ରାଜ୍ୟପାଳଙ୍କୁ ନେଇ ଅଡୁଆରେ ରାଜ୍ୟ ବିଜେପି ସରକାର !


ପ୍ରସାଦ ରାଓ
ଜୁଲାଇ ୧୬/୨୦୨୪
ଗତ ଜୁଲାଇ ୦୭ ତାରିଖରେ ଓଡ଼ିଶା ରାଜଭବନରେ ଘଟିଥିବା ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ଉଦାସୀନତା ଏବେ ଚର୍ଚ୍ଚାର ବିଷୟ ହୋଇଛି । ରାଜଭବନରେ ଡେପୁଟେସନରେ କାର୍ଯ୍ୟରତ ଥିବା ଜଣେ ପ୍ରଶାସନିକ ଅଧିକାରୀ (ଏଏସଓ)ଙ୍କୁ ସେଦିନ ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତ ଓ ତା’ର ସହଯୋଗୀମାନେ ରାଜଭବନ ପରିସରରେ ମାଡ ମାରିଥିବା ଅଭିଯୋଗକୁ ନେଇ ପୀଡିତ ପରିବାର ରାଜ୍ୟପାଳଙ୍କ ନିକଟରେ ଫେରାଦ ହେବା ସହ ଓ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ । ତେବେ, ଯେହେତୁ ରାଜ୍ୟପାଳଙ୍କ ପୁଅର ସଂପୃକ୍ତିକୁ ନେଇ ଅଭିଯୋଗ ହୋଇଛି, ରାଜ୍ୟ ପୁଲିସ ଆଡୁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ରାଜ୍ୟ ସରକାର ମଧ୍ୟ ନିରବଦ୍ରଷ୍ଟା ରହିଛନ୍ତି । କିନ୍ତୁ, ମାଡ ଖାଇଥିବା ଏଏସଓ ବୈକୁଣ୍ଠନାଥ ପ୍ରଧାନଙ୍କୁ ରାଜ୍ୟ ସରକାର ଗତକାଲି ଗୃହ ବିଭାଗକୁ ବଦଳି କରି ଚର୍ଚ୍ଚାକୁ ଆସିଛନ୍ତି । ଏଏସଓ ପ୍ରଧାନ ଓ ତାଙ୍କ ପତ୍ନୀ ସଜୋଜା ଘଟଣା ପରେ ରାଜ୍ୟପାଳଙ୍କ ଭୋଟି ଦୁଃଖ ଜଣାଇଥିଲେ । ପ୍ରଧାନଙ୍କ ପରିବାର କହିବା ଅନୁସାରେ ରାଜ୍ୟପାଳ ସେମାନଙ୍କ କଥା ଶୁଣିବା ପରେ ଏହା ପରିବାର ଭିତର ଘଟଣା କହି କାର୍ଯ୍ୟାନୁଷ୍ଠାନର ଆଶ୍ୱାସନା ଦେଇଥିଲେ । ତେବେ, କେବଳ ଘଟଣା ସହ ସଂପୃକ୍ତ ରାଜଭବନ ରୋଷେଇଆଙ୍କୁ ଭୁଲ ମଗାଇ ମାମଲା ଥଣ୍ଡା କରିବାକୁ ଉଦ୍ୟମ କରିଥିଲେ । ରାଜ୍ୟପାଳ ତାଙ୍କ ପୁଅକୁ ସୁରକ୍ଷା ଦେଉଥିବା ଏବେ ବିରୋଧୀଙ୍କୁ ତତାଇଛି । ରାଜ୍ୟ ସରକାର ଘଟଣାରେ ହସ୍ତକ୍ଷେପ କରିବେ କଣ, ଓଲଟା ସୋମବାର ଦିନ ପୀଡିତ ସରକାରୀ ଅଓିକାରୀ (ଏଏସଓ) ପ୍ରଧାନଙ୍କୁ ଗୃହ ବିଭାଗକୁ ବଦଳି କରି ମାମଲା ଥଣ୍ଡା କରିବାକୁ ଉଦ୍ୟମ କରିଛନ୍ତି । ପ୍ରଧାନ ରାଜ୍ୟ ସରକାରଙ୍କ ସଂସଦୀୟ ବ୍ୟାପାର ବିଭାଗରୁ ରାଜଭବନକୁ ଡେପୁଟେସନରେ ଯାଇଥିଲେ । ରାଜ୍ୟପାଳଙ୍କ ସଚିବାଳୟରେ ସେ ତିନି ବର୍ଷ ହେଲା କାର୍ଯ୍ୟ କରୁଥିଲେ । ୦୭ ତାରିଖ ଘଟଣା ପରେ ୧୫ ତାରିଖ ତାଙ୍କୁ ରାଜ୍ୟ ସରକାର ଗୃହ ବିଭାଗକୁ ବଦଳି କରିଥିବା ନେଇ ଆଦେଶନାମା ଜାରି କରିଛନ୍ତି ଓ ଗୃହ ବିଭାଗରେ ଖାଲି ରହିଥିବା ସ୍ଥାନରେ ପ୍ରଧାନଙ୍କ ପୋଷ୍ଟିଂ ହୋଇଥିବା ସେଥିରେ ଦର୍ଶାଇଛନ୍ତି । ପ୍ରଧାନ ତୁରନ୍ତ ନୂତନ ସ୍ଥାନରେ ଯୋଗ ଦେବାକୁ ସରକାରୀ ଆଦେଶରେ କୁହାଯାଇଛି । ରାଜଭବନର ଆଭ୍ୟନ୍ତରୀଣ ସୂତ୍ରକୁ ଆଧାର କରି ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ପ୍ରଧାନ ଓ ତାଙ୍କ ପତ୍ନୀ ଗଲା ଶନିବାର ଦିନ ରାଜ୍ୟପାଳଙ୍କୁ ଭେଟି ବଦଳି ପାଇଁ ନିବେଦନ କରିଥିଲେ ଏବଂ ସୋମବାର ଦିନ ତାହା ରାଜ୍ୟ ସରକାର କାର୍ଯ୍ୟକାରୀ କରିଛନ୍ତି । ତେବେ, ରାଜ୍ୟପାଳଙ୍କ ପୁଅକୁ ନେଇ ରାଜନୈତିକ ବିବାଦ ବଢୁଥିବାରୁ ରାଜ୍ୟ ସରକାର ସୋମବାର ଏଭଳି ପଦକ୍ଷେପ ନେଇଛନ୍ତି ବୋଲି ବିରୋଧୀଙ୍କ ମଧ୍ୟରେ ଆଲୋଚନା ହେଉଛି । ରାଜ୍ୟପାଳ ଦାସ ବିଜେପିର ଜଣେ ବରିଷ୍ଠ ନେତା । ରାଜ୍ୟପାଳ ହେବା ପୂର୍ବରୁ ସେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ରହିଥିଲେ । ୨୦୧୯ ବିଧାନସଭା ନିର୍ବାଚନରେ ବିଜେପି ନେତୃତ୍ୱ ଦାସଙ୍କୁ ନେତୃତ୍ୱ ନଦେଇ ଦଳର ଅନ୍ୟତମ ବରିଷ୍ଠ ଆଦିବାସୀ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ ମାରାଣ୍ଡିଙ୍କ ହାତରେ ଝାଡଖଣ୍ଡ ବିଜେପିର ନେତୃତ୍ୱ ସମର୍ପି ଦେଇଥିଲେ । କିନ୍ତୁ, ନିର୍ବାଚନରେ ଜେଏମଏମ-କଂଗ୍ରେସ ମେଂଟର ବିଜୟ ହୋଇଥିଲା ଓ ଜେଏମଏମ ନେତା ହେମନ୍ତ ସୋରେନ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ । ପ୍ରଫେସର ଗଣେଶୀ ଲାଲ ଓଡ଼ିଶାର ରାଜ୍ୟପାଳ ପଦରୁ ଅବସର ନେବା ପରେ ବିଜେପି ନେତୃତ୍ୱ ତଥା କେନ୍ଦ୍ର ସରକାର ପୂର୍ବତନ ମୁଖ୍ୟମନ୍ତ୍ରୀ ଦାସଙ୍କୁ ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତି ଦେଇଥିଲେ । ଦାସ ଓଡ଼ିଶାରେ ରାଜ୍ୟପାଳ ଭାବେ ଦାୟିତ୍ୱ ନେବା ପରେ ବିଜେଡ଼ି ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସୁସଂପର୍କ ରଖିଥିଲେ ମଧ୍ୟ ଓଡ଼ିଶାର ସମସ୍ତ ଜିଲ୍ଲା ଗସ୍ତ କରି ଜନସାଧାରଣଙ୍କ ଅଭାବ, ଅସୁବିଧା ଶୁଣିବା ବାହାନାରେ ସରକାରଙ୍କ ପ୍ରତି ଓଡ଼ିଶାବାସୀଙ୍କ ମୁଡ୍ କଣ ରହିଛି ତାହା ପରଖି ଥିଲେ ଏବଂ ଦଳର କେନ୍ଦ୍ରୀୟ ନେତୃତ୍ୱକୁ ତାହାାର ବିସ୍ତୃତ ସୂଚନା ଦେଇଥିଲେ । ରାଜ୍ୟ ସରକାରଙ୍କ ବିରୋଧରେ ଜନଅସନ୍ତୋଷ ପ୍ରବଳ ମାତ୍ରାରେ ଥିବାରୁ ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ସମ୍ଭାବନା ଉଜ୍ୱଳ ବୋଲି ରାଜ୍ୟପାଳ ଦଳର କେନ୍ଦ୍ରୀୟ ନେତୃତ୍ୱକୁ ରିପୋର୍ଟ ଦେଇଥିଲେ ବୋଲି କୁହାଯାଉଛି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଓଡ଼ିଶାରେ ମେଂଟ ପାଇଁ ବିଜେପିର କେନ୍ଦ୍ରୀୟ ନେତାମାନେ ଆଗ୍ରହୀ ଥିଲେ ଓ ବିଜେଡ଼ି-ବିଜେପି ମଧ୍ୟରେ ଲଗାତର ଆଲୋଚନା ଚାଲିଥିଲା । ସାଧାରଣ ନିର୍ବାଚନ ତାରିଖ ଘୋଷଣା ପରେ ମଧ୍ୟ ମେଂଟ ଉଦ୍ୟମ ଅବ୍ୟାହତ ରହିଥିଲା । ବିଜେପି ରାଜ୍ୟ ନେତୃତ୍ୱ ମେଂଟ ସପକ୍ଷରେ ନଥିବାରୁ କହିବା ପରେ ମଧ୍ୟ କେନ୍ଦ୍ରୀୟ ନେତୃତ୍ୱ ବିଜେଡ଼ି ସହ ଆଲୋଚନା ଜାରି ରଖିଥିଲେ । ତେବେ, ଶେଷମୁହୂର୍ତ୍ତରେ ବିଜେପି ମେଂଟ ଆଲୋଚନାରୁ ଓହରି ଯାଇଥିଲା । ରାଜ୍ୟରେ ଦୁଇ ଦଳ ପରସ୍ପର ବିରୋଧରେ ନିର୍ବାଚନ ଲଢି ଥିଲେ । ବିଜେପି କେନ୍ଦ୍ରୀୟ ନେତୃତ୍ୱର ପରିବର୍ତ୍ତିତ ନିଷ୍ପତ୍ତି ପଛରେ ରାଜ୍ୟପାଳ ରଘୁବର ଦାସଙ୍କ ରିପୋର୍ଟ ପ୍ରମୁଖ ଭୂମିକା ଥିଲା ବୋଲି ସେତେବେଳେ ରାଜନୈତିକ ମହଲରେ ଚର୍ଚ୍ଚା ହୋଇଥିଲା । ଓଡ଼ିଶାରେ ବିଜେଡ଼ି ସହ ମେଂଟ ନିଷ୍ପତ୍ତିରୁ ଓହରିବା ପରେ ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବିଜେପିର ବରିଷ୍ଠ ମନ୍ତ୍ରର, ମୁଖ୍ୟମନ୍ତ୍ରୀ ଓ ନେତାମାନେ ଘନ ଘନ ଓଡ଼ିଶା ଆସି ‘ଓଡ଼ିଆ ଅସ୍ମିତା’ ନାମରେ ବିଜେଡ଼ି ଓ ନବୀନ ସରକାରଙ୍କୁ ଯେଭଳି ଶାଣିତ ଆକ୍ରମଣ କରିଥିଲେ ତାହା ଓଡ଼ିଶାବାସୀ ଦେଖିଛନ୍ତି । ବିଜେପି ମଧ୍ୟ ତାହାର ସୁଫଳ ପାଇଛି । ପ୍ରଥମ କରି ଓଡ଼ିଶାରେ ବିଜେପିର ସରକାର ହୋଇଛି । ବିଜେପି ନେତୃତ୍ୱ ଆଦିବାସୀ ନେତା ମୋହନ ମାଝୀଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଅବସ୍ଥାପିତ କରି ଓଡ଼ିଶାକୁ ନୂଆ ସରକାର ଦେଇଛନ୍ତି । ଚଳିତ ବର୍ଷ ଶେଷ ଆଡକୁ ଝାଡଖଣ୍ଡ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ବିଜେପି ରାଷ୍ଟ୍ରୀୟ ନେତୃତ୍ୱ ଓଡ଼ିଶାରେ ଜଣେ ଆଦିବାସୀ ନେତାଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇ ଥିବା ବିରୋଧୀ ଚର୍ଚ୍ଚା କରୁଥିବା ବେଳେ ମାସେ ହେଲା କ୍ଷମତାକୁ ଆସିଥିବା ମାଝୀ ସରକାର ରାଜଭବନ ଘଟଣାକୁ ନେଇ ଅକଳରେ ପଡିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ହାତରେ ଗୃହ ବିଭାଗ ଥିବାରୁ ଓ ତାଙ୍କ ଅନୁମତି ବିନା ରାଜ୍ୟ ପୁଲିସ ପ୍ରଶାସନରେ ପତ୍ରଟିଏ ହଲିବା ସମ୍ଭବ ନଥିବାରୁ ରାଜ୍ୟପାଳଙ୍କ ପୁଅ ବିରୋଧରେ ଏତଲାଟିଏ ବି ରୁଜୁ ହୋଇନି । ଅତୀତରେ ବିଜେଡ଼ି ଶାସନରେ ମଧ୍ୟ ମୁଖ୍ୟମନ୍ତ୍ରୀ ଗୃହ ବିଭାଗକୁ ନିଜ ହାତରେ ରଖିଥିଲେ ଓ ରାଜ୍ୟର ମନ୍ତ୍ରୀ, ବିଧାୟକମାନଙ୍କ ବିରୋଧରେ ଗୁରୁତର ଆପରାଧିକ ଅଭିଯୋଗ ଆସିଲେ ମଧ୍ୟ ସେସବୁ ଅଣଦେଖା ହୋଇଯାଉଥିଲା । ଏବେ ରାଜ୍ୟରେ ସେହି ଏକା ପରିସ୍ଥିତି ଦେଖିବାକୁ ମିଳୁଛି । ମୋହନ ମାଝୀଙ୍କ ସରକାର ମାସେ ହେଲା କ୍ଷମତାକୁ ଆସିଥିବାରୁ ଏପର୍ଯ୍ୟନ୍ତ କୌଣସି ଗୁରୁତର ଅଭିଯୋଗର ସମ୍ମୁଖୀନ ହୋଇନାହାନ୍ତି । ସରକାର ଚିନ୍ତାଶୂନ୍ୟ । ତେବେ, ରାଜଭବନ ପରିସରରେ ଜୁଲାଇ ୦୭ ତାରିଖରେ ଘଟିଥିବା ଘଟଣା ରାଜ୍ୟରେ ରାଜନୈତିକ ଝଡ ସୃଷ୍ଟି କରିଛି । ସପ୍ତାହରୁ ଅଧିକ ସମୟ ହେଲା ଏହି ଘଟଣା ଘଟିଥିଲେ ସୁଦ୍ଧା ମୁଖ୍ୟମନ୍ତ୍ରୀ ନିରବ । ଏବେ ଯଦି ବିଜେଡ଼ି କ୍ଷମତା ଥା’ନ୍ତା ବିଜେପି ନେତାମାନେ ତୁମ୍ବିତୋଫାନ କରି ସାରନ୍ତେଣି । ତେବେ, ବିଡମ୍ବନାର ବିଷୟ ହେଉଛି, ରାଜ୍ୟରେ ବିଜେପି ନୂଆ ନୂଆ ଶାସନକୁ ଆସିଥିବା ବେଳେ ବିଜେଡ଼ି ଓ କଂଗ୍ରେସ ବିରୋଧୀ ଭୂମିକାରେ ରହିଛନ୍ତି । ରାଜ୍ୟପାଳଙ୍କ ପୁଅକୁ ଗିରଫ କରାଯିବା ଦାବିରେ କଂଗ୍ରେସର ଯୁବ ଓ ଛାତ୍ର ସଂଗଠନ ରାଜରାସ୍ତାକୁ ଓହ୍ଳାଇ ସାରିଥିବା ବେଳେ ବିଜେଡ଼ି ମାପିଚୁପି ପ୍ରତିକ୍ରିୟା ରଖୁଛି । ଦଳ ଘଟଣାର ନିନ୍ଦା କରିଥିଲେ ମଧ୍ୟ ରାଜରାସ୍ତାକୁ ଆସି ନାହିଁ । ତେବେ, ବିଜେଡ଼ି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଆଜି ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟପାଳଙ୍କ ପୁଅ କୌଣସି ବିଶେଷ ଅଧିକାରଭୁକ୍ତ ନୁହନ୍ତି, ଆଇନ ସମସ୍ତଙ୍କ କ୍ଷେତ୍ରରେ ସମାନ ବୋଲି ମନ୍ତବ୍ୟ ଦେବା ସହ ସରକାର ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନକଲେ ବିଜେଡ଼ି ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେବ ବୋଲି ଚେତାଇ ଦେଇଛନ୍ତି । ଆସନ୍ତା ସପ୍ତାହରୁ ରାଜ୍ୟ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେଉଥିବାରୁ ଓ ବିଜେଡ଼ି ପ୍ରଥମ କରି ରାଜ୍ୟ ବିଧାନସଭାରେ ବିରୋଧୀ ଦଳ ଭୂମିକାରେ ଥିବାରୁ ଲେଖାଶ୍ରୀଙ୍କ ଚେତାବନୀ ବେଶ ମହତ୍ୱ ରଖୁଛି । ଗଲା ୨୪ ବର୍ଷ ଧରି ରାଜ୍ୟରେ ମୁଖ୍ୟମନ୍ତ୍ରୀ ରହି ଆସିଥିବା ନବୀନ ପଟ୍ଟନାୟକ ବିଧାନସଭାରେ ବିରୋଧୀ ଦଳର ନେତା ରହିଛନ୍ତି । ଚଳିତ ସପ୍ତାହରେ ରାଜ୍ୟପାଳ ବା ରାଜ୍ୟ ସରକାରଙ୍କ ଆଡୁ କୌଣସି କାର୍ଯ୍ୟାନୁଷ୍ଠାନ ନହେଲେ ବିଧାନସଭାରେ ରାଜଭବନ ପ୍ରସଙ୍ଗ ଉଠିବା ନିଶ୍ଚିତ । କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ରହିଛି । ତେବେ, ରାଜ୍ୟ ବିଧାନସଭାରେ ବିରୋଧୀଙ୍କ ସଂଖ୍ୟା କିଛି କମ୍ ନୁହେଁ । ବିଧାନସଭାରେ ଶାସକ ଦଳର ୭୮ ଜଣ ବିଧାୟକ ଥିବା ବେଳେ ବିରୋଧୀ ବିଜେଡ଼ିର ୫୧ ଜଣ ଓ କଂଗ୍ରେସର ୧୪ ଜଣ ବିଧାୟକ ଅଛନ୍ତି । ସିପିଏମରୁ ଜଣେ ଓ ତିନି ଜଣ ସ୍ୱାଧୀନ ବିଧାୟକ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ସ୍ୱାଧୀନ ବିଧାୟକମାନେ ବିଜେପି ପ୍ରତି ସମର୍ଥନ ଘୋଷଣା କରିଥିଲେ ମଧ୍ୟ ୬୬ ଜଣ ବିରୋଧୀ ବିଧାୟକ ଏକ ସଂଗରେ ଏହି ପ୍ରସଙ୍ଗ ଉଠାଇଲେ ବିଧାନସଭା ଅଚଳ ହେବା ସୁନିଶ୍ଚିତ । ଏଭଳି ସ୍ଥିତିରେ ସରକାର କି ପଦକ୍ଷେପ ନେଉଛନ୍ତି ତାହା ଉପରେ ରାଜ୍ୟବାସୀଙ୍କ ନଜର ରହିବା ସ୍ୱାଭାବିକ । ରାଜ୍ୟପାଳ ରଘୁବର ଦାସ ଜୁଲାଇ ୦୭ ତାରିଖ ଘଟଣାକୁ ପାରିବାରିକ ସମସ୍ୟା କହି ଗୌଣ କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ପୁଅକୁ ସୁରକ୍ଷା ଦେଉଥିବାରୁ ଏବଂ ରାଜ୍ୟ ସରକାର ମାଡ ଖାଇଥିବା ସରକାରୀ ଅଧିକାରୀଙ୍କୁ ସୁରକ୍ଷା ଦେବା ବଦଳରେ ରାଜଭବନରୁ ଲୋକସେବା ଭବନକୁ ବଦଳି କରିଥିବାରୁ ଏହାକୁ କଣ ନ୍ୟାୟ କୁହାଯିବ (!) – ବୋଲି ପ୍ରଶ୍ନ ହେଲାଣି । ରାଜ୍ୟରେ ତ୍ରିପଲ ଇଂଜିନ (କେନ୍ଦ୍ର, ରାଜ୍ୟ ଓ ରାଜ୍ୟପାଳ) ସରକାର ଚାଲଛି । ତେଣୁ, ସରକାରଙ୍କ ଯାହା ଚାହିଁବେ ତାହା ହେବ ବୋଲି ସରକାରଙ୍କ ଶୁଭେଚ୍ଛୁମାନେ କହୁଛନ୍ତି ।
ମୁଖ୍ୟ ସଂପାଦକ, ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS