ଆଜି ମଧ୍ୟ ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ


ପ୍ରସାଦ ରାଓ
୨୩ ଜୁଲାଇ/୨୦୨୪
ଆଜି ମଧ୍ୟ ଓଡ଼ିଶା ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଛି । ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତ କୁମାର ଜୁଲାଇ ୦୭ ତାରିଖ ଦିନ ପୁରୀ ରାଜଭବନରେ ଡ୍ୟୁଟିରେ ଥିବା ରାଜ୍ୟପାଳଙ୍କ ସଚିବାଳୟର ଏଏସଓ ବୈକୁଣ୍ଠନାଥ ପ୍ରଧାନଙ୍କୁ ମାଡ ମାରିଥିବା ଜୁଲାଇ ୧୨ ତାରିଖରେ ଥାନାରେ ଏତଲା ହୋଇଥିଲେ ମଧ୍ୟ ଆଜି ସୁଦ୍ଧା ଲଳିତଙ୍କୁ ପୁଲିସ ଗିରଫ କରିନାହିଁ କାହିଁଁକି ବୋଲି ଆଜି ବିଧାନସଭାରେ ଶୂନ୍ୟକାଳ ପ୍ରାରମ୍ଭରୁ ବିଜେଡ଼ି ବିଧାୟକମାନେ ପ୍ରଶ୍ନ ଉଠାଇ ମୁଖ୍ୟମନ୍ତ୍ରୀ ଏହା ଉପରେ ଗୃହରେ ବିବୃତି ରଖିବାକୁ ଦାବି କରିଥିଲେ । ଲଲିତଙ୍କୁ ଗିରଫ କରାଯିବା ଦାବିରେ ସେମାନେ ଗୃହର ମଧ୍ୟ ଭାଗକୁ ଯାଇ ହଟ୍ଟଗୋଳ କରିବା ବେଳେ କଂଗ୍ରେସ ବିଧାୟକମାନେ ମଧ୍ୟ ସେଥିରେ ସାମିଲ ହୋଇଥିଲେ । ଫଳରେ, ଗୃହରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା । ବାଚସ୍ପତି ସୁରମା ପାଢୀ ପ୍ରଥମେ ପୂର୍ବାହ୍ନ ସାଢେ ୧୧ଟ ଓ ପରେ ଅପରାହ୍ନ ୦୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଥିଲେ । ବିଜେଡ଼ି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବିଧାନସଭାରେ ସରକାରଙ୍କୁ ମୁକାବିଲା କରିବା ପାଇଁ ଗଠନ କରିଥିବା ‘ଛାୟା ସରକାର’ରେ ଗୃହ ମନ୍ତ୍ରଣାଳୟ ଦାୟିତ୍ୱରେ ବିଜେଡ଼ି ବିଧାୟିକ ଦଳ ମୁଖ୍ୟ ସଚେତକ ତଥା ରାଜ୍ୟ ବିଧାନସଭାର ପୂର୍ବତନ ବାଚସ୍ପତି ଶ୍ରୀମତୀ ପ୍ରମିଳା ମଲ୍ଲିକ ବିଧାନସଭାରେ ଶୂନ୍ୟକାଳ ପ୍ରାରମ୍ଭରେ ଏହି ପ୍ରସଙ୍ଗ ଉଠାଇ ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି କରିଥିଲେ । ଶ୍ରୀମତୀ ମଲ୍ଲିକ ରାଜ୍ୟପାଳଙ୍କ ପୁଅ ପ୍ରସଙ୍ଗରେ ଗୃହରେ କହିବା ବେଳେ ବିଜେଡ଼ି ବିଧାୟକମାନେ ଲଳିତ କୁମାରଙ୍କୁ ଗିରଫ କରାଯିବା ଦାବିରେ ଗୃହର ମଧ୍ୟଭାଗକୁ ଯାଇ ହଟ୍ଟଗୋଳ କରିଥିଲେ । ପ୍ରଧାନ ଜଣେ ଓଡ଼ିଆ ଅଫିସର ହୋଇଥିବା ବେଳେ ସରକାର ତାଙ୍କୁ ମାଡ ହେବା ଘଟଣାରେ କୌଣସିି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ଓଲଟା ପ୍ରଧାନଙ୍କୁ ରାଜ୍ୟପାଳଙ୍କ ସଚିବାଳୟରୁ ଗୃହ ମନ୍ତ୍ରଣାଳୟକୁ ବଦଳି କରିଦେବା କଣ ବିଜେପିର ‘ଓଡ଼ିଆ ଅସ୍ମିତା’ର ସୁରକ୍ଷା ବୋଲି ଶ୍ରୀମତୀ ମଲ୍ଲିକ ବିଧାନସଭା ମୁଲତବୀ ରହିବା ପରେ ଗୃହ ବାହାରେ ଗଣମାଧ୍ୟମକୁ ବୟାନ ଦେଇ ପ୍ରଶ୍ନ କରିଛନ୍ତି । ବାଚସ୍ପତି ଶ୍ରୀମତୀ ପାଢୀ ପ୍ରଥମେ ପୂର୍ବାହ୍ନ ସାଢେ ୧୧ଟା ପର୍ଯ୍ୟନ୍ତ ଗୃହ ମୁଲତବୀ ରଖିଥିଲେ । ସାଢେ ୧୧ଟା ପରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ କଂଗ୍ରେସ ବିଧାୟକମାନେ ଗୃହର ମଧ୍ୟଭାଗକୁ ଯାଇ ପାଟିତୁଣ୍ଡ କରୁଥିବା ବିଜେଡ଼ି ବିଧାୟକଙ୍କ ସହ ସାମିଲ ହୋଇଥିଲେ । ରାଜ୍ୟପାଳଙ୍କ ପୁଅକୁ ଗିରଫ କରାଯିବା ଦାବିରେ ସେମାନେ ମଧ୍ୟ ଗୃହର ମଧ୍ୟଭାଗରେ ସ୍ଲୋଗାନବାଜୀ କରିଥିଲେ । ଏଠାରେ ସୂଚନାଯୋଗ୍ୟ କି, ରଥଯାତ୍ରାରେ ଭାଗ ନେବା ପାଇଁ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଗତ ୦୭ ତାରିଖରେ ପୁରୀ ଆସିଥିବା ସମୟରେ ରାଜ୍ୟପାଳଙ୍କ ସଚିବାଳୟର ଏଏସଓ ବୈକୁଣ୍ଠନାଥ ପ୍ରଧାନ ପୁରୀ ରାଜଭବନରେ ଡ୍ୟୁଟିରେ ଥିଲେ । ପୁରୀ ରାଜଭବନରେ ଉପସ୍ଥିତ ଥିବା ରାଜ୍ୟପାଳଙ୍କ ପୁଅ ଲଳିତ କୁମାର ଓ ତାଙ୍କ ସାଂଗମାନେ ବାହାରକୁ ବୁଲି ଯିବା ପାଇଁ ପ୍ରଧାନଙ୍କୁ ଏକ ସୌଖୀନ ଗାଡି ମାଗିଥିଲେ । ପ୍ରଧାନ ତାହା ଦେଇନପାରିବାରୁ ସେମାନେ ତାଙ୍କୁ ନିସ୍ତୁକ ମାଡ ମାରିଥିବା ପ୍ରଧାନ ନିଜେ ପ୍ରଥମେ ରାଜ୍ୟପାଳଙ୍କ ନିକଟରେ ଓ ପରେ ଜୁଲାଇ ୧୨ ତାରିଖ ଦିନ ଭୁବଶ୍ୱେର କ୍ୟାପିଟାଲ ଥାନାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ରାଜ୍ୟ ସରକାର ଜଣେ ସରକାରୀ ଅଫିସରଙ୍କୁ ସୁରକ୍ଷା ନଦେଇ ରାଜ୍ୟପାଳଙ୍କ ପୁଅକୁ ଘଂଟ ଘୋଡାଇବାକୁ ଉଦ୍ୟମ କରୁଥିବା କ୍ଷୋଭର ବିଷୟ । ସାଧାରଣ ଲୋକଙ୍କୁ ଏହି ସରକାର କି ସୁରକ୍ଷା ଦେବେ ବୋଲି ଶ୍ରୀମତୀ ମଲ୍ଲିକ ପ୍ରଶ୍ନ କରିଛନ୍ତି । ପୁରୀ ଜିଲ୍ଲାପଳ ମାମଲାର ତଦନ୍ତ କରୁଛନ୍ତି, ତାଙ୍କ ରିପୋର୍ଟ ମିଳିବା ପରେ ସରକାର ଦୋଷୀଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଗତକାଲି ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଦେଇଥିବା ବୟାନ ଉପରେ ଶ୍ରୀମତୀ ମଲ୍ଲିକ ପ୍ରଶ୍ନ ଉଠାଇବା ସହ ଏହା ଏକ ଆପରାଧୀକ ମାମଲା ହୋଇଥିବା ବେଳେ ସରକାର ପୁରୀ ଜିଲ୍ଲାପାଳଙ୍କ ଦ୍ୱାରା ଘଟଣାର ତଦନ୍ତ କରାଇଲେ ଜିଲ୍ଲା ପୁଲିସର ଏସପି, ଡିଏସପିମାନେ କଣ କରିବେ (?) ବୋଲି ପ୍ରଶ୍ନ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜେ ଗୃହ ମନ୍ତ୍ରଣାଳୟ ଦାୟତ୍ୱରେ ଥିବାରୁ ଏହି ଘଟଣାକୁ ନେଇ ଗୃହରେ ବୟାନ ରଖିବାକୁ ବିଜେଡ଼ି ଦାବି କରୁଛୁ ବୋଲି ଶ୍ରୀମତୀ ମଲ୍ଲିକ କହିଛନ୍ତି । ରାଜ୍ୟପାଳଙ୍କ ପୁଅକୁ ଗିରଫ କରାଯିବା ଦାବିରେ ଆଜି ବିଧାନସଭାରେ ବିଜେଡ଼ି ଓ କଂଗ୍ରେସ ବିଧାୟକମାନେ ହଟ୍ଟଗୋଳ କରିବା ସମୟରେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଓ ଟଂକଧର ତ୍ରିପାଠୀ ସରକାରଙ୍କ ପକ୍ଷରେ ବାହାରି ବିଜେଡ଼ି ସରକାର ସମୟରେ ଏକାଧିକ ମନ୍ତ୍ରୀଙ୍କ ବିରୋଧରେ ହତ୍ୟା ଭଳି ବହୁ ଘୃଣିତ ଅପରାଧରେ ସଂପୃକ୍ତି ଥିବାର ଅଭିଯୋଗ ହୋଇଥିବା ବେଳେ ତତ୍କାଳୀନ ସରକାର କି କାର୍ଯ୍ୟାନୁଷ୍ଠାନ ଭ୍ରହଣ କରିଥିଲେ (?) ବୋଲି ପାଲଟା ପ୍ରଶ୍ନ କରିଥିଲେ । ତେବେ, ବିଧାନସଭା ଗୃହର ମଧ୍ୟଭାଗରେ ବିଜେଡ଼ି ଓ କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳ ଜାରି ରହିବାରୁ ବାଚସ୍ପତି ଶ୍ରମତୀ ପାଢୀ ଅପରାହ୍ନ ୦୪ଟା ଯାଏଁ ଗୃହ ମୁଲତବୀ ରଖିଥିଲେ ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS