ବିଜେଡ଼ିର ପଂଚମ ପ୍ରାର୍ଥୀ ତାଲିକା: ନବୀନ କଂଟାବାଂଜିରୁ ପ୍ରାର୍ଥୀ, ପ୍ରସନ୍ନ ଓ ରେହିତଙ୍କ ଆସନ ବଦଳିଲା
ପ୍ରସାଦ ରାଓ
ଏପ୍ରିଲ ୧୭
ବିଜେଡ଼ି ସୁପ୍ରିମୋ ତଥା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥର ଗଂଜାମ ଜିଲ୍ଲାର ହିଂଜିଳୀ ଆସନ ସହ କଂଟାବାଂଜି ବିଧାନସଭା ଆସନରୁ ମଧ୍ୟ ନିର୍ବାଚନ ଲଢିବେ । ଆଜି ବିଜେଡ଼ି ଘୋଷଣା କରିଥିବା ଦଳର ପଂଚମ ପ୍ରାର୍ଥୀ ତାଲିକାରୁ ଏହି ସୂଚନା ମିଳିଛି । ନିଜେ ବିଜେଡ଼ି ସଭାପତି ପଟ୍ଟନାୟକ ଏକ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ଏହି ଘୋଷଣା କରିଛନ୍ତି । ଦଳର ଚତୁର୍ଥ ପ୍ରାର୍ଥୀ ତାଲିକାରେ ବରିଷ୍ଠ ବିଜେଡ଼ି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଦଳ ସମ୍ବଲପୁର ବିଧାନସଭା ଆସନରୁ ପ୍ରାର୍ଥୀ କରିଥିଲା । ତେବେ, ଏହାକୁ ନେଇ ସେ ଅସନ୍ତୁଷ୍ଟ ଥିଲେ । ରେଢାଖୋଲ ଆସନରୁ ପ୍ରାର୍ଥୀ ହେବାକୁ ସେ ଲବି କରୁଥିଲେ । କାରଣ, ରେଢାଖୋଲ ବିଧାନସଭା ନିର୍ବାଚନ ମଣ୍ଡଳୀରେ ତାଙ୍କର ବଳିଷ୍ଠ ସଂଗଠନ ରହିଛି । ପୂର୍ବତନ ମନ୍ତ୍ରୀ ତଥା ବିଜେଡ଼ିର ଯୁବ ନେତା ରୋହିତ ପୁଝାରୀଙ୍କୁ ରେଢାଖୋଲ ବିଧାନସଭା ଆସନରୁ ପ୍ରାର୍ଥୀ କରାଯାଇ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ସମ୍ବଲପୁର ବିଧାନସଭା ଆସନରୁ ପ୍ରାର୍ଥୀ କରାଯିବାରୁ ପ୍ରସନ୍ନ ଅଭିମାନ କରି ପ୍ରଚାରକୁ ଯାଉ ନଥିଲେ । ଆଜି ପ୍ରକାଶିତ ବିଜେଡ଼ିର ପଂଚମ ପ୍ରାର୍ଥୀ ତାଲିକାରେ ପ୍ରସନ୍ନ ଆଚାର୍ଯ୍ୟ ଓ ରୋହିତ ପୁଝାରୀଙ୍କ ମଧ୍ୟରେ ଆସନ ଅଦଳବଦଳ ହୋଇଛି । ରୋହିତ ସମ୍ବଲପୁର ବିଧାନସଭା ଆସନରୁ ଓ ପ୍ରସନ୍ନ ରେଢାଖୋଲ ବିଧାନସଭା ଆସନରୁ ନିର୍ବାଚନ ଲଢିବେ ବୋଲି ଆଜି ସୂଚନା ଦିଆଯାଇଛି । ବିଜେଡ଼ି ପକ୍ଷରୁ ପ୍ରକାଶିତ ପଂଚମ ପ୍ରାର୍ଥୀ ତାଲିକାରେ ୧୧ ଜଣଙ୍କ ନାମ ରହିଛି । କଂଟାବାଂଜିରୁ ନବୀନ ନିର୍ବାଚନ ଲଢିବେ ବୋଲି ଘୋଷଣା ହୋଇଥିବା ବେଳେ ପ୍ରସନ୍ନ ଆଚାର୍ଯ୍ୟ ଓ ରୋହିତ ପୁଝାରୀଙ୍କ ମଧ୍ୟରେ ଆସନ ଅଦଳବଦଳ ହୋଇଛି । ଏହାଛଡା, ଚିତ୍ରକୋଣ୍ଡା ବିଧାନସଭା ଆସନରୁ ଲକ୍ଷ୍ମୀପ୍ରିୟା ନାଏକ, ପଦ୍ମପୁର ବିଧାନସଭା ଆସନରୁ ବର୍ଷା ସିଂହ ବରିହା, ଦେବଗଡ଼ ବିଧାନସଭା ଆସନରୁ ଅରୁନ୍ଧତି କୁମାରୀ ଦେବୀ, କୁଚିଣ୍ଡା ବିଧାନସଭା ଆସନରୁ ରାଜେନ୍ଦ୍ର ଛତ୍ରିଆ, ଅନୁଗୁଳ ବିଧାନସଭା ଆସନରୁ ସଂଯୁକ୍ତା ସିଂହ, ନିମାପଡା ବିଧାନସଭା ଆସନରୁ ଦିଲ୍ଲୀପ ନାଏକ, ସାନଖେମୁଣ୍ଡି ବିଧାନସଭା ଆସନରୁ ସୁଲକ୍ଷଣା ଗୀତାଂଜଳି ଦେବୀ, ଜୟପୁର ବିଧାନସଭା ଆସନରୁ ଇନ୍ଦିରା ନନ୍ଦଙ୍କୁ ଦଳ ପ୍ରାର୍ଥୀ କରିଥିବା ଜଣାପଡିଛି । ଇନ୍ଦିରା ନନ୍ଦ ହେଉଛନ୍ତି ଜୟପୁରର ବରିଷ୍ଠ ବିଜେଡ଼ି ନେତା ତଥା ପୂର୍ବତନ ମନ୍ତ୍ରୀ ରବି ନନ୍ଦଙ୍କ ପତ୍ନୀ । ନିଜେ ରବି ନନ୍ଦ ଜୟପୁରରୁ ପ୍ରାର୍ଥୀ ହେବା ଲବିରେ ଥିଲେ । ଜୟପୁର ନିର୍ବାଚନ ମଣ୍ଡଳୀରେ ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ସହ ଇନ୍ଦିରାଙ୍କ ଲଢେଇ ହେବ । ବିଜେଡ଼ିର ପ୍ରଥମ ପ୍ରାର୍ଥୀ ତାଲିକାରେ ମୁଖ୍ୟମନ୍ତ୍ରୀଙ୍କ ନାମ ଥିଲା । ସେ ଗଂଜାମ ଜିଲ୍ଲାର ହିଂଜିଳୀ ଆସନରୁ ପୁଣି ଥରେ ପ୍ରାର୍ଥୀ ହେଉଥିବା ସୂଚନା ଦିଆଯାଇଥିଲା । ୨୦୦୦ ବିଧାନସଭା ନିର୍ବାଚନରୁ ନବୀନ ହିଂଜିଳୀରୁ ପ୍ରାର୍ଥୀ ହୋଇ ବିଧାନସଭାକୁ ଜିତି ଆସୁଛନ୍ତି ଓ ଲଗାତର ପାଂଚ ଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଷଷ୍ଠ ଥର ପାଇଁ ସେ ହଂଜିଳୀରୁ ଲଢି ମୁଖ୍ୟମନ୍ତ୍ରୀ ହେବା ଦୌଡରେ ଥିବା ବେଳେ ଦ୍ୱିତୀୟ ଆସନ ଭାବେ ଏଥର ବଲାଂଗୀର ଜିଲ୍ଲାର କଂଟାବାଂଜି ଆସନକୁ ବାଛିଛନ୍ତି । ୨୦୧୯ ବିଧାନସଭା ନିର୍ବାଚନରେ ମଧ୍ୟ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ହିଂଜିଳୀ ସହ ବରଗଡ଼ ଜିଲ୍ଲା ବିଜେପୁର ବିଧାନସଭା ଆସନରୁ ପ୍ରାର୍ଥୀ ଥିଲେ ଏବଂ ୬୦ ହଜାର ଭୋଟ ବ୍ୟବଧାନରେ ହିଂଜିଳୀରୁ ଓ ୫୭ ହଜାର ଭୋଟ ବ୍ୟବଧାନରେ ବିଜେପୁର ଆସନରୁ ବିଜୟୀ ହୋଇଥିଲେ । ନିର୍ବାଚନ ପରେ ହିଂଜିଳୀ ଆସନ ରଖି ବିଜେପୁର ଆସନରୁ ଇସ୍ତଫା ଦେଇଥିଲେ । ବିଜେପୁର ବିଧାନସଭା ଉପ ନିର୍ବାଚନରେ ଶ୍ରୀମତୀ ରୀତା ସାହୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୨୦୨୪ ବିଧାନସଭା ନିର୍ବାଚନରେ ମଧ୍ୟ ରୀତା ସାହୁ ବିଜେପୁର ବିଧାନସଭା ଆସନରୁ ବିଜେଡ଼ି ପ୍ରାର୍ଥୀ ଅଛନ୍ତି । ବଲାଂଗୀର ଜିଲ୍ଲାର କଂଟାବାଂଜି ଆସନ କଂଗ୍ରେସର ଗଡ଼ ଭାବେ ପରିଚିତ । ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ସିଂହ ସାଲୁଜା ଏହି ବିଧାନସଭା ଆସନରୁ ନିର୍ବାଚିତ ହୋଇଆସୁଛନ୍ତି । ୨୦୧୯ ସାଧାରଣ ନିର୍ବାଚନରେ କେନ୍ଦ୍ରରେ ମୋଦୀ ଓ ରାଜ୍ୟରେ ନବୀନ ହାୱା ଥିବା ବେଳେ ସାଲୁଜା କଂଗ୍ରେସରୁ ପ୍ରାର୍ଥୀ ଥାଇ କଂଟାବାଂଜିରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୨୦୨୪ ବିଧାନସଭା ନିର୍ବାଚନରେ ମଧ୍ୟ କଂଗ୍ରେସ ବିଧାୟକ ସାଲୁଜାଙ୍କୁ କଂଟାବାଂଜିରୁ ପ୍ରାର୍ଥୀ କରିଛି । ତେବେ, ସାଲୁଜା ରାଜ୍ୟରେ ଚାଲିଥିବା ଦଳଡିଆଁକୁ ଦେଖି ନିଜେ ମଧ୍ୟ କଂଗ୍ରେସରୁ ଡିଆଁ ମାରିବା ଯୋଜନାରେ ଅଛନ୍ତି ବୋଲି କିଛି ଦିନ ହେଲା ଆଂଚଳିକ ମୁଖ୍ୟସ୍ରୋତ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ଚାଲିଥିଲା । ତେବେ, ମୁଖ୍ୟମନ୍ତ୍ରୀ ପଟ୍ଟନାୟକ କଂଟାବାଂଜିରୁ ବିଜେଡ଼ ପ୍ରାର୍ଥୀ ହୋଇଥିବା ଆଜି ବିଜେଡ଼ି ଘୋଷଣା କରିବା ପରେ ସାଲୁଜାଙ୍କ ସହ ତାଙ୍କ ଲଢେଇ ନିଶ୍ଚିତ ହୋଇଯାଇଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS