ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନା ଇସ୍ତଫା ଦେଇ ଦେଶ ଛାଡିଲେ
ପ୍ରସାଦ ରାଓ
ନୂଆଦିଲ୍ଲୀ/୦୫ ଅଗଷ୍ଟ
ଦେଶରେ ଚାଲିଥିବା ଛାତ୍ର ଆନ୍ଦୋଳନ ଅଧିକ ହିଂସାତ୍ମକ ହୋଇପଡିବାରୁ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନା ଆଜି ଇସ୍ତଫା ଦେବା ସହ ଦେଶ ଛାଡି ପଳାଇ ଥିବା ସୂଚନା ମିଳିଛି । ସମ୍ଭବତଃ ସେ ଭାରତ ପଳାଇ ଆସିଥିବା ଆଲୋଚନା ହେଉଛି । ବାଂଲାଦେଶରେ ସ୍ୱାଧୀନତା ସଂଗ୍ରାମୀଙ୍କ ପିଲାଙ୍କ ପାଇଁ ସଂରକ୍ଷଣ କୋଟା ବ୍ୟବସ୍ଥା ପ୍ରସ୍ତାବର ବିରୋଧ କରି ଗତ ଜୁଲାଇ ମାସରୁ ଦେଶରେ ବ୍ୟାପକ ଛାତ୍ର ଆନେ୍ଦୋଳନ ଓ ହିଂସା ଚାଲିଛି । ଏଭଳି କୋଟା ପ୍ରସ୍ତାବ ମାଧ୍ୟମରେ ଛାତ୍ରଛାତ୍ରଙ୍କ ପ୍ରତି ଅବିଚାର ହୋଇଥିବା ଦର୍ଶାଇ ବାଂଲାଦେଶ ଛାତ୍ରମାନେ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ଇସ୍ତଫା ଦାବି କରିବା ସହ ‘ଢାକା ଚଲୋ’ ଅଭିଯାନ ଆରମ୍ଭ କରିଥିଲେ । ଫଳରେ ସରକାର ଓ ଛାତ୍ରଙ୍କ ମଧ୍ୟରେ ସଂଘର୍ଷର ବାତାବରଣ ସୃଷ୍ଟି ହୋଇଥିଲା ଓ ବ୍ୟାପକ ହିଂସାରେ ବହୁ ସଂଖ୍ୟାରେ ପ୍ରାଣହାନୀ ଘଟିଛି । ପ୍ରଧାନମନ୍ତ୍ରୀ ଶେଖ ହାସିନା ଆଜି ପଦବୀରୁ ଇସ୍ତଫା ଦେଇ ଦେଶ ଛାଡି ଥିବା ବାଂଲାଦେଶ ସେନା ସୂତ୍ରରୁ ସୂଚନା ମିଳିଛି । ପ୍ରସ୍ତାବିତ ସଂରକ୍ଷଣ କୋଟାରେ ବାଂଲାଦେଶ ଛାତ୍ରଙ୍କ ପ୍ରତି ଘୋର ଅନ୍ୟାୟ କରାଯାଇଥିବା ଆନ୍ଦୋଳନକାରୀ ଛାତ୍ରମାନେ ଅଭିଯୋଗ କରିବା ସହ ପ୍ରଧାନମନ୍ତ୍ରୀ ଶେଖ ହାସିନା ଇସ୍ତଫା ଦିଅନ୍ତୁ ବୋଲି ଏକମାତ୍ର ଦାବିରେ ‘ଢାକା ଅଭିମୁଖେ ଯାତ୍ରା’ ଯେଉଁ ଅଭିଯାନ ଆରମ୍ଭ କରିଥିଲେ ତାହା ପରିଶେଷରେ ରାଜନୈତିକ ମୋଡ ନେଇ ଅଧିକ ହିଂସାତ୍ମକ ହୋଇଥିବା କୁହାଯାଉଛି । ଜୁଲାଇ ମାସରେ ଛାତ୍ର ଆନ୍ଦୋଳନ ଆରମ୍ଭ ହେବା ପରେ ହିଂସାତ୍ମକ ସଂଘର୍ଷରେ ୩୦୦ ଜଣଙ୍କ ମୃତ୍ୟୁ ଘଟିଛି । ଗତକାଲି (ରବିବାର) ସକାଳେ ପ୍ରତିବାଦକାରୀ ଛାତ୍ର ଓ ପୁଲିସ ମଧ୍ୟରେ ସଂଘର୍ଷରେ ଅନ୍ୟୁନ ୯୪ ଜଣଙ୍କ ପ୍ରାଣହାନୀ ଘଟିଥିବା ସରକାରୀ ଭାବେ ସୂଚନା ମିଳିଛି । ହଜାର ହଜାର ସଂଖ୍ୟାରେ ପ୍ରତିବାଦକାରୀ ଆଜି ଢାକାସ୍ଥିତ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନକୁ କବ୍ଚା କରି ନେଇଥିବା ବେଳେ ପୁଲିସ ଗୁଳିରେ ଛାତ୍ରଙ୍କ ମୃତ୍ୟୁ ଘଟିଛି । ପ୍ରଧାନମନ୍ତ୍ରୀ ଶେଖ ହାସିନା ଇସ୍ତଫା ଦେଇ ସେନା ହେଲିକପ୍ଟରରେ ଦେଶ ଛାଡିଥିବା ବାଂଲାଦେଶ ସେନା ସୂତ୍ରରୁ ସୂଚନା ମିଳିଛି । ତେବେ, ସେ କେଉଁଠାକୁ ଗଲେ ସ୍ପଷ୍ଟ ହୋଇନାହିଁ । ସମ୍ଭବତଃ ସେ ଭାରତ ଯାଇଛନ୍ତି ବୋଲି ବାଂଲାଦେଶରେ ଚର୍ଚ୍ଚା ହେଉଛି । ‘ଷ୍ଟୁଡେଂଟସ୍ ଏଗେନେଷ୍ଟ ଡିସକ୍ରିମିନେସନ’ ବ୍ୟାନର ତଳେ ପ୍ରସ୍ତାବିତ ସଂରକ୍ଷଣ କୋଟା ବିରୋଧରେ ଛାତ୍ରମାନେ ପ୍ରତିବାଦ ଆନ୍ଦୋଳନ ଚଳାଇ ଥିବା ବେଳେ ସେମାନଙ୍କ ପ୍ରତି ଦେଶର ବିରୋଧୀ ରାଜନୈତିକ ଦଳଙ୍କ ସମର୍ଥନ ଥିବା ଆଲୋଚନା ହେଉଥିଲା । ଆନ୍ଦୋଳନକାରୀ ଛାତ୍ରମାନେ ଢାକା ଅଭିମୁଖେ ଯାତ୍ରା ଆରମ୍ଭ କରିଥିବା ବେଳେ ବ୍ୟାପକ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ପରିସ୍ଥିତି ନିୟନ୍ତ୍ରଣକୁ ନେବା ପାଇଁ ବାଂଲାଦେଶ ସରକାର ଗତକାଲି ସନ୍ଧ୍ୟାରୁ ରାଜଧାନୀ ଢାକା ସମେତ ଦେଶର ଅନ୍ୟାନ ଡିଭିଜନାଲ ଓ ଜିଲ୍ଲା ମୁଖ୍ୟାଳୟଗୁଡିକରେ ମଧ୍ୟ କର୍ଫ୍ୟୁ ଜାରି କରିବା ସହ ଇଂଟରନେଟ୍ ସେବା ସଂପୂର୍ଣ୍ଣ ବନ୍ଦ କରି ଦେଇଥିଲେ । ପୂର୍ବରୁ ସରକାର ଯେଉଁ କର୍ଫ୍ୟୁ ଲଗାଇ ଥିଲେ ସେଥିରୁ ରାଜଧାନୀ ଢାକା ଓ ଅନ୍ୟ କିିଛି ଅଂଚଳ ବାଦ୍ ଥିଲା । ଗତକାଲି ସନ୍ଧ୍ୟାରେ ଦେଶର ସମସ୍ତ ଅଂଚଳ ପାଇଁ ଲାଗୁ ହୋଇଥିବା କର୍ଫ୍ୟୁ ଅନିର୍ଦ୍ଧିଷ୍ଟକାଳ ପାଇଁ ବଳବତ୍ତର ରହିବ ବୋଲି ବାଲାଂଦେଶ ସେନା କହିଛି । ‘ଷ୍ଟୁଡେଂଟସ୍ ଏଗେନେଷ୍ଟ ଡିସକ୍ରିମିନେସନ’ ବ୍ୟାନର ତଳେ ଆନ୍ଦୋଳନକାରୀ ଛାତ୍ରମାନେ ଗତକାଲି ସକାଳେ ସରକାରଙ୍କ ସହ ଅସହଯୋଗ କାର୍ଯ୍ୟକ୍ରମ ଆରମ୍ଭ କରିବାରୁ ଶାସକ ଆୱାମୀ ଲିଗ୍, ଛାତ୍ର ଲିଗ୍ ଓ ଯୁବ ଲିଗ୍ ସମର୍ଥକମାନେ ବିରୋଧ କରିଥିଲେ । ଫଳରେ, ଉଭୟ ପକ୍ଷ ମଧ୍ୟରେ ସଂଘର୍ଷରେ ସର୍ବାଧିକ ୯୪ ଜଣଙ୍କ ମୃତ୍ୟୁ ଘଟିଛି । ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ଇସ୍ତଫା ଓ ଦେଶତ୍ୟାଗ ପରେ ସେନା ପକ୍ଷରୁ ବାଂଲାଦେଶର ପ୍ରଖ୍ୟାତ ଲେଖକ ତଥା ଶିକ୍ଷାବିତ ପ୍ରଫେସର ସଲିମୁଲ୍ଲା ଖାନଙ୍କ ନେତୃତ୍ୱରେ ଅନ୍ତରୀଣ ସରକାର ଗଠନ କରାଯାଇଥିବା ଖବର ମିଳିଛି । ବାଂଲାଦେଶ ପରିସ୍ଥିତି ଅଶାନ୍ତ ଥିବାରୁ ସେଠାରେ ବସବାସ କରୁଥିବା ସମସ୍ତ ଭାରତୀୟଙ୍କୁ ସତର୍କ ରହିବାକୁ କୁହାଯାଇଥିବା ବେଳେ ଭାରତ-ବାଂଲାଦେଶ ମଧ୍ୟରେ ଥିବା ୪୦୯୬ କିମି ସୀମାରେ ବିଏସଏଫ ମଧ୍ୟ ସତର୍କ ଦୃଷ୍ଟି ରଖିଛନ୍ତି । ବାଂଲାଦେଶ ସେନା ମୁଖ୍ୟ ଜେନେରାଲ ୱାକର-ଉଜ୍- ଜମାନ ସେନା ଉପରେ ବିଶ୍ୱାସ ରଖିବାକୁ ଦେଶବାସୀଙ୍କୁ ଆହ୍ୱାନ ଦେବା ସହ ହତ୍ୟାକାରୀଙ୍କୁ କଠୋର ଦଣ୍ଡ ଦିଆଯାଇ ସମସ୍ତଙ୍କୁ ନ୍ୟାୟ ଦିଆଯିବ ବୋଲି ଆଶ୍ୱାସନା ଦେଇଛନ୍ତି । ଦେଶରେ ଅନ୍ତରୀଣ ସରକାର ପ୍ରତିଷ୍ଠା ହେବ । ଏନେଇ ସେ ବାଂଲାଂଦେଶର ମୁଖ୍ୟ ବିରୋଧୀ ଦଳ ବିଏନପି, ଜାତୀୟତା ପାର୍ଟି ଓ ଜମାତ-ଇ-ଇସଲାମୀର ନେତାମାନଙ୍କ ସହ ଆଲୋଚନା କରିଥିବା ସେନା ମୁଖ୍ୟ ଜେନେରାଲ ଜମାନ ସୂଚନା ଦେଇଥିଲେ । ପ୍ରଫେସର ସଲିମୁଲ୍ଲା ଖାନଙ୍କ ନେତୃତ୍ୱରେ ଦେଶରେ ଅନ୍ତରୀଣ ସରକାର ଗଠନ ହେଉଥିବା ସୂଚନା ମିଳିବା ପରେ ସେନା ହିଁ ଏହାକୁ ନିୟନ୍ତ୍ରଣ କରିବା ସ୍ପଷ୍ଟ ହୋଇଛି । ପ୍ରଧାନମନ୍ତ୍ରୀ ଶେଖ ହାସିନା ତାଙ୍କ ଭଉଣୀଙ୍କ ସହ ସି-୧୩୦ ଏୟାରକ୍ରାଫ୍ଟରେ ଦେଶ ଛାଡି ପଳାୟନ କରିଥିବା ଜଣାପଡିବା ପରେ ଭାରତ ସୀମାରେ ଏହି ବିମାନ ଓ ତାହାର କଲ୍ ସାଇନକୁ ଠାବ କରାଯାଇଥିବାରୁ ଦୁଇ ଭଉଣୀ ଦିଲ୍ଲୀରେ ପହଂଚି ଥିବା ଅନୁମାନ କରାଯାଉଛି । ବାଂଲାଦେଶ ବିମାନ ବାହିନୀର ଏହି ବିମାନ ପାଟନା ଅତିକ୍ରମ କରି ଉତ୍ତର ପ୍ରଦେଶ-ବିହାର ସୀମାରେ ଦେଖିବାକୁ ମିଳିଥିଲା । ସନ୍ଧ୍ୟାରେ ବିମାନଟି ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରିବା ଆଶା କରାଯାଉଛି ବୋଲି ଏକ ସମ୍ବାଦ ସରବରାହ ସଂସ୍ଥା ରିପୋର୍ଟରୁ ସୂଚନା ମିଳିଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS