ରାହୁଲ, ପ୍ରିୟଙ୍କାଙ୍କ ପାଇଁ ପରୀକ୍ଷାର ସମୟ…


ପ୍ରସାଦ ରାଓ
୦୧ ଅଗଷ୍ଟ
ସୋମବାର ମଧ୍ୟରାତ୍ରୀରେ କେରଳର ୱାଏନାଡ ଜିଲ୍ଲା ମେପ୍ପାଡି ନିକଟ ପାବ୍ୟତ୍ୟାଂଚଳରେ ପ୍ରଳୟଂକରି ବର୍ଷା ଯୋଗୁଁ ଏକାଧିକ ଭୂ-ସ୍ଖଳନ ଘଟିବା ସହ ପାହାଡ ଉପରୁ ମାଟି, ପଥର ଓ କାଦୁଅ ମିଶା ବନ୍ୟା ଜଳ ଯେଉଁ ବିଭୀଷିକା ସୃଷ୍ଟି କରିଛି ସେଥିରେ ୨୭୭ ମୃତ୍ୟୁ ଘଟିଥିବା ଓ ୨୦୦ରୁ ଅଧିକ ଆହତ ହୋଇଥିବା ଆଜି ସକାଳ ସୁଦ୍ଧା ମିଳିଥିବା ରିପୋର୍ଟରୁ ଜଣାପଡିଛି । କେରଳ ମୁଖ୍ୟମନ୍ତ୍ରୀ ପିନରାୟ ବିଜୟନ ଏହି ବିଭୀଷିକାରେ ୨୪୦ ଜଣ ନିଖୋଜ ଥିବା ସ୍ପଷ୍ଟ କରିଛନ୍ତି । ବିଧ୍ୱସ୍ତ ହୋଇପଡିଥିବା ଅଂଚଳରୁ ୧୫୦୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଆଜି ୱାଏନାଡର ଏହି ବନ୍ୟା-ବିଧ୍ୱସ୍ତ ଅଂଚଳରେ ପହଂଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି । ଦୁହେଁ ବିଭିନ୍ନ ରିଲିଫ କ୍ୟାଂପ୍ ଓ ମେଡିକାଲ କଲେଜକୁ ଯାଇ କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିଛନ୍ତି । ମୁଖ୍ୟମନ୍ତ୍ରୀ ବିଜୟନ ମଧ୍ୟ ଆଜି ୱାଏନାଡରେ ଏକ ସର୍ବଦଳୀୟ ବୈଠକରେ ଅଧ୍ୟକ୍ଷତା କରି ପରିସ୍ଥିତି ସଂପର୍କରେ ପରିସ୍ଥିତି ସଂପର୍କରେ ସୂଚିତ କରିଥିଲେ । ୱାଏନାଡ ସିଭିଲ ଷ୍ଟେସନର ଏପିଜେ ଅବଦୁଲ କଲାମ ମେମୋରିଆଲ ହଲରେ ଏହି ବୈଠକ ହୋଇଥିଲା । ଭୂ-ସ୍ଖଳନ ଓ ପ୍ରଳୟଂକରୀ ବନ୍ୟାରେ ୨୦୦ରୁ ଅଧିକ ଜୀବନ ଯାଇଥିବା ମୁଖ୍ୟମନ୍ତ୍ରୀ ସ୍ୱୀକାର କରିଛନ୍ତି । ସେନା ବାହିନୀ ପକ୍ଷରୁ ମୁଣ୍ଡାକାଇ ନିକଟରେ ଏକ ଅସ୍ଥାୟୀ ପୋଲ (ବେଇଲେ ବ୍ରିଜ୍) ନିର୍ମାଣ କରାଯିବା ପରେ ବନ୍ୟା ବିଧ୍ୱସ୍ତ ଅଂଚଳରେ ଉଦ୍ଧାର କାର୍ଯ୍ୟ ପାଇଁ ମେସିନାରୀ ପହଂଚାଇବା, ଉଦ୍ଧାର ଓ ରିଲିଫ କାର୍ଯ୍ୟ କରିବା ସୁଗମ ହୋଇଥିବା ଜଣାପଡିଛି । ୱଏନାଡରେ ୪୫ଟି ରିଲିଫ କ୍ୟାଂପ୍ ଖୋଲା ଯାଇ ୩୦୦୦ରୁ ଅଧିକ ବାସଚ୍ୟୁତ ଲୋକଙ୍କୁ ସେଠାରେ ଆଶ୍ରା ଦିଆଯାଇଥିବା ଜଣାପଡିଛି । ପର୍ବତ ଉପରୁ ବୋହି ଆସିଥିବା ଚେଲିୟାର ନଦୀ ପ୍ରଳୟ ସୃଷ୍ଟିକାରୀ ବର୍ଷା ଓ ଏକାଧିକ ଭୂ-ସ୍ଖଳନ ଯୋଗୁଁ ତାହାର ଗତିପଥ ବଦଳାଇଛି । ବନ୍ୟା ବିଭୀଷିକା ଯୋଗୁଁ ଯେଉଁମାନେ ଭାସି ଯାଇ ମୃତ୍ୟୁବରଣ କରିଛନ୍ତି ସେମାନଙ୍କ ଶବ ଦୂରାଦୂରାନ୍ତରୁ ମିଳୁଛି । ଗୋଟିଏ ଗ୍ରାମରୁ ଅଧିକାଂଶ ଶବ ମିଳିଥିବା ବେଳେ ଭୂ-ସ୍ଖଳନ ଓ ବନ୍ୟା ବିଭୀଷିକାର ପ୍ରଥମ ଶିକାର ହୋଇଥିବା ଗ୍ରାମକୁ ସଂଯୋଗ କରୁଥିବା ପୋଲ ଭାସି ଯାଇଥିବାରୁ ଉଦ୍ଧାରକାରୀ ଦଳ ସେଠାରେ ପହଂଚିବାକୁ ସକ୍ଷମ ହୋଇନାହାନ୍ତି । ସେନା ବାହିନୀ ପକ୍ଷରୁ ମେକ୍-ସିଫ୍ଟ୍ ପୋଲ ନିର୍ମାଣ ହୋଇଥିବାରୁ ସେହି ଗ୍ରାମରେ ପହଂଚିବା ରାସ୍ତା ଖୋଲିଛି । ସେଠାରେ ପହଂଚିବା ପରେ ଅଧିକ କ୍ଷୟକ୍ଷତିର ଆକଳନ କରିବା ସମ୍ଭବ ହେବ ବୋଲି କେରଳ ରାଜ୍ୟପାଳ ଅରିଫ ମହମ୍ମଦ ଖାନ ଆଜି ସକାଳେ ଗଣମାଧ୍ୟମକୁ କହିଛନ୍ତି । କେରଳର ପାର୍ବତ୍ୟାଂଚଳରେ ପ୍ରବଳ ବର୍ଷା ଲାଗି ରହି ଥିବାରୁ ଏଭଳି ବିପଦ ଘଟିବା ନେଇ କେନ୍ଦ୍ର ସରକାର ଆଗୁଆ ଆଶଙ୍କା ବ୍ୟକ୍ତ କରିଥିଲେ ଏବଂ ସପ୍ତାହକ ପୂର୍ବରୁ କେରଳ ସରକାରଙ୍କୁ ସୂଚିତ କରିଥିଲେ । ତେବେ, କେରଳ ସରକାର ଏହାକୁ ଗୁରୁତ୍ୱ ନ ଦେବାରୁ ଭୂ-ସ୍ଖଳନରେ ଏତେ ସଂଖ୍ୟକ ମୃତ୍ୟୁ ଓ କ୍ଷୟକ୍ଷତି ଘଟିଛି ବୋଲି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଗତକାଲି ସଂସଦରେ ବିବୃତି ରଖିବା ପରେ ରାଜନୈତିକ ବିବାଦ ଆରମ୍ଭ ହୋଇଛି । କେରଳ ମୁଖ୍ୟମନ୍ତ୍ରୀ ବିଜୟନଙ୍କ ବାମପନ୍ଥୀ-ଗଣତାନ୍ତ୍ରିକ ମେଂଟ ସରକାର କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ବୟାନରେ କ୍ଷୋଭ ପ୍ରକାଶ କରି ସଂକଟ ସମୟରେ କେନ୍ଦ୍ର ସରକାର ନିଜ ହାତ ଝାଡି ଦେବାକୁ ଏଭଳି ବୟାନବାଜୀ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି । ମଂଗଳବାର ଭୋରରୁ କେରଳର ୱାଏନାଡ ଜିଲ୍ଲାରେ ଭୂ-ସ୍ଖଳନ ଜନିତ ବିଭୀଷିକା ଆରମ୍ଭ ହୋିଥିବା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ଭଉଣୀ ପ୍ରିୟଙ୍କା ଗାନ୍ଧୀଙ୍କ ସହ ୱାଏନାଡରେ ପହଂଚି ପରିସ୍ଥିତି ଅନୁଧ୍ୟାନ କରୁଛନ୍ତି । ରାହୁଲ ଲୋକସଭାରେ ବିରୋଧୀ ଦଳ ନେତା ଅଛନ୍ତି ଓ ବିରୋଧୀ ‘ଇଣ୍ଡି’ ମେଂଟର ମଧ୍ୟ ନେତୃତ୍ୱ ନେଉଛନ୍ତି । ଗତକାଲି ସେ ଲୋକସଭାରେ ୱାଏନାଡ ବିଭୀଷିକା ଉପରେ ଆଲୋଚନା କରିଥିଲେ ଏବଂ କେନ୍ଦ୍ର ସରକାର କେରଳ ସରକାରଙ୍କୁ ସବୁ ପ୍ରକାର ସହାୟତା ଯୋଗାଇ ଦେବାକୁ ନିବେଦନ କରିଥିଲେ । ରାହୁଲଙ୍କ ପାଇଁ କେରଳର ୱାଏନାଡ ଲୋକସଭା ନିର୍ବାଚନ ମଣ୍ଡଳୀ ଏଇଥିପାଇଁ ଗୁରୁତ୍ୱପୂର୍ଣ୍ଣ କି ୨୦୧୯ ଲୋକସଭା ନିର୍ବାଚନରେ ସେ ୟୁପିର ଆମେଥୀ ଲୋକସଭା ଆସନରୁ ହାରିଥିଲେ ମଧ୍ୟ ୱାଏନାଡ ଆସନରୁ ଜିତି ସାଂସଦ ପଦ ବଜାୟ ରଖିଥିଲେ । ପୂର୍ବରୁ ସେ ୨୦ ବର୍ଷ ଧରି ସେ ଆମେଥୀରୁ ସାଂସଦ ରହିଥିଲେ । ୨୦୨୪ ଲୋକସଭା ନିର୍ବାଚନରେ ରାହୁଲ ଗାନ୍ଧୀ ୟୁପିର ରାଏବରେଲୀ ଓ କେରଳର ୱାଏନାଡ ଆସନରୁ ନିର୍ବାଚନ ଲଢି ଦୁଇଟି ଯାକ ଆସନରୁ ବିଜୟୀ ହେବା ପରେ ରାଏବରେଲୀରୁ ସାଂସଦ ରହି ୱାଏନାଡ ଆସନ ଛାଡିଛନ୍ତି । କେରଳର ଏହି ଆସନ ପାଉଁ ଉପ ନିର୍ବାଚନ ହେଲେ କଂଗ୍ରେସ ରାହୁଲଙ୍କ ଭଉଣୀ ତଥା ଏଆଇସିସି ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ସେଠାରୁ ପ୍ରାର୍ଥୀ କରିବ ବୋଲି ଘୋଷଣା କରିସାରିଛି । ଏଭଳି ସ୍ଥିତିରେ ୱାଏନାଡ ଜିଲ୍ଲାରେ ମଂଗଳବାର ଭୋରରେ ଘଟିଥିବା ପ୍ରାକୃତିକ ବିଭୀଷିକାର ପରିଚାଳନା କଂଗ୍ରେସ ପାଇଁ ବେଶ୍ ଗୁରୁତ୍ୱ ରଖୁଛି । ୨୦୨୪ ନିର୍ବାଚନରେ ବାମ ଦଳମାନେ ‘ଇଣ୍ଡି’ ମେଂଟ ଅନ୍ତର୍ଭୁକ୍ତ ଥିଲେ ମଧ୍ୟ କେରଳରେ ବାମପନ୍ଥୀ-ଗଣତାନ୍ତ୍ରିକ ମେଂଟ ସରକାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ସିପିଆଇଏମ୍ ର ଆନି ରାଜାଙ୍କୁ ଦଳର ପ୍ରାର୍ଥୀ କରିଥିଲେ । ତେବେ, ଆନିଙ୍କ ପରାଜୟ ଘଟିଥିଲା । ଉପ ନିର୍ବାଚନରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ୱାଏନାଡ ଆସନରୁ କଂଗ୍ରେସ ପ୍ରାର୍ଥୀ ହେଲେ ତାଙ୍କ ପାଇଁ ଟିଏମସି ମୁଖ୍ୟ ତଥା ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାଜୀ ପ୍ରଚାର କରିବାକୁ ଯିବେ ବୋଲି ଘୋଷଣା କରିଥିବା ବେଳେ ବିଜେପି ପ୍ରିୟଙ୍କାଙ୍କ ବିରୋଧରେ ପ୍ରଚାର କରିବ ବୋଲି କହିଛି । ସିପିଆଇଏମ୍ ପୁନର୍ବାର ଆନି ରାଜାଙ୍କୁ ପ୍ରାର୍ଥୀ କରିପାରେ । ୱାଏନାଡ ରାଜନୀତି ଏଭଳି ଏକ ମୋଡରେ ଥିବା ବେଳେ ସୋମବାର ମଧ୍ୟରାତ୍ରୀରେ ଏହି ଜିଲ୍ଲାରେ ଘଟିଥିବା ପ୍ରାକୃତିକ ବିଭୀଷିକାକୁ ନେଇ ରାଜନୀତି ମଧ୍ୟ ଦୌଡିବା ଆରମ୍ଭ କରିଛି । ଗଲା ପାଂଚ ବର୍ଷ ଧରି ୱାଏନାଡବାସୀ ରାହୁଲ ଗାନ୍ଧୀଙ୍କୁ ବେଶ୍ ଭଲ ପାଇବା ଦେଇଥିଲେ । ତେବେ, ରାହୁଲ ସେଠାରୁ ଜିତିବା ପରେ ମଧ୍ୟ ମା’ଙ୍କ ରାଏବରେଲୀ ଆସନକୁ ରଖି ୱାଏନାଡରୁ ଇସ୍ତଫା ଦେବା ସେମାନଙ୍କୁ ଦୁଃଖି କରିଛି । ତଥାପି, ପ୍ରିୟଙ୍କା ଗାନ୍ଧୀ ପ୍ରାର୍ଥୀ ହୋଇ ଉପ ନିର୍ବାଚନ ଜିତିଲେ ଗାନ୍ଧୀ ପରିବାର ୱାଏନାଡ ସହିତ ରହିବେ ବୋଲି ସେମାନେ ଆଶା ବାନ୍ଧିଛନ୍ତି । ତେଣୁ, ବିପର୍ଯ୍ୟୟ ସମୟରେ ରାହୁଲ ଓ ପ୍ରିୟଙ୍କା ସେମାନଙ୍କ ନିକଟରେ ପହଂଚି ସହାୟତାର ହାତ ବଢାଇବା ବେଶ୍ ଗୁରୁତ୍ୱ ରଖୁଛି । ଗାନ୍ଧୀ ପରିବାର ଦାୟଦଙ୍କ ପାଇଁ ଏହା ହେଉଛି ପରୀକ୍ଷାର ସମୟ, ଏଥିରୁ ଉତ୍ତୀର୍ଣ୍ଣ ହେବା ଉପରେ ସେମାନଙ୍କ ଭାଗ୍ୟ ନିର୍ଭର କରୁଛି ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS