ଦିଲ୍ଲୀରେ ସିଭିଲ ସର୍ଭିସ ଆଶାୟୀ ଛାତ୍ରୀଙ୍କ ଆତ୍ମହତ୍ୟା !
ପ୍ରସାଦ ରାଓ
ନୂଆଦିଲ୍ଲୀ/୦୩ ଅଗଷ୍ଟ
ଦିଲ୍ଲୀରେ ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ମହାରାଷ୍ଟ୍ରର ଜଣେ ଛାତ୍ରୀ ଘୋର ମାନସିକ ଓ ଆର୍ଥିକ ଚାପର ସମ୍ମୁଖୀନ ହୋଇ ଆତ୍ମହତ୍ୟା କରିଥିବା ନେଇ ଏକ ଦୁଖଃଦ ଖବର ସାମ୍ନାକୁ ଆସିଛି । ନିକଟରେ, ଦିଲ୍ଲୀରେ ପ୍ରବଳ ବର୍ଷା ଯୋଗୁଁ ପୁରୁଣା ରାଜେନ୍ଦ୍ର ନଗର ଅଂଚଳରେ ଥିବା ଏକ ଆଇଏଏସ କୋଚିଂ ସେଂଟର ବେସମେଂଟରେ ବର୍ଷା ଓ ନର୍ଦ୍ଦମା ଜଳ ବନ୍ୟା ପରିସ୍ଥିତି ସୃଷ୍ଟି କରିବାରୁ ତିନି ଜଣ ଛାତ୍ର/ଛାତ୍ରୀ ଭାସି ଯାଇ ମୃତ୍ୟୁବରଣ କରିଥିଲେ । ଏହି ଘଟଣା ସମଗ୍ର ଦେଶକୁ ଦୋହଲାଇ ଦେଇଥିବା ବେଳେ ମହାରାଷ୍ଟ୍ର ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ସାମ୍ନାକୁ ଆସିଛି । ଛାତ୍ରୀ ଜଣକ ତିନି ଥର ୟୁପିଏସଇ ପରୀକ୍ଷା ଦେଇ ସଫଳ ହୋଇନଥିବାରୁ ଘୋର ମାନସିକ ଚାପରେ ଥିଲେ । ତେବେ, ତାହା ଏକମାତ୍ରା ଚାପ ନଥିଲା । ସେ ଘୋର ଆର୍ଥିକ ଚାପରେ ମଧ୍ୟ ଥିଲେ ବୋଲି ଆତ୍ମହତ୍ୟା କରିଥିବା ଛାତ୍ରୀଙ୍କ ବାନ୍ଧବୀ କହିଛନ୍ତି । ଆତ୍ମହତ୍ୟା କରିଥିବା ଛାତ୍ରୀ ତାଙ୍କ ବାପା, ମାଆଙ୍କୁ ଲେଖିଥିବା ଶେଷ ଚିଠି ପୁଲିସର ହସ୍ତଗତ ହୋଇଥିବା ସୂଚନା ମିଳିଛି । ଛାତ୍ରୀ ଜଣକ ୟୁପିଏସଇ ପରୀକ୍ଷାରେ ତିନି ଥର ବିଫଳ ହେବାରୁ ଅବିରତ ଚାପରେ ଥିଲେ । ଏହାଛଡା, ଘରୋଇ ହଷ୍ଟେଲ ଓ ପିଜି ଆକମଡେସନକୁ ନେଇ ମଧ୍ୟ ସେ ଚାପରେ ଥିଲେ ବୋଲି ଏହି ଚିଠିରୁ ଜଣାପଡଛି । ମାନସିକ ଚାପରୁ ମୁକ୍ତ ରହିବାକୁ ସେ ଯେତେ ଚେଷ୍ଟା କରି ମଧ୍ୟ ସଫଳ ହେଲେ ନାହିଁ । କୌଣସି ପ୍ରକାର ମନକୁ ଶାନ୍ତି କରିନପାରି ଆତ୍ମହତ୍ୟା କରୁଥିବା ଦୁଃଖର ସହ ନିଜ ମାତା, ପିତାଙ୍କୁ ଜଣାିଛନ୍ତି । ଏହି ଚିଠି ଆଧାରରେ ଦିଲ୍ଲୀ ପୁଲିସ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି । ଆତ୍ମହତ୍ୟା କରିଥିବା ଛାତ୍ରୀଙ୍କ ଜଣେ ବାନ୍ଧବୀ ଏନଡିଟିଭିକୁ କହିଛନ୍ତି, ଅଂଜଳୀ ତିନି ଥର ୟୁପିଏସଇ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ନ ହେବାରୁ ଘୋର ମାନସିକ ଚାପରେ ଥିଲେ । ସେ ରହୁଥିବା ଅଂଚଳରେ ପ୍ରତି କିଛି ମାସ ବ୍ୟବଧାନରେ ଘର ଭଡା ବଦ୍ଧି କରାଯାଉଥିବାରୁ ଭଡାରେ ରହୁଥିବା ଛାତ୍ରୀ ଜଣକ ଆର୍ଥିକ ଚାପରେ ମଧ୍ୟ ରହିଥିଲା । ଏଥିରୁ ଦିଲ୍ଲୀରେ ଘରଭଡା ନେଇ ରହି ୟୁପିଏସଇ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଆଶାୟୀମାନେ କିଭଳି ଚାପରେ ରହୁଛନ୍ତି ତାହା ଅଂଜଳୀଙ୍କ ଶେଷ ଚିଠିରୁ ସ୍ପଷ୍ଟ ଜାଣି ହେଉଛି ବୋଲି ତାଙ୍କ ବାନ୍ଧବୀ କହିଥିବା ବେଳେ ଦିଲ୍ଲୀ ପୁଲିସ କହିଛନ୍ତି, କେଉଁ ପରିସ୍ଥିତି ଓ କିଭଳି ଚାପରେ ଛାତ୍ରୀ ଜଣକ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲେ ତାହାର ତଦନ୍ତ କରାଯାଉଛି । ଏଠାରେ ସୂଚନାଯୋଗ୍ୟ, ଦିଲ୍ଲୀର ପୁରୁଣା ଅରବିନ୍ଦ ନଗର ଅଂଚଳରେ ଥିବା ରାଉ ଆଇଏଏସ୍ କୋଚିଂ ସେଂଟରର ବେସମେଂଟରେ ନିକଟରେ ବନ୍ୟା ଓ ନର୍ଦ୍ଦମା ଜଳ ପଶିଯାଇ ତିନି ଜଣ ଛାତ୍ରଛାତ୍ରୀ ଭାସି ଯାଇ ମୃତ୍ୟୁବରଣ କରିଛନ୍ତି । ସେମାନେ ସେହି କୋଚିଂ ସେଂଟରରେ ୟୁପିଏସଇ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ । କୋଚିଂ ସେଂଟରର ବେସମେଂଟ ଷ୍ଟୋରେଜ ଓ ଗାଡି ରଖିବା ପାଇଁ ଉଦ୍ଦିଷ୍ଟ ଥିବା ବେଳେ ସଂସ୍ଥାର ପରିଚାଳକ ତାହାକୁ ଛାତ୍ରଛାତ୍ରୀଙ୍କ ଲାଇବ୍ରେରୀ ଭାବରେ ବ୍ୟବହାର କରୁଥିଲେ । ପ୍ରବଳ ବର୍ଷାରେ ନର୍ଦ୍ଦମାର କାନ୍ଥ ଭାଂଗି ବନ୍ୟା ଜଳ ବେସମେଂଟରେ ପ୍ରବେଶ କରି ବନ୍ୟାର ପରିସ୍ଥିତି ସୃଷ୍ଟି କରିଥିଲା । ଲାଇବ୍ରେରୀରେ ଉପସ୍ଥିତ ଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ କିଛି ଅଳ୍ପକେ ବଂଚି ଯାଇଥିବା ବେଳେ ଦୁଇ ଜଣ ଛାତ୍ରୀ ଓ ଜଣେ ଛାତ୍ର ବନ୍ୟା ଜଳରେ ଭାସି ଯାଇଥିଲେ । ମୃତ ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା । ଦିଲ୍ଲୀ ପୁଲିସ ଏହି ଘଟଣାରେ କୋଚିଂ ସେଂଟର ମାଲିକଙ୍କ ସମେତ ସାତ ଜଣଙ୍କୁ ଗିରଫ କରିଛନ୍ତି । କୋଚିଂ ସେଂଟର ସମ୍ମୁଖ ରାସ୍ତା ବର୍ଷା ଓ ନର୍ଦ୍ଦମା ଜଳରେ ଉଛୁଳୁ ଥିବା ବେଳେ ସେହି ବାଟ ଦେଇ ଦୃତି ଗତିରେ ନିଜ ଏସୟୁଭି ଗାଡି ନେଇ ଯାଇଥିବା ଗାଡି ଡ୍ରାଇଭର ମଧ୍ୟ ଗିରଫ ହୋଇଛନ୍ତି । ଗାଡିଟି ଦୃତ ବେଗରେ ଯିବାରୁ ନଦ୍ଦର୍ମା କାନ୍ଥ ଭାଂଗି ଯାଇ କୋଚିଂ ସେଂଟର ବେସମେଂଟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା ବୋଲି ପୁଲିସ ଅଭିଯୋଗ କରି ଗାଡି ଚାଳକଙ୍କୁ ଗିରଫ କରିଥିଲା । ତେବେ, ଏହି କାର୍ଯ୍ୟାନୁଷ୍ଠାନକୁ ନେଇ ଦିଲ୍ଲୀ ପୁଲିସକୁ ଅଦାଲତରେ ଅପଦସ୍ତ ହେବାକୁ ପଡିଛି । ଅଦାଲତ ସଂପୃକ୍ତ ଏସୟୁଭି ଚାଳକଙ୍କ ଜାମିନ ମଂଜୁର କରିବା ସହ ନର୍ଦ୍ଦମାର ରକ୍ଷଣାବେକ୍ଷଣ ଦାୟିତ୍ୱ ଏମସିଡିର ହୋଇଥିବା ବେଳେ ଏମସିଡି ଅଧିକାରୀଙ୍କ ବିରୋଧରେ ମାମଲା ହୋଇ ନାହିଁ କାହିଁକି ବୋଲି ପୁଲିସକୁ ପ୍ରଶ୍ନ କରିଛନ୍ତି । ଏବେ, ଏହି ଘଟଣାର ତଦନ୍ତ ଦାୟିତ୍ୱ ସିବିଆଇକୁ ହସ୍ତାନ୍ତର ହୋଇଛି । ଦିଲ୍ଲୀର ନାଳ ନର୍ଦ୍ଦମା ଅବସ୍ଥାକୁ ନେଇ ଦିଲ୍ଲୀ ରାଜନୀତି ସରଗରମ ଥିବା ବେଳେ ଏବେ ୟୁପିଏସଇ ଆଶାୟୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ପୁଲିସର ମୁଣ୍ଡବ୍ୟଥା ବଢାଇଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS