ଖଣି, ଖାଦାନ ଉପରେ ରାଜ୍ୟ ସରକାରଙ୍କ ଅଧିକାର, ସୁପ୍ରିମ କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ


ପ୍ରସାଦ ରାଓ
ନୂଆଦିଲ୍ଲୀ/୨୫ ଜୁଲାଇ/୨୦୨୪
ଆଜି ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ନଅ ଜଣିଆ ବେଂଚ ଖଣି, ଖାଦାନକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ବିଭିନ୍ନ ରାଜ୍ୟରେ ଥିବା ଖଣି ଜମି ଓ ଖାଦାନଗୁଡିକ ଉପରେ ଟିକସ ଲଗାଇବା ଅଧିକାର ସଂପୃକ୍ତ ରାଜ୍ୟ ସରକାରଙ୍କ ରହିଛି, ତାହା କେନ୍ଦ୍ର ସରକାରଙ୍କ ମାଇନ୍ସ ଏଣ୍ଡ ମିନରାଲ୍ସ (ଡେଭଲପମେଂଟ ଏଣ୍ଡ ରେଗୁଲୋସନ) ଆଇନ, ୧୯୫୭ରେ ସୀମିତ ରଖାଯାଇ ପାରିବ ନାହିଁ ବୋଲି ୮-୧ ରାୟରେ ସୁପ୍ରିମ କୋର୍ଟ କହିଛନ୍ତି । ସୁପ୍ରିମ କୋର୍ଟର ଏହି ରାୟ ରାଜ୍ୟମାନଙ୍କୁ କେନ୍ଦ୍ରୀୟ କଟକଣାରୁ ମୁକ୍ତ କରିଥିବା ବେଳେ ସରକାର ଚଳାଇବାରେ ସଂଘୀୟ ବ୍ୟବସ୍ଥା ନୀତିକୁ ସ୍ୱୀକୃତି ଦେଇଛି । ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ ଆଜି ସଂଖ୍ୟାଗରିଷ୍ଠ ରାୟରେ କହିଛନ୍ତି, ସମ୍ବିଧାନର ସପ୍ତମ ଅନୁଚ୍ଛେଦର ୨୪୬ ଧାର ଓ ୪୯ ନମ୍ବର ଏଂଟ୍ରି (ଟ୍ରକ୍ସ ଅନ୍ ଲ୍ୟାଣ୍ଡ ଏଣ୍ଡ ବିଲଡିଂସ୍) ଅନୁସାରେ ରାଜ୍ୟମାନେ ସେମାନଙ୍କ ରାଜ୍ୟରେ ଥିବା ଖଣି, ଖାଦାନ ଉପରେ ଟିକସ ଧାର୍ଯ୍ୟ କରିବା ଅଧିକାର ରଖନ୍ତି । ଏହି ବେଂଚରେ ଥିବା ସୁପ୍ରିମ କୋର୍ଟ ବିଚାରପତି ଜଷ୍ଟିସ ବି.ଭି.ନାଗରତ୍ନମ୍ କେବଳ ଏହି ରାୟକୁ ନେଇ ଅସହମତି ପ୍ରକାଶ କରିଛନ୍ତି । ଜଷ୍ଟିସ ଚନ୍ଦ୍ରଚୂଡ କହିଛନ୍ତି, ସମ୍ବିଧାନର ସପ୍ତମ ଅନୁଚ୍ଛେଦର ୨୪୬ ଧାରର ୪୯ ନମ୍ବର ଏଂଟ୍ରି (ଟ୍ରକ୍ସ ଅନ୍ ଲ୍ୟାଣ୍ଡ ଏଣ୍ଡ ବିଲଡିଂସ୍)ରେ ଯେଉଁ ‘ଜମି’ କଥା କୁହାଯାଇଛି ସେଥିରେ ରାଜ୍ୟରେ ଖଣି, ଖାଦାନ ଥିବା ଜମି ଆସୁଛି । କେନ୍ଦ୍ର ସରକାରଙ୍କ ଏମଏମଡିଆର ଆକ୍ଟରେ ରାଜ୍ୟମାନଙ୍କ ଖଣି ଜମି ଓ ଖାଦାନ ଉପରେ ଥିବା ଅଧିକାରକୁ ସୀମିତ କରାଯାଇପାରିବ ନାହିଁ । ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଖଣି ଖାଦାନ ଲିଜ୍ ବାବଦରେ ଯେଉଁ ରୟାଲିଟି ଆଦାୟ ହେଉଛି ତାହା ଟିକସ ନୁହେଁ । ସରକାର ଖଣି ଖାଦାନ ଲିଜ୍ ଦେବା ସମୟରେ ଦୁଇ ପକ୍ଷ ମଧ୍ୟରେ ଯେଉଁ ଚୁକ୍ତି ହେଉଛି ତାହାକ ଲିଜଧାରୀମାନେ ସରକାରଙ୍କୁ ରୟାଲିଟି ଆକାରରେ ପୈଠ କରୁଛନ୍ତି । ତେଣୁ, ରୟାଲିଟିକୁ ଟିକସ କୁହାଯିବ ନାହିଁ । ବିଭିନ୍ନ ରାଜ୍ୟର ସରକାର, ମାଇନିଂ କଂପାନୀ ଓ ସରକାରୀ ଉଦ୍ୟୋଗଗୁଡିକ ପକ୍ଷରୁ ସୁପ୍ରିମ କୋର୍ଟରେ ହୋଇଥିବା ୮୮ଟି ଆବେଦନ ଉପରେ ବିଚାର କରି ସୁପ୍ରିମ କୋର୍ଟର ନଅ ଜଣିଆ ବେଂଚ ସଂଖ୍ୟାଗରିଷ୍ଠ ମତରେ ଆଜି ଏହି ରାୟ ଦେଇଛନ୍ତି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS