ଫୁଙ୍କି ଫୁଙ୍କି ଚା’ ପିଉଛନ୍ତି ମୋହନ ମାଝୀ ସରକାର !


ପ୍ରସାଦ ରାଓ
ଜୁଲାଇ ୧୨/୨୦୨୪
ଏମିତି ବି ବଦଳିଥା’ନ୍ତେ ପୁରୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀରବିକ୍ରମ ଯାଦବ । ବିଜେଡ଼ି ସରକାରରେ ଅତ୍ୟନ୍ତ ପ୍ରଭାବଶାଳୀ ପ୍ରଶାସକ-ନେତା ଥିବା ଭି.କାର୍ତ୍ତିକେୟନ ପାଣ୍ଡିଆନଙ୍କ ଘନିଷ୍ଟ ପ୍ରଶାସକମାନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବିଜେପି ସରକାର ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ ପଦବୀରୁ ହଟାଇବା ଆରମ୍ଭ କରିଛନ୍ତି । ବିଜେଡ଼ି ସରକାରରେ ମାଥି ଭାତନନ୍, ଭିନିଲ କ୍ରୀଷ୍ଣାଙ୍କ ଭଳି ପାଣ୍ଡିଆନଙ୍କ ଅତ୍ୟନ୍ତ ଘନିଷ୍ଟ ସହଯୋଗୀ ତଥା ପ୍ରଭାବଶାଳୀ ପ୍ରଶାସନିକ ଅଧିକାରୀଙ୍କୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସରକାରୀ ପଦପଦବୀରୁ ହଟାଇ କମ୍ ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ ଦାୟିତ୍ୱରେ ନିଯୁକ୍ତି ସରିଲାଣି । ପୁରୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀରବକ୍ରମ ଯାଦବ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବା ତାଲିକାରେ ଥିଲେ । ରାଜ୍ୟ ସରକାରଙ୍କ ଯୋଗାଣ ଓ ପୂର୍ତ୍ତ ବିଭାଗର ସଚିବ ଦାୟିତ୍ୱ ସହ ସେ ପୁରୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉ ଥିଲେ । ମଂଗଳବାର (ଜୁଲାଇ ୦୯ ତାରିଖ) ରାତିରେ ବଡ ଠାକୁର ବଳଭଦ୍ରଙ୍କ ଗୋଟି ପହଣ୍ଡି ସମୟରେ ରଥର ଚାରମାଳ ଉପରେ ଘଟିଥିବା ବିଭ୍ରାଟକୁ ନେଇ ମାଝୀ ସରକାର ଚାପରେ ଥିବାରୁ ପ୍ରଥମ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ବୀରବିକ୍ରମ ଯାଦବଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱରୁ ହଟାଇ ସରକାର କୌଣସି ପ୍ରକାର ବିଶୃଙ୍ଖଳାକୁ ବରଦାସ୍ତ କରିବେ ନାହିଁ ବୋଲି ରାଜ୍ୟବାସୀଙ୍କୁ ବାର୍ତ୍ତା ଦେବାକୁ ଉଦ୍ୟମ କରିଛନ୍ତି ।
ଗୁରୁବାର (ଜୁଲାଇ ୧୧ ତାରିଖ) ବିଳମ୍ବିତ ରାତ୍ରୀରେ ରାଜ୍ୟ ସରକାରଙ୍କ ଆଇନ ବିଭାଗ ଏକ ବିଜ୍ଞପ୍ତି ଜାରି କରି ବରିଷ୍ଠ ଆଇଏଏସ ବୀରବିକ୍ରମ ଯାଦବଙ୍କୁ ପୁରୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପଦରୁ ହଟାଇ ଦିଆଯାଇଥିବା ଏବଂ ତାଙ୍କ ସ୍ଥାନରେ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଅରବିନ୍ଦ କୁମାର ପାଢୀଙ୍କୁ ମୁଖ୍ୟ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିବା ସୂଚିତ କରିଛି । ପାଢୀ ପୂର୍ବରୁ ମଧ୍ୟ ପୁରୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ତୁଲାଇ ଥିଲେ । ତେଣୁ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସରକାର ତାଙ୍କୁ ଯାଦବଙ୍କ ସ୍ଥାନରେ ନିଯୁକ୍ତି ଦେଇ ଗୋଟିଏ ଗୁଳିରେ ଦୁଇଟି ଶିକାର କରିଛନ୍ତି । ପ୍ରଥମଟି ହେଉଛି, ଜୁଲାଇ ୦୯ ତାରିଖ ଘଟଣାକୁ ରାଜ୍ୟ ସରକାର ହାଲୁକାରେ ନେଉ ନାହାନ୍ତି, କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି ବୋଲି ସୂଚନା ଦେବାର ଉଦ୍ୟମ ହୋଇଛି । ଦ୍ୱିତୀୟଟି ହେଉଛି, ଓଡ଼ିଆ ଅସ୍ମିତା କଥା । ଯାଦବଙ୍କୁ ହଟାଇ ପାଢୀଙ୍କୁ ପୁରୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ୱ ଦେଇ ଓଡ଼ିଶା ସରକାର ନିର୍ବାଚନ ସମୟରେ ବହୁ ପ୍ରଚାରିତ ଓଡ଼ିଆ ଅସ୍ମିତାର ସୁରକ୍ଷା କାର୍ଯ୍ୟ ଆରମ୍ଭ କରିଥିବାର ବାର୍ତ୍ତା ଦେଇଛନ୍ତି । ପାଢୀଙ୍କ ଭଳି ଜଣେ ଦକ୍ଷ ଓ ନିଷ୍ଠାପର ପ୍ରଶାସକଙ୍କ ହାତରେ ପୁରୀ ଶ୍ରୀମନ୍ଦିର ପରିଚାଳନା କାର୍ଯ୍ୟ ଅଧିକ ଶୃଙ୍ଖଳିତ ହେବ ବୋଲି ରାଜ୍ୟ ସରକାର ଏହି ନିଯୁକ୍ତି ମାଧ୍ୟମରେ କହିବାକୁ ଚେଷ୍ଟା କରିଛନ୍ତି ।
ଜୁଲାଇ ୦୯ ତାରିଖ ରାତିରେ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ବଡ ଠାକୁର ଶ୍ରୀବଳଭଦ୍ରଙ୍କୁ ଚାଳମାଳ ଦେଇ ରଥରୁ ତଳକୁ ନିଆଯିବା ସମୟରେ ଘଟିଥିବା ବିଭ୍ରାଟ ଓଡ଼ିଶାବାସୀଙ୍କ, ବିଶେଷକରି ବିଶ୍ୱବ୍ୟାପୀ ଶୀଜଗନ୍ନାଥ ଭକ୍ତଙ୍କୁ ମର୍ମାହତ କରିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ବିଧାନସଭାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏହି ଘଟଣାରେ ମର୍ମାହତ ଥିବା ଦର୍ଶାଇ ଏଭଳି ଘଟଣାର ପୁନରାବୃତ୍ତି ନହେବା ଦିଗରେ ରାଜ୍ୟ ସରକାର ତୁରନ୍ତ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ନିବେଦନ କରିଥିଲେ । ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ପୋଷ୍ଟ ହୋଇଥିବା ନବୀନଙ୍କ ଚିଠି ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ବହୁଳ ପ୍ରସାରିତ ହେବା ପରେ ମୁଖ୍ୟମନ୍ତ୍ରୀ ମାଝୀ ତାହାର ଉତ୍ତରରେ ସେ ନିଜେ ମଧ୍ୟ ୦୯ ତାରିଖ ବିଭ୍ରାଟକୁ ନେଇ ମର୍ମାହତ ବୋଲି ନବୀନଙ୍କୁ ପାଲଟା ଚିଠି ଲେଖିଛନ୍ତି । ସରକାର ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ମଧ୍ୟ ଦୃଢ ପ୍ରତିଶ୍ରୁତି ଦେଇଛନ୍ତି । ଏହି ଚିଠି ଦିଆନିଆ ପରେ ବୀରବିକ୍ରମ ଯାଦବଙ୍କ ମୁଣ୍ଡରେ ପ୍ରଥମ ଖଣ୍ଡା ଛିଡିଛି । ନୂତନ ମୁଖ୍ୟ ପ୍ରଶାସକ ପାଢୀ ଆଜି ଦାୟିତ୍ୱ ନେଉ ନେଉ ପୁରୀ ଶ୍ରୀମନ୍ଦିର ପରିଚାଳନାରେ କୌଣସି ପ୍ରକାର ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ବାର୍ତ୍ତା ଦେଇଛନ୍ତି ।
ରଥ ଉପରେ ସେବାୟତଙ୍କ ଦ୍ୱାରା ମୋବାଇଲ ଫୋନର ଅବାଧ ବ୍ୟବହାର କାରଣରୁ ଜୁଲାଇ ୦୯ ତାରିଖ ରାତିର ଗୋଟି ପହଣ୍ଡି ବେଳେ ମହାପ୍ରଭୁ ଶ୍ରୀବଳଭଦ୍ର ରଥ ଚାରମାଳରୁ ଖସି ମୁହଁମାଡି ପଡିବା ଓ ଠାକୁରଙ୍କ ସାମ୍ନାରେ ରହିଥିବା ସେବାୟତମାନେ ତାହା ତଳେ ଚାବି ହୋଇ ଖଣ୍ଡିଆ ଖାବରା ହୋଇଥିବା ବରିଷ୍ଠ ସେବାୟତମାନେ ଅଭିଯୋଗ କରିଥିବାରୁ ନୂତନ ମୁଖ୍ୟ ପ୍ରଶାସକ ପାଢୀ ପ୍ରଥମେ ରଥ ଉପରକୁ ମୋବାଇଲ ଫୋନ୍ ନେବା ନିଷିଦ୍ଧ କରିଛନ୍ତି । ଆଜି ପୁରୀରେ ଗଣମାଧ୍ୟମ ସହ ଆଲୋଚନା ବେଳେ ପାଢୀ କହିଛନ୍ତି, ରଥଯାତ୍ରୀର ରୀତିନୀତି ଯେଭଳି ଶୃଙ୍ଖଳିତ ଭାବେ ସମାପିତ ହେବ, ତାହା ଉପରେ ପ୍ରଥମେ ଗୁରୁତ୍ୱ ଦିଆଯିବା । ପୁରୀ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବେ । ଯେଉଁମାନେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବହୁ ସଂଖ୍ୟକ ଅଣ ସେବାୟତ ରଥ ଉପରେ ଚଢି ଅବାଧରେ ମୋବାଇଲ ଫୋନର ବ୍ୟବହାର କରିବାରୁ ମହାପ୍ରଭୁ ବଳଭଦ୍ରଙ୍କ ଗୋଟି ପହଣ୍ଡିରେ ବିଭ୍ରାଟ ଘଟିଲା । ତେଣୁ, ରଥ ଉପରକୁ ମୋବାଇଲ ନେବା ସେ ନିଷିଦ୍ଧ କରିଛନ୍ତି ବୋଲି ପାଢୀ କହିଛନ୍ତି ।
ଜୁଲାଇ ୦୯ ତାରିଖ ଘଟଣାକୁ ନେଇ ଶ୍ରୀଜଗନ୍ନାଥ ପ୍ରେମୀ ଓ ଭକ୍ତମାନେ ନାନାକଥା ଆଲୋଚନା କରୁଥିବାରୁ ଏବଂ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଚାପ ବଢୁଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସରକାର ଫୁଙ୍କି ଫୁଙ୍କି ଚା’ ପିଇବା ଆରମ୍ଭ କରିଥିବା ଦେଖିବାକୁ ମିଳୁଛି । ତାଳଧ୍ୱଜ ରଥର ସେବକମାନେ ବଡ ଠାକୁରଙ୍କୁ ଚାରମାଳ ଦେଇ ଗୋଟି ପହଣ୍ଡିରେ ତଳକୁ ଆଣୁଥିବା ବେଳେ ଛାଟେଣି ଡୋର ଖସି ବଡ ଠାକୁର ମୁହଁମାଡି ପଡି ଯାଇଥିଲେ । ସେବକମାନେ ଖଣ୍ଡିଆଖାବରା ହୋଇଥିଲେ । ଅନ୍ୟୁନ ୧୦ରୁ ୧୫ ଜଣ ସେବାୟତ ପୁରୀ ମୁଖ୍ୟ ଚିକତ୍ସାଳୟରେ ଚିକିତ୍ସିତ ହୋଇଥିଲେ । ରାଜ୍ୟର ସାଧାରଣ ପ୍ରଶାସନ ଓ ପୁଲିସ ପ୍ରଶାସନର ବରିଷ୍ଠ ଅଧକାରୀଙ୍କ ଉପସ୍ଥିତିରେ ଏତେବଡ ବିଭ୍ରାଟ ଘଟିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ଘଟଣା ସ୍ଥଳ ପରିଦର୍ଶନ କରିଥିବା ରାଜ୍ୟ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ହାସ୍ୟାସ୍ପଦ ବୟାନମାନ ଦେଇ ରାଜ୍ୟବାସୀଙ୍କୁ ଅଧିକ ମର୍ମାହତ କରିଥିଲେ । ଦୁହେଁ ପୁରୀ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ସେବାୟତଙ୍କୁ ଭେଟିବା ପରେ ବଡ ଠାକୁରଙ୍କ ରଥରେ ଘଟିଥିବା ଘଟଣା ‘ସାମାନ୍ୟ ଦୁର୍ଘଟଣା’ ଥିଲା ବୋଲି ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା କହିଥିବା ବେଳେ ‘ଏହା ଲୀଳାମୟ ଠାକୁୁରଙ୍କ ଲୀଳା ଥିଲା, ଆଗକୁ ଆହୁରି ଶୃଙ୍ଖଳିତ ରଥଯାତ୍ରା ପାଇଁ ବଡ ପଦକ୍ଷେପ ନିଆଯିବ’ ବୋଲି ଆଇନ ମନ୍ତ୍ରୀ କହିଥିଲେ ।
ରଥ ଉପରେ ଅଣ ସେବାୟତଙ୍କ ଉତ୍ପାତକୁ ନେଇ କୌଣସି ଅଭିଯୋଗ ଆସିନି । ସେଦିନ ମନ୍ଦିରରେ କିଛି ଅଣ ସେବାୟତ ଥିଲେ । ଘଟଣାକୁ ସବୁ ଦିଗରୁ ଅନୁଧ୍ୟାନ କରାଯାଇ ଆଗାମୀ ପଦକ୍ଷେପ ନିଆଯିବ ବୋଲି ଆଇନ ମନ୍ତ୍ରୀ ହରିଚନ୍ଦନ ଆଶ୍ୱସ୍ତ କରିଥିଲେ ମଧ୍ୟ ଉଭୟ ଉପ ମୁଖ୍ୟମନ୍ତ୍ରୀ ପରିଡା ଓ ଆଇନ ମନ୍ତ୍ରୀ ହରିଚନ୍ଦନଙ୍କ ଗୋଲମୋଲ ଉତ୍ତର ରାଜ୍ୟବାସୀଙ୍କୁ ସନ୍ତୁଷ୍ଟି କରିନଥିଲା । ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ମଂଗଳବାର ଘଟଣାକୁ ‘ଅସାମାନ୍ୟ’ କହି ଆଗରୁ ସେ କେବେ ଏଭଳି ଘଟିଥିବା ଦେଖି ନାହାନ୍ତି ବୋଲି କ୍ଷୋଭ ପ୍ରକାଶ କରିଥିଲେ । ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ଥିବା ପୁରୀ ଗଜପତି ମହାରାଜା ଗଣମାଧ୍ୟମକୁ କହିଥିଲେ, ବଡ ଠାକୁର ରଥରୁ ଖସି ମୁହଁମାଡି ତଳେ ପଡିବା ସମଗ୍ର ବିଶ୍ୱ ଦେଖିଛି, ସମସ୍ତ ଜଗନ୍ନାଥ ଭକ୍ତ ଘଟଣାକୁ ନେଇ ମର୍ମାହତ । ଏଭଳି ଦୃଶ୍ୟ ଆମେ କେବେ ଦେଖି ନଥିଲୁ । କାହିଁକି ହେଲା, କେମିତି ହେଲା ତାହା ପ୍ରଶାସନ (ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟି) ପୁଙ୍ଖାନୁପୁଙ୍ଖ ଯାଂଚ କରିବ । ଆଗାମୀ ସମୟରେ ଏଭଳି ଅଘଟଣ ଯେମିତି ନଘଟେ ସେଦିଗରେ ପ୍ରଶାସନ ଓ ସେବକ ଭାଇମାନେ ଉପଯୁକ୍ତ ପଦକ୍ଷେପ ନେବେ ।
ପୁରୀ ଗଜପତି ମହାରାଜା ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ଥିବାରୁ ଏକ ତିନି ଜଣିଆ କମିଟି ଗଠନ କରି ମଂଗଳବାର (ଜୁଲାଇ ୦୯ ତାରିଖ) ଘଟଣାର ଯାଂଚ କାର୍ଯ୍ୟ ଆରମ୍ଭ କରାଇଛନ୍ତି । କମିଟିରେ ପୁରୀ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନର ବରିଷ୍ଠ ଅଧିକାରୀ ରହିଥିବା ଜଣାପଡିଛି । ରାଜ୍ୟ ସରକାର କେବଳ ପୁରୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପଦରୁ ବୀରବିକ୍ରମକୁ ହଟାଇ ଅରବିନ୍ଦ ପାଢୀଙ୍କୁ ନିଯୁକ୍ତି ଦେବାରେ ସୀମିତ ରହିଛନ୍ତି । ବଡ ଠାକୁର ବଳଭଦ୍ର ଚାରମାଳରୁ ଖସିବା ଘଟଣାକୁ ନେଇ ଦୁଇଟି ବଡ ଅଭିଯୋଗ ହୋଇଛି । ପ୍ରଇମଟି ହେଉଛି – ତିନି ରଥରେ ନିର୍ଦ୍ଧାରିତ ସଂଖ୍ୟାରୁ ଅଧିକ ସେବକ ଓ ଅଣ ସେବକ ରଥ ଉପରକୁ ଚଢି ବିଶୃଙ୍ଖଳା ସୃଷ୍ଟି କରିବା । ଦ୍ୱିତୀୟ ଅଭିଯୋଗ ହେଉଛି – ବିଭିନ୍ନ ଯାନିଯାତ୍ରା ସମୟରେ, ବିଶେଷକରି ରଥଯାତ୍ରା ବେଳେ ସେବକ ଓ ଅଣ ସେବକମାନେ ମୋବାଇଲ ଫୋନର ଅବାଧ ବ୍ୟବହାର କରିବା । ଠାକୁରମାନଙ୍କ ସେବା ଅପେକ୍ଷା ମୋବାଇଲ ଫୋନରେ ସେଲ୍ଫି ନେବା ଅନେକ ସେବକ ଓ ଅଣ ସେବକଙ୍କ ସଉକ ହୋଇଥିବାରୁ ଜୁଲାଇ ୦୯ ତାରିଖ ଦିନର ଅଭାବନୀୟ ଘଟଣା ଘଟିଛି । ପୁରୀ ଶ୍ରୀମନ୍ଦିରର ବରିଷ୍ଠ ସେବାୟତମାନେ ହିଁ ଗଣମାଧ୍ୟମରେ ଏଭଳି ଅଭିଯୋଗ କରିଛନ୍ତି ।
ପୁରୀ ଶ୍ରୀମନ୍ଦିରର ବିଭିନ୍ନ ନୀତିକାନ୍ତିରେ ଅବହେଳା ଓ ବିଭ୍ରାଟ ପାଇଁ ଏହା ଅନ୍ୟତମ କାରଣ ବୋଲି ଶ୍ରୀମନ୍ଦିର ପ୍ରଶାସନ ମଧ୍ୟ ସ୍ୱୀକାର କରୁଛି । ଶ୍ରୀଜୀଉମାନଙ୍କ ଦର୍ଶନ ପାଇଁ ଯାଉଥିବା ଶ୍ରୀମନ୍ଦିର ଯାଉଥିବା ସାଧାରଣ ଭକ୍ତମାନେ ସେମାନଙ୍କ ମୋବାଇଲ ଫୋନ ମନ୍ଦିର ନିକଟସ୍ଥ ଯୋତା ଷ୍ଟାଣ୍ଡଗୁଡିକରେ ରଖିବାକୁ ବାଧ୍ୟ ହେଉଥିବା ବେଳେ ଶ୍ରୀମନ୍ଦିର ସେବକଙ୍କ ପାଇଁ ସେଭଳି କିଛି କଟକଣା ନାହିଁ । ମନ୍ଦିର ଭିତରେ ଅବାଧରେ ସେମାନେ ମୋବାଇଲ ବ୍ୟବହାର କରନ୍ତି । ଆଉ ରଥଯାତ୍ରାରେ…ପୁରୀ ବଡଦାଣ୍ଡରେ ଚତୁର୍ଦ୍ଧାବିଗ୍ରହଙ୍କ ତିନି ରଥ ଗଡୁଥିବା ବେଳେ ରଥ ଉପରେ ଥିବା ସେବକ ଓ ଅଣ ସେବକଙ୍କ ହାତରେ ମୋବାଇଲ ଫୋନ ଥାଏ । ଭକ୍ତମାନେ ତଳେ ଥାଇ ତିନି ଠାକୁରଙ୍କ ମୁହଁକୁ ଟିକେ ଦେଖିବାକୁ ବ୍ୟାକୁଳ ହେଉଥିବା ବେଳେ ରଥ ଉପରେ ଥିବା ସେବକ ଓ ଅଣ ସେବକମାନେ ଠାକୁରମାନଙ୍କୁ ଆଢୁଆଳରେ ରଖି ସେଲ୍ଫି ଉଠାଇବାରେ ମାତିଥା’ନ୍ତି । ଜୁଲାଇ ୦୯ ତାରିଖ ରାତିରେ ତିନି ଠାକୁରଙ୍କ ରଥ ଗୁଣ୍ଡିଚା ମନ୍ଦିରରେ ଲାଗିବା ପରେ ଚାରମାଳ ଲାଗିଥିଲା । ପରଂପରା ଅନୁଯାୟୀ ପ୍ରଥମେ ବଡ ଠାକୁରଙ୍କୁ ଗୋଟି ପହଣ୍ଡିରେ ତଳକୁ ନିଆଯିବା ବେଳେ ହିଁ ବିଭ୍ରାଟ ଘଟିଥିଲା । ଅଭିଜ୍ଞ ସେବକମାନେ ରଥରେ ରହି ଏହି କାର୍ଯ୍ୟ ସଂପାଦନ କରିବା ନିୟମ ଥିଲେ ମଧ୍ୟ ସେଦିନ ନିୟମକୁ ଫୁ’ କରି ଅନାବଶ୍ୟକ ଭାବେ ମାତ୍ରାଧିକ ସେବକ ରଥ ଉପରେ ରହି ବିଭ୍ରାଟର କାରଣ ହୋଇଥିଲେ ।
ବର୍ଷ ବର୍ଷ ଧରି ରଥଯାତ୍ରା ପରଂପରା ଚାଲି ଆସିଥିଲେ ମଧ୍ୟ ଏଭଳି ଗୁରୁତର ବିଭ୍ରାଟ କେବେ ଘଟିନଥିବା ପୁରୀ ଗଜପତି ମହାରାଜା ନିଜେ କହିଛନ୍ତି । ଜୁଲାଇ ୧୫ ତାରିଖ ବାହାଡୁ ଯାତ୍ରାରେ ତିନି ଠାକୁର ଶ୍ରୀମନ୍ଦିର ନିକଟକୁ ଫେରିବେ । ସେଦିନ ମା’ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ଠାକୁରମାନଙ୍କ ବାହୁଡା ପହଣ୍ଡି କରାଯିବ । ୧୯ ତାରିଖରେ ନୀଳାଦ୍ରି ବିଜେ ରହିଛି । ଚତୁର୍ଦ୍ଧା ବିଗ୍ରହ ରଥରୁ ପହଣ୍ଡି ହୋଇ ଆସି ଶ୍ରୀମନ୍ଦିର ଭିତରକୁ ଯିବେ । ତେଣୁ, ସରକାର ଓ ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟି କାର୍ଯ୍ୟାନୁଷ୍ଠାନ ମାଧ୍ୟମରେ ମନ୍ଦିର ସେବାୟତଙ୍କୁ ଅସନ୍ତୁଷ୍ଟ କରିବାକୁ ଚାହୁଁ ନାହାନ୍ତି । ବଡ ଠାକୁର ଶ୍ରୀବଳଭଦ୍ର ଚାରମାଳରୁ ଖସି ପଡିବା ଘଟଣାର ତଦନ୍ତ ନୀଳାଦ୍ରି ବିଜେର ୧୦ ଦିନ ମଧ୍ୟରେ ଶେଷ କରି ରିପୋର୍ଟ ଦାକଲ କରିବାକୁ ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟି ତଦନ୍ତ ପାଇଁ ଗଠିତ ତିନି ଜଣିଆ କମିଟିକୁ କହିଛନ୍ତି । ତଦନ୍ତ ରିପୋର୍ଟ ମିଳିଲେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ହେବ କୁହାଯାଉଥିବାରୁ ସେପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ଦ୍ୱାରା ନବ ନିଯୁକ୍ତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ମୋର୍ଚ୍ଚା ସମ୍ଭାଳିବେ । ବାହୁଡା ଓ ନୀଳାଦ୍ରି ବିଜେ ପରଂପରା ଶୃଙ୍ଖଳିତ ଭାବେ ସମାପିତ ହେବା ପରେ ସରକାର କଣ କରୁଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିବ ।
ମୁଖ୍ୟ ସଂପାଦକ, ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS