ସପ୍ତାହାନ୍ତ ରାଜନୀତି: ‘ଆଳୁ’ ପାଇଁ ଚିନ୍ତାରେ ଓଡ଼ିଶା ସରକାର !


ପ୍ରସାଦ ରାଓ
ଭୁବନେଶ୍ୱର/୨୭ ଜୁଲାଇ
ରାଜ୍ୟରେ ପ୍ରାୟତଃ ସବୁ ପରିବାରର ଦର ଉଚ୍ଚା ରହିଛି । କୌଣସି ପରିବାରର ଦର ୬୦ ତଳକୁ ନାହିଁ । କିଛି ଦିନ ହେଲା ବାଇଗଣ କିଲୋ ୮୦ରୁ ୧୦୦ ଟଙ୍କା ରହୁଛି । ଅମୃତ ଭଣ୍ଡା, କଖାରୁ କିଲୋ ମଧ୍ୟ ୪୦ ତଳକୁ ଖସୁନି । କଂଚା ଲଂକା କିଲୋ ୧୬୦ ଟଙ୍କା । ବଜାରରେ ଆଳୁ କିଲୋ ୩୦ରୁ ବଢି ୩୫ ଟଙ୍କାରେ ବିକ୍ରି ହେଉଥିଲା । କିଛି ଦିନ ହେଲା ୫୦ରେ ପହଂଚିଛି । ପିଆଜ ମଧ୍ୟ କିଲୋ ୫୦ ଟଙ୍କା । ସାଧାରଣ ଖାଉଟୀ କିଛି କିଣି ନପାରିଲେ ଆଳୁ, ପିଆଜ, କଂଚା ଲଂକାରେ କାମ ଚଳାଇ ନିଅନ୍ତି । ତେବେ, ଆଳୁ ଦର କିଲୋ ୫୦ ଟଙ୍କାରେ ପହଂଚିବା ପରେ ଖାଉଟୀ ତାହା ମଧ୍ୟ କିଣିବାକୁ ସକ୍ଷମ ହେଉ ନାହାନ୍ତି । ଓଡ଼ିଶା ବଜାରରେ ଅଚାନକ ଆଳୁ ଦର ବଢିବାର କାରଣ କୁହାଯାଉଛି – ପଶ୍ଚିମ ବଂଗରୁ ଆଳୁ ଆସୁନି । ତେଣୁ, ଓଡ଼ିଶା ବଜାରରେ ଦଳ ଉଚ୍ଚା ହୋଇଛି । ମମତା ବାନାର୍ଜୀଙ୍କ ସରକାର ଓଡ଼ିଶାକୁ ଆଳୁ ଦେଉ ନାହାନ୍ତି । ଆଳୁ ଭର୍ତ୍ତି ଟ୍ରକ ସବୁ ପଶ୍ଚିମ ବଂଗ-ଓଡ଼ିଶା ସୀମାନ୍ତରେ ଅଟକି ରହିଛି ବା ମମତା ସରକାର ଟ୍ରକ୍ ସବୁକୁ ଫେରାଇ ନେଇଛନ୍ତି । ଚଳିତ ସପ୍ତାହ ପ୍ରାରମ୍ଭରୁ ଆଳୁ ଦରକୁ ନେଇ ରାଜ୍ୟରେ ଉଦ୍ବେଗେ ପ୍ରକାଶ ପାଉଥିବା ବେଳେ ରାଜ୍ୟ ବିଜେପି ସରକାର ଦୁଇ ଦିନ ହେଲା ସକ୍ରୀୟତା ଦେଖାଇଛନ୍ତି । ରାଜ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଭୁବନେଶ୍ୱର, କଟକରେ ଥିବା ଆଳୁ ଗୋଦାମଗୁଡିକୁ ଯାଂଚ କରି ପାଂଚ, ଛଅ ଦିନ ପାଇଁ ଖାଉଟୀଙ୍କ ଆବଶ୍ୟକ ପୂରଣ ପାଇଁ ଆଳୁ ଗଚ୍ଛିତ ଅଛି, ଜନସାଧାରଣ ଆତଙ୍କିତ ହୁଅନ୍ତୁ ନାହିଁ ବୋଲି ଗଣମାଧ୍ୟମ ଜରିଆରେ କହିଛନ୍ତି । ପଶ୍ଚିମ ବଂଗରୁ ଆଳୁ ନ ଆସିବା କାରଣରୁ ରାଜ୍ୟରେ ଯେଉଁ ସଂକଟ ଉପୁଜିଛି ସେଥିରୁ ଆଳୁ ବ୍ୟବସାୟୀମାନେ ଫାଇଦା ଉଠାଇବା ଉଦ୍ୟମ ନକରି ମହଜୁଦ ଥିବା ଆଳୁ ବଜାରକୁ ଛାଡିବାକୁ ଏବଂ ଆଳୁ କିଲୋର କିଣା ଦର ୨୭ ଟଙ୍କା ପଡୁ ଥିବାରୁ ୪/୫ଟଙ୍କା ଲାଭ ରଖି ଖାଉଟୀଙ୍କୁ କିଲୋ ୩୨ ଟଙ୍କାରେ ଯୋଗାଇବାକୁ ମନ୍ତ୍ରୀ ନିର୍ଦେଶ ଦେଇଛନ୍ତି । ଆଳୁ ମହଜୁଦକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ମନ୍ତ୍ରୀଙ୍କ ପକ୍ଷରୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଥିବା କୁହାଯାଉଛି । ମନ୍ତ୍ରୀ ପାତ୍ର ଶୁକ୍ରବାର ଦିନ ଗଣମାଧ୍ୟମକୁ କହିଥିଲେ, ରାଜ୍ୟର ଆଲୁ ସଂକଟକୁ ନେଇ ବିଭାଗୀୟ ପଦସ୍ଥ ଅଧିକାରୀମାନେ ପଶ୍ଚିମ ବଂଗର ସରକାରୀ ଅଧିକାରୀମାନଙ୍କ ସହ ଟେଲିଫୋନରେ ଆଲୋଚନା କରିଛନ୍ତି । ଅତିଶୀଘ୍ର ସମସ୍ୟାର ସମାଧାନ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ଆୟୋଜିତ ନୀତି ଆୟୋଗର ବୈଠକରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାଜୀ ଯୋଗ ଦେଇଛନ୍ତି । ଏହି ସୁଯୋଗରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମାଝୀ ଓ ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭେଟଘାଟ ହୋଇଛି । ଓଡ଼ିଶାକୁ ଆଳୁ ଯୋଗାଣ ବନ୍ଦ ଥିବାରୁ ଉପୁଜି ଥିବା ପରିସ୍ଥିତି ସଂପର୍କରେ ମୁଖ୍ୟମନ୍ତ୍ରୀ ମାଝୀ ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ସୁଶ୍ରୀ ବାନାର୍ଜୀଙ୍କୁ ଅବଗତ କରାଇ ରାଜ୍ୟକୁ ତୁରନ୍ତ ଆଳୁ ଯୋଗାଇ ପାଇଁ ଅନୁରୋଧ କରିଥିବା ସୂଚନା ମିଳିଛି । ରାଜ୍ୟରେ ଆଳୁକୁ ନେଇ ରାଜନୀତି ମଧ୍ୟ ସରଗରମ ହୋଇଛି । ଶୁକ୍ରବାର ବିଧାନସଭା ଅଧିବେଶନରେ ବିରୋଧୀ ଆଳୁ ଦର ୫୦ରେ ପହଂଚି ଥିବା ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଥିଲେ । କେବଳ ଆଳୁ ନୁହେଁ, ରାଜ୍ୟରେ ସବୁ ପନିପରିବା ଦର ଆକାଶଛୁଆଁ ରହିଥିବା ବେଳେ ରାଜ୍ୟ ସରକାର କଂଚା ପରିବାର ଦଳ ଉପରେ ସରକାରଙ୍କ କୌଣସି ନିୟନ୍ତ୍ରଣ ନଥିବା କହି ଖସିବା ଉଦ୍ୟମ କରୁଥିବାରୁ କଡା ସମାଲୋଚନା କରିଥିଲେ । ବର୍ଦ୍ଧିତ ଆଳୁ ଦରକୁ ନିୟନ୍ତ୍ରଣକୁ ଆଣି ଖାଉଟୀଙ୍କୁ ଆଶ୍ୱସ୍ତି ଦେବା ଦିଗରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଆଡୁ ମଧ୍ୟ ଉଦ୍ୟମ ହୋଇଛି । ପଟ୍ଟନାୟକ ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖି ରାଜ୍ୟକୁ ପର୍ଯ୍ୟାପ୍ତ ପରିମାଣର ଆଳୁ ଯୋଗାଇ ଦେବାକୁ ନିବେଦନ କରିଛନ୍ତି । ଏହି ଚିଠିକୁ ରାଜ୍ୟ ବିଜେପି ରାଜନୀତିର ପ୍ରସଙ୍ଗ କରିଛି । ନବୀନ ପଟ୍ଟନାୟକ ଲଗାତର ୨୪ ବର୍ଷ ଧରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ । ତାଙ୍କ ସରକାର ଅମଳରେ ରାଜ୍ୟରେ ‘ଆଳୁ ମିଶନ’ ଆରମ୍ଭ ହୋଇଥିଲା ସିନା ତାହା ସଫଳ ହୋଇନି । ଗତ ୨୪ ବର୍ଷ ମଧ୍ୟରେ ରାଜ୍ୟରେ ଗୋଟିଏ ହେଲେ ନୂଆ ଶୀତଳ ଭଣ୍ଡାର ନିର୍ମାଣ କରାଯାଇ ନାହିଁ । ତେଣୁ, ରାଜ୍ୟରେ କଂଚା ପରିବାରର ଦର ଆକାଶଛୁଆଁ ବୃଦ୍ଧି ପାଇଛି ବୋଲି ରାଜ୍ୟ ବିଜେପି ସରକାର ପାଲଟା ଅଭିଯୋଗ କରିଛନ୍ତି । ‘ସେ କିଏ ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବାକୁ (?)’ ବୋଲି ରାଜ୍ୟ ଯୋଗାଣ ମନ୍ତ୍ରୀ ପାତ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ପଟ୍ଟନାୟକଙ୍କୁ ନେଇ ପ୍ରଶ୍ନ କରିଥିବା ସମ୍ବାଦପତ୍ରରେ ପ୍ରକାଶ ପାଇଛି । ଅବଶ୍ୟ, ଗତ ୨୪ ବର୍ଷର ବିଜେଡ଼ି ସରକାରରେ ‘ଆଳୁ ମିଶନ’ ଭଳି ବହୁ ଏକାଧିକ ମିଶନ ହୋଇଛି, ସେସବୁକୁ ସଫଳତା ମିଳି ନାହିଁ । ଓଡ଼ିଶାରେ ଆଳୁ ଉତ୍ପାଦନ ହେଉଛି ସତ, କିନ୍ତୁ ରାଜ୍ୟବାସୀଙ୍କ ଚାହିଦା ମେଂଟାଇବାକୁ ସକ୍ଷମ ନୁହେଁ । ତେଣୁ, ଓଡ଼ିଶା ଆଳୁ ପାଇଁ ପଶ୍ଚିମ ବଂଗ, ପିଆଜ ପାଇଁ ମହାରାଷ୍ଟ୍ର (ନାସିକ) ଓ ଆନ୍ଧ୍ର ପ୍ରଦେଶ, ଅନ୍ୟାନ୍ୟ କଂଚା ପରିବା ପାଇଁ ପଡୋଶୀ ଛତିଶଗଡରୁ ଆରମ୍ଭ କରି ବେଂଗାଲୁର, ଆନ୍ଧ୍ର ପ୍ରଦେଶ ଉପରେ ନିର୍ଭର କରି ଆସୁଛି । କେବେଳ କଂଚା ପରିବା ନୁହେଁ, କୁକୁଡା ଅଣ୍ଡା ପାଇଁ ମଧ୍ୟ ଓଡ଼ିଶା ଆନ୍ଧ୍ର ଉପରେ ନିର୍ଭର କରୁଛି । ଅଣ୍ଡା ଡଜନ ୮୦ରୁ ୮୪ ଟଙ୍କାରେ ଖୋଲା ବଜାରରେ ବିକ୍ରି ହେଉଥିଲା । ଏବେ ଡଜନ ୯୬ ଟଙ୍କାରେ ପହଂଚିଛି । ମାଛ ପାଇଁ ମଧ୍ୟ ଓଡ଼ିଶା ଆନ୍ଧ୍ର ଉପରେ ନିର୍ଭରଶୀଳ । ସମସ୍ତଙ୍କୁ ଚକିତ କଲା ଭଳି ଖବର ହେଉଛି, ରାଜ୍ୟର ଫୁଲ ବଜାରରେ ବିକ୍ରି ହେଉଥିବା ବିଭିନ୍ନ ପ୍ରକାର ଫୁଲ ମଧ୍ୟ କଲିକତା, ବେଂଗାଲୁରୁ, ଆନ୍ଧ୍ର ପ୍ରଦେଶ ପ୍ରଭୃତି ରାଜ୍ୟରୁ ଆସୁଛି । ଶୀତ ଋତୁରେ ରାଜଧାନୀ ବଜାରକୁ ଆଖପାଖ ଅଂଚଳରୁ ଗେଣ୍ଡୁ ଫୁଲ ଆସୁଥିଲା । କିଲୋ ୧୨୦ରୁ ୧୪୦ ଟଙ୍କା ମଧ୍ୟରେ ବିକ୍ରି ହେଉଥିଲା । କେଲକାତାରୁ ଆସୁଥିବା ଗେଣ୍ଡୁ ଫୁଲ ମାଳ ରାଜଧାନୀର ଫୁଲ ଦୋକାନରେ ୨୦ରୁ ୩୦ ଟଙ୍କାରେ ବିକ୍ରି ହେଉଥିଲା । ଏବେ ସେହି ମାଳର (୪୦ଟି ଫୁଲ ରହୁଛି) ଦାମ ୮୦ ଟଙ୍କା । ଖୁଜୁରା ବେପାରୀ ଗୋଟିଏ ଗେଣ୍ଡୁ ଫୁଲ ୦୨ ଟଙ୍କାରେ କିଣୁଛନ୍ତି । ବିକୁଛନ୍ତି ୧୦ଟଙ୍କାରେ ଛଅଟି ଗେଣ୍ଡୁ । ଏହା ହେଉଛି ଆମ ବଜାର ଅବସ୍ଥା । ଯେତେବେଳେ ପର୍ଯ୍ୟାପ୍ତ ପରିମାଣର କଂଚା ପରିବା ଉତ୍ପାଦନ ହେଉଛି ସେସବୁ ସତେଜ ଭାବେ ଗଚ୍ଛିତ ରଖିବା ପାଇଁ ରାଜ୍ୟରେ ଆବଶ୍ୟକ ସଂଖ୍ୟକ ଶୀତଳ ଭଣ୍ଡାର ନଥିବାରୁ ପଚି ନଷ୍ଟ ହେଉଛି । ପ୍ରାକୃତିକ ଦୁର୍ବିପାକରେ ରାଜ୍ୟରେ କଂଚା ପରିବା ଉତ୍ପାଦନ କ୍ଷତିଗ୍ରସ୍ତ ହେଲେ ବାହାର ରାଜ୍ୟରୁ ଆସୁଥିବା ପରିବା ଉପରେ ରାଜ୍ୟ ନିର୍ଭର କରୁଛି । ଖାଉଟୀ ଅଧିକ ମୂଲ୍ୟ ଦେଇ ପନି ପରିବା କିଣିବାକୁ ବାଧ୍ୟ ହେଉଛନ୍ତି । ପଶ୍ଚିମ ବଂଗ ସରକାର ଆଳୁ ଯୋଗାଣକୁ ରୋକିଲା ଭଳି ଅନ୍ୟ ରାଜ୍ୟରୁ ଆସୁଥିବା ପରିବା ଓ ଅନ୍ୟ ସାମଗ୍ରୀ କୌଣସି କାରଣରୁ ଯଦି ରାଜ୍ୟରେ ପହଂଚି ପାରୁନି ତେବେ ଖାଉଟୀଙ୍କ ମୁଣ୍ଡରେ ଚଡକ ପଡୁଛି । ଏଭଳି ସ୍ଥିତିରେ ରାଜ୍ୟ ସରକାର ଗାଲେଇବା ଛଡା ଆଉ କଣ କରି ପାରିବେ ? କଂଚା ପରିବା ଉପରେ ଆମର କିଛି ନିୟନ୍ତ୍ରଣ ନାହିଁ ବୋଲି ରାଜ୍ୟ ଯୋଗାଇ ମନ୍ତ୍ରୀ ପାତ୍ର ନିକଟରେ ଯାହା କହିଛନ୍ତି ସେଥିରେ କାହାରି ଦ୍ୱିମତ ହେବାର ନାହିଁ । ରାଜ୍ୟର ପ୍ରତି ଜିଲ୍ଲା ଓ ବ୍ଲକରେ ଆବଶ୍ୟକତା ମୁତାବକ ଶୀତଳ ଭଣ୍ଡାର ନିର୍ମାଣ ହେଲେ ସମସ୍ୟାର ସମାଧାନ ହୋଇପାରନ୍ତା । ଅତୀତରେ ନବୀନ ପଟ୍ଟନାୟକ ସରକାର ଏନେଇ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ କିଛି ହେଲାନି । ଏବେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର ପ୍ରତି ଜିଲ୍ଲାରେ ଶୀତଳ ଭଣ୍ଡାର ନିର୍ମାଣ ପ୍ରତିଶ୍ରୁତି ଦେଇଛନ୍ତି । ୨୦୨୯ ପର୍ଯ୍ୟନ୍ତ ରାଜ୍ୟରେ ବିଜେପି ସରକାର ରହିବ । ବିଜେଡ଼ି ଭଳି ବିଜେପିର ପ୍ରତିଶ୍ରୁତି କଥାରେ ସୀମିତ ରହିବ କି ବାସ୍ତବରେ ରାଜ୍ୟରେ କିଛି ପରିବର୍ତ୍ତନ ଆସିବ, ତାହା ଆଗାମୀ ଦିନରେ ଜଣାପଡିବ ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS