂଚନା ଦେଇଥିଲେ । ପ୍ରଥମେ ୨୧ ଜଣ ଗୁରୁତର ଆହତଙ୍କୁ ଆଠଟି ଆମ୍ବୁଲାନ୍ସରେ ରାତାରାତି କଟକ ଏସସିବି ମେଡିକାଲ କଲେଜ ହସପିଟାଲ ସ୍ଥାନାନ୍ତର କରାଯାଇ ଆଇସିୟୁରେ ଚିକିତ୍ସା ଆରମ୍ଭ ହୋଇଥିଲା । ସାମାନ୍ୟ ଆହତ ହୋଇଥିବା ଯାତ୍ରୀଙ୍କୁ ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୁଆଖିଆ ଦୁର୍ଘଟଣାକୁ ନେଇ ଗତକାଲି ରାତିରେ ଗଭୀର ଉଦ୍ବେଗ ପ୍ରକାଶ କରିବା ସହ ପ୍ରତ୍ୟେକ ମୃତକଙ୍କ ପରିବାରକୁ ତିନି ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ଘୋଷଣା କରିଥିଲେ । ଆହତଙ୍କ ପାଇଁ ସମସ୍ତ ଚିକିତ୍ସା ସୁବିଧା କରାଯାଇଛି ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ଗତକାଲି ରାତିରେ ରାଜ୍ୟ ପରିବହନ କମିଶନର ଅମିତାଭ ଠାକୁର, ଯାଜପୁର ଜିଲ୍ଲାପାଳ ଓ ଆରଟିଓ ଘଟଣା ସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟର ତଦାରଖ କରିଥିଲେ । ବସ୍ ଡ୍ରାଇଭର କୁଆଖିଆ ଫ୍ଲାଏଓଭର ଉପରେ ଜଣେ ବାଇକ୍ ଆରୋହୀଙ୍କୁ ବଂଚାଇବାକୁ ଯାଇ ନିୟନ୍ତ୍ରଣ ହରାଇ ବସିବାରୁ ବସ୍ କୁଆଖିଆ ପୋଲରୁ ୩୦ ଫୁଟ ତଳକୁ ଖସି ପଡି ଥିଲା ପ୍ରଥମେ କୁହାଯାଇଥିବା ବେଳେ ବସ୍ ଡ୍ରାଇଭରଙ୍କ ଅବହେଳାରୁ ଏହି ଦୁର୍ଘଟଣା ଘଟିଛି ବୋଲି ପରିବହନ ବିଭାଗ ଅତିରିକ୍ତ କମିଶନର (ସଡକ ସୁରକ୍ଷା) ଲାଲ ମୋହନ ସେଠୀ ଆଜି ଗଣମାଧ୍ୟମକୁ କହିଛନ୍ତି । ସେଠୀଙ୍କ କହିବା ଅନୁଯାୟୀ, କୁଆଖିଆ ପୋଲି ଉପରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବସ୍ ୨୦୨୦ରେ ପଂଜୀକୃତ ହୋଇଛି, ବସ୍ ଭଲ ଅବସ୍ଥାରେ ଥିଲା ଏବଂ ମାର୍ଚ୍ଚ ମାସରେ ଫିଟନେସ୍ ସାର୍ଟିଫିକେଟ ମଧ୍ୟ ପାଇଥିଲା । ତେବେ, ଦୃତ ଗତିରେ ଗାଡି ଚଳନା, ବାମ ପଟରୁ ଓଭରଟେକିଂ ଉଦ୍ୟମ ବା ଡ୍ରାଇଭର ଗାଡି ଚଳାଇବା ସମୟରେ ଫୋନରେ କଥା ହେଉଥିବାରୁ ଏହି ଦୁର୍ଘଟଣା ଘଟି ଥାଇପାରେ । ଡ୍ରାଇଭର ବ୍ରେକ୍ ମଧ୍ୟ ମାରି ନାହାନ୍ତି । ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଥିବାରୁ ବସ୍ ଡ୍ରାଇଭରଙ୍କ ବିରୋଧରେ ଆପରାଧୀକ ମାମଲା ରୁଜୁ ହେବ ବୋଲି ଅତିରିକ୍ତ ପରିବହନ କମିଶନର କହିଛନ୍ତି । ଆଜି କଟକ ଏସସିବି ମେଡିକାଲ କଲେଜ ହସପିଟାଲରୁ ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ ଗୁରୁତର ଅବସ୍ଥାରେ ଧର୍ମଶାଳା ସିଏଚସିରୁ କଟକ ଆସିଥିବା ବସଯାତ୍ରୀଙ୍କ ମଧ୍ୟରୁ ୨୭ ଜଣଙ୍କୁ ଆବଶ୍ୟକ ଚିକିତ୍ସା ପରେ ଡିସଚାର୍ଜ କରାଯାଇଥିବା ବେଳେ ଅତ୍ୟନ୍ତ ସଂକଟାପନ୍ନ ଅବସ୍ଥାରେ ଥିବା ୫ ଜଣ ଯାତ୍ରୀଙ୍କୁ ଆଇସିୟୁରେ ରଖି ଚିକିତ୍ସା କରାଯାଉଛି । ଆଜି କେଉଁଝର ଜିଲ୍ଲା ୨୦ ନମ୍ବର ଜାତୀୟ ରାଜପଥର ଦୁରପଦା ଛକରେ ଅନ୍ୟ ଏକ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଦୁରପଦା ଛକରେ ରାସ୍ତା ଅତିକ୍ରମ କରୁଥିବା ଜଣେ ବ୍ୟକ୍ତିଙ୍କୁ ଗୋଟିଏ ବାଇକ୍ ଧକ୍କା ଦେଇଥିଲା । ବାଇକଟି ରାସ୍ତା ଉପରେ ପଡିଥିବା ଅବସ୍ଥାରେ ସେହି ବାଟ ଦେଇ ଯାଉଥିବା ଗୋଟିଏ ଟ୍ରକ୍ ତାହା ଉପରେ ମାଡି ଯିବାରୁ ବାଇକ୍ ରେ ନିଆଁ ଲାଗି ଯାଇଥିଲା । ରାସ୍ତା ଅତିକ୍ରମ କରୁଥିବା ବ୍ୟକ୍ତି ଓ ବାଇକ ଚାଳକଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ବ୍ୟକ୍ତି ଗୁରୁତର ଅବସ୍ଥାରେ ସ୍ଥାନୀୟ ଏକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପୁଲିସ ଟ୍ରକ୍ ଡ୍ରାଇଭରକୁ ଅଟକ ରଖି ପଚରାଉଚୁରା କରୁଛନ୍ତି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS