ବିଆରଏସ ନେତ୍ରୀ କେ.କବିତାଙ୍କୁ ସୁପ୍ରିମ କୋର୍ଟରୁ ଜାମିନ


ପ୍ରସାଦ ରାଓ
ଅଗଷ୍ଟ,୨୭/୨୦୨୪
ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ରାଜ୍ୟର ପୂର୍ବତନ ଉପ ମୁଖମନ୍ତ୍ରୀ ମନୀଷ ସିସୋଦିଆଙ୍କ ପରେ ଆଜି ବିଆରଏସ ନେତ୍ରୀ କେ.କବିତାଙ୍କୁ ସୁପ୍ରିମ କୋର୍ଟରୁ ଜାମିନ ମିଳିଛି । କବିତା ଏହି ମାମଲାରେ ଇଡି ଓ ସିବିଆଇ ଦ୍ୱାରା ଗିରଫ ହୋଇ ଗଲା ପାଂଚ ମାସ ହେଲା ତିହାର ଜେଲରେ ଅଟକ ଅଛନ୍ତି । ମାମଲାର ତଦନ୍ତ ସରିଥିବା କୋର୍ଟକୁ ଅବଗତ କରାଯାଇଥିବାରୁ ଆବେଦନକାରୀଙ୍କୁ ଅଧିକ ଜେରା ପାଇଁ ଆବେଦନକାରୀଙ୍କୁ ଜେଲରେ ଅଟକ ରଖାଯିବାର କିଛି କାରଣ ନାହିଁ ବୋଲି ସୁପ୍ରିମ କୋର୍ଟ ଆଜି ମତ ଦେବା ସହ କବିତାଙ୍କ ଜାମିନ ଆବେଦନକୁ ମଂଜୁର କରିଥିବା ସୂଚନା ମିଳିଛି । ଦିଲ୍ଲୀ ସରକାର ରାଜ୍ୟରେ ନୂତନ ଅବକାରୀ ନୀତି କାର୍ଯ୍ୟକାରୀ କରିବାରେ ବ୍ୟାପକ ଦୁର୍ନୀତି ଓ ଲାଂଚ କାରବାର ଆଶ୍ରୟ ନେଇଥିବା ଉଭୟ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଓ ଇଡି ଅଭିଯୋଗ କରିଥିଲେ ଏବଂ ଗତ ବର୍ଷ ପ୍ରଥମେ ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ତଥା ଅବକାରୀ ମନ୍ତ୍ରୀ ଥିବା ମନୀଷ ସିସୋଦିଆଙ୍କୁ ଗିରଫ କରି ଜେଲରେ ପୁରାଇ ଥିଲେ । ତେବେ, ମାମଲାର ତଦନ୍ତ ସରୁନଥିବା ଓ କୋର୍ଟରେ ବିଚାରଣା ଆରମ୍ଭ ହୋଇପାରୁନଥିବା ଦେଖି ସୁପ୍ରିମ କୋର୍ଟ ନିକଟରେ ସିସୋଦିଆଙ୍କ ଜାମିନ ମଂଜୁର କରିଥିଲେ । ନିକଟ ଭବିଷ୍ୟତରେ ମାମଲାର ବିଚାରଣା ଆରମ୍ଭ ହେବା ସମ୍ଭାବନା ନଥିବାରୁ ଅଭିଯୁକ୍ତଙ୍କୁ ଅଧିକ ଦିନ ଜେଲରେ ଅଟକ ରଖାଯିବାର ଯଥାର୍ଥ କାରଣ ନାହିଁ ବୋଲି ସୁପ୍ରିମ କୋର୍ଟ ପୂର୍ବତନ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ସିସୋଦିଆଙ୍କୁ ଜାମିନ ଦେବା ବେଳେ ଟିପ୍ପଣୀ ଦେଇଥିଲେ । ଆଜି ବିଆରଏସ ନେତ୍ରୀ କବିତାଙ୍କ କ୍ଷେତ୍ରରେ ମଧ୍ୟ ସୁପ୍ରିମ କୋର୍ଟ ତାହା ଦୋହରାଇଥିବା ସୂଚନା ମିଳିଛି । ବିଆରଏସ୍ ନେତ୍ରୀ କେ.କବିତା ହେଉଛନ୍ତି ତେଲେଂଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ (କେସିଆର)ଙ୍କ କନ୍ୟା । କେସିଆରଙ୍କ ରାଜନୈତିକ ଦଳ ଭାରତ ରାଷ୍ଟ୍ର ସମିତି (ବିଆରଏସ)ର ସେ ଜଣେ ଏମଏଲସି । ଦିଲ୍ଲୀ ସରକାର ନୂତନ ଅବକାରୀ ନୀତି ପ୍ରସ୍ତୁତି ସମୟରେ ସନ୍ଦିଗ୍ଧ ଭାବେ କବିତାଙ୍କ ଦ୍ୱାରା ପରିଚାଳିତ ଦକ୍ଷିଣୀ ମଦ ଲବିକୁ ଉପକୃତ କରିଥିଲେ ଏବଂ ଏହି ଲବିକୁ ସୁହାଇଲା ଭଳି ମଦ ବିତରଣ ନୀତି ନିର୍ଦ୍ଧାରଣ କରିଥିଲେ ବୋଲି ସିବିଆଇ ଓ ଇଡି କୋର୍ଟରେ ଅଭିଯୋଗ କରିଛନ୍ତି । ଦକ୍ଷିଣୀ ମଦ ଲବିକୁ ସୁହାଇଲା ଭଳି ମଦ ନୀତି ପ୍ରସ୍ତୁତ କରିବା ପାଇଁ କବିତା ଦିଲ୍ଲୀର ଆମ୍ ଆଦମୀ ପାର୍ଟି ସରକାରକୁ ଶହେ କୋଟି ଟଙ୍କା ଲାଂଚ ଦେଇଥିବା ଏବଂ ଲାଂଚ ଅର୍ଥରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ଗୋଆ ବିଧାନସଭା ନିର୍ବାଚନରେ ୪୦ କୋଟି ଟଙ୍କା ଖର୍ଚ୍ଚ କରିଥିବା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଙ୍କ ଅନ୍ତରୀଣ ଅଭିଯୋଗପତ୍ର (ଚାର୍ଜସିଟ୍)ରେ ଅଭିଯୋଗ ରହିଛି । ହାୱାଲା ମାଧ୍ୟମରେ ଏହି ଟଙ୍କା ଗୋଆକୁ ଯାଇଥିଲା ବୋଲି ମଧ୍ୟ ସିବିଆଇ ଓ ଇଡି ଅଦାଲତରେ ଦାଖଲ କରିଥିବା ଚାର୍ଜସିଟରେ ଅଭିଯୋଗ କରିଛନ୍ତି । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ପ୍ରଥମେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ସିସୋଦିଆଙ୍କୁ ଏହି ଦୁର୍ନୀତିର ମୁଖ୍ୟ କାରପଟଦାର ଦର୍ଶାଇ ଗତ ବର୍ଷ ଗିରଫ କରିଥିଲେ । ପରେ, ଆପ୍ (ଆମ୍ ଆଦମୀ ପାର୍ଟି) ରାଜ୍ୟସଭା ସାଂସଦ ସଂଜୟ ସିଂହ ଓ ବିଆରଏସ ନେତ୍ରୀ କେ.କବିତାଙ୍କୁ ଗିରଫ କରାଯାଇଥିଲା । ପରେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କୁ ଲାଂଚ କାରବାରର ମୁଖ୍ୟ କାରପଟଦାର ଓ ଷଡଯନ୍ତ୍ରକାରୀ ଦର୍ଶାଯାଇ ଗିରଫ କରାଯାଇ ଜେଲରେ ଅଟକ ରଖାଯାଇଛି । ମୁଖ୍ୟମନ୍ତ୍ରୀ କେଜରୀୱାଲ ଇଡି ମାମଲାରେ କୋର୍ଟରୁ ଜାମିନ ପାଇଥିଲେ ମଧ୍ୟ ସିବିଆଇ ଦ୍ୱାରା ହୋଇଥିବା ମାମଲାରେ ଜାମିନ ପାଇନଥିବାରୁ ଜେଲରେ ଅଟକ ଅଛନ୍ତି । ଜାମିନ ପାଇଁ ସେ ସୁପ୍ରିମ କୋର୍ଟ ନିର୍ଣ୍ଣୟକୁ ଅପେକ୍ଷା କରିଛନ୍ତି । ‘ଆପ୍’ ରାଜ୍ୟସଭା ସାଂସଦ ସଂଜୟ ସିଂହ ଛଅ ମାସ ଜେଲରେ ରହିବା ପରେ ସୁପ୍ରିମ କୋର୍ଟରୁ ଜାମିନ ପାଇ ମୁକୁଳି ଥିବା ବେଳେ ସିସୋଦିଆ ମଧ୍ୟ ଜାମିନରେ ମୁକୁଳିଛନ୍ତି । କବିତାଙ୍କୁ ଆଜି ସୁପ୍ରିମ କୋର୍ଟରୁ ଜାମିନ ମିଳିଛି । ଦିଲ୍ଲୀର ନୂତନ ଅବକାରୀ ନୀତି ପ୍ରସ୍ତୁତିରେ ବ୍ୟାପକ ଦୁର୍ନୀତି ଓ ତାହାକୁ କାର୍ଯ୍ୟକାରୀ କରିବାରେ ଅନୈତିକ ଅର୍ଥନୈତିକ କାରବାର ହୋଇଥିବା ନେଇ ଦିଲ୍ଲୀର ଉପ ରାଜ୍ୟପାଳ (ଏଲଜି)ଙ୍କ ଅଭିଯୋଗ ଆଧାରରେ ପ୍ରଥମେ ସିବିଆଇ ଓ ପରେ ଇଡି ଏହାର ତଦନ୍ତ ଆରମ୍ଭ କରିଥିଲେ । ସିବିଆଇ ତଦନ୍ତ ଆରମ୍ଭ ହେବାରୁ ଦିଲ୍ଲୀ ସରକାର ରାଜ୍ୟରେ ଲାଗୁ କରିଥିବା ନୂତନ ଅବକାରୀ ନୀତିକୁ ପ୍ରତ୍ୟାହାର କରି ନେଇଥିଲେ । ଦୁଇ ବର୍ଷରୁ ଅଧିକ ସମୟ ହେଲା ସିବିଆଇ ଓ ଇଡି ଦିଲ୍ଲୀ ÷ଅବକାରୀ ଦୁର୍ନୀତିର ତଦନ୍ତ କରୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ଅଦାଲତରେ ଚୂଡାନ୍ତ ଚାର୍ଜସିଟ ଦାଖଲ କରିବାରେ ସକ୍ଷମ ହୋଇନାହାନ୍ତି । ଏହି ଦୁର୍ନୀତିର ଅଧିକ ତଦନ୍ତ ଚାଲିଛି କହି ଅଭିଯୁକ୍ତମାନଙ୍କ ଜାମିନ ଆବେଦନକୁ ବିରୋଧ କରିଥିବା ବେଳେ ଅଦାଲତରେ ଚୂଡାନ୍ତ ଚାର୍ଜସିଟ୍ ଦାଖଲ କରିବାରେ ସକ୍ଷମ ହେଉନଥିବାରୁ ଅଭିଯୁକ୍ତମାନଙ୍କ ବିଚାରଣା ଆରମ୍ଭ ହୋଇପାରୁନି । ତେଣୁ, ବିନା ବିଚାରଣାରେ ଅଭିଯୁକ୍ତମାନଙ୍କୁ ଅନିର୍ଦ୍ଧିଷ୍ଟକାଳ ପାଇଁ ଜେଲରେ ଅଟକ ରଖାଯିବା ଅଯଥାର୍ଥ କହି ସୁପ୍ରିମ କୋର୍ଟ ସଂଜୟ ସିଂହ, ସିସୋଦିଆ ଓ କବିତାଙ୍କ ଜାମିନ ଆବେଦନ ମଂଜୁର କରିଥିବା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରୀୱାଲ ମଧ୍ୟ ସେହି ଭିତ୍ତିରେ ସୁପ୍ରିମ କୋର୍ଟରୁ ସ୍ଥାୟୀ ଜାମିନ ପାଇବେ ବୋଲି ‘ଆପ୍’ ନେତୃବର୍ଗ ଆଶା ରଖିଛନ୍ତି । ‘ଅଣ୍ଡରଟ୍ରାଏଲ୍ କଷ୍ଟୋଡି’ ବିଚାରଣା ପୂର୍ବରୁ ଦଣ୍ଡ ହୋଇନଯାଉ ବୋଲି ସୁପ୍ରିମ କୋର୍ଟ ବାରମ୍ବାର କହି ଆସୁଛନ୍ତି । ଜାମିନ ପାଇଁ ଆବେଦନ କରୁଥିବା ମହିଳାଙ୍କ ପ୍ରତି ସ୍ୱତନ୍ତ୍ର ଭାବେ ଧ୍ୟାନ ଦିଆଯିବା ଓ ଆବେଦନକାରୀଙ୍କ ଆବେଦନକୁ ସଂବେଦନଶୀଳ ଓ ସହାନୁଭୂତିଶୀଳ ହୋଇ ବିଚାର କରାଯିବାକୁ ସୁପ୍ରିମ କୋର୍ଟ ସର୍ବଦା ନିମ୍ନ ଅଦାଲତଙ୍କୁ ଦିଗଦର୍ଶନ ଦେଇ ଆସିଛନ୍ତି । ତଥାପି, ବିଆରଏସ ନେତ୍ରୀ କେ.କବିତାଙ୍କ ଜାମିନ ଆବେଦନକୁ ନେଇ ଦିଲ୍ଲୀ ହାଇକୋର୍ଟ ଦେଇଥିବା ଟିପ୍ପଣୀ ସୁପ୍ରିମ କୋର୍ଟକୁ ଅସନ୍ତୁଷ୍ଟ କରିଛି । ପିଏମଏଲଏ ମାମଲାରେ ମହିଳା ଅଭିଯୁକ୍ତଙ୍କ ଜମିନ ଆବେଦନର ବିଚାର ପାଇଁ ଯେଉଁ ସ୍ୱତନ୍ତ୍ର ସୁବିଧା ପ୍ରଦାନ କରାଯାଇଛି ତାହା ଶିକ୍ଷିତ ଓ ଅତ୍ୟାଧୁନିକ ମହିଳାଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ ବୋଲି ଦିଲ୍ଲୀ ହାଇକୋର୍ଟ କବିତାଙ୍କ ଜାମିନ ଆବେଦନର ବିଚାରଣା ବେଳେ ମନ୍ତବ୍ୟ ଦେଇଥିଲେ । ଦିଲ୍ଲୀ ହାଇକୋର୍ଟଙ୍କ ଏଭଳି ଅବାନ୍ତର ଟିପ୍ପଣୀକୁ ଯଦି ଆଇନର ମାନ୍ୟତା ଦିଆଯାଏ ତେବେ କୌଣସି ଶିକ୍ଷିତ ମହିଳା କୋର୍ଟରୁ ଜାମିନ ପାଇବାକୁ ହକଦାର୍ ହେବେ ନାହିଁ । ବିଶେଷକରି, ଦିଲ୍ଲୀ ହାଇକୋର୍ଟ ଅଧିନସ୍ଥରେ ଥିବା ନିମ୍ନ ଅଦାଲତମାନଙ୍କରେ ବୋଲି ସୁପ୍ରିମ କୋର୍ଟ ଆଜି ଟିପ୍ପଣୀ ଦେଇଛନ୍ତି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS