ଚକ୍ରଧରପୁର ଡିଭିଜନରେ ହାୱଡା-ମୁମ୍ବାଇ ମେଲ ଲାଇନଚ୍ୟୁତ, ଦୁଇ ଓଡ଼ିଆ ଯାତ୍ରୀଙ୍କ ମୃତ୍ୟୁ


ପ୍ରସାଦ ରାଓ
୩୦ ଜୁଲାଇ
ଦକ୍ଷିଣ-ପୂର୍ବ ରେଳବାଇ ଚକ୍ରଧରପୁର ଡିଭିଜନ ଅନ୍ତର୍ଗତ ବାରବାମ୍ବୁ ନିକଟରେ ମଂଗଳବାର ଭୋର ପ୍ରାୟ ୩ଟା ୪୫ ମିନିଟରେ ହାୱଡା-ମୁମ୍ବାଇ ମେଲ୍ ଦୁର୍ଘଟଣାଗ୍ରସ୍ତ ହୋଇ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି ଓ ଅନ୍ୟୁନ ୨୦ ଜଣ ଆହତ ହୋଇଥିବା ଖବର ମିଳିଛି । ଜାମସେଦପୁରରୁ ୮୦ କିମି ଦୂରରେ ଝାଡଖଣ୍ଡ ରାଜ୍ୟରେ ହାୱଡା-ମୁମ୍ବାଇ ମେଲ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ମୃତରଣ କରିଥିବା ଯାତ୍ରୀ ଦ୍ୱୟ ଓଡ଼ିଶାର ଏବଂ ସେମାନେ ରାଉରକେଲା ଇସ୍ପାତ ନଗରୀ ବାସିନ୍ଦା । ମୃତ ଜଣକର ନାମ ଅଜିତ କୁମାର ସାମଲ ହୋଇଥିବା ବେଳେ ଅନ୍ୟ ଜଣକର ନାମ ହେଉଛି ଓଟି ଭାସ୍କର ରାଓ । ରାଉରକେଲା ମାଲଗୋଦାମ ଓ ରେଳବାଇ କଲୋନୀରେ ସେମାନଙ୍କ ଘର । ଝାଡଖଣ୍ଡ ରାଜ୍ୟ ଷଢେଇକଳା-ଖରସୁଆଁ ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଛି । ହାୱଡା-ମୁମ୍ବାଇ ମେଲ୍ ଗାଡିର ୧୮ ବଗି ଲାଇନଚ୍ୟୁତ ହୋଇଛି । ଦୁର୍ଘଟଣା ସ୍ଥଳରେ ରେଳବାଇ ଉଦ୍ଧାରକାରୀ ଦଳ ପହଂଚି ଉଦ୍ଧାର ଓ ରିଲିଫ କାର୍ଯ୍ୟ ଚାଲୁ ରଖିଥିବା ଜଣାପଡିଛି । ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣା ପରେ ଦକ୍ଷିଣ-ପୂର୍ବ ରେଳବାଇର ଟାଟାନଗର-ଚକ୍ରଧରପୁର ସେକ୍ସନରେ ରେଳ ଚଳାଚଳ ସଂପୂର୍ଣର୍ ବ୍ୟାହତ ହୋଇଛି । ଏହି ରୁଟ୍ ଦେଇ ଚଳାଚଳ କରୁଥିବା କିଛି ଟ୍ରେନ୍ ବାତିଲ ହୋଇଥିବା ବେଳେ ଆଉ କିଛି ଟ୍ରେନ୍ ବିକଳ୍ପ ରୁଟ୍ ଦେଇ ଚଳାଚଳ କରିଛି । ଆଜିର ରେଳ ଦୁର୍ଘଟଣାକୁ ନେଇ କେନ୍ଦ୍ର ରେଳବାଇ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ କାଠଗଡାକୁ ଟାଣି ଆଣିଛି । ରେଳଯାତ୍ରୀଙ୍କ ସୁରକ୍ଷା ପାଇଁ ‘କବଜ’ ସୁରକ୍ଷା ବ୍ୟବସ୍ଥାକୁ ନେଇ ସେ ବିରୋଧୀଙ୍କ ପ୍ରଶ୍ନବାଣର ସମ୍ମୁଖୀନ ହୋଇଛନ୍ତି । କଂଗ୍ରେସ ସାଧାରଣ ସଂପାଦକ (ଗଣ ଯୋଗଯୋଗ) ଜୟରାମ ରମେଶ ରେଳମନ୍ତ୍ରୀ ବୈଷ୍ଣବଙ୍କୁ ଏକ ‘ବିଫଳ ମନ୍ତ୍ରୀ’ ବୋଲି ‘ଏକ୍ସ’ରେ ପୋଷ୍ଟ୍ କରିବା ସହ ବିଜେପି ସରକାରରେ ଆଉ ଏକ ରେଳ ଦୁର୍ଘଟଣା ଘଟିଥିବା ବେଳେ ରେଳ ମନ୍ତ୍ରୀଙ୍କ ପିଆର ମେସିନ କିନ୍ତୁ ଚାଲୁ ରହିଛି ବୋଲି ରମେଶ ତାଙ୍କ ପୋଷ୍ଟ କହିଛନ୍ତି । ରମେଶ କହିଛନ୍ତି, ୨୦୨୪ ଜୁନ-ଜୁଲାଇରେ ତିନିଟି ରେଳ ଦୁର୍ଘଟଣାରେ ୧୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଆହତ ହୋଇଛନ୍ତି । ରେଳ ମନ୍ତ୍ରୀ ଇସ୍ତଫା ଦେଉ ନାହାନ୍ତି କାହିଁକି (?) ବୋଲି କଂଗ୍ରେସ ଓ ଅନ୍ୟ ବିରୋଧୀ ରାଜନେତା ପ୍ରଶ୍ନ କରିଛନ୍ତି । ଟିଏମସି ମୁଖ୍ୟ ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ମଧ୍ୟ ରେଳ ମନ୍ତ୍ରୀ ବୈଷ୍ଣବଙ୍କୁ କଡା ସମାଲୋଚନା କରିଛନ୍ତି । କଂଗ୍ରେସ ଦଳର ଜାତୀୟ ମୁଖପାତ୍ର ପୱନ ଖେରା ମୋଦୀଙ୍କ ନୂଆ ଭାରତରେ ଲଗାତର ରେଳ ଦୁର୍ଘଟଣା ଘଟୁଥିବା ନେଇ ଏକ ତାଲିକା ଉପସ୍ଥାପନ କରିବା ସହ ରେଳ ମନ୍ତ୍ରୀଙ୍କ ବିରୋଧରେ ମୋଦୀ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହାନ୍ତି କାହିଁକି (?) ବୋଲି ପ୍ରଶ୍ନ କରିଛନ୍ତି । ବୈଷ୍ଣବଙ୍କ ଶାସନରେ ଚଳିତ ଜୁଲାଇ ମାସ ୧୯ ତାରିଖରେ ୟୁପିର ଗୋଣ୍ଡା ନିକଟରେ ଚଣ୍ଡିଗଡ-ଦିବ୍ରୁଗଡ଼ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇ ୪ ଜଣଙ୍କ ମୃତ୍ୟୁ ଘଟିଥିଲା ଓ ୩୧ ଜଣ ଆହତ ହୋଇଥିଲେ । ସେହିଭଳି, ଜୁଲାଇ ୧୯ ତାରିଖରେ ଗୁଜରାଟର ଭଲସାଦ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଥିଲା । ଜୁଲାଇ ୨୦ରେ ୟୁପିର ଆମରୋହା ନିକଟରେ ଏକ ମାଲବାହୀ ଟ୍ରେନର ୧୨ଟି ବଗି ଲାଇନଚ୍ୟୁତ ହୋଇଥିବା ବେଳେ ଜୁଲାଇ ୨୧ରେ ରାଜସ୍ଥାନର ଆଲୱାର ନିକଟରେ ଆଉ ଗୋଟିଏ ମାଲବାହୀ ଟ୍ରେନର ତିନିଟି ବଗି ଲାଇନଚ୍ୟୁତ ହୋଇଥିଲା । ସେଦିନ ପଶ୍ଚିମ ବଂଗର ରନଘାଟ ନିକଟରେ ମଧ୍ୟ ଏକ ମାଲବାହୀ ଟ୍ରେନ ଲାଇନଚୁତ ହୋଇଥିଲା । ଜୁଲାଇ ୨୬ ତାରିଖରେ ଓଡ଼ିଶାର ଭୁବନେଶ୍ୱର ରେଳ ଷ୍ଟେସନ ନିକଟରେ ଏକ ମାଲବାହୀ ଟ୍ରେନର ବଗି ଲାଇନରୁ ତଳକୁ ଖସି ଯାଇଥିଲା । ଏଥିରେ କେହି ମୃତାହତ ହୋଇନଥିଲେ ମଧ୍ୟ ରେଳ ଚଳାଚଳର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଜୁଲାଇ ୨୯ ତାରିଖ ଦିନ ବିହାରର ସମସ୍ତିପୁର ନିକଟରେ ବିହାର ସଂପର୍କ କ୍ରାନ୍ତୀ ଏକ୍ସପ୍ରେସର କିଛି ବଗି ଇଂଜିନରୁ ଅଲଗା ହୋଇଯି ଘଟଣା ଦେଶବ୍ୟାପୀ ଉଦବେଗ ସୃଷ୍ଟି କରିଥିଲା । ଜୁଲାଇ ୩୦ ତାରିଖ, ଅର୍ଥାତ ଆଜି ଝାଡଖଣ୍ଡ ରାଜ୍ୟର ଚକ୍ରଧରପୁର ନିକଟରେ ହାୱଡା-ସିଏସଏମଟି ଏକ୍ସପ୍ରେସର ୧୮ ବଗି ଲାଇନଚ୍ୟୁତ ହୋଇ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି ଓ ୨୦ ରେଳଯାତ୍ରୀ ଆହତ ହୋଇଛନ୍ତି । ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜୀ ଆଜିର ରେଳ ଦୁର୍ଘଟଣାକୁ ନେଇ ଗଭୀର କ୍ଷୋଭ ପକାଶ କରିବା ସହ କେନ୍ଦ୍ର ସରକାରଙ୍କ ଶାସନ କେମିତି ଚାଲିଛି (?) ବୋଲି ପ୍ରଶ୍ନ କରିଛନ୍ତି । ପ୍ରତି ସପ୍ତାହରେ ଦେଶରେ ରେଳ ଦୁର୍ଘଟଣା, ମୃତ୍ୟୁ ଓ ରେଳଯାତ୍ରୀ ଆହତ ହେଉଥିବା ଏକ ‘ବିଭିଷିକା’ ବୋଲି ବର୍ଣ୍ଣନା କରି ଜନତା କେତେଦିନ ଏହାକୁ ବରଦାସ୍ତ କରିବେ ବୋଲି ପ୍ରଶ୍ନ ଉଠାଇଛନ୍ତି । ଏମିତି କୌଣସି ଦିନ ନାହିଁ, ରେଳ ଦୁର୍ଘଟଣାର ଖବର ଆସୁନାହିଁ ବୋଲି ଆରଜେଡି ସାଂସଦ ମନୋଜ ଝା କହିବା ସହ ରେଳଯାତ୍ରୀଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ‘କବଜ’ ସୁରକ୍ଷା ଯୋଜନାର ଅଗ୍ରଗତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ‘କବଚ’ ସରକ୍ଷା ଯୋଜନାକୁ ନେଇ ପୂର୍ବ ବଜେଟରେ ବିସ୍ତୃତ ଆଲୋଚନା ହୋଇଥିବା ବେଳେ ୨୦୨୪-୨୫ ବଜେଟ ଉପସ୍ଥାପନ ସମୟରେ ଏନେଇ କୌଣସି ଆଲୋଚନା ହୋଇନଥିବା ଦର୍ଶାଇ ସରକାର ବୋଧହୁଏ ରେଳ ଦୁର୍ଘଟଣା ବଢୁଥିବା ନେଇ ଉଦବିଗ୍ନ ନୁହନ୍ତି ବୋଲି ଝା କହିଛନ୍ତି । ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ନିଟ୍ ପେପର ଲିକ୍ ପ୍ରସଙ୍ଗ ଉଠାଇ ସରକାର ବୋଧହୁଏ ସବୁ କ୍ଷେତ୍ରରେ ରେକର୍ଡ କରିବାକୁ ଚାହୁଁଛନ୍ତି ବୋଲି ସମାଲୋଚନା କରିଛନ୍ତି । ରେଳଯାତ୍ରୀଙ୍କ ସୁରକ୍ଷା ପାଇଁ ବଡ ବଜେଟ କଥା ସରକାର କହୁଥିବା ବେଳେ ଲଗାତର ରେଳ ଦୁର୍ଘଟଣା ଘଟୁଛି କାହିଁକି (?) ବୋଲି ଅଖିଳେଶ ପ୍ରଶ୍ନ କରିଛନ୍ତି । ମୋଦୀ ସରକାର ରେଳ ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହାନ୍ତି କାହିଁକି (?) ବୋଲି ଶିବସେନା ୟୁବିଟି ନେତା ଆଦିତ୍ୟ ଠାକରେ ପ୍ରଶ୍ନ କରିବା ସହ ମନ୍ତ୍ରୀଙ୍କୁ ନିଜ ମନ୍ତ୍ରଣାଳୟକୁ ସମ୍ଭାଳିବାକୁ ବିଜେପି କହିବା ପରିବର୍ତ୍ତେ ମହାରାଷ୍ଟ୍ର ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ପ୍ରଭାରୀ ନିଯୁକ୍ତ କରି ରାଜନୈତିକ କାର୍ଯ୍ୟରେ ବ୍ୟବହାର କରୁଥିବା ଆଦିତ୍ୟ କରିବା ସହ ତାହାର କଡା ସମାଲୋଚନା କରିଛନ୍ତି । ଗତ ଜୁନ ମାସରେ ପଶ୍ଚିମ ବଂଗର ଦାର୍ଜିଲିଂ ନିକଟରେ କାଂଚନଜଂଗା ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହେବାରୁ ୧୫ରୁ ଅଧିକ ରୋଳଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା ଓ ବହୁ ଯାତ୍ରୀ ଆହତ ହୋଇଥିଲେ । ଓଡ଼ିଶାରୁ ବିଜେପିର ରାଜ୍ୟସଭା ସାଂସଦ ଥିବା ବୈଷ୍ଣବର ପୂର୍ବ କାର୍ଯ୍ୟକାଳ ସମୟରେ ଓଡ଼ିଶାର ବାଲେଶ୍ୱର ଜିଲ୍ଲା ବାହାନଗା ବଜାରରେ ଅତ୍ୟନ୍ତ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟି ପ୍ରାୟ ୩୦୦ ଯାତ୍ରୀଙ୍କ ପ୍ରାଣହାନୀ ହୋଇଥିଲା ଓ ଏକ ହଜାରରୁ ଅଧିକ ରେଳଯାତ୍ରୀ ଆହତ ହୋଇଥିଲେ । ଏହି ଦୁର୍ଘଟଣାର ତଦନ୍ତ କରି ରେଳବାଇ ବୋର୍ଡ ସିଗନାଲିଂ ତୃଟୀକୁ ଦାୟି କରିଥିଲେ । ସିବିଆଇ ଏହାର ତଦନ୍ତ କରି ମନୁଷ୍ୟଗତ ଅବହେଳାକୁ ଦାୟି କରିବା ସହ ସିଗନାଲିଂ ଦାୟିତ୍ୱରେ ଥିବା ତିନି ଜଣ ରେଳବାଇ ଇଂଜିନିୟର, ଟେକସିନିଆନଙ୍କୁ ଗିରଫ କରିଥିଲା । ବାହାନଗା ବଜାର ଷ୍ଟେସନ ମାଷ୍ଟର ମଧ୍ୟ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇଥିଲେ । ଏହା ପରେ ଲଗାତର ରେଳ ଦୁର୍ଘଟଣା ଓ ମୃତ୍ୟୁ ଘଟୁଥିବା ବେଳେ ମୋଦୀ-୩ ସରକାରରେ ବୈଷ୍ଟବଙ୍କୁ ପୁନର୍ବାର ରେଳ ମନ୍ତ୍ରୀ କରାଯାଇଥିବାରୁ ବିରୋଧୀ ସମାଲୋଚନା କରି ଆସୁଛନ୍ତି ଓ ତାଙ୍କ ଇସ୍ତଫା ଦାବି କରୁଛନ୍ତି । ଏଭଳି ସ୍ଥିତିରେ ଆଜି ଝାଡଖଣ୍ଡରେ ଘଟିଥିବା ହାୱଡା-ମୁମ୍ବାଇ ମେଲ୍ ଦୁର୍ଘଟଣା ତାଙ୍କ ସମସ୍ୟା ବଢାଇଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS