ପ୍ରଧାନ ବିଚାରପତିଙ୍କୁ ଦିଲ୍ଲୀ ଛାତ୍ରଙ୍କ ଚିଠି…


ପ୍ରସାଦ ରାଓ
ନୂଆଦିଲ୍ଲୀ/୨୯ ଜୁଲାଇ
ଦିଲ୍ଲୀର ଜଣେ ଛାତ୍ର ଆଜି ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡଙ୍କୁ ଚିଠି ଲେଖି ଗତ ସପ୍ତାହରେ ପୂର୍ବ ଦିଲ୍ଲୀର ରାଜେନ୍ଦ୍ର ନଗର ଅଂଚଳରେ ଗୋଟିଏ ଆଇଏଏସ୍ କୋଚିଂ ସେଂଟରରେ ଘଟିଥିବା ଅଭାବନୀୟ ଘଟଣା ସଂପର୍କରେ ଦୃଷ୍ଟି ଆକର୍ଷଣ କରିଛନ୍ତି । ସଂପୃକ୍ତ କୋଚିଂ ସେଂଟରର ବେସମେଂଟରେ ଥିବା ଲାଇବ୍ରେରୀରେ ବହୁ ସଂଖ୍ୟାରେ ଛାତ୍ର, ଛାତ୍ରୀ ଉପସ୍ଥିତ ଥିବା ବେଳେ ଅଚାନକ ବର୍ଷା ଓ ନର୍ଦ୍ଦମା ଜଳ ପଶି ଆସି ବନ୍ୟା ପରିସ୍ଥତି ସୃଷ୍ଟି ହୋଇଥିଲା ଓ ତିନି ଜଣ ନିରୀହ ଛାତ୍ର ବନ୍ୟା ଜଳରେ ଭାସି ଯାଇ ମୃତ୍ୟୁବରଣ କରିଛନ୍ତି । ଘଟଣା ପାଇଁ ଯେଉଁମାନେ ଦାୟି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଛାତ୍ର ଜଣକ ପ୍ରଧାନ ବିଚାରପତିଙ୍କୁ ନିବେଦନ କରିଛନ୍ତି । ସେ ଘଟଣା ପାଇଁ ମୁଖ୍ୟତଃ ଦିଲ୍ଲୀ ନଗର ପ୍ରଶାସନକୁ ଦାୟି କରିଥିବା ଜଣାପଡିଛି । ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ଚିଠି ପାଇଥିଲେ ମଧ୍ୟ ଏହାକୁ ପିଟିସନ ଭାବେ ଗ୍ରହଣ କରିବା ନେଇ ତୁରନ୍ତ କୌଣସି କୌଣସି ନିଷ୍ପତ୍ତି ନେଇ ନଥିବା ସୂଚନା ମିଳିଛି । ଦିଲ୍ଲୀ ଛାତ୍ର ଅବିନାଶ ଦୁବେ ପ୍ରଧାନ ବିଚାରପତିଙ୍କ ନିକଟକୁ ଲେଖିଥିବା ଚିଠିରେ ପୂର୍ବ ଦିଲ୍ଲୀର ରାଜେନ୍ଦ୍ର ନଗର, ମୁଖାର୍ଜୀ ନଗର ଭଳି ଅଂଚଳରେ ଜଳ ନିଷ୍କାସନର ଦୁର୍ବଳ ଭିତ୍ତିଭୂମି ଏବଂ ନର୍ଦ୍ଦମାଗୁଡିକର ସଫେଇରେ ଦିଲ୍ଲୀ ମହାନଗର ନିଗମର ଘୋର ଅବହେଳା କାରଣରୁ ସମାନ୍ୟ ବର୍ଷାରେ ମଧ୍ୟ ନଦ୍ଦର୍ମା ଜଳ ରାସ୍ତାଘାଟ ଓ ଘରମାନଙ୍କରେ ପଶି କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି କରୁଛି । ଏହାକୁ ନେଇ ଅଂଚଳବାସୀ ଘୋର ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଅଂଚଳରେ ଥିବା ଶିକ୍ଷାନୁଷ୍ଠାନ ଓ କୋଚିଂ ସେଂଟରରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ଗମ୍ଭୀର ପରିସ୍ଥିତିର ସାମ୍ନା କରୁଛନ୍ତି । ତେଣୁ, ଛାତ୍ରଛାତ୍ରୀଙ୍କ ମୌଳିକ ଅଧିକାର ସୁରକ୍ଷିତ କରାଯିବାକୁ ଅବିନାଶ ପ୍ରଧାନ ବିଚାରପତିଙ୍କୁ ନିବେଦନ କରିଛନ୍ତି । ପୂର୍ବ ଦିଲ୍ଲୀ ରାଜେନ୍ଦ୍ର ନଗରରେ ଥିବା ‘ରାଉ ଆଇଏଏସ୍ କୋଚିଂ ସେଂଟର’ରେ ଗତ ସପ୍ତାହରେ ଘଟିଥିବା ଅଭାବନୀୟ ଘଟଣାକୁ ନେଇ ଏହି ଚିଠି ଲେଖା ଯାଇଛି । ସଂପୃକ୍ତ କୋଚିଂ ସେଂଟରରେ ଥିବା ବେସମେଂଟକୁ ଷ୍ଟୋରେଜ ଭାବେ ବ୍ୟବହାର କରିବାକୁ ଦିଲ୍ଲୀ ମହାନଗର ପ୍ରଶାସନ ଅନୁମତି ଦେଇଥିଲେ ମଧ୍ୟ କୋଚିଂ ସେଂଟର କର୍ତ୍ତୃପକ୍ଷ ତାହାକୁ ଲାଇବ୍ରେରୀ ଭାବେ ବ୍ୟବହାର କରୁଥିଲେ । ଫି’ ବାବଦରେ ଲକ୍ଷାଧିକ ଦେଇ ସଂପୃକ୍ତ କୋଚିଂ ସେଂଟରକୁ ଆଇଏଏସ୍ ଓ ଯୁଜି ପରୀକ୍ଷା କେଚିଂ ପାଇଁ ଯାଉଥିବା ଛାତ୍ରଛାତ୍ରୀମାନେ ଅନ୍ୟ ଉପାୟ ନପାଇ ବେସମେଂଟରେ ଥିବା ଲାଇବ୍ରେରୀକୁ ଅଧିକ ଜ୍ଞାନ ଅର୍ଜନ ପାଇଁ ବ୍ୟବହାର କରୁଥିଲେ । ଛାତ୍ରଛାତ୍ରୀ ବେସମେଂଟରେ ଥିବା ଲାଇବ୍ରେରୀକୁ ଯାଇ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ଅଚାନକ ନର୍ଦ୍ଦମା ଭାଂଗି ଯାଇ ବର୍ଷା ଓ ନର୍ଦ୍ଦମାର ଜଳ ବେସମେଂଟରେ ପ୍ରବେଶ କରିଥିଲା । ଫଳରେ, ଯେଉଁ ବନ୍ୟା ପରିସ୍ଥିତି ସୃଷ୍ଟି ହେଲା ସେଥିରେ ଅନେକ ଛାତ୍ରଛାତ୍ରୀ ଭାସି ଯାଇଥିଲେ । କିଛି ଛାତ୍ର ଛାତ୍ରୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ତିନି ଜଣ ଛାତ୍ରଛାତ୍ରୀଙ୍କ ମୃତ ଦେହ ଉଦ୍ଧାର ହୋଇଛି । ଯାହାକି ଦିଲ୍ଲୀରେ ଶୋକାକୂଳ ବାତାବରଣ ସହ ପ୍ରବଳ ଉତ୍ତେଜନା ସୃଷ୍ଟି କରିଛି । ଏହି ଘଟଣା ପରେ ବିଭିନ୍ନ କୋଚିଂ ସେଂଟରରେ କୋଚିଂ ନେଉଥିବା ଛାତ୍ରଛାତ୍ରୀ, ସେମାନଙ୍କ ଅଭିଭାବକଙ୍କ ସମେତ ବିଭିନ୍ନ ଛାତ୍ର ସଂଗଠନର ସଦସ୍ୟମାନେ ରାସ୍ତାକୁ ଚାଲି ଆସି ଦିଲ୍ଲୀ ସରକାର ଓ ମହାନଗର ନିଗମ ପ୍ରଶାସନ ବିରୋଧରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ଓ ଆନ୍ଦୋଳନ କାର୍ଯ୍ୟକ୍ରମ ଚଳାଇଛନ୍ତି । ଗତକାଲି ବିଜେପି ଛାତ୍ର ସଂଗଠନ ଏବିଭିପି ପକ୍ଷରୁ ଦିଲ୍ଲୀ ମହାନଗର ନିଗମର ମେୟର ସେଲି ଓବରାଇଙ୍କ ବାସଭବନ ସମ୍ମୁଖରେ ବିରାଟ ପ୍ରଦର୍ଶନ କରାଯିବା ସହ ଇସ୍ତଫା ଦାବି କରାଯାଇଥିଲା । ଉତ୍ୟକ୍ତ ଛାତ୍ରମାନେ ସେଲିଙ୍କ ଫଟୋ ଲାଗିଥିବା ଖୁଂଟରେ ଚଢି ତାଙ୍କ ମୁହଁରେ କଳା ବୋଳୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ଅବିନାଶ ତାଙ୍କ ଚିଠିରେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି, ଦିଲ୍ଲୀ ପୌର ନିଗମର ଅବହେଳାରୁ ସାମାନ୍ୟ ବର୍ଷାରେ ପୂର୍ବ ଦିଲ୍ଲୀ ରାଜେନ୍ଦ୍ର ନଗର, ମୁଖାର୍ଜୀ ନଗର ଭଳି ଅଂଚଳ ବର୍ଷା ଓ ନର୍ଦ୍ଦମା ଜଳ ଘେରରେ ରହୁଛି । ଛାତ୍ରଛାତ୍ରୀ ସେହି ବନ୍ୟାଜଳରେ ଆଣ୍ଠୁ ପର୍ଯ୍ୟନ୍ତ ବୁଡି ଯିବା ଆସିବା କରିବାକୁ ବାଧ୍ୟ ହେଉଛନ୍ତି । ନର୍ଦ୍ଦମାଗୁଡିକ ସଫା ହୋଉନଥିବାରୁ ବର୍ଜ୍ୟ ପଦାର୍ଥ ପାଣିରେ ଭାସି ଥାଉଛି । ସେହି ଜଳ ଲୋକଙ୍କ ଘରେ ମଧ୍ୟ ପଶୁଛି ବୋଲି ସେ ଅଭିଯୋଗ କରିଛନ୍ତି । ଏହି ସମସ୍ୟାର ତୁରନ୍ତ ଏକ ସ୍ଥାୟୀ ସମାଧାନ କରାଯିବା ଏବଂ ଜରୁରୀ ସମୟରେ ମେଡିକାଲ ଓ ଏମର୍ଜେନ୍ସୀ ବ୍ୟବସ୍ଥାକୁ ସୁଦୃଢ କରାଯିବାକୁ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦେଶ ଦିଅନ୍ତୁ ବୋଲି ଅବିନାଶ ପ୍ରଧାନ ବିଚାରପତିଙ୍କୁ ଲେଖିଥିବା ଚିଠିରେ ନିବେଦନ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ, ଦିଲ୍ଲୀରେ ଗତ ସପ୍ତାହରେ ବର୍ଷା ଓ ବନ୍ୟାଜନତି କାରଣରୁ ରାଜେନ୍ଦ୍ର ନଗର ଓ ପଟେଲ ନଗରରେ ୟୁପିଏସସି ବା ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଚାରି ଜଣ ନିରୀହ ଛାତ୍ରଙ୍କ ମୃତ୍ୟୁ ଘଟିଛି । ପଟେଲ ନଗରରେ ବର୍ଷା, ପବନରେ ଛିଡି ପଡିଥିବା ଗୋଟିଏ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ନିଲେଶ ରାୟ (୨୬) ନାମକ ଜଣେ ଛାତ୍ରଙ୍କ ବିଦ୍ୟୁତଘାତରେ ମୃତ୍ୟୁ ଘଟିଥିବା ବେଳେ ରାଜେନ୍ଦ୍ର ନଗରରେ ‘ରାଉ ଆଇଏଏସ୍ କୋଚିଂ ସେଂଟର’ ବେସମେଂଟରେ ପ୍ରବେଶ କରିଥିବା ବର୍ଷା ଓ ନର୍ଦ୍ଦମା ଜଳର ବନ୍ୟାରେ ଭାସି ଯାଇ ତାନିଆ ସୋନୀ (୨୫), ଶ୍ରେୟା ଯାଦବ (୨୫) ଓ ନବୀନ ଦେଲଭିନ (୨୮) ମୃତ୍ୟୁବରଣ କରିଛନ୍ତି । ଡ୍ରେନଗୁଡିକ ପୋତି ହୋଇ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି ବୋଲି ଅଂଚଳବାସୀ ଅଭିଯୋଗ କରିଛନ୍ତି । ରାଜେନ୍ଦ୍ର ନଗର ଘଟଣାର ତଦନ୍ତ ଚାଲିଥିବା ବେଳେ ପୁଲିସ ‘ରାଉ ଆଇଏଏସ୍ କୋଚିଂ ସେଂଟର’ର ମାଲିକ ଅଭିଷେକ ଗୁପ୍ତା ଓ ସଂଯୋଜକ ଦେଶପାଲ ସିଂହଙ୍କ ସମେତ ମୋଟ ୦୭ ଜଣଙ୍କୁ ଗିରଫ କରିଛନ୍ତି । ସେମାନଙ୍କ ବିରୋଧରେ ବିଭିନ୍ନ ଗୁରୁତର ଦଫା ଲାଗିଛି । କୋର୍ଟ ସେମାନଙ୍କୁ ୧୪ ଦିନ ପାଇଁ ଜେଲ ହାଜତକୁ ପଠାଇ ଦେଇଛନ୍ତି । ଗତ ସୋମବାର ଦିନ ଏହି କେଚିଂ ସେଂଟର ଉପରେ ବୁଲଡୋଜର ଚାଲିଛି ଓ କୋଠାର କିଛି ଅଂଶ ଭଂଗା ଯାଇଛି । ଦିଲ୍ଲୀ ମୁନସିପାଲ କର୍ପୋରେସନ ୨୦୨୧ ଅଗଷ୍ଟରେ ରାଉ ଆଇଏଏସ୍ କୋଚିଂ ସେଂଟରକୁ ‘ନୋ-ଅବଜେକ୍ସନ’ ସାର୍ଟିଫିକେଟ ଦେଇଛନ୍ତି । ତେବେ, କୋଚିଂ ସେଂଟର ବେସମେଂଟକୁ ପାର୍କିଂ ଓ ଷ୍ଟୋରେଜ ପାଇଁ ବ୍ୟବହାର କରିବାକୁ ଅନୁମତି ଦିଆଯାଇଥିଲା । ଚଳିତ ମାସରେ କୋଚିଂ ସେଂଟର ଦିଲ୍ଲୀ ଅଗ୍ନିଶମ ବିଭାଗରୁ ମଧ୍ୟ ଏକଭଳି ଏକ ଏନଓସି ଆଣିଥିଲା । ଘଟଣା ପରେ ଦୁଇଟି ଯାକ ଏନଓସି ପ୍ରତ୍ୟାହାର କରି ନିଆଯାଇଥିବା ଜଣାପଡିଛି । ଦିଲ୍ଲୀରେ ଘଟିଥିବା ଏହି ଛାତ୍ରମୃତ୍ୟୁ ଘଟଣା ପ୍ରାରମ୍ଭରୁ ରାଜନୈତିକ ମୋଡ ନେଇ ସାରିଛି । ରାଜ୍ୟରେ ଆମ୍ ଆଦମୀ ପାର୍ଟି (ଆପ୍) ସରକାର ଥିବାରୁ ବିଜେପି ରାଜ୍ୟ ସରକାରଙ୍କ ବିରୋଧରେ ମୋର୍ଚ୍ଚା ଖୋଲି ଦେଇଛି । ଦିଲ୍ଲୀ ବିଜେପି ନେତା ଓ କର୍ମୀମାନେ ‘ଆପ୍’ ମୁଖ୍ୟାଳୟ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିିଥିବା ବେଳେ ସଂସଦର ବଜେଟ ଅଧିବେଶନ ଚାଲି ଥିବାରୁ ଲୋକସଭା ଓ ରାଜ୍ୟସଭାରେ ଏହି ପ୍ରସଙ୍ଗ ଉଠିଛି । ମୃତ ଛାତ୍ରଛାତ୍ରୀଙ୍କ ପରିବାରକୁ ଯେତେ କ୍ଷତିପୂରଣ ଦିଆଗଲେ ମଧ୍ୟ ତାହା ଯଥେଷ୍ଟ ହେବନି ବୋଲି କଂଗ୍ରେସ ସାଂସଦ ଶଶି ଥରୁର ଲୋକସଭାରେ କହିଛନ୍ତି । କୋଚିଂ ସେଂଟରଗୁଡିକ ବ୍ୟବସାୟ କେନ୍ଦ୍ରରେ ପରିଣତ ହୋଇଛି, ସମ୍ବାଦପତ୍ର ପୃଷ୍ଠା ଖୋଲିଲେ ପ୍ରଥମ ଦୁଇ ପୃଷ୍ଠାରେ ସେହିମାନଙ୍କ ବିଜ୍ଞାପନ ଭରି ଥାଉଛି ବୋଲି ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକର କଟାକ୍ଷ କରିଛନ୍ତି । ଦିଲ୍ଲୀ ମହିଳା କମିଶନର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲ ମୃତ ଛାତ୍ରଙ୍କ ପରିବାରକୁ କୋଟିଏ ଟଙ୍କା ଲେଖାଏଁ କ୍ଷତିପୂରଣ ଦିଆଯିବାକୁ ଦାବି କରିଛନ୍ତି । ତେବେ, କେବଳ ଦିଲ୍ଲୀ ନୁହେଁ, ସମଗ୍ର ଦେଶରେ ଏପ୍ରକାର ମାଳ ମାଳ କୋଚିଂ ସେଂଟର ଚାଲିଛି । ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ପାଇଁ ଆଡମିଶନ ଋତୁ ଆସିଲେ ଏସବୁ କୋଚିଂ ସେଂଟର ଆଂଚଳିକ ଓ ଜାତୀୟ ସମ୍ବାଦପତ୍ର ଏବଂ ବୈଦ୍ୟୁତିକ ଗଣମାଧ୍ୟମରେ କୋଟି କୋଟି ଟଙ୍କା ମୂଲ୍ୟର ବିଜ୍ଞାପନ ପ୍ରସାରିତ କରି ଅଭିଭାବକମାନଙ୍କୁ ଆକୃଷ୍ଟ କରୁଛନ୍ତି । ସେସବୁ ଶିକ୍ଷାଦାନ କେନ୍ଦ୍ରରେ ଆବଶ୍ୟକ ଭିତ୍ତିଭୂମି ରହିଛି କି ନାହିଁ – ତାହା ଅନୁଧ୍ୟାନ କରିବା ଆଗ୍ରହ କାହାରି ନାହିଁ । ପ୍ରତିଯୋଗିତା ବଜାରରେ ନିଜ ସନ୍ତାନକୁ ଉଚ୍ଚମାନର ଶିକ୍ଷା ଦେବା ଅଭିଭାବକଙ୍କ ଏକମାତ୍ର ଲକ୍ଷ୍ୟ ହୋଇଥିବାରୁ ‘ରାଉ ଆଇଏଏସ୍ କୋଚିଂ ସେଂଟର’ ଭଳି ବ୍ୟବସାୟିକ ଶିକ୍ଷାଦାନ ସଂସ୍ଥାମାନେ ପ୍ରଶାସନ ନିକଟରୁ କୌଣସି ପ୍ରକାର ଏନଓସି ହାସଲ କରି ସେମାନଙ୍କ ବେପାର ଚଳାଇଛନ୍ତି । ରାଜେନ୍ଦ୍ର ନଗର ବା ପଟେଲ ନଗର ଦୁର୍ଘଟଣା ଭଳି କିଛି ବଡ ଘଟଣା ଘଟିଲେ ହିଁ ସରକାର ଓ ପ୍ରଶାସନ ଉତ୍ତରଦାୟୀ ହେବାକୁ ବାଧ୍ୟ ହେଉଛନ୍ତି । ରାଜ୍ୟ ବା କେନ୍ଦ୍ର ସରକାରଙ୍କ ପାଇଁ ଏସବୁ ସମସ୍ୟା ବିଶେଷ ଗୁରୁତ୍ୱ ରଖୁ ନଥିବାରୁ ଅଭିଯୋଗ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେଉ ନାହିଁ । ତେଣୁ, ଅବିନାଶ ଦୁବେ ସିଧା ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖି ନ୍ୟାୟ ମାଗିଛନ୍ତି । ପ୍ରଧାନ ବିଚାରପତି ଏହି ଚିଠିକୁ ଆବେଦନ ଆକାରରେ ଗ୍ରହଣ କରି ରାଜେନ୍ଦ୍ର ନଗର ଘଟଣାରେ ଦୋଷୀଙ୍କ ଦଣ୍ଡିତ କରିବା ସହ ସମଗ୍ର ଦେଶରେ ଛତୁ ଭଳି ଖୋଲୁଥିବା କୋଚିଂ ସେଂଟରଗୁଡିକୁ ନିୟନ୍ତ୍ରଣ କରିବାକୁ ଯଦି ଏକ ଗାଇଡ ଲାଇନ୍ ଜାରି କରନ୍ତେ ତାହାଲେ ଅଭିଭାବକ ଓ ଛାତ୍ରଛାତ୍ରୀ ଉପକୃତ ହୋଇପାରନ୍ତେ ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS