ପାଣ୍ଡିଆନଙ୍କ ଭାବମୂର୍ତ୍ତି ଗଢିବାରେ ପୂର୍ବ ସରକାର ୧୫.୨୬ କୋଟି ଖର୍ଚ୍ଚ କରିଥିଲେ !
ପ୍ରସାଦ ରାଓ
ଅଗଷ୍ଟ,୨୯/୨୦୨୪
୨୦୨୪ ବିଧାନସଭା ନିର୍ବାଚନରେ ବିଜେଡ଼ିର ପରାଜୟ ପାଇଁ ପୂର୍ବତନ ପ୍ରଶାସକ ତଥା ରାଜନେତା ଭି/କାର୍ତ୍ତକେୟନ ପାଣ୍ଡିଆନଙ୍କୁ ଦାୟି କରାଯାଉଥିବା ବେଳେ ବିଜେଡ଼ି ସରକାର ୨୦୧୯ରୁ ୨୦୨୪ ମଧ୍ୟରେ ପାଣ୍ଡିଆନଙ୍କ ଭାବମୂର୍ତ୍ତି ତିଆରି କରିବାରେ ସରକାରୀ ରାଜକୋଷରୁ ୧୫.୨୬ କୋଟି ଟଙ୍କା ଖର୍ଚ୍ଚ କରିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି । ବିଭିନ୍ନ ସରକାରୀ ବିଜ୍ଞାପନରେ ପାଣ୍ଡିଆନଙ୍କ ଫଟୋ ଛାପିବା ପାଇଁ ଏହି ଅର୍ଥ ଖର୍ଚ୍ଚ ହୋଇଛି । ପାଣ୍ଡିଆନ ବିଜେଡ଼ିର ଗତ ପାଂଚ ବର୍ଷର ସରକାରରେ ୫-ଟି ସଚିବ ଥିଲେ । ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ କେବଳ ଛାପା ଗଣମାଧ୍ୟମରେ ପାଣ୍ଡିଆନଙ୍କ ଫଟୋ ଥାଇ ବିଜ୍ଞାପନ ଛାପିବାରେ ପାଂଚ ବର୍ଷରେ ୧୫.୨୬ କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ବୈଦ୍ୟୁତିକ ଓ ଡିଜିଟାଲ ଗଣମାଧ୍ୟମରେ ଏବାବଦରେ କେତେ ଟଙ୍କା ଖର୍ଚ୍ଚ କରିଛନ୍ତି ତାହାର ବିସ୍ତୃତ ତଥ୍ୟ ଏପର୍ଯ୍ୟନ୍ତ ମିଳି ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ରାଜ୍ୟ ବିଧାନସଭାରେ ଆଜି ବିଜେପି ବିଧାୟକ ଲକ୍ଷ୍ମଣ ବାଗଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଗତ ପାଂଚ ବର୍ଷରେ ବିଜେଡ଼ି ଗଣମାଧ୍ୟମରେ ବିଜ୍ଞାପନ ଛାପିବାରେ ରାଜ୍ୟ ରାଜକୋଷରୁ ୪୫୨.୯୬ କୋଟି ଟଙ୍କା ବ୍ୟୟ କରିଛି । ସେଥିରୁ ୧୫.୨୬ କୋଟି ଟଙ୍କା ପାଣ୍ଡିଆନଙ୍କ ଫଟୋ ଥାଇ ବିଜ୍ଞାପନ ଛାପିବାରେ ବ୍ୟୟ ହୋଇଛି । ଜଣେ ସଚିବସ୍ତରୀୟ ପ୍ରଶାସନିକ ଅଧିକାରୀଙ୍କ ପ୍ରଚାର ପାଇଁ ବିଭିନ୍ନ ସରକାରୀ ବିଭାଗ କାହା ନିର୍ଦେଶରେ ଏତେ ପରିମାଣର ଅର୍ଥ ଖର୍ଚ୍ଚ କରିଥିଲେ ବୋଲି ପ୍ରଶ୍ନ ହେଉଥିବା ବେଳେ ରାଜ୍ୟ ବିଜେପି ସରକାର ଏହା ଉପରେ ଅଧିକ ଖୋଳତାଡ କରୁଥିବା ସୂଚନା ମିଳିଛି । ୨୦୧୯ରେ ରାଜ୍ୟରେ ବିଜେଡ଼ି ଲଗାତର ପଂଚମ ଥର ପାଇଁ କ୍ଷମତାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ଥିବା ନବୀନ ପଟ୍ଟନାୟକ ରାଜ୍ୟରେ ୫-ଟି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ସେତେବେଳେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଥିବା ଆଇଏଏସ୍ ଭି.କେ.ପାଣ୍ଡିଆନଙ୍କୁ ୫-ଟି ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା । ପାଣ୍ଡିଆନ ୨୦୨୪ ନିର୍ବାଚନର ଛଅ ମାସ ପୂର୍ବରୁ ହେଲକପ୍ଟରରେ ରାଜ୍ୟବ୍ୟାପୀ ବ୍ୟାପକ ଗସ୍ତ କରି ଜନସାଧାରଣଙ୍କ ଅଭାବ, ଅଭିଯୋଗ ଶୁଣିବା ସହ ସେମାନଙ୍କଠାରୁ ଲିଖିତ ଅଭିଯୋଗପତ୍ର ସଂଗ୍ରହ କରି ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନ କରୁଥିଲେ । ବିଜେଡ଼ିର ମନ୍ତ୍ରୀ, ସାଂସଦ, ବିଧାୟକ ଏବଂ ରାଜ୍ୟ ଓ ନିର୍ବାଚନମଣ୍ଡଳୀସ୍ତରୀୟ ନେତାମାନେ ପାଣ୍ଡିଆନଙ୍କ ଗସ୍ତ ପାଇଁ ମଂଚ ପ୍ରସ୍ତୁତ କରିବାଠାରୁ ଆରମ୍ଭ କରି ସଭା ଆୟୋଜନ କରିବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ତଦାରଖ କରୁଥିଲେ । ପାଣ୍ଡିଆନ ମଂଚ ଉପରେ ଏକାକୀ ରହି ଭାଷଣବାଜୀ କରୁଥିବା ସମୟରେ ବିଜେଡ଼ି ନେତାମାନେ ମଂଚ ତଳେ ହାତବାନ୍ଧି ଠିଆ ରହୁଥିଲେ । ମଂଚ ଉରୁ ପାଣ୍ଡିଆନ ରାଜ୍ୟ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କାର ଯୋଜନା ଘୋଷଣା କରୁଥିଲେ । ସରକାରଙ୍କ ଦ୍ୱାରା ଚାଲି ଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମର ଅଗ୍ରଗତିକୁ ନେଇ ସମୀକ୍ଷା କରୁଥିଲେ ଏବଂ ଜିଲ୍ଲାପାଳ, ପୁଲିସ ଏସପିଠାରୁ ଆରମ୍ଭ କରି ରାଜ୍ୟ ମୁଖ୍ୟ ଶାସନ ସଚିବ ପର୍ଯ୍ୟନ୍ତ ସମସ୍ତେ ତାଙ୍କ ସମ୍ମୁଖରେ ନତମସ୍ତକ ରହୁଥିଲେ । ବିଜେଡ଼ିରେ ମୁଖ୍ୟମନ୍ତ୍ରୀଙ୍କ ପରେ ପାଣ୍ଡିଆନ ଦ୍ୱିତୀୟ କ୍ଷମତାକେନ୍ଦ୍ର ଭାବେ ବିଜେଡ଼ି ଓ ରାଜ୍ୟ ସରକାରକୁ ଚଳାଉ ଥିଲେ । ଏନେଇ ବିରୋଧୀ ଦଳରେ ଥିବା ବିଜେପି ପ୍ରଶ୍ନ ଉଠାଇଲେ ପାଣ୍ଡିଆନ ତାଙ୍କ ନିର୍ଦେଶରେ ଜିଲ୍ଲା ଗସ୍ତ କରି ଜନସାଧାରଣଙ୍କ ଅଭାବ, ଅଭିଯୋଗ ଶୁଣୁଛନ୍ତି ଓ ତାହାର ସମାଧାନ ଦିଗରେ ପଦକ୍ଷେପ ନେଉଛନ୍ତି ବୋଲି ତତ୍କାଳୀନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସଫେଇ ଦେଇ ଆସୁଥିଲେ । ପାଣ୍ଡିଆନଙ୍କ ରାଜ୍ୟବ୍ୟାପୀ ହେଲିକପ୍ଟର ଗସ୍ତରେ ବିଗତ ସରକାରରେ ପ୍ରାୟ ୫୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ବିରୋଧୀଙ୍କ ଆଡୁ ଅନୁମାନ କରାଯାଇ ସରକାର ବିରୋଧରେ ଅଭିଯୋଗ କରାଯାଇଥିବା ବେଳେ ରାଜ୍ୟ ସରକାରଙ୍କ ପରିବହନ ବିଭାଗ ସେତେବେଳେ ତାହାକୁ ଅସ୍ୱୀକାର କରିଥିଲେ । ଯଦି ନବୀନ ସରକାରରେ ରାଜ୍ୟ ରାଜକୋଷରୁ ପାଣ୍ଡିଆନଙ୍କ ହେଲିକପ୍ଟର ଗସ୍ତ ପାଇଁ ଟଙ୍କା ଖର୍ଚ୍ଚ କରି ନାହାନ୍ତି କିଏ ଖର୍ଚ୍ଚ କରିଛି ଏବଂ କାହା ନିର୍ଦେଶରେ ଖର୍ଚ୍ଚ କରିଛି ତାହା ଆଜି ମଧ୍ୟ ବଡ ପ୍ରଶ୍ନ ହୋଇଛି । ରାଜ୍ୟରେ ସରକାର ପରିବର୍ତ୍ତନ ପରେ ସରକାରଙ୍କ ପରିବହନ ବିଭାଗ ଏନେଇ ଖୋଳତାଡ ଚଳାଇଛନ୍ତି । କିଛି ଜିଲ୍ଲାପାଳ ପାଣ୍ଡିଆନଙ୍କ ଗସ୍ତ ସମୟରେ ହେଲିପ୍ୟାଡ୍ ନିର୍ମାଣ ଓ ଅନ୍ୟାନ୍ୟ ବାବଦରେ କିଛି ଟଙ୍କା ଖର୍ଚ୍ଚ କରିଥିବା ଆରଟିଆଇ ପ୍ରଶ୍ନକର୍ତ୍ତାଙ୍କ ପ୍ରଶ୍ନର ଉତ୍ତର ଦେଇ କହିଥିବା ବେଳେ ଅଧିକାଂଶ ଜିଲ୍ଲାପାଳ ପାଣ୍ଡିଆନଙ୍କ ହେଲିକପ୍ଟର ଗସ୍ତରେ ସେମାନଙ୍କ ଆଡୁ ଅର୍ଥ ବ୍ୟୟ ହୋଇଥିବା କଥାକୁ ଅଗ୍ରାହ୍ୟ କରୁଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମଝୀଙ୍କ ସରକାର ପାଣ୍ଡିଆନଙ୍କ ରାଜ୍ୟବ୍ୟାପୀ ହେଲିକପ୍ଟର ଗସ୍ତ ବାବଦରେ ହୋଇଥିବା ଅପବ୍ୟୟର ତଦନ୍ତ କରିବେ ବୋଲି କ୍ଷମତାସୀନ ହେବା ପରେ ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଏବେ, ସରକାରଙ୍କ ପରିବହନ ମନ୍ତ୍ରଣାଳୟ ଏହାର ତଦନ୍ତ କରୁଛି । ତଦନ୍ତରୁ କିଛି ସୁରାକ ମିଳିଲେ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି ବିଭାଗୀୟ ମନ୍ତ୍ରୀ ଗଣମାଧ୍ୟମରେ ବୟାନ ଦେଇ ଆସୁଛନ୍ତି । ପାଣ୍ଡିଆନ ୨୦୨୪ ନିର୍ବାଚନର ଠିକ୍ ପୂର୍ବରୁ ଆଇଏଏସ୍ ଚାକିରୀରୁ ସ୍ୱତଃ ଅବସର ନେଇ ବିଜେଡ଼ିରେ ଯୋଗ ଦେଇଥିଲେ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ୫-ଟି ଅଧ୍ୟକ୍ଷ ଭାବେ ନିଯୁକ୍ତ କରି କ୍ୟାବିନେଟ ମନ୍ତ୍ରୀ ପାହ୍ୟା ଦେଇଥିଲେ । ବିଜେଡ଼ିର ନିର୍ବାଚନ ପରାଜୟ ପରେ ପାଣ୍ଡିଆନ ଦଳ ଭିତରୁ ଓ ବାହାରୁ ଘୋର ବିରୋଧର ସମ୍ମୁଖୀନ ହୋଇ ବିଜେଡ଼ିରୁ ଇସ୍ତଫା ଦେବା ସହ ରାଜନୀତିରୁ ସନ୍ୟାସ ଘୋଷଣା କରିଛନ୍ତି । ତଥାପି, ନବୀନ ନିବାସରେ ତାଙ୍କର ଅବାଧ ଚଳପ୍ରଚଳ ରହିଥିବା ଚର୍ଚ୍ଚା ହୋଇଆସୁଛି । ୨୦୨୪ ନିର୍ବାଚନରେ ବିଜେଡ଼ିର ଶୋଚନୀୟ ପରାଜୟ ପାଇଁ ପାଣ୍ଡିଆନ ଓ ତାଙ୍କ କୋଟେରୀକୁ ଦଳର ଯୁବ, ଛାତ୍ର ନେତାଙ୍କଠାରୁ ଆରମ୍ଭ କରି ବରିଷ୍ଠ ନେତା ପର୍ଯ୍ୟନ୍ତ ସମସ୍ତେ ଦାୟି କରୁଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏବେକାର ବିରୋଧୀ ଦଳ ନେତା ପଟ୍ଟନାୟକ ପୂର୍ବପରି ତାଙ୍କୁ ସୁରକ୍ଷା ଦେଉଥିବା ରାଜନୈତିକ ମହଲକୁ ବିସ୍ମିତ କରିଛି । ନିର୍ବାଚନ ବିପର୍ଯ୍ୟୟ ପରେ ବିଜେଡ଼ି ସୁପ୍ରିମୋ ସମସ୍ତ ଆଗୁଆ ସାଂଗଠନକୁ ଭାଂଗି ଦେଇ ଏକ କୋର୍ କମିଟି ମାଧ୍ୟମରେ ଦଳକୁ ପରିଚାଳିତ କରୁଛନ୍ତି । ଗତ ସାଧାରଣ ନିର୍ବାଚନ ସମୟରେ ବିଜେଡ଼ିର ଅତ୍ୟନ୍ତ ପ୍ରଭାବଶାଳୀ ନେତା ଥିବା ଏବଂ ପାଣ୍ଡିଆନଙ୍କ କୋଟେରୀରେ ରହି ନିର୍ବାଚନ ସଂପର୍କିତ ସମସ୍ତ ନିଷ୍ପତ୍ତି ନେଇଥିବା ବିଜେଡ଼ିର ପୂର୍ବତନ ରାଜ୍ୟ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ନବ ଗଠିତ କୋର୍ କମିଟିରେ ସ୍ଥାନ ମିଳି ନାହିଁ । ବରିଷ୍ଠ ବିଜେଡ଼ି ନେତା ଦେବୀ ପ୍ରସାଦ ମିଶ୍ର ଏବେ କୋର୍ କମିଟି ମୁଖ୍ୟ ଅଛନ୍ତି । ପାଣ୍ଡିଆନଙ୍କ ଭଳି ପ୍ରଣବ ପ୍ରକାଶ ଦାସ ମଧ୍ୟ ବିଜେଡ଼ିର ନିର୍ବାଚନ ବିପର୍ଯ୍ୟୟ ଓ ବିଜେପି କ୍ଷମତାକୁ ଆସିବା ପରେ ସରକାରୀ ଖୋଳତାଡର ସମ୍ମୁଖୀନ ହୋଇ ଗଣମାଧ୍ୟମରେ ଚର୍ଚ୍ଚାରେ ରହିଛନ୍ତି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS