ରାଜ୍ୟପାଳଙ୍କ ପୁଅକୁ ନେଇ ଅକଳରେ ସରକାର, ବିରୋଧୀଙ୍କ କକ୍ଷତ୍ୟାଗ


ପ୍ରସାଦ ରାଓ
ଜୁଲାଇ ୨୨/୨୦୨୪
ଜୁଲାଇ ୦୭ ତାରିଖ ରଥଯାତ୍ରା ଦିନ ପୁରୀ ରାଜଭବନରେ ଓଡ଼ିଶା ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଲିତ ଦାସ ଓ ତାଙ୍କ ବଂଧୁମାନେ ବାହାରକୁ ବୁଲି ଯିବା ପାଇଁ ସୌଖିନ ଗାଡି ନ ମିଳିବାରୁ ଜଣେ ସରକାରୀ ଅଧିକାରୀ (ଏଏସଓ)ଙ୍କୁ ମାଡ ମାରିବା ଘଟଣା ରାଜ୍ୟବାସୀ ଭୁଲି ଯିବାକୁ ବସିଥିବା ବେଳେ ଆଜି ବିଧାନସଭା ଅଧିବଶେନର ପ୍ରାରମ୍ଭ ଦିବସରେ ବିରୋଧୀ ସରକାରଙ୍କୁ ସମାଲୋଚନା ଓ କକ୍ଷତ୍ୟାଗ କରିବା ମାଧ୍ୟମରେ ତାହାକୁ ମନେ ପକାଇ ଦେଇଛନ୍ତି ରାଜ୍ୟବାସୀଙ୍କୁ । ଗୃହରେ ରାଜ୍ୟପାଳଙ୍କ ଅଭିଭାଷଣ ଚାଲିଥିବା ବେଳେ ବିଜେଡ଼ି ଓ କଂଗ୍ରେସ ବିଧାୟକମାନେ ରାଜ୍ୟପାଳଙ୍କ ପୁଅ ବିରୋଧରେ କାହିଁକି କିଛି କାର୍ଯ୍ୟାନୁଷ୍ଠାନ ହୋଇନାହିଁ (?) ବୋଲି ପ୍ରଶ୍ନ କରି ସରକାରଙ୍କୁ ଘେରିବା ସହ କକ୍ଷତ୍ୟାଗ କରିଛନ୍ତି । ଯାହାକି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରକାରଙ୍କ ଅଡୁଆ ବଢାଇଛି । ଘଟଣା ଘଟିବାର ୧୫ ଦିନ ବିତିଥିଲେ ସୁଦ୍ଧା ସରକାର ରାଜ୍ୟପାଳଙ୍କ ପୁଅଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା, ଓଲଟା ସଂପୃକ୍ତ ସରକାରୀ ଅଧିକାରୀଙ୍କୁ ରାଜଭବନରୁ ଲୋକସେବା ଭବନକୁ ବଦଳି କରିଥିବା ସମାଲୋଚନାର ବିଷଞ ହୋଇଛି । ମାଡ ଖାଇଥିବା ସରକାରୀ ଅଧିକାରୀ ଜଣକ କ୍ୟାପିଟାଲ ଥାନାରେ ଏତଲା ଦେଇଥିଲେ ମଧ୍ୟ ପୁଲିସ ତାଙ୍କୁ ଗିରଫ କରିବା ଦୂରେ ଥାଉ, ଜେରା ମଧ୍ୟ କରିନି । ଏହା କି ପ୍ରକାର ‘ଓଡ଼ିଆ ଅସ୍ମିତା’ ବୋଲି ବିରୋଧୀ ସରକାରଙ୍କ ପ୍ରଶ୍ନ କରିଛନ୍ତି । ମାସକ ତଳେ ଏହି ‘ଅସ୍ମିତା’କୁ ପ୍ରସଙ୍ଗ କରି ଓଡ଼ିଶାରେ ବିଜେପି କ୍ଷମତାକୁ ଆସିଛି । ଗତ ୨୪ ବର୍ଷ ଧରି ରାଜ୍ୟରେ ମୁଖ୍ୟମନ୍ତ୍ରୀ ରହିଥିବା ନବୀନ ପଟ୍ଟନାୟକ ଏବେ ବିଧାନସଭାରେ ବିରୋଧୀ ଦଳ ନେତା ଭୂମିକାରେ । ଆଜି ବିଧାନସଭାରେ ସେ ପ୍ରଥମ ଥର ପାଇଁ ବିରୋଧୀ ଦଳ ବିଧାୟକଙ୍କ ପାଇଁ ଉଦ୍ଦିଷ୍ଟ ଆସନରେ ବସି ରାଜ୍ୟପାଳଙ୍କ ପୁଅ ପ୍ରସଙ୍ଗରେ ସରକାରଙ୍କୁ ଘେରିଛନ୍ତି । ଗୃହରେ ରାଜ୍ୟପାଳ ତାଙ୍କ ପ୍ରାରମ୍ଭିକ ଅଭିଭାଷଣ ରଖୁଥିବା ବେଳେ ବିରୋଧୀ ଜୁଲାଇ ୦୭ ଘଟଣା ଉଠାଇ ରାଜଭବନରେ କାର୍ଯ୍ୟରତ ଜଣେ ସରକାରୀ ଅଧିକାରୀଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ ମାରିଥିବା ଅଭିଯୋଗ ହୋଇଥିବା ସତ୍ତ୍ୱେ ସରକାର ବା ରାଜ୍ୟ ପୁଲିସ ପ୍ରଶାସନ ରାଜ୍ୟପାଳଙ୍କ ପୁଅଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ନେଇ କ୍ଷୋଭ ପ୍ରକାଶ କରିଥିଲେ । ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ମଧ୍ୟ ଗୃହରେ ଏହି ପ୍ରସଙ୍ଗ ଉଠାଇ ରାଜ୍ୟପାଳଙ୍କ ପୁଅକୁ ପୁଲିସ ଗିରଫ ନ କରିବା ଯାଏ କଂଗ୍ରେସର ଆନ୍ଦୋଳନ କାର୍ଯ୍ୟକ୍ରମ ଜାରି ରହିବ ବୋଲି ଘୋଷଣା କରିଥିଲେ । ଏଠାରେ ସୂଚନାଯୋଗ୍ୟ, ରାଜ୍ୟପାଳଙ୍କ ପୁଅକୁ ଗିରଫ କରାଯିବା ଦାବିରେ କଂଗ୍ରେସ ତାହାର ରାଜଭବନ ଘେରାଉ, ଧାରଣା ଓ ଅନ୍ୟାନ୍ୟ ଆନ୍ଦୋଳନ କାର୍ଯ୍ୟକ୍ରମ ଜାରି ରଖିଛି । ରାଜ୍ୟପାଳଙ୍କ ପୁଅକୁ ଗିରଫ କରିବାରେ ସରକାରଙ୍କ ଅସମର୍ଥତାର ପ୍ରତିବାଦ କରି ବିରୋଧୀ ଆଜି ରାଜ୍ୟପାଳଙ୍କ ଅଭିଭାଷଣକୁ ବର୍ଜନ କରିବା ସହ କକ୍ଷତ୍ୟାଗ କରିଥିଲେ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସେଥିରେ ସାମିଲ ଥିଲେ । ବିଧାନସଭା ବାହାରେ ବିରୋଧୀ ଦଳ ନେତା ପଟ୍ଟନାୟକ କହିଛନ୍ତି, ରାଜ୍ୟପାଳଙ୍କ ପୁଅ ଜଣେ ସରକାରୀ ଅଫିସରଙ୍କୁ ରାଜଭବନ ପରିସରରେ ମାଡ ମାରିଥିବା ନେଇ ପୁଲିସରେ ଏତଲା ହୋଇଥିଲେ ପୁଲିସ ତାଙ୍କୁ ଗିରଫ କରି ନାହିଁ । ସରକାର ମଧ୍ୟ ନିରବ । ଏହା ଅତ୍ୟନ୍ତ କ୍ଷୋଭର ବିଷୟ । ଘଟଣାଟି ତାଙ୍କୁ ଦୁଃଖ ଦେବା ସହ ବିସ୍ମିତ କରିଛି । ସେ ସରକାରରେ ଥିବା ସମୟରେ ତାଙ୍କ ଦଳର ସାଂସଦ, ବିଧାୟକ, ମନ୍ତ୍ରୀ ବା ବରିଷ୍ଠ ସରକାରୀ ଅଧିକାରୀଙ୍କ ବିରୋଧରେ ଏଭଳି କିଛି ଗୁରୁତର ଅଭିଯୋଗ ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିଲେ । ବର୍ତ୍ତମାନର ସରକାର ଏକ୍ଷେତ୍ରରେ ବିଫଳ ହୋଇଛନ୍ତି । ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଥିବା ମନେ ହେଉଛ । ଓଡ଼ିଶା ସରକାର ଆଇନ ଅନୁଯାୟୀ ରାଜ୍ୟପାଳଙ୍କ ପୁଅ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି । ସେହିଭଳି, ବରିଷ୍ଠ କଂଗ୍ରେସ ବିଧାୟକ ବାହିନୀପତି କହିଛନ୍ତି, ରାଜ୍ୟପାଳଙ୍କ ପୁଅ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଆମେ ଚାହୁଁଛୁ । ମୁଖ୍ୟମନ୍ତ୍ରୀଙ୍କ ନିକଟରେ ତାହା ଦାବି କରୁଛୁ । ସରକାରଙ୍କ ଆଡୁ କାର୍ଯ୍ୟାନୁଷ୍ଠାନ ହେବା ପର୍ଯ୍ୟନ୍ତ କଂଗ୍ରେସ ରାଜ୍ୟପାଳଙ୍କ ଅଭିଭାଷଣ ବର୍ଜନ କରିବ । ‘ଓଡ଼ିଆ ଅସ୍ମିତା’ର ସୁରକ୍ଷା କରାଯାଉ । ରାଜ୍ୟପାଳଙ୍କ ପୁଅ ଗିରଫ ନହେବା ପର୍ଯ୍ୟନ୍ତ କଂଗ୍ରେସର ଆନ୍ଦୋଳନ ଜାରି ରହିବ ବୋଲି ବାହିନୀପତି କହିଥିବ ବେଳେ ରାଜ୍ୟପାଳଙ୍କ ଅଭିଭାଷଣ ପରେ ବିଧାନସଭା ବାଚସ୍ପତି ସୁରମା ପାଢୀ ଗୃହକୁ ଆସନ୍ତା କାଲି ପୂର୍ବାହ୍ନ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି । ଅନ୍ୟପକ୍ଷରେ, ପୁରୀ ରାଜଭବନରେ କଥିତ ଘଟଣା ଘଟି ଥିବାରୁ ଜିଲ୍ଲା ପ୍ରଶାସନ ଘଟଣାର ତଦନ୍ତ କରିବେ, ତଦନ୍ତ ରିପୋର୍ଟ ଆସିବା ପରେ ସରକାର ଯାହା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଥା କରିବେ ବୋଲି ରାଜ୍ୟ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗଣମାଧ୍ୟମକୁ କହିଥିବା ସୂଚନା ମିଳିଛି । ଜୁଲାଇ ୦୭ ତାରିଖ ଘଟଣାଟି ଏହି ଭଳି । ରାଜ୍ୟପାଳଙ୍କ ପୁଅ ଲଳିତ ଓ ତାଙ୍କ ବନ୍ଧୁମାନେ ସେଦିନ ରାତିରେ ପୁରୀ ରାଜଭବନରୁ ବାହାରକୁ ବୁଲି ଯିବାକୁ ଏକ ସୌଖୀନ ଗାଡି ବ୍ୟବସ୍ଥା କରିବାକୁ ରାଜଭବନରେ କାର୍ଯ୍ୟରତ ଏଏସଓ ବୈକୁଣ୍ଠନାଥ ପ୍ରଧାନଙ୍କୁ କହିଥିଲେ । ତେବେ, ଏଏସଓ ପ୍ରଧାନ ଗାଡି ଯୋଗାଡ କରିବାରେ ବିଫଳ ହେବାରୁ ଲଳିତ ଓ ତାଙ୍କ ସାଙ୍ଗମାନେ ପ୍ରଧାନଙ୍କୁ ନିସ୍ତୁକ ମାଡ ମରିଥିବା ଅଭିଯୋଗ ହୋଇଛି । ପ୍ରଧାନ ଓ ତାଙ୍କ ପତ୍ନୀ ସଜୋଜା ରାଜ୍ୟପାଳଙ୍କୁ ଭେଟି ଏହା ଜଣାଇବା ପରେ ଘଟଣାଟି ସଂପୂର୍ଣ୍ଣ ଭାବରେ ଘର ଭିତର କଥା, ସେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ରାଜ୍ୟପାଳ ଦାସ ସେମାନଙ୍କୁ ଶାନ୍ତ୍ୱନା ଦେଇଥିଲେ । ତେବେ, ଦୋଷୀଙ୍କ ବିରୋଧରେ କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନ ହେବାରୁ ପ୍ରଧାନ ଦଂପତ୍ତି ଭୁବନେଶ୍ୱର କ୍ୟାପିଟାଲ ଥାନାରେ ରାଜ୍ୟପାଳଙ୍କ ପୁଅ ଲଳିତ ଓ ତାଙ୍କ ବଂଧୁମାନଙ୍କ ବିରୋଧରେ ଏତଲା ଦେଇଥିଲେ । ବୈକୁଣ୍ଠନାଥ ପ୍ରଧାନଙ୍କ ଏତଲା ଉପରେ ପୁଲିସ ଆଡୁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନି । ଅପରପକ୍ଷରେ, ତିନି ବର୍ଷ ଧରି ରାଜଭବନରେ ଡ଼େପୁଟେସନରେ କାର୍ଯ୍ୟରତ ଥିବା ଏଏସଓ ପ୍ରଧାନଙ୍କୁ ନିକଟରେ ସରକାର ଗୃହ ବିଭାଗକୁ ବଦଳି କରି ତୁରନ୍ତ ‘ଲୋକ ସେବା ଭବନ’ରେ କାର୍ଯ୍ୟରେ ଯୋଗଦେବାକୁ ନିର୍ଦେଶ ଦେଇ ରାଜ୍ୟବାସୀଙ୍କୁ ବିସ୍ମିତ କରିଛନ୍ତି । ରାଜ୍ୟ ସରକାରଙ୍କ ଏହି କାର୍ଯ୍ୟାନୁଷ୍ଠାନକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି । କଂଗ୍ରେସ ପକ୍ଷରୁ ଘଟଣା ପରରୁ ଲଳିତଙ୍କୁ ଗିରଫ କରାଯିବା ଦାବିରେ ଆନ୍ଦୋଳନ ଚାଲିଛି । ବିଜେଡ଼ି ଘଟଣାକୁ ନିନ୍ଦା କରିଥିଲେ ମଧ୍ୟ ରାସ୍ତାକୁ ଆସିନଥିଲା । ରାଜ୍ୟପାଳଙ୍କୁ ମିଳୁଥିବା ଆଇନଗତ ସୁରକ୍ଷା ତାଙ୍କ ପୁଅଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ, ତେଣୁ ରାଜ୍ୟପାଳଙ୍କ ପୁଅକୁ ଗିରଫ କରାଯାଉ ବୋଲି ଦୁଇ ଦିନ ତଳେ ବିଜେଡ଼ି ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର ଗଣମାଧ୍ୟମରେ ବୟାନ ରଖି ବିଜେଡ଼ି ବିଧାନସଭାରେ ଏହାକୁ ପ୍ରସଙ୍ଗ କରୁଥିବା ସ୍ପଷ୍ଟ କରିଥିଲେ । ଆଜି ବିରୋଧୀ ଦଳ ନେତା ପୂର୍ବତନ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ନିଜେ ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇ ରାଜ୍ୟପାଳଙ୍କ ଭାଷଣ ବର୍ଜନ କରିବା, କକ୍ଷତ୍ୟାଗ କରିବା ଏବଂ ରାଜ୍ୟପାଳ ପୁଅକୁ ସରକାର ଗିରଫ କରିବା ଆବଶ୍ୟକ ବୋଲି ଗଣମାଧ୍ୟମରେ ବୟାନ ଦେବା ବିଜେପିର ରଣନୀତିକୁ ସ୍ପଷ୍ଟ କରୁଛି । ଆଜି ବିରୋଧୀ ରାଜ୍ୟପାଳଙ୍କ ଅଭିଭାଷଣକୁ ବର୍ଜନ କରିଛନ୍ତି । ବିଧାନସଭା ଅଧିବେଶନର ଆଗକୁ ମଧ୍ୟ ବିଜେଡ଼ି ଓ କଂଗ୍ରେସ ଏହି ପ୍ରସଙ୍ଗକୁ ଜୀବନ୍ତ ରଖି ମୋହନ ସରକାରଙ୍କ ଅଡୁଆ ବଢାଇବେ ବୋଲି ତଥ୍ୟାଭିଜ୍ଞ ମହଲରେ ଚର୍ଚ୍ଚା ହେଉଛି ।
ମୁଖ୍ୟ ସଂପାଦକ, ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS