ସିବିଆଇ ତଦନ୍ତ ନିର୍ଦେଶ ପରେ ବି ପଶ୍ଚିମ ବଂଗ ରାଜନୀତି ଥମୁନି !


ପ୍ରସାଦ ରାଓ
ଅଗଷ୍ଟ ୧୪/୨୦୨୪
କୋଲକାତା ହାଇକୋର୍ଟଙ୍କ ନିର୍ଦେଶ ଅନୁସାରେ ସିବିଆଇ ଆର.ଜି.କର ମେଡିକାଲ କଲେଜ ହସ୍ପିଟାଲରେ ଘଟିଥିବା ଜଘଣ୍ୟ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର ତଦନ୍ତ ଆରମ୍ଭ କରିମ୍ବା ବେଳେ କୋର୍ଟର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସିବିଆଇ ତଦନ୍ତ ହେଉ ବୋଲି ରାଜ୍ୟ ବିଜେପି ନେତୃବର୍ଗଙ୍କ ଦାବି ପଶ୍ଚିମ ବଂଗରେ ବିଜେପି ବନାମ ଟିଏମସି ରାଜନୀତିକୁ ଅଧିକ ସରଗରମ କରିଛି । ଗତ ଗୁରୁବାର ରାତିରେ ସଂପୃକ୍ତ ମେଡିକାଲ କଲେଜ ହସ୍ପିଟାଲରେ ଘଟିଥିବା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଜଘଣ୍ୟ ବୋଲି ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସ୍ୱୀକାର କରିବା ସହ ସେ ନିଜେ ଏହି ଘଟଣା ସିବିଆଇକୁ ହସ୍ତାନ୍ତର କରିବାକୁ ଚାହୁଁଥିଲେ, କୋଲକାତା ହାଇକୋର୍ଟ ସେ ନେଇ ରୁଲିଂ ଦେଇଥିବାରୁ ତାଙ୍କ ସରକାର ସିବିଆଇକୁ ତଦନ୍ତରେ ସଂପୂର୍ଣ୍ଣ ସହଯୋଗ କରିବେ ବୋଲି ଗତକାଲି ଘୋଷଣା କରିଥିଲେ । ତେବେ, ରାଜ୍ୟ ବିଜେପି ନେତାମାନେ ଘଟଣାର କେବଳ ସିବିଆଇ ତଦନ୍ତ ନୁହେଁ, କୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସିବିଆଇ ତଦନ୍ତ ହେଉ ଓ ମୁଖ୍ୟମନ୍ତ୍ରୀ ପଦରୁ ମମତା ଇସ୍ତଫା ଦିଅନ୍ତୁ ବୋଲି ଯେଉଁ ଦାବି ରଖିଛନ୍ତି ତାହା ପରିସ୍ଥିତିକୁ ଅଧିକ ଜଟିଳ କରିବାକୁ ଯାଉଥିବା ଅନୁମାନ କରିହେଉଛି । ପଶ୍ଚିମ ବଂଗ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ କହିବା ଅନୁସାରେ ରାଜ୍ୟରେ ପୂର୍ବରୁ ମଧ୍ୟ ବହୁ ଆପରାଧିକ ମାମଲାରେ ସିବିଆଇ ତଦନ୍ତ ହୋଇଛି । ତେବେ, ସେସବୁ ମାମଲାରେ ତଦନ୍ତର ସୁଫଳ ମିଳି ନାହିଁ । ତେଣୁ, ଆର.ଜି.କର ମେଡିକାଲ କଲେ ହସ୍ପିଟାଲରେ ଗତ ସପ୍ତାହରେ ଘଟିଥିବା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର ସିବିଆଇ ତଦନ୍ତ କୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହେବା ଆବଶ୍ୟକ । ଗୁରୁବାର ଘଟଣାକୁ ନେଇ ପଶ୍ଚିମ ବଂଗର ରାଜନୈତିକ ପରିସ୍ଥିତି ଅଶାନ୍ତ ରହିଛି । କୋଲକାତା ସମେତ ଦେଶର ବିଭିନ୍ନ ଅଂଚଳରେ ଡାକ୍ତର, ଡାକ୍ତରୀ ଛାତ୍ରଛାତ୍ରୀ ଟ୍ରେନିଂ ଡାକ୍ତରଙ୍କ ହତ୍ୟା ପରେ ନିଜକୁ ଅସୁରକ୍ଷିତ ଭାବୁଥିବା ଦର୍ଶାଇ କର୍ମ ସ୍ଥଳରେ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ଦାବିରେ ଆନ୍ଦୋଳନରେ ଅଛନ୍ତି । ଏଭଳି କୋଲକାତା ଆର.ଜି.କର ମେଡିକାଲ କଲେଜ ହସ୍ପିଟାଲ ଘଟଣାରେ ଗତକାଲିଠାରୁ ସିବିଆଇ ତଦନ୍ତ ଆରମ୍ଭ ହୋଇଥିବା ବେଳେ ଆଜି ସକାଳେ କେତେକ ଦୁର୍ବୁତ୍ତ ସେହି ମେଡିକାଲ କଲେଜ ହସ୍ପିଟାଲରେ ପଶି ବ୍ୟାପକ ଭଂଗାରୁଜା କରିବା, ହସ୍ପିଟାଲ ପରିସରରେ ଥିବା ଗାଡିଗୁଡିକୁ ଭଂଗିବା ଓ ବ୍ୟାପକ ସଂପତ୍ତି ନଷ୍ଟ କରିବା ସଂପୂର୍ଣ୍ଣ ଘଟଣାକୁ ନୂଆ ମୋଡ ଦେଇଛି । କୋଲକାତା ପୁଲିସ ଦୁର୍ବୁତ୍ତଙ୍କୁ ଘଉଡାଇବା ପାଇଁ ଲୁହବୁହା ବାଷ୍ପ ପ୍ରୟୋଗ ସହ ଲାଠିଚାର୍ଜ କରିଥିଲେ । ତେବେ, ଦୁର୍ବୁତ୍ତମାନେ ପୁଲିସକୁ ପାଲଟା ଆକ୍ରମଣ କରିଛନ୍ତି ଓ ସେଥିରେ ୧୫ ଜଣ ପୁଲିସ କର୍ମଚାରୀ ଆହତ ହୋଇଥିବା କୁହାଯାଉଛି । ହସ୍ପିଟାଲରେ ଆଜି ହୋଇଥିବା ଭଂଗାରୁଜାରେ ସଂପୃକ୍ତ ଥିବା ଅଭିଯୋଗରେ ପୁଲିସ ସାମାଜିକ ଗଣମାଧ୍ୟମରେ କିଛି ଲୋକଙ୍କ ଫଟୋ ଜାରି କରିଛନ୍ତି । କିଛି ଘଂଟା ପରେ ନଅ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ଯେଉଁମାନଙ୍କୁ ଗିରଫ କରାଯାଇଛି ସେମାନଙ୍କ ପରିଚୟ ଗୋପନ ରଖା ଯାଇଥିବା ବେଳେ ଅନୁଭବ ମଣ୍ଡଳ ନାମକ ଜଣେ ଡାକ୍ତର ଗଣମାଧ୍ୟମ ସାମ୍ନାକୁ ଆସି ପୁଲିସ ସାମାଜିକ ଗଣମାଧ୍ୟମରେ ଜାରି କରିଥିବା ଫଟୋରେ ତାଙ୍କ ଫଟୋ ମଧ୍ୟ ରହିଛି ବୋଲି କହିଛନ୍ତି । ଗତ ସପ୍ତାହରୁ ଆର.ଜି.କର ମେଡିକାଲ କଲେଜ ହସ୍ପିଟାଲରେ ଚାଲିଥିବା ଡାକ୍ତରଙ୍କ ପ୍ରତିବାଦ ଆନ୍ଦୋଳନରେ ମଣ୍ଡଳ ସାମିଲ ଅଛନ୍ତି । ଯେକୌଣସି ପରିସ୍ଥିତିରେ ସେମାନେ ନ୍ୟାୟ ଚାହୁଁଛନ୍ତି । ଅଦାଲତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗତ ଗୁରୁବାର ଘଟଣାର ସିବିଆଇ ତଦନ୍ତ ହେଉ ବୋଲି ଦାବି ରହିଛି । ସେମାନଙ୍କୁ ଭୟଭିତ କରି କେହି ଆନ୍ଦୋଳନକୁ ଚପାଇ ପାରିବେ ନାହିଁ । ଏହା ଅଧିକ ଜୋରଦାର ହେବ ବୋଲି ମଣ୍ଡଳ ଗଣମାଧ୍ୟମକୁ କହିଛନ୍ତି । ଦୁର୍ବୁତ୍ତମାନେ ଆର.ଜି.କର ମେଡିକାଲ କଲେଜ ହସ୍ପିଟାଲ ସେମିନାର ହଲ୍ ରେ ମଧ୍ୟ ବ୍ୟାପକ ଭଂଗାରୁଜା କରିଥିବା ସାମାଜିକ ଗଣମାଧ୍ୟମରେ ପ୍ରଚାର ହୋଇଛି, ଯାହାକୁ କୋଲକାତା ପୁଲିସ ଅସ୍ୱୀକାର କରିବା ସହ ଏଭଳି ଗୁଜବ ପ୍ରଚାରକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାବନୀ ଦେଇଛନ୍ତି । ଏଠାରେ ସୂଚନାଯୋଗ୍ୟ, ଗତ ଗୁରୁବାର ବିଳମ୍ବ ରାତ୍ରୀର ଯେଉଁ ଜଘଣ୍ୟ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା ସଂଗଠିତ ହୋଇଥିବା ତାହା ମେଡିକାଲ କେଲଜ ହସ୍ପିଟାଲର ସେମିନାର ହଲରେ ହିଁ ହୋଇଥିଲା । ୩୧ ବର୍ଷିୟା ଟ୍ରେନି ଡାକ୍ତର ରାତ୍ରୀ ଡ୍ୟୁଟିରେ ଥିବା ବେଳେ ବିଳମ୍ବିତ ପ୍ରହର (ରାତି ୦୩ଟାରୁ ଭୋର ୦୫ଟା ମଧ୍ୟରେ)ରେ ତାଙ୍କୁ ଦୁଷ୍କର୍ମ କରାଯିବା ସହ ନିର୍ମମ ଭାବେ ହତ୍ୟା କରାଯାଇଛି । ଶୁକ୍ରବାର ଭୋର ସମୟରେ ତାଙ୍କ ମୃତଦେହ ରକ୍ତ ଜୁଡୁବୁଡି ଅବସ୍ଥାରେ ସେମିନାର ହଲ୍ ରୁ ଉଦ୍ଧାର କରାଯାଇଥିଲା । ପୁଲିସ ପ୍ରଥମେ ଏହାକୁ ଆତ୍ମହତ୍ୟା କହି ମୃତା ଟ୍ରେନି ଡାକ୍ତରଙ୍କ ପରିବାରକୁ ସୂଚିତ କରିଥିଲେ । ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି ଯେ, ସେମାନେ ଖବର ପାଇ ଡାକ୍ତରଖାନାରେ ପହଂଚିବା ପରେ ତିନି ଘଂଟା ଧରି ସେମାନଙ୍କୁ ଶବ ନିକଟକୁ ଯିବାକୁ ଦିଆଯାଇନଥିଲା । ପରେ, ଏହା ଏକ ହତ୍ୟାକାଣ୍ଡ କୁହାଯାଇଥିଲା । ଟ୍ରେନି ଡାକ୍ତରଙ୍କ ଶବ ବ୍ୟବଚ୍ଛେଦ ପରେ ଏହା ଦୁଷ୍କର୍ମ ଓ ହତ୍ୟା ବୋଲି ଜଣାପଡିଛି । ଦୁଷ୍କର୍ମ ଓ ହତ୍ୟାର ଶିକାର ଟ୍ରେନିଂ ଡାକ୍ତରଙ୍କ ମୁଣ୍ଡରୁ ପାଦ ପର୍ଯ୍ୟନ୍ତ ଗଭୀର କ୍ଷତମାନ ରହିଛି । ଶବ ବ୍ୟବଚ୍ଛେଦ ରିପୋର୍ଟରେ ତାଙ୍କ ଗୁପ୍ତାଂଗରୁ ୧୫୦ ମିଲିଗ୍ରାମ ବୀର୍ଯ୍ୟ (ସିମେନ୍) ମିଳିଥିବା କୁହାଯାଇଥିବାରୁ ଏହା ଏକ ଗଣଦୁଷ୍କର୍ମ ଓ ହତ୍ୟା ବୋଲି ସନ୍ଦେହ ଦୃଢ ହେଉଛି । ତେବେ, ପୁଲିସର ତଦନ୍ତ ସନ୍ଦେହଜନକ ଥିବାରୁ ସେମାନେ ନିରପେକ୍ଷ ଏଜେନ୍ସୀ ଦ୍ୱାରା ତଦନ୍ତ ଚାହୁଁଛନ୍ତି ବୋଲି ପୀଡିତାଙ୍କ ପରିବାର କୋଲକାତା ହାଇକୋର୍ଟରେ ଆବେଦନ କରିଥିଲେ । ଶବ ବ୍ୟବଚ୍ଛେଦ ରିପୋର୍ଟ ଅନୁଯାୟୀ ଏହା ଜଣେ ବ୍ୟକ୍ତିର କାମ ନୁହେଁ, ଏକାଧିକ ବ୍ୟକ୍ତି ଏଥିରେ ସଂପୃକ୍ତ ବୋଲି ପରିବାର ସଦସ୍ୟଙ୍କ ଅଭିଯୋଗକୁ ବିଚାରକୁ ନେଇ କୋଲକାତା ହାଇକୋର୍ଟ ହାଇକୋର୍ଟ ମୁଖ୍ୟ ବିଚାରପତି ଟି.ଏସ.ଶିବଜ୍ଞାନମଙ୍କ ଅଧ୍ୟକ୍ଷତାରେ ଗଠିତ ଡିଭିଜନ ବେଂଚ ରାଜ୍ୟ ସରକାର ଓ କୋଲକାତା ପୁଲିସ ଉପରେ ବର୍ଷିଥିଲେ ଓ ପୁଲିସକୁ ଅଧିକ ସମୟ ଦେଲେ ପ୍ରମାଣ ନଷ୍ଟ ହେବା ଆଶଙ୍କା ରହିଛି ଦର୍ଶାଇ ସିବିଆଇ ତୁରନ୍ତ ତଦନ୍ତ ଦାୟିତ୍ୱ ହାତକୁ ନେବାକୁ ରୁଲିଂ ଦେଇଥିଲେ । କୋଲକାତା ହାଇକୋର୍ଟଙ୍କ ଗତ ମଂଗଳବାର ରୁଲିଂ ପରେ ସିବିଆଇ ବୁଧବାରରୁ ତଦନ୍ତ ଅକ୍ମ୍ କରିଛି । ଦିଲ୍ଲୀରୁ ଏକ ସିବିଆଇ ଟିମ୍ ଆସି କୋଲକାତାରେ ପହଂଚିବା ପରେ ତଦନ୍ତ ଭାର ହାତକୁ ନେଇଛନ୍ତି । ଦୁଷ୍କର୍ମ ଓ ହତ୍ୟା ସହ ସଂପୃକ୍ତ ଥିବା ଅଭିଯୋଗରେ ପୁଲିସ ଦ୍ୱାରା ଗିରଫ ହୋଇଥିବା ସଂଜୟ ରାୟ ନାମକ ବ୍ୟକ୍ତିକୁ ସିବିଆଇ ନିଜ ହେପାଜତକୁ ନେଇଛି । ସିବିଆଇ ଟିମ୍ ରେ ମେଡିକାଲ ଓ ଫେରେନ୍ସିକ ବିଶେଷଜ୍ଞ ରହିଛନ୍ତି । ତଦନ୍ତକାରୀ ଦଳ ତିନି ଭାଗରେ ବିଭକ୍ତ ହୋଇ ଟ୍ରେନି ଡାକ୍ତରଙ୍କ ଶବ ମିଳିଥିବା ମେଡିକାଲ କଲେଜ ସେମିନାର ହଲ୍ ରୁ ଆରମ୍ଭ କରି ସଂଜୟ ରାୟକୁ କୋର୍ଟରେ ହାଜର କରାଇ ଅଧିକ ଜେରା ପାଇଁ ରିମାଣ୍ଡରେ ନେବା ପର୍ଯ୍ୟନ୍ତ ଦାୟିତ୍ୱ ନିଜ ଭିତରେ ବାଂଟି ନେଇଛନ୍ତି । କୋଲକାତା ପୁଲିସ ଘଟଣାର ତଦନ୍ତ କରିଥିବାରୁ ସଂପୃକ୍ତ ପୁଲିସ ଅଧିକାରୀଙ୍କ ସହ ମଧ୍ୟ ସେମାନେ ସଂଯୋଗରେ ଅଛନ୍ତି । ଗୁରୁବାର ରାତିରେ ଟ୍ରେନି ଡାକ୍ତରଙ୍କ ସହ ଅନ୍ୟ ତିନି ଜଣ ଡାକ୍ତର ରାତ୍ରୀଡ୍ୟୁଟିରେ ଥିଲେ । ସମସ୍ତେ ସେମିନାର ହଲରେ ଏକାଠି ବସି ଟିଭି ଦେଖିଥିଲେ ଓ ଖାଇଥିଲେ । ପରେ, ନିଜ ନିଜ ଡ୍ୟୁଟିସ୍ଥଳକୁ ଯାଇଥିଲେ । କେବଳ ପୀଡିତା ଅଧ୍ୟୟନ କରିବେ ବୋଲି ସେମିନାର ହଲ୍ ରେ ରହି ଯାଇଥିଲେ । ଶୁକ୍ରବାର ସକାଳେ ତାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ସେମିନାଲ ହଲ୍ ରୁ ମିଳିବା ପରେ ହଟ୍ଟଚମଟ ଆରମ୍ଭ ହୋଇଛି । ମୃତକଙ୍କୁ ଶ୍ୱାସରୁଦ୍ଧ କରି ହତ୍ୟା କରାଯାଇଥିବା ବ୍ୟବଚ୍ଛେଦ ରିପୋର୍ଟରେ କୁହାଯାଇଥିଲେ ମଧ୍ୟ ତାଙ୍କ ମୁଣ୍ଡରୁ ପାଦ ପର୍ଯ୍ୟନ୍ତ ଗମ୍ଭୀର କ୍ଷତମାନ ରହି ଥିବାରୁ ଓ ଗୁପ୍ତାଂଗରୁ ୧୫୦ ମିଲିଗ୍ରାମ ତରଳ ବୀର୍ଯ୍ୟ ମିଳିଥିବା ବ୍ୟବଚ୍ଛେଦ ରିପୋର୍ଟରେ ଦର୍ଶାଯାଇଥିବାରୁ ଏହା ଏକ ଗଣବଳକ୍ରାର ଓ ହତ୍ୟା ଘଟଣା ବୋଲି ଆଶଙ୍କା କରାଯାଉଛି । ପୁଲିସର କାଳକ୍ଷେପଣ ନୀତି, ଘଟଣାକୁ ଘୋଡାଇବା ଉଦ୍ୟମ ଏବଂ ସଂପୃକ୍ତ ମେଡିକାଲ କଲେଜ ହସ୍ପିଟାଲର ଅଧ୍ୟକ୍ଷଙ୍କୁ ପୁଲିସ ତୁରନ୍ତ ଜେରା ନ କରିବା, ସେ (ଅଧ୍ୟକ୍ଷ) ଇସ୍ତଫା ଦେବାର କିଛି ଘଂଟା ମଧ୍ୟରେ ରାଜ୍ୟ ସରକାର ତାଙ୍କୁ ଅନ୍ୟ ଏକ ମେଡିକାଲ କଲେଜ ହସ୍ପିଟାଲରେ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେବା ପ୍ରଭୃତି ଘଟଣା କୋଲକାତା ପୁଲିସ ଓ ରାଜ୍ୟ ସରକାରଙ୍କୁ ସନ୍ଦେହ ଘେରକୁ ଟାଣି ନେଇଛି । ଆର.ଜି. କର ମେଡିକାଲ କଲେଜ ଅଧ୍ୟକ୍ଷ ଇସ୍ତଫା ଦେବା ପରେ ରାଜ୍ୟ ସରକାର ତାଙ୍କୁ ତୁରନ୍ତ କୋଲକତା ନ୍ୟାସନାଲ ମେଡିକାଲ କଲେଜ ହସ୍ପିଟାଲର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଥିଲେ । ତେବେ, ସେଠାକାର ଡାକ୍ତର ଓ ଛାତ୍ରଛାତ୍ରୀ କଡା ବିରୋଧ କରିବାରୁ ରାଜ୍ୟ ସରକାର ପୁରୁଣା ଅଧ୍ୟକ୍ଷଙ୍କୁ ଦାୟିତ୍ୱରେ ରହିବାକୁ ନିର୍ଦେଶ ଦେଇଥିଲେ । ଗିରଫ ସଂଜୟ ରାୟର ଚରିତ୍ର ମଧ୍ୟ ସଂଶୟଜନକ । ସେ ଜଣେ ଯୌନବିକୃତ ଚରିତ୍ର ବୋଲି କୋଲକାତା ପୁଲିସରୁ ତଦନ୍ତରୁ ଜଣାପଡିଛି । ପୁଲିସ ପାଇଁ ସେ କାମ କରୁଥିଲେ । ପରେ, ଜଣେ ସ୍ୱେଚ୍ଛାସେବୀ ଭାବେ ଆର.ଜି.କର ମେଡିକାଲ କଲେଜ ହସ୍ପିଟାଲରେ ତା’ର ଅବାଧ ଯାତାୟତ ରହିଥିଲା । କୋଲକାତା ପୁଲିସ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ସଂଜୟ ରାୟକୁ କିଛି ଘଂଟା ମଧ୍ୟରେ ଗିରଫ କରିଥିଲେ ମଧ୍ୟ ସେଦିନ ରାତି ଡ୍ୟୁଟିରେ ଥିବା ଅନ୍ୟ ତିନି ଡାକ୍ତରଙ୍କୁ ମାମଲାରେ ପକ୍ଷଭୁକ୍ତ କରିନଥିବା, ମେଡିକାଲ କଲେଜ ହସପିଟାଲ ପରିସରର ସୁରକ୍ଷା ଦାୟିତ୍ୱ ଅଧ୍ୟକ୍ଷଙ୍କର ହୋଇଥିବା ବେଳେ ତାଙ୍କୁ ପକ୍ଷଭୁକ୍ତ କରାନଯିବା ଏବଂ କଲେଜ ଅଧ୍ୟକ୍ଷ ଦିନଜ ପଦରୁ ଇସ୍ତଫା ଦେବାର କିଛି ଘଂଟା ମଧ୍ୟରେ ତାଙ୍କୁ ଅନ୍ୟ ଏକ ମେଡିକାଲ କଲେଜ ହସ୍ପିଟାଲର ଅଧ୍ୟକ୍ଷ ଭାବେ ସରକାର ନିଯୁକ୍ତି ଦେଇ ଦେବା ପୀଡିତାଙ୍କ ପରିବାର ଓ କୋଲକାତା ହାଇକୋର୍ଟ ବିଚାରପତିଙ୍କୁ ବିସ୍ମିତ କରିଥିଲା । ତେଣୁ, ହାଇକୋର୍ଟ ଡିଭିଜନ ବେଂଚ ରାଜ୍ୟ ପୁଲିସକୁ ବିଶ୍ୱାସକୁ ନନେଇ ତଦନ୍ତ ଦାୟିତ୍ୱ ସିବିଆଇ ନବାକୁ ରୁଲିଂ ଦେଇଥିଲେ । ସିବିଆଇ ବୁଧବାରରୁ ତଦନ୍ତ ଆରମ୍ଭ କରିଥିବା ବେଳେ ଆଜି ଭୋରରେ ଆର.ଜି.କର ମେଡିକାଲ କଲେଜ ହସ୍ପିଟାଲରେ ଘଟିଥିବା ତୁମୁଳକାଣ୍ଡ ପଛରେ ରାଜନୀତି ଥିବା ସନ୍ଦେହ କରାଯାଉଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆନ୍ଦୋଳନକୁ ଦବାଇବା ପାଇଁ ଭୟ ସୃଷ୍ଟି କରିବାକୁ ଟିଏମସି (ତୃଣମୂଳ କଂଗ୍ରେସ ପାର୍ଟି)ର ଗୁଣ୍ଡାଙ୍କୁ ବ୍ୟବହାର କରିଥିବା ବିଜେପି ଅଭିଯୋଗ କରିଥିବା ବେଳେ ପୁଲିସ ଓ ରାଜ୍ୟ ସରକାର ଏହାକୁ ଅସ୍ୱୀକାର କରିଛନ୍ତି । ଏହି ଆତଙ୍କରାଜ ପଛରେ ବିଜେପି ରହିଛି ବୋଲି ଟିଏମସି ଅଭିଯୋଗ କରିଛି । ଆଜିର ଘଟଣାରେ ମେଡିକାଲ କଲେଜ ଡାକ୍ତର ଓ ଛାତ୍ରଛାତ୍ରୀ ଅଧିକ ଅସୁରକ୍ଷିତ ମଣୁ ଥିବା ଅଭିଯୋଗ କରିବା ପରେ ପଶ୍ଚିମ ବଂଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ହସ୍ପିଟାଲକୁ ଯାଇ ପ୍ରତିବାଦରେ ଥିବା ଡାକ୍ତର ଓ ଛାତ୍ରଛାତ୍ରୀଙ୍କ ସହ ସେ (ରାଜ୍ୟପାଳ) ରହିଛନ୍ତି ବୋଲି ଆଶ୍ୱସ୍ତ କରିଛନ୍ତି । ଆଜିର ବିଶୃଙ୍ଖଳା ପାଇଁ ଯେଉଁମାନେ ଦାୟି ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି ମଧ୍ୟ ଆଶ୍ୱାସନା ଦେଇଛନ୍ତି । ପଶ୍ଚିମ ବଂଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ରାଜ୍ୟପାଳ ସିଭି ଆନନ୍ଦ ବୋଷଙ୍କ ମଧ୍ୟରେ ଥିବା ତୀକ୍ତତା କାହାରିକୁ ଅଛପା ନାହିଁ । ତେଣୁ, ରାଜ୍ୟପାଳଙ୍କ ହସ୍ପିଟାଲ ଗସ୍ତ ଓ ପ୍ରତିବାଦରେ ଥିବା ଡାକ୍ତର ଓ ଛାତ୍ରଛାତ୍ରୀଙ୍କୁ ଆଶ୍ୱାସନାକୁ ଟିଏମସି ସହଜରେ ଗ୍ରହଣ କରିଥିବା ଅଶା କରାଯାଇପାରୁନି । ରାଜ୍ୟପାଳଙ୍କ ଏହି ଗସ୍ତ ବିଜେପି ବନାମ ଟିଏମସି ରାଜନୀତିକୁ ଅଧିକ ଜଟିଳ କରିବ ବୋଲି ତଥ୍ୟାଭିଜ୍ଞ ମହଲ ଆଶଙ୍କା କରୁଛନ୍ତି । କୋଲକାତା ହାଇକୋର୍ଟଙ୍କ ସିବିଆଇ ତଦନ୍ତ ନିର୍ଦେଶ ଦେବା ପରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ସିବିଆଇ ତଦନ୍ତ ଆରମ୍ଭ ହୋଇଛି । ଏହି ସମୟରେ ସିବିଆଇ ତଦନ୍ତ କୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହେଉ ବୋଲି ବିଜେପି ଆଡୁ ଯେଉଁ ନୂଆ ଦାବି ହୋଇଛି ତାହା ଉପରେ କୋଲକାତା ହାଇକୋର୍ଟଙ୍କ ଆଭିମୁଖ୍ୟ କଣ ହେବ (?) – ତାହା ଉପରେ ସମସ୍ତଙ୍କ ନଜର ରହିଛି ।
ମୁଖ୍ୟ ସଂପାଦକ, ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS