ମମତା ମହାନ୍ତ ପ୍ରାର୍ଥୀପତ୍ର ଦାଖଲ କଲେ


ପ୍ରସାଦ ରାଓ
ଅଗଷ୍ଟ ୨୧/୨୦୨୪
ପୂର୍ବତନ ରାଜ୍ୟସଭା ସାଂସଦ ମମତା ମହାନ୍ତ ଆଜି ରାଜ୍ୟ ବିଧାନସଭା କାର୍ଯ୍ୟାଳୟକୁ ଯାଇ ସେପ୍ଟେମ୍ବର ୩ ତାରିଖରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପାଇଁ ଓଡ଼ିଶାରୁ ବିଜେପି ପ୍ରାର୍ଥୀ ଭାବେ ନାମାକଂନପତ୍ର ଦାଖଲ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସେ ତାଙ୍କ ନାମାଂକନପତ୍ର ଦାଖଲ କରିଥିଲେ । ମୟୁରଭଂଜ ଜିଲ୍ଲାର ଏହି କୁଡୁମି ସଂପ୍ରଦାୟ ନେତ୍ରୀଙ୍କୁ ବିଜେଡ଼ି ୨୦୨୦ରେ ରାଜ୍ୟସଭାକୁ ପଠାଇ ଥିଲା । ୨୦୨୬ ପର୍ଯ୍ୟନ୍ତ ତାଙ୍କ କାର୍ଯ୍ୟକାଳ ଥିବା ବେଳେ ନିକଟରେ ସେ ରାଜ୍ୟସଭାରୁ ଓ ବିଜେଡ଼ିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିଲେ । ମମତାଙ୍କ ଇସ୍ତଫା ପରେ ଖାଲି ପଡି ଥିବା ଏକମାତ୍ର ରାଜ୍ୟସଭା ଆସନ ପାଇଁ ସେପ୍ଟେମ୍ବର ୩ରେ ନିର୍ବାଚନ ହେବାକୁ ଯାଉଛି । ବିଜେପି ମମତାଙ୍କୁ ହିଁ ରାଜ୍ୟସଭା ପାଇଁ ପ୍ରାର୍ଥୀ କରିଛି । ଗତକାଲି ବିଜେପି ପକ୍ଷରୁ ମମତାଙ୍କ ଘୋଷଣା ପରେ ସମସ୍ତ କଳ୍ପନା ଜଳ୍ପନାର ଅବସାନ ଘଟିଥିଲା । ଆଜି ସେ ବିଧାନସଭାକୁ ଯାଇ ତାଙ୍କ ନାମାଂକନପତ୍ର ଦାଖଲ କରିଛନ୍ତି । ରାଜ୍ୟ ବିଧାନସଭାରେ ବିଜେପିର ସଂଖ୍ୟାଗରିଷ୍ଠତା ଥିବାରୁ ମମତା ନିର୍ବାଚିତ ହେବାରେ କିଛି ଅସୁବିଧା ନାହିଁ । ତେବେ, ୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ ବିଜେଡ଼ିର ପରାଜୟ ପରେ ହୋଇଥିବା ଏହି ଦଳବଦଳ ବିଜେଡ଼ି ପାଇଁ ବଡ ଝଟକା ହୋଇଛି । ମମତା ରାଜ୍ୟସଭା ସାଂସଦ ଓ ବିଜେଡ଼ିର ପ୍ରାଥମିକ ସଦସତାରୁ ଇସ୍ତଫା ଦେଉଥିବା ନେଇ ଶେଷ ସମୟ ପର୍ଯ୍ୟନ୍ତ ବିଜେଡ଼ି ନେତୃତ୍ୱ ଅନ୍ଧାରରେ ଥିଲେ । ରାଜ୍ୟସଭା ଅଧ୍ୟକ୍ଷ ଥିବା ଉପ ରାଷ୍ଟ୍ରପତି ଜଗଦୀପ ଧନକର ସଂସଦ ଅଧିବେଶନ ଚାଲିଥିବା ସମୟରେ ମମତା ରାଜ୍ୟସଭା ସଂସଦରୁ ଇସ୍ତଫା ଦେଇଥିବା ବିଷୟ ଘୋଷଣା କରିବା ପରେ ବିଜେଡ଼ିରେ ହଇଚଇ ସୃଷ୍ଟି ହୋଇଥିଲା । ମମତା ମଧ୍ୟ ତୁରନ୍ତ ବିଜେଡ଼ିର ପ୍ରାଥମିକ ସଦସ୍ୟତା ଇସ୍ତଫା ଦେଇ କାଳବିଳମ୍ବ ନକରି ବିଜେପି ହାତ ଧରିଥିଲେ । ଗତ ବିଧାନସଭା ନିର୍ବାଚନରେ ପରାଜିତ ହୋଇଥିବା ରାଜ୍ୟ ବିଜେପି ସଭାପତି ସାମଲଙ୍କୁ ରାଜ୍ୟସଭାକୁ ନେବା ପାଇଁ ବିଜେପିର ଏହା ଏକ ରାଜନୈତିକ ଚାଲ୍ ଥିଲା ବୋଲି ପ୍ରଥମେ ଅନୁମାନ କରାଯାଉଥିଲା । ପରେ, ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଓ ଅନ୍ୟ କିଛି ବରିଷ୍ଠ ନେତାଙ୍କ ନାମ ମଧ୍ୟ ଚର୍ଚ୍ଚାକୁ ଆସିଥିଲା । ତେବେ, ଓଡ଼ିଶାରୁ କିଏ ରାଜ୍ୟସଭାକୁ ଯିବ ତାହା ଦଳର କେନ୍ଦ୍ରୀୟ ନେତୃତ୍ୱ ହିଁ ନିଷ୍ପତ୍ତି ନେବେ କହି ରାଜ୍ୟ ସଭାପତି ସାମଲ ଗଣମାଧ୍ୟମରେ ହେଉଥବା ଚର୍ଚ୍ଚକୁ ଏଡାଇ ଯାଇଥିଲେ । ମମତା ମଧ୍ୟ କହିଥିଲେ, ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ରାଜ୍ୟ ତଥା ନିଜ ଅଂଚଳର ଓ ନିଜ ସଂପ୍ରଦାୟର ବିକାଶ ପାଇଁ କାର୍ଯ୍ୟ କରିବାକୁ ଚାହୁଁଛନ୍ତି । ଦଳ ଯେଉଁ ଦାୟିତ୍ୱ ଦେବ ତାହାକୁ ଗ୍ରହଣ କରି ନେବେ । ଗତକାଲି ବିଜେପି ମମତାଙ୍କୁ ହିଁ ରାଜ୍ୟସଭାକୁ ପ୍ରାର୍ଥୀ କରିଥିବାରୁ ବିଜେପିର ଡିଲ୍ ସ୍ପଷ୍ଟ ହୋଇଛି । ଏବେ ମମତା ମହାନ୍ତ ୨୦୨୬ ପର୍ଯ୍ୟନ୍ତ ରାଜ୍ୟସଭା ସାଂସଦ ରହି ତାଙ୍କ କାର୍ଯ୍ୟକାଳ ସଂପୂର୍ଣ୍ଣ କରିବେ । ତେବେ, ବିଜେଡ଼ି ସାଂସଦ ଭାବେ ନୁହେଁ, ବିଜେପି ସାଂସଦ ଭାବେ ରାଜ୍ୟସଭାରେ ବସିବେ । ମମତାଙ୍କ ଇସ୍ତଫା ଓ ଦଳତ୍ୟାଗ ପରେ ରାଜ୍ୟସଭାରେ ବିଜେଡ଼ି ସାଂସଦ ସଂଖ୍ୟା ୦୮କୁ କମିଛି । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରାଜ୍ୟସଭାରେ ଓଡ଼ିଶାରୁ ବିଜେପିର ଏକମାତ୍ର ସାଂସଦ ରହିଛନ୍ତି । ୨୦୧୯ ଓ ୨୦୨୪ ଫେବୃୟାରୀ ରାଜ୍ୟସଭା ନିର୍ବାଚନରେ ସେ ବିଜେପିରୁ ପ୍ରାର୍ଥୀ ଥାଇ ବିଜେଡ଼ି ସମର୍ଥନରେ ରାଜ୍ୟସଭାକୁ ଯାଇଛନ୍ତି । ତେବେ, ପ୍ରଥମ ଥର ପାଇଁ ମମତା ମହାନ୍ତ ଓଡ଼ିଶାରୁ ବିଜେପି ବିଧାୟକଙ୍କ ବଳରେ ରାଜ୍ୟସଭାକୁ ନିର୍ବାଚିତ ହେବାକୁ ଯାଉଛନ୍ତି । ମମତା ଆଜି ନାମାଂକନପତ୍ର ଦାଖଲ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା, ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡା, ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବିଜେପିର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ନିଜର କୃତଜ୍ଞତା ଜଣାଇଛନ୍ତି । ବିଜେଡ଼ିର ଗତ ୨୪ ବର୍ଷର ଶାସନରେ ମମତା ମହାନ୍ତଙ୍କ ଭଳି ଅନେକ ତୃଣମୂଳସ୍ତର ନେତା, ନେତ୍ରୀ ରାଜ୍ୟସଭାକୁ ଯିବା ସୁଯୋଗ ପାଇଛନ୍ତି । ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ହୁଇମ୍ ରେ ସେମାନେ ମନୋନୀତ ଓ ନିର୍ବାଚିତ ହେଉଥିଲେ । ଏବେ, ବିଧାନସଭାରେ ବିଜେଡ଼ିର ପୂର୍ବ ସ୍ଥିତି ନାହିଁ । ବିଜେପି ପ୍ରଥମ ଥର ପାଇଁ ରାଜ୍ୟ ବିଧାନସଭାରେ ୧୪୭ ଆସନରୁ ୭୮ଟିରେ ବିଜୟୀ ହୋଇ ଏକକ ସଂଖ୍ୟାଗରିଷ୍ଠ ଦଳ ରହିଛି । ଦଳ ପଛରେ ତିନି ସ୍ୱାଧୀନ ବିଧାୟକଙ୍କ ସମର୍ଥନ ମଧ୍ୟ ରହିଛି । ବିଧାନସଭାରେ ବିଜେଡ଼ିର ସଂଖ୍ୟା ୫୧ ଓ କଂଗ୍ରେସର ସଂଖ୍ୟା ୧୪ ଥିବାରୁ ଗୋଟିଏ ରାଜ୍ୟସଭା ଆସନ ପାଇଁ ହେଉଥିବା ନିର୍ବାଚନରେ ଦୁଇ ବିରୋଧୀ ରାଜନୈତିକ ଦଳ ଏକାଠି ହୋଇ ମମତାଙ୍କ ବିରୋଧରେ ପ୍ରାର୍ଥୀ ଦେଲେ ମଧ୍ୟ ଜିତିବାର ସମ୍ଭାବନା ନାହିଁ । ତେଣୁ, ମମତା ମହାନ୍ତ ନିଦ୍ଦ୍ୱର୍ନ୍ଦ୍ୱରେ ରାଜ୍ୟସଭାକୁ ନିର୍ବାଚିତ ହୋଇ ରାଜ୍ୟସଭାରେ ବିଜେପିର ସଂଖ୍ୟା ବୃଦ୍ଧିରେ ସହାୟକ ହେବେ, ଏଥିରେ କୌଣସି ଦ୍ୱିମତ ନାହିଁ ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS