ରେସଲିଂକୁ ‘ଅଲବିଦା’ କହିଲେ ଭିନେଶ ଫୋଗଟ୍ !
ପ୍ରସାଦ ରାଓ
୦୮ ଅଗଷ୍ଟ
ଭାରତର ଚାଂପିଅନ୍ ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗଟ ପ୍ୟାରିସ ଅଲିଂପିକ୍ସରେ ସ୍ୱର୍ଣ୍ଣ ପଦକଠାରୁ ମାତ୍ର ପାଦେ ଦୂରରେ ଥିବା ବେଳେ ଗତକାଲି ଓଜନ ମାତ୍ର ଶହେ ଗ୍ରାମ ଅଧିକ ଥିବାରୁ ଅଯୋଗ୍ୟ ଘୋଷିତ ହୋଇ ଲଢେଇରୁ ବାଦ୍ ପଡିବା ପରେ ସଂପୂର୍ଣ୍ଣ ଭାବେ ଭାଂଗି ପଡିଛନ୍ତି । ‘କୁସ୍ତି ମୋତେ ଜିତି ଯାଇଛି, ମୁଁ ହାରି ଯାଇଛି । କ୍ଷମା କରିବେ, ଆପଣଙ୍କ ସ୍ୱପ୍ନ ଓ ମୋ ମନୋବଳ – ସବୁ ଭାଂଗି ଯାଇଛି । ଆଉ ଲଢିବା ପାଇଁ ତାକତ୍ ନାହିଁ । ଅଲବିଦା କୁସ୍ତି ୨୦୦୧ରୁ ୨୦୨୪ । ସର୍ବଦା ଆପଣମାନଙ୍କ ଋଣି ରହିବ’ ବୋଲି ଭିନେଶ ତାଙ୍କ ମା’ଙ୍କ ଉଦ୍ଦେଶ୍ୟରେ ଆଜି ‘ଏକ୍ସ’ରେ ହିନ୍ଦିରେ ଏକ ପୋଷ୍ଟ୍ କରିବା ପରେ ଆନ୍ତର୍ଜାତିକ କୁସ୍ତିରୁ ସେ ଅବସର ନେଉଥିବା ଆଲୋଚନା ଜୋର ଧରିଛି । ମଂଗଳବାର ଦିନ ସେ ମହିଳା କୁସ୍ତି ୫୦ କେଜି ବର୍ଗରେ ଟୋକିଓ ଅଲିଂପିକ୍ସ ବିଜୟିନୀ ତଥା ଚାରି ଥରର ବିଶ୍ୱ ଚାଂପିଅନ ଜାପାନର ୟୁଇ ସୁସାକିଙ୍କୁ ୩-୨ ପଏଂଟରେ ପରାଜିତ କରି ଇତିହାସ ରଚିବା ପରେ ୟୁରୋପିଆନ୍ ଚାଂପିଅନସିପ୍ ବିଜୟିନୀ ୟୁକ୍ରେନର ଓକସାନା ଲିଭାଚଙ୍କୁ ୭-୫ ପଏଂଟରେ ପରାଜିତ କରି ସେମିଫାଇନାଲରେ ପହଂଚି ଥିଲେ । ସେମିଫାଇନାଲରେ କ୍ୟୁବାର ମହିଳା କୁସ୍ତିଯୋଦ୍ଧା ୟୁସ୍ନିଲିସ୍ ଗଜମାନ୍ ଲୋପେଜଙ୍କୁ ୫-୦ ପଏଂଟରେ ପରାଜିତ କରି ଫାଇନାଲରେ ପହଂଚି ଯାଇଥିଲେ । ବୁଧବାର ସ୍ୱର୍ଣ୍ଣ ପାଇବା ପାଇଁ ସେ ଆମେରିକାର ସାରା ଆନ୍ ହିଲଡେବ୍ରାଂଟଙ୍କ ସହ ମୁକାବିଲା କରିବାକୁ ଥିଲା । ଅତିକମ୍ ରେ ଭାରତକୁ ମହିଳା ଫ୍ରିଷ୍ଟାଇଲ କୁସ୍ତରେ ରୌପ୍ୟ ପଦକଟିଏ ମିଳିବା ଆଶା ଉଜ୍ୱଳ ଥିଲା । ସମଗ୍ର ଦେଶ ଏହି ଫାଇନାଲକୁ ଅପେକ୍ଷା କରିଥିବା ବେଳେ ପ୍ରତିଯୋଗିତା ପୂର୍ବରୁ ତାଙ୍କ ଓଜନ ମପା ଯାଇ ଓଜନ ୫୦.୧ କେଜି ଥିବାରୁ ତାଙ୍କୁ ଫାଇନାଲରେ ଭାଗ ନେବାକୁ ଅଯୋଗ୍ୟ ଘୋଷଣା କରାଯାଇ ବିନା କୌଣସି ପଦକରେ ଅଲିଂପିକ୍ସରୁ ବିଦାୟ କରାଯାଇଥିଲା । ମାତ୍ର ୧୦୦ ଗ୍ରାମ ଓଜନ ଅଧିକ ଥିବାରୁ ଭିନେଶଙ୍କୁ ସ୍ୱର୍ଣ୍ଣ ପାଇଁ ଫାଇନାଲ ଲଢେଇରୁ ବିଦା କରାଯିବା ଦେଶବାସୀ ସହଜରେ ଗ୍ରହଣ କରିପାରୁ ନାହାନ୍ତି । ଓଜନ ହ୍ରାସ କରି ଫାଇନାଲରେ ଭାଗ ନେବା ସୁଯୋଗ ମଧ୍ୟ ତାଙ୍କୁ ଦିଆଯାଇନାହିଁ । ଏହା ଭିନେଶଙ୍କ ପ୍ରତି ଅନ୍ୟାୟ ବୋଲି ଦେଶବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଇଛି । ପ୍ରଧାନମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରିବାକୁ ଦେଶର ସମସ୍ତ ବିରୋଧୀ ରାଜନେତା ଗତକାଲିଠାରୁ ଦାବି କରୁଛନ୍ତି ଏବଂ ଆବଶ୍ୟକତା ପଡିଲେ ଭାରତ ଅଲିଂପିକ୍ସରୁ ଓହରି ଯିବ ବୋଲି ଚେତାବନୀ ଦେଉ ବୋଲି ସେମାନେ ସରକାରଙ୍କୁ ଅନୁରୋଧ କରିଛନ୍ତି । ତେବେ, ନିୟମ ସମସ୍ତଙ୍କ ପାଇଁ ସମାନ ବୋଲି କହି ବିଶ୍ୱ ରେସଲିଂ ଫେଡେରେସନ ଗତକାଲିର ନିଷ୍ପତ୍ତିରେ ଅଟଳ ରହିଥିବା ବେଳେ ଭିନେଶ ପ୍ୟାରିସରେ ଥାଇ ପ୍ୟାରିସ ଅଲିଂପିକ୍ସରେ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ନିଷ୍ପତ୍ତି ବିରୋଧରେ କାସ୍ (କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର୍ ସ୍ପୋର୍ଟସ୍) ଆବେଦନ କରିଛନ୍ତି । ଭିନେଶ ତିନି ଥର ଅଲିଂପିକ୍ସରେ ଭାଗ ନେଇଥିବା ଭାରତୀୟ ମହିଳା କୁସ୍ତିଯୋଦ୍ଧା । ପୂର୍ବ ଦୁଇ ଥର ବିଭନ୍ନ କାରଣରୁ ସେ ପଦକରୁ ବଂଚିତ ହୋଇଥିବା ବେଳେ ପ୍ୟାରିସ ଅଲିଂପିକ୍ସରେ ଫାଇନାଲରେ ପହଂଚି ସ୍ୱର୍ଣ୍ଣ ବିଜୟ ଆଶା ଉଜ୍ଜିବୀତ କରିଥିଲେ । ସେ ପୂର୍ବରୁ ଏସୀୟ ଓ ରାଜ୍ୟଗୋଷ୍ଠୀ (କମନୱେଲ୍ଥ) କ୍ରୀଡାରେ ସ୍ୱର୍ଣ୍ଣ ବିଜେତା ରହିଛନ୍ତି । ତାଙ୍କୁ ପ୍ୟାରିସ ଅଲିଂପିକ୍ସରେ ସ୍ୱର୍ଣ୍ଣ ନଦେଲେ ମଧ୍ୟ ଯୁଗ୍ମ ରୌପ୍ୟ ପଦକ ବିଜେତା ଭାବେ ଘୋଷଣା କରାଯାଉ ବୋଲି ଭିନେଶ ଆବେଦନ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ, ଭିନେଶ ବୁଧବାର ଫାଇନାଲରେ ଭାଗ ନେବାକୁ ଅଯୋଗ୍ୟ ଘୋଷିତ ହେବା ପରେ ମଂଗଳବାର ସେମିଫାଇନାଲରେ ସେ ପରାଜିତ କରିଥିବା କ୍ୟୁବା ରେସଲର୍ ୟୁସ୍ନିଲିସ୍ ଗଜମାନ୍ ଲୋପେଜଙ୍କୁ ଫାଇନାଲରେ ଭାଗ ନେବା ସୁଯୋଗ ମିଳିଥିଲା । ଆମେରିକାର ମହିଳା କୁସ୍ତିଯୋଦ୍ଧା ସାରା ଆନ୍ ହିଲଡେବ୍ରାଂଟ ଫାଇନାଲରେ କ୍ୟୁବା ମହିଳା କୁସ୍ତିଯୋଦ୍ଧା ଲୋପେଜ୍ ଙ୍କୁ ପରାଜିତ କରି ସ୍ୱର୍ଣ୍ଣ ବିଜେତା ହୋଇଥିବା ବେଳେ ଲୋପେଜ୍ ରୌପ୍ୟ ପଦକ ବିଜୟିନୀ ହୋଇଛନ୍ତି । ପ୍ୟାରିସ ଅଲିଂପିକ୍ସରେ ଫାଇନାଲରେ ପହଂଚି ମଧ୍ୟ ଅଯୋଗ୍ୟ ଘୋଷିତ ହେବା କାରଣରୁ ପ୍ରତିଯୋଗିତାରୁ ବାଦ୍ ପଡିଥିବା ଭିନେଶ କ୍ୟୁବା ମହିଳା କୁସ୍ତିଯୋଦ୍ଧା ଲୋପେଜଙ୍କ ସହ ତାଙ୍କୁ ଯୁଗ୍ମ ରୌପ୍ୟ ବିଜେତା ଘୋଷଣା କରାଯିବାକୁ ‘କାସ୍’ରେ ଆବେଦନ କରିଛନ୍ତି । ପ୍ୟାରିସ ଅଲିଂପିକ୍ସରେ ଭାଗ ନେଇଥିବା ଖେଳାଳୀଙ୍କ ଆଡୁ କୌଣସି ପ୍ରକାର ଅଭିଯୋଗ ଆସିଲେ ତାହା ଶୁଣିବା ପାଇଁ ‘କାସ୍’ ପ୍ୟାରିସରେ ଏକ ଆଡ-ହକ ଡିଭିଜନ ପ୍ରତିଷ୍ଠା କରିଛି । ଭିନେଶଙ୍କ ଆବେଦନ ଉପରେ ଆଜି ଶୁଣାଣୀ ହେବା ଆଶା କରାଯାଉଛି । ଭିନେଶ ଫୋଗଟ (୨୯) ସ୍ୱଭାବତଃ ୫୩ କେଜି ବର୍ଗ ମହିଳା ଫ୍ରିଷ୍ଟାଇଲ କୁସ୍ତିରେ ଭାଗ ନେଉଥିଲେ । ପ୍ୟାରିସ ଅଲିଂପିକ୍ସ ପାଇଁ ସେ ନିଜର ଓଜନ କମାଇ ଥିଲେ ଓ ୫୦ କେଜି ବର୍ଗରେ ଭାଗ ନେଇଥିଲେ । ଫାଇନାଲରେ ପହଂଚିବା ପର୍ଯ୍ୟନ୍ତ ସେ ନିଜ ଓଜନ ୫୦ କେଜି ବଜାୟ ରଖି ଥିଲେ ମଧ୍ୟ ସେମିଫାଇନାଲ ଖେଳରେ ବିଜୟ ହେବା ବେଳକୁ ତାଙ୍କ ଓଜନ ତିନି କେଜି ବଢି ଯାଇଥିଲା । ଓଜନ ୫୦ କେଜିକୁ କମାଇବାକୁ ସେ ମଂଗଳବାର ରାତିରେ ନ ଶୋଇ ସମସ୍ତ ପ୍ରକାର ବ୍ୟାୟାମ କରିଥିଲେ । ତେବେ, ଫାଇନାଲ ପୂର୍ବରୁ ଓଜନ ମାପିବା ବେଳକୁ ତାଙ୍କ ଓଜନ ୫୦.୧ କେଜି ରହି ଯାଇଥିଲା । କିଛି ଅଧିକ ସମୟ ବ୍ୟାୟମ କରିବାକୁ ସୁଯୋଗ ମିଳିଥିଲେ ସେ ଶହେ ଗ୍ରାମ ଓଜନକୁ ମଧ୍ୟ କମାଇ ପାରିଥା’ନ୍ତେ । କିନ୍ତୁ, ପ୍ୟାରିସ ଅଲିଂପିକ୍ସରେ ତାଙ୍କୁ ସେହି ସୁଯାଗ ଦିଆନଯାଇ ସିଧାସଳଖ ପ୍ରତିଯୋଗିତାରୁ ଅଯୋଗ୍ୟ ଘୋଷଣା କରାଗଲା । ସ୍ୱର୍ଣ୍ଣ ବା ରୌପ୍ୟ ପଦକୁ ବଂଚିତ ହୋଇଥିବା ଭିନଶ ଫୋଗଟ ସଂପୂର୍ଣ୍ଣ ଭାବେ ଭାଂଗି ପଡି ଆଜି ମହିଳା ରେସଲିଂରୁ ଅବସର ନେଉଥିବା ଘୋଷଣା କରିଥିବା ବେଳେ ସେ ସ୍ୱର୍ଣ୍ଣ ବିଜୟୀ ହୋଇନଥିଲେ ବି ଭାରତ ପାଇଁ ସେ ସ୍ୱର୍ଣ୍ଣ ବିଜୟିନୀ ରହିଛନ୍ତି ଓ ରହିବେ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ‘ଏକ୍ସ’ରେ ଆଶ୍ୱାସନା ଦେଇଥିବା ବେଳେ ଭିନେଶଙ୍କୁ ପ୍ୟାରସ୍ ଅଲିଂପିକ୍ସରେ ଅଯୋଗ୍ୟ ଘୋଷଣା କରାଯିବା ବିଷୟ ଉପରେ ସଂସଦରେ ଆଲୋଚନା କରାଯିବାକୁ ଆଜି ବିରୋଧୀ ‘ଇଣ୍ଡି’ ମେଂଟ ସାଂସଦମାନେ ରାଜ୍ୟସଭାରେ ଦାବି କରିଥିଲେ । ରାଜ୍ୟସଭା ଅଧ୍ୟକ୍ଷ ସେମାନଙ୍କ ଦାବିକୁ ଗ୍ରହଣ ନକରିବାରୁ ବିରୋଧୀ ସାଂସଦ କକ୍ଷତ୍ୟାଗ କରିଛନ୍ତି । ରାଜ୍ୟସଭାରେ ବିରୋଧୀ ଦଳ ନେତା ଥିବା କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ‘ପ୍ୟାରିସ ଅଲିଂପିକ୍ସରେ ଭିନେଶଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ପଛରେ କାହା ହାତ ରହିଛି ?’ ବୋଲି ଗୃହରେ ପ୍ରଶ୍ନ ଉଠାଇ ହା ଉପରେ ଆଲୋଚନା ପାଇଁ ଦାବି କରିଥିଲେ । ତେବେ, ଗୃହର ଅଧ୍ୟକ୍ଷତା କରୁଥିବା ଉପ ରାଷ୍ଟ୍ରପତି ଜଗଦୀପ ଧନକର ଆଲୋଚନା ପାଇଁ ଅନୁମତି ନ ଦେବାରୁ ଟିଏମସି ସାଂସଦ ଡେରେକ ଓ’ବ୍ରେନ୍ ପାଟିତୁଣ୍ଡ କରିଥିଲେ । ରାଜ୍ୟସଭା ଅଧ୍ୟକ୍ଷ ଧନକର ଏଥିରେ କ୍ଷୁବ୍ଧ ହୋଇ ଗୃହରେ ଆପଣଙ୍କ ବ୍ୟବହାର ଅସୌଜନ୍ୟ ବୋଲି କହିବା ସହ ପୁଣି ଥରେ ଏମିତି କଲେ ଗୃହ ବାହାରକୁ ରାସ୍ତା ଦେଖାଇ ଦେବେ ବୋଲି ଚେତାବନୀ ଦେଇଥିଲେ । ରାଜ୍ୟସଭାରେ ବିରୋଧୀ ପାଟିତୁଣ୍ଡ କରିବା ସହ କକ୍ଷତ୍ୟାଗ କରିଥିଲେ । ବିରୋଧୀ ଭାବୁଛନ୍ତି ଭିନେଶଙ୍କ ପାଇଁ ସେମାନଙ୍କ ହୃଦୟ ହିଁ କାନ୍ଦୁଛି, ତେବେ ବାସ୍ତବରେ ସମଗ୍ର ଦେଶ ଦୁଃଖି । ଭିନେଶଙ୍କ ଅଯୋଗ୍ୟ ଘୋଷଣାକୁ ନେଇ ରାଜନୀତି କରାଯିବା ଠିକ ନୁହେଁ ବୋଲି ରାଜ୍ୟସଭା ଅଧ୍ୟକ୍ଷ ଧନକର ଗୃହରେ ମନ୍ତବ୍ୟ ରଖିଥିଲେ । ବୁଧବାର ଦିନ ଲୋକସଭାରେ ମଧ୍ୟ ବିରୋଧୀ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ମନସୁଖ ମାଣ୍ଡବ୍ୟଙ୍କ ଉତ୍ତରରେ ସନ୍ତୁଷ୍ଟ ନହୋଇ କକ୍ଷତ୍ୟାଗ କରିଥିଲେ ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS