ବିଧାନସଭା ଉପନିର୍ବାଚନରେ ବିଜୟକୁ ନେଇ ‘ଇଣ୍ଡି’ ମେଂଟ ଉତ୍ସାହିତ


ପ୍ରସାଦ ରାଓ
ଜୁଲାଇ ୧୪/୨୦୨୪
ଜୁଲାଇ ୧୦ ତାରିଖରେ ସାତଟି ରାଜ୍ୟର ୧୩ଟି ବିଧାନସଭା ଆସନ ପାଇଁ ଅନୁଷ୍ଠିତ ଉପ ନିର୍ବାଚନରେ ବିରୋଧୀ ‘ଇଣ୍ଡି’ ମେଂଟକୁ ବଡ ସଫଳତା ମିଳିଛି । ନିର୍ବାଚନ ଫଳାଫଳ ଗତକାଲି (୧୩ ତାରିଖ) ପ୍ରକାଶ ପାଇଛି । ୧୩ଟିରୁ ୧୦ଟି ବିଧାନସଭା ଆସନରେ ‘ଇଣ୍ଡି’ ମେଂଟର ପ୍ରାର୍ଥୀ ବିଜୟ ହୋଇଥିବା ବେଳେ ବିଜେପିକୁ ମାତ୍ର ଦୁଇଟି ଆସନ ମିଳିଛି । ଗୋଟିଏ ଆସନରୁ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ବିହାରରେ ଗୋଟିଏ ବିଧାନସଭା ଆସନ ପାଇଁ ଉପ ନିର୍ବାଚନ ହୋଇଥିଲା । ସେଠାରେ କ୍ଷମତାରେ ଥିବା ଜେଡିୟୁ (ଜନତା ଦଳ-ୟୁନାଇଟେଡ) ଓ ବିରୋଧୀ ଆରଜେଡି ପ୍ରାର୍ଥୀଙ୍କୁ ପରାଜିତ କରି ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ପଶ୍ଚିମ ବଂଗର ଚାରିଟି, ଉତ୍ତରାଖଣ୍ଡର ଦୁଇଟି, ହିମାଚଳ ପ୍ରଦେଶର ତିନିଟି, ମଧ୍ୟ ପ୍ରଦେଶ, ତାମିଲନାଡୁ, ପଂଜାବ ଓ ବିହାରର ଗୋଟିଏ ଲେଖାଏଁ ବିଧାନସଭା ଆସନରେ ୧୦ ତାରିଖ ଉପ ନିର୍ବାଚନ ହୋଇଥିଲା । ପଶ୍ଚିମ ବଂଗର ଚାରିଟି ଆସନରେ ଶାସକ ଟିଏମସି (ତୃଣମୂଳ କଂଗ୍ରେସ ପାର୍ଟି)ର ବିଜୟୀ ହୋଇଥିବା ବେଳେ ଉତ୍ତରାଖଣ୍ଡର ଦୁଇଟି ଯାକ ଆସନରେ କଂଗ୍ରେର ବିଜୟ ହୋଇଛି । ହିମାଚଳ ପ୍ରଦେଶର ତିନିଟି ବିଧାନସଭା ଆସନରୁ ଦୁଇଟି (ଦେହେରା ଓ ନଲଗଡ)ରେ କଂଗ୍ରେସର ବିଜୟ ହୋଇଥିବା ବେଳେ କେବଳ ହମିରପୁର ଆସନ ବିଜେପିକୁ ଯାଇଛି । ମଧ୍ୟ ପ୍ରଦେଶର ଏକମାତ୍ର ଅମରୱାରା ବିଧାନସଭା ଆସନରେ ହୋଇଥିବା ଉପ ନିର୍ବାଚନରେ ବିଜେପିର ବିଜୟ ହୋଇଛି । ପଂଜାବର ଜଳନ୍ଧର ୱେଷ୍ଟ୍ ଆସନରେ ‘ଆପ୍’ ଓ ତାମିଲନାଡୁର ଭିକ୍ରବନ୍ଦି ବିଧାନସଭା ଆସନରେ ଶାସକ ଡିଏମକେ ବିଜୟୀ ହୋଇଛି । ବିହାରର ରୁପାଲି ଆସନରୁ ସ୍ୱାଧୀନ ପ୍ରାର୍ଥୀ ଜିତିଛନ୍ତି । ହିମାଚଳ ପ୍ରଦେଶରୁ କଂଗ୍ରେସକୁ ମିଳିଥିବା ଶୁଭ ଖବର ହେଉଛି, ଜୁଲାଇ ୧୦ ତାରିଖରେ ଅନୁଷ୍ଟିତ ବିଧାନସଭା ଉପ ନିର୍ବାଚନରେ କଂଗ୍ରେସ ଦୁଇଟି ଆସନରେ ବିଜୟୀ ହୋଇ ରାଜ୍ୟ ବିଧାନସଭାରେ ତାହାର ସଂଖ୍ୟା ପୁନର୍ବାର ୪୦କୁ ଫେରାଇ ଆଣିଛି । ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁଙ୍କ ପତ୍ନୀ କମଳେଶ ଠାକୁର ମଧ୍ୟ ଉପ ନିର୍ବାଚନରେ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ସୁଖୁଙ୍କ ନେତୃତ୍ୱରେ ରାଜ୍ୟରେ କଂଗ୍ରେସର ସରକାର ରହିଛି । ବିଧାନସଭାରେ କଂଗ୍ରେସକୁ ସମର୍ଥନ ଦେଉଥିବା ତିନି ଜଣ ସ୍ୱାଧୀନ ବିଧାୟକ ସମର୍ଥନ ପ୍ରତ୍ୟାହାର କରି ନେଇ ବିଜେପିରେ ସାମିଲ ହେବା ପରେ ସୁଖୁ ସରକାରଙ୍କ ଅଡୁଆ ବଢିଥିଲା । ତେବେ, ମୁଖ୍ୟମନ୍ତ୍ରୀ କୌଣସି ପ୍ରକାର ସଂକଟକୁ ଟାଳିଥିଲେ । ଦଳ ବଦଳ ଆଇନ ଆନୁସାରେ ତିନି ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ହେବାରୁ ରାଜ୍ୟରେ ତିନି ବିଧାନସଭା ଆସନରେ ୧୦ ତାରିଖ ଉପ ନିର୍ବାଚନ ହୋଇଥିଲା । ଉପ ନିର୍ବାଚନରେ କଂଗ୍ରେସକୁ ଦୁଇଟି ଆସନ ମିଳିଛି । ଡେହେରା ଆସନରୁ ମୁଖ୍ୟମନ୍ତ୍ରୀ ସୁଖୁଙ୍କ ପତ୍ନୀ ବିଜୟୀ ହେବା ଦଳର ଉତ୍ସାହ ବଢାଇଛି । ଉତ୍ତରାଖଣ୍ଡର ବଦ୍ରିନାଥ ବିଧାନସଭା ଆସନରେ ହୋଇଥିବା ଉପ ନିର୍ବାଚନରେ କଂଗ୍ରେସର ବିଜୟ ମଧ୍ୟ ଦଳ ପାଇଁ ଭଲ ଖବର ହୋଇଛି । ବଦ୍ରିନାଥ ଆସନରୁ ରାଜେନ୍ଦ୍ର ସିଂହ ଭଣ୍ଡାରୀ କଂଗ୍ରେସ ବିଧାୟକ ଥିଲେ । ସେ ଦଳତ୍ୟାଗ କରି ବିଜେପିରେ ସାମିଲ ହେବାରୁ ଉପ ନିର୍ବାଚନ ହୋଇଛି । କଂଗ୍ରେସ ପ୍ରାର୍ଥୀ ଲଖପତ ସିଂହ ବୁଟୋଲା ଉପ ନିର୍ବାଚନରେ ବିଜେପି ପ୍ରାର୍ଥୀ ଭଣ୍ଡାରୀଙ୍କୁ ପରାଜିତ କରିଛନ୍ତି । ବଦ୍ରିନାଥ ବିଧାନସଭା ଉପ ନିର୍ବାଚନରେ କଂଗ୍ରେସର ବିଜୟ ‘ଘୃଣା ରାଜନୀତିର ପରାଜୟ’ ବୋଲି ଉପ ନିର୍ବାଚନ ଫଳାଫଳ ଏକ ବାର୍ତ୍ତା ଦେଇଛି । ଗତ ଲୋକସଭା ନିର୍ବାଚନରେ ଅଯୋଧ୍ୟାରେ ବିଜେପି ପ୍ରାର୍ଥୀଙ୍କ ପରାଜୟ ପରେ କଂଗ୍ରେସ ସାଂସଦ ମଣିକମ ଟେଗୋର ଏକ୍ସରେ ପୋଷ୍ଟ୍ ରେ ଲେଖିଥିଲେ, ‘ଘୃଣା ରାଜନୀତି ବିରୋଧୀ ପ୍ରେମର ରାଜନୀତିର ବିଜୟ’ । ବଦ୍ରିନାଥ ବିଧାନସଭା ଉପ ନିର୍ବାଚନରେ କଂଗ୍ରେସର ବିଜୟକୁ ନେଇ ସେ ଲେଖିଛନ୍ତି – ‘ପୁଣିଥରେ ଘୃଣା ରାଜନୀତି ପରାଜିତ ହେଲା ଓ ପ୍ରେମ ରାଜନୀତିର ବିଜୟ ହେଲା’ । ଉତ୍ତରାଖଣ୍ଡର ମଂଗଲାରୁ ବିଧାନସଭା ଆସନ ବିଏସପି ହାତରେ ଥିଲା । ବିଏସପି ବିଧାୟକ ସରୱତ କରିମ ଆନସାରୀଙ୍କ ମୃତ୍ୟୁ କାରଣରୁ ଉପନିର୍ବାଚନ ହୋଇଥିଲା । ଆସନଟି କଂଗ୍ରେସକୁ ମିଳିଛି । ପଶ୍ଚିମ ବଂଗରେ ମୁଖ୍ୟନ୍ତ୍ରୀ ମମତା ବାନାର୍ଜୀଙ୍କ ଟିଏମସି ପୁନର୍ବାର ତାହାର ପ୍ରଭୁତ୍ୱ ଜାହିର କରିଛି । ଉପ ନିର୍ବାଚନରେ ଟିଏମସି ମାଣିକତଲା ଆସନରେ ବିଜୟକୁ ବଜୟା ରଖିଥିବା ବେଳେ ରାଇଗଂଜ, ରଣଘାଟ ଦକ୍ଷିଣ ଓ ବାଗଡା ଆସନ ବିଜେପି ହାତରୁ ଛଡାଇ ଆଣିଛି । ପଂଜାବର ଜଳନ୍ଧର ୱେଷ୍ଟ୍ ଆସନରେ ‘ଆପ୍’ ବିଜେପି ବିରୋଧରେ ପ୍ରତିଶୋଧ ନେଇଛି । ଏହି ଆସନରେ ‘ଆପ୍’ର ଶୀତଲ ଅଂଗୁରାଲ ବିଧାୟକ ଥିଲେ ମଧ୍ୟ ନିକଟରେ ଦଳତ୍ୟାଗ କରି ବିଜେପିକୁ ଯାଇଥିଲେ । ଜୁଲାଇ ୧୦ରେ ଏହି ଆସନରେ ହୋଇଥିବା ଉପ ନିର୍ବାଚନରେ ବିଜେପିରୁ ପ୍ରାର୍ଥୀ ଥିବା ଶୀତଲଙ୍କୁ ‘ଆପ୍’ ପ୍ରାର୍ଥୀ ମୋହିନ୍ଦର ଭଗତ ପରାଜିତ କରିଛନ୍ତି । ୨୦୨୨ ବିଧାନସଭା ନିର୍ବାଚନରେ ଶୀତଲ ‘ଆପ୍’ରୁ ଲଢି ବିଧାୟକ ନିର୍ବାଚିତ ହୋଇଥିବା ବେଳେ ମୋହିନ୍ଦର ଭଗତ ବିଜେପି ପ୍ରାର୍ଥୀ ଥାଇ ପରାଜିତ ହୋଇଥିଲେ । ଏଥର ଭଗତ ଶୀତଲଙ୍କୁ ପରାଜିତ କରି ପୂର୍ବ ପରାଜୟର ଗ୍ଲାନି ଦୂର କରିଛନ୍ତି । ବିହାରର ରୁପାଲି ବିଧାନସଭା ଆସନରେ ହୋଇଥିବା ଉପ ନିର୍ବାଚନରେ ସ୍ୱାଧୀନ ଭାବେ ଲଢୁଥିବା ଶଙ୍କର ସିଂହଙ୍କ ବିଜୟ ହୋଇଛି । ସେ ଜେଡିୟୁ ଓ ଆରଜେଡି ପ୍ରାର୍ଥୀଙ୍କୁ ପରାଜିତ କରି ବିଜୟୀ ହୋଇଛନ୍ତି । ଜେଡିୟୁ ବିଧାୟିକା ବୀମା ଭାରତୀ ଦଳତ୍ୟାଗ କରି ଅରଜେଡ଼ିରେ ଯୋଗଦେବାରୁ ଏହି ଆସନରେ ଉପ ନିର୍ବାଚନ ହୋଇଥିଲା । ମଧ୍ୟ ପ୍ରଦେଶର ଅମରୱାରା ଆସନ ବିଜେପିକୁ ସାମାନ୍ୟ ଆଶ୍ୱସ୍ତି ଦେଇଛି । ଅମରାୱାରୁ ବିଧାୟକ ଥିବା କମଳେଶ ପ୍ରସାଦ ଶାହା କଂଗ୍ରେସ ଛାଡି ବିଜେପିକୁ ଡିଆଁ ମାରିବାରୁ ତାଙ୍କ ବିଧାୟକ ପଦ ରଦ୍ଦ ହୋଇ ଉପ ନିର୍ବାଚନ ହୋଇଥିଲା । ଉପ ନିର୍ବାଚନରେ କମଳେଶ କଂଗ୍ରେସ ଆଡୁ ତୀବ୍ର ପ୍ରତିଦ୍ୱନ୍ଦ୍ୱିତାର ସମ୍ମୁଖୀନ ହେବା ସତ୍ତ୍ୱେ କଂଗ୍ରେସ ପ୍ରାର୍ଥୀ ଧୀରନ ସାହା ସୁଖରାମ ଦାସ ଇନଭାଟିଙ୍କୁ ପରାଜିତ କରି ବିଜେପିର ସମ୍ମାନ ରକ୍ଷା କରିଛନ୍ତି । ଅମରାୱାରା ବିଧାନସଭା ଆସନ କଂଗ୍ରେସର ଗଡ ଥିଲା । ବରିଷ୍ଠ କଂଗ୍ରେସ ନେତା ତଥା ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ଛିନ୍ଦୱାରା ଲୋକସଭା କ୍ଷେତ୍ରରେ ଏହି ଆସନ ରହିଛି । ତେବେ, ଗତ ଲୋକସଭା ନିର୍ବାଚନରେ ରାଜ୍ୟରେ ଓ କମଳନାଥଙ୍କ ପତିଆରା ସଂପୂର୍ଣ୍ଣ ଧ୍ୱସ୍ତବିଧ୍ୱସ୍ତ ହୋଇସାରିଛି । ତାମିଲନାଡୁରେ ମଧ୍ୟ ଡିଏମକେ ବିଧାୟକ ଏନ.ପୁଗାଝେନିଥିଙ୍କ ଦେହାନ୍ତ କାରଣରୁ ଭିକ୍ରବନ୍ଦି ବିଧାନସଭା ଆସନରେ ଉପ ନିର୍ବାଚନ ହୋଇଥିଲା । ଏହି ଆସନରେ ଡିଏମକେ ପ୍ରାର୍ଥୀ ଅନିୟୁର ଶିବା ପିଏମକେ (ପାଟ୍ଟାଲି ମାକାଲ କାଚ୍ଚି) ପ୍ରାର୍ଥୀ ଅମ୍ବୁମଣି ସି.ଙ୍କୁ ପରାଜିତ କରିଛନ୍ତି ଏବଂ ରାଜ୍ୟରେ ଡିଏମକେର ପ୍ରଭୃତ୍ୱ ବଜାୟ ରହିଛି । ବିହାରର ଜେଡିୟୁ ବିଜେପି ନେତୃତ୍ୱାଧୀନ ମେଂଟରେ ଥିବା ବେଳେ କଂଗ୍ରେସ, ଟିଏମସି, ଆପ୍ ଓ ଡିଏମକେ ବିରୋଧୀ ଇଣ୍ଡିଆ ମେଂଟରେ ଥିବାରୁ ବିଧାନସଭା ଉପ ନିର୍ବାଚନରେ ଇଣ୍ଡି ମେଂଟର ସଫଳତାକୁ ରାଜନୈତିକ ମହଲ ବେଶ ଗୁରୁତ୍ୱ ଦେଉଛନ୍ତି । ଗତ ଏପ୍ରିଲ-ଜୁନରେ ହାଇଥିବା ଲୋକସଭା ନିର୍ବାଚନରେ ବିଜେପି ୫୪୩ରୁ ୨୪୦ ଆସନରେ ଓ ଏନଡିଏ ୨୯୩ଆସନରେ ସୀମିିତ ରହିଥିବା ବେଳେ କଂଗ୍ରେସ ୯୯ ଓ ଇଣ୍ଡି ମେଂଟ ୨୩୪ ଆସନରେ ବିଜୟୀ ହୋଇ ଲୋକସଭାରେ ଏକ ଶକ୍ତଶାଳୀ ବିରୋଧୀ ଦଳ ଭାବେ ଉଭା ହୋଇଛି । ନିକଟରେ ମହାରାଷ୍ଟ୍ରରେ ଅନୁଷ୍ଠିତ ଏମଏଲସି ନିର୍ବାଚନରେ ବିଜେପି ଓ ଏନଡିଏର ବିଜୟକୁ ନେଇ ଶାସକ ମେଂଟ ବେଶ ଉତ୍ସାହିତ ଥିବା ବେଳେ ବିଦାନସଭା ଉପ ନିର୍ବାଚନରେ ଇର୍ଡି ମେଂଟର ଆଶାତୀତ ବିଜୟ ରାଜନୀତିର ମୋଡ ବଦଳାଇଛି । ଚଳିତ ବର୍ଷ ଶେଷ ଆଡକୁ ଝାଡଖଣ୍ଡ, ହରିୟାଣା, ମହାରାଷ୍ଟ୍ର ଓ ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ଦୁଇ ମେଂଟ ମୁହାଁମୁହିଁ ହେବାକୁ ପ୍ରସ୍ତୁତି ଆରମ୍ଭ କରି ସାରିଛନ୍ତି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS