ଶେଖ ହସିନାଙ୍କୁ ଗିରଫ କରି ହସ୍ତାନ୍ତର କରିବାକୁ ବାଂଲାଦେଶରୁ ଦାବି !
ପ୍ରସାଦ ରାଓ
୦୭ ଅଗଷ୍ଟ
ବାଂଲାଦେଶରେ ଏକ ବଡ ଷଡଯନ୍ତ୍ରର ଶିକାର ହୋଇ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ଓ ଭାରତକୁ ପଳାଇ ଆସିଥିବା ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଭାରତ ସରକାର ଗିରଫ କରି ବାଂଲାଦେଶକୁ ହସ୍ତାନ୍ତର କରନ୍ତୁ ବୋଲି ବାଂଲାଦେଶ ସୁପ୍ରିମ କୋର୍ଟ ବାର ଆସୋସିଏସନ ସଭାପତି ଏଏମ ମହବୁବ ଉଦ୍ଦିନ ଖୋକନ ଭାରତ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଥିବା ଡେଲି ଷ୍ଟାର୍ ରିପୋର୍ଟରୁ ସୂଚନା ମିଳିଛି । ଏସସିବିଏ ସଭାପତି ଖୋକନ ଏକ ବିବୃତିରେ କହିଛନ୍ତି, ‘ଆମେ ଭାରତ ସହ ସୁସଂପର୍କ ରକ୍ଷା କରିବାକୁ ଚାହୁଁଛୁ । ଦୟାକରି ଦେଶଛାଡି ପଳାଇ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଓ ତାଙ୍କ ଭଉଣୀ ଶେଖ ରେହାନାଙ୍କୁ ଗିରଫ କରି ବାଂଲାଦେଶକୁ ହସ୍ତାନ୍ତର କରନ୍ତୁ । ଶେଖ ହସିନା ବାଂଲାଦେଶରେ ବହୁ ଲୋକଙ୍କୁ ହତ୍ୟା କରିଛନ୍ତି ।’ ଏଠାରେ ସୂଚନାଯୋଗ୍ୟ, ବାଂଲାଦେଶରେ ସ୍ୱାଧୀନତା ସଂଗ୍ରାମୀଙ୍କ ପିଲାଙ୍କ ପାଇଁ ୩୦ ପ୍ରତିଶତ ସ୍ଥାନ ସଂରକ୍ଷଣ କୋଟା ଧାର୍ଯ୍ୟ କରାଯିବା ପ୍ରସ୍ତାବ ବିରୋଧରେ ଗତ ଜୁଲାଇ ମାସରୁ ଛାତ୍ର ଆନ୍ଦୋଳନ ଚାଲିଥିଲା ଏବଂ ତାହା ହିଂସାତ୍ମକ ମୋଡ ନେଇ ପୁଲିସ ସହ ସଂଘର୍ଷରେ ୩୦୦ରୁ ଅଧିକ ମୃତ୍ୟୁ ଘଟିଛି । ଗତ ରବିବାର ଦିନ ଛାତ୍ର ଆନ୍ଦୋଳନ ଅଧିକ ହିଂସାତ୍ମକ ହେବା ସହ ପୁଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ସଂଘର୍ଷରେ ଗୋଟିଏ ଦିନରେ ପାଖାପାଖି ଶହେ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ସୋମବାର ଆନ୍ଦୋଳନକାରୀ ଛାତ୍ରମାନେ ଢାକାରେ ଥିବା ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନକୁ କବ୍ଚା କରିନେବା ସହ ବ୍ୟାପକ ଲୁଟପାଟ କରିଛନ୍ତି । ପ୍ରଧାନମନ୍ତ୍ରୀ ଶେଖ ହସିନା ନିଜ ପଦରୁ ଇସ୍ତଫା ଦେଇ ଦେଶ ଛାଡିବାକୁ ସେନା ତାଙ୍କୁ ମାତ୍ର ୪୫ ମିନିଟ ସମୟ ଦେଇଥିଲେ । ବାଂଲାଦେଶ ସେନାର ନିର୍ଦେଶ ମାନି ଶେଖ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ବାଂଲାଦେଶ ବାୟୁ ସେନାର ଏକ ଯୁଦ୍ଧ ବିମାନରେ ଢାକାରୁ ଭାରତ ଚାଲି ଆସି ହିଣ୍ଡେନସ୍ଥିତ ଭାରତୀୟ ବାୟୁସେନାର ବିମାନ ଘାଟିରେ ଅବତରଣ କରିବା ପରେ ଭଉଣୀ ଶେଖ ରେହାନାଙ୍କ ସହ ଶେଖ ହସିନାଙ୍କୁ ସୁରକ୍ଷିତ ଆଶ୍ରୟ ଦିଆଯାଇଛି । ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଭାରତରେ ରାଜନୈତିକ ଆଶ୍ରୟ ଦିଆଯିବ କି ନାହିଁ ସେନେଇ ଭାରତ ସରକାର ଏପର୍ଯ୍ୟନ୍ତ କୌଣସି ନିର୍ଣ୍ଣୟ ନେଇ ନଥିବା ବେଳେ ହସିନା କୌଣସି ଏକ ୟୁରୋପିୟ ରାଷ୍ଟ୍ରକୁ ଯାଇ ରାଜନୈତିକ ଆଶ୍ରୟ ନେଇ ପାରନ୍ତି ବୋଲି ସମ୍ଭାବନା ସୃଷ୍ଟି ହୋଇଛି । ଏଭଳି ସ୍ଥିତିରେ, ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଓ ତାଙ୍କ ଭଉଣୀ ଶେଖ ରେହାନାଙ୍କୁ ବାଂଲାଦେଶକୁ ହସ୍ତାନ୍ତର କରାଯାଉ ବୋଲି ବାଂଲାଦେଶ ସୁପ୍ରିମ କୋର୍ଟ ବାର ଆସୋସିଏସନ ସଭାପତି ଖୋକନ ଭାରତ ସରକାରଙ୍କୁ ନିବେଦନ କରିଥିବା ଭାରତ ସରକାରଙ୍କୁ ଚିନ୍ତାରେ ପକାଇଛି । ବାଂଲାଦେଶରେ ଗତକାଲିଠାରୁ ସେନା ନିରୀକ୍ଷଣରେ ଏକ ଅନ୍ତରୀଣ ସରକାର ପ୍ରତିଷ୍ଠା ହୋଇଛି । ବାଂଲାଦେଶ ପରିସ୍ଥିତି ଭାରତ ପାଇଁ ବଡ ଚିନ୍ତାର କାରଣ ହୋଇଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS