ହାଥରସ ଦଳାଚକଟା ପାଇଁ କେବଳ କଣ ପ୍ରଶାସନ ଦାୟୀ ?


ପ୍ରସାଦ ରାଓ
ଜୁଲାଇ ୧୦/୨୦୨୪
ଉତ୍ତର ପ୍ରଦେଶର ହଥରସ୍ ଜିଲ୍ଲାରେ ଜୁଲାଇ ୦୨ ତାରିଖରେ ଆୟୋଜିତ ସତସଂଗ କାର୍ଯ୍ୟକ୍ରମରେ ଘଟିଥିବା ଦଳାଚକଟା ଘଟଣା ପାଇଁ ତଦନ୍ତ କରୁଥିବା ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ (ଏସଆଇଟି) ଜିଲ୍ଲା ପ୍ରଶାସନର ଅବହୋଳାକୁ ଦାୟି କରିଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିକଟରେ ଗତକାଲି ସକାଳେ ତଦନ୍ତ ରିପୋର୍ଟ ଉପସ୍ଥାପନ କରାଯିବା ପରେ ଯୋଗୀ ସରକାର ଜଣେ ସବଡିଜିନାଲ ମାଜିଷ୍ଟ୍ରେଟ (ଏସଡିଏମ), ଜଣେ ସର୍କଲ ଅଫିସର, ଜଣେ ତହସିଲଦାରଙ୍କ ସମେତ ଛଅ ଜଣ ପ୍ରଶାସନିକ ଅଧିକାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି । ଭୋଲେ ବାବା ଓରଫ ନାରାୟଣ ସାକାର ହରି ନାମକ ଜଣେ ଆତ୍ମଘୋଷିତ ଧର୍ମଗୁରୁଙ୍କ ପକ୍ଷରୁ ଏହି ସତସଂଗର ଆୟୋଜନ ହୋଇଥିଲା । ସତସଂଗ ସରିବା ପରେ ବାବାଙ୍କ ଚରଣରଜ ନେବାକୁ ଭକ୍ତଙ୍କ ମଧ୍ୟରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇ ୧୨୧ ଜଣଙ୍କ ପ୍ରାଣହାନୀ ଘଟିଥିଲା । ମୃତକଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ମହିଳା ଓ ଶିଶୁ । ୟୁପି ପୁଲିସ ଘଟଣା ସଂପର୍କରେ ଏକ ମାମଲା ରୁଜୁ କରି ଭୋଲେ ବାବାଙ୍କ ଘନିଷ୍ଟ ସହଯୋଗୀ ତଥା ମୁଖ୍ୟ ସେବାଦାର ଦେବପ୍ରକାଶ ମଧୁକରଙ୍କ ସମେତ କିଛି ଆୟୋଜକଙ୍କୁ ଗିରଫ କରିଥିବା ବେଳେ ଏତଲାରେ ଭୋଲେ ବାବାଙ୍କ ନାମ ନଥିବାରୁ ରାଜ୍ୟ ସରକାର ତାଙ୍କୁ ଖସାଇବା ଉଦ୍ୟମ କରୁଛନ୍ତି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି । ଭୋଲେ ବାବା ମଧ୍ୟ ଘଟଣା ପରରୁ ଆତ୍ମଗୋପନରେ ଅଛନ୍ତି । ମଝିରେ କେବଳ ସେ ଏକ ଭିଡ଼ିଓ ଜାରି କରି ଦଳାଚକଟା ପଛରେ ଅସାମାଜିକ ତତ୍ତ୍ୱଙ୍କ ଷଡଯନ୍ତ୍ର ଥିବା ଅଭିଯୋଗ କରିଥିଲେ । କାହାରିକୁ ଛଡାଯିବ ନାହିଁ ବୋଲି ସେ ଚେତାବନୀ ଶୁଣାଇଥିଲେ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣା ପରଦିନ, ଅର୍ଥାତ ବୁଧବାର ସକାଳେ ଘଟଣାସ୍ଥଳ ପରିଦର୍ଶନରେ ଯାଇ ପ୍ରତ୍ୟକ୍ଷଦର୍ଶୀଙ୍କ ସହ ଆଲୋଚନା କରିବା ପରେ ଏହା ଏକ ଦୁର୍ଘଟଣା ହୋଇଥିଲେ ମଧ୍ୟ ପଛରେ ଷଡଯନ୍ତ୍ର ଥିବା ସଂଦେହ ବ୍ୟକ୍ତ କରିଥିଲେ । ମୁଖ୍ୟମନ୍ତ୍ରୀ ସତସଂଗରେ ହୋଇଥିବା ଦଳାଚକଟା ଘଟଣାର ଏସଆଇଟି ତଦନ୍ତ ନିର୍ଦେଶ ଦେବା ସହ ଏହା ପଛରେ ଷଡଯନ୍ତ୍ର ଥିବା ସନ୍ଦେହ କରାଯାଉଥିବାରୁ ଜଣେ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତିଙ୍କ ଅଧ୍ୟକ୍ଷତାରେ ବିଚାର ବିଭାଗୀୟ ତଦନ୍ତ ହେବ ବୋଲି ଘୋଷଣା କରିଥିଲେ । ପୁଲିସର ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ହାଥରସ ଦଳାଚକଟା ଘଟଣାର ତଦନ୍ତ ଶେଷ କରି ଗତକାଲି ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଇଛନ୍ତି । ରିପୋର୍ଟରେ ‘ଭୋଲେ ବାବାଙ୍କ ପକ୍ଷରୁ ଏତେବଡ ସତସଂଗ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲେ ମଧ୍ୟ ଜିଲ୍ଲା ସବଡିଭିଜନାଲ ମାଜିଷ୍ଟ୍ରେଟ (ଏସଡିଏମ) ସତସଂଗ ସ୍ଥଳ ପରିଦର୍ଶନ କରିନଥିଲେ ବା ନିଜର ଉପରିସ୍ଥ ଅଧିକାରୀଙ୍କୁ ଆୟୋଜନ ସଂପର୍କରେ ଅବଗତ କରାଇ ନଥିଲେ । ସତସଂଗ ଆୟୋଜକ, ସ୍ଥାନୀୟ ସାଧାରଣ ପ୍ରଶାସନ ଓ ପୁଲିସ ପ୍ରଶାସନର ଘୋର ଅବହେଳା କାରଣରୁ ମଂଗଳବାର ଅପରାହ୍ନରେ ଦଳାଚକଟା ହୋଇଥିଲା’ ବୋଲି ଅଭିଯୋଗ କରାଯାଇଛି । ସତସଂଗ ଆୟୋଜନକୁ ସ୍ଥାନୀୟ ପୁଲିସ ଓ ସାଧାରଣ ପ୍ରଶାସନ ମୋଟେ ଗୁରୁତ୍ୱ ଦେଇନଥିବା ମଧ୍ୟ ରିପୋର୍ଟରେ କୁହାଯାଇଛି । ଏହାପଛରେ ଷଡଯନ୍ତ୍ର ଥିବା ସନ୍ଦେହ କରାଯାଉଥିବାରୁ ଘଟଣାକୁ ଅଧିକ ଗଭୀର ଭାବେ ତଦନ୍ତ କରାଯିବାର ଅବଶ୍ୟକତା ରହିଛି ବୋଲି ଏସଆଇଟି ସରକାରଙ୍କୁ ସୁପାରିଶ କରିଛି । ଏସଆଇଟିରେ ରାଜ୍ୟ ପୁଲିସର ଆଗ୍ରା ଜୋନ୍ ଏଡିଜିପି ଅନୁପମ କୁଳଶ୍ରେଷ୍ଠ ଓ ଆଲିଗଡ ଡିଭିଜନାଲ କମିଶନର ଚିତ୍ରା ଭି ଅଛନ୍ତି । ସେମାନେ କହିଛନ୍ତି, ସତସଂଗ ସ୍ଥଳରେ ମାତ୍ରାଧିକ ଜନସମାଗମ ହେବାରୁ ଦଳଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏଠାରେ ସୂଚନାଯୋଗ୍ୟ, ଭୋଲେ ବାବାଙ୍କ ସତସଂଗରେ ୮୦ ହଜାର ଭକ୍ତଙ୍କ ସମାଗମ ହେବ କହି ଆୟୋଜକମାନେ ପ୍ରଶାସନରୁ ଅନୁମତିପତ୍ର ନେଇଥିଲେ । ତେବେ, ଅଢେଇ ଲକ୍ଷ ଜନସମାଗମ ହୋଇଥିଲା । ଆୟୋଜକମାନେ ଜାଣିଶୁଣି ମିଛ ତଥ୍ୟ ଦେଇଥିଲେ । କମ୍ ଲୋକ ହେବା ନେଇ ପ୍ରଶାସନକୁ ଜଣାଇଲେ କଟକଣା ଅଧିିକ କଡାକଡି ହେବ ନାହିଁ, ଅଧିକ ଗହଳି ହେଲେ ସେମାନେ ପରିସ୍ଥିତିକୁ ସମ୍ଭାଳି ନେବେ ବୋଲି ବୋଧହୁଏ ଆୟୋଜକମାନେ ଧରି ନେଇଥିଲେ । ତେବେ, ସତସଂଗ ସରିବା ପରେ ବାବାଙ୍କ ଚରଣରଜ (ପାଦଧୂଳି) ପାଇବା ସକାଶେ ଭକ୍ତମାନେ, ବିଶେଷକରି ମହିଳା ଓ ଶୁଶୁମାନେ ଯେଭଳି ଠେଲାପେଲା ହେଲେ ତାହା ଦଳାଚକଟା ପରିସ୍ଥିତି ସୃଷ୍ଟି କଲା ବୋଲି ଏସଆଇଟି କହିଛି । ଭୋଲେ ବାବାଙ୍କ ସତସଂଗ କାର୍ଯ୍ୟକ୍ରମରେ କେତେ ସଂଖ୍ୟକ ଭକ୍ତଙ୍କ ସମାଗମ ହେବ ସେନେଇ ଆୟୋଜକମାନେ ଜିଲ୍ଲା ପ୍ରଶାସନକୁ ମିଥ୍ୟ କହିବା ଏହା ପ୍ରଥମ ନୁହେଁ, କୋଭିଡ଼ ମହାମାରୀ ପରିସ୍ଥିତିରେ ୨୦୨୨ ମେ’ରେ ଫାରୁକାବାଦ ଜିଲ୍ଲାରେ ଆୟୋଜିତ ସତସଂଗ କାର୍ଯ୍ୟକ୍ରମରେ ମଧ୍ୟ ୫୦ ଭକ୍ତଙ୍କ ସମାଗମ ହେବ ବୋଲି କହି ଆୟୋଜକମାନେ ଅନୁମତିପତ୍ର ନେଇଥିବା ବେଳେ ୫୦ ହଜାର ଭକ୍ତ ସମାଗମ କରାଇ ଥିଲେ ବୋଲି ଅନ୍ୟ ସୂତ୍ରରୁ ସୂଚନା ମିଳିଛି । ଏସଆଇଟି ହାଥରସ ଘଟଣାର ପ୍ରତ୍ୟକ୍ଷଦର୍ଶୀ, ଦଳଚକଟାରୁ ବର୍ତ୍ତିଥିବା ଯାଇଥିବା ପୁଲିସ କର୍ମଚାରୀ ଓ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ସମେତ ୧୨୫ ଜଣଙ୍କ ବୟାନ ରେକର୍ଡ କରିବା ପରେ ଦଳଚକଟା ପାଇଁ ଜିଲ୍ଲା ସାଧାରଣ ଓ ପୁଲିସ ପ୍ରଶାସନକୁ ଦାୟି କରି ସରକାରଙ୍କୁ ରିପୋର୍ଟ ଦେଇଛି । ଏସଆଇଟି ରିପୋର୍ଟ ଭିତ୍ତିରେ କାର୍ଯ୍ୟରୁ ନିଲମ୍ବିତ ହୋଇଥିବା ହୋଇଥିବା ଛଅ ଅଧିକାରୀଙ୍କ ମଧ୍ୟରେ ପୁଲିସ କର୍ମଚାରୀ ମଧ୍ୟ ଥିବା ଜଣାପଡିଛି । ସତସଂଗ ସ୍ଥଳରେ ପ୍ରବେଶ ଓ ପ୍ରସ୍ଥାନ ପାଇଁ ଏକମାତ୍ର ରାସ୍ତା ଥିଲା । ସେଠାରେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ନଥିଲା । ଆମ୍ବୁଲାନ୍ସ ଓ ଚିକିତ୍ସା ବ୍ୟବସ୍ଥା ହୋଇନଥିଲା । ଜରୁରୀ ପ୍ରସ୍ଥାନ ଦ୍ୱାରର ବ୍ୟବସ୍ଥା ହୋଇନଥିଲା ବା ଚିହ୍ନଟ କରାଯାଇ ନଥିଲା । ସତସଂଗ ସ୍ଥଳକୁ ଚାଲି ଚାଲି ଆସୁଥିବା ଲୋକଙ୍କୁ ଆୟୋଜକମାନେ ସାହାଯ୍ୟ କରୁନଥିଲେ ବା ଟ୍ରାଫିକ ନିୟନ୍ତ୍ରଣରେ ସହଯୋଗ କରୁନଥିଲେ । ଓଲଟା, ଦଳାଚକଟା ପରେ ସେମାନେ ପ୍ରମାଣ ନଷ୍ଟ ଉଦ୍ୟମ କରିଥିଲେ । ଘଟଣା ପରେ ଆୟୋଜକମାନେ ବିଶୃଂଖଳ ବାତାବରଣ ସୃଷ୍ଟି କରିବା ସହ ଦଳାଚକଟା ସ୍ଥଳକୁ ପୁଲିସ ପ୍ରବେଶରେ ବାଧା ଦେଇଥିଲେ । ଏସଆଇଟି ନିକଟରେ ପୁଲିସ କର୍ମଚାରୀମାନେ ଏହି ଅଭିଯୋଗ କରିଥିବା ଜଣାପଡିଛି । ଭୋଲେ ବାବାଙ୍କ ପ୍ରକୃତ ନାମ ହେଉଛି ସୁରଜ ପାଲ । ସେ ରାଜ୍ୟ ପୁଲିସରେ ହେଡ୍ କନେଷ୍ଟବଳ ଥିଲେ । ଏକ ଯୌନ ଉତ୍ପୀଡନ ମାମଲାରେ ଗିରଫ ହୋଇ ଜେଲ ଯାଇଥିଲେ । ପରେ, ଚାକିରୀ ଛାଡି ନାରାୟଣ ସାକାର ହରି ନାମ ଧାରଣ କରି ଆତ୍ମଘୋଷିତ ବାବା ହୋଇଥିଲେ । ପ୍ରଥମେ ନିଜ ଘର ସାମ୍ନାରେ ଲଗାଇ ଥିବା ପାଇପରୁ ପାଣି ପିଇଲେ ସବୁ ସମସ୍ୟା ଓ ରୋଗ ଦୂର ହୋଇଯିବ କହି ବାବାଗିରି ଆରମ୍ଭ କରିଥିଲେ । ପରେ, ରାଜ୍ୟର ବିଭିନ୍ନ ଅଂଚଳରେ ବିଳାଶମୟ ଆଶ୍ରମମାନ ପ୍ରତିଷ୍ଠା କରି ତାଙ୍କ ପଦରଜ ନେଇ ମୁଣ୍ଡରେ ଲଗାଇଲେ ସବୁ ଦୁଃଖ ନିବାରଣ ହେବ ବୋଲି ଭକ୍ତମାନଙ୍କୁ ବିଶ୍ୱାସ ଦେଇଥିଲେ । ନିଜକୁ ଭିନ୍ନ ଧରଣର ବାବା ଭାବେ ଉପସ୍ଥାପିତ କରିବା ପାଇଁ ଭୋଲେ ବାବା ଧଳା ସୁଟ୍, ବେକରେ ଟାଇ, ଆଖିରେ ରଂଗୀନ ଚଷମା ଲଗାଇ ପ୍ରବଚନ ସ୍ଥଳକୁ ଯାଉଥିଲେ । ତାଙ୍କୁ ନିଜସ୍ୱ କମାଣ୍ଡୋ ବାହିନୀ ଓ ସେବକମାନେ ସୁରକ୍ଷିତ ଭାବେ ସତସଂଗ ସ୍ଥଳକୁ ନେବା, ଆଣିବା କରୁଥିଲେ । ସେ କେଉଁଠି ପ୍ରବଚନ କାର୍ଯ୍ୟ ଆୟୋଜନ କରିବେ ତାହା ନିଜେ ଜାଣନ୍ତି ନାହିଁ, ଉପରୁ (ଭଗବତ) ଆଦେଶ ଯେଉଁଠିକି ଆସିବ ସେଠି କାର୍ଯ୍ୟକ୍ରମ ଆୟୋଜନ ହେବ ବୋଲି କହୁଥିଲେ । ବାବାଙ୍କ ମୁଖ୍ୟ ସେବାଦାର ଦେବପ୍ରକାଶ ମଧୁକର ସତସଂଗର ଆୟୋଜନ କରୁଥିଲେ । ବାବା ଦାମୀ ଗାଡିରେ ବୁଲୁ ଥିବାରୁ ପାଦ ଧୂଳି ମିଳୁ ନଥିଲା । ପାଦଧୂଳି ବଦଳରେ ସେ ଯାଉଥିବା ଗାଡିର ଟାୟାର ଧୂଳିକୁ ମୁଣ୍ଡରେ ମାରି ଭକ୍ତମାନେ କୃତ୍ୟକୃତ୍ୟ ହେଉଥିଲେ । ଜୁଲାଇ ୦୨ ତାରିଖରେ ମଧ୍ୟ ଆତ୍ମଘୋଷିତ ବାବା ସୁରଜ ପାଲ ଓରଫ ନାରାୟଣ ସାକାର ହରି ଓରଫ ଭୋଲେ ବାବାଙ୍କ ସଂସ୍ଥା ‘ନାରାୟଣ ସାକାର ହରି ଚ୍ୟାରିଟେବୁଲ ଟ୍ରଷ୍ଟ’ ପକ୍ଷରୁ ହଥରସ୍ ଜିଲ୍ଲାର ଏକ ଗ୍ରାମ୍ୟ ପରିବେଶରେ ସତସଂଗ ଆୟୋଜନ ହୋଇଥିଲା । ସତସଂଘ ଶେଷରେ ବାବାଙ୍କ ପଦଧୂଳି ନେବାକୁ ଭକ୍ତଙ୍କ ଆତୁରତା ଠେଲାପେଲା ପରିସ୍ଥିତି ସୃଷ୍ଟି କରିଥିଲା । ଦଳାଚକଟାରେ ୧୨୧ ଜଣଙ୍କ ମୃତ୍ୟୁ, ବିଶେଷକରି ଶତାଧିକ ମହିଳା ଓ ଶିଶୁଙ୍କ ମୃତ୍ୟୁ ସମଗ୍ର ଦେଶରେ ଆଲୋଡନ ସୃଷ୍ଟି କଲା । ଦଳାଚକଟା ପରେ ଆତ୍ମଘୋଷିତ ବାବା ମୃତାହତଙ୍କୁ ଦେଖିବାକୁ ଆସିବା ଦୂରେ ଥାଉ, ଖବର ପାଇବାକ୍ଷଣି ଘଟଣାସ୍ଥଳରୁ ସଦଳବଳ ପଳାୟନ କରିଥିଲେ । କଳାପୋଷାକଧାରୀ ମୋଟର ସାଇକଲ ଆରୋହୀ ବାବାଙ୍କ କମାଣ୍ଡୋମାନେ ତାଙ୍କୁ ସୁରକ୍ଷିତ ଭାବେ ଘଟଣାସ୍ଥଳରୁ ନେଇ ଯାଇଥିଲେ । କମାଣ୍ଡୋ ବାହିନୀ ଗହଣରେ ଭୋଲେ ବାବା ଯାଉଥିବା ଗାଡି ରାସ୍ତାରେ ଏତେ ଦୃତ ବେଗରେ ଯାଉଥିଲା ଯେ ସଂପୃକ୍ତ ଅଂଚଳରେ ଭିଭିଆଇପି ଗସ୍ତର ଭ୍ରମ ସୃଷ୍ଟି କରିଥିଲା । ରାସ୍ତାର ଠାଆ ଠାଆ ପୁଲିସ ମୁତୟନ ଭଳି ଗୋଲାପି ପୋଷାକ ପିନ୍ଧା ବାବାଙ୍କ ସୁରକ୍ଷା କର୍ମୀମାନେ ଜଗି ରହିଥିଲେ । ବାବାଙ୍କ ଗାଡି ସେମାନଙ୍କୁ ଅତିକ୍ରମ କରିବା ପରେ ସେମାନେ ସ୍ଥାନ ଛାଡୁଥିଲେ । ସାଧାରଣତଃ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ବା ଅନ୍ୟ କୌଣସି ରାଷ୍ଟନାୟକଙ୍କ ଗସ୍ତ ସମୟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥାଏ । ବାବାଙ୍କ ପଳାୟନର ଦୃଶ୍ୟ ରାସ୍ତା କଡରେ ଲାଗିଥିବା ସିସିଟିଭିରେ କଏଦ ହୋଇ ରହିଛି । ଘଟଣା ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦରେ ଦୁଃଖ ପ୍ରକାଶ କରିବା ସହ ମୃତାହତଙ୍କ ପରିବାରଙ୍କୁ ସମବେଦନା ଜଣାଇ ଥିଲେ । ପରଦିନ ମୁଖ୍ୟମନ୍ତ୍ରୀ ଯୋଗୀ ଜୀ ଘଟଣାସ୍ଥଳ ପରିଦର୍ଶନ କରିଥିଲେ । ରାଜ୍ୟ ପୁଲିସ ପ୍ରଶାସନ ଘଟଣା ସଂପର୍କରେ ଯେଉଁ ମାମଲା ରୁଜୁ କରିଛନ୍ତି ସେଥିରେ ସତସଂଗ ଆୟୋଜକଙ୍କୁ ଅଭିଯୁକ୍ତ କରିଥିବା ବେଳେ ଭୋଲେ ବାବାଙ୍କ ନାଁ ଗନ୍ଧ ନାହିଁ, ଯାହାକି ବିରୋଧୀଙ୍କୁ ସମାଲୋଚନା କରିବାର ସୁଯୋଗ ଦେଇଛି । ପୁଲିସ ଗଣମାଧ୍ୟମରେ ବାବାଙ୍କ ନାମ ନେବାକୁ ମଧ୍ୟ ଭୟ କରୁଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ବାବାଙ୍କ କ୍ଷେତ୍ରରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବୁଲଡୋଜର କଣ ଅଚଳ ହୋଇଯାଇଛି (?) ବୋଲି ବିରୋଧୀ ପ୍ରଶ୍ନ କରୁଛନ୍ତି । ଭୋଲେ ବାବାଙ୍କ ହାତମୁଠାରେ ଦଳିତ ଭୋଟବ୍ୟାଙ୍କ୍ ରହି ଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କୌଣସି ରାଜନୈତିକ ଦଳ ଦାବି କରୁ ନାହାନ୍ତି । ଘଟଣାକୁ ଅସାମାଜିକ ଲୋକଙ୍କ ଷଡଯନ୍ତ୍ରର ମୋଡ ଦିଆଯାଇଛି ବୋଲି ଅନେକ ସନ୍ଦେହ କରୁଛନ୍ତି । ବାବାଙ୍କ ମୁଖ୍ୟ ସେବାଦାର ଦେବପ୍ରକାଶ ମଧୁକର ଏବେ ଜେଲରେ ଅଛନ୍ତି । ହଥରସ ଜିଲ୍ଲା ଏସଡିଏମଙ୍କ ସମେତ ଛଅ ଜଣ ପୁଲିସ ଓ ପ୍ରଶାସନିକ ଅଧିକାରୀ ଗତକାଲି କାର୍ଯ୍ୟରୁ ନିଲମ୍ବିତ ହେବା ପରେ ରାଜ୍ୟ ସରକାରଙ୍କ ଆଡୁ ଅଧିକ କାର୍ଯ୍ୟାନୁଷ୍ଠାନ ହେବା ସମ୍ଭାବନା ସୃଷ୍ଟି ହୋଇଛି । ତେବେ, ପୁଲିସ ହେଡ କନେଷ୍ଟବଳ ଚାକିରୀ କରି ବିଦା ନେଇଥିବା ଜଣେ ସ୍ୱଳ୍ପ ବେତନଭୋଗୀ କର୍ମଚାରୀ ଗଲା କିଛି ବର୍ଷ ମଧ୍ୟରେ କେମିତି ଶତାଧିକ କୋଟି ଟଙ୍କାର ମାଲିକ ହେଲେ ଏବଂ ରାଜ୍ୟର ବିଭିନ୍ନ ଅଂଚଳରେ ସୁରମ୍ୟ ଆଶ୍ରମମାନ ନିର୍ମାଣ କରି ଅୟସରେ ଦିନ କାଟୁଛନ୍ତି – ତାହା ତଦନ୍ତ କରିବାରେ ରାଜ୍ୟ ସରକାର ବା କେନ୍ଦ୍ର ସରକାରଙ୍କ ସିବିଆଇ ଓ ଇଡି କୁଣ୍ଠିତ କାହିଁକି (?) ବୋଲି ପ୍ରଶ୍ନ ହେଉଛି । ସବୁଠୁ ଆଶ୍ୱର୍ଯ୍ୟର ବିଷୟ ହୋଇଛି, ହାଥରସ୍ ଦଳାଚକଟା ଘଟଣା ପରେ ମଧ୍ୟ ବାବାଙ୍କ ଅଶ୍ରମଗୁଡିକରେ ଭକ୍ତଙ୍କ ଭିଡ଼ କମୁନି । ନାରାୟଣ ସାକାର ହରିଙ୍କ ପଦରଜ ନେଇ ଦୁଃଖରୁ ମୁକ୍ତି ପାଇବା ଆଶାରେ ବୟସ୍କ ମହିଳା ଭକ୍ତମାନେ ଆଶ୍ରମକୁ ଆସି ଫାଟକ ବାହାରୁ ଧୂଳି ନେଉଥିବା ଦେଖିବାକୁ ମିଳୁଛି । ଏହା ଆମ ଆତ୍ମଘୋଷିତ ବାବାମାନଙ୍କ ମାହାତ୍ମ୍ୟ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS