ସୁଭଦ୍ରା ଯୋଜନା: ଲଲିପପ୍ ଧରାଇଲେ ମୋହନ ସରକାର !


ପ୍ରସାଦ ରାଓ
ଅଗଷ୍ଟ ୨୩/୨୦୨୪
ଓଡ଼ିଶାରେ ବିଜେପି କ୍ଷମତାକୁ ଆସିଲେ ପ୍ରତ୍ୟେକ ମହିଳାଙ୍କୁ ‘ସୁଭଦ୍ରା’ ଯୋଜନାରେ ୫୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ମିଳିବ ବୋଲି ୨୦୨୪ ବିଧାନସଭା ନିର୍ବାଚନରେ ବିଜେପିର ଏକ ଲୋଭନୀୟ ଘୋଷଣା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ଆରମ୍ଭ କରି ବିଜେପିର କେନ୍ଦ୍ରୀୟ ଓ ରାଜ୍ୟସ୍ତର ନେତାମାନେ ଓଡ଼ିଶାରେ ନିର୍ବାଚନ ପ୍ରଚାର କରିବା ସମୟରେ ଏହି ଘୋଷଣା କରିଥିଲେ । ରାଜ୍ୟର ମହିଳା ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଜେପିର ଏହା ଏକ ଚତୁର ଘୋଷଣା ଥିଲା ଏବଂ ଏଥିରେ ସଫଳତା ମଧ୍ୟ ମିଳିଛି । ରାଜ୍ୟରେ ପ୍ରଥମ ଥର ପାଇଁ ବିଜେପି କ୍ଷମତାକୁ ଆସିଛି । ତେବେ, ‘ସୁଭଦ୍ରା’ ଯୋଜନାର ରୂପରେଖ କଣ ହେବ, ତାହା ଆଜି ଯାଏଁ ସ୍ପଷ୍ଟ ହୋଇନଥିଲା । ସେପ୍ଟେମ୍ବର ମାସରେ ପ୍ରାଧାନମନ୍ତ୍ରୀ ମୋଦୀଙ୍କ ଜନ୍ମ ଦିନ ଥିବାରୁ ସେହି ଦିନରୁ ରାଜ୍ୟରେ ‘ସୁଭଦ୍ରା’ ଯୋଜନା କାର୍ଯ୍ୟକାରୀ କରାଯିବ ଏବଂ ଏଥିସକାଶେ ଏସଓପି ପ୍ରସ୍ତୁତ କରାଯାଉଛି ବୋଲି ବିଭିନ୍ନ ସମୟରେ ରାଜ୍ୟ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ବୟାନ ଦେଇ ରାଜ୍ୟର ମହିଳାମାନଙ୍କୁ ଝୁଲାଇ ରଖି ଥିଲେ । ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟ ବିଧାନସଭାରେ ସୁଭଦ୍ରା ଯୋଜନା ପାଇଁ ପ୍ରସ୍ତୁତ କରାଯାଇଥିବା ଏସଓପି ବା ନିୟମାବଳୀ ଘୋଷଣା କରିଛନ୍ତି । ୨୧ରୁ ୬୦ ବର୍ଷ ବୟସ ସୀମାର ମହିଳା ସୁଭଦ୍ରା ଯୋଜନାରେ ଆର୍ଥିକ ସହାୟତା ପାଇଁ ଆବେଦନ କରି ପାରିବେ । ଯୋଗ୍ୟ ବିବେଚିତ ମହିଳାଙ୍କୁ ବର୍ଷକୁ ଦୁଇଟି କିସ୍ତିରେ ପାଂଚ ହଜାର ଟଙ୍କା ଲେଖାଏଁ ମୋଟ ଦଶ ହଜାର ଟଙ୍କା ମିଳିବ । ପାଂଚ ବର୍ଷରେ ସେମାନେ ୫୦ ହଜାର ଟଙ୍କା ପାଇବେ । ଡିବିଟି ମାଧ୍ୟମରେ ମହିଳାଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ଆସିବ । ରାକ୍ଷୀ ପୂର୍ଣ୍ଣିମାରେ ପ୍ରଥମ କିସ୍ତି ଓ ଆନ୍ତର୍ଜାତିକ ମହିଳା ଦିବସରେ ଦ୍ୱିତୀୟ କିସ୍ତି ଟଙ୍କା ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତିରେ କ୍ୟାବିନେଟ୍ ମୋହର ଲାଗି ସାରିଛି । ଏହି ଯୋଜନା ପାଇଁ ଯୋଗ୍ୟ ବିବେଚିତ ମହିଳାଙ୍କୁ ‘ସୁଭଦ୍ରା’ ଡେବିଟ କାର୍ଡ ଯୋଗାଇ ଦିଆଯିବ । ତେବେ, ଆର୍ଥିକ ଦୃଷ୍ଟିରୁ ସ୍ୱଚ୍ଛଳ, ସରକାରୀ ଚାକିରୀରେ ଥିବା, ଆୟକର ଦେଉଥିବା ଏବଂ ସରକାରଙ୍କ କୌଣସି ଯୋଜନାରେ ମାସିକ ୧୫୦୦ ଟଙ୍କା ବା ବାର୍ଷିକ ୧୮ ହଜାର ଟଙ୍କା କିମ୍ବା ତା’ଠାରୁ ଅଧିକ ଆର୍ଥିକ ସହାୟତା ପାଉଥିବା ମହିଳାମାନେ ‘ସୁଭଦ୍ରା’ ଯୋଜନା ସହାୟତା ପାଇବାକୁ ଯୋଗ୍ୟ ହେବେ ନାହିଁ । ସୁଭଦ୍ରା ଯୋଜନାରେ ଅନ୍ତର୍ଭୁକ୍ତ ହେବାକୁ ଯୋଗ୍ୟ ମହିଳା ସେମାନଙ୍କ ଅଂଚଳରେ ଥିବା ଅଂଗନବାଡି କେନ୍ଦ୍ର, ବ୍ଲକ କାର୍ଯ୍ୟାଳୟ, ମୋ ସେବା କେନ୍ଦ୍ର, ଜନ ସେବା କେନ୍ଦ୍ର ପ୍ରଭୃତିରୁ ମାଗଣାରେ ସ୍ୱତନ୍ତ୍ର ଆବେଦନପତ୍ର ସଂଗ୍ରହ କରି ଆବେଦନ କରି ପାରିବେ । ଏହାଛଡା, ସୁଭଦ୍ରା ଯୋଜନା ପାଇଁ ଏକ ସ୍ୱତନ୍ତ୍ର କଲ୍ ସେଂଟର ଖୋଲିବା ବ୍ୟବସ୍ଥା ହେଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଏହି ଯୋଜନାର ସୁପରିଚାଳନା ପାଇଁ ଏକ ସୁଭଦ୍ରା ସୋସାଇଟି ଗଠନ କରିବେ ବୋଲି ସୂଚନା ମିଳିଛି । ନିର୍ବାଚନ ସମୟରେ ବିଜେପି କ୍ଷମତାକୁ ଆସିଲେ ରାଜ୍ୟର ପ୍ରତ୍ୟେକ ମହିଳାଙ୍କୁ ‘ସୁଭଦ୍ରା’ ଯୋଜନାରେ ୫୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଭାଉଚର ଆକାରରେ ଦେବ ବୋଲି ଘୋଷଣା କରିଥିଲା ଏବଂ ଗ୍ରାମାଂଚଳରୁ ସହରାଂଚଳ ପର୍ଯ୍ୟନ୍ତ ମହିଳାମାନେ ଏହି ସହାୟତା ପାଇବା ଆଶା ରଖିଥିଲେ । ୨୦୨୪ ନିର୍ବାଚନରେ ଓଡ଼ିଶାରେ ୨୪ ବର୍ଷର ବିଜେଡ଼ି ସରକାର ତାସ୍ ଘର ଭଳି ଭୁଶୁଡି ଯିବା ଓ ବିଜେପି ପ୍ରଥମ ଥର ପାଇଁ ରାଜ୍ୟରେ ସରକାର କରିବା ପଛରେ ‘ସୁଭଦ୍ରା’ ଯୋଜନା ଏକ ବଡ ପ୍ରଲୋଭନ ଥିଲା କହିବା ଭୁଲ ହେବ ନାହିଁ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର କ୍ଷମତାକୁ ଆସିବାର ଦୁଇ ମାସ ପରେ ସୁଭଦ୍ରା ଯୋଜନା ପାଇଁ ଏସଓପି ଘୋଷଣା କରିଛନ୍ତି । ତାହା ମଧ୍ୟ ରାଜ୍ୟର ସମସ୍ତ ମହିଳାଙ୍କ ପାଇଁ ନୁହେଁ । ଆବେଦନ ପାଇଁ ମହିଳାଙ୍କ ବୟସ ସୀମା ଧାର୍ଯ୍ୟ ହୋଇଛି ଏବଂ ସରକାର ଏସଓପିରେ ବିଭିନ୍ନ ସର୍ତ୍ତ ମଧ୍ୟ ରଖିଛନ୍ତି । ଯାହାକି, ସୁଭଦ୍ରା ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ୫୦ ହଜାର ଟଙ୍କା ସରକାରୀ ସହାୟତା ପାଇବେ ବୋଲି ଆଶା ରଖିଥିବା ସମସ୍ତଙ୍କୁ ନିରାଶ କରିଛି । ବିଜେପି କ୍ଷମତାକୁ ଆସୁ ଆସୁ ରାଜ୍ୟବାସୀଙ୍କୁ ଠକିବା ଆରମ୍ଭ କରିଛି ବୋଲି ସର୍ବସାଧାରଣରେ ଆଲୋଚନା ହେଉଥିବା ବେଳେ ଯେଉଁ ଏସଓପି ଘୋଷଣା ହୋଇଛି ତାହା ମାଝୀ ସରକାରଙ୍କ ‘ଲଲିପପ୍’ ବୋଲି ରାଜନୈତିକ ମହଲରେ ସମାଲୋଚନା ହେଉଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS