ନୀତି ଆୟୋଗ ବୈଠକ: କହିବାକୁ ସମୟ ନପାଇ ମମତା ରାଗି ଗଲେ ?


ପ୍ରସାଦ ରାଓ
ନୂଆଦିଲ୍ଲୀ/୨୭ ଜୁଲାଇ
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଅନୁଷ୍ଠିତ ନୀତି ଆୟୋଗ ବୈଠକକୁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଥିବା ବେଳେ ବିରୋଧୀ ‘ଇଣ୍ଡିଆ’ ମେଂଟର ଏକମାତ୍ର ସଦସ୍ୟ ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ବୈଠକରେ ଯୋଗ ଦେଇଥିଲେ । ସେ ନିଜ ରାଜ୍ୟର ସମାସ୍ୟା କଥା କହିବାକୁ ଆସିଥିଲେ । ତେବେ, ବୈଠକରେ ଉପସ୍ଥିତି ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ କହିବା ପାଇଁ ୧୦ରୁ ୨୦ ମିନିଟ ଲେଖାଏଁ ସମୟ ଦିଆଯାଇଥିବା ବେଳେ ତାଙ୍କୁ ମାତ୍ର ୦୫ ମିନିଟ ଦିଆଯାଇଥିଲା ଏବଂ ସେ କହିବା ବେଳେ ତାଙ୍କ ମାଇକ୍ ଅଫ୍ କରାଯାଇଥିଲା ବୋଲି ମମତା ନିଜେ ଅଭିଯୋଗ କରିବା ସହ ରାଗରେ ବୈଠକ ଛାଡି ପଳାଇ ଆସିଛନ୍ତି । ନିକଟରେ କେନ୍ଦ୍ର ସରକାର ସଂସଦରେ ଉପସ୍ଥାପନ କରିଥିବା ୨୦୨୪-୨୫ ଆର୍ଥିକ ବଜେଟରେ ବିହାର ଓ ଆନ୍ଧ୍ର ପ୍ରଦେଶ ପାଇଁ ଅପର୍ଯ୍ୟାପ୍ତ ପାଣ୍ଠି ଅଜାଡି ଦିଆଯାଇଥିବା ବେଳେ ଅନ୍ୟ ରାଜ୍ୟଙ୍କ ପ୍ରତି ଅବିଚାର କରାଯାଇଛି ବୋଲି ଅଭିଯୋଗ କରି ଅଣ-ବିଜେପି ଶାସିତ ରାଜ୍ୟ ମୁଖ୍ୟମନ୍ତ୍ରୀମାନେ ଆଜିର ନୀତି ଆୟୋଗ ବୈଠକକୁ ବର୍ଜନ କରିବାକୁ ନିଷ୍ପତ୍ତି ନେଇଥିଲେ । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ.ଷ୍ଟାଲିନ, ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରାମାୟା, ତେଲେଂଗାନା ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀ, ପଂଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍,ଝାଡଖଣ୍ଡି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଓ କେରଳ ମୁଖ୍ୟମନ୍ତ୍ରୀ ପିନରାୟ ବିଜୟନ ଆଜିର ନୀତି ଆୟୋଗ ବୈଠକକୁ ବର୍ଜନ କରିଥିବା ବେଳେ ‘ଇଣ୍ଡିଆ’ ମେଂଟର ଏକମାତ୍ର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (ପଶ୍ଚିମ ବଂଗ) ବୈଠକରେ ଯୋଗଦେବାକୁ ଦିଲ୍ଲୀ ଯାଇଥିଲେ । ଆଜିର ବୈଠକ ନୀତି ଆୟୋଗର ନବମ ଗଭର୍ଣ୍ଣିଂ ବଡି ବୈଠକ ଥିଲା । ବିରୋଧୀ ମେଂଟ ପକ୍ଷରୁ ସେ ଏକମାତ୍ର ମୁଖ୍ୟମନ୍ତ୍ରୀ ଆଜିର ବୈଠକରେ ଯୋଗଦେଇଥିବା ବେଳେ ତାଙ୍କୁ କହିବାକୁ ଦିଆଗଲାନି, ଯାହାକି ଅପମାନଜନକ । କେନ୍ଦ୍ରୀୟ ବଜେଟରେ ରାଜ୍ୟମାନଙ୍କ ପ୍ରତି ଯେଭଳି ବୈମାତୃକଭାବ ପ୍ରଦର୍ଶନ କରାଯାଇଛି ତାହା କହିବାକୁ ସେ ଯାଇଥିଲେ ବୋଲି ମମତା ବୈଠକ ଛାଡି ଚାଲି ଆସିବା ପରେ ଗଣମାଧ୍ୟମକୁ କହିଛନ୍ତି । ତେବେ, କେନ୍ଦ୍ର ସରକାର ଏହି ଅଭିଯୋଗକୁ ଅସ୍ୱୀକାର କରିଛନ୍ତି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀଥାରମଣ କହିଛନ୍ତି, ବୈଠକରେ ଯୋଗଦେଇଥିବା ପ୍ରତ୍ୟେକ ମୁଖ୍ୟମନ୍ତ୍ରୀଙ୍କୁ କହିବା ପାଇଁ ନିର୍ଦ୍ଧିଷ୍ଟ ସମୟ ଦିଆଯାଇଥିଲା । ଅନ୍ୟ ମୁଖ୍ୟମନ୍ତ୍ରୀମାନେ ସେମାନଙ୍କୁ ମିଳିଥିବା ସମୟ ଭିତରେ କହିଥିଲେ । ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ମିଳିଥିବା ସମୟଠାରୁ ଅଧିକ ସମୟ କହିବାକୁ ସତର୍କ ସଂକେତ ବାଜି ଥିଲା । ତାଙ୍କ ମାଇକ୍ରୋଫୋନ୍ ଅଫ୍ କରାଯାଇନି । ପିଆଇବି (ପ୍ରେସ୍ ଇନଫର୍ମେସନ୍ ବ୍ୟୁରୋ) ମଧ୍ୟ ‘ଏକ୍ସ’ ପୋଷ୍ଟ କରି ମମତାଙ୍କ ଅଭିଯୋଗ ଅମୂଳକ ବୋଲି କହିଛନ୍ତି । ମମତା କହିବା ସମୟରେ ସେ କେତେ ସମୟ କହିଲେ ତାହା ସେଠାରେ ଥିବା ଘଂଟା ସୂଚିତ କରିଥିଲେ ମଧ୍ୟ ସମୟ ସରି ଗଲା ବୋଲି ଘଂଟି ବାଜି ନଥିବା ପିଆଇବି କହିଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS