ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ମିଳିଲାନି, ତଥାପି ବିହାର, ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଖୁସି ?


ପ୍ରସାଦ ରାଓ
୨୩ ଜୁଲାଇ/୨୦୨୪
୨୦୨୪ ନିର୍ବାଚନରେ କେନ୍ଦ୍ରରେ ବିଜେପି ଏକାକୀ ସରକାର କରିବାକୁ ଆବଶ୍ୟକ ଜନାଦେଶ ମିଳି ନାହିଁ । ୫୪୩ ଆସନ ବିଶିଷ୍ଟ ଲୋକସଭାରେ ସରକାର କରିବାକୁ ୨୭୨ ସାଂସଦ ଆବଶ୍ୟକ ଥିବା ବେଳେ ବିଜେପିକୁ ମିଳିଛି ୨୪୦ ଆସନ । ତେଣୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲଗାତର ତୃତୀୟ ଥର ସରକାର କରିବାକୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଜେଡ଼ିୟୁ ଓ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏକ.ଚନ୍ଦ୍ରାବାବୁ ନାଇଡୁଙ୍କ ଟିଡିପି (ତେଲୁଗୁ ଦେଶମ ପାର୍ଟି)କୁ ଆଶ୍ରା କରିଛନ୍ତି । ବିଜେପି ନାମରେ ନୁହେଁ, ଏନଡିଏ ନାମରେ ହୋିଥିବା ସରକାରରେ ଏହି ଦୁଇ ଆଂଚଳିକକ ରାଜନୈତିକ ଦଳ ପ୍ରମୁଖ ଅଂଶୀଦାର ରହିଛନ୍ତି । କେନ୍ଦ୍ର ମନ୍ତ୍ରୀ ପରିଷଦରେ ଏହି ଦୁଇ ଆଂଚଳିକ ରାଜନୈତିକ ଦଳ ଦାବି ମୁତାବକ ପ୍ରତିନିଧିତ୍ୱ ପାଇ ନଥିଲେ ମଧ୍ୟ ମୋଦୀଙ୍କ ତୃତୀୟ ପାଳି ସରକାର ଗଠନରେ ସହଯୋଗ କରିବା ପାଇଁ ବିହାର ଓ ଆନ୍ଧ୍ର ପ୍ରଦେଶକୁ ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ମାନ୍ୟତା ଦିଆଯିବାକୁ ସେମାନେ ଦାବି ରଖିଥିଲେ । ଦୀର୍ଘ ବର୍ଷ ଧରି ଏହି ଦୁଇ ରାଜ୍ୟ ଏହି ଦାବି କରି ଆସୁଛନ୍ତି । ତେଣୁ, ଏଥର ସେମାନଙ୍କ ସାହାରାରେ ସରକାର ଚାଲିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ସେମାନଙ୍କ ଦାବିକୁ ଗ୍ରହଣ କରି ନେବେ ଉଭୟ ନୀତୀଶ କୁମାର ଓ ଚନ୍ଦ୍ରବାବୁ ନାଇଡୁ ଆଶା କରୁଥିଲେ । କିନ୍ତୁ, ଗତକାଲି ମୋଦୀ ସେମାନଙ୍କ ଦାବିକୁ ଅଗ୍ରାହ୍ୟ କରିଛନ୍ତି । ବିହାର ଓ ଆନ୍ଧ୍ରକୁ ସ୍ୱତନ୍ତ୍ର ପାହ୍ୟା ରାଜ୍ୟର ମାନ୍ୟତା ନୁହେଁ, ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଗତକାଲି ସେମାନଙ୍କୁ ଆଶ୍ୱସ୍ତ କରିଥିବା ବେଳେ ଆଜି ସଂସଦରେ ଉପସ୍ଥାପିତ ୨୦୨୪ ବଜେଟରେ ଆନ୍ଧ୍ର ପ୍ରଦେଶ ପାଇଁ ୧୫ ହଜାର କୋଟି ଟଙ୍କା ଓ ବିହାର ପାଇଁ ପ୍ରାୟ ୬୦ ହଜାର କୋଟି ଟଙ୍କାର ସ୍ୱତନ୍ତ୍ର ଆର୍ଥିକ ସହାୟତା ଘୋଷଣା କରି ଦୁଇ ମୁଖ୍ୟମନ୍ତ୍ରୀଙ୍କୁ ସନ୍ତୁଷ୍ଟ କରିଛନ୍ତି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳ ସୀଥାରମଣ ଆଜି ଲୋକସଭାରେ ଉପସ୍ଥାପନ କରିଥିବା ୨୦୨୪ ବଜେଟରେ ବିହାରରେ ବହୁ ଭିତ୍ତିଭୂମି ବିକାଶ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ସରକାରଙ୍କ ପକ୍ଷରୁ ଘୋଷଣା ହୋଇଛି । ସମ୍ବିଧାନରେ କୌଣସି ପଛୁଆ ରାଜ୍ୟକୁ ସ୍ୱତନ୍ତ୍ର ପାହ୍ୟା ରାଜ୍ୟର ମାନ୍ୟତା ଦେବାର କୌଣସି ବ୍ୟବସ୍ଥା ନଥିଲେ ମଧ୍ୟ ୧୯୬୯ରେ ପଂଚମ ଅର୍ଥ କମିଶନଙ୍କ ସୁପାରାଶି ଆଧାରରେ କିଛି ରାଜ୍ୟଙ୍କୁ ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ମାନ୍ୟତା ମିଳିଛି । ଏହି ମାନ୍ୟତା ମିଳୁଥିବା ରାଜ୍ୟକୁ କେନ୍ଦ୍ର ସରକାରଙ୍କ ନିକଟରୁ ଅଧିକ ଆର୍ଥିକ ସହାୟତା ଓ ପ୍ରୋତ୍ସାହନ ମିଳିଥାଏ । ଏଯାବତ ୧୧ଟି ରାଜ୍ୟ ଆସାମା, ନାଗାଲାଣ୍ଡ, ମଣିପୁର, ମେଘାଳୟ, ତ୍ରିପୁରା, ସକ୍କିମ, ଅରୁଣାଚଳ ପ୍ରଦେଶ, ମିଜୋରାମ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଓ ତେଲେଂଗାନାକୁ ସ୍ୱତନ୍ତ୍ର ପାହ୍ୟା ରାଜ୍ୟର ମାନ୍ୟତା ଦିଆଯାଇଛି । ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ମାନ୍ୟତା ପାଇବା ସକାଶେ ରାଜ୍ୟଟି ପାର୍ବତ୍ୟାଂଚଳ ବା ଅଗମ୍ୟ ଅଂଚଳ ହୋଇଥିବା, ଜନସଂଖ୍ୟା ଘନତା କମ୍ ରହିଥିବା ଓ ଆଦିବାସୀ ବହୁଳ ହୋଇଥିବା, ପଡୋଶୀ ରାଷ୍ଟ୍ରର ସୀମାକୁ ଲାଗି ରାଜ୍ୟଟି ରହିଥିବା, ଅର୍ଥନୀତି ଓ ଭିତ୍ତିଭୂମି ଦୃଷ୍ଟିରୁ ରାଜ୍ୟଟି ପଛୁଆ ରହିଥିବା, ରାଜ୍ୟର ଅର୍ଥନୈତିକ ସ୍ଥିତି ଅନିଶ୍ଚିତ ଥିବା ପ୍ରଭୃତି ମାପକାଠି ରହିଛି । ଓଡ଼ିଶା ସମେତ ଅନ୍ୟ କିଛି ରାଜ୍ୟ ମଧ୍ୟ ନିଜର ଆର୍ଥିକ ସ୍ଥିତି ଦୁର୍ବଳ ଥିବା ଦର୍ଶାଇ ଦୀର୍ଘ ବର୍ଷ ହେଲା ସ୍ୱତନ୍ତ୍ର ପାହ୍ୟା ରାଜ୍ୟର ମାନ୍ୟତା ଦିଆଯିବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରୁଥିବା ବେଳେ କେନ୍ଦ୍ର ସରକାର ତାହାକୁ ଅଗ୍ରାହ୍ୟ କରି ଆସୁଛନ୍ତି । ଓଡ଼ିଶାରେ ବିଜେଡ଼ି ସରକାର ଥିବା ସମୟରେ କେନ୍ଦ୍ର ନିକଟରେ ବାରମ୍ବାର ଏହି ଦାବି କରାଯାଇଛି । ସଂସଦର ଚଳିତ ବଜେଟ ଅଧିବେଶନରେ ବିଜେଡ଼ିର ରାଜ୍ୟସଭା ସାଂସଦମାନେ ପୁନର୍ବାର ସରକାରଙ୍କ ନିକଟରେ ଏହି ଦାବି ଉପସ୍ଥାପନ କରି ବିରୋଧୀ ସାଂସଦଙ୍କ ସହ କକ୍ଷତ୍ୟାଗ କରିଥିଲେ । କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୃତୀୟ ପାଳି ସରକାରରେ ଆଶାବାଡୀ ହୋଇଥିବା ଜେଡିୟୁ ଓ ଟିଡିପି ଯେତେବେଳେ ବିହାର ଓ ଆନ୍ଧ୍ର ପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବାରେ ବିଫଳ ହୋଇଛନ୍ତି ଓଡ଼ିଶାରେ ମୁଖ୍ୟ ବିରୋଧୀ ଦଳ ଭୂମିକାରେ ଥିବା ବିଜେଡ଼ି ଏହି ଦାବିକୁ ନେଇ ରାଜ୍ୟସଭାରେ ସରକାର ଉପରେ ଚାପ ସୃଷ୍ଟି ପାଇଁ ବିରୋଧୀଙ୍କ ସହ ମିଶି କକ୍ଷତ୍ୟାଗ କରିବା କୌଣସି ଗୁରୁତ୍ୱ ରଖୁନି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ଓଡ଼ିଶାରେ ପ୍ରଥମ ଥର ପାଇଁ ବିଜେପି କ୍ଷମତାକୁ ଆସିଛି । ରାଜ୍ୟବାସୀ ଗତ ୨୪ ବର୍ଷର ବିଜେଡ଼ି ସରକାରଙ୍କୁ କ୍ଷମତାଚ୍ୟୁତ କରି ୨୦୨୪ରେ ବିଜେପି ଉପରେ ଭରସା କରିଛନ୍ତି ଓ ଦଳକୁ ପ୍ରଥମ ଥର ପାଇଁ ବହୁମତ ଦେଇ କ୍ଷମତାକୁ ଆଣିଛନ୍ତି । ବିଜେପି ରାଜ୍ୟରେ କ୍ଷମତାକୁ ଆସବା ପରେ ଓଡ଼ିଶା ପାଇଁ ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ମାନ୍ୟତା ଦାବି ଉପସ୍ଥାପନ କରି ନାହିଁ । ଆଗକୁ ଏଭଳି ଦାବି ଉପସ୍ଥାପନ କରାଯିବା ଆଶା ମଧ୍ୟ କ୍ଷୀଣ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜେଡିୟୁ ଓ ଟିଡିପିକୁ ଆଶ୍ରା କରି ତାଙ୍କ ତୃତୀୟ ପାଳି ସରକାର ଚଳାଇ ଥିବାରୁ କୌଣସି ପ୍ରକାର ରାଜନୈତିକ ଅସ୍ଥିରତାକୁ ଏଡାଇବା ପାଇଁ ଏହି ଦୁଇ ଦଳକୁ ସନ୍ତୁଷ୍ଟ କରିବାକୁ ଉଦ୍ୟମ କରିଛନ୍ତି ଓ ୨୦୨୪ ବଜେଟରେ ବିହାର ଓ ଆନ୍ଧ୍ର ପ୍ରଦେଶ ପାଇଁ ହଜାର ହଜାର କୋଟି ଟଙ୍କାର ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ୍ ଘୋଷଣା କରିଛନ୍ତି । ପ୍ରଥମ ଥର ପାଇଁ ଓଡ଼ିଶାବାସୀ ବିଜେପିକୁ ଭରସା କରିଥିବା ବେଳେ କେନ୍ଦ୍ରୀୟ ବଜେଟରେ ଓଡ଼ିଶା ପାଇଁ ସେଭଳି କିଛି ସ୍ୱତନ୍ତ୍ର ଆର୍ଥିକ ଅନୁଦାନର ପ୍ରତିଶ୍ରୁତି ନଥିବା ବଜେଟ ବିଶ୍ଲେଷକମାନେ କହୁଛନ୍ତି । କେନ୍ଦ୍ର ସରକାରଙ୍କ ଦ୍ୱାରା ଆଜି ଉପସ୍ଥାପିତ ହୋଇଥିବା ବଜେଟକୁ ‘ଚଉକି ସୁରକ୍ଷିତ ରଖିବାର ବଜେଟ’ ବୋଲି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଆଜି ସମାଲୋଚନା କରିଥିବା ବେଳେ ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ଏହା ଏକ ‘କପି-ପେଷ୍ଟ୍’ ବଜେଟ । ନିର୍ବାଚନ ସମୟରେ ବିଜେପି ଦେଶବାସୀଙ୍କ ନିକଟରେ ଯେଉଁ ନିର୍ବାଚନ ଇସ୍ତାହାର ଉପସ୍ଥାପନ କରିଥିଲା ତାହା ହିଁ ବଜେଟରେ ଅବିକଳ ଉପସ୍ଥାପନା କରାଯାଇଛି । ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ମଧ୍ୟ ବଜେଟକୁ ସମାଲୋଚନା କରି ଏଥିରେ ନୂତନତ୍ୱ କିଛି ନଥିବା କହିଛନ୍ତି । ତେବେ, ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଏନ.ଚନ୍ଦ୍ରବାବୁ ନାଇଡୁ ଓ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କେନ୍ଦ୍ର ସରକାର ଉପସ୍ଥାପନ କରିଥିବା ବଜେଟକୁ ପ୍ରଶଂସାରେ ପୋତି ଦେଇଛନ୍ତି । ଏହା ହେବା ସ୍ୱାଭାବିକ । କାରଣ, ପ୍ରଧାନମନ୍ତ୍ରୀ ମୋଦୀ ଏହି ଦୁଇ ରାଜ୍ୟରେ ଭିତ୍ତିଭୂମି ବିକାଶ ପାଇଁ ହଜାର ହଜାର କୋଟି ଟଙ୍କାର ସ୍ୱତନ୍ତ୍ର ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ଦୁଇ ମୁଖ୍ୟମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରି ମୋଦୀ ସରକାରଙ୍କ ବଜେଟକୁ ଭୁରି ଭୁରି ପ୍ରଶଂସା କରିବେ ନାହିଁ ତ ଆଉ କଣ କରିବେ ?
ମୁଖ୍ୟ ସଂପାଦକ, ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS