ସୁପ୍ରିମ କୋର୍ଟ ହସ୍ତକ୍ଷେପ କଲେ, ରାଜନୀତି ଥମିବ ତ ?


ପ୍ରସାଦ ରାଓ
ଅଗଷ୍ଟ ୨୦/୨୦୨୪
କୋଲକାତା ଆର.ଜି.କର ମେଡିକାଲ କଲେଜ ହସ୍ପିଟାଲରେ ଗତ ଅଗଷ୍ଟ ୦୯ ତାରିଖ ଭୋର ସମୟରେ ଘଟିଥିବା ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଡାକ୍ତରଙ୍କ ଦେଶବ୍ୟାପୀ ପ୍ରତିବାଦ ଓ କାର୍ଯ୍ୟବନ୍ଦ ଆନ୍ଦୋଳନ ଚାଲିଥିବା ବେଳେ ସୁପ୍ରିମ କୋର୍ଟ ଘଟଣାକୁ ସଂଜ୍ଞାନକୁ ନେଇ ନିଜ ପକ୍ଷରୁ ତାହାର ବିଚାରଣା ଆରମ୍ଭ କରିଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡ, ବିଚାରପତି ଜଷ୍ଟିସ ଜେ.ବି.ପରିଡିୱାଲ ଓ ଜଷ୍ଟିସ ମନୋଜ ମିଶ୍ରଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠ ଆଜି ମାମଲାର ବିଚାରଣା ଆରମ୍ଭ କରି ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସରକାର ଓ ଆର.ଜି.କର ମେଡିକାଲ କଲେଜ ହସ୍ପିଟାଲର ପୂର୍ବତନ ଅଧ୍ୟକ୍ଷଙ୍କ ଉପରେ ବର୍ଷିଛନ୍ତି । ମେଡିକାଲ କଲେଜଗୁଡିକରେ ଡାକ୍ତର, ବିଶେଷକରି ମହିଳା ଡାକ୍ତରଙ୍କ ସୁରକ୍ଷା ପାଇଁ ବର୍ତ୍ତମାନ ଯାହା ବ୍ୟବସ୍ଥା ରହିଛି ତାହାକୁ ବଦଳାଇବା ସମୟ ସାପେକ୍ଷ, ତେଣୁ ବ୍ୟବସ୍ଥା ବଦଳାଇବାକୁ ଆଉ ଗୋଟିଏ ଦୁଷ୍କର୍ମ ଓ ହତ୍ୟା ଘଟିବା ପର୍ଯ୍ୟନ୍ତ ଅପେକ୍ଷା କରି ହେବ ନାହିଁ ବୋଲି ସୁପ୍ରିମ କୋର୍ଟ ଖଣ୍ଡପୀଠ ପ୍ରତିକ୍ରିୟା ବ୍ୟକ୍ତ କରିବା ସହ ଡାକ୍ତରମାନଙ୍କ ସୁରକ୍ଷା ପାଇଁ କିଭଳି ପଦକ୍ଷେପ ନିଆଯିବା ଆବଶ୍ୟକ ତାହା ଅନୁଧ୍ୟାନ କରି ସୁପାରିଶ କରିବାକୁ ଦେଶର ବରିଷ୍ଠ ଡାକ୍ତରଙ୍କୁ ନେଇ ଏକ ନ୍ୟାସନାଲ ଟାସ୍କ ଫୋର୍ସ (ଏନଟିଏଫ) ଗଠନ କରିଛନ୍ତି । ମେଡିକାଲ ସର୍ଜନ ଭାଇସ ଆଡମିରାଲ ଆର.ସରିନ, ଡକ୍ଟର ଡି.ନାଗେଶ୍ୱର ରେଡ୍ଡୀ, ଡକ୍ଟର ଏମ.ଶ୍ରୀନିବାସ, ଡକ୍ଟର ପ୍ରତିମା ମୂର୍ତ୍ତି, ଡକ୍ଟର ଗୋବର୍ଦ୍ଧନ ଦତ୍ତ ପୁରୀ, ଡକ୍ଟର ସୌମିତ୍ର ରାୱତ, ପ୍ରଫେସର ଅନିତା ସାକ୍ସେନା (ଦିଲ୍ଲୀ ‘ଏମ୍ସ’ର ହୃଦରୋଗ ବିଭାଗ ମୁଖ୍ୟ), ମୁମ୍ବାଇ ଗ୍ରାଂଟ୍ ମେଡିକାଲ କଲେଜର ଡିନ୍ ପ୍ରଫେସର ପଲ୍ଲବୀ ସାପ୍ରେ ଓ ‘ଏମ୍ସ’ ନ୍ୟୁରୋଲୋଜି ବିଭାଗର ଡକ୍ଟର ପଦ୍ମା ଶ୍ରୀବାସ୍ତବଙ୍କୁ ନେଇ ଏହି ନ୍ୟାସନାଲ ଏହି ଟାସ୍କ ଫୋର୍ସ ଗଠନ ହୋଇଛି । ଏନଟିଏଫ ତାହାର ଅନ୍ତରୀଣ ରିପୋର୍ଟ ତିନି ସପ୍ତାହ ମଧ୍ୟରେ ଓ ଚୂଡାନ୍ତ ରିପୋର୍ଟ ଦୁଇ ମାସ ମଧ୍ୟରେ ଦାଖଲ କରିବାକୁ ସୁପ୍ରିମ କୋର୍ଟ ଖଣ୍ଡପୀଠ କହିଛନ୍ତି । ଆସନ୍ତା ଗୁରୁବାର (୨୨ ତାରିଖ) ମାମଲାର ପରବର୍ତ୍ତୀ ଶୁଣାଣୀ ହେବ ବୋଲି ଧାର୍ଯ୍ୟ କରାଯାଇଛି । ସୁପ୍ରିମ କୋର୍ଟ ଖଣ୍ଡପୀଠ ଆଜି ଏହି ମାମଲାରେ ଶୁଣାଣୀ କରିବା ସମୟରେ ଅଗଷ୍ଟ ୦୯ ତାରିଖରେ ହୋଇଥିବା ଟ୍ରେନି ଡାକ୍ତରଙ୍କ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ପୁଲିସରେ ଏତଲା ରୁଜୁ ହେବାରେ ବିଳମ୍ବକୁ ନେଇ ରାଜ୍ୟ ସରକାର ଓ ମେଡିକାଲ କଲେଜ କର୍ତ୍ତୃପକ୍ଷଙ୍କ ଉପରେ ବର୍ଷିଛନ୍ତି । ଘଟଣାଟି ସଂପୃକ୍ତ ମେଡିକାଲ କଲେଜ ହସ୍ପିଟାଲର ସେମିନାର ହଲରେ ଘଟିଛି । ମେଡିକାଲ କଲେଜ କର୍ତ୍ତୃପକ୍ଷ ଘଟଣା ସଂପର୍କରେ ଅବଗତ ହେବା ପରେ ତୁରନ୍ତ ପୁଲିସରେ ଏତଲା ଦେବା କଥା । କିନ୍ତୁ, ନିଜ ଆଡୁ ଏତଲା ଦେଇ ନାହାନ୍ତି । ଏହାର କାରଣ କଣ (?) ବୋଲି ସୁପ୍ରିମ କୋର୍ଟ ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି । ପୀଡ଼ିତାଙ୍କ ପିତା ପୁଲିସରେ ଏତଲା ଦେଇଛନ୍ତି । ପୁଲିସ ତଦନ୍ତରେ ବିଭିନ୍ନ ପ୍ରକାର ଅବହେଳା ହୋଇଥିବା ଜାଣିବା ପରେ ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡଙ୍କ ଖଣ୍ଡପୀଠ ଗଭୀର ଉଦ୍ବେଗ ପ୍ରକାଶ କରିବା ସହ ଏତଲା ଦେବାରେ ବିଳମ୍ବ ଓ ପୁଲିସ ତଦନ୍ତରେ ହୋଇଥିବା ଅବହେଳାକୁ ନେଇ ରାଜ୍ୟ ସରକାର ଓ ମେଡିକାଲ କଲେଜ ଅଧ୍ୟକ୍ଷ ଉତ୍ତର ରଖିବାକୁ ନିର୍ଦେଶ ଦେଇଛନ୍ତି । ଏଠାରେ ସୂଚନାଯୋଗ୍ୟ, ଦୁଷ୍କର୍ମ ଓ ହତ୍ୟାର ଶିକାର ହୋଇଥିବା ଦ୍ୱିତୀୟ ବର୍ଷ ପିଜି ଟ୍ରେନି ଡାକ୍ତର ଜଣକ ଗୁରୁବାର (୦୮ ତାରିଖ) ରାତିରେ ମେଡିକାଲ କଲେଜ ହସ୍ପିଟାଲରେ ରାତ୍ରୀ ଡ୍ୟୁଟିରେ ଥିଲେ । ଭୋର ୦୩ଟାରୁ ୦୫ଟା ମଧ୍ୟରେ ତାଙ୍କ ପ୍ରତି ଗଣଦୁଷ୍କର୍ମ ହୋଇଥିବା ଓ ଶ୍ରାସରୁଦ୍ଧ କରାଯାଇ ତାଙ୍କୁ ହତ୍ୟା କରାଯାଇଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ସୂଚନା ମିଳିଛି । ପୀଡ଼ିତାଙ୍କ ମୁଣ୍ଡରୁ ଗୋଡ ପର୍ଯ୍ୟନ୍ତ ଗଭୀର କ୍ଷତ ଥିବାରୁ, ଆଖି, ନାକ, ପାଟି ଦେଇ ରକ୍ତସ୍ରାବ ହୋଇଥିବାରୁ ଏବଂ ଯୌନାଂଗରେ କ୍ଷତ ସହ ୧୫୦ ମିଲିଗ୍ରାମ ତରଳ ବୀର୍ଯ୍ୟ ମିଳିଥିବାରୁ ଏହା ଏକ ଗଣଦୁଷ୍କର୍ମ ଓ ହତ୍ୟା ବୋଲି ସନ୍ଦେହ ଦୃଢୀଭୂତ ହୋଇଛି । ଟ୍ରେନି ଡାକ୍ତର ଜଣକ ରାତ୍ରୀ ଡ୍ୟୁଟିରେ ଥିବା ଅନ୍ୟ ଡାକ୍ତରଙ୍କ ସହ ସେମାନାର ହଲରେ ବସି ଟିଭି ଦେଖି ଥିଲେ । ସେମାନେ ଏକାଠି ବସି ଖାଇ ଥିଲେ । ପରେ, ଡ୍ୟୁଟିରେ ଥିବା ଅନ୍ୟ ଡାକ୍ତରମାନେ ନିଜ ନିଜ ୱାର୍କ ଷ୍ଟେସନକୁ ଚାଲି ଯାଇଥିବା ବେଳେ ପୀଡ଼ିତା ସେମିନାର ହଲରେ ରହି ଯାଇଥିଲେ । ସେ ବିଶ୍ରାମ କରୁଥିବା ବେଳେ ଏହି ବର୍ବର ଘଟଣା ଘଟିଛି । ୦୯ ତାରିଖ ସକାଳେ ମେଡିକାଲ କଲେଜ ହସ୍ପିଟାଲର ସେମିନାର ହଲରୁ ଟ୍ରେନି ଡାକ୍ତରଙ୍କ ରକ୍ତ ଜୁଡୁବୁଡୁ ଶବ ଉଦ୍ଧାର କରାଯାଇଥିଲା । ସେମିନାର ହଲରୁ ଟ୍ରେନି ଡାକ୍ତରଙ୍କ ମୃତଦେହ ଉଦ୍ଧାର କରାଯିବା ପରେ ଏହା ଏକ ନୃଶଂସ ହତ୍ୟା ବୋଲି ଜାଣି ମଧ୍ୟ ମେଡିକାଲ କଲେଜ କର୍ତ୍ତୃପକ୍ଷ ‘ଝିଅ ଆତ୍ମହତ୍ୟା କରିଛି’ ବୋଲି ପରିବାର ବର୍ଗଙ୍କୁ ସୂଚିତ କରିବା, ଝିଅର ପିତା, ମାତା ଖବର ପାଇ ତୁରନ୍ତ ହସ୍ପିଟାଲରେ ପହଂଚି ଥିଲେ ମଧ୍ୟ ସେମାନଙ୍କୁ ତିନି ଘଂଟା ପର୍ଯ୍ୟନ୍ତ ଶବ ନିକଟରୁ ଦୂରେଇ ରଖାଯିବା ରହସ୍ୟମୟ । ସଂସ୍କାର ପାଇଁ ଶବ ହସ୍ତାନ୍ତର କରାଯିବାର ତିନି ଘଂଟା ପରେ ପୁଲିସରେ ଏତଲାକୁ ପଂଜୀକୃତ କରିଥିବା ସଂପୂର୍ଣ୍ଣ ଘଟଣାକୁ ଜଟିଳ କରିଛି । ସୁପ୍ରିମ କୋର୍ଟ ଖଣ୍ଡପୀଠ ଆଜି ଏନେଇ ଅଦାଲତରେ ପଶ୍ଚିମ ବଂଗ ସରକାରଙ୍କ ପକ୍ଷରୁ ଉପସ୍ଥିତ ଥିବା ସୁପ୍ରିମ କୋର୍ଟର ବରିଷ୍ଠ ଆଇନଜୀବୀ କପିଲ ସିବଲଙ୍କୁ ପ୍ରଶ୍ନ କରିଛନ୍ତି । ମୃତ ଦେହ ଉଦ୍ଧାର ସମୟରେ ମେଡିକାଲ କଲେଜର ଅଧ୍ୟକ୍ଷ କଣ କରୁଥିଲେ ? କାହିଁକି ପୁଲିସରେ ତୁରନ୍ତ ଏତଲା ରୁଜୁ ହେଲା ନାହିଁ ? ଝିଅଟିର ଶବ ତାଙ୍କ ପରିବାରକୁ ବିଳମ୍ବରେ ହସ୍ତାନ୍ତର କରାଗଲା କାହିଁକି ? ଏତେବଡ ଗୁରୁତର ଅପରାଧ ଘଟିଥିବା ଅପରାଧ ସ୍ଥଳକୁ ସୁରକ୍ଷିତ ରଖିବା (ପ୍ରମାଣ ନଷ୍ଟ ନହେବା ପାଇଁ) ପୁଲିସର ପ୍ରମୁଖ୍ୟ ଦାୟିତ୍ୱ ହୋଇଥିବା ବେଳେ ବହୁ ସଂଖ୍ୟାରେ ଦୁର୍ବୁତ୍ତ ଅପରାଧ ସଂଗଠିତ ହୋଇଥିବା ସ୍ଥଳରେ ଜୋର ଜବରଦସ୍ତ ପ୍ରବେଶ କରି ବ୍ୟାପକ ଭଂଗାରୁଜା କରିବା ସମୟରେ ପୁଲିସ କଣ କରୁଥିଲେ (?) ବୋଲି ପଶ୍ଚିମ ବଂଗ ସରକାରଙ୍କୁ ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ ପ୍ରଶ୍ନ କରିଛନ୍ତି । ଘଟଣା ଘଟିବାର ଦୁଇ ଦିନ ପରେ ଆର.ଜି.କର ମେଡିକାଲ କଲେଜ ହସ୍ପିଟାଲର ଅଧ୍ୟକ୍ଷ ଡକ୍ଟର ସନ୍ଦୀପ ଘୋଷ ନିଜ ପଦରୁ ଇସ୍ତଫା ଦେଇଥିବା ବେଳେ କିଛି ଘଂଟା ମଧ୍ୟରେ ରାଜ୍ୟ ସରକାର ତାଙ୍କୁ କୋଲକାତା ନ୍ୟାସନାଲ ମେଡିକାଲ କଲେଜ ହସ୍ପିଟାଲର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେବା ମଧ୍ୟ ଏବେ ସରକାରଙ୍କ ଅଡୁଆ ବଢାଇଛି । ଅବଶ୍ୟ, ନ୍ୟାସନାଲ ମେଡିକାଲ କଲେଜ ହସ୍ପିଟାଲର ଡାକ୍ତର ଓ ଛାତ୍ରଛାତ୍ରୀ ସନ୍ଦୀପ ଘୋଷଙ୍କୁ ‘ଅଳିଆ’ ବୋଲି କହି ଦାୟିତ୍ୱ ନେବାକୁ ସୁଯୋଗ ଦେଇନଥିଲେ । ଅଗଷ୍ଟ ୦୯ ତାରିଖରେ ଏହି ଦୁଷ୍କର୍ମ ଓ ହତ୍ୟା ଘଟଣା ସାମ୍ନାକୁ ଆସିବା ପରେ କୋଲକାତା ପୁଲିସ ମାମଲାର ତଦନ୍ତ କରୁଥିଲେ । ତେବେ, ତଦନ୍ତର ନିରପେକ୍ଷତାକୁ ନେଇ ପ୍ରଶ୍ନ ଉଠାଇ ୩୧ ବର୍ଷ ବୟସ୍କା ପୀଡିତାଙ୍କ ପରିବାର କୋଲକାତା ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ପରେ ହାଇକୋର୍ଟ ମାମଲାର ତୁରନ୍ତ ସିବିଆଇ ତଦନ୍ତ ପାଇଁ ନିର୍ଦେଶ ଦେଇଥିଲେ । ସିବିଆଇ ପ୍ରାୟ ୬୦ ଘଂଟା ହେଲା ଆର.ଜି.କର ମେଡିକାଲ କଲେଜ ହସ୍ପିଟାଲର ପୂର୍ବ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କୁ ନିଜ ହେପାଜତକୁ ନେଇ ଜେରା କରୁଛି । ସେଦିନ ରାତିରେ ଡ୍ୟୁଟିରେ ଥିବା ଅନ୍ୟ ଡାକ୍ତର ଓ କର୍ମଚାରୀଙ୍କ ଜେରା ମଧ୍ୟ ଚାଲିଛି । ଏହି ମାମଲାରେ ଗିରଫ ହୋଇଥିବା ଏକମାତ୍ର ଅଭିଯୁକ୍ତ ସଂଜୟ ରାୟର ପଲିଗ୍ରାଫ ଟେଷ୍ଟ ପାଇଁ ସିବିଆଇକୁ ଅନୁମତି ମିଳିଥିବା ଅନୁମତି ମିଳିଥିବା ଜଣାପଡିଛି । ଘଟଣାକୁ ନେଇ ପଶ୍ଚିମ ବଂଗ ରାଜନୀତି ସରଗରମ ରହିଛି । ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ଥିବା ବିଜେପି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଶାସନରେ ମହିଳା ସୁରକ୍ଷିତ ନୁହନ୍ତି ଦର୍ଶାଇ ତାଙ୍କ ଇସ୍ତଫା ଦାବିରେ ରାସ୍ତାରେ ବିକ୍ଷୋଭ କରୁଥିବା ବେଳେ ମମତା ମଧ୍ୟ ପ୍ରକୃତ ଅପରାଧୀକୁ ଗିରଫ କରାଯାଇ ଫାସୀ ଦିଆଯିବା ଦାବିରେ ଟିଏମସି ସମର୍ଥକଙ୍କ ସହ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଡାକ୍ତର ଓ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପ୍ରତିବାଦ ଏବଂ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ଦେଶବ୍ୟାପୀ ରୋଗୀ ସେବା ଠପ୍ ରହିଥିବା ବେଳେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବିଜେପି-ଟିଏମସି ମୁହାଁମୁହିଁ ଅବସ୍ଥାରେ ଥିବାରୁ ରାଜନୀତି ଅଧିକ ସରଗରମ ରହିଛି । ଦେଶରେ ଅଧିକରୁ ଅଧିକ ସଂଖ୍ୟାରେ ମହିଳା ଡାକ୍ତରୀ ପେଶାକୁ ଆସୁଥିବାରୁ ଏବଂ ମହିଳାମାନେ ହିଁ କର୍ମକ୍ଷେତ୍ରରେ ଅଧିକ ଭାବେ ହିଂସାର ଶିକାର ହେଉଥିବାରୁ ଆଉ ଗୋଟିଏ ଦୁଷ୍କର୍ମ ଓ ହତ୍ୟା ଘଟଣା ଘଟିବା ପର୍ଯ୍ୟନ୍ତ ଅପେକ୍ଷା କରି ହେବ ନାହିଁ ବୋଲି ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ କହିବା ସହ ମେଡିକାଲ କଲେଜ ଓ ହସ୍ପିଟାଲର କାର୍ଯ୍ୟରତ ଡାକ୍ତରମାନଙ୍କ ସୁରକ୍ଷା ସଂପର୍କରେ ସୁପାରିଶ କରିବାକୁ ଏନଟିଏଫ ଗଠନ କରିଥିବାରୁ ଏବଂ ଆନ୍ଦୋଳନରତ ଡାକ୍ତରମାନେ କର୍ମକ୍ଷେତ୍ରକୁ ଫେରି ଯାଇ ରୋଗୀ ସେବାକୁ ପୁନଃବାହାଲ କରିବାକୁ ଆହ୍ୱାନ ଦେଇଥିବାରୁ ଏହା ପରେ ମଧ୍ୟ ଡାକ୍ତର ଧର୍ମଘଟ ଓ ରାଜନୀତି ଚାଲିବ ନା ଥମିବ – ତାହା ଦେଖିବାକୁ ସମସ୍ତଙ୍କ ଅପେକ୍ଷା ରହିଛି ।
ମୁଖ୍ୟ ସଂପାଦକ, ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS