‘ନାଲି ବତୀ’ ପ୍ରତି ଆଶକ୍ତି, ଖୋଲିଲା ଖେଦକର ପରିବାରର ଗୁମର !


ପ୍ରସାଦ ରାଓ
ଜୁଲାଇ ୧୮/୨୦୨୪
ମହାରାଷ୍ଟ୍ରର ୩୪ ବର୍ଷ ବୟସ୍କା ପ୍ରୋବେସନାରୀ ଆଇଏଏସ ଅଧିକାରୀ ପୂଜା ଖେଦକର ଆଜି ଦିନରେ ଦେଶରେ ଏକ ଚର୍ଚ୍ଚିତ ଚେହେରା ହୋଇଛନ୍ତି । ପ୍ରତ୍ୟହ ଜାତୀୟ ଗଣମାଧ୍ୟମରେ ତାଙ୍କୁ ନେଇ ଖବର ଆସୁଛି । ସ୍ଥାୟୀ ଚାକିରୀ ପାଇବା ପୂର୍ବରୁ ଜଣେ ପ୍ରୋବେସନାରୀ ଆଇଏଏସ ଅଫିସର ଭାବେ ସେ ମହାରାଷ୍ଟ୍ର ସରକାରଙ୍କ ଅଧିନରେ କାର୍ଯ୍ୟ ଆରମ୍ଭ କରିଥିଲେ । ତେବେ, ଗାଡିରେ ନାଲି ବତୀ ଲଗାଇ ବୁଲିବା ନିଶା ତାଙ୍କୁ ତାଲିମ ପୂର୍ବରୁ ମସୁରୀ ସ୍ଥିତ ଆଇଏଏସ ତାଲିମ ଏକାଡେମୀକୁ ଫେରିବାକୁ ବାଧ୍ୟ କରିଛି । ସରକାରୀ ନିୟମ ଅନୁଯାୟୀ, ପ୍ରୋବେସନରେ କାର୍ଯ୍ୟ କରୁଥିବା ଆଇଏଏସଙ୍କୁ ସ୍ଥାୟୀ ଅଧିକାରୀଙ୍କୁ ମିଳୁଥିବା ସରକାରୀ ସୁବିଧା, ସୁଯୋଗ ମିଳିନଥାଏ । କିନ୍ତୁ, ପୂଜା ଖେଦକର ଅଡି ବସିଥିଲେ ପ୍ରୋବେସନ ସମୟରେ ତାଙ୍କୁ ସମସ୍ତ ସରକାରୀ ସୁବିଧା ମିଳୁ । ‘ନାଲି-ନୀଳ ବତି’ ଜଳୁଥିବା ସରକାରୀ ଗାଡି, ଘର, ସ୍ୱତନ୍ତ୍ର କାର୍ଯ୍ୟାଳୟ ଓ ଷ୍ଟାଫ୍ ଇତ୍ୟାଦି । ଏସବୁ ନପାଇବାରୁ ସେ ଯେଉଁ ନଖରାମୀ କଲେ ତାହାର ପରିଣତି ଏବେ ପରିବାର ସଦସ୍ୟଙ୍କ ଗୁମର ଖୋଲିବାରେ ଲାଗିଛି ।
ପୂଜା ଗଲା ଜୁନ ୦୩ ତାରିଖରେ ମହାରାଷ୍ଟ୍ର ସରକାରଙ୍କ ଅଧିନରେ ପ୍ରୋବେସନ ଆଇଏଏସ ଭାବେ ଯୋଗ ଦେଇଥିଲେ । ପୁଣେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସହକାରୀ ଜିଲ୍ଲାପାଳ ଭାବେ ତାଙ୍କୁ ନିଯୁକ୍ତି ମିଳିଥିଲା । କାର୍ଯ୍ୟରେ ଯୋଗ ଦେବା ପରେ ପୂଜା ନିଜ ପାଇଁ ସ୍ୱତନ୍ତ୍ର କାର୍ଯ୍ୟାଳୟ, କର୍ମଚାରୀ, ସରକାରୀ ଘର, ଗାଡି ପ୍ରଭୃତି ଦାବି କରି ଜିଲ୍ଲାପାଳଙ୍କ ଅଡୁଆ ବଢାଇଥିଲେ । ପ୍ରୋବେସନରମାନଙ୍କୁ ସରକାର ଏସବୁ ସୁବିଧା ଦେବା ବ୍ୟବସ୍ଥା ନାହିଁ ବୋଲି ପୁଣେ ଜିଲ୍ଲାପାଳ ସୁହାସ ଦିୱାସେ ତାଙ୍କୁ ରୋକଠୋକ ଜଣାଇବା ପରେ ମଧ୍ୟ ପୂଜା ନିଜ ଜିଦରେ ଅଟଳ ଥିଲେ । ଜଣେ ମହିଳା ଅଫିସର ହୋଇଥିବାରୁ ଅତିବେଶିରେ ସେ ତାଙ୍କୁ ଗୋଟିଏ ସରକାରୀ କ୍ୱାଟର ଯୋଗାଇବା ବ୍ୟବସ୍ଥା କରି ପାରିବ ବୋଲି ଜିଲ୍ଲାପାଳ କହିଥିଲେ ମଧ୍ୟ ପୂଜା ଖେଦକର ନିଜର ଅଲଗା ବ୍ୟବସ୍ଥା କରିବାରୁ ଜିଲ୍ଲାପାଳଙ୍କ ସହ ତାଙ୍କ ସଂପର୍କ ତୀକ୍ତ ହୋଇଥିଲା ।
ସରକାରୀ ଗାଡି ନ ମିଳିବାରୁ ପୂଜା ନିଜ ବ୍ୟକ୍ତିଗତ ଧଳା ‘ଅଡି’ କାରରେ ‘ନାଲି-ନୀଳ’ ବତି ସହ ମହାରାଷ୍ଟ୍ର ସରକାରଙ୍କ ଷ୍ଟିକର ଲଗାଇ ଥିଲେ । ଏହି ଗାଡିରେ ସେ ପୁଣେ ଜିଲ୍ଲାରେ ଘୁରି ବୁଲିବା ମହାରାଷ୍ଟ୍ର ପ୍ରଶାସନକୁ ଅଡୁଆରେ ପକାଇ ଥିଲା ଏବଂ ଜୁନ ୨୪ ତାରିଖରେ ପୁଣେ ଜିଲ୍ଲାପାଳ ପୂଜାଙ୍କ ବିରୋଧରେ ରାଜ୍ୟ ମୁଖ୍ୟ ଶାସନ ସଚିବ ସୁଜାତା ସୌନିକଙ୍କ ନିକଟରେ ଆପତ୍ତି ଜଣାଇ ଥିଲେ । ପୂଜା କେବଳ ସରକାରୀ ସୁବିଧା, ସୁଯୋଗ ଦାବି କରୁ ନାହାନ୍ତି; ଜିଲ୍ଲା କାର୍ଯ୍ୟାଳୟର ତଳିଆ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରୁଛନ୍ତି ବୋଲି ମଧ୍ୟ ପୁଣେ ଜିଲ୍ଲାପାଳ ମୁଖ୍ୟ ଶାସନ ସଚିବଙ୍କ ନିକଟରେ ଅଭିଯୋଗ କରିଥିଲେ । ଅପରପକ୍ଷରେ, ପୂଜା ଜିଲ୍ଲାପାଳଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ କରି ପରିସ୍ଥିତିକୁ ବିଗାଡି ଥିଲେ । ପୁଣେ ଜିଲ୍ଲାପାଳ ଓ ପ୍ରୋବେସନାରୀ ଅଧିକାରୀ ପୂଜା ଖେଦକରଙ୍କ ମଧ୍ୟରେ ଆରୋପ, ପ୍ରତ୍ୟାରୋପକୁ ନେଇ ଗଣମାଧ୍ୟମରେ ପ୍ରତି ଦିନ କିଛି ନା କିଛି ରିପୋର୍ଟ ପ୍ରକାଶ ପାଇଲା ।
ପୂଜା ଆଇଏଏସରେ ଯୋଗଦେବା ସକାଶେ ଜାଲ ଶାରୀରିକ ଅକ୍ଷମତା ସାର୍ଟିଫିକେଟ ଓ ଓବିସି ସାର୍ଟିଫିକେଟ ଦେଇଥିବା ଅଭିଯୋଗ ଗଣମାଧ୍ୟମ ଚର୍ଚ୍ଚାକୁ ଅଧିକ ଗତି ଦେଇଥିଲା । ଏହି ଅଭିଯୋଗର ଏବେ ତଦନ୍ତ ଚାଲିଛି । ପୁଣେ ଜିଲ୍ଲାପାଳଙ୍କ ଲିଖିତ ଅଭିଯୋଗ ଆଧାରରେ ମହାରାଷ୍ଟ୍ର ରାଜ୍ୟ ପ୍ରଶାସନ ପ୍ରୋବେସନାରୀ ଆଇଏଏସ ପୂଜା ଖେଦକରଙ୍କୁ ୱାସିମ ଜିଲ୍ଲାକୁ ବଦଳି କଲେ ମଧ୍ୟ ପରିସ୍ଥିତି ବଦଳି ନଥିଲା । ୱାସିମ ଜିଲ୍ଲାରେ ଯାଇ ଯୋଗଦେବା ପରେ ମଧ୍ୟ ପୂଜା ନଖରାମୀ ଜାରି ରଖିଥିଲେ । ଶାରୀରିକ ଅକ୍ଷମତା ଓ ଓବିସି ସାର୍ଟିଫିକେଟରେ ଜାଲିଆତି ଅଭିଯୋଗ ନେଇ ମହାରାଷ୍ଟ୍ର ସରକାରଙ୍କ ମୁଖ୍ୟ ଶାସନ ସଚିବ ଉତ୍ତରାଖଣ୍ଡର ମସୁରୀରେ ଥିବା ଆଇଏଏସ ତାଲିମ କେନ୍ଦ୍ରକୁ ଅବଗତ କରାଇବା ପରେ ଲାଲ ବାହାଦୂର ଶାସ୍ତ୍ରୀ ନ୍ୟାସନାଲ ଏକାଡେମୀ ଅଫ୍ ଆଡମିନିଷ୍ଟ୍ରେସନର ନିର୍ଦେଶକ ପୂଜାଙ୍କ ତାଲିମକୁ ବାତିଲ କରିବା ସହ ତାଙ୍କୁ ତୁରନ୍ତ ଦାୟିତ୍ୱରୁ ମୁକ୍ତ କରି ମସୁରୀ ପଠାଇ ଦେବାକୁ ମହାରାଷ୍ଟ୍ର ସରକାରଙ୍କୁ କହିଛନ୍ତି ଏବଂ ଜୁଲାଇ ୨୩ ତାରିଖ ସୁଦ୍ଧା ପୂଜା ମସୁରୀ ଏକାଡେମୀରେ ରିପୋର୍ଟ କରିବାକୁ ନିର୍ଦେଶ ଦେଇଛନ୍ତି ।
ଇତିମଧ୍ୟରେ ପୂଜା ‘ନାଲି-ନୀଳ ବତି’ ଓ ମହାରାଷ୍ଟ୍ର ସରକାରଙ୍କ ଷ୍ଟିକର୍ ଲଗାଇ ଯେଉଁ ଧଳା ‘ଅଡି’ କାର୍ ରେ ବୁଲୁଥିଲେ ପୁଣେ ଟ୍ରାଫିକ ପୁଲିସ ତାହାକୁ ଜବତ କରିଥିବା ଜଣାପଡିଛି । ଭିଭିଆଇପି ସୁବିଧା ପାଇଁ ଅଡି ବସିବା ଓ ନିଜ ବ୍ୟକ୍ତିଗତ ଗାଡିରେ ବେଆଇନ ଭାବେ ‘ନାଲି-ନୀଳ’ ବତି ଲଗାଇ ବୁଲିବା ପୂଜାଙ୍କୁ ବିବାଦକୁ କେବଳ ଟାଣି ନାହିଁ, ତାଙ୍କ ପରିବାର ସଦସ୍ୟଙ୍କ ଅଡୁଆ ମଧ୍ୟ ବଢାଇଛି । ପୂଜାଙ୍କ ପିତା ଦିଲ୍ଲୀପ ଖେଦକର ହେଉଛନ୍ତି ମହାରାଷ୍ଟ୍ର ସରକାରଙ୍କ ଅଧିନରେ କାର୍ଯ୍ୟକରୀ ଅବସର ନେଇଥିବା ଜଣେ ପ୍ରଶାସନିକ ଅଧିକାରୀ । ମା’ ମନୋରମା ଖେଦକର କୌଣସି ଏକ ଏନଜିଓ ସହ ଜଡିତ ବୋଲି କୁହାଯାଉଛି । ଗତ ବର୍ଷ ମା’ ମନୋରମା ଖେଦକର ଏକ ଜମିଜମା ବିବାଦ ଘଟଣାରେ ଗୁଣ୍ଡାଙ୍କୁ ଧରି ସଂପୃକ୍ତ ଜମିରେ ପହଂଚିବା ସହ ଚାଷୀଙ୍କୁ ପିସ୍ତଲ ଦେଖାଇ ଧମକାଇବାର ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ମହାରାଷ୍ଟ୍ର ପୁଲିସ ଏବେ ନିଜ ଆଡୁ ତାଙ୍କ ବିରୋଧରେ ଆପରାଧୀକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି ।
ପୁଲିସ ଏତଲାରେ ପୂଜାଙ୍କ ବାପା ଦିଲ୍ଲୀପ ଖେଦକର ଓ ମା’ ମନୋରମା ଖେଦକରଙ୍କ ନାମ ରହି ଥିବାରୁ ଗିରଫ ଭୟରେ ସେମାନେ ଫେରାର ଥିବା କୁହାଯାଉଛି । ପୁଲିସ ସେମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି । ପୁଣେ ଗ୍ରାମାଂଚଳ ପୁଲିସ ଦ୍ୱାରା ହୋଇଥିବା ଏହି ମାମଲାରେ ଖେଦକର ଦଂପତ୍ତିଙ୍କ ସମତେ ସାତ ଜଣଙ୍କୁ ଅଭିଯୁକ୍ତ ତାଲିକାରେ ରଖାଯାଇଛି । ସେମାନଙ୍କ ବିରୋଧରେ ଦଂଗା, ଧମକଚମକ ଓ ଅସ୍ତ୍ରଶସ୍ତ୍ର ଆଇନର ଉଲଂଘନ ଅଭିଯୋଗ ହୋଇଛି । ଆଜି ମୁମ୍ବାଇରୁ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ପୂଜାଙ୍କ ବାପା ଦିଲ୍ଲୀପ ଖେଦକର ମହାରାଷ୍ଟ୍ର ସରକାରଙ୍କ ଅଧିନରେ ସରକାରୀ ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ସମୟରେ ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ୨୦୧୮ ଓ ୨୦୨୦ରେ ଦୁଇ ଥର କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି । ପୁଣେର ଆଂଟି କରପସନ୍ ବ୍ୟୁରୋ (ଏସିବି) ଏହି ଦୁର୍ନତିର ତଦନ୍ତ ଜାରି ରଖିଛନ୍ତି । ୨୦୧୫ରେ ଦିଲ୍ଲୀପ ଖେଦକର ଜୋର ଜବରଦସ୍ତ ଚାନ୍ଦା ଆଦାୟ କରୁଥିବା ଓ ସେମାନଙ୍କୁ ଅଯଥାରେ ହଇରାଣ ହରକତ କରୁଥିବା ନେଇ ଅନ୍ୟୁନ ତିନି ଶହ କ୍ଷୁଦ୍ର ବ୍ୟବସାୟୀ କରିଥିଲେ ।
୨୦୧୮ରେ ଦିଲ୍ଲୀପ କୋହ୍ଲାପୁରରେ ଆଂଚଳିକ ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ବେଳେ କାଠ ଓ କରତ କଳଗୁଡିକୁ ଜଳ ଓ ବିଦ୍ୟୁତ ଯୋଗାଣ ବନ୍ଦ କରି ସେସବୁ ପୁନଃ ବାହାଲ କରିବା ସକାଶେ ୨୫ରୁ ୫୦ ହଜାର ଟଙ୍କା ଲେଖାଏଁ ଦାବି କରୁଥିବା କାଠ ଓ କରତ କଳ ବ୍ୟବସାୟୀମାନେ ପୁଲିସରେ ଅଭିଯୋଗ କରିଥିଲେ । ଏକଦା ସେ ଚାକିରୀରେ ଥିବା ସମୟରେ ଛଅରୁ ସାତ ମାସ କାର୍ଯ୍ୟକ୍ଷେତ୍ରରୁ ଗାଏବ ହୋଇଯାଇଥିବା ମଧ୍ୟ ଚର୍ଚ୍ଚାରେ ଥିଲା । ୨୦୧୯ରେ ସେ ଗୋଟିଏ କଂପାନୀରୁ ସେ ୨୦ ଲକ୍ଷ ଟଙ୍କା ଲାଂଚ ଦାବି କରିଥିବା ମଧ୍ୟ ଏସିବିରେ ଅଭିଯୋଗ ହୋଇଥିଲା । ପୂଜା ଖେଦକର ବିବାଦ ଗଣମାଧ୍ୟମର ଶୀରୋନାମାକୁ ଆସିବା ପରେ ବାପା ଦିଲ୍ଲୀପ ଖେଦକର ଓ ମା’ ମନୋରମାଙ୍କ କଳା କାରନାମା ମଧ୍ୟ ଚର୍ଚ୍ଚାକୁ ଆସିଛି । ଦିଲ୍ଲୀପଙ୍କ ଆୟ ବହିର୍ଭୁତ ସଂପତ୍ତି (ଜମି, ଗାଡି ଓ କଂପାନୀଗୁଡିକ)ର ତଦନ୍ତ କରୁଥିବା ଆଂଟି କରପସନ୍ ବ୍ୟୁରୋ (ଏସିବି) ଦିଲ୍ଲୀପ ଓ ମନୋରମା ନିଖୋଜ ହେବା ପୂର୍ବରୁ ତିନି ଦିନ ପୂର୍ବରୁ ଦିଲ୍ଲୀପଙ୍କୁ ତିନି ଦିନ ଧରି ଜେରା କରିଥିଲେ । ଏବେ ମହାରାଷ୍ଟ୍ର ପୁଲିସ ଦିଲ୍ଲୀପ ଓ ମନୋରମାଙ୍କୁ ଖୋଜୁଛନ୍ତି । ଏପଟେ, ଝିଅ ପୂଜା ଖେଦକର ଗତକାଲି ଗଣମାଧ୍ୟମରେ କହିଛନ୍ତି ସାର୍ଟିଫିକେଟ ଜାଲ କରିଥିବା ନେଇ ତାଙ୍କ ବିରୋଧରେ ଯେଉଁ ପ୍ରଚାର ଚାଲିଛି ସେସବୁ ମିଛ । ସମୟ ଆସିଲେ ସେ ଗଣମାଧ୍ୟମ ନିକଟରେ ବାସ୍ତବ ତଥ୍ୟ ଉପସ୍ଥାପନ କରିବେ ।
ଏବେ ଆମେ ଆସିବା ‘ନାଲି ବତୀ’ ସଂସ୍କୃତିକୁ । ଏହାର ବ୍ୟାପକ ଅପବ୍ୟବହାର ହେଉଥିବା ନେଇ ସୁପ୍ରିମ କୋର୍ଟରେ ଅଭିଯୋଗ ହେବା ପରେ କେନ୍ଦ୍ର ସରକାର ଏହାକୁ ରୋକିବା ଦିଗରେ ଆଇନ ପ୍ରଣୟନ କରିବାକୁ ସୁପ୍ରିମ କୋର୍ଟ ୨୦୧୩ରେ ନିର୍ଦେଶ ଦେଇଥିଲେ । ତେବେ, ୨୦୧୭ ଏପ୍ରିଲ ୧୯ ତାରିଖରେ କେନ୍ଦ୍ର କ୍ୟାବିନେଟରେ ମୋଟର ଭେଇକିଲ୍ସ ରୁଲ୍ସ, ୧୯୮୯କୁ ନେଇ ଆଲୋଚନା ହୋଇ ଏକ ନିର୍ଣ୍ଣୟ ନିଆଯାଇଥିଲା । କେଉଁମାନେ ନାଲି ବତୀ ଥିବା ସରକାରୀ ଗାଡିରେ ଆତଯାତ କରି ପାରିବେ ତାହା କେନ୍ଦ୍ର ସରକାର ସ୍ପଷ୍ଟ କରି ଦେଇଥିଲେ । ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଜନପ୍ରତିନିଧି, ସରକାରୀ ଅଧିକାରୀମାନେ ନାଲି ବତୀ ବ୍ୟବହାର କରିବାକୁ ବାରଣ କରାଯାଇ କେବଳ ଅତ୍ୟାବଶ୍ୟକ ସେବା (ପୁଲିସ, ପ୍ରତିରକ୍ଷା ବିଭାଗ, ଅର୍ଦ୍ଧ ସାମରିକ ବାହିନୀ, ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ଦାୟିତ୍ୱରେ ଥିବା ଗାଡି, ଆମ୍ବୁଲାନ୍ସ) କ୍ଷେତ୍ରରେ ତାହାୀ ବ୍ୟବହାର ହେବ ବୋଲି ନିର୍ଣ୍ଣୟ ନିଆଯାଇଥିଲା । ତାହା ମଧ୍ୟ ଡ୍ୟୁଟି ସମୟରେ । ସରକାରୀ ନିୟମ ସ୍ପଷ୍ଟ ଥିଲେ ମଧ୍ୟ ନାଲି ବତୀ ପ୍ରତି ଆଶକ୍ତିର ବିଲୋପ ଘଟିନି । ପୂଜା ଖେଦକରଙ୍କ ପରି ପ୍ରୋବେସନର ଆଇଏଏସମାନେ ଯଦି ଆଶକ୍ତ ଅନ୍ୟାନଙ୍କୁ କିଏ ରୋକି ପାରିବ ?
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS