୨୦୨୪ ଲୋକସଭା ନିର୍ବାଚନ: ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ମତଦାନ
ପ୍ରସାଦ ରାଓ
ଏପ୍ରିଲ ୧୭
୨୦୨୪ ଲୋକସଭା ନିର୍ବାଚନର ଘଂଟି ବାଜି ସାରିଛି । ଶୁକ୍ରବାର ଅର୍ଥାତ ଏପ୍ରିଲ ୧୯ ତାରିଖରେ ୧୪ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ୧୦୨ ଲୋକସଭା ଆସନରେ ପ୍ରଥମ ପର୍ଯ୍ୟାୟରେ ମତଦାନ ହେବାକୁ ଯାଉଛି । ଅବଶ୍ୟ ଓଡ଼ିଶା ଚତୁର୍ଥ ପର୍ଯ୍ୟାୟ ମତଦାନ (ମେ’ ୧୩)ରୁ ଏହି ଗଣତନ୍ତ୍ରର ମହାକୁମ୍ଭରେ ସାମିଲ ହେବାକୁ ଯାଉଛି । ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ମତଦାନ ହେବାକୁ ଥିବାରୁ ନିର୍ବାଚନ ହେବାକୁ ଥିବା ଲୋକସଭା ଓ ବିଧାନସଭା କ୍ଷେତ୍ରରେ ପ୍ରଚାର ଆଜି ସୁରୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପିର ବରିଷ୍ଠ ନେତାମାନେ ବିଜେପି ପକ୍ଷରୁ ନିର୍ବାଚନ ପ୍ରଚାରର ମଂଗ ଧରି ଥିବା ବେଳେ ବିରୋଧୀ କଂଗ୍ରେସ ପକ୍ଷରୁ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖାର୍ଗେ, ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ‘ଇଣ୍ଡିଆ’ ମେଂଟର ନେତାମାନେ ନିର୍ବାଚନ ପ୍ରଚାରର ମଂଗ ଧରିଛନ୍ତି । ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଆଜି ପ୍ରଚାରର ଶେଷ ଦିବସରେ ହୋଇଥିବାରୁ ଉଭୟ ଶାସକ ବିଜେପି ଓ ବିରୋଧୀ ଇଣ୍ଡିଆ ମେଂଟର ପ୍ରଚାର ଅଧିକ ଆକ୍ରମଣାତ୍ମକ ଥିବା ଦେଖିବାକୁ ମିଳିଛି । ଆଜି ପ୍ରଧାନମନ୍ତ୍ରୀ ମୋଦୀ ଆସାମର ନଲବାରୀରେ ଏକ ସାଧାରଣ ସଭା କରିଥିବା ବେଳେ ପରେ ତ୍ରିପୁରା ରାଜଧାନୀ ଅଗରତାଲାରେ ଏକ ରାଲି କରୁଥିବା ସୂଚନା ମିଳିଛି । ନାଗପୁରରେ କେନ୍ଦ୍ର ମନ୍ତ୍ରୀ ନୀତୀନ ଗଡକରୀ, କେରଳର କନ୍ନୁର, କସରଗଡ ଓ ଭଡକାରାରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ନିର୍ବାଚନ ସଭାମାନ କରି ବିରୋଧୀ କଂଗ୍ରେସ ଓ ‘ଇଣ୍ଡିଆ’ ମେଂଟକୁ କଡା ସମାଲୋଚନା କରିଛନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ଆଜି ବିଭିନ୍ନ ରାଜ୍ୟରେ ସାଧାରଣ ସଭା ଓ ରୋଡ୍ ସୋ’ମାନ କରି ବିଜେପି ସରକାରକୁ କଡା ଆକ୍ରମଣ କରିଛନ୍ତି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାରର ଶେଷ ଦିବସରେ ଆଜି ରାହୁଲ ଗାନ୍ଧୀ କର୍ଣ୍ଣାଟକର ମାଣ୍ଡ୍ୟା ଓ କୋଲାର ଜିଲ୍ଲାରେ ଦୁଇଟି ମହାସମାବେଶରେ ଉଦ୍ବୋଧନ ଦେଇଥିଲେ । ଯିବା ପୂର୍ବରୁ ସମାଜବାଦୀ ପାର୍ଟି (ଏସପି) ମୁଖ୍ୟ ତଥା ‘ଇଣ୍ଡିଆ’ ମେଂଟର ଅନ୍ୟତମ ପ୍ରମୁଖ ନେତା ଅଖିଳେଶ ଯାଦବଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବର୍ଷି ଥିଲେ । ନିକଟରେ ପ୍ରଧାନମନ୍ତ୍ରୀ ମୋଦୀ ଏକ ଘରୋଇ ସମ୍ବାଦ ସରବରାହ ସଂସ୍ଥାକୁ ସାକ୍ଷାତକାର ଦେବା ଅବସରରେ ‘ଇଲୋକ୍ଟୋରାଲ ବଣ୍ଡ୍ ସ୍କିମ୍’ ( ଫେବୃୟାରୀ ୧୫ ତାରିଖରେ ସୁପ୍ରିମ କୋର୍ଟ ଦ୍ୱାରା ରଦ୍ଦ ହୋଇ ସାରିଛି) ଉପରେ ଯେଉଁ ମତ ରଖିଥିଲେ ରାହୁଲ ଓ ଅଖିଳେଶ ତାହାର କଡା ସମାଲୋଚନା କରିଥିଲେ । ଇତିମଧ୍ୟରେ, କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ତ୍ରିପୁର ଓ ୟୁପିରେ ବିରାଟ ଶୋଭାଯାତ୍ରା ଓ ସଭାମାନ କରି ବିରୋଧୀ ମେଂଟର ପ୍ରଚାରକୁ ଜୋରଦାର କରିଛନ୍ତି । ଗତକାଲି ପ୍ରିୟଙ୍କା ତ୍ରିପୁରା ରାଜଧାନୀ ଅଗରତଲାରେ ବଡ ଧରଣର ରୋଡ ସୋ’ କରି ଆଖାପାଖ ଅଂଚଳରେ ଦଳରେ ପ୍ରଚାର କରିଥିଲେ । ଆଜି ୟୁପିର ସାହାରନପୁରରେ ପ୍ରିୟଙ୍କା ନିର୍ବାଚନ ରାଲି କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ବିଭିନ୍ନ ନିର୍ବାଚନ ସଭାରେ ବିରୋଧୀଙ୍କୁ ଦୁର୍ନୀତିଗ୍ରସ୍ତ, ବଂଶବାଦୀ ଓ ସନାତନ ଧର୍ମ ବିରୋଧୀ ବୋଲି ଆକ୍ଷେପ କରିବା ସହ ତୃତୀୟ ଥର ପାଇଁ ତାଙ୍କ ସରକାର କେନ୍ଦ୍ରରେ କ୍ଷମତାସୀନ ହେଲେ ଦୁର୍ନୀତି ବିରୋଧୀ କାର୍ଯ୍ୟାନୁଷ୍ଠାନକୁ ଅଧିକ ଦୃତତର କରିବ ବୋଲି ଘୋଷଣା କରିଥିବା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦୀ ସବୁଠାରୁ ବଡ ଦୁର୍ନୀତିଗ୍ରସ୍ତ ବୋଲି ଆକ୍ଷେପ କରିଛନ୍ତି । ୨୦୧୮ରୁ କେନ୍ଦ୍ର ସରକାର ଦେଶରେ ଯେଉଁ ‘ଇଲୋକ୍ଟୋରାଲ ବଣ୍ଡ୍’ ସ୍କିମ୍ କାର୍ଯ୍ୟକାରୀ କରିଥିଲେ ତାହା ଶାସକ ଦଳର ଜବଦଦସ୍ତ ଚାନ୍ଦା ଅସୁଲି ମାଧ୍ୟମ ଥିଲା ବୋଲି ରାହୁଲ ଅଭିଯୋଗ କରିଛନ୍ତି । ଏସପି ନେତା ଅଖିଳେଶଙ୍କ ସହ କରିଥିବା ମିଳିତ ସାମ୍ବାଦିକ ସମ୍ମିଳନୀରେ ରାହୁଲ ଏଏନଆଇ ସହ ମୋଦୀଙ୍କ ସାକ୍ଷାତକାରକୁ ‘ସ୍କ୍ରିପଟେଡ୍ ଏଣ୍ଡ୍ ଫ୍ଲପ୍ ସୋ’ ବୋଲି ଆକ୍ଷେପ କରିଛନ୍ତି । କର୍ପୋରେଟ୍ ସଂସ୍ଥାଙ୍କଠାରୁ ବିଭିନ୍ନ ରାଜନୈତିକ ଦଳ ପାଉଥିବା ନିର୍ବାଚନ ପାଣ୍ଠିକୁ ସ୍ୱଚ୍ଛ ଓ ପାରଦର୍ଶୀ କରିବା ପାଇଁ କେନ୍ଦ୍ର ସରକାର ‘ଇଲୋକ୍ଟୋରାଲ୍ ବଣ୍ଡ୍’ ସ୍କିମ୍ କାର୍ଯ୍ୟକାରୀ କରିଥିଲେ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଏଏନଆଇ ସାକ୍ଷାତକାରରେ କହିଥିବା ବେଳେ ସୁପ୍ରିମ କୋର୍ଟ ଗତ ଫେବୃୟାରୀ ୧୫ ତାରିଖରେ ଏହି ସ୍କିମ୍ ‘ଅସାମ୍ବିଧାନିକ’ କହି ତୁରନ୍ତ ରଦ୍ଦ କଲା କାହିଁକି (?) ବୋଲି ରାହୁଲ ପ୍ରଶ୍ନ କରିଛନ୍ତି । ସେ ଏହା ମଧ୍ୟ ପ୍ରଶ୍ନ କରିଛନ୍ତି, ଯଦି ସରକାରଙ୍କ ‘ଇଲୋକ୍ଟୋରାଲ ବଣ୍ଡ୍’ ସ୍କିମ୍ ସ୍ୱଚ୍ଛ ଓ ପାରଦର୍ଶୀ ଥିଲା ତେବେ ଯେଉଁ ସଂସ୍ଥାମାନେ ବିଜେପିକୁ ନିର୍ବାଚନ ଚାନ୍ଦା ଦେଇଛନ୍ତି ସେମାନଙ୍କ ନାମ ଏବଂ ସେମାନେ କେତେ ତାରିଖରେ ଏହି ଚାନ୍ଦା ଦେଇଛନ୍ତି ତାହା ଲୁଚାଇ ରଖା ଯାଉଥିଲା କାହିଁକି ? ସୁପ୍ରିମ କୋର୍ଟ ଏହି ସ୍କିମ୍ କୁ ରଦ୍ଦ କରିବା ସହ ସ୍କିମ୍ ସଂପର୍କିତ ସଂପୂର୍ଣ୍ଣ ତଥ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିବାକୁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ)କୁ କଡା ନିର୍ଦେଶ ଦେବା ପରେ ହିଁ ଗୁମର ଖୋଲିଲା ବୋଲି ସେ କହିଛନ୍ତି । ଏଏନଆଇକୁ ଦେଇଥିବା ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ନିର୍ବାଚନ ବଣ୍ଡ୍ ସଂପର୍କରେ ବିରୋଧୀ ଦଳମାନେ ମିଛ ପ୍ରଚାର କରୁଛନ୍ତି । ଏହି ସ୍କିମ୍ ରଦ୍ଦ ହେବା ଦ୍ୱାରା ଯେଉଁ ପରିଣତି ସମ୍ନାକୁ ଆସିବ ସେଥିରେ ସମସ୍ତେ ଅନୁତପ୍ତ ହେବେ । ବିଭିନ୍ନ ତଦନ୍ତକାରୀ ଏଜେନ୍ସୀଙ୍କ କାର୍ଯ୍ୟାନୁଷ୍ଠାନ ପରେ ଯେଉଁ ୧୬ଟି କଂପାନୀ ଇଲୋକ୍ଟୋରାଲ ବଣ୍ଡ୍ ସ୍କିମ୍ ରେ ନିର୍ବାଚନୀ ଚାନ୍ଦା ଦେଇଛନ୍ତି ତାହାର ୩୭ ପ୍ରତିଶତ ବିଜେପିକୁ ଆସିଥିବା ବେଳେ ବିରୋଧୀଙ୍କୁ ୬୩ ପ୍ରତିଶତ ମିଳିଛି । ଦେଶର ନିର୍ବାଚନରେ କଳାଧନର ପ୍ରବଲ୍ୟକୁ ରୋକିବା ସକାଶେ କେନ୍ଦ୍ର ସରକାର ଏହି ସ୍କିମ୍ କାର୍ଯ୍ୟକାରୀ କରିଥିଲେ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ସାକ୍ଷାତକାରରେ ସଫେଇ ଦେଇଥିଲେ । ଅପରପକ୍ଷରେ, ରାହୁଲ ଓ ଅଖିଳେଶ ମିଳିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ଓ ଆରଏସଏସ ଦେଶର ସମ୍ବିଧାନ ଓ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଧ୍ୱଂସ କରି ଦେବାକୁ ଉଦ୍ୟମ କରୁଛନ୍ତି ଏବଂ କଂଗ୍ରେସ ଓ ‘ଇଣ୍ଡିଆ’ ମେଂଟ ତାହାକୁ ସୁରକ୍ଷିତ ରଖିବା ପାଇଁ ସଂଘର୍ଷ କରୁଛି ବୋଲି କହିଛନ୍ତି । ଦେଶରେ ବେକାରୀ ଓ ମୁଦ୍ରାସ୍ଫିତି ପ୍ରମୁଖ ପ୍ରସଙ୍ଗ ରହିଛି । କିନ୍ତୁ, ପ୍ରଧାନମନ୍ତ୍ରୀ ମୋଦୀ ଓ ବିଜେପି ଏସବୁ ପ୍ରସଙ୍ଗ ଉପରେ ନିରବ ରହି ବିଭିନ୍ନ ଅପ୍ରସଙ୍ଗକୁ ପ୍ରସଙ୍ଗ କରି ପ୍ରଚାର କରୁଛନ୍ତି । ଏହାଦ୍ୱାରା ଦେଶର ପ୍ରମୁଖ ସମସ୍ୟାଗୁଡିକରୁ ଦେଶବାସୀଙ୍କ ନଜର ହଟାଇବାର ପ୍ରୟାସ ହେଉଛି ବୋଲି ଏହି ଦୁଇ ବିରୋଧୀ ଯୁବ ନେତା ଅଭିଯୋଗ କରିଛନ୍ତି । ଦିନକ ପରେ ପ୍ରଥମ ପର୍ଯ୍ୟାୟ ଭୋଟ ହେବାକୁ ଥିବାରୁ ଏହି ଦୁଇ ପରସ୍ପର ବିରୋଧୀ ବ୍ୟାଖ୍ୟାନକୁ ନେଇ ଭୋଟର କିଭଳି ପ୍ରତିକ୍ରିୟା ରଖୁଛନ୍ତି ତାହା ଜୁନ ୪ ତାରିଖରେ ନିର୍ବାଚନ ଫଳାଫଳ ଆସିଲେ ସ୍ପଷ୍ଟ ହେବ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS