ସପ୍ତାହାନ୍ତ ରାଜନୀତି: କାଉଡିଆ ଯାତ୍ରାକୁ ନେଇ ଏତେ ବିବାଦ କାହିଁକି ?


ପ୍ରସାଦ ରାଓ
ଜୁଲାଇ ୨୧/୨୦୨୪
ଶ୍ରାବଣ ମାସ ସୋମବାର ବିଭିନ୍ନ ଶୈବପୀଠରେ ଶିବଲିଂଗରେ ଜଳାଭିଷେକ କରି ପୁଣ୍ୟ ଅର୍ଜନ କରିବା ଆଜି ଦିନରେ ବେଶ ପ୍ରସିଦ୍ଧି ଲାଭ କରିଛି । ମାନସିକଧାରୀ ଶିବ ଭକ୍ତ (କାଉଡିଆ)ମାନେ ବିଭିନ୍ନ ଜଳ ଉତ୍ସରୁ ଜଳ ସଂଗ୍ରହ କରି ଶିବ ମନ୍ଦିରକୁ ପାଦରେ ଚାଲି ଚାଲି ଯିବା ସହ ଶିବ ଲିଂଗର ସେହି ପବିତ୍ର ଜଳକୁ ଅର୍ପଣ କରିଥା’ନ୍ତି । କାଉଡିଆ ଯାତ୍ରା ଅବସରରେ ବିଭିନ୍ନ ନଦୀ ବା ଜଳାଶୟରେ ଶିବ ଭକ୍ତଙ୍କ ଭିଡ ଜମିଥାଏ । ସେମାନେ ସଂଗ୍ରହ କରୁଥିବା ଜଳକୁ କଳସରେ ଭରି ବାହୁଙ୍ଗା ସହୟତାରେ ତାହାକୁ କାନ୍ଧରେ ବହନ କରି ମନସିକ ଥିବା ଶିବ ମନ୍ଦିର ଅଭିମୁଖେ ଯାତ୍ରା କରିଥା’ନ୍ତି । ଶିବ ମନ୍ଦିରଗୁଡିକରେ ଶ୍ରାବଣ ସୋମବାର ଭୋରରୁ କାଉଡିଆଙ୍କ ଭିଡ ଆରମ୍ଭ ହୋଇ ସନ୍ଧ୍ୟା ପର୍ଯ୍ୟନ୍ତ ଜଳ ଲାଗି ଚାଲେ । ଶିବ ଲିଂଗରେ ଜଳାର୍ପଣ କରିବା ପରେ ସେମାନେ ନିଜ ନିଜ ଅଂଚଳକୁ ଫେରି ଯାଆନ୍ତି । ମାନସିକ ପୂରଣ କରିବା ଓ ପୂଣ୍ୟ ଅର୍ଜନ କରିବା ହୋଉଛି କାଉଡିଆଙ୍କ ପ୍ରମୁଖ ଲକ୍ଷ୍ୟ ହୋଇଥାଏ । ଏହି ଲକ୍ଷ୍ୟ ହାସଲ ପାଇଁ ସେମାନେ ନିଷ୍ଠାର ସହ ଦୂରଦୂରାନ୍ତରୁ ଖାଲି ପାଦରେ ଚାଲି ଚାଲି ଲମ୍ବା ପଥ ଅତିକ୍ରମ କରିଥା’ନ୍ତି । ଶ୍ରାବଣ ମାସରେ ଦେଶର ଅଧିକାଂଶ ଅଂଚଳରେ ଏଭଳି ଦୃଶ୍ୟ ଦେଖିବାକୁ ମିଳେ । ହଜାର ହଜାର ସଂଖ୍ୟାରେ କାଉଡିଆ ଜଳଭାର ଧରି ଜାତୀୟ ଓ ରାଜ୍ୟ ରାଜପଥ, ଗ୍ରାମାଂଚଳ ଓ ସହରାଂଚଳ ଦେଇ ଖାଲି ପାଦରେ ଅତିକ୍ରମ କରୁଥିବା ବେଳେ ଏକ ପ୍ରକାର ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥାଏ । କାଉଡିଆମାନେ ଶରୀରରେ ସ୍ୱଳ୍ପ ବସ୍ତ୍ର ଧାରଣ କରିଥା’ନ୍ତି ଓ ମାନସିକ ଥିବା ଶୈବପୀଠରେ ପହଂଚିବା ପାଇଁ ଶତାଧିକ କିଲୋମିଟର ଅତିକ୍ରମ କରିବା ବେଳେ ଶରୀରକୁ ଥଣ୍ଡା ରଖିବା ସକାଶେ ପିନ୍ଧିଥିବା ବସ୍ତ୍ରକୁ ବାରମ୍ବାର ଓଦା କରନ୍ତି । ଚାଲି ଚାଲି ପାଦ ଥକି ଯାଉଥିବାରୁ ବାଟରେ ସାତ୍ତ୍ୱିକ ଭୋଜନ ଓ ବିଶ୍ରାମର ଆବଶ୍ୟକତା ପଡେ । ତେଣୁ, କାଉଡିଆଙ୍କ ଯାତ୍ରା ପଥରେ ସେମାନଙ୍କ ସର୍ବନିମ୍ନ ଆବଶ୍ୟକତା ପୂରଣ ପାଇଁ ଦୋକାନ ବଜାର ଖୋଲିଯାଏ । ହିନ୍ଦି ଭାଷାଭାଷୀ ଅଂଚଳରୁ ଆରମ୍ଭ ହୋଇଥିବା ଏହି ଆଧ୍ୟାତ୍ମିକ ପରଂପରା ଆଜି ଦିନରେ ଦେଶର ଅଧିକାଂଶ ଅଂଚଳରେ ଦୃତ ପ୍ରସାରିତ ହୋଇ ସାରିଛି । କାଉଡିଆଙ୍କ ଯାତ୍ରା ପଥରେ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ପାଇଁ ପଦ ସେବାରୁ ଆରମ୍ଭ କରି ସାତ୍ତ୍ୱିକ ଖାଦ୍ୟ ଓ ବିଶ୍ରାମର ବ୍ୟବସ୍ଥା ମଧ୍ୟ ହେଉଛି । ମାନସିକଧାରୀଙ୍କ ସହ ମାନସିକ କରିନଥିବା ପୁରୁଷ ଓ ମହିଳା ମଧ୍ୟ କାଉଡିଆ ଯାତ୍ରାରେ ସାମିଲ ହୋଇ ଏହାର ଗୁରୁତ୍ୱ ବଢାଇଛନ୍ତି । ଏହି ହିନ୍ଦୁମାନଙ୍କ ଏକଚାଟିଆ ଧାମିକ କାର୍ଯ୍ୟକ୍ରମ ହୋଇଥିଲେ ସୁଦ୍ଧା ଜାତି, ଧର୍ମ, ବର୍ଣ୍ଣ ଓ ଲିଂଗ ନିବିଶେଷରେ ସମସ୍ତେ ଏଥିରେ ସାମିଲ ହେଉଛନ୍ତି । ତେଣୁ, ଦିନକୁ ଦିନ କାଉଡିଆଙ୍କ ସଂଖ୍ୟା ବୃଦ୍ଧି ପାଉଛି ଓ ଏଥି ସହିତ ସଂପୃକ୍ତ ବ୍ୟବସାୟ ମଧ୍ୟ ବଢୁଛି । କାଉଡିଆଙ୍କ ଯାତ୍ରାପଥରେ ସେମାନଙ୍କ ଆବଶ୍ୟକତା ପୂରଣ କରିବା ଭଳି ସାମଗ୍ରୀ ବିକ୍ରି ସକାଶେ ଦୋକାନ ବଜାର ଖୋଲୁଛି । ଅବଶ୍ୟ, କିଛି ବଦାନ୍ୟ ବ୍ୟକ୍ତି ଓ ଅନୁଷ୍ଠାନ କାଉଡିଆଙ୍କ ପାଇଁ ପକ୍ଷରୁ ମାଗଣା ଭୋଜନ, ବିଶ୍ରାମ, ବିଶ୍ରାମ ସ୍ଥଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ପାଇଁ ଭକ୍ତି ସଂଗୀତ ଓ ଭଜନ ପରିବେଷଣ କାର୍ଯ୍ୟକ୍ରମମାନ ରଖୁଛନ୍ତି । ତେବେ, ରାସ୍ତା କଡରେ ରହିଥିବା ଢାବା, ହୋଟେଲରେ ମଧ୍ୟ କାଉଡିଆଙ୍କ ଭିଡ ଜମୁଥିବାରୁ ବ୍ୟବସାୟୀଙ୍କ ରୋଜଗାର ମଧ୍ୟ ବଢୁଛି । ବ୍ୟବସାୟୀ ଜଣକ ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ ବା ଅନ୍ୟ କୌଣସି ଧର୍ମର – ତାହା କେହି କେବେ ଜାଣିବାକୁ ଚାହିଁ ନାହାନ୍ତି । ବର୍ଷ ବର୍ଷ ଧରି ଏଭଳି ଚାଲି ଥିବା ବେଳେ ଚଳିତ ବର୍ଷ ୟୁପି ସରକାର କାଉଡିଆମାନେ ଯେଉଁ ପଥ ଦେଇ ଅତିକ୍ରମ କରୁଛନ୍ତି ସେହି ରାସ୍ତାରେ ଥିବା ଦୋକାନୀଙ୍କୁ ଦୋକାନରେ ମାଲିକଙ୍କ ନାମ, ଠିକଣା ଓ ମୋବାଇଲ ନମ୍ବର ଥିବା ବୋର୍ଡ ଝୁଲାଇବାକୁ ନିର୍ଦେଶ ଦେବା ଓ ତାହା କାର୍ଯକାରୀ ନହେଲେ କଡା କାର୍ଯ୍ୟାନୁଷ୍ଠାନର ଧମକ ଦେବା ରାଜନୀତିକୁ ସରଗରମ କରିଛି । ୟୁପିର ମୁଜାଫରନଗର ଭଳି ମୁସଲମାନ ବହୁଳ ଅଂଚଳରେ କାଉଡିଆଙ୍କ ଯିବା ରାସ୍ତାରେ ଦୋକାନ କରିଥିବା ସମସ୍ତ ବ୍ୟବସାୟୀଙ୍କୁ ପୁଲିସ ପ୍ରାାସନ ପକ୍ଷରୁ ଏଭଳି ନିର୍ଦେଶ ଦିଆଯାଇଛି । ଚା’, ଫଳ ଦୋକାନ ଓ ଠେଲା ଦୋକାନ ମଧ୍ୟ ଏଥିରୁ ବାଦ ପଡି ନାହାନ୍ତି । ନିର୍ଦେଶ ଅମାନ୍ୟ କଲେ କାର୍ଯ୍ୟାନୁଷ୍ଠାନର ଧମକ ଦିଆଯାଇଥିବା କାରଣରୁ ଭିନ୍ନ ଧର୍ମାବଲମ୍ବୀ ବ୍ୟବସାୟୀ ଅସନ୍ତୁଷ୍ଟ । ଗୋଟିଏ ନିର୍ଦ୍ଧିଷ୍ଟ ଧର୍ମ ଓ ସଂପ୍ରଦାୟକୁ ଟାର୍ଗେଟ କରିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ଚଳିତ ବର୍ଷ ଏଭଳି ଏକ ନିର୍ଦେଶନାମା ଜାରି କରିଥିବା ବିରୋଧୀ ଅଭିଯୋଗ କରୁଥିବା ବେଳେ ବିଜେପି ଶାସିତ ଉତ୍ତରାଖଣ୍ଡରେ ମଧ୍ୟ ସେଠାକାର ସରକାର ସମାନ ନିର୍ଦେଶନାମା ଜାରି କରି ବିବାଦୀୟ ପରସ୍ଥିତି ସୃଷ୍ଟି କରିଛନ୍ତି । ମଧ୍ୟ ପ୍ରଦେଶରେ ମଧ୍ୟ ସରକାର ଏଭଳି ନିର୍ଦେଶନାମା ଜାରି କରିବାକୁ ଧାର୍ମିକ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କ ଆଡୁ ଦାବି ହେଲାଣି । ତେଣୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସ’ ସ୍ଲୋଗାନ ପ୍ରହସନ ହେବାକୁ ବସିଥିବା ବିରୋଧୀ କହୁଥିବା ବେଳେ ଜାତୀୟ ଗଣମାଧ୍ୟମରେ ମଧ୍ୟ ୟୁପି ସରକାରଙ୍କ ପଦକ୍ଷେପର କଡା ସମାଲୋଚନା ହେଲାଣି । ଉତ୍ତର ପ୍ରଦେଶ ସରକାର ଶୁକ୍ରବାର ଦିନ ଜାରି କରିଥିବା ନିୟମାବଳୀରେ କୁହାଯାଇଛି, କାଉଡିଆଙ୍କ ଯାତ୍ରା ପଥରେ ଥିବା ଚା’ ଦୋକାନୀ, ଢାବା, ଫଳ ଓ ଅନ୍ୟାନ୍ୟ ଦୋକାନରେ ଦୋକାନ ମାଲିକଙ୍କ ନାମ, ଠିକଣା ଓ ମୋବାଇଲ ନମ୍ବର ଥିବା ଫଳକ ଝୁଲିବା ବାଧ୍ୟତାମୂଳକ । ଶ୍ରାବଣ ସୋମବାରରେ ଜଳ ଲାଗି ପାଇଁ ଲକ୍ଷ, ଲକ୍ଷ ସଂଖ୍ୟାରେ କାଉଡିଆ ପବିତ୍ର ଗଂଗା ନଦୀ ସମେତ ବିଭିନ୍ନ ଜଳଉତ୍ସରୁ ଜଳ ସଂଗ୍ରହ କରି ବିଭିନ୍ନ ଶୈବପୀଠକୁ ଯାଉ ଥିବାରୁ ସେମାନଙ୍କ ପବିତ୍ରତା ବଜାୟ ରହିବା ଆବଶ୍ୟକ ବୋଲି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କ ନିର୍ଦେଶନାମାରେ କହିଥିବା ବେଳେ ଉତ୍ତରାଖଣ୍ଡରେ ହରଦ୍ୱାର ଏସଏସପି ପ୍ରମୋଦ ସିଂହ ଡୋଭାଲ ସମାନ ଯୁକ୍ତି ଉପସ୍ଥାପନ କରି ହରଦ୍ୱାରକୁ ଯିବା ପଥରେ ରହିଥିବା ସମସ୍ତ ହୋଟେଲ, ଢାବା ଓ ଅନ୍ୟ ଖାଦ୍ୟସାମଗ୍ରୀ ବିକ୍ରି ପାଇଁ ଖୋଲିଥିବା ଦୋକାନୀକୁ ମାଲିକଙ୍କ ନାମ, ଠିକଣା ଓ ମୋବାଇଲ ନମ୍ବର ଥିବା ନାମଫଳକ ଟଂଗାବାକୁ ନିର୍ଦେଶ ଦେଇଛନ୍ତି । ନମାନିଲେ କଠୋର କାର୍ଯ୍ୟାନୁଷ୍ଠାନର ହେବାର ଚେତାବନୀ ଦିଆଯାଇଛି । ୟୁପିର ସାହାରନପୁର ପୁଲିସ ମଧ୍ୟ ସେଠାକାର ବ୍ୟବସାୟୀଙ୍କ ପାଇଁ ସମାନ ନିର୍ଦେଶ ଜାରି କରିଛି । କାଉଡିଆଙ୍କ ଜଳାଭିଷେକ ଯାତ୍ରା ଅବସରରେ ପୂର୍ବରୁ କେବେ ଏତେ କଠୋର ନିୟମବଳୀ ଲାଗୁ ନଥିଲା । ପ୍ରଥମ କରି ଚଳିତ ବର୍ଷ ସେମାନେ ଏପ୍ରକାର ନୋଟିସ ପାଇଛନ୍ତି ବୋଲି କାଉଡିଆଙ୍କ ଯାତ୍ରାରୁଟରେ ଦୋକାନ କରିଥିବା ବ୍ୟବସାୟୀମାନେ କହୁଥିବା ବେଳେ ପ୍ରତି ବର୍ଷ ଶ୍ରାବଣ ମାସରେ ଏଭଳି ନିୟମାବଳୀ ଜାରି ହୋଇଥାଏ ବୋଲି ସେଠାକାର ପୁଲିସ ପ୍ରଶାସନ କହିଛନ୍ତି । ଅପରପକ୍ଷରେ, ଏହା ହିଟଲରୀ ଶାସନର ନମୂନା ବୋଲି ବିରୋଧୀ ସମାଲୋଚନା କରିଛନ୍ତି । ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସୀ ଏହାକୁ ଯୋଗୀ ସରକାରଙ୍କ ଏହା ହିଟଲରୀ ଶାସନ ବୋଲି ସମାଲୋଚନା କରିଥିବା ବେଳେ ବିଏସପି ମୁଖ୍ୟା ମାୟାବତୀ କହିଛନ୍ତି, ୟୁପି ସରକାର ଯେଉଁ ନିୟମାବଳୀ ଜାରି କରିଛନ୍ତି ତାହା ‘ଅନାବଶ୍ୟକ’ ଏବଂ ଏହା ଫଳରେ ସଂଖ୍ୟାଲଘୁ ସଂପ୍ରଦାୟକୁ ଏକ ଭୁଲ ବାର୍ତ୍ତା ଯାଉଛି । ୟୁପିର ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ମଧ୍ୟ ଏହାକୁ ଏକ ସାମାଜିକ ଅପରାଧ ଦର୍ଶାଇ ସରକାର ଏପ୍ରକାର ନିୟମାବଳୀ ସାମାଜିକ ସୌହାର୍ଦ୍ଧ୍ୟକୁ ନଷ୍ଟ କରୁଛି ବୋଲି ଅଭିଯୋଗ କରିଛନ୍ତି । କେବଳ ବିରୋଧୀ ନେତା ନୁହନ୍ତି, ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଂଟ (ଏନଡିଏ)ରେ ସାମିଲ ଥିବା ବିହାରର ଜେଡୁୟୁ, ଏଲଜେପି (ରାମ ବିଳାଶ)ର ନେତାମାନେ ମଧ୍ୟ ୟୁପି ସରକାରଙ୍କ ପଦକ୍ଷେପକୁ ସମର୍ଥନ କରୁନଥିବା ଦେଖିବାକୁ ମିଳୁଛି । ୟୁପି ଅପେକ୍ଷା ବିହାରରେ ଅଧିକ ସଂଖ୍ୟାରେ ମୁସଲମାନ ବସବାସ କରୁଥିବା ବେଳେ କାଉଡିଆ ଯାତ୍ରା ସମୟରେ ରାଜ୍ୟ ସରକାରଙ୍କୁ କେବେ ଏଭଳି ନିୟମବଳୀ ଜାରି କରିବାକୁ ପଡିନି । କାଉଡିଆଙ୍କ ଯାତ୍ରା ସମୟରେ ରାଜ୍ୟରେ କେବେ ମଧ୍ୟ କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇନି ବୋଲି ଜେଡିୟୁ ନେତା କେ.ସି.ତ୍ୟାଗୀ ଗଣମାଧ୍ୟମକୁ କହଛନ୍ତି । କିନ୍ତୁ, ୟୁପି ଓ ଉତ୍ତରାଖଣ୍ଡ ସରକାରଙ୍କ ପଦକ୍ଷେପକୁ ବିଜେପି ନେତୃବର୍ଗ ସମର୍ଥନ କରୁଥିବା ଦେଖିବାକୁ ମିଳିଛି । ଦଳର ବରିଷ୍ଠ ନେତା ତଥା ଜାତୀୟ ମୁଖପାତ୍ର ସୁଧାଂଶୁ ତ୍ରିବେଦୀ କହିଛନ୍ତି, ଗ୍ରାହକମାନଙ୍କ ସୁବିଧା ଦୃଷ୍ଟିରୁ ୟୁପି ସରକାର କାଉଡିଆଙ୍କ ଯିବା ରାସ୍ତାରେ ପଡୁଥିବା ଦୋକାନ ମାଲିକଙ୍କୁ ଏଭଳି ନିର୍ଦେଶ ଦେଇଛନ୍ତି । ଦୋକାନରେ ମାଲିକଙ୍କ ନାମ, ଠିକଣା ଓ ମୋବାଇଲ ନମ୍ବର ଥିବା ନାମଫଳକ ଝୁଲୁଥିଲେ କାଉଡିଆଙ୍କ ମନରେ କିଛି ସନ୍ଦେହର ଅବକାଶ ରହିବ ନାହିଁ । ଏହାଦ୍ୱାରା ଗ୍ରାହକ ଲାଭବାନ ହେବେ ଏବଂ କାଉଡିଆଙ୍କ ସାତ୍ତ୍ୱିକତା ମଧ୍ୟ ବଜାୟ ରହିବ । ୟୁପି ସରକାରଙ୍କ ଗତ ଶୁକ୍ରବାରର ନିର୍ଦେଶନାମାକୁ ନେଇ ଆଉ ଏକ ଚର୍ଚ୍ଚା ମଧ୍ୟ ହେଉଥିବା ଦେଖିବାକୁ ମିଳୁଛି । ତାହା ହେଉଛି, ଗତ ଲୋକସଭା ନିର୍ବାଚନରେ ୟୁପିରେ ବିଜେପିର ଆସନ ସଂଖ୍ୟା କମିବା ଯୋଗୀ ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଛି ଏବଂ ଏହାକୁ ନେଇ ୟୁପି ବିଜେପିରେ ଘମାସାନ ଚାଲିଛି । ତେଣୁ, ଯୋଗୀ ସରକାର ଧର୍ମ ଆଧାରରେ ପୁନର୍ବାର ପରିସ୍ଥିତି ସୁଧାରିବା ଉଦ୍ୟମରେ ଅଛନ୍ତି । ୟୁପି ସରକାରଙ୍କ ଗତ ଶୁକ୍ରବାରର ନିର୍ଦେଶନାମା ସମ୍ବିଧାନରେ ଥିବା ଧର୍ମନିରପେକ୍ଷତା ପ୍ରତି ପ୍ରତିବଦ୍ଧତାର ପରିପନ୍ଥୀ ବୋଲି ବିରୋଧୀ ସମାଲୋଚନା କରୁଥିବା ବେଳେ ବିଜେପି ଯୋଗୀଙ୍କ କାର୍ଯ୍ୟକୁ ସମର୍ଥନ ଦେଇ ପୁନର୍ବାର ସମ୍ବିଧାନ ଓ ଗଣତନ୍ତ୍ରକୁ ନେଇ ଚର୍ଚ୍ଚାକୁ ଆଗକୁ ବଢାଇଛି । ୨୦୨୪ ସାଧାରଣ ନିର୍ବାଚନରେ ଦେଶର ସମ୍ବିଧାନ ଓ ଗଣତନ୍ତ୍ରର ସୁରକ୍ଷା ମୁଖ୍ୟ ପ୍ରସଙ୍ଗ ଥିଲା । ନିର୍ବାଚନ ପରେ ମଧ୍ୟ ତାହା ପ୍ରମୁଖ ପ୍ରସଙ୍ଗ ହୋଇ ରହିଛି । ଶାସକ ଓ ବିରୋଧୀ ଏହାକୁ ନେଇ ପରସ୍ପରକୁ ଆକ୍ଷେପ କରିବାରେ ବ୍ୟସ୍ତ । ଏଭଳି ସ୍ଥିତିରେ କାଲିଠାରୁ ଆରମ୍ଭ ହେଉଥିବା କାଉଡିଆ ଯାତ୍ରା ବିବାଦରେ ଫସି ଯିବା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି ।
ମୁଖ୍ୟ ସଂପାଦକ, ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS