ଓଡ଼ିଶା ରାଜନୀତିରେ ଭଷ୍ମାସୁରମାନେ…


ପ୍ରସାଦ ରାଓ
ଭୁବନେଶ୍ୱର/୦୨ ଅଗଷ୍ଟ
ପୁରାଣ କଥାରେ ଆମେ ଭଷ୍ମାସୁର ବିଷୟ ଶୁଣିଛେ । ଘୋର ତପସ୍ୟା କରି ଜଣେ ରାକ୍ଷସ ଭଗବାନ ଶିବଙ୍କ ବରପ୍ରାପ୍ତ ହୋଇଥିଲା । ସେ ଯାହା ମୁଣ୍ଡରେ ହାତ ଥୋଇ ଦେବ ତତ୍କ୍ଷଣାତ ସେ ଭଷ୍ମ ହୋଇଯିବେ ବୋଲି ଭାଗବାନ ଶିବ ବରଦାନ କରିଥିଲେ । ଏହି ବର କାମ କରୁଛି କି ନାହିଁ ଜାଣିବାସକାଶେ ରାକ୍ଷଣ ଜଣକ ତାହା ପ୍ରଥମେ ଭଗବାନ ଶିବଙ୍କ କ୍ଷେତ୍ରରେ ପରୀକ୍ଷା କରିବାକୁ ଗୋଡାଇ ଥିଲା । ତେବେ, ଶିବ ଭଗବାନ ବିଷ୍ଣୁଙ୍କ ଶରଣାପନ୍ନ ହୋଇ ରାକ୍ଷସ କବଳୁ ମୁକ୍ତି ପାଇଥିଲେ । ଭଗବାନ ବିଷ୍ଣୁ ଏଭଳି ଏକ ପରିସ୍ଥିତି ସୃଷ୍ଟି କରିଥିଲେ ଯେ ରାକ୍ଷସ ନଜକ ନିଜ ମୁଣ୍ଡରେ ହାତ ରଖି ଭଷ୍ମ ହୋଇଯାଇଥିଲା । ଏହି ପୁରାଣ କଥା ଏବେ ଭାରତୀୟ ରାଜନୀତିରେ ବହୁଳ ଭାବେ ଦେଖିବାକୁ ମିଳୁଛି । ନେତାମାନେ ଗୋଟିଏ ରାଜନୈତିକ ଦଳରୁ କାର୍ଯ୍ୟ ଆରମ୍ଭ କରି ପ୍ରତିଷ୍ଠା ଅର୍ଜନ କରିବା ପରେ ଅନ୍ୟ ଦଳର ପ୍ରଲୋଭନର ଶିକାର ହେଉଛନ୍ତି ଓ ସେମାନଙ୍କୁ ସମସ୍ତ ସୁଖ, ସୁବିଧା ଓ ସୁଯୋଗ ଦେଇ ନେତା କରିଥିବା ନାୟକଙ୍କୁ ଭଷ୍ମ କରିବାକୁ କାଣିଚାଏ ମଧ୍ୟ କୁଂଠାବୋଧ କରୁନାହାନ୍ତି । ୨୦୨୪ ନିର୍ବାଚନରେ ଓଡ଼ିଶାରେ ଏଭଳି ଅନେକ ନେତାଙ୍କୁ ଦେଖିବାକୁ ମିଳିଛି । ଭିନ୍ନ ଭିନ୍ନ କାରଣରୁ ସେମାନେ ଦଳତ୍ୟାଗ କରି ଅନ୍ୟ ଦଳରେ ଯୋଗ ଦେଇଛନ୍ତି ଓ ସେମାନଙ୍କୁ ରାଜନୀତିର ଅଳିନ୍ଦକୁ ଆଣିଥିବା ନାୟକଙ୍କୁ ଭଷ୍ମ କରିବା ସକାଶେ ଗୋଡାଇବାକୁ ପଛାଇ ନାହାନ୍ତି । ଦୀର୍ଘ ୨୪ ବର୍ଷ ଧରି ଓଡ଼ିଶାରେ ଶାସନ କରିଥିବା ବିଜୁ ଜନତା ଦଳ (ବିଜେଡ଼ି)ର ୨୦୨୪ରେ ପତନ ପାଇଁ ଏହା ଏକ ପ୍ରମୁଖ କାରଣ କୁହାଯାଇପାରେ । ବିଜୁ ଜନତା ଦଳ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ସବୁ ଓଡ଼ିଆ ଚଳଚ୍ଚିତ୍ର ଅଭିନେତାଙ୍କୁ ଦଳକୁ ଆଣି ନିର୍ବାଚନ ପ୍ରଚାରରେ ସାମିଲ କରିଥିଲେ ପରବର୍ତ୍ତୀ ସମୟରେ ସେମାନେ ନେତା ହୋଇଥିଲେ । ବିଧାନସଭା ଓ ସଂସଦକୁ ନିର୍ବାଚିତ ହୋଇ କ୍ଷମତା ଭୋଗ କରିଥିଲେ । ଯେତେବେଳେ ସେମାନେ ସୁଖ, ସୁବିଧାରୁ ବଂଚିତ ହୋଇଥିଲେ ଜିତିବାର ଆଶା ଥିବା ଦଳର ପ୍ରଲୋଭନର ଶିକାର ହୋଇ ଦଳଡିଆଁର ସୁଯୋଗ ନେଇଥିଲେ । ସେତେବେଳେ ସେମାନେ ଚିନ୍ତା କରିନଥିଲେ ଯେଉଁ ଦଳ ସେମାନଙ୍କୁ ପ୍ରତିଷ୍ଠା ଦେଇଛି ସେହି ଦଳର ନେତାଙ୍କ ଅବସ୍ଥା କଣ ହେବ । ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପରେ ବିଜେଡ଼ିରେ ଥିବା ଭଷ୍ମାସୁରଙ୍କ ସନ୍ଧାନରେ ରହିଛି । ବିଜେଡ଼ିକୁ ସଂପୂର୍ଣ୍ଣ ଭାବେ ଗିଳି ଦେବା ପାଇଁ ଯେଉଁ ଚକ୍ରାନ୍ତ ଆରମ୍ଭ ହୋଇଛି ତାହାର ସଦ୍ୟତମ ଶିକାର ହୋଇଛନ୍ତି ଗତ ବୁଧବାର ବିଜେଡ଼ିରୁ ଇସ୍ତଫା ଦେଇ ଗୁରୁବାର ବିଜେପିରେ ଯୋଗ ଦେଇଥିବା ରାଜ୍ୟସଭା ସାଂସଦ ମମତା ମହାନ୍ତ । ମୟୁରଭଂଜ ଜିଲ୍ଲାର ଏହି ପଛୁଆ ବର୍ଗର ମହିଳା ସାଂସଦଙ୍କୁ ବିଜେଡ଼ି ପ୍ରଥମେ ଜିଲ୍ଲା ପରିଷଦ ସଦସ୍ୟା ଓ ଜିଲ୍ଲା ସଭାନେତ୍ରୀ କରିଥିଲା । ପରେ, ବିଜେଡ଼ି ସଭାପତି ପଟ୍ଟନାୟକ ତାଙ୍କୁ ରାଜ୍ୟସଭାକୁ ପଠାଇ ଥିଲେ । ତାଙ୍କ ରାଜ୍ୟସଭା ସଦସ୍ୟ ପଦ ୨୦୨୬ ପର୍ଯ୍ୟନ୍ତ ସୁରକ୍ଷିତ ଥିଲା । ତେବେ, ଅଚାନକ ସେ ବୁଧବାର ଦିନ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଥିବା ରାଜ୍ୟସଭା ଅଧ୍ୟକ୍ଷଙ୍କୁ ସୂଚିତ କରିବା ସହ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟତାରୁ ମଧ୍ୟ ଇସ୍ତଫା ଦେଇଥିବା ଦଳର ମୁଖ୍ୟଙ୍କୁ ଚିଠି ଲେଖି ଜଣାଇ ଦେଇଥିଲେ । ବିଜୁ ଜନତା ଦଳରେ ସେ ଅଣଦେଖା ହୋଇବା କାରଣରୁ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିବା ମମତା ତାଙ୍କ ଚିଠିରେ ଲେଖିଥିଲେ ମଧ୍ୟ ଏହା ପଛରେ ଶାସକ ବିଜେପିର ପ୍ରଲୋଭନ ରହିଥିବା ସ୍ପଷ୍ଟ ଦୃଶ୍ୟମାନ ହେଉଛି । ୨୦୨୪ ସାଧାରଣ ନିର୍ବାଚନରେ ବିଜେଡ଼ିର ପରାଜୟ ଘଟିଛି । ରାଜ୍ୟ ବିଧାନସଭାରେ ଶହେରୁ ଅଧିକ ଆସନ ଜିତି ଆସୁଥିବା ବିଜେଡ଼ି ୨୦୨୪ ବିଧାନସଭା ନିର୍ବାଚନରେ ୧୪୭ରୁ ୫୧ ଆସନ ଜିତି ବିରୋଧୀ ଭୂମିକାକୁ ଆସିଥିବା ବେଳେ ବିଜେପି ୭୮ ଆସନ ଜିତି ପ୍ରଥମ ଥର ପାଇଁ ରାଜ୍ୟରେ ସରକାର କରିଛି । ଗତ ନିର୍ବାଚନରେ ବିଜେଡ଼ିକୁ ରାଜ୍ୟର ୨୧ ଲୋକସଭା ଆସନରୁ ଗୋଟିଏ ମଧ୍ୟ ମିଳି ନାହିଁ । ଅପରପକ୍ଷରେ, ବିଜେପି ୨୦ ଆସନ ଜିତି ବାଜି ମାରି ନେଇଛି । ୨୦୧୯ ନିର୍ବାଚନରେ କଂଗ୍ରେସ ଗୋଟିଏ ଆସନ (କୋରାପୁଟ)ରୁ ଜିତି ଥିଲା । ତାହା ୨୦୨୪ରେ ମଧ୍ୟ ବଜାର ରଖିଛି । ଗଲା ୨୪ ବର୍ଷ ରାଜ୍ୟବାସୀ କଂଗ୍ରେସ ପ୍ରତି ବିମୁଖ । ୨୦୧୯ ବିଧାନସଭା ନିର୍ବାଚନରେ ପ୍ରଥମ ଥର ପାଇଁ ରାଜ୍ୟ ରାଜ୍ୟରେ ମାତ୍ର ୨୩ଟି ଆସନରେ ବିଜୟୀ ହୋଇଥିଲେ ମଧ୍ୟ ମୁଖ୍ୟ ବିରୋଧୀ ଦଳ ଭାବେ ଉଭା ହୋଇଥିଲା । କଂଗ୍ରେସର କ୍ଷୟରୁ ବିଜେପି ପରିପୃଷ୍ଟ ହୋଇ ଓଡ଼ିଶାରେ କ୍ଷମତା ଦଖଲ ଅଭିଯାନ ଆରମ୍ଭ କରିଥିଲା । ୨୦୨୪ ନିର୍ବାଚନରେ ଓଡ଼ିଶାବାସୀ ବିଜେପିକୁ କ୍ଷମତା ଦଖଲ ସୁଯୋଗ ଦେଇଛନ୍ତି । ରାଜ୍ୟ ବିଧାନସଭାରେ କଂଗ୍ରେସ ବିଧାୟକ ସଂଖ୍ୟା ୦୯ରୁ ୧୪କୁ ବୃଦ୍ଧି ପାଇଛି ସତ, କିନ୍ତୁ ଦଳ ବିଜେଡ଼ି ବିରୋଧରେ ଜନସାଧାରଣରେ ଥିବା ଚାପା ଅସନ୍ତୋଷକୁ ସୁଯୋଗରେ ପରିଣତ କରିବାରେ ସଫଳ ହୋଇନାହିଁ । ଏହାର କାରଣକୁ ନେଇ କଂଗ୍ରେସ ନେତୃତ୍ୱ ଯେଭଳି ତର୍ଜମା କରିବା କଥା, କରି ନାହାନ୍ତି । ଅପରପକ୍ଷରେ, ବିଜେପି ରାଜ୍ୟରେ ପ୍ରଥମ ଥର ପାଇଁ ଯେଉଁ ସୁଯୋଗ ପାଇଛି ତାହା ଆଗକୁ ମଧ୍ୟ ବଜାୟ ରଖିବାକୁ ବିଜେଡ଼ିରେ ବିଭାଜନ ଉଦ୍ୟମ ଆରମ୍ଭ କରି ଦେଇଥିବା ମମତା ମହାନ୍ତଙ୍କ ରାଜ୍ୟସଭା ପଦ ଓ ଦଳତ୍ୟାଗରୁ ସ୍ପଷ୍ଟ ହେଉଛି । ମମତା ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେବା ପୂର୍ବରୁ କେନ୍ଦ୍ରୀୟ ବିଜେପି ନେତୃତ୍ୱର ଯୋଗଯୋଗରେ ଥିଲେ । ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିଲ୍ଲୀ ଗସ୍ତରେ ଥିବା ସମୟରେ ମମତାଙ୍କ ସହ ତାଙ୍କର ଆଲୋଚନା ହୋଇଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ମାଝୀ ପଡୋଶୀ କେଉଁଝର ଜିଲ୍ଲାର ଆଦିବାସୀ ନେତା । ରାଜ୍ୟସଭାରେ ବିଜେପିର ସଂଖ୍ୟା କମ୍ ଥିବାରୁ ଏକାକୀ କୌଣସି ବିଲ୍ ପାରିତା କରିବା ଅବସ୍ଥାରେ ନାହିଁ । ତେଣୁ, ଓଡ଼ିଶାର ବିଜୁ ଜନତା ଦଳ, ଆନ୍ଧ୍ରର ୱାଇଏସଆରସିପି ଭଳି ଆଂଚଳିକ ଦଳଙ୍କ ଉପରେ ନିର୍ଭରଶୀଳ ରହିଛି । ୨୦୨୪ ନିର୍ବାଚନରେ ଲୋକସଭାରେ ବିଜେଡ଼ିର ସଂଖ୍ୟା ‘ଶୂନ’ ଥିଲେ ମଧ୍ୟ ରାଜ୍ୟସଭାରେ ଦଳର ୦୯ ସାଂସଦ ଥିଲେ । ବୁଧବାର ମମତା ମହାନ୍ତଙ୍କ ଇସ୍ତଫା ପରେ ଏହି ସଂଖ୍ୟା ୦୮କୁ ଖସିଛି । ୨୦୧୪ରୁ ୨୦୨୪ ପର୍ଯ୍ୟନ୍ତ ବିଜୁ ଜନତା ଦଳ ରାଜ୍ୟରେ କ୍ଷମତାରେ ଥିବା ବେଳେ ବିଜେପି ଓ କଂଗ୍ରେସଠାରୁ ସମଦୂରତା କଥା କହି ଆସୁଥିଲେ ମଧ୍ୟ ବିଜେପିର ନିକଟତର ଥିଲା ଓ କେନ୍ଦ୍ର ସରକାରଙ୍କ ସବୁ ଗୁରୁତ୍ୱପୂର୍ଣ୍ଣ ବିଲ୍ ସଂସଦର ଉଭୟ ଗୃହରେ ପାରିତ ହେବାରେ ସଂପୂର୍ଣ୍ଣ ସହଯୋଗ ଦେଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ଆରମ୍ଭ କରି ବିଜେପିର କେନ୍ଦ୍ର ମନ୍ତ୍ରୀମାନେ କଥା କଥାରେ ନବୀନଙ୍କୁ ପ୍ରଶଂସାରେ ପୋତି ପକାଉ ଥିଲେ । ଏହା ଦେଖି ରାଜ୍ୟ ବିଜେପି ନେତାମାନେ ଅସହିଷ୍ଣୁ ଥିଲେ ମଧ୍ୟ କେନ୍ଦ୍ରୀୟ ନେତାଙ୍କ ମୁହଁ ବନ୍ଦ କରିପାରୁ ନଥିଲେ । ନବୀନଙ୍କ ମୂଳଦୁଆ କଂଗ୍ରେସ ବିରୋଧୀ ରାଜନୀତିରୁ ପଡିଛି, ତେଣୁ ସେ ବିଜେପିର ଅଧିକ ନିକଟତର ବୋଲି ଜାତୀୟ ରାଜନୀତିରେ ଧାରଣା ରହିଥିଲା । ତେବେ, ୨୦୨୪ ନିର୍ବାଚନ ଫଳାଫଳ ସମସ୍ତ ଗଣିତକୁ ବଦଳାଇ ଦେଇଛି । ନିର୍ବାଚନ ସମୟରେ ରାଜନୀତି, ଅନ୍ୟ ସମୟରେ ଦେଶ ଓ ରାଜ୍ୟର ସ୍ୱାର୍ଥରକ୍ଷା ପାଇଁ ବିଜେଡ଼ି ସଂକଳ୍ପବଦ୍ଧ ବୋଲି ନବୀନ ବିଭିନ୍ନ ସମୟରେ କହଛନ୍ତି । ତେବେ, ୨୦୨୪ ନିର୍ବାଚନ ପରାଜୟ ପରେ ନବୀନ ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଘେରିବା ସହ ବିରୋଧୀ ମେଂଟର ନିକଟତର ହେଉଥିବା ଦେଖି ବିଜେପି ବିଜେଡ଼ିକୁ କ୍ଷତାକ୍ତ କରିବା ଆରମ୍ଭ କରିଛି । ବିଜେଡ଼ିର ରାଜ୍ୟସଭା ସାଂସଦମାନେ ଓଡ଼ିଶାର ବିଭିନ୍ନ ପ୍ରସଙ୍ଗ ଉଠାଇ ମୋଦୀ ସରକାରଙ୍କୁ ଘେରିବା ଏବଂ ବିରୋଧୀଙ୍କ ସହ ମିଶି କକ୍ଷତ୍ୟାଗ କରିବା, ନୀବନ ନିଜକୁ ବିଜେଡ଼ି ସଂସଦୀୟ ଦଳ ଅଧ୍ୟକ୍ଷ ନିର୍ବାଚିତ ହେବା ଏବଂ ରାଜ୍ୟ ବିଧାନସଭାରେ ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ପ୍ରସଙ୍ଗ ଉଠାଇ ମୋହନ ମାଝୀ ସରକାରଙ୍କୁ ଘେରିବା ବିଜେପି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଥିଲା । ନବୀନଙ୍କୁ ଠିକଣା ଜବାବ ଦେବା ଓ ରାଜ୍ୟସଭାରେ ନିଜ ସଂଖ୍ୟା ବଢାଇବା ପାଇଁ ବିଜେପି ମୟୁରଭଂଜ ଜିଲ୍ଲାର କୁଡୁମି ସଂପ୍ରଦାୟର ନେତ୍ରୀ ମମତା ମହାନ୍ତଙ୍କୁ ପ୍ରଥମ ଶିକାର କରିଛି । ମମତା ଇସ୍ତଫା ଦେବାର ୨୪ ଘଂଟା ମଧ୍ୟରେ ଗୁରୁବାର ନୂଆଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି । ବିଜେପିର ସାଧାରଣ ସଂପାଦକ ଅରୁଣ ସିଂହ ଓ ଓଡ଼ିଶା ଦାୟିତ୍ୱରେ ଥିବା ପ୍ରଭାରୀ ବିଜୟପାଲ ସିଂହ ତୋମର ତାଙ୍କୁ ପୁଷ୍ପଗୁଚ୍ଛ, ସଦସ୍ୟତାପତ୍ର ଦେଇ ସ୍ୱାଗତ କରିଥିବା ବେଳେ ଆୟୋଜିତ ସ୍ୱତନ୍ତ୍ର ମିଶ୍ରଣ ପର୍ବରେ ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସମେତ ବିଜେପିର ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ, ଆସିକା ସାଂସଦ ଅନିତା ପ୍ରିୟଦର୍ଶନୀ, କେଉଁଝର ସାଂସଦ ଅନନ୍ତ ନାୟକ, କଳାହାଣ୍ଡି ସାଂସଦ ମାଳବିକା ଦେଓ, ନବରଂଗପୁର ସାଂସଦ ବଳଭଦ୍ର ମାଝୀ, ମୟୁରଭଂଜ ସାଂସଦ ନବ ଚରଣ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ । ମମତାଙ୍କ ଇସ୍ତଫା ସଂପର୍କରେ ପ୍ରଥମେ ରାଜ୍ୟସଭା ଅଧ୍ୟକ୍ଷ ଥିବା ଉପ ରାଷ୍ଟ୍ରପତି ଜଗଦୀପ ଧନକର ବୁଧବାର ରାଜ୍ୟସଭାରେ ଘୋଷଣା କରିବା ହିଁ ସମସ୍ତଙ୍କୁ ଚକିତ କରିଛି । ବିଜେଡ଼ି ନେତାମାନେ ଚିରାଚରିତ ଢଂଗରେ ଆଗରୁ ସେମାନେ ମମତାଙ୍କ ଗତିବିଧି ସଂପର୍କରେ ଜାଣିଥିଲେ, ସେ ଦଳତ୍ୟାଗ କରିବାରୁ ବିଜେଡ଼ିର କିଛି କ୍ଷତି ହେବାର ନାହିଁ ବୋଲି ବୟାନ ଦେଉଥିଲେ ମଧ୍ୟ ମମତାଙ୍କ ପରେ ବିଜେପି ଓଡ଼ିଶାର ଆଉ କେଉଁ ରାଜ୍ୟସଭା ସାଂସଦଙ୍କୁ ଶିକାର କରିବା ଯୋଜନା ରଖିଛି (?) – ତାହା ରାଜ୍ୟ ରାଜନୀତିରେ ବଡ ପ୍ରଶ୍ନ ହୋଇଛି । ରାଜ୍ୟସଭାରେ ବିଜେଡ଼ି ସାଂସଦ ଥିବା ଅନ୍ୟ ଆଠ ଜଣ ହେଉଛନ୍ତି – ଦେବାଶୀଷ ସାମନ୍ତରା (୨୦୨୪ରୁ ୨୦୩୦ ଏପ୍ରିଲ), ଶୁଭାଶିଷ ଖୁଂଟିଆ (୨୦୨୪ରୁ ୨୦୩୦ ଏପ୍ରିଲ), ଡକ୍ଟର ସସ୍ମିତ ପାତ୍ର (୨୦୨୨ରୁ ୨୦୨୮ ଜୁଲାଇ), ମାନସ ରଂଜନ ମଂଗରାଜ (୨୦୨୨ରୁ ୨୦୨୮ ଜୁଲାଇ), ସୁଲତା ଦେଓ (୨୦୨୨ରୁ ୨୦୨୮ ଜୁଲାଇ), ସୁଜିତ କୁମାର (୨୦୨୦ରୁ ୨୦୨୬ ଏପ୍ରିଲ), ମୁନା ଖାନ (୨୦୨୦ରୁ ୨୦୨୬ ଏପ୍ରିଲ) ଓ ନିରଂଜନ ବିଶି (୨୦୨୨ ଜୁନରୁ ୨୦୨୬ ଏପ୍ରିଲ) । ମମତା ମହାନ୍ତଙ୍କ ରାଜ୍ୟସଭା କାର୍ଯ୍ୟକାଳ ୨୦୨୦ ଏପ୍ରିଲରୁ ୨୦୨୬ ଏପ୍ରିଲ ପର୍ଯ୍ୟନ୍ତ ଥିଲା । କେନ୍ଦ୍ର ସରକାରରେ ରେଳ ବିଭାଗ ମନ୍ତ୍ରୀ ଥିବା ବରିଷ୍ଠ ବିଜେପି ନେତା ଅଶ୍ୱିନୀ ବୈଷ୍ଣବ ପ୍ରଥମ କରି ୨୦୧୯ରେ ଓଡ଼ିଶାରୁ ବିଜେଡ଼ି ସମର୍ଥନରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ଚଳିତ ବର୍ଷ ତାଙ୍କ କାର୍ଯ୍ୟକାଳ ସରିବା ପୂର୍ବରୁ ବିଜେପି ପୁନର୍ବାର ତାଙ୍କୁ ଗତ ଫେବୃୟାରୀ ମାସରେ ନିର୍ବାଚିତ କରାଇ ନେଇଛି । ଦ୍ୱିତୀୟ ପାଳିରେ ମଧ୍ୟ ବୈଷ୍ଣବ ବିଜେଡ଼ି ସମର୍ଥନରେ ଜିତିଛନ୍ତି । ଓଡ଼ିଶାରୁ ରାଜ୍ୟସଭାରେ ସେ ଏକମାତ୍ର ବିଜେପି ସାଂସଦ ରହିଛନ୍ତି । ମମତା ମହାନ୍ତ ବିଜେଡ଼ି ରାଜ୍ୟସଭା ସାଂସଦ ଥାଇ ସଂସଦରୁ ଓ ବିଜେଡ଼ି ସଦସ୍ୟତାରୁ ଇସ୍ତଫା ଦେଇଥିବାରୁ ମମତାଙ୍କ ସ୍ଥାନ ପୂରଣ କରିବାକୁ ନିର୍ବାଚନ କମିଶନ ଉପ ନିର୍ବାଚନ କରାଇବା ନିଶ୍ଚିତ । ତେବେ, ବିଜେଡ଼ି ଏହି ଆସନ ଫେରି ପାଇବା ସମ୍ଭାବନା ହିଁ ନାହିଁ । ଓଡ଼ିଶା ବିଧାନସଭାରେ ୧୪୭ ବିଧାୟକ ଥିବାରୁ ଏକମାତ୍ର ଖାଲି ପଡିଥିବା ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେଲେ ଜିତିବା ପାଇଁ ୭୪ ବିଧାୟକଙ୍କ ସମର୍ଥନ ମିଳିବା ଆବଶ୍ୟକ । ରାଜ୍ୟ ବିଧାନସଭାରେ ବିଜେଡ଼ିର ଏହି ସଂଖ୍ୟା ନାହିଁ । ଅପରପକ୍ଷରେ, ବିଜେପିର ୭୮ ବିଧାୟକ ଅଛନ୍ତି ଓ ତିନି ଜଣ ସ୍ୱାଧୀନ ବିଧାୟକ ବିଜେପିକୁ ସମର୍ଥନ ଦେଉଛନ୍ତି । ଉପ ନିର୍ବାଚନରେ ବିଜେପିର ବିଜୟ ସୁନିଶ୍ଚିତ । ଓଡ଼ିଶାରେ ବିଜେପିକୁ କ୍ଷମତାକୁ ଆଣିବାରେ ଦଳର ରାଜ୍ୟ ସଭାପତି ମନ ମୋହନ ସାମଲ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ମଧ୍ୟ ବିଧାନସଭା ନିର୍ବାଚନରେ ତାଙ୍କ ପରାଜୟ ଘଟିବାରୁ ରାଜ୍ୟ ମୁଖ୍ୟମନ୍ତ୍ରୀ ହେବା ସ୍ୱପ୍ନ ଅଧୁରା ରହିଗଲା । କେନ୍ଦ୍ରୀୟ ବିଜେପି ନେତୃତ୍ୱ ସାମଲଙ୍କୁ ରାଜ୍ୟସଭାରେ ଥଇଥାନ କରିବାକୁ ‘ମମତା’ ଗୋଟି ଚଳାଇଲେ ବୋଲି ଏବେ ଆଲୋଚନା ହେଉଛି । ତେବେ, ସାମଲ ହୁଅନ୍ତୁ ବା ଅନ୍ୟ ଯେକେହି ପ୍ରାର୍ଥୀ ହୁଅନ୍ତୁ ବିଜେପି ଓଡ଼ିଶାରୁ ଦ୍ୱିତୀୟ ରାଜ୍ୟସଭା ଆସନ ମିଳିବା ନିଶ୍ଚିତ । ରାଜ୍ୟ ସରକାର ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଭଳି ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ କଥା ଘୋଷଣା କଲେଣି । ପୂର୍ବ ସରକାର ଦଳୀୟ ନେତାଙ୍କୁ ଥଇଥାନ କରିବାକୁ ବିଭିନ୍ନ ସଂସ୍ଥା, ନିଗମ ଓ ନୂଆ ନୂଆ ଘୋଷଣାର ସହାୟତା ନେଉଥିଲେ । ବିଜେପି ସେହି ବାଟରେ ଚାଲିଛି । ମମତା ମହାନ୍ତଙ୍କୁ ଥଇଥାନ କରିବାକୁ ମୋହନ ସରକାର ‘ଉତ୍ତର ଓଡ଼ିଶା ବିକାଶ ପରିଷଦ’ ଗଠନ କଥା ଘୋଷଣା କରିଛନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ରାଜ୍ୟରେ ବିଜେପି ସର୍ବନିମ୍ନ ପାଂଚ ବର୍ଷ କ୍ଷମତାରେ ରହିବ – ଏଥିରେ କିଛି ସନ୍ଦେହ ନାହିଁ । ମମତା ମହାନ୍ତଙ୍କ ଭଳି ଆଉ କିଛି ବିଜେଡ଼ି ନେତା ନିଜ ଭବିଷ୍ୟତକୁ ନେଇ ସନ୍ଦିହାନ ହୋଇପଡିଥିବାରୁ ନବୀନଙ୍କ ପଣତକାନୀ ତଳୁ ବାହାରି ନୂଆ ସମ୍ଭାବନା ଖୋଜି ପାରନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗୁଣଗାନ କରି ରାଜ୍ୟ ବିଜେପିରେ ପ୍ରତିଷ୍ଠିତ ହେବାକୁ ଉଦ୍ୟମ କରି ପାରନ୍ତି । ରାଜ୍ୟରେ ସରକାର ବଦଳିବା ସହ ସମ୍ଭାବନା ବଢିଛି । ତେଣୁ, ଆଗାମୀ ଦିନରେ ଓଡ଼ିଶା ରାଜନୀତିରେ ଭଷ୍ମାସୁରଙ୍କ ସଂଖ୍ୟା ମଧ୍ୟ ବଢିବ । ନୂଆ ଭଷ୍ମାସୁର ସାମ୍ନାକୁ ଆସିବା ଯାଏଁ ଆମକୁ ଅପେକ୍ଷା କରିବାକୁ ପଡିବ ।
ମୁଖ୍ୟ ସଂପାଦକ, ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS