ରତ୍ନଭଣ୍ଡାର ଖୋଲିବା ନିଷ୍ପତ୍ତି ମଂଗଳବାର !


ପ୍ରସାଦ ରାଓ
ଜୁଲାଇ ୦୬/୨୦୨୪
ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା, ସେଠାରେ ଥିବା ପ୍ରଭୁ ଜୀଉମାନଙ୍କ ମୂଲ୍ୟବାନ ଅଳଂକାର ସବୁର ତାଲିକା ପ୍ରସ୍ତୁତ କରାଯାଇ ଗଣତି, ମଣତି କରାଯିବା ଏବଂ ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ଆରମ୍ଭ କରାଯିବା କାର୍ଯ୍ୟ ତଦାରଖ କରିବା ପାଇଁ ଗୁରୁବାର ଦିନ ରାଜ୍ୟ ସରକାରଙ୍କ ପାକ୍ଷରୁ ଗଠନ କରାଯାଇଥିବା ଜଷ୍ଟିସ ବିଶ୍ୱନାଥ ରଥ କମିଟିର ପ୍ରଥମ ବୈଠକ ଆଜି ସରିଛି । ଦ୍ୱିତୀୟ ବୈଠକ ମଂଗଳବାର, ଅର୍ଥାତ ୦୯ ତାରିଖରେ ବସିବ । ସେହି ବୈଠକରେ ରତ୍ନଭଣ୍ଡାରରେ ଥିବା ଠାକୁରଙ୍କ ଗହଣାଗାଂଠି କେମିତି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେବ, ସେସବୁର ଗଣତି ଓ ମଣତି ହେବ ଏବଂ ରତ୍ନଭଣ୍ଡାର ମରାମତି କାର୍ଯ୍ୟ କିଭଳି ଆରମ୍ଭ ହେବ, ତାହା ନିଷ୍ପତ୍ତି ନିଆଯିବ ବୋଲି ଆପାତତଃ ସ୍ଥିର ହୋଇଛି । ନବଗଠିତ ଉଚ୍ଚସ୍ତରୀୟ ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ ରଥ ଆଜି ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ପୂର୍ବ ସରକାର ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ଓ ସେଠାରେ ଥିବା ମୂଲ୍ୟବାନ ଅଳଂକାର ସବୁର ଗଣତି, ମଣତି ଓ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ତଦାରଖ ପାଇଁ ୨୦୨୪ ମାର୍ଚ୍ଚରେ ଅବସରପ୍ରାପ୍ତ ବିଚାରପତି ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ କମିଟି ଗଠନ କରିଥିଲେ । ଜଷ୍ଟିସ ପଶାୟତ ରଥଯାତ୍ରା ପୂର୍ବରୁ ଦିଲ୍ଲୀରୁ ଆସି କଟକରେ ପଂଚି ବା ପରେ ପୁରୀ ଯିବା କାର୍ଯ୍ୟକ୍ରମ ରଖିଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନୂତନ ସରକାର ଗୁରୁବାର ବିଳମ୍ବିତ ସନ୍ଧ୍ୟାରେ ଜଷ୍ଟିସ ପଶାୟତଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କମିଟିକୁ ଭାଂଗି ଦେଇ ନୂଆ କମିଟି ଘୋଷଣା କରିଛନ୍ତି । ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ସରକାର ୧୬ ଜଣିଆ ନୂଆ କମିଟି ଗଠନ କରିଥିବା ଗଣମାଧ୍ୟମକୁ ସୂଚିତ କରିବା ସହ ଗେଜେଟ ବିଜ୍ଞପ୍ତ ଜାରି କରିଛନ୍ତି । ଜଷ୍ଟିସ ପଶାୟତଙ୍କ କମିଟିକୁ ନୂଆ ସରକାର କାହିଁକି ଭାଂଗିଲେ ତାହା ଅସ୍ପଷ୍ଟ ଥିବା ବେଳେ ଆଜି ଜଷ୍ଟିସ ରଥଙ୍କ ଅଧ୍ୟକ୍ଷତାରେ ଗଠିତ ନୂତନ ଉଚ୍ଚସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଛି । ଶ୍ରୀମନ୍ଦିର ରତ୍ନଭଣ୍ଡାର କେବେ ଖୋଲାଯିବ, ସେଠାରେ ଥିବା ଅଳଂକାର ସବୁର ଗଣତି, ମଣତି କେମିତି କରାଯିବ ଏବଂ ମୁଖ୍ୟ ରତ୍ନଭଣ୍ଡାରର ମରାମତି କାର୍ଯ୍ୟ କେବେଠୁ ଆରମ୍ଭ ହେବ ତାହା ଆଜିର ବୈଠକରେ ସ୍ଥିର ହେବା ଆଶା କରାଯାଉଥିଲା । କିନ୍ତୁ, ପଦ୍ମ ଘୁଂଚି ଘୁଂଚି ଗଲା ଭଳି ନୂଆ କମିଟି ତାହା ଦ୍ୱିତୀୟ ବୈଠକକୁ ଗଡାଇଛନ୍ତି । ଆଜିର ବୈଠକ ପରେ ପୁନର୍ଗଠିତ ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ ରଥ କହିଛନ୍ତି, ମଂଗଳବାର ହେବାକୁ ଥିବା ଦ୍ୱିତୀୟ ବୈଠକରେ ଏସବୁ ନିଷ୍ପତ୍ତି ହେବ । ରତ୍ନଭଣ୍ଡାରର ମୂଳ ଚାବି ହଜି ଯାଇଥିବା କୁହାଯାଉଥିବା ବେଳେ ଡୁପ୍ଲିକେଟ ଚାବି ଜିଲ୍ଲା କୋଷାଗାର (ଟ୍ରେଜେରୀ)ରେ ରହିଛି । ଜୁଲାଇ ୦୯ ତାରିଖରେ ଉଚ୍ଚସ୍ତରୀୟ କମିଟିର ଦ୍ୱିତୀୟ ବୈଠକ ବସିବା ପୂର୍ବରୁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ଏସଜେଟିଏ) ମୁଖ୍ୟ ପ୍ରଶାସକ କମିଟିକୁ ଏହି ଡୁପ୍ଲିକେଟ ଚାବି ହସ୍ତାନ୍ତର କରିବେ । ଡୁପ୍ଲିକେଟ ଚାବିରେ ଯଦି ମୁଖ୍ୟ ରତ୍ନଭଣ୍ଡାର ଖୋଲିବ ନାହିଁ ତେବେ ଚାବି ଭାଂଗି ରତ୍ନଭଣ୍ଡାର ଖୋଲାଯିବ । ଏଥିସକାଶେ କମିଟି ଏକ ଏସଓପି (ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଅର) ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କ ନିକଟରେ ଉପସ୍ଥାପନ କରିବେ ବୋଲି ସେ କହିଛନ୍ତି । ଜଷ୍ଟିସ ରଥ କହିଛନ୍ତି, କମିଟି ପୁରୀ ଶ୍ରୀମନ୍ଦିରର ନୀତିକାନ୍ତି ଓ ଭକ୍ତଙ୍କ ଦର୍ଶନକୁ ପ୍ରାଥମିକତା ଦେବା ସହ ରତ୍ନଭଣ୍ଡାରରେ ଥିବା ମୂଲ୍ୟବାନ ଅଳଂକାର ସବୁର ଗଣତି, ମଣତି ଓ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ସେସବୁର କେଉଁଠିକୁ ସୁରକ୍ଷିତ ସ୍ଥାନାନ୍ତରକୁ ପ୍ରାଥମିକତା ଦେଉଛନ୍ତି । କାରଣ, ରତ୍ନଭଣ୍ଡାରରେ ଅଳଂକାର ସବୁ ଥିବା ଅବସ୍ଥାରେ ମରାମତି କାର୍ଯ୍ୟ ଆରମ୍ଭ କରାଯିବା ଠିକ ନୁହେଁ । ରତ୍ନଭଣ୍ଡାରରେ ଥିବା ସମସ୍ତ ମୂଲ୍ୟବାନ ଅଳଂକାରର ପ୍ରଥମେ ଇନଭେଂଟାରୀ ପ୍ରସ୍ତୁତ କରାଯିବ । ସେସବୁ ଚିହ୍ନଟ କରିବା ଉଚ୍ଚସ୍ତରୀୟ କମିଟି ଦ୍ୱାରା ସମ୍ଭବ ନଥିବାରୁ ଏକ ସବ୍ କମିଟି ଗଠନ କରାଯିବ । ଶେଷ ଥର ପାଇଁ ରତ୍ନଭଣ୍ଡାର ଖୋଲାଯାଇ ମୂଲ୍ୟବାନ ପଥର ଓ ଅଳଂକାର ସବୁର ଗଣତି, ମଣତି ପାଇଁ ୭୦ରୁ ଅଧିକ ଦିନ ଲାଗିଥିଲା । ଏବେ କିନ୍ତୁ ଅତ୍ୟାଧୁନିକ ବୈଷୟିକ କୌଶଳ ଉପଲବ୍ଧ ରହିଛି । ତେଣୁ, ଅଳଂକାର ସବୁର ଇନଭେଂଟାରୀ ପ୍ରସ୍ତୁତ କରାଯାଇ ଗଣତି, ମଣତି କରିବା କାର୍ଯ୍ୟ ଶୀଘ୍ର ସରିବା ଆଶା କରାଯାଉଛି । ତେବେ, ଇନଭେଂଟାରୀ କାର୍ଯ୍ୟର ଦାୟିତ୍ୱ କାହାକୁ ଦିଆଯିବ କମିଟି କେବଳ ତାହା ସୁପାରିଶ କରିବେ । ଶ୍ରୀଜୀଉମାନେ ମାଉସୀମା ମନ୍ଦିରରୁ ନିଜ ମନ୍ଦିରକୁ ଫେରିବା ପୂର୍ବରୁ ରତ୍ନଭଣ୍ଡାରରେ ଥିବା ଗହଣା ସବୁର ସ୍ଥାନାନ୍ତର ସହ ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ଆରମ୍ଭ ହୋଇଯିବ ବୋଲି ଜଷ୍ଟିସ ରଥ ଆଶାବ୍ୟକ୍ତ କରିଛନ୍ତି । ଚଳିତ ବର୍ଷ ଶ୍ରୀଜୀଉମାନଙ୍କ ଅଣସର ନୀତି ୧୫ ଦିନ ବଦଳରେ ୧୩ ଦିନରେ ସୀମିତ ଥିବାରୁ ରଥାଯାତ୍ରା ଦୁଇ ଦିନ ହେଉଛି । କାଲି ସଂଧ୍ୟା ସୁଦ୍ଧା ଶ୍ରୀମନ୍ଦିରରେ ରଥଯାତ୍ରା ସଂପର୍କିତ ସମସ୍ତ ନୀତିକାନ୍ତି ଶେଷ କରାଯାଇ ସଂଧ୍ୟା ୦୫ଟାରୁ ରଥଟଣା ଆରମ୍ଭ କରିଯିବା କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି । ତେବେ, ସବୁ କିଛି ଶ୍ରୀମନ୍ଦିର ସେବାୟତଙ୍କ ଉପରେ ନିର୍ଭର କରୁଛି । କାଲି ବିଳମ୍ବରେ ରଥଟଣା ହେବାକୁ ଥିବାରୁ ପରଦିନ ଅର୍ଥାତ ଜୁଲାଇ ୦୮ ତାରିଖରେ ମଧ୍ୟ ତାହା ଜାରି ରହିବ । ତିନି ଠାକୁର ଶ୍ରୀମନ୍ଦିରକୁ ବାହୁଡିବା ପୂର୍ବରୁ ରତ୍ନଭଣ୍ଡାର ଖୋଲାଯାଇ ଅଳଂକାର ସବୁ ସୁରକ୍ଷିତ ଭାବେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବା ଓ ମୁଖ୍ୟ ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ଆରମ୍ଭ କରିବା କାର୍ଯ୍ୟକ୍ରମ ଥିବାରୁ ରତ୍ନଭଣ୍ଡାର ଖୋଲିବା ତାରିଖ ଘୋଷଣା ଉପରେ ସମସ୍ତଙ୍କ ନଜର ରହିଛି । ରାଜ୍ୟ ବିଜେପି ସରକାର ରତ୍ନଭଣ୍ଡାର ଖୋଲିବା କାର୍ଯ୍ୟ ତଦାରଖ ପାଇଁ ପୂର୍ବ ସରକାରଙ୍କ ଦ୍ୱାରା ଗଠିତ ଜଷ୍ଟିସ ଅରିଜିତ ପଶାୟତ କମିଟି ଭାଂଗି ଦେଇ ନୂଆ କମିଟି ଗଠନ କରିଥିବା କଥାକୁ ବିଜେଡ଼ି ନିନ୍ଦା କରିଛି । ଏହା ପଛରେ ରାଜନୈତିକ ଉଦ୍ଦେଶ୍ୟ ନିହିତ ରହିଛି ବୋଲି ବିଜେଡ଼ି ଅଭିଯୋଗ କରିଥିବା ବେଳେ ରାଜ୍ୟ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ତାହାକୁ ଅସ୍ୱୀକାର କରିଛନ୍ତି । ନବ ଗଠିତ ରାଜ୍ୟ ବିଧାନସଭାର ପ୍ରଥମ ଅଧିବେଶନ ଜୁଲାଇ ୨୨ରୁ ଆରମ୍ଭ ହେବାକୁ ଯାଉଛି । ଗତ ବିଧାନସଭା ନିର୍ବାଚନରେ ବିଜେପି ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ମୁଖ୍ୟ ପ୍ରସଙ୍ଗ କରି ଶାସକ ବିଜେଡିÿକୁ ଘେରିଥିଲା । ଏବେ ବିଜେପି ସରକାର କରିଥିବା ବେଳେ ବିଜେଡ଼ି ବିଧାନସଭାରେ ମୁଖ୍ୟ ବିରୋଧୀ ଦଳ ରହିଛି । ରତ୍ନଭଣ୍ଡାର ଖୋଲିବା କର୍ଯ୍ୟ ତଦାରଖ ପାଇଁ ବିଜେପି ସରକାର ଜଷ୍ଟିସ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ଯେଉଁ କମିଟି ଗଠନ କରିଥିଲେ ବିଜେପି ସରକାର ତାହାକୁ ଭାଂଗି ନୂଆ କମିଟି ଗଠନ କରିବା ପ୍ରସଙ୍ଗ ବିଧାନସଭାରେ ଚର୍ଚ୍ଚାକୁ ଆସି ଦୁଇ ଦଳ ମୁହାଁମୁହିଁ ହୋଇପାରନ୍ତି ବୋଲି ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହେଲାଣି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS