ସପ୍ତାହାନ୍ତ ରାଜନୀତି : ବିଜୁ ବାବୁଙ୍କ ପ୍ରତି ଅବହେଳା ପାଇଁ ଦାୟି କାହାକୁ କରିବା ?
ପ୍ରସାଦ ରାଓ
ଅଗଷ୍ଟ ୧୧/୨୦୨୪
ଓଡ଼ିଶାରେ ବିଜେପି କ୍ଷମତାକୁ ଆସିବା ପରେ ପ୍ରବାଦ ପୁରୁଷ ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ ନେଇ ଶାସକ ବିଜେପି ଓ ବିରୋଧୀ ବିଜେଡ଼ି ମଧ୍ୟରେ କଳି ବଢିବାରେ ଲାଗିଛି । ରାଜ୍ୟ ବିଜେପି ସରକାର ବିଜୁ ବାବୁଙ୍କ ସ୍ମୃତି ସବୁ ନିଶ୍ଚିହ୍ନ କରି ଦେବାକୁ ବିଧିବଦ୍ଧ ଉଦ୍ୟମ ଆରମ୍ଭ କରିଥିବା ବିଜେଡ଼ି ଅଭିଯୋଗ କରୁଥିବା ବେଳେ ବିଜେପି କହୁଛି ବିଜେଡ଼ି ଶାସନରେ ହିଁ ବିଜୁ ବାବୁ ଅଧିକ ଅବହେଳାର ସମ୍ମୁଖୀନ ହୋଇଥିଲେ । ବିଜେପି କେବଳ ଓଡ଼ିଆ ଅସ୍ମିତାକୁ ପ୍ରାଧାନ୍ୟ ଦେଇ ରାଜ୍ୟରେ ବିଜୁ ବାବୁଙ୍କ ନାମରେ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମର ନାମ ବଦଳାଇ ପଂଚଶଖାଙ୍କ ନାମରେ ନାମିତ କରିଛି । ମୋହନ ମାଝୀ ସରକାର ୨୦୨୪-୨୫ ପାଇଁ ବିଧାନସଭାରେ ଆର୍ଥିକ ବଜେଟ ଉପସ୍ଥାପନ କରିବା ପରେ ଏହି କଳି ଆରମ୍ଭ ହୋଇଛି । ରାଜ୍ୟରେ ମୋହନ ମାଝୀଙ୍କ ସରକାର ପ୍ରତିଷ୍ଠା ହେବା ପରେ ବିଜେପି-ବିଜେଡ଼ି ସଂପର୍କ ଆରମ୍ଭ ହୋଇଥିଲା ସୌହାର୍ଦ୍ଧପୂର୍ଣ୍ଣ ସଂପର୍କରୁ । ମୁଖ୍ୟମନ୍ତ୍ରୀ ମାଝୀ ଶପଥ ଗ୍ରହଣ କରିବା ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବ୍ୟକ୍ତିଗତ ଭାବେ ଭେଟି ଜନତା ମଇଦାନରେ ଆୟୋଜିତ ସମାରୋହକୁ ନିମନ୍ତ୍ରଣ କରିଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ମଧ୍ୟ ବିନମ୍ରତାର ସହ ଏହି ନିମନ୍ତ୍ରଣକୁ ଗ୍ରହଣ କରି ଶପଥ ଗ୍ରହଣ ସମାରୋହରେ ଯୋଗ ଦେଇଥିଲେ । ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିର କେନ୍ଦ୍ରୀୟ ନେତା ଓ ମନ୍ତ୍ରୀମାନେ ପୂର୍ବତନ ମୁଖ୍ୟମନ୍ତ୍ରୀ ପଟ୍ଟନାୟକଙ୍କୁ ମଂଚ ଉପରକୁ ପାଛୋଟି ନେଇ ଆଦର ସମ୍ମାନ ଦେଇଥିବା ରାଜ୍ୟବାସୀ ଦେଖିଥିଲେ । ଏହାପରେ, ରାଜ୍ୟ ବିଧାନସଭାର ପ୍ରଥମ ଅଧିବେଶନରେ ମଧ୍ୟ ଶାସକ ଦଳ ନୂଆରେ ବିରୋଧୀ ଦଳ ନେତା ଭୂମିକାକୁ ଆସିଥିବା ପଟ୍ଟନାୟକଙ୍କୁ ସ୍ୱାଗତ କରିବାରେ କୌଣସି ଅବହେଳା କରିନଥିଲେ । ମୁଖ୍ୟମନ୍ତ୍ରୀ ମାଝୀ ବିଧାନସଭା ଗୃହରେ ନିଜ ଆସନରୁ ଉଠି ପୂର୍ବତନ ମୁଖ୍ୟମନ୍ତ୍ରୀ ପଟ୍ଟନାୟକଙ୍କୁ ନମସ୍କାର କରିବା ସହ ସ୍ୱାଗତ ସଂଭାଷଣ ଜଣାଇ ଥିଲେ । ତେବେ, ବିଧାନସଭାର ବଜେଟ ଅଧବେଶନ ଆରମ୍ଭରେ ପ୍ରକୃତ ରାଜନୈତିକ ଖେଳ ଆରମ୍ଭ ହୋଇଥିଲା । ବିଧାନସଭାରେ ରାଜ୍ୟପାଳ ତାଙ୍କ ଭାଷଣ ରଖିବା ସମୟରେ ବିରୋଧୀ ଦଳ ନେତା ପଟ୍ଟନାୟକ ତାଙ୍କ ଆସନରୁ ଉଠି ରାଜ୍ୟପାଳଙ୍କ ପୁଅ ପୁରୀ ରାଜଭବନରେ କାର୍ଯ୍ୟରତ ଥିବା ଜଣେ ସରକାରୀ ଅଧିକାରୀଙ୍କୁ ମାଡ ମରିଥିବା ପ୍ରସଙ୍ଗ ଉଠାଇ ରାଜ୍ୟପାଳଙ୍କ ପୁଅକୁ ଗିରଫ କରାଯିବା ଦାବି ଉପସ୍ଥାପନ କରିଥିଲେ । ଓଡ଼ିଆ ଅସ୍ମିତା କଥା କହି ଓଡ଼ିଶାରେ ବିଜେଡପି ଶାସନକୁ ଆସିଥିବା ବେଳେ ଜଣେ ଓଡ଼ିଆ ଅଫିସରଙ୍କୁ ମାଡ ମାରିଥିବା ରାଜ୍ୟପାଳଙ୍କ ପୁଅକୁ ସରକାର ସୁରକ୍ଷା ଦେବା କି ପ୍ର୍ରକାର ଅସ୍ମିତା (!) ବୋଲି ବିଜେଡ଼ି ଓ କଂଗ୍ରେସ ବିଧାୟକମାନେ ସରକାରଙ୍କୁ ଘେରିବା ସହ ବିଧାନସଭାରେ କକ୍ଷତ୍ୟାଗ କରିଥିଲେ । ବିଧାନସଭାରେ ରାଜ୍ୟପାଳ ଭାଷଣ ଦେଉଥିବା ବେଳେ ବିରୋଧୀ ଦଳ ନେତା ତାଙ୍କ ପ୍ରତି ଅସମ୍ମାନ ପ୍ରଦର୍ଶନ କରିଥିବାରୁ ତାଙ୍କୁ ଗିରଫ କରାଯାଉ ବୋଲି ରାଜ୍ୟ ସରକାରଙ୍କ ଜଣେ ମନ୍ତ୍ରୀ ଗୃହରେ ଦାବି ଉପସ୍ଥାପନ କରି ଶାଳୀନତା ଭଂଗ କରିଥିବା ବେଳେ ଏହାକୁ ନେଇ ଶାସକ ଓ ବିରୋଧୀଙ୍କ ମଧ୍ୟରେ ସଂପର୍କ ତୀକ୍ତ ହୋଇଥିଲା । ଜୁଲାଇ ୨୫ ତାରିଖ ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟ ବିଧାନସଭାରେ ତାଙ୍କ ସରକାରର ପ୍ରଥମ ବିଜେଟ ଉପସ୍ଥାପନ କରିଥିଲେ । ପୂର୍ବ ସରକାର ଅମଳରେ ବିଜୁ ବାବୁଙ୍କ ନାମରେ ରାଜ୍ୟରେ ଯେଉଁ ସବୁ ପ୍ରକଳ୍ପ ଓ କାର୍ଯ୍ୟକ୍ରମ ଚାଲିଥିଲା ସେସବୁର ନାମ ପରିବର୍ତ୍ତନ କରାଯାଇ ବଜେଟରେ କିଛି ଅଧିକ ଅର୍ଥ ବ୍ୟବସ୍ଥା ସହ ସେସବୁ ପୁନଃ କାର୍ଯ୍ୟକାରୀ କରାଯିବାକୁ ଘୋଷଣା ହୋଇଥିବା ଦେଖି ବିଧାନସଭା ବାହାରେ ବିରୋଧୀ ଦଳ ନେତା ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ପଟ୍ଟନାୟକଙ୍କ ପ୍ରତିକ୍ରିୟା ଥିଲା, ମାଝୀ ସରକାର ବିଧାନସଭାରେ ଉପସ୍ଥାପନ କରିଥିବା ୨୦୨୪-୨୫ ବଜେଟରେ ନୂଆ କିଛି ନାହିଁ । ତାଙ୍କ ସରକାରଙ୍କ ଅମଳରେ କାର୍ଯ୍ୟକାରୀ କରାଯାଇଥିବା ୪୦ରୁ ଅଧିକ ପ୍ରକଳ୍ପର ନାମ ବଦଳାଇ, କିଛି ଅଧିକ ଆର୍ଥିକ ଅନୁଦାନ ବ୍ୟବସ୍ଥା କରି ମାଝୀ ସରକାର ନୂଆ ରୂପରେ ସେସବୁ ଉପସ୍ଥାପନ କରିଛନ୍ତି । ରାଜ୍ୟ ବିଜେପି ସରକାର ହେଉଛନ୍ତି କେବଳ ‘ନାମ ପରିବର୍ତ୍ତନ’ କରିବା ସରକାର । ସେମାନଙ୍କର କୌଣସି ନିଜସ୍ୱ ଯୋଜନା ନାହିଁ । ନବୀନଙ୍କ ଏହି ପ୍ରତିକ୍ରିୟା ରାଜ୍ୟ ରାଜନୀତିକୁ ଅଧିକ ସରଗରମ କରିଥିଲା । ପୂର୍ବ ସରକାର କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ହଡପ କରି ନିଜ ନାମରେ ଚଳାଇବା ସହ ଓଡ଼ିଶାବାସୀଙ୍କୁ ଭୂତାଉ ଥିଲେ ବୋଲି ବିଜେପି ନେତାମାନେ ଆକ୍ଷେପ କରିଥିଲେ । ବିଜୁ ବାବୁଙ୍କ ନାମରେ ପୂର୍ବ ସରକାର ଯେଉଁ ସବୁ ଯୋଜନା ଚଳାଇ ଥିଲେ ବର୍ତ୍ତମାନର ସରକାର ସେସବୁକୁ ବନ୍ଦ ନ କରି ଓଡ଼ିଶା ଅସ୍ମିତାର ପ୍ରତୀକ ପଂଚଶଖାଙ୍କ ନାମରେ ନାମିତ କରିଛନ୍ତି । ଏଥିରେ ଅସୁବିଧା ରହିଲା କେଉଁଠି ବୋଲି ମୁଖ୍ୟମନ୍ତ୍ରୀ ମାଝୀ ବିଧାନସଭା ବାହାରେ ପ୍ରତିକ୍ରିୟା ରଖି ବିରୋଧୀ ଦଳ ନେତାଙ୍କୁ ଘେରିଥିଲେ । ଧୀରେ ଧୀରେ ରାଜ୍ୟପାଳଙ୍କ ପୁଅ ପ୍ରସଙ୍ଗ ଥଣ୍ଡାବାକ୍ସକୁ ଚାଲି ଯାଇଥିବା ବେଳେ ରାଜ୍ୟ ସରକାର ବିଜୁ ବାବୁଙ୍କୁ ଅସମ୍ମାନ କରିଥିବା ପ୍ରସଙ୍ଗ ଏବେ ମଧ୍ୟ ପାଉଁଶ ଗଦାରେ କୁହୁଳୁଛି । ବିଜେଡ଼ି ସଭାପତି ତଥା ବିରୋଧୀ ଦଳ ନେତା ପଟ୍ଟନାୟକଙ୍କ ନୂତନ ରାଜନୈତିକ ସଚିବ ସଂତୃପ୍ତ ମିଶ୍ର ଗତ ଶୁକ୍ରବାର ଦିନ ଗଣମାଧ୍ୟମରେ ଦେଇଥିବା ବୟାନରୁ ଏକଥା ସ୍ପଷ୍ଟ । ମିଶ୍ର ତାଙ୍କ ବୟାନରେ କହିଛନ୍ତି, ରାଜ୍ୟ ବିଜେପି ସରକାର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଯେଭଳି ଅସମ୍ମାନ କରିଛନ୍ତି ତାହା ଗ୍ରହଣୀୟ ନୁହେଁ । ଗଣତନ୍ତ୍ର ପ୍ରତି ଏଭଳି ଅବମାନନା ବାଲାଂଦେଶ ଭଳି ପରିସ୍ଥିତିକୁ ଆମନ୍ତ୍ରଣ କରିପାରେ । ସଂତୃପ୍ତ ମିଶ୍ର ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ କର୍ପୋରେଟ ଜଗତ ଛାଡି ବିଜେଡ଼ିରେ ଯୋଗ ଦେବା ସହ କଟକ ଲୋକସଭା ଆସନରୁ ଦଳର ପ୍ରାର୍ଥୀ ହୋଇଥିଲେ । ନିର୍ବାଚନରେ ତାଙ୍କର ପରାଜୟ ଘଟିଛି । ବିଜେଡ଼ି ମଧ୍ୟ ଲୋକସଭାରେ ମୂଳପୋଛ ହୋଇଥିବା ବେଳେ ବିଧାନସଭାରେ ଆସନ ସଂଖ୍ୟା ୫୧କୁ ଖସି ଯିବାରୁ ମୁଖ୍ୟ ବିରୋଧୀ ଦଳ ଭୂମିକାରେ ରହିଛି । ରାଜ୍ୟସଭାରେ ବିଜେଡ଼ିର ୦୯ ଜଣ ସାଂସଦ ଥିଲେ । ମମତା ମହାନ୍ତଙ୍କ ଇସ୍ତଫା ପରେ ଏହି ସଂଖ୍ୟା ୦୮କୁ ଖସି ଆସିଛି । ୨୪ ବର୍ଷ ଧରି ଦଳ ଶାସନରେ ଥିଲା । ଅଚାନକ ଦଳ ଏଭଳି ଦୁର୍ଯୋଗର ସମ୍ମୁଖୀନ ହେବା ଦେଖି ବର୍ଷ ବର୍ଷ ଧରି ଦଳ ଭିତରେ ମୁହଁ ମାଡି ପଡି ରହିଥିବା ନେତାମାନେ ବିଦ୍ରୋହ କରିବା ଆରମ୍ଭ କରି ଦେଲେଣି । ନିର୍ବାଚନ ପରାଜୟ ପାଇଁ ସେମାନେ ଦଳର କିଛି ଆଗ ଧାଡିର ନେତାଙ୍କୁ ଦାୟି କରିବା ସହ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଚାହୁଁଥିଲେ । ବିଜେଡ଼ି ସଭାପତି ସେମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ସଂଗଠନର ପୁନର୍ବିନ୍ୟାସ କରିବା ସହ ନିର୍ବାଚନ ସମୟରେ ଭି.କେ.ପାଣ୍ଡିଆନ ନେଉଥିବା ଭୂମିକାରେ ସଂତୃପ୍ତ ମିଶ୍ରଙ୍କୁ ନିୟୋଜିତ କରିଛନ୍ତି । ମିଶ୍ରଙ୍କୁ ବିଜେଡ଼ି ସଭାପତିଙ୍କ ରାଜନୈତିକ ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ବିଧାନସଭା ନିର୍ବାଚନରେ ଦଳର ବିପର୍ଯ୍ୟୟ ଘଟି ନଥିଲେ ପାଣ୍ଡିଆନ ବିଜେଡ଼ିର ଦ୍ୱିତୀୟ ସର୍ବଶକ୍ତିମାନ ନେତା ହୋଇ ରହିଥା’ନ୍ତେ । ଦୁର୍ଯେ୍ୟାଗକୁ ୨୪ ବର୍ଷର ବିଜେଡ଼ି ସରକାରର ପତନ ଘଟିଲା ଓ ନବୀନ ମୁଖ୍ୟମନ୍ତ୍ରୀରୁ ରାଜ୍ୟ ବିଧାନସଭାରେ ବିରୋଧୀ ଦଳ ନେତା ଭୂମିକାକୁ ଚାଲି ଆସିଲେ । ବିଜଡ଼ିରେ ପାଣ୍ଡିଆନଙ୍କ ପରେ ତୃତୀୟ ପ୍ରଭାବଶାଳୀ ନେତା ଥିଲେ ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସ । ଏବେ, ପୁନର୍ଗଠିତ ବିଜେଡ଼ି ରାଜ୍ୟ ସାଂଗଠନିକ କମିଟିରୁ ବବିଙ୍କୁ ଦୂରେଇ ଦିଆଯାଇଥିବା ବେଳେ ଦଳର ଅନ୍ୟତମ ବରିଷ୍ଠ ନେତା ଦେବୀ ମିଶ୍ରଙ୍କୁ ଭରସା କରାଯାଇଛି । ତେବେ, ଦଳରେ ଏବେ ବି ପାଣ୍ଡିଆନ ଓ ବବିଙ୍କ ଅଦୃଶ୍ୟ ପ୍ରଭାବ ରହିଥିବା ଆଲୋଚନା ହେଉଛି । ଦଳରେ ଅନେକ ଅଭିଜ୍ଞ ନେତା ଥାଉ ଥାଉ ବିଜେଡ଼ି ସଭାପତି ପଟ୍ଟନାୟକ ନୂଆ କରି ରାଜନୀତିରେ ପାଦ ଥାପିଥିବା ସଂତୃପ୍ତ ମିଶ୍ରଙ୍କୁ ଭରସା କରି ନିଜର ରାଜନୈତିକ ସଚିବ ଭାବେ ନିଯୁକ୍ତି ଦେବା ଅନେକଙ୍କୁ ବିସ୍ମିତ କରିଥିଲା । ପୂର୍ବରୁ ନବୀନ ପ୍ରଶାସନିକ ଢାଂଚାରେ ଦଳକୁ ଚଳାଉ ଥିଲେ, ଏବେ ସେ କର୍ପୋରେଟ ଢାଂଚାରେ ଦଳକୁ ଚଳାଇବାକୁ ସଂତୃପ୍ତ ମିଶ୍ରଙ୍କୁ ନିଜର ରାଜନୈତିକ ସଚିବ କହିଛନ୍ତି ବୋଲି ଦଳ ଭିତରେ ଚର୍ଚ୍ଚା ହେଉଥିବା ବେଳେ ସଂତୃପ୍ତ ଶୁକ୍ରବାର ଦିନ ଗଣମାଧ୍ୟମରେ ରଖିଥିବା ରାଜନୈତିକ ବୟାନ ବିରୋଧୀଙ୍କୁ ମଧ୍ୟ ବିସ୍ମିତ କରିଛି । ରାଜ୍ୟ ବିଜେପି ସରକାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସ୍ମୃତି ସବୁ ନିଶ୍ଚିହ୍ନ କରିବାର ଯେଉଁ ପ୍ରୟାସ କରିଛନ୍ତି ତାହା ଦୁର୍ଭାଗ୍ୟଜନକ । ଗଣତନ୍ତ୍ର ପ୍ରତି ଆକ୍ରମଣ ବାଂଲାଦେଶ ଭଳି ପରିସ୍ଥିତିକୁ ଆମନ୍ତ୍ରଣ କରିପାରେ ବୋଲି ସଂତୃପ୍ତଙ୍କ ବୟାନରେ ବାଂଲାଦେଶ କଥା କାହିଁକି ଆସିଲା ତାହା କେହି ବୁଝିପାରୁ ନାହାନ୍ତି । ଏହା ପଛରେ ବିଜେଡ଼ି ସଭାପତିଙ୍କ ସହମତି ରହିଛି କି ନାହିଁ – ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ନୁହେଁ । ବାଂଲାଦେଶରେ ଯାହା ଘଟିଛି ତାହା ଗୋଟିଏ ଗଣତାନ୍ତ୍ରିକ ରାଷ୍ଟ୍ରର ଆଭ୍ୟନ୍ତରୀଣ ବ୍ୟାପାର । ଭାରତ ସରକାର ବାଲାଂଦେଶ ପରିସ୍ଥିତିକୁ ନେଇ କୌଣସି ବୟାନ ରଖିବା ବେଳେ ଅତ୍ୟନ୍ତ ସତର୍କତା ଅବଲମ୍ବନ କରୁଛନ୍ତି । ସଂତୃପ୍ତ କେମିତି ଓଡ଼ିଶାରେ ବିଜୁ ବାବୁଙ୍କ ପ୍ରତି ବିଜେପି ସରକାରଙ୍କ ଅବଜ୍ଞାକୁ ବାଂଲାଦେଶ ପରିସ୍ଥିତି ସହ ଯୋଡିଲେ ? ତାହା ହିଁ ଆଜିର ବଡ ପ୍ରଶ୍ନ । ସଂତୃପ୍ତଙ୍କ ବୟାନକୁ ନେଇ ବିଜେଡ଼ିର ଅନ୍ୟ ନେତାମାନେ ଚୁପ ରହିଥିବା ବେଳେ ବିଜେପିର ଜଣେ ଅଧେ ନେତା ପ୍ରତିକ୍ରିୟା ରଖିଛନ୍ତି । ସେମାନେ କହିଛନ୍ତି, ନବୀନଙ୍କ ୨୪ ବର୍ଷର ଶାସନରେ ହିଁ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଅଧିକ ଅବହେଳାର ସମ୍ମୁଖୀନ ହୋଇଛନ୍ତି । ସେତେବେଳ ରାଜ୍ୟ ସରକାର ବିଜୁ ବାବୁଙ୍କ ନାମରେ ରାଜ୍ୟର ସମସ୍ତ ପ୍ରକଳ୍ପର ନାମକରଣ କରିଥିଲେ ମଧ୍ୟ ସବୁ କେନ୍ଦ୍ରୀୟ ଯୋଜନାକୁ ହଡପ କରି ନିଜ ନାମରେ ଚଳାଇ ଥିଲେ । ବର୍ତ୍ତମାନ ବିଜେପି ସରକାର ଓଡ଼ିଆ ଅସ୍ମିତାକୁ ଗୁରୁତ୍ୱ ଦେଇ କାର୍ଯ୍ୟ କରୁଛନ୍ତି । ଓଡ଼ିଆ ଅସ୍ମିତାର ପ୍ରତୀକ ହୋଇ ରହିଥିବା ପଂଚଶଖାଙ୍କ ନାମରେ ରାଜ୍ୟର ବିଭିନ୍ନ ଯୋଜନାର ନାମକରଣ କରାଯିବାରେ କେଉଁଠି ଅସୁବିଧା ରହିଲା (?) ବୋଲି ସେମାନେ ପ୍ରଶ୍ନ କରୁଛନ୍ତି । ସଂତୃପ୍ତ ତାଙ୍କ ବୟାନରେ ବିଜୁ ବାବୁଙ୍କ ସମୟରେ ରାଜ୍ୟରେ କାର୍ଯ୍ୟକାରୀ ହୋଇଥିବା ପାରାଦୀପ ବନ୍ଦର ଓ ହୀରାକୁଦ ଡ୍ୟାମ୍ କଥା କହିଛନ୍ତି ସିନା ଚୌଦ୍ୱାର ଶିଳ୍ପାଂଚଳ ସଂପର୍କରେ ପଦଟିଏ କହି ନାହାନ୍ତି । ବିଜୁ ବାବୁଙ୍କ ଶାସନରେ ପ୍ରତିଷ୍ଠିତ ଏହି ଶିଳ୍ପାଂଚଳ ଆଜି ଦିନରେ ସମସ୍ତଙ୍କ ପାଇଁ ଏକପ୍ରକାର ଅଲୋଡା ହୋଇ ଯାଇଛି । ଏହି ଶିଳ୍ପାଂଚଳରେ ଥିବା ଶିଳ୍ପ ସବୁର ପୁନରୁଦ୍ଧାର ପାଇଁ ଗତ ୨୪ ବର୍ଷ ଭିତରେ କେତେ ଯେ ଦାବି ନ ହୋଇଛି ! କିନ୍ତୁ, ନବୀନ ସରକାର କର୍ଣ୍ଣପାତ କରି ନାହାନ୍ତି । ଚୌଦ୍ୱାର ଶିଳ୍ପାଂଚଳ ତାହାର ଗୁରୁତ୍ୱ ହରାଇ ଥିବା ଥିବା ବେଳେ ପୂର୍ବ ସରକାର ରାଜ୍ୟରେ ବୃହତ ଶିଳ୍ପ ପ୍ରତିଷ୍ଠାକୁ ଗରୁତ୍ୱ ଦେଇ ଶତାଧିକ ଏମଓୟୁ ସ୍ୱାକ୍ଷର କରିଥିଲେ । ସେଥିରୁ ଅଧିକାଂଶ ଏବେ ଏମଓୟୁ ସ୍ତରରେ ହିଁ ରହି ଯାଇଛି । ଏହା ବିଜୁ ବାବୁଙ୍କ ସ୍ମୃତି ପ୍ରତି ଅବହେଳା ନୁହେଁ କି (?) ବୋଲି ପ୍ରଶ୍ନ ହେଉଛି । ରାଜ୍ୟ ସରକାରଙ୍କ ଗତ ଜୁଲାଇ ୧୯ ତାରିଖ ଦିନ ଏକ ବିଜ୍ଞପ୍ତି ଜାରି କରି ରାଜ୍ୟର ସମ୍ମାନଜନକ ‘ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର’କୁ ‘ରାଜ୍ୟ ସରକାରଙ୍କ କ୍ରୀଡା ପୁରସ୍କାର’ ନାମରେ ନାମିତ କରିବାରୁ ରାଜ୍ୟରେ ତୁମ୍ବିତୋଫାନ ଆରମ୍ଭ ହୋଇଥିଲା । ବିଜୁ ପଟ୍ଟନାୟକଙ୍କ ପ୍ରତି ରାଜ୍ୟ ସରକାର ଅସମ୍ମାନ କରିଛନ୍ତି ବୋଲି ରାଜ୍ୟବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଇବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଣମାଧ୍ୟମ ସାମ୍ନାକୁ ଆସି ସରକାର ଏଭଳି କିଛି ନିଷ୍ପତ୍ତି ନେଇ ନାହାନ୍ତି, କ୍ରୀଡା ପୁରସ୍କାର ନାମ ଅପରିବର୍ତ୍ତିତ ରହିବ ବୋଲି ଘୋଷଣା କରିଥିଲେ । ଏହାପରେ, ୟୁନେସ୍କୋ କଳିଙ୍ଗ ପୁରସ୍କାରକୁ ନେଇ ବିବାଦର ସୂତ୍ରପାତ ହୋଇଛି । ବିଜ୍ଞାନର ପ୍ରଚାର ପ୍ରସାର ପାଇଁ ବିଜୁ ବାବୁ ୧୯୫୦ ମସିହାରେ କଳିଙ୍ଗ ଫାଉଣ୍ଡେସନ ଟ୍ରଷ୍ଟ ପ୍ରତିଷ୍ଠା କରିଥିଲେ ଏବଂ ୟୁନେସ୍କୋ ସହ ଆଲୋଚନା କରି ୧୯୫୨ରୁ ୟୁନୋସ୍କୋ କଳିଙ୍ଗ ପୁରସ୍କାର ପ୍ରଚଳନ କରିଥିଲେ । ବିଶ୍ୱ ପ୍ରସିଦ୍ଧ ବୈଜ୍ଞାନିକମାନଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି । ୨୦୦୨ ପର୍ଯ୍ୟନ୍ତ କଳିଙ୍ଗ ଫାଉଣ୍ଡେସନ ଏହି ପୁରସ୍କାରର ଖର୍ଚ୍ଚ ବହନ କରୁଥିଲା । ପରେ ଭାରତ ସରକାର, ଓଡ଼ିଶା ସରକାର ଓ ଫାଉଣ୍ଡେସନ ଟ୍ରଷ୍ଟ ମିଳିତ ଭାବେ ପୁରସ୍କାର ବାବଦ ଖର୍ଚ୍ଚ ବହନ କରୁଥିଲେ । ୨୦୦୮ରେ ୟୁନେସ୍କୋ ଏହାର ନୀତି, ନିୟମାବଳୀ, ପୁରସ୍କାରର ନାମ, ପୁରସ୍କାର ଅର୍ଥ ଓ ପୁରସ୍କାର ଅବଧି ସଂଶୋଧନ କଲା । ୨୦୦୯ରୁ କଳିଙ୍ଗ ପୁରସ୍କାରରେ ପରିବର୍ତ୍ତନ କରାଯାଇ ପୁରସ୍କାର ରାଶିକୁ ଦୁଇ ଗୁଣ କରାଗଲା । ସେବେଠାରୁ ଦୁଇ ବର୍ଷରେ ଥରେ ୟୁନେସ୍କୋ କଳିଙ୍ଗ ପୁରସ୍କାର ପ୍ରଦାନ କରାଯାଉଛି । କଳିଙ୍ଗ ଫାଉଣ୍ଡେସନ ଟ୍ରଷ୍ଟ କହିବା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ୭୨ ଜଣ ନୋବେଲ ପୁରୁସ୍କାର ବିଜେତା, ୫ ଜଣ ବୈଜ୍ଞାନିକ ଓ ୬ ଜଣ ବିଶିଷ୍ଟ ମହିଳା ବୈଜ୍ଞାନିକ ଏହି ପୁରସ୍କାର ପାଇଛନ୍ତି । ତେବେ, ଗତ ଜୁଲାଇ ୩୦ ତାରିଖରେ କେନ୍ଦ୍ର ସରକାରଙ୍କ ବିଜ୍ଞାନ ଓ ବୈଷୟିକ ବିଭାଗ କଳିଙ୍ଗ ଫାଉଣ୍ଡେସନ ଟ୍ରଷ୍ଟକୁ ଏକ ଇ-ମେଲ୍ ପଠାଇ ସରକାରଙ୍କ ବିଜ୍ଞାନ ମନ୍ତ୍ରଣାଳୟ ଓ ଏହା ଅଧିନସ୍ଥ ବିଭିନ୍ନ ସ୍ୱୟଂଶାସିତ ସଂସ୍ଥା ପକ୍ଷରୁ ଦିଆଯାଉଥିବା ବିଭିନ୍ନ ପୁରସ୍କାରକୁ ସୁସଂଗତ କରିବା ପାଇଁ ପଦକ୍ଷେପ ନିଆଯାଉଥିବାରୁ ୟୁନେସ୍କୋ କଳିଙ୍ଗ ପୁରୁସ୍କାରକୁ ବର୍ତ୍ତମାନ ଥିବା ଢାଂଚାରେ ସହଯୋଗ କରିବା ସମ୍ଭବ ନୁହେଁ ବୋଲି ଜଣାଇଛନ୍ତି । ଏହି ଇ-ମେଲ୍ ପାଇବା ପରେ କଳିଙ୍ଗ ଫାଉଣ୍ଡେସନ ଟ୍ରଷ୍ଟକୁ କେନ୍ଦ୍ର ସରକାରଙ୍କୁ ପୁରସ୍କାର ବାବଦରେ ସବିଶେଷ ତଥ୍ୟ ଦେଇ ଏହି ପୁରସ୍କାର ନିମନ୍ତେ ସହାୟତା ବନ୍ଦ କରିବା ଠିକ ହେବ ନାହିଁ ବୋଲି ଜଣାଇଛି । ଏହାକୁ ନେଇ ରାଜ୍ୟ ସରକାର ଆଡୁ କୌଣସି ପ୍ରତିକ୍ରିୟା ଆସି ନଥିବା ବେଳେ ବିଜେଡ଼ି ନେତା ସଂତୃପ୍ତ ମିଶ୍ର ଶୁକ୍ରବାର ଦିନ ଗଣମାଧ୍ୟମକୁ ବୟାନ ଦେଇ ବିଜେପି ସରକାର ବିଜୁ ବାବୁଙ୍କ ସ୍ମାରକୀ ସବୁ ନିଶ୍ଚିହ୍ନ କରି ଦେବାକୁ ପ୍ରୟାସ କରୁଥିବା ଅଭିଯୋଗ କରିଛନ୍ତି ଓ ତାହା ଗଣତନ୍ତ୍ର ପ୍ରତି କୁଠାରାଘାତ କହି ବାଂଲାଦେଶ ପରିସ୍ଥିିତି ସୃଷ୍ଟି ହେବା ଆଶଙ୍କା ବ୍ୟକ୍ତ କରିଛନ୍ତି । ବିଜୁ ବାବୁଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ‘ପଦ୍ମ ବିଭୂଷଣ’ରେ ସମ୍ମାନୀତ କରାଯାଉ ବୋଲି ରାଜ୍ୟବାସୀ ଦୀର୍ଘ ବର୍ଷ ହେଲା କେନ୍ଦ୍ର ନିକଟରେ ଦାବି କରୁଥିଲେ ମଧ୍ୟ ତାହା ଅଣଶୁଣା ରହି ଯାଇଛି । ଓଡ଼ିଶାରେ ଗତ ୨୪ ବର୍ଷ ଧରି ବିଜେଡ଼ି ଶାସନରେ ଥିଲା । କେନ୍ଦ୍ର ସରକାରଙ୍କୁ ପ୍ରତ୍ୟେକ କଥାରେ ସହଯୋଗ କରୁଥିଲା । ତେବେ, ବିଜୁ ବାବୁଙ୍କ ପାଇଁ ‘ପଦ୍ମ’ ସମ୍ମାନ ଆଣିବାରେ ସଫଳ ହୋଇନଥିଲା । ଆଜି ଯାଏଁ ବିଜୁ ବାବୁଙ୍କୁ ଯେଉଁ ଅବହେଳା କରାଯାଇଛି ସେଥିପାଇଁ କେନ୍ଦ୍ର ସରକାର ଦାୟି ବୋଲି ବିଜେଡ଼ି କହୁଛି ସତ, କିନ୍ତୁ ବିଜେଡ଼ି ମଧ୍ୟ ବହୁମାତ୍ରାରେ ଦାୟି । କ୍ଷମତାରେ ଥିବା ବେଳେ ଆନ୍ତରିକତା ନଥିଲା, ଏବେ କୁମ୍ବୀର କାନ୍ଦଣା କାନ୍ଦିଲେ ଶୁଣୁଛି କିଏ ?
ମୁଖ୍ୟ ସଂପାଦକ, ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS