ୱାଇନାଡ ଜିଲ୍ଲାରେ ପ୍ରଳୟଂକରୀ ବର୍ଷା, ପାହାଡରୁ ମାଟି ଅତଡା ଧସି ୯୩ ଜଣଙ୍କ ମୃତ୍ୟୁ


ପ୍ରସାଦ ରାଓ
୩୦ ଜୁଲାଇ
କେରଳର ୱାଇନାଡ ଜିଲ୍ଲାରେ ଚାରି ଘଂଟା ଧରି ପ୍ରଳୟଂକରୀ ବର୍ଷାରେ ତାନିଟି ସ୍ଥାନରେ ପାହାଡରୁ ମାଟି ଧସି ଯିବାରୁ ଅନ୍ୟୁନ ୯୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଲୋକ ମାଟି ତାହା ତଳେ ଦବି ରହିଥିବା ଆଶଙ୍କା କରାଯାଉଛି । ମେପାଡି ପାର୍ବତ୍ୟାଂଚଳରେ ଏହି ଘଟଣା ଘଟିଛି । ଏନଡିଆରଏଫ ଟିମ୍ ସମତେ ବିଭିନ୍ନ ଉଦ୍ଧାରକାରୀ ଏଜେନ୍ସୀ ସଂପୃକ୍ତ ଅଂଚଳରେ ପହଂଚି ଉଦ୍ଧାର କାର୍ଯ୍ୟ ଚଳାଇ ଥିବା ଜଣାପଡିଛି । ରାଜ୍ୟର ରାଜସ୍ୱ ମନ୍ତ୍ରୀ ଦେଇଥିବା ସୂଚନା ଅନୁଯାୟୀ, ମେପାଡି ପାର୍ବତ୍ୟାଂଚଳରେ ଘଟିଥିବା ଏହି ଦୁର୍ଘଟଣାରେ ଅନ୍ୟୁନ ୧୧୬ ଜଣ ଆହତ ହୋଇ ଜିଲ୍ଲାର ବିଭିନ୍ନ ଡାକ୍ତରଖାନାକୁ ସ୍ଥାନାନ୍ତରିତ ହୋଇଛନ୍ତି । ରାଜ୍ୟର ମନ୍ତ୍ରୀମାନେ ଉଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳେ କେରଳ ମୁଖ୍ୟମନ୍ତ୍ରୀ ପିନରାୟ ବିଜୟନଙ୍କ ସହ କଥା ହୋଇଛନ୍ତି । କେରଳର ବାମପନ୍ଥୀ ସରକାରଙ୍କୁ ସମସ୍ତ ପ୍ରକାର ସହାୟତ ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ରାଜ୍ୟର ବିଜେପି କର୍ମୀଙ୍କ ଉଦ୍ଧାର କାର୍ଯ୍ୟରେ ସାମିଲ କରିବାକୁ ପ୍ରଧାନମନ୍ତ୍ରୀ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡାଙ୍କୁ ନିର୍ଦେଶ ଦେବା ସହ ରାଜ୍ୟର ଏକମାତ୍ର ବିଜେପି ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ ସୁରେଶ ଗୋପୀଙ୍କ ସହ କଥା ହୋଇଥିବା ଜଣାପଡିଛି । ପାହାଡରୁ ମାଟି ଅତଡା ଖସି ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଦୁଇ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା କରାଯାଇଛି । ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ କ୍ଷତିପୂରଣ ମିଳିବ । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗତ ଲୋକସଭା ନିର୍ବାଚନରେ କେରଳର ୱାଇନାଡ ଓ ୟୁପିର ରାଏବରେଲୀରୁ ଆସନରୁ ନିର୍ବାଚିତ ହେବା ପରେ ୱାଇନାଡରୁ ଇସ୍ତଫା ଦେଇ ରାଏବରେଲୀ ଆସନରୁ ସାଂସଦ ରହିଛନ୍ତି । ଉପ ନିର୍ବାଚନରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ୱାଇନାଡୁରୁ ପ୍ରାର୍ଥୀ ହେଉଥିବା କଂଗ୍ରେସ ଘୋଷଣା କରିସାରିଛି । ଆଜିର ଦୁର୍ଘଟଣା ପରେ ରାହୁଲ ମୃତାହତ ହୋଇଥିବା ବ୍ୟକ୍ତିଙ୍କ ପରିବାରକୁ ‘ଏକ୍ସ’ ପୋଷ୍ଟ୍ ମାଧ୍ୟମରେ ଶୋକ ଜଣାିବା ସହ ମାଟି ତଳେ ଦବି ରହିଥିବା ଲୋକମାନେ ସୁରକ୍ଷିତ ଭାବେ ଉଦ୍ଧାର ହେବେ ବୋଲି ଆଶାବ୍ୟକ୍ତ କରିଛନ୍ତି । ପ୍ରବଳ ବର୍ଷା ଓ ପାହାଡରୁ ମାଟି ଅତଡା ଧସିବାରୁ ମୁଣ୍ଡାକାଇ, ଚୋରାମାଲା, ଆଟ୍ଟାମାଲା ଓ ନୁପୁଲଝା ଅଂଚଳ ବିଶେଷ କ୍ଷତିଗ୍ରସ୍ତ ହୋଇଛି । ବହୁ ରାସ୍ତା ଓ ପୋଲି ଭାସି ଯାଇଛି । ଅନେକ ଅଂଚଳରେ ପହଂଚିବା ଅସମ୍ଭବ ହୋଇପଡିଛି । ସେସବୁ ଅଂଚଳ ସହ ଯୋଗଯୋଗ ସ୍ଥାପନ କରିବାକୁ ପଡିବ । ସରକାର ହେଲିକପ୍ଟର ଆଣିବେ । ତେବେ, ପାଗ ବହୁତ ଖରାପ ରହିଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ବୀଣା ଜର୍ଜ ଗଣମାଧ୍ୟମକୁ କହିଛନ୍ତି । ରାଜ୍ୟର ଆଠଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଚେତାବନୀ ରହିଛି । ପାଣିପାଗ ବିଭାଗ ଏହି ଚେତାବନୀ ଦେଇ ରେଡ୍ ଆଲର୍ଟ ଜାରି କରିଛନ୍ତି । ଜରୁରୀ ସହାୟତା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କଂଟ୍ରୋଲ ରୁମ୍ ଖୋଲିଥିବା ମୁଖ୍ୟମନ୍ତ୍ରୀ କହିବା ସହ କଂଟ୍ରୋଲ ରୁମ୍ ନମ୍ବର ଜାରି କରିଛନ୍ତି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS