ମୃତ୍ୟୁ ଏମିତି ବି ଆସେ…!


ପ୍ରସାଦ ରାଓ
୩୧ ଜୁଲାଇ
ମଂଗଳବାର ଭୋର ସମୟରେ ଘଟିଥିବା ଦୁଇଟି ଦୁର୍ଘଟଣା ହୃଦୟକୁ ଚହଲାଇ ଦେଲା ଭଳି ହୋଇଛି । ଗୋଟିଏ ଘଟଣା ଘଟିଛି ପଡୋଶୀ ଝାଡଖଣ୍ଡ ଜିଲ୍ଲାରେ ଓ ଅନ୍ୟଟି କେରଳରେ । ଝାଡଖଣ୍ଡ ଜିଲ୍ଲାରେ ଘଟିଛି ଏକ ରେଳ ଦୁର୍ଘଟଣା । ସରକାରୀ ଅବହେଳାର ଏକ ଅନ୍ୟନ୍ୟ ନମୂନା କୁହାଯାଇପାରେ । ସେହିଭଳି, କେରଳର ୱାଇନାଡରେ ପ୍ରବଳ ବର୍ଷ ଯୋଗୁଁ ମଂଗଳବାର ଭୋର ସମୟରେ ଏକ ପାର୍ବତ୍ୟାଂଚଳରେ ଏକାଧିକ ମାଟି ଅତଡା ଧସିବା ଘଟଣାରେ ଶତାଧିକ ଲୋକଙ୍କ ମୃତ୍ୟୁ ଘଟିଛି ଓ ବହୁ ଅଂଚ ଭାସି ଯାଇ ନିଶ୍ଚିହ୍ନ ହୋଇଯାଇଛି । ଝାଡଖଣ୍ଡ ରେଳ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି ଓ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଦୁଇ ମୃତକ ହେଉଛନ୍ତି ଓଡ଼ିଶାର ରାଉରକେଲା ସହର ବାସିନ୍ଦା । ସେମାନେ ନିଜ ନିଜ କାମରେ ଟାଟା ନଗର ଯାଇଥିଲେ ଓ ମଂଗଳବାର ଭୋର ସମୟରେ ଟାଟା ନଗର ଷ୍ଟେସନରୁ ହାୱଡା-ମୁମ୍ବାଇ ମେଲ୍ ଧରି ରାଉରକେଲା ଫେରୁଥିଲେ । ଦୁଇ ଯୁବକ ଟ୍ରେନ୍ ଧରିବାର ମାତ୍ର ୨୫ ମିନିଟ ପରେ, ଅର୍ଥାତ ଭୋର ପ୍ରାୟ ୩ଟା୪୩ ମିନିଟରେ ରେଳ ଦୁର୍ଘଟଣା ଘଟିଥିବା ଓ ସେମାନଙ୍କ ମୃତ୍ୟୁ ଘଟିଥିବା ଅଚିନ୍ତନୀୟ କୁହାଯାଇପାରେ । ମିଳିଥିବା ସୂଚନା ଅନୁଯାୟୀ, ଜାମସେଦପୁରରୁ ପ୍ରାୟ ୬୦ କିମି ଦୂର ଷଢେଇକଳା-ଖରସୁଆଁ ଜିଲ୍ଲାର ବାରବାମ୍ବୁ-ରାଜ ଖରସୁଆଁ ରେଳ ଷ୍ଟେସନ ମଧ୍ୟରେ ମୁମ୍ବାଇ ଅଭିମୁଖେ ଯାଉଥିବା ହାୱଡା-ମୁମ୍ବାଇ ମେଲ୍ ଡାଉନ ଲାଇନରେ ଯାଉଥିବା ଏକ ମାଲ ଗାଡିର ଗୋଟିଏ ବଗି ସହ ଧକ୍କା ଖାଇ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ହାୱଡା-ମୁମ୍ବାଇ ମେଲ୍ ର ପେନଟ୍ରି କାର୍ ଓ ପାୱାର କାର୍ ସମତେ ୧୭ଟି ବଗି ଲାଇନଚ୍ୟୁତ ହେବା ଫଳରେ ଗୋଟିଏ ବଗିରେ ଥିବା ଦୁଇ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣା ସମୟରେ ଟ୍ରେନ୍ ରେ ଥିବା ଯାତ୍ରୀମାନେ ନିଜ ନିଜ ବର୍ଥରେ ନିଘୋଡ ନିଦରେ ଶୋଇ ଥିଲେ । ରେଳ ବିଭାଗ ଅଧିକାରୀଙ୍କ କହିବା ଅନୁସାରେ, ମାଲ୍ ଗାଡିରେ ସିମେଂଟ୍ ପ୍ରସ୍ତୁତରେ ବ୍ୟବହୃତ ହେଉଥିବା ପଦାର୍ଥ ବୋଝେଇ ଥିଲା । ଗାଡିଟି ରାଉରକେଲାରୁ ଜାମସେଦପୁର ଅଭିମୁଖେ ଯାଉଥିବା ସମୟରେ ତାହାର ୨୦ତମ ବଗି ରେଳଧାରଣାରୁ ଖସି ପଡିଥିଲେ ମଧ୍ୟ ଟ୍ରେନ୍ ଚାଳକ (ଲୋକା-ପାଇଲଟ୍) ବୋଧହୁଏ ଜାଣିପାରି ନଥିଲେ । ବଗିଟି ଗୋଟିଏ କିମି ପର୍ଯ୍ୟନ୍ତ ଘୋଷାଡି ହୋଇ ଯାଇଥିଲା । ଏହି ସମୟରେ ଅପର ଦିଗରୁ ଆସୁଥିବା (ମୁମ୍ବାଇ ଅଭିମୁଖେ ଯାଉଥିବା) ହାୱଡା-ମୁମ୍ବାଇ ମେଲ୍ ଗାଡିର ଇଂଜିନ ମାଲ୍ ଗାଡିର ରେଳ ଧାରଣାରୁ ଖସି ପଡି ଝୁଲି ରହିଥିବା ବଗିକୁ ଧକ୍କା ଦେଇଥିଲା । ହାୱଡା-ମୁମ୍ବାଇ ଟ୍ରେନ୍ ର ଲୋକୋ-ପାଇଲଟ୍ ବୋଧହୁଏ ଏହା ଜାଣିପାରି ଗାଡିର ଗତ କମାଇବାକୁ ହାଇ-ସ୍ପିଡ୍ ବ୍ରେକ୍ ମାରିଥିଲେ ଓ ଗାଡିର ଗତି ଘଂଟାକୁ ୫୦ କିମି ବେଗକୁ ଆଣିବାକୁ ଚେଷ୍ଟା କରିଥିଲେ । ଫଳରେ, ମେଲ୍ ଟ୍ରେନର ୨୦ ବଗି ଲାଇନଚ୍ୟତ ହୋଇଥିଲା ଅନୁମାନ କରାଯାଉଛି । କେଉଁ ପରିସ୍ଥିତି ଏହି ଦୁର୍ଘଟଣା ଘଟିଲା ତାହାର ତଦନ୍ତ ହେଉଛି ବୋଲି ଜଣେ ବରିଷ୍ଠ ରେଳ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି । ମଂଗଳବାର ଭୋରରେ ଘଟିଥିବା ରେଳ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ରାଉରକେଲା ମାଲଗୋଦାମ ଓ ରେଳବାଇ କଲୋନୀର ଦୁଇ ଯୁବକ ଅଜିତ କୁମାର ସାମଲ (୩୪) ଓ ପି.ବିକାଶ ରାଓ (୨୭) ହେଉଛନ୍ତି ଦୁଇ ବନ୍ଧୁ । ସେମାନେ ଜଣେ ସ୍ଥାନୀୟ ଠିକାଦାରଙ୍କ ଅଧିନରେ କାମ କରୁଥିଲେ । ସୋମବାର ସକାଳେ ସେମାନେ କୌଣସି କାମରେ ଟାଟାନଗର ଯାଇଥିଲେ ଓ ଯୋଜନା ଅନୁସାରେ ମଂଗଳବାର ରାଉରକେଲା ଫେରିବାର ଥିଲା । ତେବେ, ଯେଉଁ ଟ୍ରେନରେ ସେମାନେ ଫେରିବା କଥା ତାହାକୁ ଧରି ନପାରି ରାଉରକେଲା ଫେରିବା ପାଇଁ ହାୱଡା-ମୁମ୍ବାଇ ମେଲ୍ ଧରିଥିଲେ । ଅଜିତ ତାଙ୍କ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ । ତାଙ୍କ ପତ୍ନୀ, ୧୦ ବର୍ଷରୁ କମ୍ ବୟସର ଦୁଇଟି ସନ୍ତାନ ଓ ରୋଗୀଣା ବାପା, ମା’ ଅଛନ୍ତି । ସେହିଭଳି, ବିକାଶ ରାଓ ହେଉଛନ୍ତି ଜଣେ ପୂର୍ବତନ ରେଳ କର୍ମଚାରୀଙ୍କ ପୁଅ । ତାଙ୍କ ପରିବାର କହିଲେ ରୋଗୀଣା ମା’ ଓ ବଡ ଭାଇ ଜୀବିତ ଅଛନ୍ତି । ଅଜିତଙ୍କ ପରିବାର କହିବା ଅନୁସାରେ, ସୋମବାର ଦିନ ପ୍ରାୟ ୨ଟା ସମୟରେ ଅଜିତ ଟାଟାନଗରରୁ ଘରକୁ ଫୋନ କରି ଅସୁସ୍ଥ ପୁଅ କଥା ପଚାରି ବୁଝିଥିଲେ । ବିଳମ୍ବ ରାତିରେ ଫୋନ କରି ଘରକୁ ଫେରିବାକୁ ଟ୍ରେନକୁ ଅପେକ୍ଷା କରିଛନ୍ତି ବୋଲି ଜଣାଇ ଥିଲେ । ପରଦିନ ସକାଳେ (ମଂଗଳବାର) ଅଜିତଙ୍କ ପତ୍ନୀ ପୁଅକୁ ସ୍କୁଲରେ ଛାଡି ଘରକୁ ଫେରିବା ପରେ ଅଜିତଙ୍କ ସାଂଗମାନଙ୍କଠାରୁ ଜାଣିଥିଲେ ରେଳ ଦୁର୍ଘଟଣାରେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ଖବର । ମୃତ ବିକାଶ ରାଓଙ୍କ ମା’ ଜଣେ ହୃଦରୋଗୀ । ବଡଭାଇ ପି.ବିଶାଲ ରାଓ (୩୦) ସାନ ଭାଇ ବିକାଶର ମୃତ୍ୟୁ ଖବର ପାଇ ମା’ଙ୍କୁ କିଛି ନ ଜଣାଇ ମୃତଦେହ ଆଣିବାକୁ ଚକ୍ରଧରପୁର ଚାଲି ଗଲେ । ମା’ଙ୍କୁ ଖବର ଦେଲେ ହୃଦଘାତ ହେବା ଆଶଙ୍କା ଥିବାରୁ ସେ କିଛି ନଜଣାଇ ଚକ୍ରଦରପୁର ଚାଲିଗଲେ ବୋଲି ବିଶାଲ ରାଓ ଗଣମାଧ୍ୟମକୁ କହିଛନ୍ତି । ହାୱଡା-ମୁମ୍ବାଇ ମେଲ୍ ଟ୍ରେନର ଲୋକା-ପାଇଲଟ୍ ଓ ସହକାରୀ ଲୋକୋ-ପାଇଲଟ୍ ଦୁର୍ଘଟଣାରେ ସମାନ୍ୟ ଆହତ ହୋଇଥିବା ବେଳେ ଇଂଜିନର କାଚ ଭାଂଗି ଯାଇଛି । କମିସନ ଅଫ୍ ରେଲୱେ ସେଫ୍ଟି (ସିଆରଏସ) ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଦୁର୍ଘଟଣା ସମୟରେ ଗାଡିର ବେଗ କେତେ ଥିଲା ତଦନ୍ତରୁ ଜଣାପଡିବ ବୋଲି ଦକ୍ଷିଣ-ପୂର୍ବ ରେଳବାଇର ସିପିଆରଓ ଓମ୍ ପ୍ରକାଶ ଚରଣ ଗଣମାଧ୍ୟମକୁ କହିଛନ୍ତି । ୨୦୨୩ ଜୁନ ୦୨ ତାରିଖରେ ଓଡ଼ିଶାର ବାଲେଶ୍ୱର ଜିଲ୍ଲା ବାହାନଗା ବଜାର ରେଳ ଷ୍ଟସନ ନିକଟରେ ଘଟିଥିବା ବଡ ଧରଣର ରେଳ ଦୁର୍ଘଟଣା ପରେ ଦେଶର ବିଭିନ୍ନ ଅଂଚଳରେ ଲଗାତର ଛୋଟ ବଡ ରେଳ ଦୁର୍ଘଟଣା ଘଟୁଥିଲେ ମଧ୍ୟ ରେଳ ବିଭାଗ ଯାତ୍ରୀମାନଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦେଉ ନଥିବା ଚିନ୍ତାର କାରଣ ହୋଇଛି । ବାହାନଗା ବଜାର ରେଳ ଷ୍ଟେସନ ହାୱଡା-ଚେନ୍ନାଇ ମୁଖ୍ୟ ଲାଇନରେ କରମଣ୍ଡଳ ଏକ୍ସପ୍ରେସ୍ ଲୁପ୍ ଲାଇନରେ ସ୍ଥିର ଅବସ୍ଥାରେ ଥିବା ଏକ ମାଲ୍ ଗାଡି ଉପରେ ମାଡି ଯାଇଥିଲା । ଏହି ଦୁର୍ଘଣା ସମୟରେ ବିପରିତ ଦିଗରୁ ଆସୁଥିବା ବେଂଗାଲୁର-ହାୱଡା ଏକ୍ସପ୍ରେସ୍ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା । ତିନିଟି ଟ୍ରେନ୍ ସାମିଲ ଥିବା ୨୦୨୩ ଜୁନ ୦୨ ତାରିଖ ବାହାନଗା ରେଳ ଦୁର୍ଘଟଣାରେ ପ୍ରାୟ ୩୦୦ ଯାତ୍ରୀ ମୃତ୍ୟୁବରଣ କରିଥିଲେ ଏବଂ ୧୨୦୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । କିଛି ମୃତ ଯାତ୍ରୀଙ୍କ ଶବ ଶେଷ ଯାଏଁ ଚିହ୍ନଟ ହୋଇନପାରି ଭୁବନେଶ୍ୱର ମହାନଗର ନିଗମ ପ୍ରଶାସନ ଦ୍ୱାରା ହାଦ ହୋଇଥିଲା । ବାହାନଗା ବଜାର ରେଳ ଦୁର୍ଘଟଣା କେନ୍ଦ୍ର ସରକାର ଓ ରେଳ ବିଭାଗ ପାଇଁ ବଡ ଚେତାବନୀ ହୋଇଥିଲା । ତଥାପି, ରେଳ ମନ୍ତ୍ରଣାଳୟ ସୁଧୁରିନି । ମଂଗଳବାର (ଜୁଲାଇ ୩୦ ତାରିଖ) ଝାଡଖଣ୍ଡରେ ରେଳ ଦୁର୍ଘଟଣାରେ ଦୁଇଟି ମୃତ୍ୟୁ ଘଟିଥିବା ବେଳେ ଉତ୍ତର ପୂର୍ବ କେରଳର ୱାଇନାଡ ଜିଲ୍ଲାରେ ପ୍ରଳୟଂକରି ବର୍ଷା ଯୋଗୁଁ ଏକାଧିକ ମାଟି ଅତଡା ଧସିବା ଘଟଣାରେ ଅନ୍ୟୁନ ୧୦୬ ଜଣଙ୍କ ମୃତ୍ୟୁ ଘଟିଥିବା, ଶତାଧିକ ଆହତ ଉଦ୍ଧାର ହୋଇ ଚିକିତ୍ସାଧିନ ଥିବା ଓ ଶହ ଶହ ଲୋକ ନିଖୋଜ ଥିବା ଘଟଣା ଅତ୍ୟନ୍ତ ହୃଦୟ ବିଦାରକ । ପ୍ରବଳ ବର୍ଷା ଯୋଗୁଁ ପାହାଡରୁ ଏକାଧିକ ସ୍ଥାନରେ ମାଟି ଅତଡା ଖସି ନିମ୍ନ ଭାଗରେ ଥିବା ସହର ଓ ଗ୍ରାମକୁ ସଂପୂର୍ଣ୍ଣ ଭସାଇ ନେଇଛି । ମଂଗଳବାର ଭୋର ୦୨ଟା ସମୟରେ ମୁଣ୍ଡକାଇ ସହରରେ ପ୍ରଥମ ଭୂ-ସ୍ଖଳନ ହୋଇଥିଲା । ଭୋଣ ୪ଟା ୧୦ ସମୟରେ ଦ୍ୱିତୀ ଭୂ-ସ୍ଖଳନ ୩.୫ କିମି ଦୂର ଚୋରାଲାମାଲ୍ଲାରେ ହୋଇଥିଲା । ମଧ୍ୟରାତ୍ରୀରେ ସେଠାକାର ଅଧିବାସୀ ନିଘୋଡ ନିଦରେ ଶୋଇଥିବା ବେଳେ ପ୍ରବଳ ବର୍ଷା କାରଣରୁ ପାହାଡ ଉପରୁ ମାଟି, ପଥର ବର୍ଷା ଜଳ ସହ ତଳକୁ ଗଡି ଆସିଥିଲା । ବହୁ ଗ୍ରାମ ଓ ସହର ମାଟି ଅତଡା ତଳେ ଦବି ନିଶ୍ଚିହ୍ନ ହୋଇଯାଇଛି । ଏହି ଘଟଣାକୁ ନେଇ କେରଳରେ ଦୁଇ ଦିନ ଶୋକ ଦିବସ ପାଳନ ହୋଇଛି । ଭାରତୀୟ ସ୍ଥଳ, ବାୟୁ ଓ ନୌସେନା ଯବାନଙ୍କ ସହ ଏନଡିଆରଏଫ୍, ଏସଡ଼ିଆରଏଫ୍, ପୁଲିସ ଓ ଅଗ୍ନିଶମ ବାହିନୀ କାର୍ମଚାରୀ ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ନିୟୋଜତ୍ ହୋଇଛନ୍ତି । ସବୁଠାରୁ ବଡ ଦୁଃଖଦାୟକ ଘଟଣା ହେଉଛି, କେରଳର ୱାଇନାଡୁରେ ଘଟିଥିବା ଭୂ-ସ୍ଖଳନ ଘଟଣାରେ କେରଳ ବୁଲି ଯାଇଥିବା ଓଡ଼ିଶାର ଦୁଇ ଜଣ ଡାକ୍ତରଙ୍କ ମଧ୍ୟରୁ ଜଣକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ନିଖୋଜ ଅଛନ୍ତି । ସେମାନଙ୍କ ପତ୍ନୀମାନେ ଆହତ ଅବସ୍ଥାରେ ଉଦ୍ଧାର ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ଜଣାପଡିଛି । କଟକ ଚୌଦ୍ୱାର ଚାରବାଟିଆ ହାଉସିଂ ବୋର୍ଡ କଲୋନୀର ଡାକ୍ତର ବିଷ୍ଣୁପ୍ରସାଦ ଚିନରା ପତ୍ନୀ ପ୍ରିୟଦର୍ଶିନୀ ପାଲ୍, ବିଷ୍ଣୁପ୍ରସାଦଙ୍କ ବନ୍ଧୁ ଡାକ୍ତର ସ୍ୱାଧୀନ ପଣ୍ଡା ଓ ସ୍ୱାଧୀନଙ୍କ ପତ୍ନୀ ସ୍ୱୀକୃତି ମହାପାତ୍ରଙ୍କ ସହ ଗତ ୨୬ ତାରିଖ ଦିନ ବେଂଗାଲୁରୁ ବୁଲିବାକୁ ଯାଇଥିଲେ । ସେଠାରୁ ସେମାନେ କେରଳ ଯାଇ ୱାଇନାଡ ସ୍ଥିତ ଲିଲନାର୍ ଭିଲ୍ଲାରେ ରହିଥିଲେ । ସୋମବାର ରାତି ୨ଟାରେ ଭୂ-ସ୍ଖଳନ ଘଟିବା ପରେ ବିଷ୍ଣୁପ୍ରସାଦ ଓ ସ୍ୱାଧୀନଙ୍କ କୌଣସି ଖୋଜଖବର ମିଳୁନଥିଲା । ପ୍ରିୟଦର୍ଶିନୀ ଓ ସ୍ୱୀକୃତି ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇ ସ୍ଥାନୀୟ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ଭୂ-ସ୍ଖଳନ ବିପର୍ଯ୍ୟୟରେ ଡାକ୍ତର ବିଷ୍ଣପ୍ରସାଦ ଚିନରାଙ୍କ ମୃତ୍ୟୁ ଘଟିଛି ଓ ଡାକ୍ତର ସ୍ୱାଧୀନ ପଣ୍ଡା ଏପର୍ଯ୍ୟନ୍ତ ନିଖୋଜ ଅଛନ୍ତି ବୋଲି ଆଜି ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁରେଶ ପୁଜାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ବିଷ୍ଣୁପ୍ରସାଦଙ୍କ ପତ୍ନୀଙ୍କ ଅବସ୍ଥାର ସ୍ଥିର ରହିଛି, ବିଷ୍ଣୁପ୍ରସାଦଙ୍କ ମୃତଦେହ ମିଳିଛି, ତାହା ଓଡ଼ିଶା ଆଣିବା ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ବିଷ୍ଣୁଙ୍କ ପିତା ପ୍ରମୋଦ କୁମାର ଚିନରା କେରଳ ଯାଇଥିବା ପୁଅ, ବୋହୂଙ୍କ ଖୋଜଖବର ନେବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ । ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସ୍ୱୀକୃତିଙ୍କ ଅବସ୍ଥା ମଧ୍ୟ ସ୍ଥିର ଥିବା ଜଣାପଡିଛି । ଓଡ଼ିଶା ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନର କେରଳ ସରକାରଙ୍କ ସହ ଯୋଗଯୋଗରେ ଅଛନ୍ତି । ଆହତ ଅବସ୍ଥାରେ ଚିକତ୍ସାଧୀନ ଥିବା ଦୁଇ ଡାକ୍ତରଙ୍କ ପତ୍ନୀଙ୍କୁ ଓଡ଼ିଶା ଆଣିବା ବ୍ୟବସ୍ଥା କରାଯିବ ବୋଲି ମଧ୍ୟ ମନ୍ତ୍ରୀ କହିଛନ୍ତି । ଡାକ୍ତର ବିଷ୍ଣୁପ୍ରସାଦ ଚିନରା ଭୁବନେଶ୍ୱରର ଏକ ଘରୋଇ ମେଡିକାଲ କଲେଜରେ ମେଡିସିନ ବିଭାଗ ଡାକ୍ତର ଭାବେ କାର୍ଯ୍ୟ କରୁଥିବା ବେଳେ ତାଙ୍କ ପତ୍ନୀ ଟାଂଗୀ ସ୍ଥିତ ଡ୍ରିମ୍ସ ନର୍ସିଂ କଲେଜରେ କାମ କରନ୍ତି । ବେଂଗାଲୁରୁ ଓ କେରଳ ବୁଲିବାକୁ ଯାଇ ଡାକ୍ତର ବିଷ୍ଣପ୍ରସାଦ ଚିନରା ଓ ଡାକ୍ତର ସ୍ୱାଧୀନ ପଣ୍ଡା ନିଜ ନିଜ ପତ୍ନୀଙ୍କ ସହ କେରଳରେ ଘଟିଥିବା ଭୂ-ସ୍ଖଳନର ଶିକାର ହେବା, ବିଷ୍ଣୁପ୍ରସାଦଙ୍କ ମୃତ୍ୟୁ ଘଟିବା ବେଳେ ସ୍ୱାଧୀନ ନିଖୋଜ ଥିବା ଏବଂ ସେମାନଙ୍କ ପତ୍ନୀ ପ୍ରିୟଦର୍ଶିନୀ ଓ ସ୍ୱୀକୃତି ଗୁରୁତର ଅବସ୍ଥାରେ ୱାଇନାଡରେ ଚିକିତ୍ସିତ ହେଉଥିବା ନିଶ୍ଚିତ ଭାବେ ଦୁଃଖଦାୟକ ଘଟଣା । କିଏ ଜାଣିଥିଲା, ଟାଟା ନଗରରୁ ହାୱଡା-ମୁମ୍ବାଇ ମେଲ୍ ରେ ରାଉରକେଲା ଫେରୁଥିବା ଦୁଇ ବନ୍ଧୁ ଟ୍ରେନ ଦୁର୍ଘଟଣାରେ ଏକାଠି ମରିବେ, ସାତ ଦିନିଆ କେରଳ ଟ୍ରିପ୍ ରେ ଯାଇଥିବା ଦୁଇ ଡାକ୍ତର ଦଂପତ୍ତିଙ୍କ ମଧ୍ୟରୁ ଜଣେ ଭୂ-ସ୍ଖଳନରେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଜଣେ ନିଖୋଜ ରହିବେ ଏବଂ ସେମାନଙ୍କ ଧର୍ମପତ୍ନୀ ଦ୍ୱୟ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହେବେ ! ମୃତ୍ୟୁ ବା ଦୁର୍ଘଟଣା କାହା ଭାଗ୍ୟରେ କେତେବେଳେ, କେଉଁ ରୂପରେ ଆସିବ – କହିବା ସମ୍ଭବ ନୁହେଁ । ସବୁ ଭାଗ୍ୟର ଖେଳ କହି ତାହାକୁ ଗ୍ରହଣ କରିନେବା ହିଁ ବୁଦ୍ଧିମତ୍ତା ହେବ ।
ମୁଖ୍ୟ ସଂପାଦକ, ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS