ପୁଣି ଏମଏସପି ପ୍ରସଙ୍ଗ, ସଂସଦ ପରିସରରେ ରାହୁଲଙ୍କୁ ଭୋଟିଲେ ୧୨ ଚାଷୀ ନେତା
ପ୍ରସାଦ ରାଓ
୨୪ ଜୁଲାଇ/୨୦୨୪
ସଂସଦର ବଜେଟ ଅଧିବେଶନ ଚାଲିଥିବା ସମୟରେ ଚାଷୀଙ୍କ ଆଡୁ ପୁଣି ଉଠିଛି ଏମଏସପିକୁ ଆଇନଗତ ମାନ୍ୟତା ଦିଆଯିବା ପ୍ରସଙ୍ଗ । ଆଜି ସକାଳେ ଛଅଟି ରାଜ୍ୟର ୧୨ ଜଣ କୃଷକ ନେତା ସଂସଦ ପରିସରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି । ରାହୁଲ ଗାନ୍ଧୀ ଲୋକସଭାରେ ବିରୋଧୀ ଦଳ ନେତା ଅଛନ୍ତି । ପଂଜାବ, ହରିୟାଣା, ଉତ୍ତର ପ୍ରଦେଶ, ତେଲେଂଗାନା, ତାମିଲନାଡୁ ଓ କର୍ଣ୍ଣାଟକର ୧୨ ଜଣିଆ ଚାଷୀ ପ୍ରତିନିଧି ଦଳ ରାହୁଲଙ୍କ ସହ ଆଲୋଚନା କରିବା ସମୟରେ ବରିଷ୍ଠ କଂଗ୍ରେସ ନେତା କେ.ସି.ବେଣୁଗୋପାଳ, ଦୀପେନ୍ଦର ସିଂହ ହୁଡ୍ଡା, ସାଂସଦ ଅମରିନ୍ଦିର ସିଂହ ରାଜା ୱାରିଙ୍ଗ ଓ ସୁଖଜିନ୍ଦର ସିଂହ ରନ୍ଧୱା ଉପସ୍ଥିତ ଥିଲେ । କୃଷକ ପ୍ରତିନିଧି ଦଳ ରାହୁଲଙ୍କୁ ଭେଟିବାକୁ ସଂସଦକୁ ଯିବା ସମୟରେ ସେମାନଙ୍କୁ ରୋକା ଯିବାରୁ ‘କିଛି ଚାଷୀ ମୋତେ ଭେଟିବାକୁ ଚାହିଁ ଥିଲେ ଓ ମୁଁ ସେମାନଙ୍କୁ ସଂସଦ ଭିତର କାର୍ଯ୍ୟାଳୟକୁ ଡକାଇ ଥିଲି । ତେବେ, ସେମାନଙ୍କୁ ପ୍ରବେଶ ଅନୁମତି ଦିଆଯାଇନଥିଲା । ବୋଧହୁଏ ସେମାନେ ସମେସ୍ତ ଚାଷୀ ହୋଇଥିବାରୁ ସଂସଦ ପରିସରରେ ପ୍ରବେଶ ଅନୁମତି ମିଳୁ ନାହିଁ । ଆପଣମାନେ କାରଣ ସଂପର୍କରେ ପ୍ରଧାନମନ୍ତ୍ରୀଙ୍କୁ ପଚାରିବା ଆବଶ୍ୟକ’ ବୋଲି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ‘ଏକ୍ସ’ରେ ଏକ ପୋଷ୍ଟ୍ କରିଥିଲେ । ରାହୁଲ ଗାନ୍ଧୀଙ୍କ ସହ କୃଷକ ନେତାଙ୍କ ଆଲୋଚନା ପରେ ସାଂସଦ ଅମରିନ୍ଦିର ସିଂହ ରାଜା ୱାରିଙ୍ଗ ଗଣମାଧ୍ୟମକୁ କହିଛନ୍ତି, ବିରୋଧୀ ଦଳ ନେତା ଗାନ୍ଧୀ ସଂସଦରେ ଚାଷୀଙ୍କ ପ୍ରସଙ୍ଗ ଉଠାଇବେ । ବିଭିନ୍ନ ଚାଷୀ ସଂଗଠନ ପୁଣି ଥରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବାକୁ ଯୋଜନା କରୁଥିବା ନେଇ ପ୍ରଶ୍ନ ହେବାରୁ ୱାରିଙ୍ଗ କହିଛନ୍ତି, ସେମାନେ ଦିଲ୍ଲୀ ଆସି ପ୍ରତିବାଦ କରିବାର ସଂପୂର୍ଣ୍ଣ ଅଧିକାର ରଖନ୍ତି । ଏନେଇ ଏକ ପ୍ରାଇଭେଟ ବିଲ୍ ର ଯଦି ଆବଶ୍ୟକତା ପଡେ ଆମେ ତାହା ଆଣିବୁ । ଚାଷୀ ସଂଗଠନମାନେ ସ୍ୱାମୀନାଥନ କମିଶନଙ୍କ ସୁପାରିଶକୁ କେନ୍ଦ୍ର ସରକାର ଆମୂଳଚୂଳ କାର୍ଯ୍ୟକାରୀ କରିବା ଚାହୁଁଛନ୍ତି । ୨୦୨୦ରେ କେନ୍ଦ୍ର ସରକାର ଦେଶରେ ତିନି କୃଷି ଆଇନ ଆଣିବା ପରେ ଚାଷୀ ସଂଗଠନମାନେ ତାହାର ବିରୋଧ କରି ଦେଶବ୍ୟାପୀ ଆନ୍ଦୋଳନ କରିଥିଲେ । ପଂଜାବ, ହରିୟାଣା, ୟୁପି ଚାଷୀମାନେ ଏହି ତିନି କୃଷି ଆଇନ ପ୍ରତ୍ୟାହାର ଦାବିରେ ହଜାର ହଜାର ସଂଖ୍ୟାରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବାରୁ ଦିଲ୍ଲୀ ସୀମାନ୍ତରେ ସମାନଙ୍କୁ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ନିର୍ଦେଶରେ ସିଂଘୁ ଓ ଅନ୍ୟାନ୍ୟ ସୀମାନ୍ତରେ ଲୁହା, କଂକ୍ରିଟ ଓ ସିମେଂଟର ଅସ୍ଥାୟୀ ବ୍ୟାରିକେଡମାନ ନିର୍ମାଣ କରାଯାଇ ସେମାନଙ୍କୁ ରୋକା ଯାଇଥିଲା । ଚାଷୀ ସଂଗଠନ ମାନେ ସିଂଘୁ ଓ ଅନ୍ୟାନ୍ୟ ସୀମାନ୍ତରେ ଅସ୍ଥାୟୀ ଟେଂଟ ପକାଇ ସେଠାରେ ବସି ରହିବା ସହ ଦୀର୍ଘ ଦିନ ଧରି ପ୍ରତିବାଦ ଓ ଧାରଣା କାର୍ଯ୍ୟକ୍ରମ ଚଳାଇବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର ତିନି ନୂଆ କୃଷି ଆଇନ ପ୍ରତ୍ୟାହାର କରି ନେଲେ ବୋଲି ଘୋଷଣା କରିଥିଲେ । ତିନି କୃଷି ଆଇନ ପ୍ରତ୍ୟାହାର ପରେ କୃଷକ ସଂଗଠନମାନେ ଆନ୍ଦୋଳନ ସ୍ଥଳ ଛାଡିବାକୁ ଏମଏସପି (କୃଷି ଉତ୍ପାଦର ସର୍ବନିମ୍ନ ସହାୟକ ମୂଲ୍ୟ)କୁ ସରକାର ଆଇନଗତ ମାନ୍ୟତା ଦେବା, କୃଷି ଋଣ ଛାଡ କରାଯିବା, ଚାଷୀ ଆନ୍ଦୋଳନ ସମୟରେ ସେମାନଙ୍କ ବିରୋଧରେ ହୋଇଥିବା ମାମଲା ସବୁ ପ୍ରତ୍ୟାହାର କରି ନିଆଯିବା, ସହୀଦ ହୋଇଥିବା ଚାଷୀଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଓ ପରିବାରର ଜଣେ ଲେଖାଏଁ ସଦସ୍ୟଙ୍କୁ ସରକାରୀ ନିଯୁକ୍ତି ଦିଆଯିବା ପ୍ରଭୃତି ଦାବି ଉପସ୍ଥାପନ କରିଥିଲେ । ଏସବୁ ଦାବି ବିଚାର କରାଯିବ ବୋଲି କେନ୍ଦ୍ର ସରକାର ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନରେ ଥିବା ଚାଷୀମାନେ ଆନ୍ଦୋଳନ ପ୍ରତ୍ୟାହାର କରି ନିଜ ନିଜ ଘରକୁ ବାହୁଡି ଥିଲେ । ଚାଷୀଙ୍କୁ ସେମାନଙ୍କ ଉତ୍ପାଦର ସର୍ବନିମ୍ନ ସହାୟକ ମୂଲ୍ୟ ଗ୍ୟାରେଂଟି ଦେବା କଥା ବିଚାର କରିବା ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯିବ ବୋଲି ସେତେବେଳେ ସରକାରଙ୍କ ଆଡୁ ପ୍ରତିଶ୍ରୁତି ମିଳିଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇନାହିଁ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଚାଷୀ ସଂଗଠନମାନେ ଏମଏସପିକୁ ସରକାରୀ ମାନ୍ୟତା ଓ ଅନ୍ୟାନ୍ୟ ଦାବି ସପକ୍ଷରେ ଦିଲ୍ଲୀରେ ପ୍ରତିବାଦ କରିବାକୁ ଅଭିଯାନ ଆରମ୍ଭ କରିଥିବା ବେଳେ କେନ୍ଦ୍ର ସରକାର ସେମାନଙ୍କୁ ପାଂଚ ବର୍ଷିଆ ଏମଏସପି କଂଟ୍ରାକ୍ଟ ପ୍ରସ୍ତାବ ଦେଇ ବିଚାର କରିବାକୁ ସମୟ ଦେଇଥିଲେ । ନିଜ ଭିତରେ ବିଚାର ଆଲୋଚନା ପରେ ଚାଷୀ ସଂଗଠନମାନେ ତାହାକୁ ପ୍ରତ୍ୟାଖାନ କରିଛନ୍ତି । ସେମାନେ ସ୍ୱାମୀନାଥନ କମିଶନଙ୍କ ‘ସି -୨ ଯୁକ୍ତ ୫୦ ପ୍ରତିଶତ’ ଏମଏସପି ସୁପାରିଶକୁ ପୂର୍ଣ୍ଣତଃ କାର୍ଯ୍ୟକାରୀ କରାଯିବାକୁ ଅଡି ରହି ଥିବା ବେଳେ କେନ୍ଦ୍ର ସରକାର ବର୍ତ୍ତମାନ ପ୍ରଚଳିତ ‘ଏ-୨ ଯୁକ୍ତ ଏଫଏଲ ଯୁକ୍ତ ୫୦ ପ୍ରତିଶତ’ ଫର୍ମୁଲାରେ ଅଡି ରହିଛନ୍ତି । ୨୦୨୦ରେ ୨୧ ଲକ୍ଷ ଚାଷୀ ଏକାଠି ହୋଇ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବା ଫଳରେ ଦିଲ୍ଲୀ ସୀମାନ୍ତ ଏକ ‘ୱାର୍-ଜୋନ୍’ରେ ପରିଣତ ହୋଇଥିଲା । ଦିଲ୍ଲୀ ସୀମାନ୍ତରେ ଚାଷୀ ଓ ପୁଲିସ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିଲା । ଆନ୍ଦୋଳନ ସମୟରେ ୫୦୦ରୁ ଅଧିକ ଚାଷୀ ସହୀଦ ହୋଇଥିଲେ । ଗତ ଫେବୃୟାରୀ ମାସରେ ଚାଷୀଙ୍କ ଦ୍ୱିତୀୟ ଦଫା ‘ଦିଲ୍ଲୀ ଚଲୋ’ ଅଭିଯାନ ସମୟରେ କେନ୍ଦ୍ର ସରକାର ଦେଇଥିବା ପ୍ରସ୍ତାବକୁ କୃଷକ ସଂଗଠନମାନେ ଅଗ୍ରାହ୍ୟ କରିଦେବା ପରେ ୨୦୨୪ ନିର୍ବାଚନରେ ଦେଶର କିଛି ପ୍ରମୁଖ ରାଜ୍ୟରେ ବିଜେପି ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ଏମଏସପିକୁ ସରକାର ଆଇନରେ ପରିଣତ କରିବା ଦାବି ଚାଷୀଙ୍କ ମୁଖ୍ୟ ଦାବି ରହିଛି । ସୋମବାର ଦିନ ଦୁଇଟି ପ୍ରମୁଖ କୃଷକ ସଂଗଠନ ସଂଯୁକ୍ତ କିଶାନ ମୋର୍ଚ୍ଚା (ଅଣ-ରାଜନୈତିକ) ଓ କିଶାନ ମଜଦୂର ମୋର୍ଚ୍ଚା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କୁଶପୁତ୍ତଳିକା ଦାହ କରିବାକୁ ଓ ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସରେ ଦେଶବ୍ୟାପୀ ଟ୍ରାକ୍ଟର ରାଲି କରିବାକୁ ନିଷ୍ପତ୍ତି ନେଇଥିବା ଘୋଷଣା କରିଛନ୍ତି । ସ୍ୱାମୀନାଥନ କମିଶନଙ୍କ ସୁପାରିଶ ପୂର୍ଣ୍ଣତଃ କାର୍ଯ୍ୟକାରୀ ହେବା ଦିଗରେ ଚାଷୀଙ୍କ ଦାବିକୁ ସରକାର ଏଡାଇ ଯାଉଛନ୍ତି । ବିଭିନ୍ନ ସମୟରେ ଦେଇଥିବା ପ୍ରତିଶ୍ରୁତି ମଧ୍ୟ ରକ୍ଷା କରୁନାହାନ୍ତି । ତେଣୁ, ଚାଷୀ ସଂଗଠନଙ୍କ ଦିଲ୍ଲୀ ଚଲୋ ଅଭିଯାନ ଜାରି ରହିବ ବୋଲି ଆଜି ସଂସଦ ପରିସରରେ ରାହୁଲ ଗାନ୍ଧୀଙ୍କୁ ଭେଟି ଆଲୋଚନା କରିଥିବା ଚାଷୀ ନେତା ଜଗଜିତ ସିଂହ ଦଲେୱାଲ ଗଣମାଧ୍ୟମକୁ କହିଛନ୍ତି । ଇତିମଧ୍ୟରେ ପଂଜାବ-ହରିୟାଣା ସୀମାନ୍ତରେ ଆନ୍ଦୋଳନରେ ଥିବା ଚାଷୀଙ୍କୁ ରୋକିବା ପାଇଁ ଶମ୍ଭୁ ସୀମାନ୍ତରେ ସରକାରଙ୍କ ପକ୍ଷରୁ ଯେଉଁ ଅବରୋଧମାନ ସୃଷ୍ଟି କରାଯାଇଛି ସେସବୁ ପଂଜାବ ଓ ହରିୟାଣାର ବ୍ୟବସାୟିକ ସ୍ୱାର୍ଥକୁ ବ୍ୟାହକ କରୁଥିବାରୁ ସରକାର ସେସବୁ ହଟାଇବା ପାଇଁ ସୁପ୍ରିମ କୋର୍ଟରେ ଏକାଧିକ ଆବେଦନ ହୋଇଛି । ସୁପ୍ରିମ କୋର୍ଟ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଉଜ୍ୱଳ ଭୂୟାଁଙ୍କୁ ନେଇ ଗଠିତ ବେଂଚ ଆଜି ଏହି ଆବେଦନଗୁଡିକ ଉପରେ ଶୁଣାଣୀ କରି ଦିଲ୍ଲୀ ସୀମାନ୍ତରେ ଆନ୍ଦୋଳନ ଚଳାଇ ଥିବା ଚାଷୀ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଅବିଶ୍ୱାସ ଭାବ ରହିଥିବାରୁ ତାହାକୁ ଦୂର କରିବା ସକାଶେ ସରକାର ଏକ ‘ନିରପେକ୍ଷ’ ମାଧ୍ୟମର ସହାୟତା ନେବାକୁ ପରାମର୍ଶ ଦେଇଛନ୍ତି । ସୁପ୍ରିମ କୋର୍ଟ ବେଂଚ କହିଛନ୍ତି, ‘ଆମେ ଚାଷୀଙ୍କ ନିକଟରେ ପହଂଚିବାକୁ କିଛି ପଦକ୍ଷେପ ନେବା ଆବଶ୍ୟକ । ଏହା ନହେବାରୁ ସେମାନେ ଦିଲ୍ଲୀ ଆସି ପ୍ରତିବାଦ କରିବାକୁ କାହିଁକି ଚାହୁଁଛନ୍ତି । ସରକାର ସେମାନଙ୍କ ସହ ଆଲୋଚନା ପାଇଁ ମନ୍ତ୍ରୀଙ୍କୁ ପଠାଉଛନ୍ତି । ତେବେ, ଦୁଇ ପକ୍ଷ ମଧ୍ୟରେ ଥିବା ବିଶ୍ୱାସର ଅଭାବ ପ୍ରତିବନ୍ଧକ ସୃଷ୍ଟି କରୁଛି । ସରକାର କେବଳ ନିଜ କଥା ଭାବୁଛନ୍ତି, ସ୍ଥାନୀୟ ସମସ୍ୟାକୁ ଏଡାଇ ଯାଉଛନ୍ତି ବୋଲି ଆନ୍ଦୋଳନକାରୀଙ୍କ ମଧ୍ୟରେ ଯେଉଁ ଧାରଣା ସୃଷ୍ଟି ହୋଇଛି ତାହା ଦୂର କରିବା ପାଇଁ ସରକାର ଏକ ‘ନିରପେକ୍ଷ ଟିମ୍’କୁ ପଠାଇବା ଆବଶ୍ୟକ’ । ହରିୟାଣା ସରକାରଙ୍କ ପକ୍ଷରୁ ସିଲିସିଟର ଜେନେରାଲ ତୁଷାର ମେହେଟ୍ଟା ସୁପ୍ରିମ କୋର୍ଟରେ ଯୁକ୍ତି ଉପସ୍ଥାପନ କରିଥିଲେ । ଆନ୍ଦୋଳନରେ ଥିବା ଚାଷୀ ଦିଲ୍ଲୀ ଆସି ପ୍ରତିବାଦ ଜଣାଇବାରେ ସରକାରଙ୍କ କୌଣସି ଆପତ୍ତି ନାହିଁ । ତେବେ, ସେମାନେ ଟ୍ୟାଙ୍କ୍ (ଜେସିବି), ଟ୍ରକ୍ଟର ଧରି ଦିଲ୍ଲୀରେ ପ୍ରବେଶ କରିବା ଚିନ୍ତାର କାରଣ ହୋଇଛି । ୨୦୨୦ ଆନ୍ଦୋଳନ ସମୟରେ ତାହା ଦେଖିବାକୁ ମିଳିଥିଲା । ଜେସିବିଗୁଡିକୁ ଅସ୍ତ୍ରଶସ୍ତ୍ରରେ ଲଦି ଏକପ୍ରକାର ଯୁଦ୍ଧରେ ବ୍ୟବହାର ହେଉଥିବା ଟ୍ୟାଙ୍କରେ ପରିଣତ କରା ଯାଇଥିଲା ବୋଲି ମେହେଟ୍ଟା କହିଛନ୍ତି । ତେବେ, ଜାତୀୟ ରାଜପଥକୁ ଦିନ ଦିନ ଧରି ଅବରୋଧ କରାଯାଇପାରିବ ନାହିଁ ବୋଲି ସୁପ୍ରିମ କୋର୍ଟ କହିଛନ୍ତି । ଶମ୍ଭୁ ସୀମାନ୍ତକୁ ଅବରୋଧ ମୁକ୍ତ କରିବା ପାଇଁ ପଂଜାବ ହାଇକୋର୍ଟ ଦେଇଥିବା ନିର୍ଦେଶକୁ ଚ୍ୟାଲେଂଜ କରି ହରିୟାଣା ସରକାର ସୁପ୍ରିମ କୋର୍ଟକୁ ଯାଇଛନ୍ତି । ଜାତୀୟ ରାଜପଥକୁ ଅବରୋଧ କରାଯିବା ଦ୍ୱାରା ପଂଜାବର ଅର୍ଥନୀତି ଗୁରୁତର ଭାବେ କ୍ଷତିଗ୍ରସ୍ତ ହେଉଛି ବୋଲି ପଂଜାବର ଆଟର୍ଣ୍ଣି ଜେନେରାଲ ଗୁରମିନ୍ଦର ସିଂହ ଆଜି ସୁପ୍ରିମ କୋର୍ଟରେ ଯୁକ୍ତି ଉପସ୍ଥାପନ କରିଥିଲେ । ହରିୟାଣା ଓ କେନ୍ଦ୍ର ସରକାର ଏକ ନିରପେକ୍ଷ କମିଟି ଗଠନ ମାଧ୍ୟମରେ ଚାଷୀଙ୍କ ନିକଟରେ ପହଂଚି ସେମାନଙ୍କୁ ସରକାରଙ୍କ ଆଭିମୁଖ୍ୟ ସଂପର୍କରେ ଅବଗତ କରାନ୍ତୁ ଓ ଏକ ବୁଝାମଣାର ବାତାବରଣ ସୃଷ୍ଟି କରନ୍ତୁ ବୋଲି ପ୍ରସ୍ତାବ ଦେବା ସହ ପଂଜାବ ଓ ହରିୟାଣା ମଧ୍ୟରେ ଝଗଡା ଆମେ ଚାହୁଁନୁ ବୋଲି ସୁପ୍ରିମ କୋର୍ଟ ଆଜି ସ୍ପଷ୍ଟ ଭାବେ କହିଛନ୍ତି । ସେପର୍ଯ୍ୟନ୍ତ ସଂପୃକ୍ତ ସ୍ଥଳରେ ସ୍ଥତାବସ୍ଥା ବଜାୟ ରଖିବାକୁ ସର୍ବୋଚ୍ଚ ନ୍ୟାୟାଳୟ ସମସ୍ତ ପକ୍ଷଙ୍କୁ ନିର୍ଦେଶ ଦେଇଛନ୍ତି । ଜନସାଧାରଣଙ୍କ ଯାତାୟତ ସୁବିଧା ପାଇଁ ପର୍ଯ୍ୟାୟକ୍ରମେ ଜାତୀୟ ରାଜପଥରୁ ଅବରୋଧ ହଟା ଯିବାକୁ ସୁପ୍ରିମ କୋର୍ଟଙ୍କ ରାୟରେ ନୀର୍ଦେଶ ଦିଆଯାଇଥିବା ଜଣାପଡିଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS