ପୁରୀ ଶ୍ରୀମନ୍ଦିରର ରତ୍ନଭଣ୍ଡାର ଖୋଲିବା ପଦ୍ମ ଘୁଂଚି ଘୁଂଚି ଯାଉଛି !


ପ୍ରସାଦ ରାଓ
ଜୁଲାଇ ୦୫/୨୦୨୪
ଓଡ଼ିଶାରେ ବିଜେପି ସରକାରକୁ ଆସିଲେ ପ୍ରାଥମିକତା ଭିତ୍ତିରେ ପୁରୀ ଶ୍ରୀମନ୍ଦିରର ରତ୍ନଭଣ୍ଡାରକୁ ଖୋଲିବ । ମୁଖ୍ୟ ରତ୍ନଭଣ୍ଡାରରେ ଥିବା ବିଭିନ୍ନ ମୂଲ୍ୟବାନ ଅଲଂକାରର ଗଣତି, ମଣତି କରାଇବ । ଯଦି କୌଣସି ପ୍ରକାର ଘୋଟାଲା ହୋଇଥିବା ଜଣାପଡିବ, ତାହାର ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଏହାଥିଲା, ୨୦୨୪ ସାଧାରଣ ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ଆରମ୍ଭ କରି ଓଡ଼ିଶାକୁ ନିର୍ବାଚନ ପ୍ରଚାରରେ ଆସିଥିବା ବିଜେପିର ବରିଷ୍ଠ ନେତା ଓ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ପ୍ରତିଶ୍ରୁତି । ଓଡ଼ିଶାବାସୀ ରାଜ୍ୟରେ ସରକାର ପରିବର୍ତ୍ତନ ସପକ୍ଷରେ ଭୋଟ ଦେଲେ । ବିଜେପି କ୍ଷମତାକୁ ଆସିଲା । କ୍ଷମତାକୁ ଆସୁ ଆସୁ ସରକାର ଶ୍ରୀମନ୍ଦିରର ଚାରି ଦ୍ୱାର ଭକ୍ତଙ୍କ ପାଇଁ ଖୋଲି ବାହାବା ନେଲେ । ପ୍ରଥମ କ୍ୟାବିନେଟ ବୈଠକରେ ଶ୍ରୀମନ୍ଦିର ପାଇଁ ପାଂଚ ଶହ କୋଟି ଟଙ୍କାର କର୍ପସ ପାଂଠି ଗଠନ କଥା ଘୋଷଣା କରି ପୁରୀ ଶ୍ରୀମନ୍ଦିର ତଥା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ସରକାରଙ୍କ ଅଂଗୀକାରବଦ୍ଧତାର ପ୍ରଦର୍ଶନ କଲେ । ତେବେ, ସରକାର ଗଠନର ପାଖାପାଖି ଏକମାସ ହେବାକୁ ଯାଉଥିବା ବେଳେ ଶ୍ରୀମନ୍ଦିରର ରତ୍ନଭଣ୍ଡାର କେବେ ଖୋଲିବ ନିଷ୍ପତ୍ତି ହୋଇପାରୁନାହିଁ । ଜୁଲାଇ ୦୭ ତାରିଖରେ ଶ୍ରୀଜୀଉଙ୍କ ରଥଯାତ୍ରା ପଡୁଥିବାରୁ ୦୮ ତାରିଖ ରତ୍ନଭଣ୍ଡାର ଖୋଲାଯିବ ବୋଲି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହୋଇଥିବା ନେଇ କେନ୍ଦ୍ର ସରକାରଙ୍କ ପ୍ରତ୍ନତତ୍ତ୍ୱ ବିଭାଗ (ଏଏସଆଇ)ର ଜଣେ ବରିଷ୍ଠ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେବା ପରେ ପରେ ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ତାହାକୁ ଖଣ୍ଡନ କରିଥିଲେ । ରତ୍ନଭଣ୍ଡାର ଖୋଲିବା ନେଇ ରାଜ୍ୟ ସରକାର ତାରିଖ ଧାର୍ଯ୍ୟ କରିବା ପରେ ତାହା ଜଣାଇ ଦିଆଯିବ, ଜୁଲାଇ ୦୮ ତାରିଖରେ ରତ୍ନଭଣ୍ଡାର ଖୋଲିବ ବୋଲି ଯେଉଁ ଏଏସଆଇ ଅଧିକାରୀ ଗଣମାଧ୍ୟମକୁ ସୂଚିତ କରିଛନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ଆଇନ ମନ୍ତ୍ରୀ ଗଣମାଧ୍ୟମକୁ କହିଥିଲେ । ରାଜ୍ୟ ଆଇନ ମନ୍ତ୍ରୀ ଗଣମାଧ୍ୟମରେ ବୟାନ ରଖିବା ପରେ ସଂପୃକ୍ତ ଏଏସଆଇ ଅଧିକାରୀ ନିଜ ବୟାନ ଫେରାଇ ନେଇଥିଲେ, ଯାହାକି ସମସ୍ତଙ୍କୁ ଚକିତ କରିଥିଲା । ଅବଶ୍ୟ, ଚଳିତ ବର୍ଷ ପନ୍ଦର ଦିନ ବଦଳରେ ୧୩ ଦିନ ଅଣସର ଓ ଦୁଇ ଦିନିଆ ରଥଯାତ୍ରା ପଡୁଛି । ସରକାର ଦେଇଥିବା ସୂଚନା ଅନୁଯାୟୀ, ୦୭ ତାରିଖ ରବିବାର ରଥଯାତ୍ରା ପଡୁଥିଲେ ମଧ୍ୟ ବିଭିନ୍ନ ନୀତିକାନ୍ତି ସଂପନ୍ନ ହୋଇ ସେଦିନ ସନ୍ଧ୍ୟାରେ ରଥଟଣା ଆରମ୍ଭ ହେବ । ତିନି ରଥ କିଛି ବାଟ ଟଣା ହେବା ପରେ ତାହା ବନ୍ଦ ରହିବ । ପରଦିନ ଅର୍ଥାତ ଜୁଲାଇ ୦୮ ତାରିଖରେ ତିନି ରଥ ଟଣା ହୋଇ ଗୁଣ୍ଡିଚା ମନ୍ଦିରରେ ଲାଗିବେ । ଶ୍ରୀଜୀଉମାନେ ଗୁଣ୍ଡିଚା ମନ୍ଦିରରେ ଥିବା ଅବସ୍ଥାରେ ରତ୍ନଭଣ୍ଡାର ଖୋଲାଯାଇ ମୁଖ୍ୟ ରତ୍ନଭଣ୍ଡାରର ସ୍ଥିତି ପରଖା ଯିବା, ଆବଶ୍ୟକ ମରାମତି କାର୍ଯ୍ୟ କରାଯିବା ଏବଂ ଠାକୁରଙ୍କ ଗହଣାଗାଂଠିର ଗଣତି, ମଣତି ହେବା ଯଥାର୍ଥ ହେବ ବୋଲି ପୁଣୀ ଗଜପତି ମହାରାଜା ଦିବ୍ୟସିଂହ ଦେଇ ଇତିମଧ୍ୟରେ ବିଭିନ୍ନ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଥିଲେ ମଧ୍ୟ ରତ୍ନଭଣ୍ଡାର ଖୋଲାଯିବା ତାରିଖ ଧାର୍ଯ୍ୟ କରିବା ରାଜ୍ୟ ସରକାରଙ୍କ ଅଧିକାରଭୁକ୍ତ ବୋଲି ସ୍ପଷ୍ଟ କରିଥିଲେ । ବିଜେଡ଼ି ସରକାର ଅମଳରେ ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଂକାର ଗଣତି ତଦାରଖ ପାଇଁ ଜଷ୍ଟିସ ଅରିଜିତ ପଶାୟାତଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଥିଲା । ରାଜ୍ୟ ସରକାର ରତ୍ନଭଣ୍ଡାର ଖୋଲିବା ତାରିଖ ଧାର୍ଯ୍ୟ କରିନଥିଲେ ମଧ୍ୟ ଜଷ୍ଟିସ ପଶାୟତ ନୂଆଦିଲ୍ଲୀରୁ ଆସି କଟକରେ ପହଂଚିବା ପରେ ଶ୍ରୀଜୀଉମାନଙ୍କ ଦର୍ଶନ ପାଇଁ ପୁରୀ ଯିବା କାର୍ଯ୍ୟକ୍ରମ ଥିବାରୁ ରାଜ୍ୟ ସରକାରଙ୍କ ଆଡୁ ଖବଶୀଘ୍ର ରତ୍ନଭଣ୍ଡାର ଖୋଲିବା ତାରିଖ ଘୋଷଣା ହେବ ଓ ଜଷ୍ଟିସ ପଶାୟତଙ୍କ ଉପସ୍ଥିତିରେ ରତ୍ନଭଣ୍ଡାର ଖୋଲାଯାଇ ସେଠାରେ ରହିଥିବା ଅଳଂକାର ସବୁର ଗଣତି, ମଣତି ଆରମ୍ଭ ହେବ ବୋଲି ରାଜ୍ୟବାସୀଙ୍କ ମନରେ ଆଶାର ସଂଚାର ହୋଇଥିଲା । ତେବେ, ରାଜ୍ୟ ସରକାର ସମସ୍ତଙ୍କୁ ଚକିତ କଲା ଭଳି ଜଷ୍ଟିସ ପଶାୟତଙ୍କ ଅଧ୍ୟକ୍ଷତାରେ ଗଠତ ତଦାରଖ କମିଟିକୁ ଭାଂଗି ଦିଆଯାଇଥିବା ଗତକାଲି ରାତିରେ ଘୋଷଣା କରିଛନ୍ତି । ଜଷ୍ଟିସ ପଶାୟତଙ୍କ ସ୍ଥାନରେ ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ନୂଆ ୧୬ ଜଣିଆ କମିଟି ଗଠନ ହୋଇଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ରାଜ୍ୟ ଆଇନ ମନ୍ତ୍ରୀ ହରିଚନ୍ଦନ ଗୁରୁବାର ରାତିରେ ଗଣମାଧ୍ୟମକୁ କହିଛନ୍ତି, ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର କେବେ ଖୋଲିବ, କେଉଁ ପ୍ରକ୍ରିୟାରେ ରତ୍ନ ଗଣତି ହେବ, କିଏ କିଏ ରତ୍ନଭଣ୍ଡାର ଭିତରକୁ ଯିବେ ତାହା ଏହି କମିଟି ନିଷ୍ପତ୍ତି ନେବେ । ଶନିବାର (ଜୁଲାଇ ୦୬ ତାରିଖ) କମିଟିର ପ୍ରଥମ ବୈଠକ ବସିବ ଏବଂ କମିଟି ଯାହା ନିର୍ଦେଶ ଦେବେ ସେହି ଅନୁସାରେ ରତ୍ନଭଣ୍ଡାର ଖୋଲିବା ପ୍ରକ୍ରିୟା ଆରମ୍ଭ ହେବ । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନରେ ଏହି ନିଷ୍ପତ୍ତି ହୋଇଛି । ଅତିଶୀଘ୍ର ରତ୍ନଭଣ୍ଡାର ଖୋଲିବ । ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରତ୍ନଭଣ୍ଡାର ଖୋଲାଯାଇ ସେଠାରେ ଥିବା ମୂଲ୍ୟବାନ ରତ୍ନ ସବୁର ଗଣତି, ମଣତି କରାଯିବାକୁ ହାଇକୋର୍ଟଙ୍କ ନିର୍ଦେଶ ଥିବାରୁ ଏବଂ ୪୫ ବର୍ଷ ପରେ ରତ୍ନଭଣ୍ଡାର ଖୋଲିବାକୁ ଥିବାରୁ ଏକ ଦକ୍ଷତାସଂପନ୍ନ କମିଟିର ନିରୀକ୍ଷଣରେ ଏହାକୁ କାର୍ଯ୍ୟକାରୀ କରାଯିବ । ଏହି ଆଧାରରେ ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ନୂତନ ୧୬ ଜଣିଆ କମିଟି ଗଠନ କରାଯାଇଛି । ପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀମନ୍ଦିରରେ ନଥିବା ବେଳେ କେଉଁ ଦିନ ରତ୍ନଭଣ୍ଡାର ଖୋଲାଯିବ, ଭିତର ରତ୍ନଭଣ୍ଡାରର ମରାମତି ହେବ ଓ ଗଣତି, ମଣତି କାର୍ଯ୍ୟ କିପରି ଆରମ୍ଭ ହେବ, ତାହା କାଲିର ବୈଠକରେ ନିଷ୍ପତ୍ତି ହେବ । ପୁରୁଣା କମିଟିକୁ କାହିଁକି ଭାଂଗି ଦିଆଗଲା, ସେ ନେଇ ଆଇନ ମନ୍ତ୍ରୀ ହରିଚନ୍ଦନ ସ୍ପଷ୍ଟ କରିନଥିବା ବେଳେ ୨୦୨୪ ମାର୍ଚ୍ଚ ୦୨ ତାରିଖରେ ଗଠିତ ଉଚ୍ଚସ୍ତରୀୟ କମିଟିକୁ ଭାଂଗି ଦିଆଯାଇ ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ କମିଟି ପୁର୍ନଗଠନ କରାଗଲା ବୋଲି ଗତକାଲି ଆଇନ ବିଭାଗ ପକ୍ଷରୁ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟରେ ସରକାର ବଦଳିବା ପରେ ଶାସନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ନୂଆ ସରକାର ନିଜ ଇଚ୍ଛା ମୁତାବକ ପ୍ରଶାସନିକ ଅଦଳବଦଳ କରିଥା’ନ୍ତି । ସେହି ଧାରାରେ ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ରହିଥିବା ମୂଲ୍ୟବାନ ରତ୍ନର ଗଣତି, ମଣତି କାର୍ଯ୍ୟ ତଦାରଖ ପାଇଁ ପୂର୍ବ ସରକାର ପାଂଚ ମାସ ତଳେ ଗଠନ କରିଥିବା ଉଚ୍ଚସ୍ତରୀୟ ତଦାରଖ କିମଟିକୁ ନୂଆ ସରକାର ଭାଂଗିବା ଓ କମିଟିର ପୁନର୍ଗଠନ କରିବା କଥାରେ ଆଶ୍ଚର୍ଯ୍ୟ ହେବା ଭଳି କିଛି ନାହିଁ । ତେବେ, କମିଟି ଅଧ୍ୟକ୍ଷ ପଦରୁ ଜଷ୍ଟିସ ପଶାୟତଙ୍କୁ ହଟାଇ ଜଷ୍ଟିସ ବିଶ୍ୱନାଥ ରଥଙ୍କୁ ନିଯୁକ୍ତି ଦିଆଯିବା ଏକ ରାଜନୈତିକ ନିଷ୍ପତ୍ତି କି ନୁହେଁ ଏବଂ କମିଟି ପୁର୍ନଗଠନ କରିବା ପଛରେ କି ଠୋସ୍ କାରଣ ରହିଛି, ତାହା ଆଇନ ମନ୍ତ୍ରୀ ରାଜ୍ୟବାସୀଙ୍କୁ ଅବଗତ କରାଇବା ଉଚିତ ବୋଲି ତଥ୍ୟାଭିଜ୍ଞ ମହଲରେ ମତ ପ୍ରକାଶ ପାଉଛି । ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର କେବେ ଖୋଲିବା ସେନେଇ ଜଷ୍ଟିସ ବିଶ୍ୱନାଥ ରଥଙ୍କ କମିଟି କାଲି ନିଷ୍ପତ୍ତି ନେବେ ତାହା ଉପରେ ରାଜ୍ୟବାସୀଙ୍କ ନଜର ରହିବ । ତେବେ, କ୍ଷମତାକୁ ଆସିବା ପୂର୍ବରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ତୁରନ୍ତ ଖୋଲାଯାଉ ବୋଲି ଦାବି କରୁଥିବା ବର୍ତ୍ତମାନର ବିଜେପି ସରକାର ଏହି ନିଷ୍ପତ୍ତି ନେବାର ଅଧିକାର ଥାଇ ମଧ୍ୟ ସମୟ ଗଡାଉ ଥିବା ପଛରେ କି ରହସ୍ୟ ରହିଛି – ତାହା ସରକାର ହିଁ ଜାଣନ୍ତି । ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପୂର୍ବରୁ ରତ୍ନଭଣ୍ଡାର ଚାବିକୁ ନେଇ ତୁମ୍ବିତୋଫାନ କରୁଥିଲା । ରତ୍ନଭଣ୍ଡାରରେ ଥିବା ମୂଲ୍ୟବାନ ଅଳଂକାର ସବୁ ଠିକଠାକ୍ ରହିଛି ନା ସେଥିରୁ କିଛି ଏପାଖ ସେପାଖ ହୋଇଯାଇଛି (?) ବୋଲି ସନ୍ଦେହ ବ୍ୟକ୍ତ କରି ପୂର୍ବ ସରକାରଙ୍କୁ ଘେରିଥିଲା । ଚାବି ତାମିଲନାଡୁକୁ ଚୋରାଇ ନିଆଯାଇଛି ବୋଲି ବିଜେପି ରାଜ୍ୟ ଓ କେନ୍ଦ୍ରୀୟ ନେତାମାନେ ଅଭିଯୋଗ କରିବା ସହ ନିର୍ବାଚନ ସମୟରେ ରାଜ୍ୟବାସୀଙ୍କ ମନରେ ଭ୍ରମ ସୃଷ୍ଟି କରିଥିଲେ । ଏବେ ସେମାନଙ୍କ ହାତରେ କ୍ଷମତା ରହିଛି । ଯାହା ଅଭିଯୋଗ କରୁଥିଲେ ତାହା ପ୍ରମାଣ କରିବା ସୁଯୋଗ ମଧ୍ୟ ରହିଛି । ମୁଖ୍ୟ ରତ୍ନଭଣ୍ଡାରର ଚାବି ଜିଲ୍ଲା ପ୍ରଶାସନ ନିକଟରେ ରୁହେ, ହଜିବା ବା ଚୋରୀ ହେବା ଅସମ୍ଭବ ବୋଲି ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ତଥା ପୁରୀ ଗଜପତି ମହାରାଜା ନିକଟରେ ବିଭିନ୍ନ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଥିଲେ । ତେବେ, ରାଜ୍ୟ ଆଇନ ମନ୍ତ୍ରୀ ଏହାକୁ ନେଇ କୌଣସି ପ୍ରତିକ୍ରିୟା ନ ରଖିବା ଆଶ୍ଚର୍ଯ୍ୟଜନକ । ଗୋଟିଏ ପଟେ ରାଜ୍ୟ ସରକାର ତାରିଖ ଧାର୍ଯ୍ୟ କରିବାରେ ବିଳମ୍ବ କରି ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା କାର୍ଯ୍ୟ ବିଳମ୍ବିତ କରୁଛନ୍ତି । ଅନ୍ୟପଟେ ମୁଖ୍ୟ ରତ୍ନଭଣ୍ଡାରର ଚାବି ଓ ଅନ୍ୟନ୍ୟ ପ୍ରସଙ୍ଗକୁ ନେଇ ନିର୍ବାଚନ ସମୟରେ ବିଜେପି ନେତୃବର୍ଗ ଯେଉଁ ଗୁରୁତର ଅଭିଯୋଗମାନ କରିଥିଲେ କ୍ଷମତାକୁ ଆସିବା ପରେ ସେସବୁକୁ ନେଇ ମୁହଁ ଖୋଲୁ ନାହାନ୍ତି । ଅଭିଯୋଗ ସବୁ ନିର୍ବାଚନ ସମୟରେ ଓଡ଼ିଶାବାସୀଙ୍କୁ ଭ୍ରମିତ କରିବା ପାଇଁ ମିଥ୍ୟାଶ୍ରିତ ନଥିଲା ତ ? ଜନସାଧାରଣରେ ଏଭଳି ପ୍ରଶ୍ନ ହେଲାଣି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସରକାର ରତ୍ନଭଣ୍ଡାର ଖୋଲିବା ତାରିଖ ତୁରନ୍ତ ଧାର୍ଯ୍ୟ କରିବା ସହ ଜନସାଧାରଣଙ୍କ ମନରେ ଥିବା ସନ୍ଦେହକୁ ଦୂର କରିବାରେ ଯତ୍ନବାନ ହେବେ ବୋଲି ତଥ୍ୟାଭିଜ୍ଞ ମହଲ ଆଶା କରୁଛନ୍ତି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS