ସପ୍ତାହାନ୍ତ ରାଜନୀତି : ‘ଇନ୍ଦରାଙ୍କ ଏମର୍ଜେନ୍ସୀ’ ବନାମ ‘ସମ୍ବିଧାନ ହତ୍ୟା ଦିବସ’


ପ୍ରସାଦ ରାଓ
ଜୁଲାଇ ୧୩/୨୦୨୪
ଦଶ ବର୍ଷର ବିଜେପି ଶାସନରେ ଦେଶର ଗଣତାନ୍ତ୍ରିକ ମୂଲ୍ୟବୋଧ ଅସୁରକ୍ଷିତ ହୋଇଥିବା ଓ ସମ୍ବିଧାନକୁ ପାଦରେ ଦଳି ଦିଆଯାଇ ଦେଶକୁ ଏକଛତ୍ରବାଦ ଆଡକୁ ଟାଣି ନିଆଯାଇଥିବା ୨୦୨୪ ସାଧାରଣ ନିର୍ବାଚନରେ ବିରୋଧୀଙ୍କ ଏକ ପ୍ରମୁଖ ଅଭିଯୋଗ ଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କ ସରକାର ଏହାକୁ ଅସ୍ୱୀକାର କରିଥିଲେ ଓ ଦେଶର ଗଣତନ୍ତ୍ର ଓ ସମ୍ବିଧାନ ପ୍ରତି ସରକାରଙ୍କ ଯଥେଷ୍ଟ ଶ୍ରଦ୍ଧା ଓ ସମ୍ମାନ ରହିଛି କହି ଭୋଟରଙ୍କ ସାମ୍ନା କରିଥିଲେ । ଦେଶବାସୀ ଅନ୍ୟାନ୍ୟ ପ୍ରସଙ୍ଗ ସହ ଏହି ପ୍ରସଙ୍ଗକୁ ମଧ୍ୟ ଆଖିରେ ରଖି ମତଦାନ କରିଥିଲେ । ୨୦୨୪ ନିର୍ବାଚନ ଫଳାଫଳ କଣ ହେଲା, ତାହା ସମସ୍ତେ ଜାଣନ୍ତି । ଦେଶବାସୀ ତୃତୀୟ ଥର ପାଇଁ ମୋଦୀଙ୍କୁ କ୍ଷମତାକୁ ଆଣିଥିଲେ ମଧ୍ୟ ୨୦୧୪ ଓ ୨୦୧୯ ଭଳି ବିଜେପି ସପକ୍ଷରେ ଏକପାଖିଆ ମତଦାନ କରିନଥିଲେ । ଅଷ୍ଟାଦଶ ଲୋକସଭାରେ ବିଜେପି ଏକାକୀ ସରକାର ଗଠନ ସକାଶେ ଆବଶ୍ୟକ ମେଜିକ ସଂଖ୍ୟାରୁ ଯଥେଷ୍ଟ ଦୂରରେ ରହିଛି । ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଂଟ (ଏନଡିଏ) ପାଇଥିବା ସଂଖ୍ୟା ବଳରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ତୃତୀୟ ପାଳି ସରକାର କରିଛନ୍ତି । ଏନଡିଏରେ ଥିବା ଦୁଇଟି ଆଂଚଳିକ ରାଜନୈତିକ ଦଳ ଜେଡିୟୁ ଓ ଟିଡିପି ସରକାରଙ୍କ ଆଶାବାଡୀ ହୋଇଛନ୍ତି । ଏହି ସରକାର ପାଂଚ ବର୍ଷ ଚାଲିବ ବୋଲି ବିଜେପି ଦୃଢତାର ସହ କହୁଥିଲେ ମଧ୍ୟ ଦଶ ବର୍ଷ ପରେ ଲୋକସଭାରେ ଶକ୍ତିଶାଳୀ ବିରୋଧୀ ଦଳ ଭୂମିକାରେ ଉଭା ହୋଇଥିବା ବିରୋଧୀ ‘ଇଣ୍ଡି’ ମେଂଟ ସରକାର ପତନର ଅବଗଣନା ଆରମ୍ଭ କରି ଦେଇଛି । ଜେଡ଼ିୟୁ ଭଳି ଏକ ଅସ୍ଥିର ରାଜନୈତିକ ଦଳ ଓ ଟିଭିପି ଭଳି ଏକ ଉଚ୍ଚାଭିଳାଷୀ ରାଜନୈତିକ ଦଳର ସାହାରାରେ ମୋଦୀ ୦୩ ସରକାର ଅଧିକ ଦିନ ତିଷ୍ଠିବେ ନାହିଁ ବିରୋଧୀ ମେଂଟର ନେତାମାନେ ବାରମ୍ବାର ବୟାନ ଦେଉଥିବା ବିଜେପିର ଚିନ୍ତା ବଢାଇଛି । ତେଣୁ, ବିରୋଧୀ ଯେଉଁ ଗଣତନ୍ତ୍ର ଓ ସମ୍ବିଧାନକୁ ଅସ୍ତ୍ର କରି ୨୦୨୪ ନିର୍ବାଚନରେ ବିଜେପିକୁ ନିରଙ୍କୁଶ କ୍ଷମତା ଦଖଲରୁ ବଂଚିତ କରିଛନ୍ତି ସେହି ଅସ୍ତ୍ରକୁ ସେମାନଙ୍କ ବିରୋଧରେ ପ୍ରୟୋଗ କରି ବିରୋଧୀଙ୍କୁ ଦେଶବାସୀଙ୍କ ସମ୍ମୁଖରେ ଲଜ୍ଜିତ କରିବାକୁ ବିଜେପି ଯେଉଁ ରଣନୀତିର ଆଶ୍ରୟ ନେଇଛି ତାହା ହେଉଛି- ‘ଇନ୍ଦିରାଙ୍କ ଏମର୍ଜେନ୍ସୀ’ର ଚର୍ଚ୍ଚା ।
୧୯୭୫ ମସିହାରେ ଦେଶରେ କଂଗ୍ରେସର ଶାସନ ଥିବା ସମୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ହାତରୁ ଖସି ଯାଉଥିବା କ୍ଷମତାକୁ ଜାବୁଡି ରଖିବା ପାଇଁ ଦେଶରେ ଜରୁରୀ ପରିସ୍ଥିତି ଜାରି କରିଥିଲେ । ଅସାଧୁ ଉପାୟରେ ନିର୍ବାଚନ ଜିତିଥିବା ନେଇ ଅଦାଲତରେ ହୋଇଥିବା ଏକ ମାମଲାର ରାୟ ଇନ୍ଦିରା ଗାନ୍ଧୀଙ୍କ ବିରୋଧରେ ଯାଇଥିଲା । ଇନ୍ଦିରାଙ୍କ ଲୋକସଭା ସଦସ୍ୟ ପଦ ରଦ୍ଦ ହୋଇଥିଲା । କ୍ଷମତା ହାତରୁ ଚାଲିଯିବା ଦେଖି ସେ ଚିନ୍ତାରେ ଥିବା ସମୟରେ ସାନ ପୁଅ ସଂଜୟ ଗାନ୍ଧୀ ଓ ସଂଜୟଙ୍କ ପରାମର୍ଶଦାତା ସାଜିଥିବା ତତ୍କାଳୀନ ହରିୟାଣା ମୁଖ୍ୟମନ୍ତ୍ରୀ ବଂଶୀଲାଲ ସମ୍ବିଧାନର ୩୫୬ ଧାରା ଜାରି କରି ଦେଶରେ ଜରୁରୀ ପରିସ୍ଥିତି ଲାଗୁ କରିବାକୁ ଇନ୍ଦିରାଙ୍କୁ ପରାମର୍ଶ ଦେଇଥିଲେ । ଇନ୍ଦିରଙ୍କ ଘନିଷ୍ଟ ସହଯୋଗୀ ତଥା ବ୍ୟକ୍ତିଗତ ସଚିବ ଆର.କେ.ଧାବନ ଏହି ନିଷ୍ପତ୍ତି ନେବାରେ ଅନ୍ୟତମ ପ୍ରୋତ୍ସାହକ ସାଜି ଥିଲେ । ଇନ୍ଦିରାଙ୍କ ଏମର୍ଜେନ୍ସୀ କାହାଣୀକୁ ନେଇ ଆଜିର ଯୁବପୀଢି ଅଜ୍ଞ ରହିଥିଲେ ମଧ୍ୟ ସେହି ସମୟର ଲୋକମାନେ ତାହାକୁ ନେଇ ସଂପୂର୍ଣ୍ଣ ସଚେତନ । ଦେଶବ୍ୟାପୀ ବିରୋଧୀ ଓ ଭିନ୍ନମତବାଦୀଙ୍କ ସ୍ୱରକୁ ଦବାଇବା ପାଇଁ ବଳ ପ୍ରୟୋଗ ହୋଇଥିଲା । ବିରୋଧୀ ନେତା ଓ ଭିନ୍ନମତ ରଖୁଥିବା ବୁଦ୍ଧୀଜୀବୀ ୧୯ ମାସ କାଳ ଜେଲରେ ରହିଥିଲେ । ସେନସରସିପ୍ ଲାଗୁ କରାଯିବା ମାଧ୍ୟମରେ ଗଣମାଧ୍ୟମକୁ ପଂଗୁ କରିଦିଆଯାଇଥିଲା । ଇନ୍ଦିରାଙ୍କ ଏମର୍ଜେନ୍ସୀକୁ ଅଧିକ ଭୟାନକ କରିଥିଲା ସଂଜୟ ଗାନ୍ଧୀଙ୍କ ନଶବନ୍ଦୀ କାର୍ଯ୍ୟକ୍ରମ । ଜୋରଜବରଦସ୍ତ ଲୋକଙ୍କୁ ଘରୁ ଉଠାଇ ନିଆଯାଇ ବନ୍ଧ୍ୟାକରଣ କରାଯାଇଥିଲା ।
ଇନ୍ଦିରାଙ୍କ ଏହି ଏମର୍ଜେନ୍ସୀ ଏକ ‘କଳା ଅଧ୍ୟାୟ’ ଥିଲା – ଏଥିରେ କୌଣସି ସନ୍ଦେହ ନାହିଁ । ଦେଶର ବରିଷ୍ଠ ସାମ୍ବାଦିକ ସ୍ୱର୍ଗତ କୁଲଦୀପ ନାୟାର ଇନ୍ଦିରାଙ୍କ ଏକର୍ଜେନ୍ସୀକୁ ନେଇ ଯେଉଁ ବହି ଲେଖିଛନ୍ତି ତାହାକୁ ପଢିଲେ ଆଜିର ପୀଢି ମଧ୍ୟ ଜାଣି ପାରିବେ ସେହି ୧୯ ମାସ ଦେଶରେ କଣ ଘଟିଥିଲା । ଜରୁରୀ ପରିସ୍ଥିତି ସମୟରେ ଦେଶର ବିଭିନ୍ନ ଜେଲରେ ଦୀର୍ଘ ୧୯ ମାସ ବନ୍ଦୀ ଜୀବନ କଟାଇ ଥିବା ବିଭିନ୍ନ ଦଳର ରାଜନେତା ଜେଲରୁ ମୁକୁଳି ସଂଗଠିତ ଭାବ ଇନ୍ଦିରାଙ୍କ ବିରୋଧରେ ଲଢେଇ ଆରମ୍ଭ କରିଥିଲେ । ଜୟପ୍ରକାଶ ନାରାୟଣଙ୍କ ନେତୃତ୍ୱରେ ସଂଗଠିତ ହୋଇଥିବା ଏହି ନେତାମାନେ ସେତେବେଳ ‘ଜନତା ପାର୍ଟି’ ନାମରେ ଏକ ରାଜନୈତିକ ଦଳ ଗଠନ କରି ୧୯୭୭ ନିର୍ବାଚନରେ ଇନ୍ଦିରା ଗାନ୍ଧୀଙ୍କୁ ପରାଜିତ କରିଥିଲେ । ମୋରାରଜୀ ଦେଶାଇଙ୍କ ନେତୃତ୍ୱରେ ଦେଶରେ ଜନତା ପାର୍ଟି ସରକାର ପ୍ରତିଷ୍ଠା ହୋଇଥିଲା । ତେବେ, ଦେଶରେ ଜନତା ପାର୍ଟି ସରକାର ଅଧିକ ଦିନ ତିଷ୍ଠି ନଥିଲା । ଇନ୍ଦିରାଙ୍କ ଏମର୍ଜେନ୍ସୀ ବିରୋଧରେ ଏକାଠି ହୋଇଥିବା ବିଭିନ୍ନ ରାଜନୈତିକ ଦଳର ନେତା କ୍ଷମତା କନ୍ଦଳରେ ମାତି ମିଳିତ ସରକାରର ପତନ ଘଟାଇବାରୁ ୧୯୮୦ରେ ଇନ୍ଦିରା ଗାନ୍ଧୀ ପୁଣି ଥରେ କ୍ଷମତାକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଏହା ହେଉଛି ଇନ୍ଦିରାଙ୍କ ଏମର୍ଜେନ୍ସୀ ଓ ତତ୍ ପରବର୍ତ୍ତୀ ରାଜନୈତିକ ଚିତ୍ରପଟ୍ଟ ।
୧୯୭୫ ଜୁନ ୨୫ ତାରିଖରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଦେଶରେ ଯେଉଁ ଜରୁରୀ ପରିସ୍ଥିତି ଜାରି କରିଥିଲେ ତାହାର ୪୯ ବର୍ଷ ପୁରିଛି ଓ ୫୦ତମ ବର୍ଷ ଚାଲିଛି । ୨୦୨୪ ନିର୍ବାଚନରେ ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ନାମରେ ଭୋଟ ଲଢି ବିଜେପିକୁ ମାତ୍ ଦେଇଥିବା କଂଗ୍ରେସ ଓ ‘ଇଣ୍ଡି’ ମେଂଟକୁ ଆଇନା ଦେଖାଇବା ପାଇଁ ବିଜେପି ତୃତୀୟ ଥର ପାଇଁ କ୍ଷମତାକୁ ଆସିବା ପରେ ‘ଇନ୍ଦିରାଙ୍କ ଏମର୍ଜେନ୍ସୀ’କୁ ଅସ୍ତ୍ର କରିଛି । ଅଷ୍ଟାଦଶ ଲୋକସଭାକୁ ନିର୍ବାଚିତ ହୋଇଥିବା କଂଗ୍ରେସ ଓ ବିରୋଧୀ ମେଂଟ ସାଂସଦମାନେ ବିଜେପି ସରକାରଙ୍କୁ ସମ୍ବିଧାନ ବିରୋଧୀ ବୋଲି ଚିତ୍ରଣ କରିବା ସକାଶେ ଶପଥ ନେବା ସମୟରେ ହାତରେ ଧରିଥିବା ସମ୍ବିଧାନ ପୁସ୍ତକ ପ୍ରଦର୍ଶନ କରିଥିଲେ । ଏହାର ଜବାବରେ ଲୋକସଭା ବାଚସ୍ପତି ନିର୍ବାଚନ ସରିବା ପରେ ଦ୍ୱିତୀୟ ଥର ପାଇଁ ବାଚସ୍ପତି ନିର୍ବାଚିତ ହୋଇଥିବା ବରିଷ୍ଠ ବିଜେପି ନେତା ଓମ୍ ବିରଳା ତାଙ୍କ ପ୍ରଥମ ଭାଷଣ ଇନ୍ଦିରାଙ୍କ ଏକର୍ଜେନ୍ସୀରୁ ଆରମ୍ଭ କରି ଗୃହରେ ଏକ ନିନ୍ଦା ପ୍ରସ୍ତାବ ଗୃହୀତ କରାଇଥିଲେ । ପରଦିନ, ଅର୍ଥାତ ଜୁନ ୨୭ ତାରିଖ ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ଉଭୟ ଗୃହ ସଦସ୍ୟଙ୍କ ମିଳିତ ଅଧିବେଶନରେ ଉଦ୍ବୋଧନ ଦେଇ ସରକାରଙ୍କ ବିଭିନ୍ନ ଉପଲବ୍ଧୀକୁ ଉପସ୍ଥାପନ କରିବା ସମୟରେ ୧୯୭୫ ମସିହା ଜୁନ ୨୫ ତାରିଖରେ ଜାରି ଇନ୍ଦିରାଙ୍କ ଏମେର୍ଜେନ୍ସୀ କଥା ଉଠାଇ ସେତେବେଳେ ଇନ୍ଦିରା ଗାନ୍ଧୀଙ୍କ ଦ୍ୱାରା ବିରୋଧୀ ରାଜନେତା, ଜନତା ଓ ଗଣମାଧ୍ୟମ ଉପରେ ହୋଇଥିବା ଅତ୍ୟାଚାରକୁ ନିନ୍ଦା କରିଥିଲେ । ଏହା ଏକ ‘କଳା ଅଧ୍ୟାୟ’ ଥିଲା ବୋଲି ରାଷ୍ଟ୍ରପତି ଭାଷଣରେ କହିବା ସହ ଜୁନ ୨୫ ତାରିଖକୁ ତାଙ୍କ (ଏନଡିଏ) ସରକାର ‘ସମ୍ବିଧାନ ହତ୍ୟା ଦିବସ’ ଭାବେ ପାଳନ କରିବାକୁ ସ୍ଥିର କରିଥିବା ଘୋଷଣା କରିଥିଲେ ।
ଗତକାଲି ଏନେଇ କେନ୍ଦୟ ସରକାରଙ୍କ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତୀ ପ୍ରକାଶ ପାଇଛି, ଯାହାକି ବିରୋଧୀଙ୍କ ‘ସମ୍ବିଧାନ ବଂଚାଅ’ ଅଭିଯାନର ମୁକାବିଲା କରିବାକୁ ଉଦ୍ଦିଷ୍ଟ ହୋଇଛି । କେନ୍ଦ୍ର ସରକାର ଜାରି କରିଥିବା ବିଜ୍ଞପ୍ତିରେ କୁହାଯାଇଛି, ୧୯୭୫ ମସିହା ଜୁନ ୨୫ ତାରିଖରେ ତକ୍ରାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଦ୍ୱାରା ଜାରି ଜରୁରୀ ପରିସ୍ଥିତି ସମୟରେ ବହୁ ଲୋକ ତାହା ବିରୋଧରେ ଲଢିଥିଲେ ଓ ବିଭିନ୍ନ ବାଟରେ କ୍ଷତିଗ୍ରସ୍ତ ହୋଇଥିଲେ । ସେହିମାନଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିବାକୁ ଜୁନ ୨୫ ତାରିଖକୁ ଦେଶରେ ‘ସମ୍ବିଧାନ ହତ୍ୟା ଦିବସ’ ଭାବେ ପାଳନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଭବିଷ୍ୟତରେ ଦେଶରେ ଯେଭଳି ସେଭଳି ପରିସ୍ଥିତି ସୃଷ୍ଟି ନହୁଏ ଓ କ୍ଷମତାର ଦୂରୁପଯୋଗ ନହୁଏ ସେଦିଗରେ ଜନତାଙ୍କୁ ସଚେତନ କରାଇବାକୁ ଜୁନ ୨୫ରେ ‘ସମ୍ବିଧାନ ହତ୍ୟା ଦିବସ’ ପାଳନ ହେବ । ତାହା ମାଧ୍ୟମରେ ବିସ୍ମୃତ ହୋଇଯାଉଥିବା ୧୯୭୫ ମସିହା ଜୁନ ୨୫ ତାରିଖର ସେହି କଳା ଅଧ୍ୟାୟକୁ ଦେଶବାସୀଙ୍କ ମନରେ ତାଜା କରାଯିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ତାଙ୍କ ସାମାଜିକ ଗଣମାଧ୍ୟମ ପୋଷ୍ଟ୍ ରେ କହିଛନ୍ତି । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କରିଛନ୍ତି, ଇନ୍ଦିରାଙ୍କ ଏମର୍ଜେନ୍ସୀ ସମୟରେ ଲକ୍ଷ ଲକ୍ଷ ଲୋକ ବିନା କାରଣରେ ଅତ୍ୟାଚାରର ଶିକାର ହୋଇଥିଲେ । ତଥାପି ସେମାନେ ଏହା ବିରୋଧୀରେ ଲଢେଇ କରି ଜେଲ ଯାଇଥିଲେ ଓ ସେମାନଙ୍କ ବଳୀଦାନ ଯୋଗୁଁ ଦେଶରେ ଗଣତନ୍ତ୍ରର ପୁନଃପ୍ରତିଷ୍ଠା ହୋଇଥିଲା । ସେମାନଙ୍କୁ ସ୍ମରଣ କରିବା ଓ ଶ୍ରଦ୍ଧାସୁମନ ଅର୍ପଣ କରିବା ସକାଶେ ମୋଦୀ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।
ଆଗକୁ କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଅଛି । ବିରୋଧୀ ମେଂଟ ଦେଶରେ ଗଣତନ୍ତ୍ର ଓ ସମ୍ବିଧାନକୁ ବଂଚାଇବା ନାମରେ ୨୦୨୪ ସାଧାରଣ ନିର୍ବାଚନରେ ଯେଉଁ ଅଭିଯାନ ଆରମ୍ଭ କରିଥିଲେ ତାହା ନିର୍ବାଚନ ସଫଳତା ପରେ ମଧ୍ୟ ଜାରି ରଖି ଥିବାରୁ ବିଜେପି ‘କଂଟାକୁ କଂଟାରେ କାଢିବା’ ନ୍ୟାୟରେ ଇନ୍ଦିରାଙ୍କ ଏମର୍ଜେନ୍ସୀ ଭୂତକୁ ଉଜାଗର କରିଛି । ଏହି ଭୂତ କଂଗ୍ରେସ ଓ ବିରୋଧୀ ଇଂଡି ମେଂଟ ନେତାଙ୍କ ‘ସମ୍ବିଧାନ ବଂଚାଓ’ ଅଭିଯାନକୁ ମୁକାବିଲା କରିବାରେ କେତେଦୂର ସଫଳ ହେବ, ତାହା ସମୟ କହିବ । ତେବେ, କେନ୍ଦ୍ରରେ କ୍ଷମତାରେ ଥିବା ଏନଡିଏ ସରକାର ଜୁନ ୨୫ ତାରିଖକୁ ‘ସମ୍ବିଧାନ ହତ୍ୟା ଦିବସ’ ରୂପେ ପାଳନ କରିବାକୁ ସରକାରୀ ବିଜ୍ଞପ୍ତି ମାଧ୍ୟମରେ ବିଧିବଦ୍ଧ ଘୋଷଣା କରିବା ପରେ ବିରୋଧୀ, ବିଶେଷକରି କଂଗ୍ରେସ ଅଧିକ ଆକ୍ରମଣାତ୍ମକ ହୋଇଛି । ଗଲା ଦଶ ବର୍ଷରେ ବିଜେପି ଓ ଆରଏସଏସ ଦେଶରେ ‘ଅଘୋଷିତ ଜରୁରୀ ପରିସ୍ଥିତି’ ଜାରି କରି ଦେଶର ସମ୍ବିଧାନର ହତ୍ୟା କରିଛନ୍ତି । ପ୍ରତିଦିନ ଗଣତନ୍ତ୍ର ଓ ସମ୍ବିଧାନର ହତ୍ୟା ହୋଇଛି ଏବଂ ‘ସମ୍ବିଧାନ’ର ପବିତ୍ରତାକୁ ନଷ୍ଟ କରାଯାଇଛି । ଏହା ବିରୋଧରେ କଂଗ୍ରେସ ତାହାର ଅଭିଯାନ ଜାରି ରଖିବ ବୋଲି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖର୍ଗେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି କହିଛନ୍ତି । ଦେଶର ମୋଦୀ-୦୩ ସରକାର କ୍ଷମତାକୁ ଆସିବା ପରେ ଗଣତନ୍ତ୍ର ଓ ସମ୍ବିଧାନକୁ ନେଇ ଶାସକ ଓ ବିରୋଧୀଙ୍କ ମଧ୍ୟରେ ଲଢେଇ ଜୋରଦାର ହୋଇଥିବାରୁ ବିଜୟ ଯାହାର ହେଉନା କାହିଁକି ଦେଶର ଗଣତନ୍ତ୍ର ଓ ସମ୍ବିଧାନକୁ ଦେଶବାସୀଙ୍କ ମନରେ ସଚେତନ ବୃଦ୍ଧି ହେବ, ଏଥିରେ କୌଣସି ସନ୍ଦେହ ନାହିଁ ।
ମୁଖ୍ୟ ସଂପାଦକ, ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS