ରାଗିଛନ୍ତି କି ବଡ ଠାକୁର ବଳଭଦ୍ର ?


ପ୍ରସାଦ ରାଓ
ଜୁଲାଇ ୧୦/୨୦୨୪
ମଂଗଳବାର ରାତିରେ ପୁରୀ ବଡଦାଣ୍ଡସ୍ଥିତ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ଯେଉଁ ଘଟଣା ଘଟିଲା ତାହା ଅତ୍ୟନ୍ତ ଆକସ୍ମିକ ହୋିଥିଲେ ମଧ୍ୟ ଶ୍ରୀଜଗନ୍ନାଥ ଭକ୍ତଙ୍କ ଭାବାବେଗକୁ ଆଘାତ ଦେଇଛି । ଏହା ଏକ ଦୁର୍ଘଟଣା ଥିଲା କହି ଏଡାଇ ଦିଆଯାଇଛି ସତ, କିନ୍ତୁ ଆଗାମୀ ଦିନ ପାଇଁ ଏହା ଏକ ସଂକେତ ବୋଲି ଭକ୍ତ ମହଲରେ ଆଲୋଚନା ହେଉଛି । ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ୦୮ ତାରିଖ ରାତିରେ ଲାଗି ଥିବା ତିନି ଠାକୁରଙ୍କୁ ଗତକାଲି ସନ୍ଧ୍ୟାରେ ଗୋଟି ପହଣ୍ଡି କରି ମା’ ଗୁଣ୍ଡିଚାଙ୍କ ମନ୍ଦିର ଭିତରକୁ ନିଆଯିବାକୁ ଥିବା ଅଲୌକିକ ଦୃଶ୍ୟ ଚର୍ମ ଚକ୍ଷରୁ ଦେଖିବାକୁ ସେଠାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିବା ବେଳେ ଲକ୍ଷାଧିକ ଶ୍ରଦ୍ଧାଳୁ ବୈଦ୍ୟୁତିକ ଗଣମାଧ୍ୟମ ପରଦାରେ ଏହି ଅପୂର୍ବ ଦୃଶ୍ୟ ଦେଖୁଥିଲେ । ଚତୁର୍ଦ୍ଧାବିଗ୍ରହଙ୍କ ମଧ୍ୟରୁ ସୁଦର୍ଶନଙ୍କ ପରେ ବଡ ଠାକୁର ବଳଭଦ୍ରଙ୍କ ପହଣ୍ଡି ବିଜେ ଚାଲିଥିଲା । ସେବାୟତଙ୍କ ଗହଣରେ ବଡ ଠାକୁର ଚାରମାଳ ଦେଇ ରଥ ତଳକୁ ଓହ୍ଲାଇବା ସମୟରେ ଘଟିଥିଲା ଅଘଟଣ । ସେବାୟତଙ୍କ ନିୟନ୍ତ୍ରଣ ବାହାରକୁ ଯାଇ ଚାରମାଳ ଉପରେ ମୁହଁମାଡି ପଡିଗଲେ ବଡ ଠାକୁର । ଠାକୁରଙ୍କ ଆଖି ଓ ନାକରେ ଅଘାତ ଲାଗିଛି । ବଡ ଠାକୁର ବଳଭଦ୍ରଙ୍କୁ ଚାରମାଳ ଦେଇ ତଳକୁ ଆଣୁଥିବା ସେବାୟତଙ୍କ ମଧ୍ୟରୁ ଅନ୍ୟୁନ ୧୦ରୁ ୧୫ ଜଣ ଆହତ ହୋଇଥିବା କୁହାଯାଉଛି । ଏହି ସେବାୟତମାନେ ବଡ ଠାକୁରଙ୍କୁ ସାମ୍ନା ପଟୁ ସମ୍ଭାଳୁ ଥିଲେ । ଯେଉଁ ସେବାୟତମାନେ ପଶ୍ଚାତ ଭାଗରେ ରହି ବଡ ଠାକୁରଙ୍କ ଛାଟେଣି ଡୋରକୁ ସମ୍ଭାଳୁ ଥିଲେ ସେମାନଙ୍କ ହାତରୁ ଡୋର ଖସି ଯିବାରୁ ବଡ ଠାକୁର ଆଗକୁ ମୁହଁମାଡି ପଡିଥିଲେ ଏବଂ ଚାରମାଳର ସମ୍ମୁଖ ଭାଗରେ ଥିବା ସେବାୟତମାନେ ତଳେ ପଡି ଖଣ୍ଡିଆଖାବରା ହୋଇଥିଲେ । ଚାରମାଳ ଖସଡା ଥିଲା, ତେଣୁ ସେବାୟତଙ୍କ ଗୋଡ ଖସି ଏତେବଡ ଦୁର୍ଘଟଣା ଘଟିଲା ବୋଲି ଗତ ରାତିରେ ପୁରୀ ଜିଲ୍ଲା ପ୍ରଶାସନରୁ ଆରମ୍ଭ କରି ଶାସକ ଦଳର ନେତାମାନେ ସଫେଇ ଦେଇଛନ୍ତି । ଏଭଳି ଦୁର୍ଘଟଣା ଆଗରୁ ମଧ୍ୟ ଘଟିଛି । ତେଣୁ, ଚିନ୍ତା କରିବାର କାରଣ ନାହିଁ ବୋଲି କିଛି ବରିଷ୍ଠ ସେବାୟତ ଘଟଣା ପରେ ପ୍ରତିକ୍ରିୟା ବ୍ୟକ୍ତ କରି ଭକ୍ତଙ୍କୁ ଆଶ୍ୱସ୍ତ କରିବାକୁ ଉଦ୍ୟମ କରିଛନ୍ତି । ଦୁର୍ଘଟଣା ପରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବୁହା ହୋଇ ଯାଇଥିବା ସେବାୟତଙ୍କ ମଧ୍ୟରୁ କିଛି ସେବାୟତଙ୍କ ପ୍ରତିକ୍ରିୟା ହେଉଛି, ବଡ ଠାକୁରଙ୍କ ଗୋଟି ପହଣ୍ଡି ସମୟରେ କାର୍ଯ୍ୟ ସଂପାଦନ ପାଇଁ ୪୦ ଜଣ ସେବାୟତ ରଥରେ ରହିବା ନିୟମ ଥିଲେ ସୁଦ୍ଧା ତାହାକୁ ବେଖାତିରି କରି ଅଧିକ ସଂଖ୍ୟାରେ ସେବାୟତ ଓ ଅଣ ସେବାୟତ ରଥରେ ଚଢିବାରୁ ଏଭଳି ଦୁର୍ଘଟଣା ଘଟିଛି । ଅନାବଶ୍ୟକ ସେବାୟତ ଓ ଅଣ ସେବାୟତଙ୍କୁ ରଥକୁ ଯିବାକୁ କିଏ ଅନୁମତି ଦେଲା (?) ବୋଲି ସେମାନେ ପ୍ରଶ୍ନ ଉଠାଇ ପରୋକ୍ଷରେ ଜିଲ୍ଲା ପୁଲିସ ଓ ସାଧାରଣ ପ୍ରଶାସନ ଆଡକୁ ଇଂଗିତ କରିଛନ୍ତି । ଅବଶ୍ୟ, ପଶ୍ଚିତ ଭାଗରେ ରହୁଥା ସେବାୟତମାନେ ଛାଟେଣି ଡୋର ବାନ୍ଧି ତଳେ ମୁହଁମାଡି ପଡି ରହିଥିବା ବଡ ଠାକୁରଙ୍କୁ ସିଧା କରିବା ପରେ ଗୋଟି ପହଣ୍ଡି ସଂପନ୍ନ କରି ମା’ ଶ୍ରୀଗୁଣ୍ଡିଚାଙ୍କ ମନ୍ଦିରକୁ ବିଜେ କରାଇ ଥିଲେ । ପରେ ପରେ ଭଉଣୀ ସୁଭଦ୍ରା ଓ ସାନ ଭାଇ ତଥା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଗୋଟି ପହଣ୍ଡି ଓ ଶ୍ରୀଗୁଣ୍ଡିଚା ମନ୍ଦିର ପ୍ରବେଶ କାର୍ଯ୍ୟ ସୁରୁଖୁରୁରେ ସଂପନ୍ନ ହୋଇ ରାତି ପ୍ରାୟ ସାଢେ ୧୧ଟା ସମୟରେ ମା’ ଶ୍ରୀଗୁଣ୍ଡିଚାଙ୍କ ମନ୍ଦିରର ପହୁଡ ପଡିଥିଲା । ଗତାଲିର ଏହି ଦୃଶ୍ୟ ସମଗ୍ର ବିଶ୍ୱ ଦେଖିଛି । ବଡ ଠାକୁର ଚାରମାଳ ଉପରେ ମୁହଁମାଡି ପଡିବା ଘଟଣାରେ ସମସ୍ତେ ଦୁଃଖି ହୋଇଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଗୋଟି ପହଣ୍ଡି ଓ ଶ୍ରୀଗୁଣ୍ଡିଚା ବିଜେ କାର୍ଯ୍ୟ ସୁରୁଖୁରୁରେ ସରିବା ପରେ ଆଶ୍ୱସ୍ତ ହୋଇଛନ୍ତି । ତେବେ, ବିଳମ୍ବିତ ସନ୍ଧ୍ୟାରେ ଘଟିଥିବା ଅଘଟଣକୁ ନେଇ ଚର୍ଚ୍ଚା ଥମିବା ନାଁ ନେଉ ନାହିଁ । ରଥଯାତ୍ରା ସମୟରେ ପୁରୀ ଶ୍ରୀମନ୍ଦିର ନିୟମାବଳୀକୁ ସେବାୟତମାନେ ସବୁ ବେଳେ ଉଲଂଘନ କରୁଥିବା ଅଭିଯୋଗ ହେଉଥିଲା । ତିନି ରଥରେ ଠାକୁରମାନେ ବିରାଜମାନ ଥାଇ ରଥଟଣା ହେଉଥିବା ବେଳେ ରଥରେ ଯେତିକି ସଂଖ୍ୟକ ସେବାୟତ ରହିବା ଆବଶ୍ୟକ ତାହାଠାରୁ ଅଧିକ ସେବାୟତ ନ ରହିବାକୁ ଏବଂ ତିନି ରଥରେ ବିରାଜମାନ ଠାକୁରଙ୍କୁ ଯେଭଳି ଭକ୍ତମାନେ ଅବାଧରେ ଦର୍ଶନ କରି ପାରିବେ ତାହା ସୁନିଶ୍ଚିତ କରିବା ପାଇଁ ସବାୟତମାନେ ତିନି ଠାକୁରଙ୍କ ସାମ୍ନାରେ ଠିଆ ନ ରହିବାକୁ ରଥଯାତ୍ରା ପରିଚାଳନା କମିଟି ନିର୍ଦେଶ ଦେଇ ଆସୁଥିଲେ ମଧ୍ୟ ତାହାକୁ ସର୍ବଦା ଅଣଦେଖା କରାଯାଇଛି । ଚଳିତ ବର୍ଷର ରଥଟଣା ସମୟରେ ମଧ୍ୟ ସେବାୟତମାନେ ତିନି ଠାକୁରଙ୍କ ସାମ୍ନାରେ ଠିଆ ରହି ଭକ୍ତଙ୍କୁ ଅବାଧ ଦର୍ଶନର ସୁଯୋଗ ଦେଇନଥିବା ଭକ୍ତମାନେ ଅଭିଯୋଗ କରିବା ସହ ମନ ଦୁଃଖରେ ଫେରିଥିଲେ । ଚଳିତ ବର୍ଷର ରଣଟଣା ସମୟରେ ସେବାୟତମାନେ ତିନି ରଥରେ ଥିବା ପାଶ୍ୱର୍ ଦେବାଦେବୀଙ୍କ ଉପରେ ପାଦ ଥୋଇ ରଥରେ ଠିଆ ରହିଥିବା ଫଟୋ ମଧ୍ୟ ସମ୍ବାଦପତ୍ରରେ ପ୍ରକାଶ ପାଇଥିଲା । ଗତକାଲି ଚତୁର୍ଦ୍ଧାବିଗ୍ରହଙ୍କ ଶ୍ରୀଗୁଣ୍ଡିଚା ମନ୍ଦିର ପ୍ରବେଶ କାର୍ଯ୍ୟକ୍ରମରେ ବଡ ଠାକୁର ବଳଭଦ୍ରଙ୍କ ଗୋଟି ପହଣ୍ଡି ସମୟରେ ଘଟିଥିବା ଦୁର୍ଘଟଣା ବଡ ଠାକୁରଙ୍କ କୋପର କାରଣ ନୁହେଁ ତ (?) ଭକ୍ତଙ୍କ ମଧ୍ୟରେ ଏଭଳି ଆଲୋଚନା ମଧ୍ୟ ଆରମ୍ଭ ହୋଇଯାଇଛି । ଗତକାଲି ଋଷିଆ ରାଜଧାନୀ ମସ୍କୋଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ସମୁଦାୟ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବା ବେଳେ ‘ଜୟ ଜଗନ୍ନାଥ’ ଧ୍ୱନୀ ଦେଇଥିଲେ ଏବଂ ୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାବାସୀ ରାଜ୍ୟରେ ଯେଉଁ ବୈପ୍ଳବିକ ପରିବର୍ତ୍ତନ ଆଣିଛନ୍ତି ତାହାର ପ୍ରଶଂସା କରିଥିଲେ । ସେ ମଧ୍ୟ ଓଡ଼ିଆ ଉତ୍ତରୀୟ ପରିଧାନ କରି ପ୍ରତ୍ୟେକ ଓଡ଼ିଆଙ୍କୁ ଗୌରବାନ୍ୱିତ କରିଥିଲେ । ପ୍ରଧାନମନ୍ତ୍ରୀ ବିଦେଶରେ ଯାଇ ‘ଜୟ ଜଗନ୍ନାଥ’ ଦେଇଥିବା ବେଳେ ଓ ଓଡ଼ିଶାରେ ପ୍ରଥମ ଥର ପାଇଁ ତାଙ୍କ ଦଳ (ବିଜେପି) ବିଧାନସଭା ନିର୍ବାଚନରେ ଏକକ ସଂଖ୍ୟାଗରିଷ୍ଠତା ହାସଲ କରି ସରକାର କରିଥିବା ବେଳେ ବିଜେପି ସରକାର ଦ୍ୱାରା ପରିଚାଳିତ ରଥଯାତ୍ରାରେ ବଡ ଠାକୁର ବଳଭଦ୍ର ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯିବା ସକାଶେ ଗୋଟି ପହଣ୍ଡିରେ ରଥରୁ ଓହ୍ଲାଇବା ସମୟରେ ମୁହଁମାଡି ପଡିଯିବା ଓ ୧୦ରୁ ଅଧିକ ସେବାୟତ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେବା ବିଡମ୍ବନା ହିଁ କୁହାଯିବ । ରଥଯାତ୍ରା ଦିନ ମଧ୍ୟ ଆଶାତୀତ ଭିଡ଼ କାରଣରୁ ଅଣନିଶ୍ୱାସୀ ହୋଇ ଜଣେ ଭକ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ବହୁ ଭକ୍ତ ଅସୁସ୍ଥ ହୋଇପଡି ପୁରୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ଭିଡ଼ ନିୟନ୍ତ୍ରଣ ଠିକ୍ ଭାବରେ ନ ହେବାରୁ ରଥଟଣା ସମୟରେ ଏଭଳି ଘଟିଥିଲା ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା । ଗତକାଲି ରାତିରେ ଘଟିଥିବା ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିବା ସହ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ତୁରନ୍ତ ପୁରୀ ଯାଇ ପରିସ୍ଥିତି ଅନୁଧ୍ୟାନ କରିବାକୁ ନିର୍ଦେଶ ଦେଇଥିଲେ । ରାତାରାତି ସେମାନେ ପୁରୀରେ ପହଂଚି ପୁରୀ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବା ସେବାୟତଙ୍କୁ ଭେଟି ଥିଲେ । ବଡ ଠାକୁରଙ୍କ ଗୋଟି ପହଣ୍ଡି ବେଳେ ପଛରୁ ଟାଣି ଧରିବା ପାଇଁ ଥିବା ଛାଟେଣି ଡୋର ଖସି ଯିବାରୁ ଓ ବର୍ଷାରେ ଭିଜି ଚାରମାଳ ଖସଡା ଥିବାରୁ ସେବାୟତଙ୍କ ପାଦ ଖସି ଏଭଳି ଏକ ଅଭାବନୀୟ ଘଟଣା ଘଟିଲା ବୋଲି ସେବାୟତମାନେ ଉପ ମୁଖ୍ୟମନ୍ତ୍ରୀ ଓ ଆଇନ ମନ୍ତ୍ରୀଙ୍କୁ କହିଛନ୍ତି । ତେବେ, ସେମାନେ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ, ଠାକୁରମାନଙ୍କ ଗୋଟି ପହଣ୍ଡି ସମୟରେ ରଥମାନଙ୍କରେ କେବଳ ଅଭିଜ୍ଞତା ସଂପନ୍ନ ସେବାୟତମାନେ ରହିବା ନିୟମ ଥିବା ସମୟରେ ବହୁ ସଂଖ୍ୟାରେ ଅନଧିକୃତ ସେବାୟତ (ଯେଉଁମାନଙ୍କର ଗୋଟି ପହଣ୍ଡିରେ କୌଣସି ଭୂମିକା ନାହିଁ, ସେମାନଙ୍କ ପାଇଁ ଅନ୍ୟାନ୍ୟ ଦାୟିତ୍ୱ ରହିଛି) ଓ ଅଣ ସେବାୟତ ରଥରେ ରହିବାରୁ ଏଭଳି ବିଭ୍ରାଟ ଘଟିଛି । ମୁଖ୍ୟମନ୍ତ୍ରୀ ଘଟଣାର ତଦନ୍ତ ପାଇଁ ନିର୍ଦେଶ ଦେଇଛନ୍ତି । ରାଜ୍ୟ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ଓ ଆଇନ ମନ୍ତ୍ରୀ ହରିଚନ୍ଦନ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି । ତେବେ, ଆଜି ଅପରାହ୍ନ ସୁଦ୍ଧା ସରକାରଙ୍କ ଆଡୁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇଥିବାର ସୂଚନା ନାହିଁ । ଅତୀତରେ ଦେଖିବାକୁ ମିଳିଛି, ରାଜ୍ୟର ମନ୍ତ୍ରୀମାନେ ପୁରୀ ଶ୍ରୀମନ୍ଦିର ଗଲେ ସେବାୟତଙ୍କ ପାଦ ଛୁଇଁଥା’ନ୍ତି ଏବଂ ସେମାନଙ୍କ ସହ ବସାଉଠା କରିଥା’ନ୍ତି । ଏଥିରେ କୌଣସି ସନ୍ଦେହ ନାହିଁ ଯେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅତ୍ୟନ୍ତ ନିକଟତମ ଓ ଅନ୍ତରଂଗ ସେବକ ଭାବେ ସେବାୟତମାନେ ଏଭଳି ସମ୍ମାନର ଅଧିକାରୀ । ତେବେ, ଠାକୁରମାନଙ୍କ ନୀତିକାନ୍ତିରେ ଅବହେଳା ହେଲେ ବା ମଂଗଳବାର ରାତି ଭଳି ଅଘଟଣ ଘଟିଲେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବାର ଆବଶ୍ୟକତା ମଧ୍ୟ ରହିଛି । ରାଜ୍ୟରେ ୨୪ ବର୍ଷ ଧରି ଶାସନରେ ଥିବା ବିଜେଡ଼ି ଏବେ ବିଧାନସଭାରେ ବିରୋଧୀ ଭୂମିକାରେ ରହିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ରାଜ୍ୟ ବିଧାନସଭାରେ ବିରୋଧୀ ଦଳ ନେତା ରହିଛନ୍ତି । ଗତକାଲି ରାତିରେ ଅଘଟଣକୁ ନେଇ ବିରୋଧୀ ଦଳମାନେ ଯେଭଳି ତୁମ୍ବିତୋଫାନ କରିବା କଥା ତାହା କରିନଥିବା ବିରୋଧୀ ଦଳ ନେତାଙ୍କ ସହନଶୀଳତା ଓ ଭାବମୂର୍ତ୍ତିକୁ ଅଧିକ ଉଜ୍ୱଳ କରିଛି । ନବୀନ ଗତକାଲି ରାତି ଘଟଣାରେ ଦୁଃଖୀ ବୋଲି କହିଛନ୍ତି ଓ ଏହାର ପୁନରାବୃତ୍ତି ନଘଟୁ ବୋଲି ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ଏବେ ସରକାର କିଭଳି ଭାବେ ଏହି ଘଟଣାର ପରିଚାଳନା କରୁଛନ୍ତି ତାହା ଦେଖିବା ସମୟ ଆସିଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS