ନିର୍ବାଚନରେ ‘ମୋଦୀ ହାୱା’ ନାହିଁ – କହିଲେ ବିଜେପି ପ୍ରାର୍ଥୀ !
ପ୍ରସାଦ ରାଓ
ଏପ୍ରିଲ ୧୬
୨୦୨୪ ଲୋକସଭା ନିର୍ବାଚନରେ ମହାରାଷ୍ଟ୍ରର ଅମରାବତୀ ଆସନରୁ ବିଜେପି ପ୍ରାର୍ଥୀ ଥିବା ନବନୀତି ରାଣା କୁଆଡେ ନିଜ କର୍ମୀ ଓ ସମର୍ଥକଙ୍କୁ କହିଛନ୍ତି, ନିର୍ବାଚନରେ ‘ମୋଦୀ ହାୱା’ ନଥିବାରୁ ଗ୍ରାମ ପଂଚାୟତ ନିର୍ବାଚନ ଭଳି ଏହି ନିର୍ବାଚନରେ ଲଢିବାକୁ ପଡିବ । ମଧ୍ୟାହ୍ନ ସୁଦ୍ଧା ଭୋଟରଙ୍କୁ ଭୋଟକେନ୍ଦ୍ରରେ ପହଂଚାଇ ସେମାନଙ୍କ ଦ୍ୱାରା ମତଦାନ କରାଇବାକୁ ପଡିବ । ‘ମୋଦୀ ହାୱା’ ଅଛି ଭାବି ବସି ରହିଲେ ହେବ ନାହିଁ । ଅମରାବତୀ ନିର୍ବାଚନ ମଣ୍ଡଳୀର ଦଳୀୟ କର୍ମୀଙ୍କୁ ଉଦ୍ବୋଧନ ଦେବା ଅବସରରେ ରାଣା ଏହି ବୟାନ ଦେଇଥିବା କୁହାଯାଉଛି । ବୈଠକରୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୂରେଇ ରଖା ଯାଇଥିଲେ ମଧ୍ୟ ନବନୀତ ରାଣାଙ୍କ ଭାଷଣର ଯେଉଁ ଭିଡ଼ିଓ ବାହାରକୁ ଆସିଛି ତାହା ଏବେ ଭାଇରାଲ ହେବାରେ ଲାଗିଛି । ରାଣା ଗତ ଲୋକସଭା ନିର୍ବାଚନରେ ମୋଦୀ ହାୱା ଥାଇ ସୁଦ୍ଧା ଅମରାବତୀ ଲୋକସଭା ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରି ବିଜୟୀ ହୋଇଥିଲେ । ଅବିଭକ୍ତ ଏନସିପିରୁ ସେ ସମର୍ଥନ ପାଇଥିଲେ । ୨୦୨୪ ନିର୍ବାଚନରେ ବିଜେପି ତାଙ୍କୁ ପ୍ରାର୍ଥୀ କରିଛି । ନବନୀତ ରାଣାଙ୍କ ଏହି ବୟାନ ବିରୋଧୀ ଏନସିପି (ଶରଦଚନ୍ଦ୍ର ପାୱାର) ଓ ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ନେତାଙ୍କୁ ବେଶ୍ ଉତ୍ସାହିତ କରିଛି । ରାଣା ସତ କଥା କହିଛନ୍ତି ବୋଲି ଏହି ଦୁଇ ବିରୋଧୀ ଦଳର ନେତାମାନେ କହିଛନ୍ତି । ଏନସିପି (ଏସପି)ର ମୁଖ୍ୟ ମୁଖପାତ୍ର ମହେଶ ତାପଶେ କହିଛନ୍ତି, ନବନୀତ ରାଣା ଯେଉଁ ବୟାନ ଦେଇଛନ୍ତି ତାହା ସଂପୂର୍ଣ୍ଣ ସତ୍ୟ । ବିଜେପି ନେତାମାନେ ଜାଣନ୍ତି ଚଳିତ ଲୋକସଭା ନିର୍ବାଚନରେ ‘ମୋଦୀ ହାୱା’ ନାହିଁ । ସେମାନଙ୍କୁ ପଂଚାୟତ ନିର୍ବାଚନ ଲଢିଲା ଭଳି ଏହି ନିର୍ବାଚନରେ ଲଢିବାକୁ ପଡିବ ଏବଂ ମତଦାତାଙ୍କୁ ମଧ୍ୟାହ୍ନ ସୁଦ୍ଧା ମତଦାନ କେନ୍ଦ୍ରରେ ପହଂଚାଇ ଭୋଟ କରାଇବାକୁ ପଡିବ । ବିଜେପି ବିଭିନ୍ନ ବାଟରେ ବିରୋଧୀ ଦଳର ନେତାଙ୍କୁ ନେଇ ନିଜ ଦଳରେ ସାମିଲ କରୁଛି ଏବଂ ଦୁର୍ନୀତିଗ୍ରସ୍ତ ନେତାଙ୍କୁ ମଧ୍ୟ ଛାଡୁନି । ଏଥିରୁ ନିର୍ବାଚନରେ ‘ମୋଦୀ ହାୱା’ ନଥିବା ସ୍ପଷ୍ଟ ହେଉଛି । ଶିବସେନା (ୟୁବିଟି) ଜାତୀୟ ମୁଖପାତ୍ର ସଂଜୟ ରାଉତ ମଧ୍ୟ ଅମରାବତୀରୁ ବିଜେପି ପ୍ରାର୍ଥୀ ନବନୀତ ରାଣାଙ୍କ କଥିତ ବୟାନକୁ ନେଇ କଟାକ୍ଷ କରିବାକୁ ପଛାଇ ନାହାନ୍ତି । ଏଥର ‘ମୋଦୀ ହାୱା’ କଥା ଭୁଲିଯାଅ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଆସନରେ ବିଜୟୀ ହେବେ କି ନା ପ୍ରଶ୍ନବାଚୀ ହୋଇଛି ବୋଲି ରାଉତ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ଅମରାବତୀ ପ୍ରାର୍ଥୀଙ୍କ ରାଣାଙ୍କ ଏହି ଭିଡ଼ିଓ ବିରୋଧୀଙ୍କୁ ଉତ୍ସାହିତ କରିଥିବା ବେଳେ ବିଜେପିର ପ୍ରତିକ୍ରିୟା ଗଣମାଧ୍ୟମକୁ ଆସି ନାହିଁ ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS