କୋଲକାତା ଘଟଣାକୁ ନେଇ ଦେଶବ୍ୟାପୀ ରାଜନୀତି ଚରମରେ !


ପ୍ରସାଦ ରାଓ
ଅଗଷ୍ଟ ୨୨/୨୦୨୪
କୋଲକାତା ଆର.ଜି.କର ମେଡିକାଲ କଲେଜ ହସ୍ପିଟାଲରେ ଅଗଷ୍ଟ ୦୯ ତାରିଖ ଦିନ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଘଟଣାକୁ ନେଇ ରାଜନୀତି ଚରମରେ ପହଂଚିଛି । କେବଳ ପଶ୍ଚିମ ବଂଗ ନୁହେଁ, ସମଗ୍ର ଦେଶରେ ଏହାର ଗୁଂଜରଣ ଶୁଣିବାକୁ ମିଳୁଛି । ଘଟିଥିବା ଘଟଣା ନିଶ୍ଚିତ ଭାବେ ଅମାନୁଷିକ ଓ ବର୍ବର । ଘଟଣାକୁ ଚପାଇ ଦେବା ପାଇଁ ସଂପୃକ୍ତ ମେଡିକାଲ କଲେଜର ଅଧ୍ୟକ୍ଷ ଓ କୋଲକାତା ପୁଲିସ ଯେଉଁ ଉଦ୍ୟମ କରିଥିଲେ ତାହା ଦୁର୍ଭଗ୍ୟଜନକ ଓ ଅଗ୍ରହଣୀୟ । ତେବେ, ସଂପୂର୍ଣ୍ଣ ଘଟଣାକୁ ନେଇ ରାଜନୀତିର ଯେଉଁ ରୁଟି ସେକା ଚାଲିଛି ତାହା ସୁପ୍ରିମ କୋର୍ଟକୁ ବିଚାରପତିଙ୍କୁ ମଧ୍ୟ ବିଚଳିତ କରିଛି । କୋଲକାତା ହାଇକୋର୍ଟଙ୍କ ନିର୍ଦେଶରେ ସିବିଆଇ ଆର.ଜି.କର ମେଡିକାଲ କଲେଜ ହସ୍ପିଟାଲରେ ୦୯ ତାରିଖ ଘଟିଥିବା ଘଟଣାର ତଦନ୍ତ ଚାଲୁ ରଖିଥିବା ବେଳେ ସୁପ୍ରିମ କୋର୍ଟ ନିଜ ଆଡୁ ଏହି ଘଟଣାକୁ ସଂଜ୍ଞାନକୁ ନେଇ ଶୁଣାଣୀ କରୁଛନ୍ତି । ସିବିଆଇ ପକ୍ଷରୁ ଏପର୍ଯ୍ୟନ୍ତ ହୋଇଥିବା ତଦନ୍ତର ଷ୍ଟାଟସ ରିପୋର୍ଟ ଆଜି ଏକ ଜଉମୁଦ ଲଫାଫାରେ ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ନିକଟରେ ଦାଖଲ କରାଯାଇଛି । ରିପୋର୍ଟରେ କଣ ଅଛି (?) ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ଏହା ଗଣଦୁଷ୍କର୍ମ ନୁହେଁ, ଏକ ଦୁଷ୍କର୍ମ ଓ ହତ୍ୟା ଘଟଣା ବୋଲି ତଦନ୍ତରୁ ସୂଚନା ମିଳିଥିବା ଆଲୋଚନା ହେଉଛି । ପଶ୍ଚିମ ବଂଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତୃଣମୂଲ କଂଗ୍ରେସ (ଟିଏମସି) ଦଳ ଶାସନରେ ଥିବା ବେଳେ ବିଜେପି ମୁଖ୍ୟ ବିରୋଧୀ ଦଳ ରହିଛି । ଅଗଷ୍ଟ ୦୯ ତାରିଖ ଘଟଣା ପରେ ପୁଲିସ ତଦନ୍ତରେ ହୋଇଥିବା ଘୋର ଅବହେଳା ଓ ଅନିୟମିତତାକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ତାଙ୍କ ସରକାର ଉଭୟ କୋଲକାତା ହାଇକୋର୍ଟ ଓ ସୁପ୍ରିମ କୋର୍ଟରେ କଡା ସମାଲୋଚନାର ସମ୍ମୁଖୀନ ହୋଇଥିବା ବେଳେ ବିରୋଧୀ ବିଜେପି ମମତା ସରକାରଙ୍କୁ ଘେରିବାକୁ ସାମାନ୍ୟ ସୁଯୋଗ ମଧ୍ୟ ହାତଛଡା କରି ନାହିଁ । ଦୁଷ୍କର୍ମ ଓ ହତ୍ୟା ଘଟଣାରେ ସଂପୃକ୍ତ ପ୍ରକୃତ ଅପରାଧୀକୁ ଚିହ୍ନଟ କରାଯାଇ ତ୍ୱରିତ ବିଚାରଣା କରାଯିବା ସହ ଫାସୀ ଦଣ୍ଡରେ ଦଣ୍ଡିତ କରାଯାଉ ଓ ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ମିଳୁ ବୋଲି କୋଲକାତା ସମେତ ସମଗ୍ର ଦେଶର ଡାକ୍ତର ଓ ଡାକ୍ତରୀ ଛାତ୍ର ଗତ ୦୯ ତାରିଖରୁ ଆନ୍ଦୋଳନରେ ଥିବା ବେଳେ ବିଜେପି ମୁଖ୍ୟମନ୍ତ୍ରୀ ପଦରୁ ମମତାଙ୍କ ଇସ୍ତଫା ଦାବିରେ ଆନ୍ଦୋଳନ ଚଳାଇଛି । ବିଡମ୍ବନାର ବିଷୟ ହୋଇଛି, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଟ୍ରେନି ଡାକ୍ତରଙ୍କୁ ଦଷ୍କର୍ମ ଓ ହତ୍ୟା କରିଥିବା ଅଭିଯୁକ୍ତକୁ ଫାସୀ ଖୁଂଟରେ ଚଢାଯାଉ ବୋଲି ଦାବି କରି ନିଜ ରାଜ୍ୟରେ ରାଜରାସ୍ତାକୁ ଆସିଛନ୍ତି । ମମତାଙ୍କ ରାଜ୍ୟରେ ମହିଳା ସୁରକ୍ଷିତ ନୁହନ୍ତି, ସନ୍ଦେଶଖାଲିରୁ ଆର.ଜି.କର ହସ୍ପିଟାଲ ଘଟଣା ପର୍ଯ୍ୟନ୍ତ ଘଟିଥିବା ବିଭିନ୍ନ ଘଟଣାରୁ ଏହା ସ୍ପଷ୍ଟ ବୋଲି ବିଜେପି ଅଭିଯୋଗ କରି ମମତା-ବିରୋଧୀ ରାଜନୀତିକୁ ଶାଣିତ କରିଥିବା ବେଳେ ଟିଏମସି (ତୃଣମୂଳ କଂଗ୍ରେସ) ନେତାମାନେ ଅନ୍ୟ ରାଜ୍ୟରେ ଘଟିଥିବା (ବିଶେଷକରି, ବିଜେପି ଶାସିତ ରାଜ୍ୟ) ଏଭଳି ଘଟଣାର ଦୃଷ୍ଟାନ୍ତ ଦେଇ ବିଜେପି ପକ୍ଷରୁ ଚାଲିଥିବା ବ୍ୟାଖ୍ୟାନର ମୁକାବିଲା କରୁଛନ୍ତି । ତେବେ, ଏଭଳି ଘଟଣା ଯେକୌଣସି ରାଜ୍ୟରେ (ବିଜେପି ଶାସିତ ହେଉ ବା ଅଣ ବିଜେପି ଶାସିତ) ଘଟିବା ନିନ୍ଦନୀୟ ଓ ଫାସୀ ଭଳି କଠୋର ଦଣ୍ଡରେ ଅପରାଧୀଙ୍କୁ ଦଣ୍ଡିତ କରାଯିବାର ଆବଶ୍ୟକତା ରହିଛି । କେନ୍ଦ୍ର ସରକାର ଏଦିଗରେ ଏକ କଠୋର ଆଇନ ପ୍ରଣୟନ କରନ୍ତୁ ବୋଲି କଂଗ୍ରେସ ସମେତ ବିରୋଧୀ ‘ଇଣ୍ଡି’ ମେଂଟ ନେତାମାନେ ଦାବି କରୁଛନ୍ତି । କୋଲକାତା ଆର.ଜି.ମେଡ଼ିକାଲ କଲେଜ ହସ୍ପିଟାଲରେ ସଦ୍ୟ ଘଟିଥିବା ଦୁଷ୍କର୍ମ ଓ ହତ୍ୟା ଘଟଣା ଏଭଳି ଏକ ଦାବି ରଖିବାକୁ ଖୋରାକ ଯୋଗାଇଛି । ଦିଲ୍ଲୀର ନିର୍ଭୟା ଘଟଣା ପରେ କୋଲକାତାରେ ଘଟିଥିବା ଏହି ନିର୍ଦୟ ଘଟଣା ସମଗ୍ର ଦେଶରେ କ୍ରୋଧର ବାତାବରଣ ସୃଷ୍ଟି କରିଛି । ଆର.ଜି.କର ମେଡିକାଲ କଲେଜ ହସ୍ପିଟାଲରେ ୦୮ ତାରିଖ ଦିନ ରାତ୍ରୀ ଡ୍ୟୁଟିରେ ଥିବା ମହିଳା ଟ୍ରେନି ଡାକ୍ତର ସୁରକ୍ଷିତ ବିଚାର କରାଯାଉଥିବା ସେମିନାର ହଲରେ ବିଶ୍ରାମ ନେଉଥିବା ସମୟରେ ଦୁଷ୍କର୍ମ ଓ ହତ୍ୟାର ଶିକାର ହେବା ସମଗ୍ର ଦେଶକୁ ଦୋହଲାଇ ଦେଇଛି । ପଶ୍ଚିମ ବଂଗର ଟିଏମସି ସରକାର ଓ ବିରୋଧୀ ବିଜେପି ମଧ୍ୟରେ ରହିଥିବା ତୀକ୍ତତାର ପ୍ରତିଫଳନ ଆଜି ସୁପ୍ରିମ କୋର୍ଟରେ ମଧ୍ୟ ପ୍ରତିଫଳିତ ହୋଇଥିଲା । କୋର୍ଟରେ ମାମଲାର ଶୁଣାଣୀ ଚାଲିଥିବା ବେଳେ କେନ୍ଦ୍ର ସରକାରଙ୍କ ଓକିଲ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଓ ପଶ୍ଚିମ ବଂଗ ସରକାରଙ୍କ ଓକିଲ ସୁପ୍ରିମ କୋର୍ଟର ବରିଷ୍ଠ ଆଇନଜୀବୀ କପିଲ ସିବଲଙ୍କ ମଧ୍ୟରେ ଏଭଳି କଥା କଟାକଟି ହାଇଥିଲା ଯେ ମାମଲାର ଶୁଣାଣୀ ଜାରି ରଖିଥିବା ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡଙ୍କ ଖଣ୍ଡପୀଠ ମଧ୍ୟ ସ୍ତବ୍ଧ ହୋଇଯାଇଥିଲେ । ଅଗଷ୍ଟ ୦୯ ତାରିଖ ଘଟଣାର ରାଜନୀତିକରଣ କରାନଯିବାକୁ ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ ଉଭୟ ପକ୍ଷ ଓକିଲଙ୍କୁ ତାଗିଦ କରିବା ସହ ଆଇନ ତା’ ବାଟରେ କାର୍ଯ୍ୟ କରୁଛି, ଘଟଣାର ତ୍ୱରିତ ଏବଂ ଦକ୍ଷତାର ସହ ତଦନ୍ତ ହୋଇ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଥିଲେ । ଟିଏମସିର ଅଭିଯୋଗ ହେଉଛି, ଅଗଷ୍ଟ ୦୯ ତାରିଖ ଘଟଣାରେ ବିଜେପି ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସରକାର ବିରୋଧରେ ମିଥ୍ୟା ଅଭିଯୋଗମାନ କରି ଲୋକଚକ୍ଷୁରେ ସରକାରଙ୍କୁ ନିନ୍ଦିତ କରିବାକୁ ଉଦ୍ୟମ କରୁଛି । ଅପରପକ୍ଷରେ, ବିଜେପି ଟିଏମସିର ଜଣେ ବରିଷ୍ଠ ମନ୍ତ୍ରୀ ରାଜ୍ୟ ସରକାରଙ୍କ ବିରୋଧରେ ଗୁରୁତର ଅଭିଯୋଗ କରିଥିବା ଦର୍ଶାଇ ରାଜ୍ୟ ସରକାରଙ୍କୁ ଘେରିବା ଉଦ୍ୟମ କରିଛି । ଶୁଣାଣୀ ସମୟରେ ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦଚୂଡ ଆନ୍ଦୋଳନରତ ଡାକ୍ତରମାନଙ୍କୁ ତୁରନ୍ତ ସେମାନଙ୍କ କାର୍ଯ୍ୟ କ୍ଷେତ୍ରକୁ ଫେରି ରୋଗୀ ସେବା ବାହାଲ କରିବାକୁ ଅନୁରୋଧ କରିଛନ୍ତି । ନ୍ୟାୟ ଓ ସେବା ଅତ୍ୟନ୍ତ ଜରୁରୀ ବୋଲି ସେ କହିଛନ୍ତି । ଏଗାର ଦିନ ହେଲା ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ସାମିଲ ଥିବା ଡାକ୍ତରମାନେ କାର୍ଯ୍ୟ କ୍ଷେତ୍ରକୁ ଫେରିଲେ ମଧ୍ୟ ସରକାରଙ୍କ ଆଡୁ ଅନୁପସ୍ଥିତି ପାଇଁ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବେ ବୋଲି ବିଭିନ୍ନ ଡାକ୍ତର ସଂଗଠନର ଓକିଲମାନଙ୍କ ପକ୍ଷରୁ ଅଦାଲତରେ ଆଶଙ୍କା ବ୍ୟକ୍ତ କରାଯିବାରୁ ଯେଉଁ ଡାକ୍ତରମାନେ କାର୍ଯ୍ୟ କ୍ଷେତ୍ରରେ ଉପସ୍ଥିତ ଥାଇ ପ୍ରତିବାଦ ଆନ୍ଦୋଳନରେ ଭାଗ ନେଇଥିଲେ ସେମାନଙ୍କ ବିରୋଧରେ କୌଣସି ପ୍ରକାର ଦଣ୍ଡବିଧାନ ହେବ ନାହିଁ ବୋଲି ପ୍ରଧାନ ବିଚାରପତି ପ୍ରତିଶ୍ରୁତି ଦେବା ସହ ରାଜ୍ୟ ସରକାରମାନଙ୍କୁ ସେହି ଅନୁସାରେ ନିର୍ଦେଶ ଦେଇଛନ୍ତି । କାର୍ଯ୍ୟ କ୍ଷେତ୍ରରେ ଡାକ୍ତରମାନଙ୍କୁ ସଂପୂର୍ଣ୍ଣ ସୁରକ୍ଷା ଯୋଗାଇ ଦେବା ସକାଶେ କିଭଳି ପଦକ୍ଷେପମାନ ନେବାକୁ ପଡିବ ତାହା ସୁପାରିଶ କରିବାକୁ ଜଷ୍ଟିସ ଚନ୍ଦ୍ରଚୂଡଙ୍କ ଖଣ୍ଡପୀଠ ପ୍ରଥମ ଶୁଣାଣୀ ଦିନ ଏକ ନ୍ୟାସନାଲ ଟାସ୍କ ଫୋର୍ସ (ଏନଟିଏଫ) ଗଠନ କରିଛନ୍ତି ଏବଂ ଏନଟିଏଫ ତାହାର ଅନ୍ତରୀଣ ରିପୋର୍ଟ ତିନି ସପ୍ତାହ ମଧ୍ୟରେ ଓ ଚୂଡାନ୍ତ ରିପୋର୍ଟ ଦୁଇ ମାସ ମଧ୍ୟରେ ଦାଖଲ କରିବାକୁ ନିର୍ଦେଶ ଦେଇଛନ୍ତି । ଇତିମଧ୍ୟରେ, ସୁପ୍ରିମ କୋର୍ଟଙ୍କ ନିର୍ଦେଶ ପ୍ରକାରେ କୋଲକାତା ଆର.ଜି.କର ମେଡିକାଲ କଲେଜ ହସ୍ପିଟାଲରେ ଆଜି କେନ୍ଦ୍ରୀୟ ଶିଳ୍ପ ନିରାପତ୍ତା ବାହିନୀ (ସିଆଇଏସଏଫ) ଯାବାନଙ୍କୁ ମୁତୟନ କରାଯାଇଛି । ସେମାନେ ହସ୍ପିଟାଲ ଓ ସେଠାରେ କାର୍ଯ୍ୟରତ ଡାକ୍ତରମାନଙ୍କ ସୁରକ୍ଷାକୁ ଦେଖିବେ । ପୂର୍ବରୁ କୋଲକାତା ପୁଲିସ ଏହି ଦାୟିତ୍ୱ ତୁଲାଉ ଥିଲେ । ଏହି ମେଡିକାଲ କଲେଜ ହସ୍ପିଟାଲର ପୂର୍ବତନ ଅଧ୍ୟକ୍ଷ ଡକ୍ଟର ସନ୍ଦୀପ ଘୋଷଙ୍କୁ ସିବିଆଇ ପକ୍ଷରୁ ମାରାଥନ ଜେରା ଚାଲିଛି । ଇତିମଧ୍ୟରେ, ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଲେଖିଥିବା ଏକ ଚିଠି ସାମ୍ନାକୁ ଆସୁଛି । ଏହି ଚିଠିରେ ମମତା ଦେଶର ବିଭିନ୍ନ ଅଂଚଳରେ ପ୍ରତ୍ୟହ ୯୦ଟି ଦୁଷ୍କର୍ମ ଘଟଣା ଘଟୁଥିବା ବିବରଣୀ ଦେଇ ଏଭଳି ଘୃଣ୍ୟ ଅପରାଧରେ ସଂପୃକ୍ତ ଅପରାଧୀମାନଙ୍କୁ ତ୍ୱରିତ ଦଣ୍ଡିତ କରିବା ସକାଶେ କଡ଼ା କେନ୍ଦ୍ରୀୟ ଆଇନ ପ୍ରଣୟନ ହେବା ଓ ଫାଷ୍ଟ୍ ଟ୍ରାକ୍ କୋର୍ଟମାନ ପ୍ରତିଷ୍ଠା ହେବା ଉପରେ ଗୁରୁତ୍ୱ ଦେଇଛନ୍ତି । ସୁପ୍ରିମ କୋର୍ଟ ମଧ୍ୟ ଦେଶବ୍ୟାପୀ କାର୍ଯ୍ୟରତ ଡାକ୍ତର ଓ ମେଡିକାଲ କର୍ମଚାରୀଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ସଂପର୍କରେ ଆଲୋଚନା କରିବାକୁ ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ପୁଲିସ ଡିଜିମାନଙ୍କ ବୈଠକ ଡାକିବାକୁ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସଚିବଙ୍କୁ ନିର୍ଦେଶ ଦେଇଛି । କୋଲକାତା ଘଟଣା ପରେ ସ୍ୱାସ୍ଥ୍ୟ ସେବାକୁ ସୁରକ୍ଷିତ କରିବା ପାଇଁ ସବୁ ଆଡେ ବ୍ୟଗ୍ରତ ପ୍ରକାଶ ପାଉଥିବା ବେଳେ କେନ୍ଦ୍ର ସରକାର କି ପଦକ୍ଷେପ ନେଉଛନ୍ତି ତାହା ଉପରେ ସମଗ୍ର ଦେଶର ନଜର ରହିଛି । କୋଲକତା ଘଟଣାକୁ ନେଇ ସୁପ୍ରିମ କୋର୍ଟ ସେପ୍ଟେମ୍ବର ୦୫ ତାରିଖରେ ପରବର୍ତ୍ତୀ ଶୁଣାଣୀ କରିବେ ।
ମୁଖ୍ୟ ସଂପାଦକ, ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS