ଜମ୍ମୁ-କଶ୍ମୀର ନିର୍ବାଚନ : ମୋହନଙ୍କ ମୁହଁରେ ଶାହାଙ୍କ ସ୍ୱର ?


ପ୍ରସାଦ ରାଓ
ଅଗଷ୍ଟ ୨୬/୨୦୨୪
୨୦୧୯ ଅଗଷ୍ଟରେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରୁ ସମ୍ବିଧାନର ୩୭୦ ଧାରା ଉଚ୍ଛେଦ କରିବା ସହ ରାଜ୍ୟର ପୁନର୍ଗଠନ କରି ବିଭାଜିତ ଜମ୍ମୁ-କଶ୍ମୀରକୁ ଏକ କେନ୍ଦ୍ର ଶାସିତ ଅଂଚଳ ଭାବେ ଘୋଷଣା କରିବା ପରେ ଆସନ୍ତା ସେପ୍ଟେମ୍ବର-ଅକ୍ଟୋବରରେ ପ୍ରଥମ ଥର ପାଇଁ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ରାଜ୍ୟରେ ତିନି ପର୍ଯ୍ୟାୟରେ ମତଦାନ ହେବ ଏବଂ ସେପ୍ଟେମ୍ବର ୧୮ରୁ ଏହା ଆରମ୍ଭ ହୋଇ ଅକ୍ଟୋବର ୦୧ ତାରିଖରେ ସରିବ । ଫଳାଫଳ ଅକ୍ଟୋବର ୦୪ ତାରିଖରେ ପ୍ରକାଶ ପାଇବ ବୋଲି ଭାରତୀୟ ନିର୍ବାଚନ ଆୟୁକ୍ତ (ଇସିଆଇ) ଗତ ୧୬ ତାରିଖ ଦିନ ଘୋଷଣା କରିଛନ୍ତି । ଜମ୍ମୁ-କଶ୍ମୀର ସହ ଅକ୍ଟୋବର ୦୧ ତାରିଖରେ ହରିୟାଣା ବିଧାନସଭା ପାଇଁ ମଧ୍ୟ ନିର୍ବାଚନ ହେବ ବୋଲି ର୍ନିାଚନ କମିଶନ ଘୋଷଣା କରିଥିବା ବେଳେ ବିଜେପି ଓ ଆରଏଲଡି ଲମ୍ବା ଛୁଟି ପଡୁଥିବା ଦର୍ଶାଇ ମତଦାନ ତାରିଖ ଘୁଂଚାଇବାକୁ ନିର୍ବାଚନ କମିଶନଙ୍କ ନିକଟରେ ଆବେଦନ କରିଛନ୍ତି । ଏନେଇ ଆସନ୍ତା କାଲି ନିଷ୍ପତ୍ତି ହେବା ଆଶା କରାଯାଉଛି । ଉଭୟ ଜମ୍ମୁ-କଶ୍ମୀର ଓ ହରିୟାଣାରେ ୯୦ ଲେଖାଏଁ ବିଧାନସଭା ଆସନ ପାଇଁ ମତଦାନ ହେବାକୁ ରହିଛି । ଚଳିତ ବର୍ଷ ମହାରାଷ୍ଟ୍ର ଓ ଝାଡଖଣ୍ଡରେ ମଧ୍ୟ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ନିର୍ବାଚନ ଆୟୁକ୍ତ ଏହି ଦୁଇ ରାଜ୍ୟ ପାଇଁ ନିର୍ବାଚନ ତାରିଖ ଘୋଷଣା କରି ନାହାନ୍ତି । ବିଜେପିର ରାଜନୈତିକ ବାଧ୍ୟବାଧକତାକୁ ଆଖିରେ ରଖି ଭାରତୀୟ ନିର୍ବାଚନ ଆୟୁକ୍ତ ଜମ୍ମୁ-କଶ୍ମୀର ଓ ହରିୟାଣା ସହ ମହାରାଷ୍ଟ୍ର ଓ ଝାଡଖଣ୍ଡ ବିଧାନସଭା ନିର୍ବାଚନ କରାଉ ନାହାନ୍ତି ବୋଲି ବିରୋଧୀ ଅଭିଯୋଗ କରୁଥିବା ବେଳେ ଜମ୍ମୁ-କଶ୍ମୀରରେ ନିର୍ବାଚନ ପରିଚାଳନା ପାଇଁ ଅଧିକ ସଂଖ୍ୟାରେ ସୁରକ୍ଷା ବଳର ଆବଶ୍ୟକତା ଥିବାରୁ ସେପ୍ଟେମ୍ବର- ଅକ୍ଟୋବରରେ ହେଉଥିବା ଦୁଇଟି ରାଜ୍ୟର ନିର୍ବାଚନ ସହ ମହାରାଷ୍ଟ୍ର ଓ ଝାଡଖଣ୍ଡକୁ ସାମିଲ କରାଯାଇନାହିଁ ବୋଲି ଇସିଆଇ ପକ୍ଷରୁ ସଫେଇ ଦିଆଯାଇଛି । ଏଥିରୁ, ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ କେନ୍ଦ୍ର ସରକାର ଓ ଭାରତୀୟ ନିର୍ବାଚନ ଆୟୁକ୍ତଙ୍କ ପାଇଁ କେତେଦୂର ଚ୍ୟାଲେଞ୍ଜିଂ ରହିଛି, ତାହା ଅତ୍ୟନ୍ତ ସ୍ପଷ୍ଟ । କେନ୍ଦ୍ର ସରକାର ପାଂଚ ବର୍ଷ ତଳେ ଜମ୍ମୁ-କଶ୍ମୀରରୁ ସମ୍ବିଧାନର ୩୭୦ ଧାରା ଉଚ୍ଛେଦ ସହ ରାଜ୍ୟର ପୁନର୍ଗଠନ କରି ଦୁଇଟି କେନ୍ଦ୍ର ଶାସିତ ଅଂଚଳ (ଜମ୍ମୁ-କଶ୍ମୀର ଓ ଲଦାଖ)ରେ ପରିଣତ କରିବା ପରେ କଶ୍ମୀରରେ ଚାଲିଥିବା ପାକ୍ ସମର୍ଥିତ ଆତଙ୍କବାଦ ବହୁ ମାତ୍ରାରେ ହ୍ରାସ ପାଇଥିବା ଏବଂ ରାଜ୍ୟ ବିକାଶ ପଥରେ ଆଗେଇ ଚାଲିଥିବା କେନ୍ଦ୍ର ସରକାର ଦାବି କରୁଥିବା ବେଳେ ବାସ୍ତବରେ କଶ୍ମୀର ଘାଟିରେ ଏବେ ମଧ୍ୟ ରହି ରହି ପାକ୍ ପ୍ରୟୋଜିତ ଆତଙ୍କୀ ଆକ୍ରମଣ ଚାଲିଛି । ତେବେ, ସେମାନଙ୍କ ଫୋକସ୍ କଶ୍ମୀର ଘାଟିରୁ ଜମ୍ମୁକୁ ସ୍ଥାନାନ୍ତରୀତ ହୋଇଥିବା ସରକାର ଓ ସୁରକ୍ଷା ବଳଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଏଭଳି ସ୍ଥିତିରେ କେନ୍ଦ୍ର ସରକାର ଓ ଭାରତୀୟ ନିର୍ବାଚନ ଆୟୁକ୍ତ କେନ୍ଦ୍ର ଶାସିତ ଜମ୍ମୁ-କଶ୍ମୀରରେ ୩୭୦ ଧାରା ଉଚ୍ଛେଦର ପାଂଚ ବର୍ଷ ପରେ ନିର୍ବାଚନ କରିବାକୁ ଯାଉଥିବାରୁ ତାହା ଶାନ୍ତିପୂର୍ଣ୍ଣ ଭାବେ ସମାପିତ କରିବାକୁ ରଣନୀତି ପ୍ରସ୍ତୁତ କରିବା ସ୍ୱାଭାବିକ । ରାଜ୍ୟ ପୁନର୍ଗଠନ ପରେ ଜମ୍ମୁ-କଶ୍ମୀର ବିଧାନସଭାରେ ଆସନ ସଂଖ୍ୟା ୧୧୪କୁ ବୃଦ୍ଧି ପାଇଥିଲେ ମଧ୍ୟ ସେଥିରୁ ୨୪ଟି ଆସନ ପାକ୍ ଅଧିକୃତ କଶ୍ମୀର (ପିଓକେ) ପାଇଁ ସଂରକ୍ଷିତ ଥିବାରୁ ବାକି ୯୦ଟି ଆସନ ପାଇଁ ସେପ୍ଟେମ୍ବର ୧୮, ୨୫ ଓ ଅକ୍ଟୋବର ୦୧ ତାରିଖରେ ମତଦାନ କରାଯିବ ବୋଲି ଭାରତୀୟ ନିର୍ବାଚନ ଆୟୁକ୍ତ (ଇସିଆଇ) ଅଗଷ୍ଟ ୧୬ ତାରିଖରେ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି । ନିର୍ବାଚନ ତାରିଖ ଘୋଷଣା ପରେ କେବଳ ଜମ୍ମୁ-କଶ୍ମୀର ନୁହେଁ, ଜାତୀୟ ରାଜନୀତିରେ ମଧ୍ୟ ହଲଚଲ ସୃଷ୍ଟି ହୋଇଛି । ଏହାର କାରଣ ହେଉଛି, ଜାମ୍ମୁ-କଶ୍ମୀରର ଦୁଇଟି ପ୍ରମୁଖ ରାଜନୈତିକ ଦଳ ଫାରୁକ ଅବଦୁଲ୍ଲାଙ୍କ ନ୍ୟାସନାଲ କନଫରେନ୍ସ (ଜେକେଏନସି) ଓ ମେହହେବୁବା ମୁଫତିଙ୍କ ପିପୁଲ୍ସ ଡେମୋକ୍ରେଟିକ ପାର୍ଟି (ପିଡିପି) ଆଂଚଳିକ ଦଳ ଭାବେ ରାଜ୍ୟରେ ପ୍ରମୁଖ କ୍ଷମତାକେନ୍ଦ୍ର ରହିଥିବା ବେଳେ ଜାତୀୟ ରାଜନୈତିକ ଦଳ ଭାବେ ବିଜେପି, କଂଗ୍ରେସ, ସିପିଏମ୍ ପ୍ରଭୃତି ଦଳ ନିର୍ବାଚନରେ ସାମିଲ ହେବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ୨୦୨୪ ଲୋକସଭା ନିର୍ବାଚନରେ ଜମ୍ମୁ-କଶ୍ମୀରରେ ଜାତୀୟ କନ୍ଫରେନ୍ସ (ଏନସି) ଓ କଂଗ୍ରେସ ମିଳିତ ଭାବେ ନିର୍ବାଚନ ଲଢି ୪୧.୭ ପ୍ରତିଶତ ଭୋଟ ପାଇଥିବା ବେଳେ ବିଜେପିକୁ ୧୭ ଓ ପିଡିପିକୁ ମାତ୍ର ୦୮ ପ୍ରତିଶତ ଭୋଟ ମିଳିଥିଲା । ଆସନ୍ତା ସେପ୍ଟେମ୍ବର-ଅକ୍ଟୋବରରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ବିରୋଧୀ ‘ଇଣ୍ଡି’ ମେଂଟରେ ଥିବା ଜାମ୍ମୁ-କଶ୍ମୀର ନ୍ୟାସନାଲ କନଫରେନ୍ସ ଓ ଭାରତୀୟ ଜାତୀୟ କଂଗ୍ରେସ ମିଳିତ ଭାବେ ନିର୍ବାଚନ ଲଢିବେ ବୋଲି ଅଗଷ୍ଟ ୨୨ ତାରିଖ ଦିନ ଶ୍ରୀନଗରରେ ହୋଇଥିବା ବୈଠକରେ ନିଷ୍ପତ୍ତି ନେଇ ଆସନ ବୁଝାମଣାରେ ବ୍ୟସ୍ତ ଥିବାରୁ ବିଜେପିର ଚିନ୍ତା ବଢିଛି । ଗତକାଲି ନୂଆଦିଲ୍ଲୀରେ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହୋଇ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରାଯାଇଛି । ତେବେ, ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ପୂର୍ବରୁ କଂଗ୍ରେସ-ଜେକେଏନସି ମେଂଟକୁ ଆକ୍ରମଣ ଜୋରଦାର କରି ଦେଇଛି । ଫାରୁକ ଅବଦୁଲ୍ଲାଙ୍କ ଜାତୀୟ କନ୍ଫରେନ୍ସ (ଏନସି) କ୍ଷମତାକୁ ଆସିଲେ ରାଜ୍ୟରେ ଜାତୀୟ ପତାକା ସହ ନିଜ ଦଳର ପତାକା ମଧ୍ୟ ଉଡାଇବ ଏବଂ ପାଂଚ ବର୍ଷ ତଳେ କେନ୍ଦୟ ସରକାର ଜମ୍ମୁ-କଶ୍ମୀରରୁ ଉଚ୍ଛେଦ କରିଥିବା ସମ୍ବିଧାନର ୩୭୦ ଓ ୩୫-ଏ ଧାରାର ପୁନର୍ବାହାଲ କରିବ ବୋଲି ଯେଉଁ ଘୋଷଣା କରିଛି ତାହା ପଛରେ କଂଗ୍ରେସର ସମର୍ଥନ ରହିଛି କି (?) ବୋଲି ବିଜେପି ପ୍ରଶ୍ନ କରିବା ଆରମ୍ଭ କରିଛି । ଦଳ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସିଧାସଳଖ ନିଶାଣ (ଟାର୍ଗେଟ୍) କରିଛି । ଏନସି, ପିଡିପି ଭଳି ବିଚ୍ଛନ୍ନତାବାଦୀ ଦଳ ରାଜ୍ୟରେ ଆତଙ୍କବାଦକୁ ସମର୍ଥନ ଦେଇ ଆସୁଛନ୍ତି ଓ ରାଜ୍ୟକୁ ଅସ୍ଥିର କରୁଛନ୍ତି । ସେଭଳି ସ୍ଥିତିରେ କଂଗ୍ରେସ ଫାରୁକ ଅବଦୁଲ୍ଲାଙ୍କ ଜାତୀୟ କନ୍ଫରେନ୍ସ (ଏନସି) ସହ ମେଂଟରେ ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେବା ରାଜ୍ୟରେ ଅଶାନ୍ତି ସୃଷ୍ଟି କରୁଥିବା ଓ ପାକ୍ ସମର୍ଥିତ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ଦଳଙ୍କ ପ୍ରତି ସମର୍ଥନ ନୁହେଁ କି (?) ବୋଲି ନିକଟରେ ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଗଣମାଧ୍ୟମ ଜରିଆରେ କଂଗ୍ରେସକୁ ପ୍ରଶ୍ନ କରିଥିଲେ । ବିଶେଷକରି, ସେ ରାହୁଲ ଗାନ୍ଧୀଙ୍କୁ ଦଶଟି ପ୍ରଶ୍ନ କରି ଉତ୍ତର ମାଗି ଥିଲେ । ଏବେ, ଜମ୍ମୁ-କଶ୍ମୀର ରାଜନୀତି ସହ ପ୍ରତ୍ୟକ୍ଷ ଭାବେ ସଂପୃକ୍ତ ନଥିବା ବିଜେପି ଶାସିତ ରାଜ୍ୟ ମୁଖ୍ୟମନ୍ତ୍ରୀମାନେ ରାହୁଲ ଗାନ୍ଧୀଙ୍କୁ ସେହି ଏକା ପ୍ରଶ୍ନ କରିବା ଆରମ୍ଭ କରି ଦେଇଛନ୍ତି । ଶନିବାର ଦିନ ଓଡ଼ିଶା ମୁଖ୍ୟମନ୍ତ୍ରୀ ମାହନ ଚରଣ ମାଝୀ ଏକ ବୟାନ ଜାରି କରି ରାହୁଲ ଗାନ୍ଧୀ ଅମିତ ଶାହା ପ୍ରଶ୍ନ କରିଥିବା ଦଶଟି ପ୍ରଶ୍ନକୁ ଦୋହରାଇଛନ୍ତି । ମାଝୀ ରାହୁଲଙ୍କୁ ଯେଉଁ ଦଶଟି ପ୍ରଶ୍ନ କରିଛନ୍ତି ସେଥିରେ ଜମ୍ମୁ-କଶ୍ମୀରରେ ଦଳିତ, ଗୁଜ୍ଜର, ବକରୱାଲ ଓ ପାର୍ବତ୍ୟାଂଚଳବାସୀଙ୍କ ପାଇଁ କେନ୍ଦ୍ର ସରକାର ଲାଗୁ କରିଥିବା ସଂରକ୍ଷଣ ବ୍ୟବସ୍ଥା ଉଚ୍ଛେଦ ପାଇଁ ଷଡଯନ୍ତ୍ର ହେଉଥିବା ଆଶଙ୍କା ବ୍ୟକ୍ତ କରିଛନ୍ତି । ଏହାଛଡା, ରାଜ୍ୟରେ ଥିବା ‘ଶଙ୍କରାଚାର୍ଯ୍ୟ ପର୍ବତ’ ଓ ‘ହରି ପର୍ବତ’ର ନାମକୁ ପରିବର୍ତ୍ତନ କରାଯାଇ ଯଥାକ୍ରମେ ତାହାକୁ ‘ତଖତ-ଇ-ସୁଲେମାନ’ ଓ ‘କୋହ-ଏ-ମାରାନ’ ନାମରେ ନାମିତ କରିବାକୁ ଜେକେଏନସି ଯେଉଁ ଘୋଷଣା କରିଛି ସେଥିରେ କଂଗ୍ରେସର ସହମତି ରହିଛି କି (?) ବୋଲି ଓଡ଼ିଶା ମୁଖ୍ୟମନ୍ତ୍ରୀ ଜାଣିବାକୁ ଚାହିଁଛନ୍ତି । ଜାମ୍ମୁ-କଶ୍ମୀରରେ କଂଗ୍ରେସ-ଜେକେଏନସି ମେଂଟ ବହୁମତ ପାଇ କ୍ଷମତାକୁ ଆସିଲେ ରାଜ୍ୟରେ ପୁନର୍ବାର ବିଚ୍ଛନ୍ନତାବାଦୀ ସକ୍ରୀୟ ହେବେ ଏବଂ ନିରଙ୍କୁଶ ଆତଙ୍କରାଜ ଚଳାଇବେ । ଏହା ଜାଣି ସୁଦ୍ଧା କଂଗ୍ରେସ ବିଧାନସଭା ନିର୍ବାଚନରେ ଜେକେଏନସି ସହ କେମିତି ମେଂଟ କରୁଛି ? ଏହା ଉଗ୍ରବାଦ ଓ ଅରାଜକତା ପ୍ରତି ସମର୍ଥନ ନୁହେଁ କି ? ବିଜେପିର ରାଷ୍ଟ୍ରୀୟ ନେତାମାନେ କିଛି ଦିନ ହେଲା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଏହି ପ୍ରଶ୍ନ କରୁଥିବା ବେଳେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମାଝୀ ତାଙ୍କ ବୟାନରେ ଏକା ପ୍ରଶ୍ନ ସବୁକୁ ଦାହରାଇବା ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଉପରେ ଚାପ ସୃଷ୍ଟି ପାଇଁ ବିଜେପିର ଏକ ସଂଗଠିତ ଉଦ୍ୟମ କୁହାଯାଇପାରେ । ନିର୍ବାଚନରେ ପରାଜୟ ଭୟରେ ବିଜେପି ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନକୁ ନେଇ ଏଭଳି ଏକ ବ୍ୟାଖ୍ୟାନ ପ୍ରସ୍ତୁତ କରିଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପ୍ରଶ୍ନ କରିବା ସହ ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ସହ କୌଣସି ଭାବେ ସଂପୃକ୍ତ ନଥିବା ବିଜେପି ଶାସିତ ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କୁ ରାହୁଲଙ୍କୁ ପ୍ରଶ୍ନ କରିବା କାର୍ଯ୍ୟରେ ଲଗାଇ ଦେଇଛି ବୋଲି ଏବେ କଂଗ୍ରେସ ଶିବିରରେ ଆଲୋଚନା ହେଉଛି । ଜମ୍ମୁ-କଶ୍ମୀରରେ ୨୦୧୪ରେ ଶେଷ ବିଧାନସଭା ନିର୍ବାଚନ ହୋଇଥିଲା । ୮୭ଟି ଆସନ ପାଇଁ ହୋଇଥିବା ନିର୍ବାଚନରେ ପିଡିପି ୨୮, ବିଜେପି ୨୫, ଏନସି ୧୫ ଓ କଂଗ୍ରେସ ୧୨ଟି ଓ ସିପିଏମ ଗୋଟିଏ ଆସନରେ ବିଜୟୀ ହୋଇଥିଲେ । ରାଜ୍ୟରେ ପିଡିପି-ବିଜେପିର ମିଳିତ ସରକାର ପ୍ରତିଷ୍ଠା ହୋଇଥିଲା । ପିଡିପି ମୁଖ୍ୟ ଥିବା ମୁଫତି ମହମ୍ମଦ ସୟଦ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ । ୨୦୧୬ ଜାନୁୟାରୀ ୦୭ ତାରିଖରେ ମୁଫତି ମହମ୍ମଦ ସୟଦଙ୍କ ଦେହାନ୍ତ ହେବା ପରେ ରାଜ୍ରରେ ଅଳ୍ପ ସମୟ ପାଇଁ ରାଜ୍ୟପାଳଙ୍କ ଶାସନ ଚାଲିଥିଲା । ପରେ, ମୁଫତି ମହମ୍ମଦଙ୍କ ଝିଅ ତଥା ବର୍ତ୍ତମାନର ପିଡିପି ମୁଖ୍ୟ ମେହେବୁବା ମୁଫତି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ୨୦୧୮ରେ ବିଜେପି ପିଡିପି ସରକାରରୁ ସମର୍ଥନ ପ୍ରତ୍ୟାହାର କରି ନେବା ପରେ ରାଜ୍ୟରେ ରାଜ୍ୟପାଳ ଶାସନ ଜାରି ହୋଇଥିଲା । ରାଜ୍ୟରେ ନୂଆ ସରକାର କରିବା ପାଇଁ ବହୁ ରାଜନୈତିକ ଦଳ ଆଗକୁ ଆସିଥିଲେ ମଧ୍ୟ ତତ୍କାଳୀନ ଜମ୍ମୁ-କଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ୨୦୧୮ ନଭେମ୍ବରରେ ରାଜ୍ୟ ବିଧାନସଭାକୁ ଭଂଗ କରି କ୍ଷମତା ନିଜ ହାତକୁ ନେଇଥିଲେ । ୨୦୧୮ ଡିସେମ୍ବର ୨୦ ତାରିଖରେ ଜମ୍ମୁ-କଶ୍ମୀରରେ ରାଷ୍ଟ୍ରପତି ଶାସନ ଜାରି ହୋଇଥିଲା । ସମ୍ବିଧାନର ୩୭୦ ଧାରା ଓ ୩୫-ଏ ଧାରା ବଳରେ ଜମ୍ମୁ-କଶ୍ମୀର ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପାଇଥିଲା ଓ ଦେଶର ଅନ୍ୟାନ୍ୟ ରାଜ୍ୟଠାରୁ ଭିନ୍ନ ବିବେଚିତ ହୋଇ ବିଭିନ୍ନ ସୁବିଧା, ସୁଯୋଗ ପାଇ ଆସୁଥିଲା । ୨୦୧୯ ଅଗଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱିତୀୟ ପାଳି ସରକାର ପ୍ରଥମେ ଜମ୍ମୁ-କଶ୍ମୀରରୁ ୩୭୦ ଓ ୩୫-ଏ ଧାରା ଉଚ୍ଛେଦ କରିଥିଲେ ଓ ଦେଶର ଅନ୍ୟ ରାଜ୍ୟ ସହ ଜମ୍ମୁ-କଶ୍ମୀରକୁ ସମାନ ସ୍ଥିତିକୁ ନେଇ ଆସିଥିଲେ । କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରକୁ ମିଳୁଥିବା ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପ୍ରତ୍ୟାହାର କରିନେବା ପରେ ସଂସଦରେ ରାଜ୍ୟ ପୁନର୍ଗଠନ ଆଇନ ଗୃହୀତ କରାଇ ରାଜ୍ୟରେ ବିଭାଜନ ଘଟାଇଲେ । ୨୦୧୯ ଅକ୍ଟୋବର ୩୧ ତାରିଖରୁ ଜମ୍ମୁ-କଶ୍ମୀର ଓ ଲଦାଖ ଦୁଇଟି କେନ୍ଦ୍ର ଶାସିତ ଅଂଚଳର ମାନ୍ୟତା ପାଇଲେ ୨୦୨୦ ମାର୍ଚ୍ଚରେ ଏକ ତିନି ଜଣିଆ ଡିଲିମିଟେସନ କରାଯାଇ ଜମ୍ମୁ-କଶ୍ମୀରରେ ଡିଲିମିଟେସନ କରାଯିବା ସହ ବିଧାନସଭା ଆସନ ସଂଖ୍ୟା ୮୭ରୁ ୧୧୪କୁ ବୃଦ୍ଧି କରାଗଲା । ପାକ୍ ଅଧିକୃତ କଶ୍ମୀରରେ ୨୪ଟି ନିର୍ବାଚନ ମଣ୍ଡଳୀ ରହୁଥିବାରୁ ଏବେ ୯୦ଟି ବିଧାନସଭା ଆସନରେ ନିର୍ବାଚନ ହେବାକୁ ଯାଉଛି । ସେଥିରୁ ଜମ୍ମୁ ଡିଭିଜନରେ ୪୩ଟି ବିଧାନସଭା ଆସନ ଥିବା ବେଳେ କଶ୍ମୀର ଡିଭିଜନରେ ୪୭ଟି ବିଦାନସଭା ଆସନ ରହିଛି । ବିଜେପି ହିନ୍ଦୁ ଅଧ୍ୟୁଷିତ ଜମ୍ମୁ ଡିଭିଜନ ଉପରେ ସର୍ବାଧିକ ଫୋକସ୍ କରି ନିର୍ବାଚନ ରଣନୀତି ପ୍ର୍ରସ୍ତୁତ କରିଥିବା ସୂଚନା ମିଳିଛି । ୨୦୨୩ ଡିସେମ୍ବରରେ ସୁପ୍ରିମ କୋର୍ଟ ଏକ ଐତିହାସିକ ରାୟ ଦେଇ ଜମ୍ମୁ-କଶ୍ମୀରରୁ ସମ୍ବିଧାନର ୩୭୦ ଧାରା ଉଚ୍ଛେଦକୁ ସମ୍ବିଧାନ ସମ୍ମତ କହିବା ସହ ୨୦୨୪ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ରାଜ୍ୟରେ ବିଧାନସଭା ନିର୍ବାଚନ କରାଇବାକୁ କେନ୍ଦ୍ର ସରକାର ଓ ଭାରତୀୟ ନିର୍ବାଚନ ଆୟୁକ୍ତଙ୍କୁ ନିର୍ଦେଶ ଦେଇଥିଲେ । କୋର୍ଟଙ୍କ ନିର୍ଦେଶ ବଳରେ ଆସନ୍ତା ମାସ ୧୮ ତାରିଖରୁ ଅକ୍ଟୋବର ୦୧ ତାରିଖ ମଧ୍ୟରେ ରାଜ୍ୟରେ ତିନି ପର୍ଯ୍ୟାୟରେ ମତଦାନ ହେବାକୁ ଯାଉଛି । କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ କରିବା ସହ ରାଜ୍ୟକୁ ମିଳୁଥିବା ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପ୍ରତ୍ୟାହାର କରିନେଇ ଥିବାରୁ ୨୦୧୯ ଅଗଷ୍ଟରୁ ଆଂଚଳିକ ରାଜନୈତିକସ୍ତରରେ ଯେଉଁ ଅଶାନ୍ତି ଓ ଅସନ୍ତୋଷ ରହିଛି ତାହା ୨୦୨୪ ବିଧାନସଭା ନିର୍ବାଚନରେ ପ୍ରତିଫଳନ ହେବାର ସମ୍ଭାବନା ଅଧିକ ରହିଛି । କଂଗ୍ରେସ-ଏନସି ମେଂଟ କ୍ଷମତାକୁ ଆସିଲେ ରାଜ୍ୟକୁ ୨୦୯ ଅଗଷ୍ଟ ପୂର୍ବରୁ ମିଳୁଥିବା ସ୍ୱତନ୍ତ୍ର ରାଜ୍ୟ ମର୍ଯ୍ୟାଦା ଫେରାଇବାକୁ ପ୍ରତିଶ୍ରୁତି ଦେଇ ନିର୍ବାଚନ ରଣାଂଗନକୁ ଯାଉଥିବା ବେଳେ ପିଡିପି ତାହାକୁ ଆଜେଣ୍ଡାକୁ ଗ୍ରହଣ କଲେ ମେଂଟରେ ସାମିଲ ହେବ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତି ନିକଟରେ ପ୍ରସ୍ତାବ ରଖିଛନ୍ତି । ବିଜେପି ଏକାକୀ ୯୦ ବିଧାନସଭା ଆସନରେ ପ୍ରାର୍ଥୀ ଦେବାକୁ ଯାଉଥିବା ସୂଚନା ମିଳୁଛି । ରାଜ୍ୟବାସୀ କାହାକୁ ବାଛୁଛନ୍ତି, ତାହା ଅକ୍ଟୋବର ପ୍ରଥମ ସପ୍ତାହରେ ଜଣାପଡିବ । ସେ ପର୍ଯ୍ୟନ୍ତ ଜମ୍ମୁ-କଶ୍ମୀର ନିର୍ବାଚନକୁ ନେଇ ସସ୍ପେନ୍ସ ଜାରି ରହିବ ।
ମୁଖ୍ୟ ସଂପାଦକ, ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS