ବେଂଗଲର ବାଘୁଣୀ ଏତେଶୀଘ୍ର ହାର ମାନିବେ ?


ପ୍ରସାଦ ରାଓ
ଅଗଷ୍ଟ,୨୮/୨୦୨୪
କୋଲକାତା ଆର.ଜି.କର ମେଡିକାଲ କଲେଜ ହସ୍ପିଟାଲରେ ଅଗଷ୍ଟ ୦୯ ତାରିଖ ଭୋରରେ ଘଟିଥିବା ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ପଶ୍ଚିମ ବଂଗରେ ଯେଭଳି ରାଜନୈତିକ ଘମାସାନ ଚାଲିଛି ତାହା ନିକଟରେ ବାଂଲାଦେଶରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ବିରୋଧରେ ହୋଇଥିବା ଛାତ୍ର ଅଶାନ୍ତ ଏବଂ ହାସିନା ଗାଦିଚ୍ୟୁତ ହେବା ଘଟଣାକୁ ମନେ ପକାଇ ଦେଉଛି । ଶେଖ ହାସିନା ୧୫ ବର୍ଷ ଧରି ବାଂଲାଦେଶ ପ୍ରଧାନମନ୍ତ୍ରୀ ଥିବା ସମୟରେ ଦେଶରେ ବସବାସ କରୁଥିବା ସଂଖ୍ୟାଲଘୁ, ବିଶେଷକରି ହିନ୍ଦୁଙ୍କ ପ୍ରତି ଉଦାର ଥିଲେ । ଯାହାକି, ସଂଖ୍ୟାଗରିଷ୍ଠ କଠୋରପନ୍ଥୀଙ୍କ ପାଇଁ ଅସହ୍ୟ ଥିଲା । ବାଂଲାଦେଶ ସ୍ୱାଧୀନତା ଆନେ୍ଦାଳନରେ ଯେଉଁମାନେ ସାମିଲ ଥିଲେ ସେମାନଙ୍କ ପରିବାର ସଦସ୍ୟଙ୍କ ପାଇଁ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ୩୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିବାକୁ ଘୋଷଣା କରି ସେ ଦେଶର ସଂଖ୍ୟାଗରିଷ୍ଠ ସଂପ୍ରଦାୟଙ୍କ ଚକ୍ଷୁଶୂଳ ହୋଇଥିଲେ ଏବଂ ସଂରକ୍ଷଣ ବିରୋଧୀ ଛାତ୍ର ଆନ୍ଦୋଳନ ନାମରେ ତାଙ୍କ ବିରୋଧରେ ଯେଉଁ ଦୁର୍ବାର ଆନ୍ଦୋଳନ ଚାଲିଲା ତାହା ଏଭଳି ଏକ ଶଂକାମୟ ପରିସ୍ଥିତି ସୃଷ୍ଟି କଲା ଯେ ହାସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ସେନା ସହାୟତାରେ ଭାରତ ଚାଲି ଆସିବାକୁ ବାଧ୍ୟ ହୋଇଛନ୍ତି । ଏବେ, ପଶ୍ଚିମ ବଂଗରେ ସେଭଳି ଏକ ପରିସ୍ଥିତି ସୃଷ୍ଟି ହୋଇଛି । ଲଗାତର ତୃତୀୟ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିବା ଏବଂ ରାଜ୍ୟର ସଂଖ୍ୟାଲଘୁ ମୁସଲିମ ସଂପ୍ରଦାୟ ପ୍ରତି ମାତ୍ରାଧିକ ଉଦାର ଥିବା ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କୁ କ୍ଷମତାରୁ ହଟାଇବା ପାଇଁ କେଲକାତାରେ ଗଲା ୨୦ ଦିନ ହେଲା ମେଡିକାଲ ଛାତ୍ର, ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ ବୁଦ୍ଧିଜୀବୀଙ୍କ ଆନ୍ଦୋଳନ ନାମରେ ଯେଉଁ ହିଂସା, ଜଳାପୋଡା ଚାଲିଛି ତାହା ବାଂଲାଦେଶରେ ହସିନାଙ୍କ ବିରୋଧରେ ହୋଇଥିବା ଆନ୍ଦୋଳନର ଏକ ଅବିକଳ ନକଲ ଭଳି ମନେ ହେଉଛି । ମମତାଙ୍କ ଶାସନରେ ମହିଳା ଅସୁରକ୍ଷିତ – ଏଭଳି ଏକ ବ୍ୟାଖ୍ୟାନ ଆଧାରରେ ମୁଖ୍ୟମନ୍ତ୍ରୀ ପଦରୁ ମମତାଙ୍କ ଇସ୍ତଫା ଦାବିରେ କୋଲକାତାରେ ଯେଉଁ ହିଂସାତ୍ମକ ଆନ୍ଦୋଳନ ଚାଲୁ ରହିଛି ତାହା ପଛରେ ରାଜ୍ୟରେ ବିରୋଧୀ ଦଳ ଭୂମିକାରେ ଥିବା ବିଜେପିର ପ୍ରଚ୍ଛନ୍ନ ସମର୍ଥନ ରହିଥିବା ଆଉ ଅଛପା ନାହିଁ । ମୁଖ୍ୟମନ୍ତ୍ରୀ ପଦରୁ ମମତା ଇସ୍ତଫା ନଦେଲେ ଗୁଳି ଚାଲିବ ବୋଲି ପଶ୍ଚିମ ବଂଗ ବିଧାନସଭାର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ବୟାନ ପରେ ବିଜେପିର ପ୍ରୋତ୍ସାହନରେ ଏହି ଆନ୍ଦୋଳନ ଚାଲି ଥିବା ସ୍ପଷ୍ଟ ହୋଇଯାଇଛି । ଅବଶ୍ୟ, ଅଗଷ୍ଟ ୦୯ ତାରିଖ ସକାଳେ କୋଲକାତା ଆର.ଜି.କର ମେଡିକାଲ କଲେଜ ହସ୍ପିଟାଲର ସେମିନାର ହଲ୍ ରୁ ରାତ୍ରୀ ଡ୍ୟୁଟିରେ ଥିବା ଜଣେ ମହିଳା ଟ୍ରେନି ଡାକ୍ତରଙ୍କ ଅର୍ଦ୍ଧନଗ୍ନ ରକ୍ତ ଜୁଡୁବୁଡୁ ଶବ ଉଦ୍ଧାର ହେବା ଏବଂ ଦୁଷ୍କର୍ମ ପରେ ମହିଳା ଟ୍ରେନି ଡାକ୍ତରଙ୍କୁ ତଂଟି ଚିପି ହତ୍ୟା କରାଯାଇଛି ବୋଲି ଶବ ବ୍ୟବିଚ୍ଛେଦ ରିପୋର୍ଟ ସ୍ପଷ୍ଟ କରିବା ପରେ ସଂପୃକ୍ତ ମେଡିକାଲ କଲେଜ ହସ୍ପିଟାଲ ଛାତ୍ରଚାତ୍ରୀ, ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ରାଜ୍ୟ ସରକାରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରି ରାଜରାସ୍ତାକୁ ଆସିବା ସ୍ୱାଭାବିକ । ଏହି ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ପ୍ରଥମେ ଏକ ଆତ୍ମହତ୍ୟା ବୋଲି ଭ୍ରମିତ କରି ଚପାଇ ଦେବାକୁ ମେଡିକାଲ କଲେଜ ହସ୍ପିଟାଲ କର୍ତ୍ତୃପକ୍ଷ ଉଦ୍ୟମ କରିଥିଲେ । କୋଲକାତା ପୁଲିସ ମଧ୍ୟ ତଦନ୍ତରେ ବ୍ୟାପକ ଅବହେଳା କରିଥିବା ପରବର୍ତ୍ତୀ ସମୟରେ ସାମ୍ନାକୁ ଆସିଛି । ମେଡିକାଲ କର୍ତ୍ତୃପକ୍ଷ, ପୁଲିସ ଓ ରାଜ୍ୟ ସରକାର ମିଳିତ ଭାବେ ଘଟଣାକୁ ଭିନ୍ନ ରୂପରେ ଉପସ୍ଥାପିତ କରି ଚପାଇ ଦେବାର ପ୍ରୟାସ କରୁଛନ୍ତି ବୋଲି ପୀଡିତାଙ୍କ ପରିବାର, ସେହି ମେଡିକାଲ କଲେଜର ଡାକ୍ତରୀ ଛାତ୍ରଛାତ୍ରୀ, ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ଅନୁଭବ କରିବା ପରେ ସରକାର ଓ ମେଡିକାଲ କଲେଜ ପ୍ରଶାସନ ବିରୋଧରେ ଶାନ୍ତିପୂର୍ଣ୍ଣ ଧାରଣା ଓ ପ୍ରତିବାଦସୂଚକ ଆନ୍ଦୋଳନର ଆଶ୍ରୟ ନେଇଥିଲେ । ପୀଡିତାଙ୍କ ପିତା-ମାତାଙ୍କ ବୟାନ, ଘଟଣାର ପ୍ରାଥମିକ ତଦନ୍ତରେ କୋଲକାତା ପୁଲିସର ଅବହେଳା ଏବଂ ଆର.ଜି.କର ମେଡିକାଲ କଲେଜ ଅଧ୍ୟକ୍ଷ ଡକ୍ଟର ସନ୍ଦୀପ ଘୋଷ ଇସ୍ତଫା ଦେବା ପରେ ପରେ ତାଙ୍କୁ ତୁରନ୍ତ ଅନ୍ୟ ଏକ ସରକାରୀ ମେଡିକାଲ କଲେଜରେ ଅଧ୍ୟକ୍ଷ ପଦରେ ନିଯୁକ୍ତି ଦିଆଯିବା ପ୍ରଭୃତି ଘଟଣା ଦେଶବ୍ୟାପୀ ତୀବ୍ର ଅସନ୍ତୋଷ ସୃ୍େଟି କରିଥିଲା । ଯାହାକି, ଡାକ୍ତରଙ୍କ ଆନ୍ଦୋଳନକୁ ବ୍ୟାପକ କରିଥିଲା । ପରେ, କୋଲକତାର ସାଧାରଣ ଜନତା ଓ ବୁଦ୍ଧିଜୀବୀ ଏଥିରେ ସାମିଲ ହୋଇଥିଲେ । ପୀଡିତାଙ୍କ ପିତା-ମାତାଙ୍କ ଆବେଦନକୁ ବିଚାର କରି କୋଲକାତା ହାଇକୋର୍ଟ ଟ୍ରେନି ଡାକ୍ତରଙ୍କ ପ୍ରତି ଦୁଷ୍କର୍ମ ଓ ହତ୍ୟାର ତଦନ୍ତ ଦାୟିତ୍ୱ କୋଲକାତା ପୁଲିସ ହାତରୁ କାଢି ନେଇ ତୁରନ୍ତ ସିବିଆଇ ହାତରେ ସମର୍ପି ଦେଇଥିଲେ । ଘଟଣାର ସିବିଆଇ ତଦନ୍ତ ଚାଲିଥିବା ବେଳେ ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତିଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ନିଜ ଆଡୁ ଘଟଣାକୁ ସଂଜ୍ଞାନକୁ ନେଇ ପଶ୍ଚିମ ବଂଗ ସରକାର, ଆର.ଜି.କର ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ଓ କୋଲକାତା ପୁଲିସକୁ ଭର୍ଛନା କରିବା ସହ କର୍ମକ୍ଷେତ୍ରରେ ଡାକ୍ତରମାନଙ୍କ କିଭଳି ଆବଶ୍ୟକ ସୁରକ୍ଷା ଯୋଗାଇ ଦିଆଯାଇପାରିବ ତାହା ସୁପାରିଶ କରିବାକୁ ଚିକିତ୍ସା କ୍ଷେତ୍ରରେ ଥିବା ବିଶେଷଜ୍ଞଙ୍କୁ ନେଇ ଏକ ଜାତୀୟ ଟାସ୍କ ଫୋର୍ସ (ଏନଟିଏଫ) ଗଠନ କରିଛନ୍ତି ଏବଂ ଧାର୍ଯ୍ୟ ସମୟ ସୀମା ମଧ୍ୟରେ ଏନଟିଏଫ ତାହାର ଅନ୍ତରୀଣ ଓ ଚୂଡାନ୍ତ ସୁପାରିଶ ଅଦାଲତରେ ଦାଖଲ କରିବାକୁ ନିର୍ଦେଶ ଦିଆଯାଇଛି । ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତିଙ୍କ ଅନୁରୋଧ ଦେଶବ୍ୟାପୀ ଚାଲିଥିବା ଡାକ୍ତର ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । ତେବେ, କୋଲକାତାରେ ତାହା ଚାଲିଛି । ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ସରକାର ବାଧକ ନ ହେବାକୁ ସୁପ୍ରିମ କୋର୍ଟଙ୍କ ନିର୍ଦେଶ ଥିବା ବେଳେ ଏବେ ଆନ୍ଦୋଳନ ରାଜନୈତିକ ମୋଡ ନେଇ ହିଂସାତ୍ମକ ହୋଇଛି । ମଂଗଳବାର ଦିନ କୋଲକାତାରେ ଆନ୍ଦୋଳନକାରୀ ପ୍ରତିବାଦ ନାମରେ ବ୍ୟାପକ ହିଂସାରେ ମାତିବାରୁ ପୁଲିସ ସେମାନଙ୍କୁ ଘଉଡାଇବା ପାଇଁ ଲୁହବୁହା ବାଷ୍ପ ପ୍ରୟୋଗ କରିଛନ୍ତି । ଲାଠିଚାର୍ଜ ମଧ୍ୟ ହୋଇଛି । ଆଜି ରାଜ୍ୟରେ ୧୨ ଘଂଟିଆ ବନ୍ଦ ପାଳନ ହେଉଛି । କୋଲକାତାରେ ଏବେ ଯାହା ଚାଲିଛି ତାହା ପଛରେ ବିଜେପିର ହାତ ଥିବା ଓ ବିଜେପି ଗୁଣ୍ଡାମାନେ ହିଂସା ଭିଆଉ ଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଟିଏମସି ଅଭିଯୋଗ କରିଥିବା ବେଳେ ବିଜେପିକୁ ସମର୍ଥନ ଦେଉଥିବା କିଛି କୋଳାଶ୍ରିତ ଜାତୀୟ ଗଣମାଧ୍ୟମ ନିଜ ନିଜ ଟିଆରପି ବଢାଇବା ଚକ୍କରରେ ଦୁଇ ସପ୍ତାହରୁ ଅଧିକ ସମୟ ହେଲା ଯେଭଳି ବିତର୍କର ମୋଡ ଦେବାରେ ଲାଗିଛନ୍ତି ତାହା ପରିସ୍ଥିତିକୁ ଅଧିକ ସଂଗୀନ କରିଛି । ଘଟଣାର ୨୦ ଦିନ ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପ୍ରଥମ ଥର ପାଇଁ ଏକ ଜାତୀୟ ସଂବାଦ ସରବରାହ ସଂସ୍ଥାକୁ ସାକ୍ଷାତକାର ଦେଇ ଦେଶର ବିଭିନ୍ନ ଅଂଚଳରେ ଦୁଷ୍କର୍ମ ଓ ହତ୍ୟା ଭଳି ଘଟଣା ବଢି ଚାଲିଥିବାରୁ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି । ୨୦୧୨ରେ ଦିଲ୍ଲୀରେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଘଟଣା ଘଟିଥିଲା । ତାହା ପରେ ମଧ୍ୟ ଦେଶର ଜନତା କିଛି ଶିକ୍ଷାଲାଭ କରି ନାହାନ୍ତି । ଗତ ୧୨ ବର୍ଷରେ ଦେଶରେ ଏଭଳି ଅଗଣିତ ଘଟଣା ଘଟିଲାଣି । ମହିଳାଙ୍କୁ ନ୍ୟୁନ ଦୃଷ୍ଟିରେ ବିଚାର କରାଯାଉଛି । ତେବେ, ଏଭଳି ବର୍ବରତା ଆଉ ଗ୍ରହଣୀୟ ନୁହେଁ । ଯେତିକୁ ହେଲାଣି ଆଉ ବରଦାସ୍ତଯୋଗ୍ୟ ନୁହେଁ ବୋଲି ରାଷ୍ଟ୍ରପତି ମୁର୍ମୁ କହିବା ସହ ସମାଜରେ ପୁରୁଷ ପ୍ରାଧାନ୍ୟ ମାନସିକତାକୁ ଏଥିପାଇଁ ଦାୟି କରିଛନ୍ତି । ଉତ୍ତରାଖଣ୍ଡ ଓ ମହାରାଷ୍ଟ୍ରରେ ନର୍ସମାନଙ୍କ ପ୍ରତି ବଳକ୍ରାର ଘଟଣା ଏବଂ ମାଲୟାଲମ ଚଳଚ୍ଚିତ ଶିଳ୍ପରେ ମହିଳା କଳାକାରମାନେ ଅଭିନେତା ଓ ନିର୍ଦେଶକଙ୍କ ଦ୍ୱାରା ଶାରିରୀକ ଶୋଷଣ ହେଉଥିବା ନେଇ ଅଭିଯୋଗ ସଂପର୍କରେ ପରୋକ୍ଷରେ ରାଷ୍ଟ୍ରପତି ଉଲ୍ଳେଖ କରିଥିବା ଜଣାପଡିଛି । କୋଲକାତାରେ ଅଗଷ୍ଟ ୦୯ ତାରିଖ ଘଟଣାକୁ ନେଇ ଛାତ୍ର, ଡାକ୍ତର ଓ ନାଗରିକମାନେ ପ୍ରତିବାଦ ଆନ୍ଦୋଳନରେ ଥିବା ବେଳେ ଅନ୍ୟତ୍ର ଏଭଳି ଅପରାଧରେ ସଂପୃକ୍ତ ଅପରାଧୀମାନ ସୁରକ୍ଷିତ ଆଶ୍ରୟରେ ରହୁଥିବା ଦୁଃଖଦାୟକ ବୋଲି ରାଷ୍ଟ୍ରପତି ଏହି ସାକ୍ଷାତକାରରେ କହିଥିବା ସୂଚନା ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ନିକଟରେ ମହାରାଷ୍ଟ୍ରରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିବା ଅବସରରେ ମହିଳାଙ୍କ ପ୍ରତି ହେଉଥିବା ଶାରିରୀକ ଶୋଷଣ କଦାପି ଗ୍ରହଣୀୟ ନୁହେଁ, ଏଭଳି ଅପରାଧରେ ସଂପୃକ୍ତ ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି । କୋଲକତା ଘଟଣାର ପୃଷ୍ଠଭୂମୀରେ ଏସବୁ ପ୍ରତିକ୍ରିୟା ଆସୁଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟରେ ତାଙ୍କ ସରକାର ଥାଇ ମହିଳାଙ୍କ ପ୍ରତି ଦୁଷ୍କର୍ମ ଓ ହତ୍ୟାରେ ସଂପୃକ୍ତ ଅପରାଧୀଙ୍କୁ ଫାସୀ ଦିଆଯିବା ଦାବିରେ ରାଜରାସ୍ତାକୁ ଆସି ବିକ୍ଷୋଭ କରିବା ଏବଂ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଏଭଳି ଅପରାଧରେ ସଂପୃକ୍ତ ବ୍ୟକ୍ତିଙ୍କ ବିଚାରଣା ତ୍ୱରାନ୍ୱିତ କରାଯାଇ କଠୋର ଦଣ୍ଡବିଧାନ କରାଯିବା ଦିଗରେ ଅଧିକ ସଂଖ୍ୟାରେ ଫାଷ୍ଟଟ୍ରାକ୍ କୋର୍ଟ ପ୍ରତିଷ୍ଠା କରାଯିବା ଏବଂ ସଂସଦରେ ଏକ କଠୋର ଆଇନ ପ୍ରଣୟନ କରାଯିବା ପାଇଁ ଦାବି ଉପସ୍ଥାପନ କରିବା ଜାତୀୟ ରାଜନୀତିକୁ ସରଗରମ କରିଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଚିଠିର ଉତ୍ତର ଦିଆଯାଇଛି । କେନ୍ଦ୍ର ସରକାର ପଶ୍ଚିମ ବଂଗକୁ ଯେତିକି ସଂଖ୍ୟକ ଫାଷ୍ଟଟ୍ରାକ୍ କୋର୍ଟ ଦେଇଛନ୍ତି ସେଥିରୁ ଅଧିକାଂଶ କାର୍ଯ୍ୟକ୍ଷମ ହୋଇପାରିନି । ରାଜ୍ୟ ସରକାର ଏକ୍ଷେତ୍ରରେ ବିଫଳ ହୋଇଛନ୍ତି ବୋଲି ଜଣେ କେନ୍ଦ୍ର ମନ୍ତ୍ରୀ ମମତାଙ୍କ ଚିଠିର ଉତ୍ତରରେ କହିଛନ୍ତି । ୨୦୨୧ ପଶ୍ଚିମ ବଂଗ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କ୍ଷମତାଚ୍ୟୁତ କରିବା ପାଇଁ ବିଜେପି ନେତୃତ୍ୱ ଭରପୁର ପ୍ରୟାସ କରିଥିଲେ । ରାଜ୍ୟରେ ସରକାର-ବିରୋଧୀ ହାୱା ଥିବାରୁ ବିଜେପି ସଫଳତା ପାଇବାର ଆଶା ରଖିଥିଲା । ତେବେ, ମମତା ବାନାର୍ଜୀ ବିଜେପିକୁ ଚମକାଇବା ଭଳି ୨୯୪ ଆସନ ବିଶିଷ୍ଟ ବିଧାନସଭାରେ ୨୧୫ ଆସନରେ ବିଜୟୀ ହୋଇଥିଲେ ଏବଂ ମୋଟ ଭୋଟଦାନର ୪୮ ପ୍ରତିଶତ ତାଙ୍କୁ ମିଳିଥିଲା । ବିଜେପି ୭୭ଟି ଆସନରେ ସନ୍ତୁଷ୍ଟ ରହିବାକୁ ବାଧ୍ୟ ହୋଇଥିଲା । ବିଜେପି ଭୋଟ ସେୟାର ଥିଲା ୩୮ ପ୍ରତିଶତ । ୨୦୨୬ରେ ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ଆଗାମୀ ନିର୍ବାଚନକୁ ଆଖିରେ ରଖି ରାଜ୍ୟରେ ବିଜେପି ମାତ୍ରାଧିକ ସକ୍ରୀୟ ରହିଛି । ବିଭିନ୍ନ ପ୍ରସଙ୍ଗରେ ଦଳ ମମତା ସରକାରଙ୍କୁ ଘେରି ରାଜ୍ୟରେ ନିଜର ଦମ୍ଦାର ଉପସ୍ଥିତି ଜାହିର କରିବା ଉଦ୍ୟମରେ ରହିଛି । ଏଭଳି ସ୍ଥିତିରେ ଗତ ୦୯ ତାରିଖରେ କୋଲକାତା ଆର.ଜି.କର ମେଡିକାଲ କଲେଜ ହସ୍ପିଟାଲରେ ଘଟିଥିବା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ବିଜେପି ପାଇଁ ବଡ ରାଜନୈତିକ ପ୍ରସଙ୍ଗ ହୋଇଛି । ଅଗଷ୍ଟ ୦୯ ତାରିଖରେ ଘଟିଥିବା ଦୁଷ୍କର୍ମ ଓ ହତ୍ୟା ଘଟଣାରେ କୋଲକାତା ପୁଲିସ ସଂଜୟ ରାୟ ନାମକ ଜଣେ ଅଭିଯୁକ୍ତକୁ ଗିରଫ କରିଥବା ବେଳେ ସିବିଆଇ ତଦନ୍ତ ମଧ୍ୟ ସେହି ସଂଜୟ ରାୟ ପାଖରେ ହିଁ ଅଟକିଛି । ସଂଜୟ ରାୟ ହିଁ ଏହି ଦୁଷ୍କର୍ମ ଓ ହତ୍ୟା ଘଟଣାର ଏକମାତ୍ର ଅପରାଧୀ ବୋଲି ସିବିଆଇ ମଧ୍ୟ ସିଦ୍ଧାନ୍ତରେ ପହଂଚିଲାଣି । ମାମଲାର ଅଧିକ ତଦନ୍ତ ଜାରି ରହିଛି । କୋଲକାତା କମିଶନରେଟ ପୁଲସ ଘଟଣାର ତଦନ୍ତକୁ ଯେଉଁଠି ଛାଡିଥିଲେ ସିବିଆଇ ତଦନ୍ତ ସେଇଠି ଅଟକି ଥିବାରୁ ସିବିଆଇ ଅଧିକ କଣ କରିଛି (?) ବୋଲି ଟିଏମସି ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବେ ପ୍ରଶ୍ନ କରିବା ଆରମ୍ଭ କରିଛନ୍ତି । ବିଜେପି ୨୦୨୧ ବିଧାନସଭା ନିର୍ବାଚନରେ ଯାହା ହାସଲ କରିନଥିଲା ୨୦୨୬ରେ ତାହା ହାସଲ କରିବାକୁ ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱରେ ଯେଉଁ ଅଭିଯାନ ଚଳାଇଛି ତାହା ମମତାଙ୍କ ଅଡୁଆ ବଢାଇଛି । ତେବେ, ବେଂଗଲର ବାଘୁଣୀ ଏତେଶୀଘ୍ର ହାର ମାନିବେ ବୋଲି ଭାବିବା ମୁର୍ଖାମୀ ବୋଲି ପଶ୍ଚିମ ବଂଗ ରାଜନୀତିକୁ ଅତି ନିକଟରୁ ଅନୁଧ୍ୟାନ କରୁଥିବା ରାଜନୈତିକ ପର୍ଯ୍ୟବେକ୍ଷକମାନେ କହୁଛନ୍ତି ।
ମୁଖ୍ୟ ସଂପାଦକ, ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS