କୋର୍ଟରେ ଇଡିର ଅଭିଯୋଗ – କେଜରୀୱାଲ ମଧୁମେହ ରୋଗୀ ହୋଇ ଜେଲରେ ପ୍ରଚୁର ଆମ୍ବ, ମିଠା ଖାଉଛନ୍ତି !
ପ୍ରସାଦ ରାଓ
ନୂଆଦିଲ୍ଲୀ / ଏପ୍ରିଲ ୧୮
ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ କେନ୍ଦ୍ର ସରକାରଙ୍କ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଦ୍ୱାରା ଗତ ମାସରେ ଗିରଫ ହୋଇ ତିଆର ଜେଲରେ ଥିବା ‘ଆପ୍’ ଜାତୀୟ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲଙ୍କୁ ନେଇ ଆପ୍ (ଆମ୍ ଆଦମୀ ପାର୍ଟି) ଓ ଇଡି ମଧ୍ୟରେ ବିବାଦ ଥମିବା ନାମ ନେଉ ନାହିଁ । କେଜରୀୱାଲ ମାର୍ଚ୍ଚ ୨୧ ତାରିଖ ରାତିରେ ଇଡି ଦ୍ୱାରା ଗିରଫ ହୋଇଥିଲେ ଏବଂ ଏପ୍ରିଲ ୧ ତାରିଖରୁ ନ୍ୟାୟିକ ହାଜତରେ ଅଛନ୍ତି । କେଜରୀୱାଲ ଜଣେ ଟାଇପ୍-୨ ଡାଇବେଟିକ୍ ବା ମଧୁମେହ ରୋଗୀ ହୋଇଥିବାରୁ ଦିଲ୍ଲୀ ରାଉଜ ଏଭିନ୍ୟୁ କୋର୍ଟ ଜେଲରେ ତାଙ୍କୁ ଘରେ ରନ୍ଧା ଖାଦ୍ୟ ଓ ଆବଶ୍ୟକ ଔଷଧ ଯୋଗାଇ ଦିଆଯିବାକୁ ଅନୁମତି ଦେଇଛନ୍ତି । କେଜରୀୱାଲଙ୍କୁ ତାହା ଯୋଗାଇ ଦିଆଯାଉଥିବା ବେଳେ ଜେଲରେ ରହଣୀ ସମୟରେ ତାଙ୍କ ମଧୁମେହ ରୋଗ ଉଦ୍ବେଗଜନକ ହୋଇପଡୁଥିବା ଏବଂ ଓଜନ ମଧ୍ୟ ୪.୫ କେଜି କମି ଯାଇଥିବା ‘ଆପ୍’ ପକ୍ଷରୁ ଅଭିଯୋଗ ହୋଇଛି । ଅପରପକ୍ଷରେ, ମୁଖ୍ୟମନ୍ତ୍ରୀ କେଜରୀୱାଲ ତିହାର ଜେଲରେ ଘରୋଇ ଖାଦ୍ୟ ସହ ମନଇଚ୍ଛା ଆମ୍ବ ଓ ମିଠା ଖାଉଛନ୍ତି, ଯାହାକି ମୁଧୁମେହ ରୋଗୀଙ୍କ ପାଇଁ ମନା ବୋଲି ଇଡି କୋର୍ଟରେ ଯୁକ୍ତି ବାଢିବା ସହ ଜେଲରୁ ଜାମିନରେ ମୁୁକୁଳିବା ପାଇଁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉଦ୍ବେଗଜନକ ହେଉଥିବା ଓ ଓଜନ କମି ଯାଉଥିବା ବାହାନା କରାଯାଉଛି ବୋଲି ଅଭିଯୋଗ କରିଛି । ମୁଖ୍ୟମନ୍ତ୍ରୀ କେଜରୀୱାଲ ଯେଉଁ ଡାକ୍ତରଙ୍କ ପାଖରେ ନିୟମିତ ଚିକିତ୍ସିତ ହେଉଥିଲେ ସେହି ଡାକ୍ତରଙ୍କ ସହ ଜେଲରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପରାମର୍ଶ କରିବାକୁ ତାଙ୍କୁ ଅନୁମତି ଦିଆଯାଉ ବୋଲି ଦିଲ୍ଲୀ ରାଉଜ୍ ଏଭିନ୍ୟୁ କୋର୍ଟରେ ହୋଇଥିବା ଆବେଦନକୁ ଇଡି ବିରୋଧ କରିବା ସହ କେଜରୀୱାଲ ଜେଲରେ ମନଇଚ୍ଛା ଆମ୍ବ ଓ ମିଠା ଖାଉଛନ୍ତି ବୋଲି କୋର୍ଟକୁ ଜଣାଇଛନ୍ତି । ଇଡି ଓକିଲ କୋର୍ଟରେ ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କ ଡାଏଟ୍ ଚାଟ୍ ଉପସ୍ଥାପନ କରିଛନ୍ତି, ଯେଉଁଥିରେ କି ଆମ୍ବ ଓ ମିଠା ଅନ୍ତର୍ଭୁକ୍ତ ରହିଛି । ଆମ୍ବ ଓ ମିଠା ଖାଇଲେ ମଧୁମେହ ରୋଗୀଙ୍କ ରକ୍ତ ଶର୍କରାସ୍ତର ବଢିଯାଏ । ତେଣୁ, ଚିକିତ୍ସକମାନେ ରୋଗୀଙ୍କୁ ଆମ୍ବ ଓ ମିଠା ଖାଇବାକୁ ମନା କରିଥା’ନ୍ତି । କିନ୍ତୁ, କେଜରୀୱାଲ ଜେଲରେ ଖାଦ୍ୟ ସହ ମନଇଚ୍ଛା ଆମ୍ବ ଓ ମିଠା ଖାଉଛନ୍ତି । ଏହାଦ୍ୱାରା ସେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ କୋର୍ଟରୁ ଜାମିନ ପାଇବାର କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି ବୋଲି ଇଡି ଓକିଲ ଜୁହେବ ହୁସେନ କୋର୍ଟରେ ମାମଲାର ଶୁଣାଣୀ ପରେ ଅଭିଯୋଗ କରିଛନ୍ତି । ସେ କହିଛନ୍ତି, ଜଣେ ବ୍ୟକ୍ତି ନ୍ୟାୟିକ ହାଜତରେ ଥିବା ସମୟରେ କୋର୍ଟ ତାଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବା ଆବଶ୍ୟକ । ତେବେ, କେଜରୀୱାଲଙ୍କ ଲିଗାଲ ଟିମ୍ କୋର୍ଟରେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କୁ ଜେଲରେ ଯେଉଁ ଘର-ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି ତାହା ତାଙ୍କ ଚିକିତ୍ସକଙ୍କ ଦ୍ୱାରା ଅନୁମୋଦିତ । କେଜରୀୱାଲ ଜଣେ ଟାଇପ୍-୨ ମଧୁମେହ ରୋଗୀ ହୋଇଥିବାରୁ ତାଙ୍କୁ ଜେଲରେ ଘର-ରନ୍ଧା ଖାଦ୍ୟ ଦିଆଯିବାକୁ କୋର୍ଟ ଅନୁମତି ଦେଇଛନ୍ତି । ଏହା ବନ୍ଦ କରିବାକୁ ଇଡି ଚକ୍ରାନ୍ତ କରୁଛି ବୋଲି ‘ଆପ୍’ ନେତାଙ୍କ ଓକିଲ ବିବେକ ଜୈନ ଶୁଣାଣୀ ପରେ ଗଣମାଧ୍ୟମକୁ କହିଛନ୍ତି । ରାଉଜ ଏଭିନ୍ୟୁ କୋର୍ଟ ବିଚାରପତି ଉଭୟ ପକ୍ଷଙ୍କୁ ଶୁଣିବା ପରେ ଜେଲ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ମାଗିବା ସହ ଆସନ୍ତା କାଲିକୁ ମାମଲାର ଶୁଣାଣୀ ସ୍ଥଗିତ ରଖିଛନ୍ତି । ଏଠାରେ ସୂଚନାଯୋଗ୍ୟ, କେଜରୀୱାଲଙ୍କ ଅସୁସ୍ଥତାକୁ ଦୃଷ୍ଟିରେ ରଖି କୋର୍ଟ ତାଙ୍କୁ ଜେଲରେ ଘର-ରନ୍ଧା ଖାଦ୍ୟ, ପିଇବା ପାଣି ବୋତଲ ଏବଂ ହଠାତ୍ ରକ୍ତ ଶର୍କରା କମି ଗଲେ ତାହା ସ୍ୱାଭାବିକ ସ୍ତରକୁ ଫେରାଇ ଆଣିବାକୁ ଟଫି (ଚକଲେଟ୍) ଯୋଗାଇ ଦେବାକୁ ଅନୁମତି ଦେଇଛନ୍ତି । ତାଙ୍କ ଘରୁ ବିଛଣା, ଚଦର ଓ ସ୍ୱାସ୍ଥ୍ୟ ସଂପର୍କରେ ସଠିକ ସୂଚନା ଜାଣିବା ପାଇଁ ମେଡିକାଲ ଇକ୍ୟୁପମେଂଟ ଯୋଗାଇ ଦେବାକୁ ମଧ୍ୟ କୋର୍ଟରୁ ଅନୁମତି ମିଳିଛି । ଦିଲ୍ଲୀ ସରକାରଙ୍କ ୨୦୨୧-୨୨ ନୂତନ ଅବକାରୀ ନୀତି, ଯାହାକି ସିବିଆଇ ତଦନ୍ତ ଆରମ୍ଭ ପରେ ପ୍ରତ୍ୟାହୃତ ହୋଇପାରିଛି, କାର୍ଯ୍ୟକାରୀ କରାଯିବା ସମୟରେ ‘ଆପ୍’ ନେତୃତ୍ୱ ୬୦୦ କୋଟି ଟଙ୍କା ଲାଂଚ ନେଇଛନ୍ତି । ସେଥିରୁ ପ୍ରମୁଖ ଭାଗ ‘ଦକ୍ଷିଣୀ ଲବି’ରୁ ମିଳିଛି ଏବଂ ଏହି ଟଙ୍କା ୨୦୨୨ ଗୋଆ ବିଧାନସଭା ନିର୍ବାଚନ ଓ କିଛି ଅଂଶ ପଂଜାବ ବିଧାନସଭା ନିର୍ବାଚନରେ ଖର୍ଚ୍ଚ କରାଯାଇଛି ବୋଲି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (ସିବିଆଇ ଓ ଇଡି) ଅଦାଲତରେ ଅଭିଯୋଗ କରିଛନ୍ତି । ଏହି କଥିତ ଲାଂଚ କାରବାରକୁ ନେଇ ଇଡି ଯେଉଁ ପିଏମଏଲଏ ମାମଲା କରିଛି ସେଥିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କୁ ମୁଖ୍ୟ କାରପଟଦାର ଦର୍ଶାଇ ଗିରଫ କରିଛି । ମାମଲାରେ ସହ-ଅଭିଯୁକ୍ତ ଥିବା ତେଲେଂଗାନା ବିଆରଏସ୍ ନେତ୍ରୀ କେ.କବିତା ଓ ଦିଲ୍ଲୀ ସରକାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଜେଲରେ ଥିବା ବେଳେ ‘ଆପ୍’ ରାଜ୍ୟସଭା ସାଂସଦ ସଂଜୟ ସିଂହ ଛଅ ମାସ ଜେଲରେ ରହିବା ପରେ ନିକଟରେ ସୁପ୍ରିମ କୋର୍ଟରୁ ଜାମିନ ପାଇ ମୁକୁଳିଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରୀୱାଲ ମଧ୍ୟ ସୁପ୍ରିମ କୋର୍ଟରେ ଜାମିନ ପାଇଁ ଆବେଦନ କରିଛନ୍ତି । ତେବେ, ସୁପ୍ରିମ କୋର୍ଟର ଦୁଇ ଜଣିଆ ବେଂଚ୍ ଆବେଦନର ତୁରନ୍ତ ଶୁଣାଣୀ ପାଇଁ ମନା କରି ଏପ୍ରିଲ ୨୯ ତାରିଖରେ ଶୁଣାଣୀ କରିବାକୁ ତାରିଖ ଧାର୍ଯ୍ୟ କରିଛନ୍ତି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS