ଅଠସ୍ତରୀ ବନାମ ଏକାବନ, ଛାୟା ଯୁଦ୍ଧର ପ୍ରସ୍ତୁତି !


ପ୍ରସାଦ ରାଓ
ଜୁଲାଇ ୧୯/୨୦୨୪
ଆସନ୍ତା ଜୁଲାଇ ୨୨ ତାରିଖ, ଅର୍ଥାତ ସୋମବାରରୁ ଓଡ଼ିଶା ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ସେପ୍ଟେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଦୁଇ ପର୍ଯ୍ୟାୟରେ ଏହି ଅଧିବେଶନ ଚାଲିବ ବୋଲି କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯାଇଛି । ୨୦୨୪ ମେ’- ଜୁନରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବିଜେପି ପ୍ରଥମ ଥର ପାଇଁ ରାଜ୍ୟ ବିଧାନସଭାରେ ସଂଖ୍ୟାଗରିଷ୍ଠତା ହାସଲ କରି ସରକାର କରିଥିବା ବେଳେ ଗଲା ୨୪ ବର୍ଷ ଧରି ରାଜ୍ୟରେ ଶାସନରେ ଥିବା ବିଜେଡ଼ି ମୁଖ୍ୟ ବିରୋଧୀ ଦଳ ଭୂମିକାରେ ରହିଛି । ଜୁନ ୦୪ ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ନବ ନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବା ପାଇଁ ବିଧାନସଭା ଅଧିବେଶନ ଡକାଯାଇଥିଲା । ବିଜେଡ଼ିର ବରିଷ୍ଠ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କାମଚଳା ବାଚସ୍ପତି ନିଯୁକ୍ତ ହୋଇ ବିଧାୟକମାନଙ୍କୁ ଶପଥ ପାଠ କରାଇଥିଲେ । ସେହି ଅଧିବେଶନରେ ନୂତନ ବାଚସ୍ପତି ନିର୍ବାଚନ ହୋଇଥିଲା । ବିଜେପି ବିଧାୟକା ସୁରମା ପାଢୀ ନିଦ୍ଦ୍ୱର୍ନ୍ଦ୍ୱରେ ବାଚସ୍ପତି ନିର୍ବାଚିତ ହୋଇଥିଲେ । ବାଚସ୍ପତି ନିର୍ବାଚନ ପରେ ଗୃହ ମୁଲତବୀ ରହିଥିଲା । ସୋମବାରରୁ ଆରମ୍ଭ ହେଉଥିବା ବିଧାନସଭା ଅଧିବେଶନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରକାର ବଜେଟ ଉପସ୍ଥାପନ କରିବେ । ଜୁଲାଇ ୨୫ ତାରିଖ ଦିନ ରାଜ୍ୟ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଗୃହରେ ବିଜେଟ ଉପସ୍ଥାପନ କରିବା କାର୍ଯ୍ୟକ୍ରମ ରଖିଛନ୍ତି । ଦୀର୍ଘ ୫୪ ଦିନ ଧରି ଚାଲିବାକୁ ଥିବା ଏହି ଅଧିବେଶନ ଉଭୟ ଶାସକ ଓ ବିରୋଧୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ସେଥିପାଇଁ ଉଭୟ ଶିବିରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ନିର୍ବାଚନ ସମୟରେ ବିଜେପି ଓଡ଼ିଶାବାସୀଙ୍କୁ ଅନେକ କିଛି ପ୍ରତିଶ୍ରୁତି ଦେଇଥିଲା । ଓଡ଼ିଆ ଅସ୍ମିତାର ସୁରକ୍ଷା କଥା କହିଥିଲା । ବିଜେପି ସରକାରକୁ ଆସିଲେ ପ୍ରଥମେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ଚାରି ପ୍ରବେଶ ଦ୍ୱାରକୁ ଭକ୍ତଙ୍କ ଯିବା, ଆସିବା ପାଇଁ ଖୋଲି ଦେବ, ବିବାଦୀୟ ଭିତର ରତ୍ନଭଣ୍ଡାରର ଚାବି ଖୋଲାଯାଇ ସେଥିରେ ଥିବା ମଣିମାଣିକ୍ୟ, ମୂଲ୍ୟବାନ ରତ୍ନ ପଥର ଓ ସ୍ୱର୍ଣ୍ଣ ଅଳଂକାର ସବୁର ଗଣତି ମଣତି କରାଯିବ, ଭିତର ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ହେବ, ସୁଭଦ୍ରା ଯୋଜନାରେ ମହିଳାଙ୍କୁ ଆର୍ଥିକ ସହାୟତା ଦିଆଯିବ, କୁଇଂଟାଲ ପିଛା ୩୧୦୦ ଟଙ୍କା ମୂଲ୍ୟରେ ଚାଷୀଙ୍କଠାରୁ ଧାନ ଖର୍ଦ୍ଦି ହେବ – ଏଭଳି ଅନେକ ପ୍ରତିଶ୍ରୁତି ଦେଇ ବିଜେପି ରାଜ୍ୟରେ କ୍ଷମତାକୁ ଆସିଛି । ମୁଖ୍ୟମନ୍ତ୍ରୀ ମାଝୀଙ୍କ ସରକାର କ୍ଷମତାକୁ ଆସିବା ପରେ ପରେ ଶ୍ରୀଜଗନ୍ନାଥ ମନ୍ଦିରର ଚାରି ଦୁଆର ଭକ୍ତଙ୍କ ପାଇଁ ଉନ୍ମୁକ୍ତ ହୋଇଛି । ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ଜୁଲାଇ ୧୪ ତାରିଖ ଦିନ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଓ ଅଧିକୃତ କମିଟି ସମ୍ମୁଖରେ ପୁରୀ ଶ୍ରୀମନ୍ଦିରର ରତ୍ନଭଣ୍ଡାର ଖୋଲାଯାଇ ପ୍ରଥମେ ବାହାର ରତ୍ନଭଣ୍ଡାରରେ ଥିବା ଶ୍ରୀଜୀଉମାନଙ୍କ ସମସ୍ତ ମୂଲ୍ୟବାନ ଅଳଂକାର ସୁରକ୍ଷିତ ଭାବେ ଶ୍ରୀମନ୍ଦିର ପରିସରରେ ଥିବା ଏକ ସ୍ୱତନ୍ତ୍ର କୋଠରୀକୁ ସ୍ଥାନାନ୍ତର କରାଯାଇଥିଲା । ସେଦିନ ଭିତର ରତ୍ନଭଣ୍ଡାର ଚାବି ଭଂଗା ଯାଇ ତଦାରଖ ପାଇଁ ଖୋଲା ଯାଇଥିଲେ ମଧ୍ୟ ଜୁଲାଇ ୧୮ ତାରିଖ ଦିନ ବିଧିବିଦ୍ଧ ଭାବେ ଭିତର ରତ୍ନଭଣ୍ଡାରକୁ ଯାଂଚ କରାଯିବା ସହ ସେଠାରେ ଥିବା ସମସ୍ତ ମୂଲ୍ୟବାନ ରତ୍ନ ପଥର ଓ ଅଳଂକାର ଏକ ସ୍ୱତନ୍ତ୍ର କୋଠରୀକୁ ସ୍ଥାନାନ୍ତର କରାଯାଇଥିଲା । ମୂଲ୍ୟବାନ ରତ୍ନ ପଥର ଓ ସ୍ୱର୍ଣ୍ଣ ଅଳଂକାର ସବୁ ଅସ୍ଥାୟୀ ଭାବେ ସ୍ଥାନାନ୍ତର ହୋଇଥିବା କୋଠରୀଗୁଡିକୁ ସରକାର ସିଲ୍ କରିଦେଇଛନ୍ତି । ପୁରୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ, ପୁରୀ ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବ, ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟିର ଅନ୍ୟ ସଦସ୍ୟ ଏବଂ ରତ୍ନଭଣ୍ଡାର ଖୋଲିବା କାର୍ଯ୍ୟ ତଦାରଖ ପାଇଁ ଗଠିତ ଜଷ୍ଟିସ ବିଶ୍ୱନାଥ ରଥ କମିଟି ସଦସ୍ୟମାନଙ୍କ ଉପସ୍ଥିତିରେ ସରକାରଙ୍କ ପକ୍ଷରୁ ଏହି କାର୍ଯ୍ୟ ସମାପନ ହୋଇଛି । ତେବେ, ରାଜ୍ୟରେ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିବା, ଚାଷୀଙ୍କଠାରୁ କୁଇଂଟାଲ ପିଛା ୩୧୦୦ ଟଙ୍କା ମୂଲ୍ୟରେ ଧାନ ଖର୍ଦ୍ଦି କରିବା ସମେତ ଅନ୍ୟ ସମସ୍ତ ପ୍ରତିଶ୍ରୁତି ପାଳନ ପାଇଁ ସରକାର ବଜେଟରେ ଅର୍ଥ ବ୍ୟସ୍ଥା କରିବାକୁ ଥିବାରୁ ଜୁଲାଇ ୨୫ ତାରିଖରେ ବିଧାନସଭାରେ ଉପସ୍ଥାପନ ହେବାକୁ ଥିବା ବଜେଟ ଉପରେ ସମସ୍ତଙ୍କ ନଜର ରହିଛି । ଶାସକ ବିଜେପି ଜୁନ ୧୨ ତାରିଖରେ ରାଜ୍ୟରେ ନୂଆ ସରକାର ଗଠନ କରିବା ପରେ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନେ ଜନସାଧାରଣଙ୍କ ଅଭିଯୋଗ ଶୁଣାଣୀ ଓ ପୂର୍ବ ସରକାରଙ୍କ ଦ୍ୱାରା ପ୍ରଚଳିତ ବିଭିନ୍ନ ଯୋଜନାରେ କଣ ହୋଇଛି, କଣ ନାହିଁ – ତାହା ସମୀକ୍ଷା କରିବାରେ ପ୍ରଥମ ଏକ ମାସ ବିତାଇଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସରକାରକୁ ‘ଲୋକଙ୍କ ସରକାର’ ଭାବେ ଓଡ଼ିଶାବାସୀଙ୍କ ସମ୍ମୁଖରେ ଉପସ୍ଥାପିତ କରିବା ସକାଶେ ସରକାର ଓ ସରକାରୀ କଳ ଲାଗିଛି । ବିଜେପି ଓଡ଼ିଶାରେ ତାହାର ଉପସ୍ଥିତି ଜାହିର କରିବା ପାଇଁ ପୂର୍ବ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ଜନହୀତକର କାର୍ଯ୍ୟକ୍ରମ ସବୁକୁ ଗେରୁଆକରଣ କରିବାକୁ ପ୍ରାଥମିକତା ଦେଇଛି । ‘ମୋ ବସ’ର ରଂଗ ସବୁଜରୁ ଗେରୁଆ ହୋଇଛି । ନାମ ମଧ୍ୟ ବଦଳିଛି । ଓମଫେଡ୍ କ୍ଷୀର ପ୍ୟାକେଟ ରଂଗ ମଧ୍ୟ ଗେରୁଆ ହୋଇଛି । ତେବେ, ପୂର୍ବ ସରକାରଙ୍କ ସମୟରେ କାର୍ଯ୍ୟକାରୀ କରାଯାଇଥିବା ‘ମହିଳା ମିଶନ ଶକ୍ତି’ ଭଳି କାର୍ଯ୍ୟକ୍ରମଗୁଡିକୁ ଅବ୍ୟାହତ ରଖାଯିବ ଓ ଅଧିକ ସୁଦୃଢ କରାଯିବ ବୋଲି ମୋହନ ମାଝୀ ସରକାରର ଅନ୍ୟତମ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଗଣମାଧ୍ୟମରେ ରଖିଥିବା ବୟାନ ନବୀନ ସରକାର ଅମଳରେ ହୋଇଥିବା ଯୋଜନା ଓ କାର୍ଯ୍ୟକ୍ରମଗୁଡିକ ସ୍ୱୀକୃତି ଦେଲା ଭଳି ହୋଇଛି । ତେବେ, ପୂର୍ବ ସରକାରଙ୍କ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମରେ ଛିଦ୍ର ଖୋଜିବାକୁ ନୂଆ ସରକାରର ମନ୍ତ୍ରୀମାନେ ଘନ ଘନ ସମୀକ୍ଷାରେ ମାତିଥିବା ବେଳେ ବିଜେଡ଼ି ମଧ୍ୟ ବିଧାନସଭାରେ ମୁଖ୍ୟ ବିରୋଧୀ ଦଳ ଭାବେ ସରକାରଙ୍କ ମୁକାବିଲା କରିବାକୁ ‘ଛାୟା ସରକାର’ ଗଠନ କରିଥିବା ଏବେ ଚର୍ଚ୍ଚାର ବିଷୟ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କ ମନ୍ତ୍ରୀ ପରିଷଦ ଗଠନ କରି ଯେଭଳି ବିଭାଗ ବଂଟନ କରିଛନ୍ତି ରାଜ୍ୟ ବିଧାନସଭାରେ ପ୍ରଥମ ଥର ପାଇଁ ବିରୋଧୀ ଦଳ ନେତା ଭାବେ ଭୂମିକା ନିର୍ବାହ କରିବାକୁ ଯାଉଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଇତିମଧ୍ୟରେ ବିଜେଡ଼ି ବିଧାୟକମାନଙ୍କୁ ନେଇ ଛାୟା ସରକାର ଗଠନ କରିଛନ୍ତି । ବିଧାନସଭାକୁ ବିଜେଡ଼ିର ୫୧ ଜଣ ବିଧାୟକ ନିର୍ବାଚିତ ହୋଇଥିବା ବେଳେ ସେଥିରୁ ୫୦ ଜଣଙ୍କୁ ବିଭିନ୍ନ ସରକାରୀ ବିଭାଗ ଉପରେ ନଜର ରଖିବା ଦାୟିତ୍ୱ ଦିଆଯାଇଛି । ଦଳର ବରିଷ୍ଠ ବିଧାୟକମାନେ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟର ଦାୟିତ୍ୱ ପାଇଛନ୍ତି । ବିଜେଡ଼ି ସରକାରରେ ପୂର୍ବରୁ ଅର୍ଥମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇ ଥିବା ପ୍ରସନ୍ନ ଆଚାର୍ଯ୍ୟ (ଏବେ ସେ ବିଧାନସଭାରେ ବିରୋଧୀ ଦଳ ଉପନେତା ଅଛନ୍ତି)ଙ୍କୁ ଛାୟା ସରକାରରେ ଅର୍ଥ ମନ୍ତ୍ରଣାଳୟ ଉପରେ ନଜର ରଖିବା ଦାୟିତ୍ୱ ଦିଆଯାଇଥିବା ବେଳେ ପୂର୍ବତନ ମନ୍ତ୍ରୀ ତଥା ବିଜେଡ଼ିର ବରିଷ୍ଠ ବିଧାୟକ ପ୍ରତାପ କେଶରୀ ଦେଓ (ବିଜେଡ଼ିର ଉପ ମୁଖ୍ୟ ସଚେତକ)ଙ୍କୁ ସାଧାରଣ ପ୍ରଶାସନ ବିଭାଗ ଏବଂ ପୂର୍ବତନ ବାଚସ୍ପତି ତଥା ମନ୍ତ୍ରୀ ନିରଂଜନ ପୁଜାରୀଙ୍କୁ ରାଜ୍ୟ ସକରାରଙ୍କ ଗୃହ ମନ୍ତ୍ରଣାଳୟ ଉପରେ ନଜର ରଖିବାକୁ ଦାୟିତ୍ୱ ଦିଆଯାଇଛି । ଏବେ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜ ହାତରେ ସାଧାରଣ ପ୍ରଶାସନ ଓ ଗୃହ ମନ୍ତ୍ରଣାଳୟ ରଖିଛନ୍ତି । ରାଜ୍ୟ ବିଧାନସଭାରେ ବିଜେଡ଼ିର ମୁଖ୍ୟ ସଚେତକ ଥିବା ପୂର୍ବତନ ବିଧାନସଭା ବାଚସ୍ପତି ତଥା ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ପଂଚାୟତରାଜ ଓ ଜଳ ଯୋଗାଣ ବିଭାଗ ଦାୟିତ୍ୱ ଦିଆଯାଇଛି । ପ୍ରଥମ ଥର ପାଇଁ ବିଧାନସଭାକଚ ନିର୍ବାଚିତ ହୋଇଥିବା ବିଜେଡ଼ି ଯୁବ ବିଧାୟକଙ୍କୁ ମଧ୍ୟ ବିଭିନ୍ନ ସରକାରୀ ବିଭାଗ ଉପରେ ନଜର ରଖିବା ଦାୟିତ୍ୱ ଦିଆଯାଇ ବିଧାନସଭା ଆଲୋଚନା ବେଳେ ସେମାନଙ୍କ ଦକ୍ଷତା ପ୍ରଦର୍ଶନ କରିବାର ସୁଯୋଗ ଦିଆଯାଇଛି । ନିର୍ବାଚନ ପରାଜୟକୁ ନେଇ ବିଜେଡ଼ି ନେତାଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇ ପରସ୍ପର ବିରୋଧୀ ବୟାନବାଜୀ ଚାଲିଥିବାରୁ ରାଜ୍ୟରେ ଦଳ ବହୁଧା ବିଭାଜିତ ହୋଇ ଅଲୋଡା ହୋଇଯିବ ବୋଲି ରାଜନୈତିକ ବିଶ୍ଲେଷକମାନେ ଯାହା ଅନୁମାନ କରୁଛନ୍ତି ତାହାକୁ ଭୁଲ ପ୍ରମାଣିତ କରିବା ପାଇଁ ବିଜେଡ଼ି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ଏକ ‘ଛାୟା ସରକାର’ ଗଠନ କରିବା ସହ ଦଳର ସମସ୍ତ ବିଧାୟକଙ୍କୁ ସେଥିରେ ସାମିଲ କରି ଏକାଠି ରଖିବା ପ୍ରୟାସ କରିଛନ୍ତି । ସେ ନିଜେ ବିରୋଧୀ ଦଳ ନେତା ଭାବେ ବିଧାନସଭା ପ୍ରୋସିଡିଂରେ ସକ୍ରିୟ ଭାବେ ଅଂଶ ଗ୍ରହଣ କରିବେ ବୋଲି ଆଶା କରାଯାଉଛି । ୨୦୨୪ ନିର୍ବାଚନ ପରେ ଆଉ ଗୋଟିଏ କଥା ଦେଖିବାକୁ ମିଳିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ସମାଲୋଚନା କରି ବୟାନ ରଖିବା ସମୟରେ ଶାଳୀନତା ବଜାୟ ରଖିଥିବା ବେଳେ ପ୍ରଥମ ଥର ପାଇଁ କ୍ଷମତାକୁ ଆସିଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସରକାର, ବିଶେଷକରି ବିଜେପି ନବୀନଙ୍କୁ ଯେଭଳି ମର୍ଯ୍ୟାଦା ଦେବା କଥା ଦେଉଛି । ଜୁନ ୧୨ ତାରିଖରେ ଜନତା ମଇଦାନରେ ଆୟୋଜିତ ରାଜ୍ୟ ମନ୍ତ୍ରୀ ପରିଷଦର ଶପଥ ଗ୍ରହଣ ସମାରୋହରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିମନ୍ତ୍ରିତ ହୋଇଥିଲେ ଓ ବିରୋଧୀ ଦଳର ନେତା ଭାବେ ସେଥିରେ ଯୋଗ ଦେଇଥିଲେ । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ମଂଚ ଉପରକୁ ପାଛୋଟି ନେଇଥିଲେ । ସେହିପରି, ରଥଯାତ୍ରା ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁରୀ ଆସି ରାଜ୍ୟ ମନ୍ତ୍ରୀ ପରିଷଦ ସଦସ୍ୟ ଓ କେନ୍ଦ୍ର ମନ୍ତ୍ରୀଙ୍କ ଗହଣରେ ମଂଚାସୀନ ଥିବା ବେଳେ ରଥ ଉପରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଯାଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ପଟ୍ଟନାୟକଙ୍କୁ ରାଷ୍ଟ୍ରପତି ଓ ବିଜେପି ମନ୍ତ୍ରୀମାନେ ମଂଚ ଉପରୁ ସମ୍ମାନ ପ୍ରଦର୍ଶନ କରିବା ସହ ମଂଚ ଉପରକୁ ପାଛୋଟି ନେଇଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ପଟ୍ଟନାୟକଙ୍କୁ ଶାସକ ବିଜେପିର ସରକାର ମୁଖ୍ୟମାନେ ଯେଭଳି ସୌଜନ୍ୟତା ପ୍ରଦର୍ଶନ କରୁଛନ୍ତି ତାହା ଅତ୍ୟନ୍ତ ବିରଳ ଦୃଶ୍ୟ କୁହାଯାଇପାରେ । ତେବେ, ୨୨ ତାରିଖରୁ ଆରମ୍ଭ ହେଉଥିବା ବିଧାନସଭା ଅଧିବେଶନରେ ଶାସକ ଓ ବିରୋଧୀ ଯେତେବେଳେ ମୁହାଁମୁହିଁ ହେବେ ସେତେବେଳର ଦୃଶ୍ୟ କଣ ହେବ, ତାହା ଆଜି କହି ହେବ ନାହିଁ । ବିଜେଡ଼ି ଏକ ଦାୟିତ୍ୱସଂପନ୍ନ ବିରୋଧୀ ଦଳର ଭୂମିକାରେ ଣହିବ ଓ ବିଧାନସଭାରେ ଜନସାଧାରଣଙ୍କ ସମସ୍ୟାକୁ ଉତ୍ଥାପନ କରି ସରକାରଙ୍କୁ ଘେରିବ ବୋଲି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆଗୁଆ କହି ସାରିଛନ୍ତି । ତେଣୁ, ଆମକୁ ବିଧାନସଭା ଅଧିବେଶନ ଆରମ୍ଭକୁ ଅପେକ୍ଷା କରିବାକୁୁ ପଡିବ ।
ମୁଖ୍ୟ ସଂପାଦକ, ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS