ସରକାରଙ୍କ ‘ଆଳୁ’ ରାଜନୀତି : ପଶ୍ଚିିିିିିିିିିିିିିମ ବଂଗ ବନାମ ୟୁପି


ପ୍ରସାଦ ରାଓ
ଭୁବନେଶ୍ୱର/୦୩ ଅଗଷ୍ଟ
ଓଡ଼ିଶା ରାଜନୀତିରେ ୟୁପି ଆଳୁ ! ଏକଥା ଶୁଣିବାକୁ ଅଜବ ଲାଗୁଥିବ । କିନ୍ତୁ, ଓଡ଼ିଶା ସରକାର ଆଳୁ ପାଇଁ ଆଉ ପଶ୍ଚିମ ବଂଗ ଉପରେ ନିର୍ଭରଶୀଳ ନହୋଇ ୟୁପିରୁ ଆଳୁ ମଗାଇବେ ଓ ରାଜ୍ୟରେ ଆଳୁ ଦର ନିୟନ୍ତ୍ରଣ କରିବେ ବୋଲି ରାଜ୍ୟ ଖାଦ୍ୟ ଓ ଖାଉଟୀ କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଘୋଷଣା କରିବା ପରଠାରୁ ରାଜ୍ୟବାସୀ ପରିବା ବଜାରରେ ଖୋଜିବା ଆରମ୍ଭ କରିଛନ୍ତି ୟୁପି ଆଳୁ । ତେବେ, ଖୁଚୁରା ବଜାରରେ ଏପର୍ଯ୍ୟନ୍ତ ପହଂଚିନି ଯୋଗୀଙ୍କ ଆଳୁ । ରାଜଧାନୀର ଯେକୌଣସି ହାଟକୁ ଗଲେ ଆଳୁ, ପିଆଜ ଦୋକାନରେ ଦେଖିବାକୁ ମିଳୁଛି ପଶ୍ଚିମ ବଂଗ ଆଳୁ । ସପ୍ତାହ ଆରମ୍ଭରେ ଆଳୁର କିଲୋ ପିଛା ଦର ଥିଲା ୪୫ରୁ ୫୦ ଟଙ୍କା । ଖାଉଟୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖି ଯୋଗାଣ ବିଭାଗ ମନ୍ତ୍ରୀ ପାତ୍ର ବିଭାଗୀୟ ଅଧିକାରୀଙ୍କୁ ନେଇ ଗୋଦାମଗୁଡିକରେ ଚଢାଉ କରିଥିଲେ । ଆଳୁ ବେପାରୀଙ୍କୁ ତାଗିଦ କରିଥିଲେ – କିଲୋ ୩୨ରୁ ୩୫ ଟଙ୍କାରେ ବିକ, ନହେଲେ କଡା କାର୍ଯ୍ୟାନୁଷ୍ଠାନ ହେବ । ରାଜ୍ୟରେ ଆଳୁର ଅଭାବ ନାହିଁ । ସପ୍ତାହକ ପାଇଁ ଷ୍ଟକ୍ ଅଛି । ତୁରନ୍ତ ଆଳୁ ଦର ବୃଦ୍ଧି ସମସ୍ୟାର ସମାଧାନ ହୋଇଯିବ ବୋଲି ଖାଉଟୀଙ୍କୁ ପ୍ରତିଶ୍ରୁତି ମିଳିଥିଲା । ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୀତି ଆୟୋଗ ବୈଠକରେ ଯୋଗଦେବାକୁ ଦିଲ୍ଲୀ ଯାଇଥିବା ଅବସରରେ ସେଠାରେ ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ କଥା ହୋଇଥିବା ଓ ପଶ୍ଚିମ ବଂଗରୁ ଆଳୁ ଆସିବାରେ ଆଉ କିଛି ଅସୁବିଧା ନଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଥିଲା । ପରେ କଣ ହେଲା କେଜାଣି ଓଡ଼ିଶା ସରକାର ରାଜ୍ୟର ଆଳୁ ସଂକଟ ପାଇଁ ପଶ୍ଚିମ ବଂଗ ସରକାରଙ୍କୁ ଦାୟି କରି ୟୁପିରୁ ଆଳୁ ମଗାଇ ପରିସ୍ଥିତିକୁ ସୁଧାରିବେ ବୋଲି ଘୋଷଣା କଲେ । ରାଜନୈତିକ କାରଣରୁ ମମତା ଓଡ଼ିଶାକୁ ଆଳୁ ଛାଡୁ ନଥିବାରୁ ଓଡ଼ିଶା ବଜାରକୁ ଯୋଗୀ ସରକାର ଆଳୁ ଯୋଗାଇବେ ଓ ରାଜ୍ୟରେ ଆଳୁ ଦର ଖସିବ ବୋଲି କୁହାଗଲା । ଯୋଗାଣ ମନ୍ତ୍ରୀ ଏହା ମଧ୍ୟ ଘୋଷଣା କଲେ ଯେ, ୟୁପିରୁ ଆଳୁ ଆମଦାନୀ ଆରମ୍ଭ ହୋଇଯାଇଛି । ରାଜ୍ୟର ବିଭିନ୍ନ ଅଂଚଳରେ ଖୁଚୁରା ବଜାରରେ ଆଳୁ କିଲୋ ୩୨ ଟଙ୍କା ମୂଲ୍ୟରେ ବିକ୍ରି ହେଉଛି । ତେବେ, ରାଜଧାନୀର ବିଭିନ୍ନ ପରିବା ବଜାରରେ ଦେଖିଲୁ କେଉଁଠି ହେଲେ ଯୋଗାଣ ମନ୍ତ୍ରୀଙ୍କ କହିବା ମୁତାବକ ୩୨ ଟଙ୍କିଆ ଆଳୁର ଚିହ୍ନବର୍ଣ୍ଣ ନାହିଁ । ୟୁପି ଆଳୁର ଦର୍ଶନ କରିବାକୁ ଚାହିଁଲେ ମଧ୍ୟ ଦେଖିବାକୁ ମିଳୁ ନାହିଁ । ବଜାରରେ ଯାହା ଆଳୁ ଅଛି ପଶ୍ଚିମ ବଂଗର । ଅବଶ୍ୟ ଦର ଖସିଛି । କିଲୋ ୪୦ ଟଙ୍କାରେ ମିଳୁଛି । କିଛି ଖୁଚୁରା ବ୍ୟବସାୟୀ ଛୋଟ, ବଡ ଆଳୁକୁ ଅଲଗା କରି ଗୁଣ୍ଡ ଆଳୁକୁ କିଲୋ ୩୦ ଟଙ୍କା ମୂଲ୍ୟରେ ବିକୁଛନ୍ତି । ମଝିଆ ଓ ବଡ ସାଇଜ୍ ଆଳୁ ୪୦ ରହିଛି । ଶୁକ୍ରବାର ରାତିରେ ଝାରପଡା ପରିବା ବଜାରର ଜଣେ ଆଳୁ, ପିଆଜ ବେପାରୀଙ୍କୁ ୟୁପି ଆଳୁ ସଂପର୍କରେ ପ୍ରଶ୍ନ କରିବାରୁ ଚଟାପଟ ଉତ୍ତର ଥିଲା – ‘ଆଜ୍ଞା, ସେ ଆଳୁ କଣ ଆମର ଏଠି ଚାଲିବ ?’ ୟୁପି ଆଳୁର ସାଇଜ୍ ବଡ ଓ ଦେଖିବାକୁ ନେଳିଆ । ଓଡ଼ିଶାର ଖାଉଟୀ ପସନ୍ଦ କରବେନି । ତେବେ, ହୋଟେଲ ବ୍ୟବସାୟୀଙ୍କ ପାଇଁ ଚଳିବ । ଆମ ମାଟିର ଆଳୁ ହେଉଛି ପଶ୍ଚିମ ବଂଗ ଆଳୁ । ଖାଉଟୀଙ୍କ ପ୍ରଥମ ପସନ୍ଦ । ବଜାରକୁ ୟୁପି ଆଳୁ ଆସିଲେ ବି ପଶ୍ଚିମ ବଂଗ ଆଳୁ ୯୦ ପ୍ରତିଶତ ବିକ୍ରି ହେଲେ ୟୁପି ଆଳୁ ମାତ୍ର ୧୦ ପ୍ରତିଶତ ବିକ୍ରି ହେବ । ଖୁଚୁରା ଆଳୁ ବେପାରୀଙ୍କ ଉତ୍ତର ଆମର ସମସ୍ତ ଉତ୍କଂଠାରେ ଅବସାନ ଘଟାଇଲା । ପଶ୍ଚିମ ବଂଗରେ ତୃଣମୂଳ କଂଗ୍ରେସ (ଟିଏମସି) ସରକାର ଅଛି । ଓଡ଼ିଶାରେ ଗୋଟିଏ ମାସରୁ କିଛି ଅଧିକ ସମୟ ହେଲା ବିଜେପି ସରକାର ଆସିଛି । ପୂର୍ବ ବିଜେଡ଼ି ସରକାରରେ ମଧ୍ୟ ବିଭିନ୍ନ ସମୟରେ ରାଜ୍ୟରେ ଆଳୁ ସଂକଟ ଦେଖା ଦେଇଥିଲା । କୌଣସି କାରଣରୁ ପଶ୍ଚିମ ବଂଗରୁ ଓଡ଼ିଶାକୁ ଆଳୁ ଆସିବାରେ ଅସୁବିଧା ହେଲେ ଦର ହୁ ହୁ ବଢୁଥିଲା । ଓଡ଼ିଶା ସରକାର ପଶ୍ଚିମ ବଂଗ ସରକାରଙ୍କ ସହ କଥାବାର୍ତ୍ତା କରି ସମସ୍ୟାର ସମାଧାନ କରୁଥିଲେ ଓ ପଡୋଶୀ ରାଜ୍ୟରୁ ଆଳୁ ଆସିବା ପରେ ଦର ନିୟନ୍ତ୍ରଣକୁ ଆସୁଥିଲା । ପୂର୍ବରୁ ଅନେକ ଥର ଓଡ଼ିଶାର ଖୁଚୁରା ବଜାରରେ ମଧ୍ୟ ପ୍ରଦେଶରୁ ଆମଦାନୀ ହୋଇଥିବା ଆଳୁ ମଧ୍ୟ ବିକ୍ରି ହୋଇଛି । ସେହି ଆଳୁ ଦେଖିବାକୁ ସଫା ଧଳା । କିନ୍ତୁ, ଗୋଟିଏ ମାଡରେ ଆଳୁ ଶିଝିଯାଇ ଚେପା । ସାଧାରଣ ଖାଉଟୀଙ୍କ କଥା ଦୂରେଥାଏ, ହୋଟେଲବାଲା ମଧ୍ୟ ସେହି ଆଳୁ କିଣିବାକୁ ଆଗ୍ରହ ପ୍ରକାଶ କରୁନଥିଲେ ବୋଲି ସେତେବେଳେ ବେପାରୀମାନେ କହୁଥିଲେ । ଏହା ସ୍ୱୀକାର୍ଯ୍ୟ ଯେ, ଓଡ଼ିଶାରେ ପଶ୍ଚିମ ବଂଗ ଆଳୁ ଖାଉଟୀଙ୍କ ରକ୍ତ, ମାଂସ ସହ ମିଶି ଯାଇଛି । ଓଡ଼ିଶା ସରକାର ୟୁପି ଆଳୁ ଆଣନ୍ତୁ ବା ମଧ୍ୟ ପ୍ରଦେଶ ଆଳୁ, ପଶ୍ଚିମ ବଂଗ ଆଳୁ ସହ ତୁଳନୀୟ ହୋଇପାରିବ ନାହିଁ । ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତ ଜୁଲାଇ ୨୭ ତାରିଖ ଦିନ ଦିଲ୍ଲୀରେ ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟି ଆଲୋଚନା କରିବା ପରେ ମଧ୍ୟ ରାଜ୍ୟର ଆଳୁ ସମସ୍ୟାର ତ୍ୱରିତ ସମାଧାନ ନ ହେବାରୁ ରାଜ୍ୟ ବିଜେପି ସରକାରଙ୍କ ଅସ୍ମିତାକୁ ବାଧିଲା । ତେଣୁ, ‘ତୁମେ ନ ଦେଲେ ଆମେ ୟୁପିରୁ ଆଳୁ ଆଣି ଆମ ସମସ୍ୟାର ସମାଧାନ କରିବୁ’ – ଏହା ଥିଲା ପଶ୍ଚିମ ବଂଗ ସରକାରଙ୍କୁ ଓଡ଼ିଶା ସରକାରଙ୍କ ଖୋଲା ଚ୍ୟାଲେଂଜ । ୟୁପିରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ବିଜେପିର ସରକାର ରହିଛି । ତେଣୁ, ଓଡ଼ିଶା ସରକାର ପଶ୍ଚିମ ବଂଗର ଟିଏମସି ସରକାର ଅପେକ୍ଷା ୟୁପିର ଯୋଗୀ ସରକାର ଅଧିକ ନିର୍ଭରଯୋଗ୍ୟ ବୋଲି ଓଡ଼ିଶାବାସୀଙ୍କୁ ବାର୍ତ୍ତା ଦେବାକୁ ଯାଇ ଗତ ଗୁରୁବାରରୁ ୟୁପିରୁ ଆଳୁ ଆମଦାନୀ ଆରମ୍ଭ କରିଥିବା ରାଜ୍ୟ ଖାଦ୍ୟ ଓ ଖାଉଟୀ କଲ୍ୟାଣ ମନ୍ତ୍ରୀ ପାତ୍ରଙ୍କ ବୟାନରୁ ସ୍ପଷ୍ଟ ହେଉଛି । ପଶ୍ଚିମ ବଂଗର ଟିଏମସି ସରକାର ରାଜନୈତିକ ଦୃଷ୍ଟି କୋଣରୁ ଓଡ଼ିଶାକୁ ଆଳୁ ଛାଡୁ ନାହାନ୍ତି, ଯାହାକି ଓଡ଼ିଆ ଅସ୍ମିତାକୁ କ୍ଷୁର୍ଣ୍ଣ କରିଛି । ତେଣୁ, ରାଜ୍ୟ ସରକାର ଆଳୁ ବ୍ୟବସାୟୀ ଓ ବିଭିନ୍ନ ୟୁନିୟନର ଅନୁରୋଧକ୍ରମେ ୟୁପିରୁ ଆଳୁ ଆମଦାନୀ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାଦ୍ୱାରା ଆଳୁ ପାଇଁ ପଶ୍ଚିମ ବଂଗ ଉପରେ ନିର୍ଭରଶୀଳତା କମିବ ବୋଲି ରାଜ୍ୟ ଖାଦ୍ୟ ଓ ଖାଉଟୀ କଲ୍ୟାଣ ମନ୍ତ୍ରୀ ପାତ୍ର ଗଣମାଧ୍ୟମରେ ସୂଚନା ଦେଇଥିବା ବେଳେ ରାଜଧାନୀର ଅନେକ ଆଳୁ ହୋଲସେଲ ବ୍ୟବସାୟୀ ୟୁପି ଆଳୁ ଓଡ଼ିଶାରେ ନଚାଲିବା ଆଶଙ୍କାରେ ରାଜ୍ୟ ସରକାର ପଶ୍ଚିମ ବଂଗ ସରକାରଙ୍କୁ ମନାଇ ସେଠାରୁ ଆଳୁ ଅଣନ୍ତୁ ବୋଲି ଗଣମାଧ୍ୟମ ଜରିଆରେ ଚାପ ସୃଷ୍ଟି କରୁଥିବା ଦେଖିବାକୁ ମିଳୁଛି । ଜଣେ ଆଳୁ ବ୍ୟବସାୟୀ କହିଛନ୍ତି, ୟୁପି ଆଳୁ ଓଡ଼ିଶା ବଜାରକୁ ଆସିଲେ ଖାଉଟୀଙ୍କୁ କିଲୋ ପିଛା ୩୨ରୁ ୩୫ ଟଙ୍କା ଦରରେ ମିଳିବ । ବର୍ତ୍ତମାନ ବଜାରରେ ଯେଉଁ ପଶ୍ଚିମ ବଂଗ ଆଳୁ ବିକ୍ରି ହେଉଛି ତାହାର ମୂଲ୍ୟ କିଲୋ ପିଛା ୪୦ ଟଙ୍କା ରହିଛି । ୟୁପି ଆଳୁ ଓ ପଶ୍ଚିମ ବଂଗ ଆଳୁ ମୂଲ୍ୟରେ କିଲୋ ପିଛା ମାତ୍ର ୦୫ରୁ ୦୭ ଟଙ୍କା ଫରକ ରହିବ । ୟୁପି ଆଳୁ ଅଧିକ ଦିନ ଗଚ୍ଛିତ ରଖି ହେବ ନାହିଁ । କମ୍ ଦିନରେ ଖରାପ ହୋଇଯାଉଛି । ଅପରପକ୍ଷରେ, ପଶ୍ଚିମ ବଂଗ ଆଳୁ ପରୀକ୍ଷୀତ । ଖାଉଟୀଙ୍କ ପ୍ରଥମ ପସନ୍ଦ ରହିବ । ଅଳ୍ପ କିଛି ଟଙ୍କାର ଫରକ ସତ୍ତ୍ୱେ ଖାଉଟୀ ପଶ୍ଚିମ ବଂଗ ଆଳୁ ହି କିଣିବେ । ବ୍ୟବସାୟୀ ଜଣକ ଉପସ୍ଥାପନ କରିଥିବା ଯୁକ୍ତିକୁ ମୋହନ ସରକାର କେତେଦୂର ବିଚାରକୁ ନେବେ ଜାଣି ନାହୁଁ । ତେବେ, ରାଜ୍ୟ ସରକାର ଆଳୁକୁ ନେଇ ବିଜେପି-ଅଣ ବିଜେପି ରାଜନୀତିରେ ନ ମାତି ଖାଉଟୀ ଓ ବ୍ୟବସାୟୀଙ୍କ ସ୍ୱାର୍ଥ ଏବଂ ଚାହିବାକୁ ଅଗ୍ରାଧୀକାର ଦେବା ଠିକ୍ ହେବ ବୋଲି ଆମେ ଭାବୁଛୁ ।
ମୁଖ୍ୟ ସଂପାଦକ, ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS