‘ଦରବାର ହଲ’, ‘ଆଶୋକ ହଲ’ର ନାମ ବଦଳାଇଲେ ରାଷ୍ଟ୍ରପତି


ପ୍ରସାଦ ରାଓ
ନୂଆଦିଲ୍ଲୀ/୨୫ ଜୁଲାଇ/୨୦୨୪
ରାଷ୍ଟ୍ରପତିଙ୍କ ସରକାରୀ ବାସଭବନରେ ରହିଥିବା ‘ଦରବାର ହଲ’ ଓ ‘ଅଶୋକ ହଲ’ର ନାମ ପରିବର୍ତ୍ତନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁୁ । ଆଜି ଏହି ନାମ ପରିବର୍ତ୍ତନ କରାଯାଇ ‘ଦରବାର ହଲ୍’କୁ ‘ଗଣତନ୍ତ୍ର ମଣ୍ଡପ’ ଓ ‘ଆଶୋକ ହଲ’କୁ ‘ଅଶୋକ ମଣ୍ଡପ’ ନାମରେ ନାମିତ କରାଯାଇଛି । ଆଜି ରାଷ୍ଟ୍ରପତି ଭବନ ସଚିବାଳୟରୁ ଜାରି ହୋଇଥିବା ବିଜ୍ଞପ୍ତିରେ ଏହା କୁହାଯାଇଛି । ଏହି ବିଜ୍ଞପ୍ତିରେ ଏହା ମଧ୍ୟ କୁହାଯାଇଛି, ଭାରତର ରାଷ୍ଟ୍ରପତିଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ବାସଭବନ ଭାରତର ଜାତୀୟତାର ପ୍ରତୀକ ଏବଂ ଦେଶବାସୀଙ୍କ ପାଇଁ ଏକ ଅମୂଲ୍ୟ ସ୍ମାରକୀ । ଇତିମଧ୍ୟରେ, ଅଧିକରୁ ଅଧିକ ସଂଖ୍ୟକ ସାଧାରଣ ଜନତା ଯେଭଳି ରାଷ୍ଟ୍ରପତି ଭବନରେ ପ୍ରବେଶ କରି ପାରିବ ଓ ଏହାକୁ ବୁଲି ଦେଖି ପାରିବେ ସେଦିଗରେ ଅହରହ ପଦକ୍ଷେପମାନ ନିଆଯାଉଛି । ରାଷ୍ଟ୍ରପତି ଭବନ ହେଉଛି ଭାରତୀୟ ସାଂସ୍କୃତି ଓ ମୂଲ୍ୟବୋଧର ପ୍ରତୀକ । ଅତୀତରେ ରାଜାରାଜୁଡା ଶାସନ ଓ ବ୍ରିଟିଶ ଶାସନ ସମୟରେ ଯେଉଁ ପ୍ରକୋଷ୍ଠରେ ‘ଦରବାର’ ବସୁଥିଲା ତାହାକୁ ‘ଦରବାର ହଲ’ ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଆୟୋଜନ ହେଉଥିବା ହଲ୍ କୁ ‘ଅଶୋକ ହଲ’ ନାମରେ ନାମିତ ହୋଇଥିଲା । ଦେଶ ସ୍ୱାଧୀନ ହୋଇ ଏକ ସାର୍ବଭୌମ ରାଷ୍ଟ୍ରରେ ପରିଣତ ହେବା ପରେ ଏଭଳି ନାମ ଯଥାର୍ଥତା ହରାଇଛି । ଭାରତୀୟ ସମାଜରେ କେଉଁ ଅନାଦୀ କାଳରୁ ‘ଗଣତନ୍ତ୍ର’ର ଚେର ଗଭୀରତମ ରହିଥିବାରୁ ଏବଂ ଭାରତ ଏକ ଗଣତାନ୍ତ୍ର ହୋଇଥିବାରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ‘ଦରବାର ହଲ’କୁ ‘ଗଣତନ୍ତ୍ର ମଣ୍ଡପ’ ନାମରେ ନାମିତ କରିଛନ୍ତି । ସେହିଭଳି, ‘ଅଶୋକ’ର ଅର୍ଥ ‘ସମସ୍ତ ଦୁଃଖ, ଶୋକରୁ ମୁକ୍ତି’ ଏବଂ ମୌର୍ଯ୍ୟ ବଂଶୀ ସମ୍ରାଟ ଆଶୋକଙ୍କ ନାମକୁ ବୁଝାଉଥିଲା । ସମ୍ରାଟ ଅଶୋକ ଥିଲେ ଏକତା ଓ ଶାନ୍ତିପୂର୍ଣ୍ଣ ସହାବସ୍ଥାନର ପ୍ରତୀକ । ତେଣୁ, ରାଷ୍ଟ୍ରପତି ‘ଅଶୋକ ହଲ’ ନାମ ‘ଅଶୋକ ମଣ୍ଡପ’ କରିଛନ୍ତି ବୋଲି ରାଷ୍ଟ୍ରପତି ଭବନ ସଚିବାଳୟରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି । ୨୦୨୪ ନିର୍ବାଚନରେ ଦେଶର ‘ଗଣତନ୍ତ୍ର’ ଓ ‘ସମ୍ବିଧାନ’ ମୁଖ୍ୟ ପ୍ରସଙ୍ଗ ହୋଇଥିଲା । ବିରୋଧୀ ମେଂଟ ଦେଶରେ ଗଣତନ୍ତ୍ର ଧ୍ୱଂସମୁଖୀ ହୋଇଥିବା ଓ ଶାସକ ଦଳ ସମ୍ବିଧାନରେ ଥିବା ବ୍ୟବସ୍ଥାକୁ ଲଗାତର ଉଲଂଘନ କରୁଥିବା ଅଭିଯୋଗ କରି ଗତ ଲୋକସଭା ନିର୍ବାଚନ ଲଢିଥିଲେ । ନିର୍ବାଚନ ପରେ ମଧ୍ୟ ଉଭୟ ଶାସକ ଓ ବିରୋଧୀ ଏହି ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହେଉଛନ୍ତି । ଏଭଳି ସ୍ଥିତିରେ ରାଷ୍ଟ୍ରପତିଙ୍କ ସରକାରୀ ବାସଭବନରେ ଥିବା ଦୁଇଟି ପ୍ରମୁଖ ପ୍ରକୋଷ୍ଠର ନାମ ‘ଗଣତନ୍ତ୍ର ମଣ୍ଡପ’ ଓ ଅଶୋକ ମଣ୍ଡପ ରଖାଯିବା ବେଶ୍ ଗୁରୁତ୍ୱ ବହନ କରୁଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS