ଅଡୁଆରେ ମମତା, ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟାର ତଦନ୍ତ କରିବ ସିବିଆଇ


ପ୍ରସାଦ ରାଓ
ଅଗଷ୍ଟ ୧୩/୨୦୨୪
ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଚାହୁଁନଥିଲେ ମଧ୍ୟ ରାଜ୍ୟରେ ପୁଣି ଥରେ ସିବିଆଇ ପ୍ରବେଶ କରିବା ବାଟ ଖୋଲିଛି । ଗତ ଗୁରୁବାର ବିଳମ୍ବିତ ରାତ୍ରୀରେ କୋଲକାତା ଆରଜି କର ମେଡିକାଲ କଲେଜ ହସ୍ପିଟାଲରେ କାର୍ଯ୍ୟରତ ଜଣେ ଟ୍ରେନିଂ ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଘଟଣାର ସିବିଆଇ ତଦନ୍ତ ହେବ ବୋଲି କୋଲକାତା ହାଇକୋର୍ଟ ଆଜି ରୁଲିଂ ଦେବା ପରେ ମାମଲାର ତଦନ୍ତ ଦାୟିତ୍ୱ କୋଲକାତା ପୁଲିସ ହାତରୁ ସିବିଆଇ ହାତକୁ ଚାଲି ଯାଇଛି । କୋଲକାତା ପୁଲିସ ଗତ ଶୁକ୍ରବାରୁ ଏହି ଘଟଣାର ତଦନ୍ତ କରୁଥିଲେ ଏବଂ ଦୁଷ୍କର୍ମ ଓ ହତ୍ୟାରେ ସଂପୃକ୍ତ ଥିବା ଜଣେ ଅଭିଯୁକ୍ତକୁ ଗିରଫ କରି ଅଧିକ ଲୋକଙ୍କ ସଂପୃକ୍ତ ଥିବା ସନ୍ଦେହରେ ତଦନ୍ତ ଜାରି ରଖିଥିଲେ । ଘଟଣାକୁ ନେଇ ଦେଶବ୍ୟାପୀ ମେଡିକାଲ କଲେଜ ଛାତ୍ରଛାତ୍ରୀ ଆନ୍ଦୋଳନରେ ଅଛନ୍ତି ଓ ସେମାନଙ୍କ ଆନ୍ଦୋଳନ ଯୋଗୁଁ ରୋଗୀ ସେବା ବ୍ୟାହତ ହୋଇଛି । ପୀଡିତାଙ୍କ ପରିବାର ମଧ୍ୟ ପ୍ରମାଣ ନଷ୍ଟ କରି ଦିଆଯିବା ଆଶଙ୍କାରେ ମାମଲାର ତଦନ୍ତ ସିବିଆଇ ଭଳି ଏକ ନିରପେକ୍ଷ ସଂସ୍ଥାକୁ ହସ୍ତାନ୍ତର କରାଯିବାକୁ କୋଲକାତା ହାଇକୋର୍ଟରେ ଆବେଦନ କରିଥିଲେ । ଘଟଣାଟି ଅତ୍ୟନ୍ତ ସ୍ପର୍ଶକାତର ହୋଇଥିବାରୁ ଓ ଏହି ଘଟଣାକୁ ନେଇ ରାଜ୍ୟ ରାଜନୀତି ଜୋର ଧରିବାରୁ କୋଲକାତା ପୁଲିସ ଆସନ୍ତା ରବିବାର ସୁଦ୍ଧା ମାମଲାର ତଦନ୍ତ ସାରି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ନହେଲେ ସେ ନିଜେ ମାମଲାର ତଦନ୍ତ ଦାୟିତ୍ୱ ସିବିଆଇ ହାତରେ ନ୍ୟସ୍ତ କରି ଦେବେ ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ଦିନ କୋଲକାତା ପୁଲିସ ପ୍ରଶାସନକୁ ଚେତାବନୀ ଦେଇଥିଲେ । ତେବେ, ପୀଡିତାଙ୍କ ପରିବାରର ଆବେଦନ ଉପରେ ଶୁଣାଣୀ କରୁଥିବା କୋଲକାତା ହାଇକୋର୍ଟ ପୁଲିସକୁ ରବିବାର ପର୍ଯ୍ୟନ୍ତ ସମୟ ଦେବା ସମ୍ଭବ ନୁହେଁ କହି ସିବିଆଇ ଏହି ମାମଲାର ତଦନ୍ତ କରିବ ବୋଲି ଆଜି ରୁଲିଂ ଦେଇଛନ୍ତି । ମମତାଙ୍କୁ ଆଜି କେବଳ ଏହି ଗୋଟିଏ ଝଟକା ଲାଗି ନାହିଁ, ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା କରାଯିବା ପରେ ସାମାଜିକ ଗଣମାଧ୍ୟମରେ ବ୍ୟକ୍ତିଗତ ସମାଲୋଚନାର ଶରବ୍ୟ ହୋଇ ଆରଜି କର ମେଡିକାଲ କଲେଜ ହସ୍ପିଟାଲ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା ଡକ୍ଟର ସନ୍ଦୀପ ଘୋଷଙ୍କୁ ଇସ୍ତଫାର କିଛି ଘଂଟା ପରେ ରାଜ୍ୟ ସରକାର କୋଲକାତା ନ୍ୟାସନାଲ ମେଡିକାଲ କଲେଜର ଅଧ୍ୟକ୍ଷ ପଦରେ ନିଯୁକ୍ତି ଦେଇ ସଂପୃକ୍ତ ମେଡିକାଲ କଲେଜ ଛାତ୍ରଛାତ୍ରୀ ଓ କୋଲକାତା ହାଇକୋର୍ଟଙ୍କ ରୋଷର ସମ୍ମୁଖୀନ ହୋଇଛନ୍ତି । ଡକ୍ଟର ଘୋଷ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଛାତ୍ରଛାତ୍ରୀ ଓ ଡାକ୍ତରଙ୍କୁ ସୁରକ୍ଷା ଦେଇପାରିନଥିବା ବେଳେ ସରକାର ତାଙ୍କୁ ତୁରନ୍ତ ଦାୟିତ୍ୱରୁ ହଟାଇ ଲଭ୍ମା ଛୁଟିରେ ପଠାିବା ବଦଳରେ ସେ ଇସ୍ତଫା ଦେବାର କିଛି ଘଂଟା ମଧ୍ୟରେ ରାଜ୍ୟ ଅନ୍ୟ ଏକ ମେଡିକାଲ କଲେଜ ହସ୍ପିଟାଲରେ ସମାନ ଦାୟିତ୍ୱରେ ନିଯୁକ୍ତ କରିବାରେ କି ବାଧ୍ୟବାଧକତା ରହିଛି ବୋଲି କୋଲକାତା ହାଇକୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ଡକ୍ଟର ଘୋଷଙ୍କ ନୂତନ ନିଯୁକ୍ତିକୁ ନେଇ କୋଲକାତା ନ୍ୟାସନାଲ ମେଡିକାଲ କଲେଜରେ ମଧ୍ୟ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ସେହି ମେଡିକାଲ କଲେଜର ଛାତ୍ରଛାତ୍ରୀ ଓ ଡାକ୍ତରମାନେ ମଧ୍ୟ ଡକ୍ଟର ଘୋଷଙ୍କ ଏଭଳି ତରବରିଆ ନିଯୁକ୍ତିର କାରଣ କଣ ବୋଲି ପ୍ରଶ୍ନ ଉଠାଇ ତାହାର କଡା ବିରୋଧ କରିଛନ୍ତି । ନୂତନ ଅଧ୍ୟକ୍ଷଙ୍କୁ ‘ଅଳିଆ’ ବୋଲି ଦର୍ଶାଇ ତାଙ୍କୁ ସେମାନଙ୍କ ଶିକ୍ଷାନୁଷ୍ଠାନରେ ପୁରାଇ ଦେବେ ନାହିଁ ବୋଲି ଛାତ୍ରଛାତ୍ରୀ ଅଡି ରହିବାରୁ ରାଜ୍ୟ ସରକାର କୋଲକାତା ନ୍ୟାସନାଲ ମେଡିକାଲ କଲେଜରୁ ବିଦା କରିଥିବା ଅଧ୍ୟକ୍ଷ ଡକ୍ଟର ଅଜୟ କୁମାର ରାୟଙ୍କୁ ପୁନଃ ଅଧ୍ୟକ୍ଷ ଦୟିତ୍ୱ ତୁଲାଇବାକୁ ନିର୍ଦେଶ ଦେଇଛନ୍ତି । କୋଲକାତା ହାଇକୋର୍ଟ ଆଜି ଦେଇଥିବା ରୁଲିଂରେ କୌଣସି ବ୍ୟକ୍ତି ଆଇନର ଉର୍ଦ୍ଧରେ ନୁହନ୍ତି ବୋଲି କହିଛନ୍ତି । ଆରଜି କର ମେଡିକାଲ କଲେଜ ହସ୍ପିଟାଲରେ ଶୁକ୍ରବାର ଘଟିଥିବା ଘଟଣାକୁ ନେଇ ସେ ସାମାଜିକ ଗଣମାଧ୍ୟମରେ କଡା ସମାଲୋଚନାର ଶରବ୍ୟ ହୋଇଥିବାରୁ ନିଜ ପଦରୁ ଇସ୍ତଫା ଦେଉଛନ୍ତି ବୋଲି କଲେଜର ଅଧକ୍ଷ ଡକ୍ଟର ଘୋଷ ସରକାରଙ୍କୁ ଜଣାଇବାର କିଛି ଘଂଟା ଭିତରେ ତାଙ୍କୁ ରାଜ୍ୟ ସରକାର ପୁରସ୍କାର ସ୍ୱରୂପ ରାଜ୍ୟର ଆଉ ଏକ ମେଡିକାଲ କଲେଜର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେବା ପଛରେ କି ସତ୍ୟ ରହିଛି ? ରାଜ୍ୟ ସରକାର ତାଙ୍କୁ ସୁରକ୍ଷା ଦେଉଛନ୍ତି କାହିଁକି ? ସରକାରୀ ଓକିଲ ମଧ୍ୟ ତାଙ୍କ ସପକ୍ଷରେ ଯୁକ୍ତି ଉପସ୍ଥାପନ କରୁଛନ୍ତି କେମିତି (?) ବୋଲି କୋଲକାତା ହାଇକୋର୍ଟର ମୁଖ୍ୟ ବିଚାରପତି ଟିଏସ ଶିବଜ୍ଞାନମଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଡିଭିଜନ ବେଂଚ ଆଶ୍ଚର୍ଯ୍ୟ ପ୍ରକଟ କରିବା ସହ ରାଜ୍ୟ ପୁଲିସକୁ ତଦନ୍ତ ପାଇଁ ଅଧିକ ସମୟ ଦେଲେ ପ୍ରମାଣ ନଷ୍ଟ ଆଶଙ୍କା ଥିବାରୁ ମାମଲା ତୁରନ୍ତ ସିବିଆଇକୁ ହସ୍ତାନ୍ତର କରାଗଲା ବୋଲି ରୁଲିଂ ଦେଇଛନ୍ତି । ଏଠାରେ ସୂଚନାଯୋଗ୍ୟ, ୩୧ ବର୍ଷ ବୟସ୍କା ପୀଡ଼ିତା ଟ୍ରେନି ଡାକ୍ତର ଗୁରୁବାର ରାତିରେ ଅନ୍ୟ ତିନି ଜଣ ଡାକ୍ତରଙ୍କ ସହ ଆରଜି କର ମେଡିକାଲ କଲେଜ ହସ୍ପିଟାଲରେ ରାତ୍ରୀ ଡ୍ୟୁଟିରେ ଥିଲେ । ସେମିନାର ହଲରେ ସେମାନେ ଏକାଠି ପ୍ୟାରିସ ଅଲିଂପିକ୍ସରେ ନୀରଜ ଚୋପ୍ରାଙ୍କ ଜାଭଲିନ୍ ଥ୍ରୋ ଦେଖିଥିଲେ । ଏକାଠି ବସି ଖାଇବା ପରେ ସମେସ୍ତ ନିଜ ନିଜ ଡ୍ୟୁଟି ଷ୍ଟେନକୁ ଚାଲି ଯାଇଥିଲେ । ଶୁକ୍ରବାର ସକାଳେ ପୀଡିତାଙ୍କ ମୃତଦେହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସେମିନାର ହଲରେ ପଡି ରହିଥିବା ଦେଖିବାକୁ ମିଳିଥିଲା । ତାଙ୍କ ମୁହଁ, ଓଠ, ଗୁପ୍ତାଙ୍ଗ ସମେତ ଦେହରେ ବିଭିନ୍ନ ଅଂଗରେ ଏକାଧିକ କ୍ଷତ ଥିବା ଓ ରକ୍ତସ୍ରାବ ହେଉଥିବା ଦେଖିବା ପରେ ପୁଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ଥିଲେ । ବ୍ୟବଚ୍ଛେଦ ରିପୋର୍ଟରେ ଏହା ଦୁଷ୍କର୍ମ ପରେ ହତ୍ୟା ବୋଲି ଦର୍ଶାଯାଇଛି । ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ ପୁଲିସ ସଂଜୟ ରାୟ ନାମକ ଯେଉଁ ବ୍ୟକ୍ତିକୁ ଗିରଫ ପାଂଚ ଦିନ ହେଲା ଜେରା କରୁଛନ୍ତି । ସଂପୃକ୍ତ ବ୍ୟକ୍ତିଙ୍କ ମେଡିକାଲ କଲେଜ ହସ୍ପିଟାଲରେ ଅବାଧ ପ୍ରବେଶ ଥିଲା । ଘଟଣା ରାତିରେ ମଧ୍ୟ ସେ ମେଡିକାଲ କଲେଜ ହସ୍ପିଟାଲରେ ପ୍ରବେଶ କରିଥିବା ସିସିଟିଭି ଫୁଟେଜରୁ ଦେଖିବାକୁ ମିଳିବା ପରେ ପୁଲିସ ତାଙ୍କୁ ଗିରଫ କରିଥିଲେ । ଏହା ଏକ ଦୁଷ୍କର୍ମ ଓ ହତ୍ୟା ଘଟଣା ହୋଇଥିବା ବେଳେ ଶୁକ୍ରବାର ସକାଳେ ମେଡିକାଲ ପକ୍ଷରୁ ପୀଡିତାଙ୍କ ପିତାଙ୍କୁ ଫୋନ କରାଯାଇ ତାଙ୍କ ଝିଅ ଆତ୍ମହତ୍ୟା କରିଥିବା ସୂଚିତ କରାଯାଇଥିଲା । ସେ ଖବର ପାଇ ମେଡିକାଲରେ ପହଂଚିବା ପରେ ଝିଅ ଅର୍ଦ୍ଧନଗ୍ନ ଓ ରକ୍ତରେ ଜୁଡୁବୁଡୁ ଅବସ୍ଥାରେ ସେମିନାର ହଲରେ ପଡି ରହିଥିବା ଦେଖିବାକୁ ପାଇଥିଲେ ବୋଲି ପୀଡିତାଙ୍କ ପିତା ଅଭିଯୋଗ କରିଛନ୍ତି । ଆରଜି ମେଡିକାଲ କଲେଜ ହସପିଟାଲ କର୍ତ୍ତୃପକ୍ଷ ଘଟଣାକୁ ଚପାଇ ଦେବା ପାଇଁ ଏଭଳି ମିଥ୍ୟାର ଆଶ୍ରୟ ନେଇଥିଲେ ବୋଲି ଅନୁମାନ କରାଯାଉଛି । ବିଜେପି ଏହି ଘଟଣାର ସିବିଆଇ ତଦନ୍ତ ଦାବି କରୁଥିଲା । ଆଜି କୋଲକାତା ହାଇକୋର୍ଟଙ୍କ ରୁଲିଂ ମମତାଙ୍କ ରାଜ୍ୟରେ ପୁନର୍ବାର ସିବିଆଇ ପ୍ରବେଶର ବାଟ ଖୋଲିଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS