ନଅ ରାଜ୍ୟରେ ନୂଆ ରାଜ୍ୟପାଳ ନିଯୁକ୍ତ, ବିବାଦୀୟ ବଦଳିଲେ ନାହିଁ ?


ପ୍ରସାଦ ରାଓ
ନୂଆଦିଲ୍ଲୀ/୨୮ ଜୁଲାଇ
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁୁ ଆଜି ନଅଟି ରାଜ୍ୟରେ କାର୍ଯ୍ୟରତ ରାଜ୍ୟପାଳମାନଙ୍କୁ ପରିବର୍ତ୍ତନ କରି ସେସବୁ ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦେଇଛନ୍ତି । କେନ୍ଦ୍ର ଶାସିତ ପଣ୍ଡିଚେରୀରେ ମଧ୍ୟ ଜଣେ ନୂଆ ଲ୍ୟୁଟିନାଂଟ ଗଭର୍ଣ୍ଣର (ଏଲଜି)ଙ୍କୁ ନିଯୁକ୍ତି ଦିଆଯାଇଛି । ତେବେ, ଅଣ-ବିଜେପି ଶାସିତ ରାଜ୍ୟରେ ବିବାଦୀୟ ଥିବା ରାଜ୍ୟପାଳଙ୍କ ମଧ୍ୟରୁ କେବଳ ପଂଜାବ ରାଜ୍ୟପାଳଙ୍କୁ ହିଁ ପରିବର୍ତ୍ତନ କରାଯାଇଛି । ନୂତନ ରାଜ୍ୟପାଳ ନିଯୁକ୍ତ ହୋଇଥିବା ନଅଟି ରାଜ୍ୟ ହେଉଛି – ରାଜସ୍ଥାନ, ମହାରାଷ୍ଟ୍ର, ତେଲେଂଗାନା, ଝାଡଖଣ୍ଡ, ଛତିଶଗଡ଼, ପଂଜାବ, ମେଘାଳୟ, ସିକ୍କିମ ଓ ଆସାମ । ଆସାମ ପାଇଁ ନିଯୁକ୍ତି ରାଜ୍ୟପାଳଙ୍କୁ ମଣିପୁର ରାଜ୍ୟର ଅତିରିକ୍ତ ଦାୟିତ୍ୱ ଦିଆଯାଇଥିବା ଜଣାପଡିଛି । ରାଷ୍ଟ୍ରପତି ଭବନରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ରାଷ୍ଟ୍ରପତି ମୁର୍ମୁ ରାଜସ୍ଥାନ ରାଜ୍ୟପାଳ ଭାବେ ମହାରାଷ୍ଟ୍ର ବିଧାନସଭାର ପୂର୍ବତନ ବାଚସ୍ପତି ହରିଭାଉ କିଶନରାଓ ବାଗଡେଙ୍କୁ ନିଯୁକ୍ତି ଦେଇଥିବା ବେଳେ ତ୍ରିପୁରାରୁ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ଜିଷ୍ଣୁ ଦେବ ବର୍ମାଙ୍କୁ ତେଲେଂଗାନା, ପୂର୍ବତନ ରାଜ୍ୟସଭା ସାଂସଦ ଓମ୍ ପ୍ରକାଶ ମାଥୁରଙ୍କୁ ସିକ୍କିମ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସନ୍ତୋଷ କୁମାର ଗଂଗୱାରଙ୍କୁ ଝାଡଖଣ୍ଡ, ଆସାମର ପୂର୍ବତନ ଲୋକସଭା ସାଂସଦ ରମେଶ ଡେକାଙ୍କୁ ଛତିଶଗଡ଼, କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ସିଏଚ ବିଜୟଶଙ୍କରଙ୍କୁ ମେଘାଳୟ, ବର୍ତ୍ତମାନ ଝାଡଖଣ୍ଡ ରାଜ୍ୟପାଳ ଥିବା ସି.ପି.ରାଧାକ୍ରିଷ୍ଣନଙ୍କୁ ମହାରାଷ୍ଟ୍ର, ଆସାମ ରାଜ୍ୟପାଳ ଥିବା ଗୁଲାବ ଚାନ୍ଦ କଟାରିଆଙ୍କୁ ପଂଜାବ ରାଜ୍ୟପାଳ ତଥା କେନ୍ଦ୍ର ଶାସିତ ଚଣ୍ଡିଗଡ଼ର ପ୍ରଶାସକ ନିଯୁକ୍ତ କରିଛନ୍ତି । ସେହିଭଳି, ସିକ୍କିମ ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟଙ୍କୁ ଆସାମ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯିବା ସହ ମଣିପୁର ରାଜ୍ୟର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । କେନ୍ଦ୍ର ଶାସିତ ପୁଡୁଚେରୀର ଲ୍ୟୁଟିନାଂଟ ଜେନେରାଲ (ଏଲଜି) ଭାବେ ପୂର୍ବତନ ଆଇଏଏସ୍ ଅଧିକାରୀ କେ.କୈଳାଶନାଥନଙ୍କୁ ନିଯୁକ୍ତି ଦିଆଯାଇଥିବା ଜଣାପଡିଛି । ଅଣ-ବିଜେପି ଶାସିତ ରାଜ୍ୟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତ ରାଜ୍ୟପାଳମାନେ ସଂପୃକ୍ତ ରାଜ୍ୟ ସରକାରଙ୍କ କାର୍ଯ୍ୟରେ ରିତିମତ ବାଦା ଦେଉଥିବା ଅଭିଯୋଗ ହୋଇ ଆସିଛି । ଏଭଳି ବିବାଦୀୟ ହୋଇଥିବା ରାଜ୍ୟପାଳଙ୍କ ମଧ୍ୟରେ ଅଛନ୍ତି – ପଶ୍ଚିମ ବଂଗ ରାଜ୍ୟପାଳ ସି.ଭି.ଆନନ୍ଦ ବୋଷ, କେରଳ ରାଜ୍ୟପାଳ ଅରିଫ ମହମ୍ମଦ ଖାନ, ତାମିଲନାଡୁ ରାଜ୍ୟପାଳ ଆର.ଏନ.ରବି ଓ ପଂଜାବ ରାଜ୍ୟପାଳ ବନୱାରୀଲାଲ ପୁରୋହିତ । ରାଷ୍ଟ୍ରପତି ମୁର୍ମୁୁ କେବଳ ପୁରୋହିତଙ୍କୁ ହଟାଇ ତାଙ୍କ ସ୍ଥାନରେ ଆସାମ ରାଜ୍ୟପାଳ ଗୁଲାବ ଚାନ୍ଦ କଟାରିଆଙ୍କୁ ପଂଜାବ ରାଜ୍ୟପାଳ ଓ ଚଣ୍ଡିଗଡ଼ର ପ୍ରଶାସକ ଭାବେ ନିଯୁକ୍ତି ଦେଇଛନ୍ତି । ଏଠରେ ସୂଚନାଯୋଗ୍ୟ, ଅଣ-ବିଜେପି ଶାସିତ ରାଜ୍ୟରେ ନିଯୁକ୍ତ ରାଜ୍ୟପାଳମାନେ (ସମସ୍ତେ ନୁହନ୍ତି) ରାଜ୍ୟ ସରକାରଙ୍କ ଦ୍ୱାରା ବିଧାନସଭାରେ ଗୃହୀତ କରାଯାଉଥିବା ବିଲ୍ ଗୁଡିକୁ ଅନୁମୋଦନ ଦେବାରେ କାଳବିଳମ୍ବ କରି ବର୍ଷାଧିକ କାଳ ପକାଇ ରଖୁଥିବା ଓ ଏହାଦ୍ୱାରା ସରକାର ସେସବୁକୁ ଆଇନରେ ପରିଣତ କରିପାରୁନଥିବା ଗଲା କିଛି ବର୍ଷ ହେଲା ଅଭିଯୋଗ ହୋଇ ଆସୁଛି । ସଂପୃକ୍ତ ରାଜ୍ୟପାଳମାନେ ରାଜ୍ୟର ହୀତ ଅପେକ୍ଷା କେନ୍ଦ୍ର ସରକାରଙ୍କ ଆଜେଣ୍ଡାକୁ କାର୍ଯ୍ୟକାରୀ କରୁଛନ୍ତି ଓ ରାଜ୍ୟ ସରକାରଙ୍କୁ ଅଡୁଆରେ ପକାଇବାକୁ କୌଣସି ସୁଯୋଗ ହାତଛଡା କରୁନାହାନ୍ତି ବୋଲି ବିରୋଧୀ ଅଭିଯୋଗ କରି ଆସୁଛନ୍ତି । ଏହି ବିବାଦ ଆଉ ରାଜ୍ୟପାଳ-ରାଜ୍ୟ ସରକାର ମଧ୍ୟରେ ସୀମିତ ନାହିଁ, ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ପହଂଚି କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବାରମ୍ବାର ସୁପ୍ରିମ କୋର୍ଟ ହସ୍ତକ୍ଷେପ କରିବା ଓ ସଂପୃକ୍ତ ରାଜ୍ୟପାଳଙ୍କ ଭର୍ଛନା କରିବା ପରେ ମଧ୍ୟ ରାଜ୍ୟପାଳ-ରାଜ୍ୟ ସରକାର ବିବାଦ ଥମିବା ନାଁ ନେଉ ନାହିଁ । ରାଜ୍ୟ ସରକାରମାନେ ସାଧାରଣତଃ ବିଧାନସଭାରେ ଗୃହୀତ କରାଉଥିବା ଗୁରୁତ୍ୱପୂର୍ଣ୍ଣ ବିଲ୍ ସବୁକୁ ଆଇନରେ ପରିଣତ କରିବା ସକାଶେ ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ପଠାଇ ଥା’ନ୍ତି । ଅନୁମୋଦନ ମିଳିବା ପରେ ସେସବୁ ଆଇନରେ ପରିଣତ ହୋଇଥାଏ । କୌଣସି ବିଲ୍ କୁ ନେଇ ଯଦି ରାଜ୍ୟପାଳ ସନ୍ତୁଷ୍ଟ ନଥା’ନ୍ତି ତେବେ ସେ ସଂପୃକ୍ତ ବିଲ୍ ରାଷ୍ଟ୍ରପତିଙ୍କ ବିଚାର ପାଇଁ ପଠାଇ ଦେବା ସମ୍ବିଧାନରେ ବ୍ୟବସ୍ଥା ରହିଛି । କୌଣସି ବିଲ୍ ରାଜ୍ୟପାଳଙ୍କ ଦପ୍ତରରେ ନିର୍ଦ୍ଧାରିତ ସମୟରୁ ଅଧିକ ପଡି ରହିବା ଅସାମ୍ବିଧାନିକ ବୋଲି ସୁପ୍ରିମ କୋର୍ଟ ବାରମ୍ବାର ରାୟ ଦେଉଥିବା ବେଳେ କିଛି ରାଜପାଳ ରାଜ୍ୟ ସରକାର ପଠାଇ ଥିବା ବିଲ୍ ନିଜ ସ୍ତରରେ ଅନୁମୋଦନ ଦେଉ ନାହାନ୍ତି ବା ରାଷ୍ଟ୍ରପତିଙ୍କ ନିକଟକୁ ପଠାଉ ନାହାନ୍ତି । ଅନିର୍ଦ୍ଧିଷ୍ଟ କାଳ ପାଇଁ ବିଲ୍ ଗୁଡିକୁ ରାଜଭବନରେ ପକାଇ ରଖୁଥିବାରୁ ରାଜ୍ୟପାଳ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବିବାଦ ରାଜନୈତିକ ଓ ଆଇନଗତ ବିବାଦରେ ପରିଣତ ହେଉଛି । ଏକ୍ଷେତ୍ରରେ ପଶ୍ଚିମ ବଂଗ, କେରଳ, ତାମିଲନାଡୁ, ପଂଜାବ ରାଜ୍ୟପାଳଙ୍କ କୁଖ୍ୟାତି ରହିଛି । କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ସରକାର ଆସିବା ପରଠାରୁ ରାଜ୍ୟପାଳ-ରାଜ୍ୟ ସରକାର ବିବାଦ ବଢିଛି । ନିକଟରେ, ପଶ୍ଚିମ ବଂଗ ଓ କେରଳ ସରକାରଙ୍କ ଆବେଦନକୁ ବିଚାର କରି ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡଙ୍କ ବେଂଚ୍ କେନ୍ଦ୍ର ସରକାରଙ୍କ ସହ ପଶ୍ଚିମ ବଂଗ ରାଜ୍ୟପାଳ ସି.ଭି.ଆନନ୍ଦ ବୋଷ ଓ କେରଳ ରାଜ୍ୟପାଳ ଅରିଫ ମହମ୍ମଦ ଖାନଙ୍କ ସଚିବାଳୟର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ନୋଟିସ ଜାରି କରିଛନ୍ତି । କେରଳ ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କେ.କେ.ବେଣୁଗୋପାଳ ଜୁଲାଇ ୨୬ ତାରିଖରେ ସୁପ୍ରିମ କୋର୍ଟରେ ହାଜର ହୋଇ ସରକାରଙ୍କ ପକ୍ଷ ରଖିବା ସହ ଆଠ ମାସ ହେଲା ବିଲ୍ ସବୁ ରାଜ୍ୟପାଳଙ୍କ ଦପ୍ତରରେ ପଡି ରହିଥିବା ଅଭିଯୋଗ କରିଥିଲେ । ରାଜ୍ୟପାଳ ନିଜେ ବିଲ୍ କୁ ଅନୁମୋଦନ ଦେଉ ନାହାନ୍ତି ବା ରାଷ୍ଟ୍ରପତିଙ୍କୁ ସୁପାରିଶ କରୁ ନାହାନ୍ତି ବୋଲି ଆଇନଜୀବୀ ବେଣୁଗୋପାଳ ସୁପ୍ରିମ କୋର୍ଟ ବେଂଚଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ‘ଆମେ କେନ୍ଦ୍ର ସରକାର ଓ ରାଜ୍ୟପାଳଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ନୋଟିସ ପଠାଉଛୁ’ ବୋଲି ସୁପ୍ରିମ କୋର୍ଟ ବେଂଚ କହିଥିଲେ । ସେଦିନ ପଶ୍ଚିମ ବଂଗ ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂଘଭି ସୁପ୍ରିମ କୋର୍ଟ ବେଂଚ ନିକଟରେ ରାଜ୍ୟର ପକ୍ଷ ରଖି ପଶ୍ଚିମ ବଂଗ ରାଜ୍ୟପାଳ ମଧ୍ୟ ବିଦାନସଭାରେ ଗୃହୀତ ବିଲ୍ ସବୁକୁ ମାସ ମାସ ଧରି ପକାଇ ରଖିଥିବା ଅଭିଯୋଗ କରିଥିଲେ । ‘ଏହି ପ୍ରସଙ୍ଗରେ ଆମେ ଏକାଠି’ ବୋଲି ସିଂଘଭି କୋର୍ଟକୁ ଜଣାଇବା ପରେ ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡଙ୍କ ବେଂଚ ପଶ୍ଚିମ ବଂଗ ରାଜ୍ୟପାଳ ଓ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟକୁ ନୋଟିସ କରାଯିବ ବୋଲି ତାଙ୍କୁ ଆଶ୍ୱସ୍ତ କରିଥିଲେ । ସୁପ୍ରିମ କୋର୍ଟ ସବୁ ବେଳେ ଏନେଇ ମାମଲା ଶୁଣୁଛନ୍ତି, ରାଜ୍ୟପାଳଙ୍କୁ ତାଗିଦ କରୁଛନ୍ତି, ତାଗିଦ ପରେ ରାଜ୍ୟପାଳମାନେ କିଛି ପେଣ୍ଡିଂ ବିଲ୍ କୁ ଅନୁମୋଦନ ଦେଉଛନ୍ତି ବା ରାଷ୍ଟ୍ରପତିଙ୍କ ନିକଟକୁ ପଠାଇ ଦେଉଛନ୍ତି । ‘ତାହାପରେ ଯେଉଁ କଥାକୁ ସେଇ କଥା’ ବୋଲି ଆଇନଜୀବୀ ସିଂଘଭି ସୁପ୍ରିମ କୋର୍ଟ ବେଂଚ ନିକଟରେ ଅଭିଯୋଗ କରିବା ସହ ତାମିଲନାଡୁ ରାଜ୍ୟପାଳଙ୍କ ଉଦାହରଣ ଦେଇଥିଲେ । ସୁପ୍ରିମ କୋର୍ଟ ବେଂଚ ଅଭିଯୋଗକାରୀ ଦୁଇ ରାଜ୍ୟକୁ ମିଳିତ ପିଟିସନ ଦାଖଲ କରିବାକୁ ସେଦିନ ପରାମର୍ଶ ଦେବା ସହ ପଶ୍ଚିମ ବଂଗ ଓ କେରଳ ସରକାରଙ୍କ ଅଭିଯୋଗ ଉପରେ କେନ୍ଦ୍ର ସରକାର ଓ ସଂପୃକ୍ତ ରାଜ୍ୟପାଳ ଦ୍ୱୟଙ୍କୁ ତିନି ସପ୍ତାହ ମଧ୍ୟରେ ନିଜ ପକ୍ଷ ରଖିବାକୁ ନିର୍ଦେଶ ଦେଇଛନ୍ତି । ଗତ ମାର୍ଚ୍ଚ ମାସରେ କେରଳ ମୁଖ୍ୟମନ୍ତ୍ରୀ ପିନରାୟ ବିଜୟନ ସେଠାକାର ରାଜ୍ୟପାଳ ଅରିଫ ମହମ୍ମଦ ଖାନଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ଯେ ରାଷ୍ଟ୍ରପତିଙ୍କ ସମୀକ୍ଷା ନାଁରେ କେରଳ ରାଜ୍ୟପାଳ ରାଜ୍ୟ ସରକାରଙ୍କ ସାତଟି ବିଲ୍ ଦବାଇ ରଖିଥିବା ‘ଏକପାଖିଆ’ ଓ ସମ୍ବିଧାନର ଧାରା ୧୪ର ଉଲଂଘନ କରୁଛି । କେରଳ ସରକାରଙ୍କ ଚାରିଟି ବିଲ୍ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଡି ରହିଥିବା ମୁଖ୍ୟମନ୍ତ୍ରୀ ବିଜୟନ ଅଭିଯୋଗ କରିବା ସହ ଦୁଇ ବର୍ଷ ହେଲା ସାତଟି ବିଲ୍ ରାଜ୍ୟପାଳଙ୍କ ଦପ୍ତରରେ ପଡି ରହିଛି ବୋଲି ସୁପ୍ରିମ କୋର୍ଟଙ୍କୁ ଜଣାଇଛନ୍ତି । ଗତ ନଭେମ୍ବର ମାସରେ ସୁପ୍ରିମ କୋର୍ଟ କେରଳ ରାଜ୍ୟପାଳଙ୍କୁ ଭର୍ଛନା କରିବା ପରେ ରାଜ୍ୟପାଳ ପେଣ୍ଡିଂ ଆଠଟି ବିଲ୍ ରୁ ଗୋଟିକୁ ଅନୁମୋଦନ ଦେଇଥିବା ବେଳେ ଅନ୍ୟ ସାତଟି ପକାି ରଖିଛନ୍ତି । ସେହିଭଳି, ପଶ୍ଚିମ ବଂଗ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ଚାଲିଥିବା ବିବାଦ ସବୁ ସୀମା ଟପି ଯାଇଛି । ରାଜ୍ୟ ବିଧାନସଭାରେ ଗୃହୀତ ଆଠଟି ବିଲ୍ ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ରାଜଭବନରେ ଦୀର୍ଘ ସମୟ ଧରି ପଡି ରହିଥିବା ପଶ୍ଚିମ ବଂଗ ସରକାର ଅଭିଯୋଗ କରିଛନ୍ତି । ତେବେ, ପଶ୍ଚିମ ବଂଗ ରାଜ୍ୟପାଳ ରାଜ୍ୟ ସରକାରଙ୍କ ଅଭିଯୋଗକୁ ଖଣ୍ଡନ କରି ତାଙ୍କ ଦପ୍ତରକୁ ଆସିଥିବା ଆଠଟି ବିଲ୍ ରୁ ଛଅଟି ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ଯାିଥିବା, ଗୋଟିଏ ବିଲ୍ ବିଚାର ବିଭାଗରେ ବିଚାରାଧୀନ ଥିବା ଓ ଅଷ୍ଟମ ବିଲ୍ କୁ ନେଇ ରାଜ୍ୟ ସରକାରଙ୍କୁ ସ୍ପଷ୍ଟୀକରଣ ମଗା ଯାଇଥିଲେ ମଧ୍ୟ କୌଣସି ଉତ୍ତର ମିଳିନଥିବା ଅଭିଯୋଗ କରିଛନ୍ତି । ଅତୀତରେ, ତାମିଲନାଡୁର ଡିଏମକେ ସରକାର ଓ ପଂଜାବର ଆମ୍ ଆଦମୀ ପାର୍ଟି ସରକାର ଏକାଭଳି ଅଭିଯୋଗ ନେଇ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ରାଜ୍ୟ ସରକାର ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ପଠାଇ ଥିବା ବିଲ୍ ୨୦୨୦ରୁ ରାଜ୍ୟପାଳଙ୍କ ଦପ୍ତରରେ ପଡି ରହିଛି ବୋଲି ତାମିଲନାଡୁର ଡିଏମକେ ସରକାର ସୁପ୍ରିମ କୋର୍ଟରେ ଅଭିଯୋଗ କରିବା ପରେ ସୁପ୍ରିମ କୋର୍ଟ ଗତ ବର୍ଷ ନଭେମ୍ବର ମାସରେ ତାମିଲନାଡୁ ରାଜ୍ୟପାଳ ଆର.ଏନ.ରବିଙ୍କ ଉପରେ ବର୍ଷିଥିଲେ । ‘ତିନି ବର୍ଷ ହେଲା ସେ କଣ କରୁଛନ୍ତି’ ବୋଲି ସୁପ୍ରିମ କୋର୍ଟ ରାଜ୍ୟପାଳ ରବିଙ୍କୁ ପ୍ରଶ୍ନ କରିବା ସହ ଏହା ‘ନିର୍ବାଚିତ ସରକାରଙ୍କ ପ୍ରତି ଅବଜ୍ଞା’ ବୋଲି ଟିପ୍ପଣୀ ଦେଇଥିଲେ । ସୁପ୍ରିମ କୋର୍ଟଙ୍କ ଟିପ୍ପଣୀ ପରେ ତାମିଲନାଡୁ ରାଜ୍ୟପାଳ ରବି ପାକଇ ରଖିଥିବା ୧୦ଟି ଯାକ ବିଲ୍ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇ ଥିଲେ । ପଂଜାବ ରାଜ୍ୟପାଳ ବନୱାରୀଲାଲ ପୁରୋହିତଙ୍କ ବିରୋଧରେ ମଧ୍ୟ ରାଜ୍ୟ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ସରକାର ଏକାଭଳି ଅଭିଯୋଗ କରି ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ରାଜ୍ୟର ‘ଆମ୍ ଆଦମୀ ପାର୍ଟି’ ସରକାର ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ପଠାଇ ଥିବା ଚାରିଟି ବିଲ୍ ଦୀର୍ଘ ସମୟରେ ହେଲା ରାଜ୍ୟପାଳଙ୍କ ଦପ୍ତରରେ ପଡି ରହିଛି ବୋଲି ମାନ୍ ସରକାର ସୁପ୍ରିମ କୋର୍ଟରେ ଅଭିଯୋଗ କରିବାରୁ ରାଜ୍ୟ ସରକାର ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ପଠାଉଥିବା ବିଲ୍ ଅନିର୍ଦ୍ଧିଷ୍ଟକାଳ ପାଇଁ ପକାଇ ରାଜ୍ୟପାଳଙ୍କ ଦପ୍ତରରେ ପଡି ରହିବା ଅସାମ୍ବିଧାନିକ ଏବଂ ଏହା ବୈଧାନିକ ବ୍ୟବସ୍ଥା ଓ ନିର୍ବାଚିତ ସରକାରଙ୍କୁ ଅବଜ୍ଞା କଲା ଭଳି ବୋଲି ସୁପ୍ରିମ କୋର୍ଟ ରାୟ ଦେଇଥିଲେ । ଅଣ-ବିଜେପି ଶାସିତ ରାଜ୍ୟମାନଙ୍କ ପକ୍ଷରୁ ସଂପୃକ୍ତ ରାଜ୍ୟର ରାଜ୍ୟପାଳଙ୍କ ବିରୋଧରେ ବାରମ୍ବାର ଏଭଳି ଅଭିଯୋଗ ହେଉଛି ଏବଂ ସୁପ୍ରିମ କୋର୍ଟ ମଧ୍ୟ ସଂପୃକ୍ତ ରାଜ୍ୟପାଳଙ୍କ କାର୍ଯ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କରିଆସୁଛନ୍ତି । ତେବେ, କେନ୍ଦ୍ର ସରକାର ନିରବଦ୍ରଷ୍ଟା ରହୁଥିବା ରାଜ୍ୟପାଳଙ୍କ ଅସାମ୍ବିଧାନିକ କାର୍ଯ୍ୟକୁ ସହମତି ଦେବା ଭଳି ହୋଇଛି । ରାଷ୍ଟ୍ରପତି କେନ୍ଦ୍ର ସରକାରଙ୍କ ସୁପାରିଶ ଆଧାରରେ ବିଭିନ୍ନ ରାଜ୍ୟରେ ରାଜ୍ୟପାଳ ନିଯୁକ୍ତ କରିଥା’ନ୍ତି । ଆଜି ରାଷ୍ଟ୍ରପତି ନଅଟି ରାଜ୍ୟ ପାଇଁ ନୂଆ ରାଜ୍ୟପାଳ ନିଯୁକ୍ତି ଦେଇଥିବା ବେଳେ ପଂଜାବ ବ୍ୟତୀତ କେରଳ, ତାମିଲନାଡୁ ଓ ପଶ୍ଚିମ ବଂଗରେ ରାଜ୍ୟପାଳ ଅପରିବର୍ତ୍ତିତ ରହିବା ଅନେକଙ୍କୁ ବିସ୍ମିତ କରିଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS