ସବୁ ସେହି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଇଚ୍ଛା …


ପ୍ରସାଦ ରାଓ
ଜୁଲାଇ ୧୫/୨୦୨୪
ଠାକୁରଙ୍କ ଆଜ୍ଞା ନଥିଲେ ଗଛର ପତ୍ର ବି ହଲି ପାରେନି । ପ୍ରତ୍ୟେକ ହିନ୍ଦୁ ଏହାକୁ ବିଶ୍ୱାସ କରନ୍ତି । କେବଳ ହିନ୍ଦୁ ନୁହନ୍ତି, ଅନ୍ୟ ର୍ଧମାବଲମ୍ବୀ ମଧ୍ୟ ସେମାନଙ୍କ ନିଜ ନିଜ ଭଗବାନଙ୍କୁ ନେଇ ଏକାଭଳି ବିଶ୍ୱାସ ରଖିଥା’ନ୍ତି । ଓଡ଼ିଶାରେ ୨୪ବର୍ଷର ବିଜେଡ଼ି ଶାସନର ଅନ୍ତଃ ଘଟିବା, ରାଜ୍ୟରେ ବିଜେପି ସରକାର କରିବା ଏବଂ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ଅନୁସାରେ ପ୍ରଥମେ ଶ୍ରୀ ମନ୍ଦିରର ଚାରି ଦ୍ୱାର ଭକ୍ତଙ୍କ ପାଇଁ ଖୋଲିବା ଏବଂ ବହୁ ଚର୍ଚ୍ଚିତ ମହାପ୍ରଭୁଙ୍କ ରତ୍ନ ଭଣ୍ଡାର ଖୋଲିବା କାର୍ଯ୍ୟ ନିର୍ବିଘ୍ନରେ ସମାପିତା ହେବା ପଛରେ ଯେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଜ୍ଞା ଥିଲା – ତାହା ନିଃସନ୍ଦେହରେ କୁହାଯାଇପାରେ । ଗତକାଲି ଅପରାହ୍ନ ଗୋଟାଏ ୨୮ ମିନିଟରେ ପୁରୀ ଶ୍ରୀମନ୍ଦିର ଭିତର ରତ୍ନ ଭଣ୍ଡାର ଚାବି କଟାଯାଇ ରତ୍ନଭଣ୍ଡାରକୁ ଖୋଲାଯିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣାମଧ୍ୟମ ଜରିଆରେ ଦେଇଥିବା ପ୍ରଥମ ପ୍ରତିକ୍ରିୟାରେ ସେହି କଥା କହିଛନ୍ତି । ମହାପ୍ରଭୁ, ସବୁ କିଛି ତୁମରି ଇଚ୍ଛାରେ ହେଉଛି ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ଭିତର ରତ୍ନ ଭଣ୍ଡାର ଖୋଲାଯାଇ ପ୍ରାଥମିକ ତଦାରଖ କାର୍ଯ୍ୟ ସରିଥିବାରୁ ଆଗକୁ ସେଥିରେ ଥିବା ମୂଲ୍ୟବାନ ରତ୍ନ ଓ ଅଳଂକାର ସବୁର ଗଣତି ମଣତି, ରକ୍ଷଣାବେକ୍ଷଣ ଏବଂ ଭିତର ରତ୍ନ ଭଣ୍ଡାରର ମରାମତି କାର୍ଯ୍ୟ ଆଗକୁ ସୁରୁଖୁରରେ ସଂପନ୍ନ ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି । ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପଛରେ ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ମୁଖ୍ୟ ପ୍ରସଙ୍ଗ ଥିଲା । ରାଜ୍ୟରେ ୨୪ ବର୍ଷ ଧରି ବିଜେଡ଼ି କ୍ଷମତାରେ ଥିଲେ ମଧ୍ୟ ଶ୍ରୀମନ୍ଦିରର ରତ୍ନ ଭଣ୍ଡାର ଖୋଲିବା ଦିଗରେ ଆଗ୍ରହ ଦେଖାଇ ନଥିଲା । ବାହାର ରତ୍ନ ଭଣ୍ଡାରରେ ଥିବା ମହାପ୍ରଭୁଙ୍କ ଅଳଂକାର ସବୁକୁ ନେଇ ବିଭିନ୍ନ ଯାନିଯାତ୍ରାରେ କାମ ଚଳାଇ ନିଆଯାଉଥିଲା । ୨୦୧୮ ମସିହାରେ ଭିତର ରତ୍ନ ଭଣ୍ଡାର ଖୋଲାଯାଇ ଆବଶ୍ୟକ ମରାମତି କାର୍ଯ୍ୟ କରାଯିବାକୁ ଯେତେବେଳେ ରାଜ୍ୟ ସରକାରଙ୍କ ଉପରେ ଚାପ ବଢିଲା ସରକାର ଭିତର ରତ୍ନ ଭଣ୍ଡାର ଚାବି ମିଳୁ ନଥିବା କହି ଭିତର ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗକୁ ଟାଳି ଦେଇଥିଲେ । ଭିତର ରତ୍ନ ଭଣ୍ଡାର ପର୍ଯ୍ୟନ୍ତ ପହଂଚି ଥିବା ରାଜ୍ୟ ସରକାରଙ୍କ ପ୍ରତିନିଧି ଓ ବିଶେଷଜ୍ଞମାନେ ବାହାରୁ ଲେଜର ସ୍କାନ୍ କରିବା ମାଧ୍ୟରେ ଭିତର ରତ୍ନ ଭଣ୍ଡାର ଜରାଜୀର୍ଣ୍ଣ ସ୍ଥିତିକୁ ପରଖି ଫେରି ଆସିଥିଲେ । ଭିତର ରତ୍ନ ଭଣ୍ଡାର ଚାବି କେମିତି ହଜିଲା ତଦନ୍ତ କରିବା ପାଇଁ ସରକାର ବିଚାର ବିଭାଗୀୟ କମିଶନ ବସାଇଲେ । କମିଶନ ମଧ୍ୟରେ ସରକାରଙ୍କ ନିକଟରେ ସେମାନଙ୍କ ରିପୋର୍ଟ ଉପସ୍ଥାପନ କଲେ । କିନ୍ତୁ, କମିଶନଙ୍କ ରିପୋର୍ଟରେ କଣ ରହିଛି ତାହା ଆଜି ସୁଦ୍ଧା ସାର୍ବଜନୀନ ହୋଇନି । ମହାପ୍ରଭୁ ଶ୍ରୀଜଗନ୍ନାଥ ବୋଧହୁଏ ମନେ ମନେ ନିଷ୍ପତ୍ତି ନେଇ ସାରିଥିଲେ ୨୦୨୪ରେ ନିର୍ବାଚନ ଚବିଶି ବର୍ଷର ବିଜେଡ଼ି ଶାସନରୁ ଓଡ଼ିଶାବାସୀଙ୍କୁ ମୁକ୍ତି ଦେବାକୁ । ତେଣୁ, ନିର୍ବାଚନ ପୂର୍ବରୁ ଶାସକ ଦଳରେ ଅସ୍ଥିରତାର ଅୟମାରଂଭ ହେଲା । ମୁଖ୍ୟମନ୍ତ୍ରୀ ଥିବା ନବୀନ ପଟ୍ଟନାୟକଙ୍କ ଲୋକପ୍ରୟିତା ପ୍ରଶ୍ନାତୀତ ଥିଲେ ସୁଦ୍ଧା ଦଳରେ ଥିବା କିଛି ମୁଷ୍ଠିମେୟ ନେତା ଓ ପ୍ରଶାସକଙ୍କ ଯୁଗଳବନ୍ଦୀରେ ରାଜ୍ୟବ୍ୟାପୀ ଏଭଳି ଏକ ବାତାବରଣ ସୃଷ୍ଟି କରାଗଲା ଯେ ତାହା ସରକାରଙ୍କ ବିରୋଧରେ ଥିବା ଅସନ୍ତୋଷକୁ ଦୂର କରିବା ବଦଳରେ ବିଜେଡ଼ି ଭିତରେ ଓ ସାଧାରଣ ଜନତାରେ ଥିବା ସରକାର ବିରୋଧୀ ମନୋଭାବକୁ ଅଧିକ ସୁଦୃଢ କଲା । ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ଓଡ଼ିଶାବାସୀଙ୍କ ମନ ଓ ହୃଦୟରେ ପ୍ରଗାଢ ଭକ୍ତି ଓ ବିଶ୍ୱାସ ରହିଛି । ତେଣୁ, ରାଜ୍ୟ ସରକାର ନିର୍ବାଚନରେ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ମିଳିବା ଆଶାରେ ପୁରୀ ଶ୍ରୀମନ୍ଦିର ଚାରି ପାଖର ବିକାଶ କରି ଶତାଧିକ କୋଟି ଟଙ୍କାର ‘ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ’ କାର୍ଯ୍ୟକାରୀ କଲେ । ୨୦୨୪ ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଏହି ପ୍ରକଳ୍ପ ଲୋକାର୍ପିତ ହେଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଅଯୋଧ୍ୟା (ୟୁପି)ରେ ନବନିର୍ମିତ ଶ୍ରୀରାମ ମନ୍ଦିରର ଲୋକାର୍ପଣ ଓ ରାମଲାଲାଙ୍କ ଭବ୍ୟ ମୂର୍ତ୍ତିର ପ୍ରାଣ ପ୍ରତିଷ୍ଠା ପୂର୍ବରୁ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ହେଲା ଏବଂ ଏହି ପ୍ରକଳ୍ପ ଶ୍ରୀମନ୍ଦିର ଚାରିପାଖର ପରିବେଶ ଏଭଳି ଭାବେ ବଦଳାଇ ଦେଇଛି ଯେ ନବୀନ ସରକାରଙ୍କ ନିନ୍ଦୁକମାନେ ମଧ୍ୟ ତାହାର ପ୍ରଶଂସାରେ ଶତମୁଖ ଥିଲେ । କିନ୍ତୁ, ସରକାର ଶ୍ରୀମନ୍ଦିରର ଭିତର ରତ୍ନ ଭଣ୍ଡାର ଖୋଲିବା ଓ ତାହାର ମରାମତି କାର୍ଯ୍ୟକୁ ଯେଭଳି ଟାଳି ଚାଲିଲେ ତାହା ରାଜ୍ୟବାସୀଙ୍କୁ ଏଭଳି ଭାବେ ମର୍ମାହତ କଲା ଯେ ଭୋଟ ସମୟରେ ଜନତା ଭବ୍ୟ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କଥାକୁ ଭୁଲି ରତ୍ନ ଭଣ୍ଡାର ଚାବି ହଜିବା ଓ ଭିତର ରତ୍ନ ଭଣ୍ଡାର ଖୋଲା ନଯିବା ପ୍ରସଙ୍ଗରେ ସରକାର ବିରୋଧରେ ଏକପାଖିଆ ମତଦାନ କଲେ । ନିର୍ବାଚନ ପ୍ରଚାର ପାଇଁ ଓଡ଼ିଶା ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ଆରମ୍ଭ କରି ବିଜେପିର ରାଷ୍ଟ୍ରୀୟ ଓ ରାଜ୍ୟ ନେତାମାନେ ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାରକୁ ମୁଖ୍ୟ ପ୍ରସଙ୍ଗ କରିଥିଲେ । ରାଜ୍ୟରେ ବିଜେପି ସରକାର କଲେ ପୁରୀ ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲାଯିବ, ରତ୍ନ ଭଣ୍ଡାର ଚାବି ହଜିବା ପାଇଁ ଯିଏ ଦାୟି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ଏବଂ ଭିତର ରତ୍ନ ଭଣ୍ଡାର ଖୋଲାଯାଇ ସେଠାରେ ଥିବା ମହାପ୍ରଭୁଙ୍କ ମୂଲ୍ୟବାନ ରତ୍ନ ଓ ଅଳଂକାର ସବୁର ଗଣତି ମଣତି କରାଯିବା ସହ ଭିତର ରତ୍ନ ଭଣ୍ଡାରର ମରାମତି କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ରାଜ୍ୟରେ ବିଜେପି ପ୍ରଥମ ଥର ପାଇଁ କ୍ଷମତାକୁ ଆସିବା ପରେ ପୁରୀ ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲିଛି । ଗତକାଲି ଭିତର ରତ୍ନ ଭଣ୍ଡାରର ଚାବିକୁ ମେସିନରେ କଟାଯାଇ ଖୋଲା ଯାଇଛି । ମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ଭିତର ରତ୍ନ ଭଣ୍ଡାର ଖୋଲାଯିବା, ସେଠାରେ ଥିବା ରତ୍ନ ଓ ଅଳଂକାରର ଗଣତି ମଣତି କରାଯିବା ଏବଂ ମରାମତି କାର୍ଯ୍ୟ କରାଯିବା ନିମନ୍ତେ ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ଜଷ୍ଟିସ ବିଶ୍ୱନାଥ ରଥଙ୍କୁ ନେଇ ଗଠିତ ୧୬ ଜଣିଆ ତଦାରଖ କମିଟିର ସଦସ୍ୟମାନେ ଭିତର ରତ୍ନ ଭଣ୍ଡାରରେ ପ୍ରବେଶ କରି ସେଠାକାର ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏଏସଆଇ ବିଶେଷଜ୍ଞଙ୍କ ଦ୍ୱାରା ଭିତର ରତ୍ନ ଭଣ୍ଡାରର ମରାମତି କାର୍ଯ୍ୟ ଆରମ୍ଭ ହେବାକୁ ଥିବାରୁ ପ୍ରଥମେ ପ୍ରଥମେ ଗତକାଲି ବାହାର ରତ୍ନ ଭଣ୍ଡାରରେ ରହିଥିବା ମହାପ୍ରଭୁଙ୍କ ମୂଲ୍ୟବାନ ଅଳଂକାର ସବୁକୁ ମନ୍ଦିର ଭିତରେ ଏକ ସୁରକ୍ଷିତ କକ୍ଷକୁ ସ୍ଥାନାନ୍ତର କରାଯାଇଛି । ଆଜି ତିନି ଠାକୁରଙ୍କ ବାହୁଡା ଯାତ୍ରା ଓ ୧୯ ତାରିଖ ନୀଳାଦ୍ରି ବିଜେ ଥିବାରୁ ଏସବୁ ସରିବା ପରେ ଆଉ ଏକ ବୈଠକ ବସି ତାରିଖ ଧାର୍ଯ୍ୟ ହେବ ଓ ସେହି ତାରିଖରେ ଭିତର ରତ୍ନ ଭଣ୍ଡାରରେ ଥିବା ମୂଲ୍ୟବାର ରତ୍ନ, ଅଳଂକାର ସବୁର ବାସ୍ତବ ସ୍ଥିତି ଅନୁଧ୍ୟାନ କରାଯିବା ସହ ବିଶେଷଜ୍ଞଙ୍କ ଉପସ୍ଥିତିରେ ସେସବୁର ଗଣତି ମଣିତ ହେବ । ଏଏସଆଇ ବିଶେଷଜ୍ଞମାନେ ମଧ୍ୟ ଭିତର ରତ୍ନ ଭଣ୍ଡାରର ଆବଶ୍ୟକ ମରାମତି କାର୍ଯ୍ୟ ଆରମ୍ଭ କରିବେ । ନବ ନଯୁକ୍ତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଓ ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ତଦାରଖ କମିଟି ଅଧ୍ୟକ୍ଷ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ବିଶ୍ୱନାଥ ରଥ ଗତକାଲି ରାତିରେ ବାହାର ରତ୍ନ ଭଣ୍ଡାରରୁ ଠାକୁରମାନଙ୍କ ଅଳଂକାର ସବୁ ସ୍ଥାନାନ୍ତର ହେବା ପରେ ଗଣମାଧ୍ୟମକୁ କହିଛନ୍ତି । ଥରେ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବାରୁ ଆଗକୁ ସୁରୁଖୁରୁରେ ସମସ୍ତ କାର୍ଯ୍ୟ ସମାପିତ ହେବ । ଏଥିରେ କିଛି ସନ୍ଦେହ ନାହିଁ । ପୂର୍ବ ସରକାର ସମୟରେ ଭିତର ରତ୍ନ ଭଣ୍ଡାର ପର୍ଯ୍ୟନ୍ତ ପହଂଚି ଥିବା ସରକାରଙ୍କ ବରିଷ୍ଠ ଅଧିକାରୀ ଓ ବିଶେଷଜ୍ଞମାନେ ଭିତର ରତ୍ନ ଭଣ୍ଡାରରେ ଭୟଙ୍କର ସର୍ପମାନ ରହିଥିବା ଏବଂ ସେମାନେ କାନ୍ଥରେ କାନ ଲଗାଇ ସରିଶ୍ରୁପଙ୍କ ଗର୍ଜନ ଶୁଣିଥିବା ସରକାରଙ୍କୁ ରିପୋର୍ଟ କରିଥିଲେ । ପରେ, ଭିତର ରତ୍ନ ଭଣ୍ଡାରର ଚାବି ମିଳୁ ନଥିବା କହି ସେମାନେ ରତ୍ନ ଭଣ୍ଡାର ଖୋଲିବା ନିଷ୍ପତ୍ତିକୁ ଟାଳି ଦେଇଥିଲେ । ଗତକାଲି ଭିତର ରତନ ଭଣ୍ଡାରର ତିନିଟି ଚାବି ଭାଂଗି ଭିତରେ ପ୍ରବେଶ କରିଥିବା ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଓ ତଦାରଖ କମିଟି ସଦସ୍ୟମାନେ ସାଥିରେ ସ୍ନେକ୍ ହେଲ୍ପଲାଇନ ସଦସ୍ୟ ଓ ସାପ ଧରାଳୀଙ୍କୁ ନେଇଥିଲେ ମଧ୍ୟ ଫେରିବା ପରେ ଭିତରେ ସେଭଳି କିଛି ଦେଖାବାକୁ ପାଇନଥିବା କହିଛନ୍ତି । ସ୍ନେକ୍ ହେଲ୍ପଲାଇନ ସଦସ୍ୟ ଓ ସାପ ଧରାଳୀମାନେ ମଧ୍ୟ ସେମାନଙ୍କୁ ଭିତରକୁ ଡକାଯାଇ ନଥିବା କହି ଅଗାମୀ ଦିନରେ ଆବଶ୍ୟକ ମନେ କଲେ ତଦାରଖ କମିଟି ଡାକିପାରେ ବୋଲି ସୂଚନା ଦେଇଛନ୍ତି । ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି, ପୂର୍ବ ସରକାରଙ୍କ ଭ୍ରମିତ କରିବାକୁ ରାଜ୍ୟର ବରିଷ୍ଠ ପ୍ରଶାସକଙ୍କ ଆଡୁ ଉଦ୍ୟମ ହୋଇଥିଲା । ଏହାଛଡା, ୪୬ ବର୍ଷ ହେଲା ଭିତର ରତ୍ନ ଭଣ୍ଡାର ଖୋଲାଯାଇ ନଥିବାରୁ ଲୁହା ତାଲା, ଚାବିରେ କଳଂକି ଲାଗି ଯାଇଥିବା ଏବଂ ଜିଲ୍ଲା ପ୍ରଶାସନ ନିକଟରେ ଥିବା ଚାବିରେ ତାଲାଗୁଡିକ ନଖୋଲିବାରୁ ସେଗୁଡିକୁ ମେସିନରେ କଟା ଯାଇଥିବା ରତ୍ନ ଭଣ୍ଡାର ତଦାରଖ କମିଟି ମୁଖ୍ୟ ଜଷ୍ଟିସ ରଥ ଗତକାଲି ଗଣମାଧ୍ୟକୁ ସୂଚିତ କରିଛନ୍ତି । ମୁଖ୍ୟମନ୍ତ୍ରୀ ମାଝୀଙ୍କ ସରକାର ଗଠନ କରିଥିବା ନୂତନ ରତ୍ନ ଭଣ୍ଡାର ତଦାରଖ କମିଟି ସଦସ୍ୟମାନେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲା ପ୍ରଶାସନ ଓ ପୁରୀ ଶ୍ରୀମନ୍ଦିର ପ୍ରଶାସନର ପ୍ରତିନିଧିଙ୍କ ସହ ଗତକାଲି ଶ୍ରୀଜଗନ୍ନାଥଙ୍କ ଭିତର ରତ୍ନ ଭଣ୍ଡାର ଖୋଲି ପ୍ରବେଶ କରିବା ପରେ ଓଡ଼ିଶାବାସୀଙ୍କ ମନରେ ଦୀର୍ଘ ବର୍ଷ ଧରି ରହି ଆସିଥିବା ଉକ୍ରଂଠାା ଅନ୍ତଃ ଘଟିଛି । ଏବେ, ଭିତର ରତ୍ନ ଭଣ୍ଡାରରେ ଥିବା ମୂଲ୍ୟବାନ ଅଳଂକାର ସବୁ ଠିକଠାକ ଅଛି କି ନାହିଁ ତାହା ଜାଣିବାକୁ ଭକ୍ତଙ୍କ ଅପେକ୍ଷା ରହିବ । ନବୀନ ସରକାର ଚାହିଁ ଥିଲେ ସେହି କାର୍ଯ୍ୟ କରି ରାଜ୍ୟବାସୀଙ୍କ ପ୍ରଶଂସା ଗୋଟାଇ ପାରିଥା’ନ୍ତେ । କିନ୍ତୁ, ବିଭିନ୍ନ ଆଳରେ ଟାଳି ଚାଲିବାରୁ ସେହି ପ୍ରସଙ୍ଗରେ କ୍ଷମତାରୁ ଗଲେ ମ୍ବିଜେପି କ୍ଷମତାକୁ ଆସିଲା । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗତକାଲି କହିଛନ୍ତି – ସବୁ ସେହି ମହାପ୍ରଭୁଙ୍କ ଇଚ୍ଛା । ବିଜେଡ଼ି ସରକାରରେ ଏହି କାର୍ଯ୍ୟ ହୋଇଥିଲେ ଓଡ଼ିଶାରେ ବିଜେପି କଣ କ୍ଷମତାକୁ ଆସି ଥା’ନ୍ତା ?
ମୁଖ୍ୟ ସଂପାଦକ, ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS