ଭିନେଶଙ୍କ ପାଇଁ ସମସ୍ତେ ଦୁଃଖି…
ପ୍ରସାଦ ରାଓ
୦୭ ଅଗଷ୍ଟ
ଭାରତୀୟ ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗଟ ପ୍ୟାରିସ ଅଲିଂପିକ୍ସରେ ସ୍ୱର୍ଣ୍ଣ କିମ୍ବା ରୌପ୍ୟ ପଦକ ବିଜୟୀ ହେବା ଏକ ପ୍ରକାର ନିଶ୍ଚିତ ଥିଲା । ଭିନେଶ ମଂଗଳବାର ଦିନ ୫୦ କେଜି ଓଜନ ବର୍ଗରେ ମହିଳା ଫ୍ରିଷ୍ଟାଇଲ କୁସ୍ତିରେ ଗତ ଟୋକିଓ ଅଲିଂପିକ୍ସ ବିଜୟିନୀ ତଥା ଚାରି ଥରର ବିଶ୍ୱ ଚାଂପିଅନ ଜାପାନର ୟୁଇ ସୁସାକିଙ୍କୁ ୩-୨ ପଏଂଟରେ ପରାଜିତ କରି ଇତିହାସ ରଚିବା ପରେ ୟୁରୋପିଆନ୍ ଚାଂପିଅନସିପ୍ ବିଜୟିନୀ ୟୁକ୍ରେନର ଓକସାନା ଲିଭାଚଙ୍କୁ ୭-୫ ପଏଂଟରେ ପରାଜିତ କରି ସେମିଫାଇନାଲରେ ପହଂଚି ଥିଲେ । ସେମିଫାଇନାଲରେ କ୍ୟୁବାର ୟୁସ୍ନିଲିସ୍ ଗଜମାନ୍ ଲୋପେଜଙ୍କୁ ୫-୦ ପଏଂଟରେ ହରାଇ ଫାଇନାଲରେ ପଦାର୍ପଣ କରିବା ପରେ ଭାରତ ତାଙ୍କଠାରୁ ଏକ ସ୍ୱର୍ଣ୍ଣ ବା ଅତିକମ୍ ରେ ଏକ ରୌପ୍ୟ ପଦକର ଆଶା ରଖିଥିଲା । ତେବେ, ଆଜି ଏହି ସ୍ୱପ୍ନ ଭଂଗ ହୋଇଛି । ଆଜି ସେ ଫାଇନାଲରେ ଆମେରିକାର ସାରା ଆନ୍ ହିଲଡେବ୍ରାଂଟଙ୍କ ସହ ମୁକାବିଲା କରି ଭାରତକୁ ଗୌରାବାନ୍ୱିତ କରିବାର ଆଶା ଉଜ୍ୱଳ ଥିବା ବେଳେ ସକାଳେ ଫାଇନାଲ ଖେଳ ପୂର୍ବରୁ ତାଙ୍କ ଓଜନ ମପା ଯାଇଥିଲା । ଓଜନ ୫୦ କେଜିରୁ ସାମାନ୍ୟ ଅଧିକ ଥିବା ଜଣାପଡିବା ପରେ ଭିନେଶଙ୍କୁ ପ୍ରତିଯୋଗିତାରୁ ବିଦା କରାଯାଇଥିବା ଦେଶ ପାଇଁ ଦୁଖଦ ଖବର ହୋଇଛି । ଫାଇନାଲରେ ଭାଗ ନେବାକୁ ସେ ରାତିସାରା ୱାର୍କଆଉଟ୍ କରିଥିବା ବେଳେ ସକାଳେ ଅଚାନକ କେମିତି ପ୍ରାୟ ଶହେ ଗ୍ରାମ ଓଜନ ବଢିଗଲା ଓ ସେ ପ୍ରତିଯୋଗିତାରୁ ବାଦ ପଡିଲେ (?) – ତାହା ହିଁ ସମସ୍ତଙ୍କୁ ବିସ୍ମିତ କରିଛି । ଭିନେଶ ହେଉଛନ୍ତି ପ୍ରଥମ ଭାରତୀୟ ମହିଳା କୁସ୍ତିଯୋଦ୍ଧା ଯିଏକି ବିଶ୍ୱର ତଥା ଅଲିଂପିକ୍ସର ୫୦ କେଜି ଓଜନ ବର୍ଗର ଚାଂପିଅନ୍ ୟୁଇ ସୁସାକିଙ୍କୁ ମଂଗଳବାର ପରାଜିତ କରିଥିଲେ ଓ ଅଲିଂପିକ୍ସ ଫାଇନାଲରେ ପହଂଚି ଥିଲେ । ପ୍ୟାରିସ ଅଲିଂପିକ୍ସର ମହିଳା ୫୦ କେଜି ଓଜନ ବର୍ଗ ଫାଇନାଲରେ ସ୍ୱର୍ଣ୍ଣ ବା ରୌପ୍ୟ ପଦକ ହାସଲ କରି ଭିନେଶ ଆଉ ଏକ ଇତିହାସ ରଚନା କରିବେ ବୋଲି ସମଗ୍ର ଦେଶ ଆଶା କରିଥିଲା । ମହିଳା କୁସ୍ତି ଫାଇନାଲକୁ ନେଇ ଦେଶରେ ଆଜି ଏକ ଉତ୍କଂଠାର ମାହୋଲ ଥିଲା । ତେବେ, ଭିନେଶ ପ୍ରତିଯୋଗିତାରେ ଭାଗ ନେବା ପୂର୍ବରୁ ମପା ଯାଇଥିବା ଓଜନରେ ୫୦ କେଜିରୁ ସାମାନ୍ୟ ଅଧିକ ଥିବା ଜଣାପଡିବା ପରେ ପ୍ୟାରିସ ଅଲିଂପିକ୍ସରୁ ପଦକ ବନା ବିଦା ନେଇଛନ୍ତି । କେବଳ ସ୍ୱର୍ଣ୍ଣ ବା ରୌପ୍ୟ ନୁହେଁ, ତାଙ୍କୁ କୌଣସି ପଦକ ବିନା ଖାଲି ହାତରେ ଫେରିବାକୁ ପଡୁଥିବାରୁ ଦେଶବ୍ୟାପୀ ଦୁଃଖଦ ବାତାବରଣ ସୃଷ୍ଟି ହୋଇଛି । ଓଜନ ମପାଯିବା ସମୟରେ ଖେଳାଳୀଙ୍କ ଓଜନ ନିର୍ଦ୍ଧାରିତ ଓଜନଠାରୁ ଗୋଟିଏ ଗ୍ରାମ ବି ଅଧିକ ଥିଲେ ତାଙ୍କୁ ଅଯୋଗ୍ୟ ଘୋଷଣା କରି ପ୍ରତିଯୋଗିତାରୁ ବିଦା କରାଯିବା ନିୟମ ଥିବାରୁ ଭିନେଶଙ୍କ କ୍ଷେତ୍ରରେ କିଛି କରିବା ସମ୍ଭବ ନୁହେଁ କହି ଦେଶର କୁସ୍ତି ବିଶେଷଜ୍ଞମାନେ ହାତ ଟେକି ଦେଇଥିବା ବେଳେ ଭାରତୀୟ ରାଜନେତାମାନେ ଏହାପଛରେ ଷଡଯନ୍ତ୍ରର ଗନ୍ଧ ବାରି ବୟାନବାଜୀ ଆରମ୍ଭ କରିଛନ୍ତି । ଭାରତ ସରକାର ତୁରନ୍ତ ଏଥିରେ ହସ୍ତକ୍ଷେପ କରନ୍ତୁ ବୋଲି ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଦାବି ଜୋର ଧରିଥିବା ବେଳେ ଭାରତୀୟ ଅଲିଂପିକ୍ ସଂଘ (ଆଇଓଏ) ଆଜି ଏକ ବୟାନରେ କହିଛି, ଫାଇନାଲ ଖେଳିବାକୁ ଥିବା ଭିନେଶଙ୍କ ଓଜନ ୫୦ କେଜିରେ ସ୍ଥିର ରଖିବାକୁ ଗତକାଲି ରାତିରେ ସମସ୍ତ ଉଦ୍ୟମ ହୋଇଥିଲେ ମଧ୍ୟ ଆଜି ସକାଳେ ତାଙ୍କ ଓଜନ ମପାଯିବା ବେଳେ ଓଜନ ୫୦ କେଜିରୁ ଶହେ ଗ୍ରାମ ଅଧିକ ଦେଖିବାକୁ ମିଳିଥିଲା । ତେଣୁ, ନିୟମ ଅନୁସାରେ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇ ପ୍ରତିଯୋଗିତାରୁ ବାଦ ଦିଆଯାଇଛି । ଆଇଓଏ ସଭାପତି ପିଟି ଉଷା କହିଛନ୍ତି, ଯାହା ଘଟିଛି ତାହା ଅତ୍ୟନ୍ତ ଦୁଖଦାୟକ । ଆଜି ସକାଳେ ଅଲିଂପିକ୍ ଗ୍ରାମରେ ଥିବା ପଲିକ୍ଲିନିକକୁ ଯାଇ ସେ ଭିନେଶଙ୍କୁ ଭେଟିଛନ୍ତି । ଆଇଓଏ, ଭାରତ ସରକାର ଓ ସମଗ୍ର ଦେଶ ତାଙ୍କ ପଛରେ ରହିଛି ବୋଲି ସେ ତାଙ୍କୁ ଆଶ୍ୱାସନା ଦେଇଛନ୍ତି । ଭିନେଶଙ୍କ ମାନସିକ ଓ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରଖିବା ଦିଗରେ ଆଇଓଏ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯାଇଛି ବୋଲି ସଭାପତି ପିଟି ଉଷା କହିଛନ୍ତି । ଭିନେଶଙ୍କୁ ଅଯୋଗ୍ୟ ଘୋଷଣା କରାଯିବା କଥାର ପୁନର୍ବିଚାର କରାଯିବାକୁ ଭାରତୀୟ ରେସଲିଂ ମହାସଂଘ (ଡବ୍ଲୁଏଫଆଇ) ୟୁଡବ୍ଲୁଡବ୍ଲୁକୁ ଆବେଦନ କରିଛି ଏବଂ ମହାସଂଘ ପକ୍ଷରୁ ସମସ୍ତ ସମ୍ଭାବ୍ୟ ଉଦ୍ୟମ ଜାରି ରହିଛି ବୋଲି ଆଇଓଏ ପକ୍ଷରୁ କୁହାଯାଇଛି । ସମଗ୍ର ଦେଶ ତାଙ୍କ ସହ ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗଟ (୨୯)ଙ୍କୁ ଆଶ୍ୱାସନା ଦେଇଥିବା ବେଳେ ଦେଶର ସମସ୍ତ ରାଜନୈତିକ ଦଳର ନେତାମାନେ ଭିନେଶଙ୍କ ପ୍ରତି ସହାନୁଭୂତି ଜଣାଇବା ସହ ଭିନେଶଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ପଛରେ ଷଡଯନ୍ତ୍ର ବା ଅଶୂୟା ଭାବ ଥିବା ଦର୍ଶାଇ ଭାରତ ସରକାର ତୁରନ୍ତ ହସ୍ତକ୍ଷେପ କରନ୍ତୁ ବୋଲି ଦାବି ଉପସ୍ଥାପନ କରିଛନ୍ତି । ଭିନେଶଙ୍କ ସମେତ ଅନ୍ୟୁନ ସାତ ଜଣ ମହିଳା କୁସ୍ତିଯୋଦ୍ଧା ବିଗତ ବର୍ଷରେ ଭାରତୀୟ କୁସ୍ତିଯୋଦ୍ଧା ମହାସଂଘ (ଡବ୍ଲୁଏଫଆଇ)ର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନାଚାର ଅଭିଯୋଗ ଆଣି ଦେଶବ୍ୟାପୀ ଚହଳ ସୃଷ୍ଟି କରିଥିଲେ । ବ୍ରିଜ ଭୂଷଣଙ୍କ ଗିରଫ ଦାବିରେ ଭିନେଶଙ୍କ ନେତୃତ୍ୱରେ ଦିଲ୍ଲୀ ‘ଯନ୍ତର ମନ୍ତର’ରେ ଦୀର୍ଘ ଦିନ ଧାରଣା ଚାଲିଥିଲା । ପରେ, ଦିଲ୍ଲୀ ପୁଲିସ ଅଭିଯୋଗର ତଦନ୍ତ କରି ଦିଲ୍ଲୀର ଏକ ଅଦାଲତରେ ବ୍ରିଜ ଭୂଷଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛନ୍ତି । ମାମଲାର ବିଚାରଣା ଚାଲିଛି । ବିଜେପି ସାଂସଦ ଥିବା ବ୍ରିଜ ଭୂଷଣ ଶରଣ ସିଂହ ଏହି ଅଭିଯୋଗ କାରଣରୁ ୨୦୨୪ ନିର୍ବାଚନରେ ଦଳୀୟ ଟିକଟରୁ ବଂଚିତ ହୋଇଥିଲେ । ବ୍ରିଜ ଭୂଷଣ ଶରଣ ସିଂହ ଭାରତୀୟ କୁସ୍ତି ମହାସଂଘ ସଭାପତି ପଦରୁ ବିଦା ନେଇଥିଲେ ମଧ୍ୟ ତାଙ୍କର ଜଣେ ଘନିଷ୍ଠ ସଂଜୟ ସିଂହ ଡବ୍ଲୁଏଫଆଇ ସଭାପତି ନିର୍ବାଚିତ ହୋଇ ମହାସଂଘର ପରିଚାଳନା କରୁଛନ୍ତି । ଭିନେଶଙ୍କୁ ପ୍ୟାରିସ ଅଲିଂପିକ୍ସରେ ଭାଗ ନେବାରେ ମହାସଂଘ ସମସ୍ତ ପ୍ରକାର ସହଯୋଗ କରିଥିବା ସଂଜୟ ସିଂହ ଆଜି ଗଣମାଧ୍ୟମରେ କହିଛନ୍ତି । ଭିନେଶ ପ୍ୟାରିସ ଅଲିଂପିକ୍ସ ୫୦ କେଜି ମହିଳା ଫ୍ରିଷ୍ଟାଇଲ କୁସ୍ତି ବର୍ଗରେ ଫାଇନାଲରେ ପହଂଚି ମଧ୍ୟ ଆଜି ସାମାନ୍ୟ ଓଜନ ବୃଦ୍ଧି କାରଣରୁ ଅଯୋଗ୍ୟ ଘୋଷିତ ହୋଇ ପ୍ରତିଯୋଗିତାରୁ ବିଦା ହେବା ସ୍ୱାଭାବିକ ଘଟଣା ବୋଲି ଆଇଓଏ କହୁଥିବା ବେଳେ ବିରୋଧୀ ଏହା ପଛରେ ଷଡଯନ୍ତ୍ରର ଗନ୍ଧ ବାରିବା ଅତୀତର ସେହି ଘଟଣାବଳୀ ପ୍ରତି ଇଂଗିତ ନୁହେଁ ତ ?
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS